ଆଖିର ଯତ୍ନ ଶରୀର ମଧ୍ୟରେ ଆଖି ଦୁଇଟି ହେଉଛି ଅତ୍ୟନ୍ତ କୋମଳ ତଥା ସୁକୁମାର ଅଙ୍ଗ । ସେଥିପାଇଁ ଏହାର ଉତ୍ତମ ଯତ୍ନ ନେବା ଆବଶ୍ୟକ । ଚକ୍ଷୁର ଉତ୍ତମ ଯତ୍ନ ନ ନେଲେ ବିଭିନ୍ନ ପ୍ରକାରର ରୋଗ ଅତି ସହଜରେ ଆକ୍ରମଣ କରେ । ଆଖିକୁ ସ୍ଵଚ୍ଛ ପାଣିରେ ଧୋଇ ସଫା ରଖନ୍ତୁ । ରାତ୍ରୀରେ ଶୋଇବା ପୂର୍ବରୁ ଆଖିକୁ ଢୋଇବା ଏକ ଭଲ ଅଭ୍ୟାସ । କାରଣ ଏହାଦ୍ଵାରା ଦିନସାରା ଆଖିରେ ପଡିଥିବା ଧୂଳି ମଇଳା ଆଦି ସଫା ହୋଇଯାଏ । ଆଖିକୁ ପୋଛିବା ପାଇଁ ସବୁବେଳେ ସଫା କନା ବ୍ୟବହାର କରନ୍ତୁ । ଶାଢୀ, ଧୋତି ବା ଗାମୁଛା ଆଦିରେ ଆଖି ଆଦୌ ପୋଛନ୍ତୁ ନାହିଁ । ଏପରି କଲେ ଆଖିରେ ତୀବ୍ର ସଂକ୍ରମଣ ହୋଇଥାଏ ଓ ଏହିପରି ଭାବରେ ପୋଥକୀ ଓ ଶୁକ୍ରମଣ୍ଡଳ ପ୍ରଦାହ ରୋଗ ବ୍ୟାପିଥାଏ । ପ୍ରତ୍ୟକ ଲୋକ ଅଲଗା ଅଲଗା କନା ବା ଗାମୁଛା ବା ରୁମାଲରେ ନିଜ ନିଜର ଆଖି ପୋଛିବା ଉଚିତ୍ ଯଦି ଜଣଙ୍କର ଗୋଟିଏ ଆଖି ରୋଗାକ୍ରାନ୍ତ ହୋଇଥାଏ ବା ସଂକ୍ରମିତ ହୋଇଥାଏ ତେବେ ସେହି ବ୍ୟକ୍ତି ନିଜର ଦୁଇଟି ଆଖିକୁ ଅଲଗା ଅଲଗା କନା ଦ୍ଵାରା ସଫା କରିବା ଉଚିତ୍ । ଆଖିରେ କଜ୍ଵଳ ଅଥବା ଇତ୍ୟାଦି ଲଗାଇଲା ବେଳେ ପ୍ରତି ଲୋକ ପାଇଁ ଅଲଗା ଆଙ୍ଗୁଠି ବା ପ୍ରୟୋଗକ ସାହାଯ୍ୟରେ ଲଗାଇବା ଉଚିତ୍ । କଳା ବା ଅଞ୍ଜନ ଲଗାଇ ସାରିବା ପରେ ଡବାକୁ ଭଲ ଭାବରେ ବନ୍ଦ କରି ଦିଅନ୍ତୁ ଯେପରି ସେଥିରେ ଧୂଳି ଇତ୍ୟାଦି ନ ପଡିବ । ଯେ କୌଣସି ଆଖି ରୋଗ ବ ଆଖିରେ କୌଣସି ସଂକ୍ରମଣ ହେବାମାତ୍ରେ ସ୍ୱାସ୍ଥ୍ୟସେବୀଙ୍କୁ ସଙ୍ଗେ ସଙ୍ଗେ ଦେଖାଇ ଦିଅନ୍ତୁ । ରାସ୍ତା କଡରେ ବ ବୁଲା ବିକାଳିମାନେ ଯେଉଁ ଚକ୍ଷୁ ଔଷଧ, ଅଞ୍ଜନ ଆଦି ବିକ୍ରି କରନ୍ତି ସେଗୁଡିକ କିଣନ୍ତୁ ନାହିଁ କିମ୍ବା ତାହାକୁ ଆଖିରେ ଲଗାନ୍ତୁ ନାହିଁ । ଏହି ଔଷଧ ଲଗାଇଲେ ଅନେକ ସମୟରେ ଅନ୍ଧ ହୋଇଯିବାର ସମ୍ଭାବନା ଥାଏ । ପାଳଙ୍ଗ ଶାଗ, ସଜନା ଶାଗ ଇତ୍ୟାଦି ଗାଢ ସବୁଜ ପତ୍ର ଥିବା ପାରିବା, ଅମୃତଭଣ୍ଡା, ଆମ୍ବ ଇତ୍ୟାଦି ଫଳ ଓ ଗାଜର ପ୍ରଭୃତି ଖାଆନ୍ତୁ । ଏଥିରେ ଭିଟାମିନ୍ ‘କ’ ଅଧିକ ପରିମାଣରେ ଥାଏ ଓ ଏହା ଆଖି ପାଇଁ ଅଧିକ କାମ କରେ । ଏହି ଖାଦ୍ୟ ଖାଇଲେ ଅନ୍ଧାରକଣା ରୋଗ ଦୂର ହୋଇଥାଏ । ବିପଜ୍ଜନକ ଲକ୍ଷଣ ଆଖି ଯୋଡିକ ଶରୀରର ସୁକୁମାର ଅଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ଏକାନ୍ତ ଆବଶ୍ୟକ । ନିମ୍ନରେ ଲେଖା ଯାଇଥିବା ବିପଜ୍ଜନକ ଲକ୍ଷଣମାନଙ୍କ ମଧ୍ୟରୁ ଯଦି କୌଣସି ଗୋଟିଏ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ । ଆଖି ଡୋଳାରେ କୌଣସି କାରଣରୁ ଖଣ୍ଡିଆ ହୋଇଗଲେ । ସ୍ଵଚ୍ଛପଟଳ ଉପରେ ଧୂଷର ରଙ୍ଗ ଦେଖା ଦେଲେ ଓ ସ୍ଵଚ୍ଛପଟଳ ର ଚତୁର୍ଦ୍ଦିଗ ଲାଲ ପଡିଗଲେ ଓ ଚକ୍ଷୁରେ ପୀଡା ହେଲେ (ସ୍ଵଚ୍ଛପଟଳ କ୍ଷତ) । ଆଖି ଭିତରେ ଅଧିକ ଯନ୍ତ୍ରଣା ହେଲେ ସମ୍ଭବତଃ ତାରାମଣ୍ଡଳ ଶୋଥ ବା ପୋଥକ । ଚକ୍ଷୁ ଓ ମସ୍ତକ ବିନ୍ଧୁଥିବା ସମୟରେ ତାରକା ର ଆୟତନରେ କିଛି ପାର୍ଥକ୍ୟ ଦେଖା ଦେଲେ, ଚକ୍ଷୁତାରକାର ଆୟତନର ପାର୍ଥକ୍ୟ ଦେଖାଯିବା – ମସ୍ତିସ୍କ ଭିତରେ କ୍ଷତ, ପ୍ରଘାତ, ଆଖିରେ ମାଡ ହେବା, ଉପତାରା ପ୍ରଦାହ ବା ପୋଥକୀ ଯୋଗୁଁ ହୋଇଥାଏ (କେତେକ ଲୋକଙ୍କର ଚକ୍ଷୁ ତାରକାର ଆୟତନର ପାର୍ଥକ୍ୟ ସାଧାର ଘଟନା ଅଟେ) । ଯଦି ଗୋଟିଏ ଆଖି ବା ଦୁଇଟିଯାକ ଆଖିର ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୁଏ । ଆଖିରେ କୌଣସି ସଂକ୍ରମଣ ବା ଜ୍ଵଳନ ୫ – ୬ ଦିନ ମଧ୍ୟରେ ଜୀବାଣୁନାଶୀ ଆଖି ମଲମ ଲଗାଇବା ସତ୍ତ୍ୱେ ଭଲ ନ ହେଲେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ