ଚକ୍ଷୁରେ ଆଘାତ ଚକ୍ଷୁ ଡୋଳାର ଯେ କୌଣସି ଆଘାତ ମାରାତ୍ମକ ଅଟେ । କାରଣ ଆଘାତ ସମୟେ ସମୟେ ମନୁଷ୍ୟକୁ ଅନ୍ଧ କରିଦିଏ । ସ୍ଵଚ୍ଛପଟଳ ଉପରର ଏକ ଛୋଟ ଖଣ୍ଡିଆକୁ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ତାହା ସଂକ୍ରମିତ ହୋଇ ଦୃଷ୍ଟି ଶକ୍ତି କମାଇ ଦିଏ । ଯଦି ଚକ୍ଷୁ ଡୋଳାର କୌଣସି କ୍ଷତ ଧଳା ଆସ୍ତରଣ ଭେଦକରି ତା’ର ତଳେ ଥିବା କଳା ଆସ୍ତରଣ ପର୍ଯ୍ୟନ୍ତ ଯାଇଥାଏ ତେବେ ତାହା ଭୟଙ୍କର ଭାବେ କ୍ଷତି କାରକ । ଯଦି କୌଣସି ତୀବ୍ର ଆଘାତ ଫଳରେ ଆଖିଡୋଳାରେ ରକ୍ତ ଭରିଯାଏ ତେବେ ତାହା ଚକ୍ଷୁପାଇଁ ଭୟଙ୍କର ବିପଦ ସୃଷ୍ଟି କରେ ଏବଂ ଏହା ବିଶେଷ କ୍ଷତିକାରକ ହୋଇଥାଏ ଯଦି କିଛି ଦିନ ପରେ ପୀଡା ହଠାତ୍ ବୃଦ୍ଧି ପାଏ, ଏହା ତୀବ୍ର ପୋଥକ ବ୍ୟାଧି ହୋଇପାରେ । ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଚକ୍ଷୁରେ ଆଘାତ କିପରି ଲାଗେ ବାଣ ଫୁଟାଇଥିବାବେଳେ ସାବଧାନ ନ ହୋଇଥିଲେ ନିଆଁଗୁଳା ଆଖିରେ ପଡି ସବୁଦିନ ପାଇଁ ନଷ୍ଟ କରି ଦେଇଥାଏ । ପିଲାମାନଙ୍କର ଅତିପ୍ରିୟ ଗୁଲିଦଣ୍ଡା ଖେଳ ଭୟଙ୍କର ହୋଇପାରେ । ସମୟ ସମୟରେ ଗୁଲିର ଦୁଇ ମୁନିଆଁ ଅଂଶ ଆଖିରେ ବାଜିଲେ ଆଖି ନଷ୍ଟ ହୋଇଯାଏ । ଧନୁରେ ତୀର ମାରୁଥିଲାବେଳେ ସାବଧାନ ନ ହୋଇଥିଲେ ତୀର ଆଖିରେ ବାଜିଲେ ଆଖିଟି ନଷ୍ଟ ହୁଏ । କାରଖାନାମାନଙ୍କରେ ଧାତୁ ଦ୍ରବ୍ୟାଦି ଯୋଡେଇ କରୁଥିବାବେଳେ ଆଖିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ କଳା ଚଷମା ପିନ୍ଧି ନ ଥିଲେ ଝଳେଇ ଧାସ ବାଜି ଆଖି ନଷ୍ଟ ହୋଇଯାଏ । କୌଣସି ରାସାୟନିକ ଦ୍ରବ୍ୟକୁ ବେପୁରିଆ ଭାବେ ବ୍ୟବହାର କଲେ ତାହା ଆଖିରେ ବାଜି ଆଖି ନଷ୍ଟ ହୋଇଯାଏ । ମୁଷ୍ଟି ଆଦି ଖୁବ୍ ଜୋରରେ ଆଘାତ ଆଖିରେ ଲାଗିଲେ ମଧ୍ୟ ଆଖି ନଷ୍ଟ ହେବାର ସମ୍ଭାବନା ଥାଏ । ଚିକିତ୍ସା ଯଦି ଆଖିରେ ଆଘାତ ଲାଗିଗଲା ପରେ ମଧ୍ୟ ଲୋକଟି ସେହି କ୍ଷତ ଆଖିରେ ଠିକ୍ ଦେଖି ପାରୁଛି ତେବେ ସେ ଆଖିରେ ଜୀବାଣୁନାଶୀ ଔଷଧ ଲଗାନ୍ତୁ । ସେହି ଆଖିଟିକୁ ଏକ ନରମ, ବହଳିଆ ପଟିରେ ବାନ୍ଧି ଦିଅନ୍ତୁ । ଯଦି ଦିନେ ଦୁଇଦିନ ମଧ୍ୟରେ ତାହା ଭଲ ନ ହୁଏ – ତେବେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ । ଚକ୍ଷୁରେ ଆଘାତ ଲାଗିଲା ପରେ ଯଦି ସେହି ଆଖିରେ ଦେଖି ହେଉନାହିଁ ଓ କ୍ଷତଟି ଗୁରୁତର ହୋଇଛି ବା ସ୍ଵଚ୍ଛ ପଟଳ ପଛରେ ଆଖି ମଧ୍ୟରେ ରକ୍ତ ଭରି ଯାଇଛି, ତେବେ ଗୋଟିଏ ସଫା ପଟି ଆଖିରେ ବାନ୍ଧି ଦେଇ ତୁରନ୍ତ ଡାକ୍ତରଖାନାକୁ ଚାଲିଯାଆନ୍ତୁ । ଡୋଳା ଭିତରେ ଖୁବ୍ ଜୋରରେ ପଶିଯାଇଥିବା କଣ୍ଟା ବା ଛୋଟ କାଠ ଖଣ୍ଡକୁ ଜବରଦସ୍ତ ଟାଣି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଖାନାକୁ ଯାଇ ତାହାକୁ କାଢି ଦିଅନ୍ତୁ । ଚକ୍ଷୁ କ୍ଷତବିକ୍ଷତର ପ୍ରତିଷେଧକ ଉପାୟ : ରୋଷେଇ କରୁଥିବାବେଳେ ନିଆଁଠାରୁ ଦୂରରେ ବସନ୍ତୁ । ଝଳେଇ କାମ କରୁଥିବା ବେଳେ ସ୍ଵତନ୍ତ୍ର କଳା ଚଷମା ପିନ୍ଧନ୍ତୁ । ରାସାୟନିକ ଦ୍ରବ୍ୟାଦିରେ କାର୍ଯ୍ୟ କରିସାରିବା ପରେ ହାତକୁ ପରିଷ୍କାର ଭାବରେ ଧୋଇ ଦିଅନ୍ତୁ । ଯେଉଁଠି ପିଲାମାନେ ଖେଳନ୍ତି ସେଠାରେ ଥିବା ଗଛଗୁଡିକର ତଳ ଡାଳଗୁଡିକୁ କାଟି ଦିଅନ୍ତୁ ଯେପରି ତାହା ପିଲାମାନଙ୍କର ଆଖିରେ ବାଜିବାର ସମ୍ଭାବନା ରହିବ ନାହିଁ । ଆଖିରୁ ଧୂଳିକଣା କାଢିବ କିପରି ? ଯଦି ଆଖିରେ ବାଲି, ଧୂଳିକଣା, ବା କୌଣସି ମଇଳା ପଡିଯାଏ ତେବେ ଆପଣ ଆଖି ଭିତରେ ପରିଷ୍କାର ପାଣି ଭରି ତାହାକୁ କାଢନ୍ତୁ ବା ଗୋଟିଏ ସଫା କପଡାର କାନି ସାହାଯ୍ୟରେ ବା ତୁଳାକୁ ଓଦା କରି ବଳି ତାହା ସାହାଯ୍ୟ ମଧ୍ୟ କାଢି ପାରନ୍ତି । ଧୂଳିକଣା ବା ଛୋଟ ବାଲି ଆଖିର ଉପର ପତା ଭିତରେ ରହିଥିଲେ ତଳେ ଥିବା ଚିତ୍ର ଅନୁସାରେ ଉପରପତା ଉପରେ ଏକ ଛୋଟ କାଠି ଦେଇ ପତାକୁ ଓଲଟାନ୍ତୁ ଓ ମଇଳା ଖୋଜି କାଢନ୍ତୁ । ଯଦି ଆପଣ ଏହି ଧୁଳି କଣାଟିକୁ ବା ଗୁଣ୍ଡଟିକୁ ସହଜରେ ଆଖି ଭିତରୁ ପାଉ ନାହାନ୍ତି ତେବେ ସେହି ଆଖିରେ ଜୀବାଣୁନାଶୀ ଔଷଧ ଲଗାଇ ଦେଇ ଓ ଆଖି ଉପରେ ପଟି ବାନ୍ଧି ଦେଇ ଡାକ୍ତରଖାନାକୁ ଚାଲି ଯାଆନ୍ତୁ । ରାସାୟନିକ ଦ୍ରବ୍ୟ ଆଖିରେ ପଡିବା ଯୋଗୁଁ ଆଖିର ଜ୍ଵଳନ ବ୍ୟାଟେରି ଏସିଡ୍, ଗ୍ୟାସୋଲିନ, କୀଟାଣୁନାଶକ ଔଷଧ ଆଖିରେ ପଡିଲେ ବିପଜ୍ଜନକ ହୋଇଥାଏ । ଏହା ଆଖିରେ ପଡିବା ମାତ୍ରେ ଥଣ୍ଡା ପାଣିରେ ଆଖିକୁ ଅଧଘଣ୍ଟା ପର୍ଯ୍ୟନ୍ତ ଧୁଅନ୍ତୁ । ଲାଲ ପଡିଥିବା ଓ ପୀଡା ଦେଉଥିବା ଆଖି : ବିଭିନ୍ନ କାରଣ : ଅନେକ କାରଣରୁ ଆଖି ଲାଲ ପଡି ପୀଡା ଦେଇଥାଏ । ତଳଲିଖିତ ତାଲିକାରୁ ଆପଣମାନେ ବିଭିନ୍ନ କାରଣ ସମ୍ବନ୍ଧରେ ଜାଣି ପାରିବେ । ଲାଲ ପଡିଥିବା ଓ ପୀଡା ଦେଉଥିବା ଆଖିର ଚିକିତ୍ସା ପାଇଁ ଏହାର କାରଣ ନିର୍ଦ୍ଧାରଣ କରିବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ପ୍ରତ୍ୟକ ରୋଗର ଲକ୍ଷଣକୁ ଭଲ ଭାବରେ ଅନୁଧ୍ୟାନ କରନ୍ତୁ ଓ ତଦନୁଯାୟୀ ଚିକିତ୍ସା କରନ୍ତୁ । ଘା’ ହୋଇଥିବା ଆଖି (ନେତ୍ରା ଶ୍ଲେଷ୍ମା ଶୋଥ) ବା ଆଖିଧରା ରୋଗ ଏହି ସଂକ୍ରମଣ ଫଳରେ ଗୋଟିଏ ବା ଦୁଇଟିଯାକ ଆଖି ଲାଲ ପଡିଯାଏ । ସେଥିରେ ପୂଜା ହୁଏ ଓ ମୃଦୁ ଜ୍ଵଳନ ଅନୁଭବ ହୁଏ । ଆଖିର ବାହାର ଧାରା ଖୁବ୍ ଲାଲ ଦିଶେ । ଆଖିରୁ ପାଣି ନିଗିଡେ । ଶୋଇ କରି ଉଠିବା ବେଳେ ଆଖି ପତା ଲାଗିଯାଏ । ଚିକତ୍ସା ପ୍ରଥମେ ପରିଷ୍କାର କନା ଫୁଟା ହୋଇଥିବା ପାଣିରେ ବୁଡାଇ ଆଖିରୁ ପୂଜା ବାହାର କରନ୍ତୁ । ପରେ ଆଖିରେ ଆଣ୍ଟିବାଇଓଟିକ ଆଖି ମଲମ ଲଗାନ୍ତୁ । ଆଖିର ତଳ ପତା ଟାଣି ତଳ ପତା ଭିତରେ ମଲମ ଲଗାନ୍ତୁ । ମଲମ ଦିନକୁ ୩/୪ ଥର ଲଗାନ୍ତୁ । ଆଖିଧରା ପ୍ରତିଷେଧକ ଆଖିଧରା ଜଣକଠାରୁ ଆଉ ଜଣକୁ ଖୁବ୍ ଶୀଘ୍ର ବ୍ୟାପିଥାଏ । ଏହି ବ୍ୟାପିବାକୁ ରୋକିବା ପାଇଁ ନିମ୍ନଲିଖିତ ସୂଚନା ପ୍ରତି ଦୃଷ୍ଟି ଦିଅନ୍ତୁ । ଯେଉଁ ପିଲାଟିର ଆଖି ଧରିଥିବ ତାକୁ ଅନ୍ୟ ସୁସ୍ଥ ପିଲାମାନଙ୍କ ସହ ଏକାଠି ଶୋଇବାକୁ, ଖେଳିବାକୁ, ବା ମିଳାମିଶା କରିବାକୁ ଦିଅନ୍ତୁ ନାହିଁ । ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଅଲଗା ରୁମାଲ ଓ ଗାମୁଛା ଇତ୍ୟାଦିର ବ୍ୟବସ୍ଥା କରନ୍ତୁ । ଅନ୍ୟମାନେ ସଂକ୍ରମିତ ବ୍ୟକ୍ତିଙ୍କର ରୁମାଲ ବା ଗାମୁଛା ଇତ୍ୟାଦି ବ୍ୟବହାର ନ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ରୋଗାକ୍ରାନ୍ତ ଆଖିଟିକୁ ଛୁଇଁଲା ପରେ ଭଲ ଭାବରେ ହାତ ଧୁଅନ୍ତି । ଯଦି ଆପଣଙ୍କର ନେତ୍ର ଶ୍ଲେଷ୍ମାବରଣ ଶୋଥ ହୋଇଅଛି ତେବେ ନଦୀ, ନାଳ ବା ପୁଷ୍କରିଣୀ ଆଦିରେ ଗାଢାନ୍ତୁ ନାହିଁ ଜନ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଯଦି ସମ୍ଭବ ହେଉଛି କଳା ଚଷମା ଲଗାଇବାକୁ ଚେଷ୍ଟା କରନ୍ତୁ । ପୋଥକୀ (ଟ୍ରାକୋମା) ନେତ୍ର ଶ୍ଲେଷ୍ମା ଶୋଥବରଣ ଦୀର୍ଘଦିନ ଧରି ଆରୋଗ୍ୟ ନ ହେଲେ ଓ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଲେ ତାହା ଟ୍ରାକୋମାକୁ ରୂପାନ୍ତରିତ ହୋଇଯାଏ । ଯଦି ଶୀଘ୍ର ଚିକିତ୍ସା କରା ନ ଯାଏ ତେବେ ଟ୍ରାକୋମା ଆରୋଗ୍ୟ ହେବାକୁ ମାସ ମାସ, ଏପରିକି ବର୍ଷ ବର୍ଷ ମଧ୍ୟ ଲାଗିପାରେ । ବେଳେବେଳେ ଏହି ରୋଗ ସମ୍ପୂର୍ଣ୍ଣ ରୂପେ ଚକ୍ଷୁଟିକୁ ମଧ୍ୟ ନଷ୍ଟ କରି ଦେଇଥାଏ । ଏହା ସଂସ୍ପର୍ଶ ଯୋଗୁଁ ତଥା ମାଛି ଆଦିଙ୍କ ଦ୍ଵାରା ବ୍ୟାପିଯାଇଥାଏ । ବିଶେଷତଃ ଗରିବ ଶ୍ରମିକ ବସ୍ତି ଅଞ୍ଚଳରେ ଏହି ରୋଗ ଅଧିକାଂଶ ସମୟରେ ଦେଖା ଦେଇଥାଏ, କାରଣ ବହୁ ଲୋକଙ୍କର ଏକତ୍ର ବସବାସ ଓ ଅସ୍ଵାସ୍ଥ୍ୟକର ପରିବେଷ୍ଟନୀ ଏହି ରୋଗ ବୃଦ୍ଧିରେ ବିଶେଷ ସହାୟକ ହୁଏ । ଲକ୍ଷଣ ଟ୍ରାକୋମା, ସାଧାରଣ ନେତ୍ର ଶ୍ଲେଷ୍ମା ଶୋଥବରଣ ପରି ଆରମ୍ଭ ହୁଏ । ଆରମ୍ଭ ହେବା ମାତ୍ରେ ଆଖି ଲାଲ ପଡିଯାଏ ଓ ଆଖିରୁ ପଣି ନିଗିଡେ । ହାରାହାରି ଗୋଟିଏ ମାସ ପରେ ଆଖିର ଉପର ପତା ଭିତରେ ଧୂଷର ବାଦାମୀ ରଙ୍ଗର ଛୋଟ ଛୋଟ ଦାନା ଭଳି ବାହାରି ପଡେ, ଯାହାକୁ କ୍ଷୁଦ୍ର ଗ୍ରନ୍ଥୀ କୁହାଯାଏ । ଆଖି ଡୋଳାର ଧଳା ଅଂଶ ସାମାନ୍ୟ ଫୁଲେ । ଯଦି ଆପଣ ଅତ୍ୟନ୍ତ ସତର୍କତାର ସହ ବା ଗୋଟିଏ ଯବ କାଚ ସାହାଯ୍ୟରେ ଏହି ଆଖିକୁ ପରୀକ୍ଷା କରିବେ ତେବେ ସ୍ଵଚ୍ଛ ପଟଳର ଠିକ୍ ଉପର ଧାରର ରଙ୍ଗ ଧୂଷର ଦିଶିବ କାରଣ ଏଥିରେ ଅନେକ କ୍ଷୁଦ୍ର କ୍ଷୁଦ୍ର ରକ୍ତ ନଳୀ ଜମିଯାଇ ଥାଆନ୍ତି କ୍ଷୁଦ୍ର ଗ୍ରନ୍ଥୀ ଓ ପାନସ୍ ଏକତ୍ର ଥିଲେ ତାହା ନିଃସନ୍ଦେହରେ ଟ୍ରାକୋମା ଅଟେ । କିଛି ବର୍ଷ ପରେ ଏହି କ୍ଷୁଦ୍ର ଗ୍ରନ୍ଥୀଗୁଡିକ ଅପସରି ଯାଇ ଆଖି ପତା ଭିତରେ ଧଳା ଦାଗ ସୃଷ୍ଟି କରି ଦେଇଥାନ୍ତି । ପୋଥକୀ ବ ଟ୍ରାକୋମାର ଚିକିତ୍ସା ଟ୍ରାକୋମାର ଚିକିତ୍ସା ଉଭୟ ମୌଖିକ, ଆଣ୍ଟିବାଇଓଟିକ ସେବନ ଓ ଆଖି ମଲମ ବ୍ୟବହାର ଦ୍ଵାରା ହୋଇପାରିବ । ଟେଟ୍ରାସାଇକ୍ଲିନ ଅଏଣ୍ଟମେଣ୍ଟ ୧% ଦିନକୁ ୨ ଥର ସପ୍ତାହକୁ ୬ ଦିନ ଅଢେଇ ମାସ ବ୍ୟବହାର କରିବା ଉଚିତ୍ । ସେହିପରି ଟେଟ୍ରାସାଇକ୍ଲିନ ବା ସଲଫୋନାମାଇଡ ବ୍ୟବହାର କରାଯାଇପାରେ । ପ୍ରତିଷେଧକ ପ୍ରଥମରୁ ଚିକିତ୍ସା କଲେ ଓ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଗଲେ ଟ୍ରାକୋମା ଅନ୍ୟଲୋକମାନଙ୍କୁ ସଂକ୍ରମଣ କରେ ନାହିଁ । ଟ୍ରାକୋମା ରୋଗୀ ସହ ଏକତ୍ର ରହୁଥିବା ପ୍ରତ୍ୟକ ବ୍ୟକ୍ତି ବିଶେଷତଃ ଶିଶୁମାନଙ୍କର ଆଖି ବାରମ୍ବାର ପରୀକ୍ଷା କରାଉଥିବା ଉଚିତ୍ । ଯଦି ରୋଗର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଚିକିତ୍ସା କରିବା ଉଚିତ୍ । ଏହି ଅଧ୍ୟାୟରେ ଆରମ୍ଭରେ ବର୍ଣ୍ଣନା କରାଯାଇଥିବା ବ୍ୟକ୍ତିଗତ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ