ଉପକ୍ରମ ଜୀବନ ଓ ସ୍ୱାସ୍ଥ୍ୟ ପାଇଁ ଜଳ ଏକ ମୌଳିକ ଆବଶ୍ୟକତା । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ଅସୁରକ୍ଷିତ ପାନୀୟ ଜଳ ଓ ଦୁର୍ବଳ ପରିମଳ ବ୍ୟବସ୍ଥା । ପ୍ରତିବର୍ଷ ପୃଥିବୀର ହଜାର ହଜାର ଗରିବ ଲୋକେ – ବିଶେଷ କରି ମହିଳା ଓ ଶିଶୁମାନେ ଜଳ ସମ୍ପର୍କିତ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରୁଛନ୍ତି । ତା ଛଡା ସୁରକ୍ଷିତ ପାନୀୟ ଜଳର ଅଭାବ ଯୋଗୁଁ ଗରିବ ଶ୍ରେଣୀର ମହିଳା ଓ ଶିଶୁମାନେ ଜଳ ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ବିତାଇବାକୁ ବାଧ୍ୟ ହେଉଛନ୍ତି । ଏହି ସମୟକୁ ମହିଳାମାନେ ଉପାର୍ଜନକ୍ଷମ ହେବାରେ ଓ ଶିଶୁମାନେ ବିଶେଷକରି ଝିଅ ପିଲାମାନେ ପଢାପଢିରେ ଲଗାଇପାରନ୍ତି । ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଜାଣିବା ଉପରେ ହିଁ ସୁସ୍ଥତା ନିର୍ଭର କରେ । ଜଳ ସଂକ୍ରମିତ ରୋଗର କାରଣ ଗୁଡିକ ହେଲା ; ଜଳ ଉତ୍ସର ଚାରିପାଖରେ ଅସ୍ୱାସ୍ଥ୍ୟକର ପରିବେଶ । ମଇଳା ପାଣି ଓ ଶିଳ୍ପ କାରଖାନାର ପରିତ୍ୟକ୍ତ ପାଣି ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥାର ଅଭାବ । କଠିନ ବର୍ଜ୍ୟ ବସ୍ତୁକୁ ଅଯତ୍ନ ଭାବେ ଏଣେ ତେଣେ ପକାଇବା । ଉଚ୍ଚକ୍ଷମତା ସମ୍ପନ୍ନ ଯବକ୍ଷାରଜାନ ଜାତୀୟ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର । ଶିଳ୍ପ କାରଖାନାମାନଙ୍କରୁ ନିର୍ଗତ ପ୍ରଦୂଷଣ । ଅତ୍ୟଧିକ ଶୋଷଣରୁ ଗୁଣାତ୍ମକମାନର ଅବକ୍ଷୟ । ଅଜ୍ଞତା ଯୋଗୁଁ ଜଳ ଉତ୍ସର ପ୍ରଦୂଷଣ । ଜନସଂଖ୍ୟାରେ ଅତ୍ୟଧିକ ଅଭିବୃଦ୍ଧି । ସଚେତନତାର ଅଭାବ । ଜଳ ଓ ପରିମଳ ସମ୍ପର୍କିତ ପ୍ରସଙ୍ଗ ଗୋଷ୍ଠୀ କ୍ଷେତ୍ରରେ ବହୁସଂଖ୍ୟକ ଲୋକେ ସର୍ବସାଧାରଣ ଜଳଯୋଗାଣ ଉତ୍ସଉପରେ ନିର୍ଭର କରନ୍ତି । ପାଇପପାଣି ଯୋଗାଣ ବ୍ୟବସ୍ଥା ସାହରାଞ୍ଚଳ ଓ କେତେକ ଉନ୍ନତ ଗ୍ରାମ ମଧ୍ୟରେ ସୀମିତ । ପିଇବାପାଇଁ ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ନଳକୂପ ପାଣି ଉପରେ ନିର୍ଭର କରନ୍ତି । ନଳକୂଅର ପାଣି ସମସ୍ତ ଗ୍ରାମବାସୀଙ୍କ ଅଭାବ ପୂରଣ କରିପାରେ ନାହିଁ, ବିଶେଷତଃ ଗ୍ରୀଷ୍ମଋତୁରେ ଜଳ କଷ୍ଟ ଖୁବ୍ ଅଧିକ । ବହୁ ସମୟରେ ଅଚଳ ନଳକୂପର ମରାମତି ବା ପୁନଃସ୍ଥାପନରେ ବିଳମ୍ବ ହେତୁ ଜଳଯୋଗାଣ ବ୍ୟାହାତ ହୁଏ । ଅସୁରକ୍ଷିତ କୂଅ କିମ୍ବା ଖୋଲା ଜଳଉତ୍ସଗୁଡିକରୁ ଅପରିଚ୍ଛନ୍ନ ପାଣି ସଂଗ୍ରହ କରିବା ଅସ୍ୱାସ୍ଥ୍ୟକର ଅଟେ । ବହୁ ଗାଁରେ ଗୋଟିଏ ପୋଖରୀକୁ ଲୁଗାପଟା ସଫା କରିବା ଠାରୁ ଆରମ୍ଭ କରି ଗାଢୁଆ ତଥା ଗାଈ ମଇଁଷିଙ୍କୁ ଧୁଆ ଧୋଇ କରିବା ପର୍ଯ୍ୟନ୍ତ ବ୍ୟବହାର କରିବା ଏକ ଅସ୍ୱାସ୍ଥ୍ୟକର ଅଭ୍ୟାସ । ପରିତ୍ୟକ୍ତ ଦୂଷିତ ପାଣିର ନିଷ୍କାସନ ପାଇଁ ଶୋଷକଗର୍ତ୍ତ ଓ ଚାନ୍ଦିନୀଗୁଡିକର ରକ୍ଷଣା ବେକ୍ଷଣର ଅଭାବ । ବହୁ ଗାଁରେ ସାମୁହିକ ଓ ବ୍ୟକ୍ତିଗତ ଶୌଚାଳୟର ଅଭାବ । ଦୁଇ ତୃତୀୟାଂଶ ବା ତତୋଧିକ ପରିବାର ଲୋକଙ୍କର ଖୋଲା ସ୍ଥାନରେ ମଳତ୍ୟାଗ କରିବା ଅଭ୍ୟାସ । ପିଲାମାନଙ୍କର ମଇଳା ନିରାପଦ ସ୍ଥାନରେ ନ ପକାଇ ଏଣେ ତେଣେ ପକାଇ ଦିଆଯାଏ । ଫଳତଃ, ସେ ସବୁ ମଇଳା ବର୍ଷାପାଣିରେ ଧୋଇ ହୋଇ ଜଳ ଉତ୍ସରେ ମିଶିଯାଏ । ଅଧିକାଂଶ ଲୋକେ ଖୋଲାସ୍ଥାନରେ ମଳତ୍ୟାଗ କଲେ ହାତ ଧୋଇବା ପାଇଁ ସାବୁନ ବ୍ୟବହାର କରନ୍ତି ନାହିଁ ଓ ଚପଲ ପିନ୍ଧନ୍ତି ନାହିଁ । ଅଧିକାଂଶ ଗାଁରେ ରହିବା ଘର ସହିତ ବା ପାଖକୁ ଲାଗି ପଶୁମାନଙ୍କ ପାଇଁ ଗୁହାଳ କରିବା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିକରେ । ଅଧିକାଂଶ ଗୃହକର୍ତ୍ତା ପରିତ୍ୟକ୍ତ ପାଣି ଶୋଷକ ଗର୍ତ୍ତକୁ ନଛାଡିବା ଏକ ଦୂଷିତ ପରିବେଶ ସୃଷ୍ଟି କରେ । ବହୁଲୋକ ଅଳିଆ ଆବର୍ଜନା ଓ କଠିନ ବର୍ଜ୍ୟବସ୍ତୁ ପକାଇବା ପାଇଁ କମ୍ପୋଷ୍ଟ ଖାତର ବ୍ୟବସ୍ଥା କରନ୍ତି ନାହିଁ । ଅଧିକାଂଶ ଗାଁରେ ଜଳ ଓ ପରିମଳ ପରିଚାଳନା କମିଟି ନଥାଏ, ବା ଥିଲେ ମଧ୍ୟ ସକ୍ରିୟ ନଥାଏ । ପାରିବାରିକ କ୍ଷେତ୍ରରେ ବହୁ ଗୃହସ୍ଥ ପାନୀୟ ଜଳ ସଂଗ୍ରହ ତଥା ତାର ସୁରକ୍ଷିତ ସଂରକ୍ଷଣ ଓ ବ୍ୟବହାର ବାବଦରେ ଜାଣି ନଥାନ୍ତି । କେତେକ ଲୋକ ଜଳପାତ୍ରକୁ ଘୋଡାଇ ରଖନ୍ତି ନାହିଁ କି ନିୟମିତ ସଫା ମଧ୍ୟ କରନ୍ତି ନାହିଁ । ଜଳପାତ୍ରରୁ ପାଣି କାଢିବାରେ ପ୍ରାୟ ଡଙ୍କି ବ୍ୟବହାର କରନ୍ତି ନାହିଁ । ପାଣିର ବ୍ୟବହାରରେ ସଚେତନତାର ଅଭାବ ଦେଖାଯାଏ । ଅଧିକାଂଶ ପରିବାରରେ ଶୌଚାଳୟ ନାହିଁ । ଶିଶୁମାନଙ୍କର ମଇଳା ଇତସ୍ତତଃ ପକାଇ ଦିଆଯାଏ । ଅଧିକାଂଶ ଲୋକ ମଳତ୍ୟାଗ ପାଇଁ ଗଲେ ଚପଲ ପିନ୍ଧାନ୍ତି ନାହିଁ କିମ୍ବା ହାତ ଧୋଇବାରେ ସାବୁନ ବ୍ୟବହାର କରନ୍ତି ନାହିଁ । ବହୁଲୋକ ରହିବା ଘର ସହିତ ବା ପାଖକୁ ଲାଗି ଗୁହାଳ ଘର କରିଥାନ୍ତି । ବ୍ୟବହୃତ ପରିତ୍ୟକ୍ତ ପାଣିକୁ ଉଦ୍ଦିଷ୍ଟ ପାଣି ଶୋଷକ ଗର୍ଭକୁ ଛାଡନ୍ତି ନାହିଁ । ଖରାପ ପାଣି ଯମୁଥିବା କାଦୁଅ ଓ ସନ୍ତସନ୍ତିଆ ଜାଗା ଘର ପାଖକୁ ଲାଗି ରହିବାର ଦେଖାଯାଏ । ବହୁଲୋକ ଅଳିଆ ଓ କଠିନ ବର୍ଜ୍ୟବସ୍ତୁ ପକାଇବା ପାଇଁ କମ୍ପୋଷ୍ଟ ଖତ କରନ୍ତି ନାହିଁ । ଦୂଷିତ ପାଣି ଓ କୁପରିମଳର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସାଧାରଣ ରୋଗର ୮୦ ଭାଗ କେବଳ ଜଳ ଓ ପରିମଳ ଅଭାବ ଜନିତ କାରଣରୁ ହୋଇଥାଏ । ସାରା ବିଶ୍ଵର ବିଶେଷକରି ବିକାଶଶୀଳ ରାଷ୍ଟ୍ରର ହଜାର ହଜାର ଲୋକେ ଜଳ ଓ ପରିମଳ ସଙ୍କ୍ରାନ୍ତୀୟରୋଗରେ ପୀଡିତ ହେଉଛନ୍ତି । ପ୍ରତିବର୍ଷ ପ୍ରାୟ ୫ ନିୟୁତ ଲୋକ ଜଳ ଦ୍ଵାରା ସଂକ୍ରମିତ ରୋଗ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ଦୁଇ ନିୟୁତରୁ ଅଧିକ ଲୋକ କେବଳ ଦୂଷିତ ଜଳଜନିତ ତରଳଝାଡାରେ ପ୍ରାଣତ୍ୟାଗ କରୁଛନ୍ତି । ଏହି ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛୋଟପିଲା । ଏହି ସମସ୍ତ ରୋଗ ମଣିଷ ବା ପଶୁମାନଙ୍କ ମଳଦ୍ଵାରା ସଂକ୍ରମିତ ଜଳର ବ୍ୟବହାର ହେତୁ ହୋଇଥାଏ । ଉକ୍ତ ସଂକ୍ରମିତ ଜଳରେ ଜୈବ ଅଣୁଜୀବ ଗୁଡିକ ରହିଥାନ୍ତି । ଫଳରେ କଲେରା, ଟାଇଫଏଡ, ନାଳରକ୍ତ ଓ ଆମାଶୟ ତଥା ଅନ୍ୟାନ୍ୟ ଝାଡାରୋଗ ହୁଏ । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସଚେତନତାର ଅଭାବ ଯୋଗୁଁ ଚରମ ଓ ଆଖି ସଂକ୍ରମିତ ଜଳ ସଂସ୍ପର୍ଶରେ ଆସିଲେ କାଛୁକୁଣ୍ଡିଆ, ଟ୍ରାକୋମା, ଟାଇଫିସ ଆଦି ରୋଗ ହୋଇଥାଏ । ଏହାଛଡା ଡାଆଁସ, ଉକୁଣି ଓ ଟିଙ୍କ ଜନିତ ରୋଗମାନ ବ୍ୟାପିଥାଏ । ମାଲେରିଆ, ଡେଙ୍ଗୁ, ବାତଜ୍ଵର ଏବଂ କାମାଲ ଆଦି ପରଜୀବୀ ବାହିତ ରୋଗ ମଧ୍ୟ ଜଳ ଦ୍ଵାରା ପ୍ରଭାବିତ ହୋଇଥାଏ ; ଅର୍ଥାତ ମଶାମାନଙ୍କ ଜନ୍ମ, ବଂଶବୃଦ୍ଧି ଏହି ଦୂଷିତ ଜଳ ଯୋଗୁ ଘଟିଥାଏ । ଆହୁରି ମଧ୍ୟ ରାସାୟନିକ ପଦାର୍ଥ ଯୋଗୁ ସଂକ୍ରମିତ ଜଳ ଦ୍ଵାରା ମଧ୍ୟ କେତେକ ରୋଗ ବ୍ୟାପିଥାଏ । ଜଳ ବାହିତ ରୋଗ ଯୋଗୁ ଶିଶୁ ମୃତ୍ୟୁ ହାର ଉଦବେଗ ଜନକଭାବେ ଅଧିକ ହୁଏ । ଏଥିସହିତ ରୁଗ୍ ଣ ଶିଶୁମାନଙ୍କ ବୃଦ୍ଧି ଓ ପଢାପଢି ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡେ ଓ ପାରିବାରିକ ବୋଝ ବଢିଯାଏ । ଜୀବନ ଜୀବିକା ଉପରେ ପ୍ରଭାବ ଅପରିଷ୍କୃତ ପାଣି ଓ ପରିମଳ ଜ୍ଞାନର ଅଭାବ ଯୋଗୁଁ ବ୍ୟାପୁଥିବା ରୋଗ ପରୋକ୍ଷ ଭାବେ ଦାରିଦ୍ର୍ୟକୁ ଡାକି ଆଣିବା ସହିତ ଋଣଗ୍ରସ୍ତ କରାଏ । ପାଣିର ଶୁଦ୍ଧତା ଓ ପରିମଳ ବ୍ୟବସ୍ଥାର ପ୍ରଭାବ ରୋଗ ଉପରେ ଏବଂ ପଡେ ରୋଗରୁ ପୁଣି ଋଣ । ଏହିପରି ଘୁରି ଚାଲେ ଯନ୍ତ୍ରଣା ଚକ୍ରର ଆବର୍ତ୍ତନ । ପରିବାରର ଉପାର୍ଜନକ୍ଷମ ସଦସ୍ୟ ରୋଗରେ ପଡିଲେ କାର୍ଯ୍ୟ ବନ୍ଦ ହୁଏ, ମଜୁରି ମିଳେ ନାହିଁ । ରୋଗ ଦୀର୍ଘସ୍ଥାୟୀ ହେଲେ ବା ବାରମ୍ବାର ହେଉଥିଲେ ମଣିଷ ଅବସନ୍ନ ଓ ଦୁର୍ବଳ ହୋଇଯାଏ । ଫଳତଃ କାମ କରିବା କ୍ଷମତାର ହ୍ରାସ ଘଟେ ଓ ଆୟ କମିବାରେ ଲାଗେ । ଏପରିକି ଘରର ଅଣଉପାର୍ଜନକ୍ଷମ ସଦସ୍ୟ ରୋଗଗ୍ରସ୍ତ ହେଲେ ମଧ୍ୟ ସାଧାରଣ କାମ ବାଧାପ୍ରାପ୍ତ ହୁଏ । କାରଣ, ରୋଗୀକୁ ଡାକ୍ତରଖାନା ନେବା, ଚିକିତ୍ସା କରାଇବା ବା ଘରେ ସେବାଯତ୍ନ କରିବା ପାଇଁ ପଡିଥାଏ । ଅଧିକାଂଶ ଗରିବ ଲୋକଙ୍କ ଉପାର୍ଜନ କେବଳ ଜୀବନ ଧାରଣରେ ସୀମିତ । ରୋଗୀର ଖର୍ଚ୍ଚ ବହନ କରିବା ସହିତ ଘର ଚଳାଇବା ପୁଣି ଚିକିତ୍ସା ଆଦି ପାଇଁ ସମ୍ବଳ / ସଞ୍ଚୟ ନଥାଏ । ପୁଣି ଆରୋଗ୍ୟ ଲାଭର ଆଶା ରଖି କେହି କେହି ଖର୍ଚ୍ଚବହୁଳ ପୂଜାର୍ଚ୍ଚନାର ପଥକୁ ବାଛି ନିଅନ୍ତି । ଚିକିତ୍ସା ଖର୍ଚ୍ଚର ଭରଣା ପାଇଁ ସମ୍ପତ୍ତି ବିକିବା, ସ୍ଥାନୀୟ ମହାଜନଙ୍କ ଠାରୁ ଅଧିକ ସୁଧରେ ଋଣ ଆଣିବା ଅଥବା ବନ୍ଧୁଆ ଶ୍ରମିକ ହୋଇ ଗୋତି ଖଟିବା ଛଡା ଅନ୍ୟ ଉପାୟ ନଥାଏ । ପରିବେଶ ଉପରେ ପ୍ରଭାବ ସଂକ୍ରମିତ ମଣିଷର ମଳ ଏବଂ ପଶୁମାନଙ୍କର ବର୍ଜ୍ୟବସ୍ତୁ ପରିମଳ ଦୃଷ୍ଟିରୁ ନିରାପଦ ଯାଗାରେ ନପକାଇଲେ ଏହା ଭୂତଳ ଜଳକୁ, ଜଳଉତ୍ସ ତଥା ଜଳାଶୟକୁ ପ୍ରଦୂଷିତ କରାଏ ; ଏପରିକି ମାଟି ଓ ପବନକୁ ମଧ୍ୟ ସଂକ୍ରମିତ କରିପାରେ । ସଂକ୍ରମିତ ଜଳ ଓ ପରିମଳର ଅଭାବ ହେତୁ ରୋଗ ସୃଷ୍ଟି ହେବା ସହିତ ତାହା ଚିକିତ୍ସାଦି ପାଇଁ ଆର୍ଥିକ ବୋଝକୁ ବଢାଏ ଓ ଦାରିଦ୍ର୍ୟ ବୃଦ୍ଧିପାଏ । ଫଳରେ ପରିବେଶ ଆହୁରି ଖରାପ ହୁଏ ଏବଂ ପୁନଶ୍ଚ ରୋଗ ସଂକ୍ରମଣ ପାଇଁ ବାଟ ଫିଟାଏ । ମହିଳାମାନଙ୍କ ଉପରେ ପ୍ରଭାବ ମୁଖ୍ୟତଃ ମହିଳାମାନେ ହିଁ ଘର ପାଇଁ ବ୍ୟବହୃତ ପାଣିର ସଂଗ୍ରାହକ, ବାହକ ଓ ବ୍ୟବହାରକାରୀ ତଥା ଏହାର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ପାଇଁ ଦାୟୀ ଅଟନ୍ତି ବହୁ ଯାଗାରେ ମହିଳାମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯାଇ ପାଣି ସଂଗ୍ରହ କରିବାକୁ ପଡିଥାଏ । ମହିଳା ଓ ପୁରୁଷ ଉଭୟ ପାଣି ବ୍ୟବହାର କଲେ ମଧ୍ୟ ପାରିବାରିକ ସ୍ୱାସ୍ଥ୍ୟର ଦାୟିତ୍ଵ ମୁଖ୍ୟ ଭାବେ ମହିଳାମାନଙ୍କ ଉପରେ ନ୍ୟସ୍ତଥାଏ । ଜଳ ଓ ପରିମଳର ବ୍ୟବସ୍ଥା ପାଇଁ ମହିଳାମାନେ ଗୁରୁତ୍ଵ ଆରୋପ କଲେ ପୁରୁଷମାନେ ବହୁ ସମୟରେ ଏହାକୁ ଅବଜ୍ଞା କରିଥାନ୍ତି । ଜଳ ସଂକ୍ରମିତ ରୋଗର ଶିକାର ହୋଇଥିବା ରୋଗୀର ସେବା ଯତ୍ନର ମୁଖ୍ୟ ଦାୟିତ୍ଵ ମହିଳାମାନଙ୍କ ଉପରେ ପଡିଥାଏ । ଖୋଲାଯାଗାରେ ମଳତ୍ୟାଗର ଅଭ୍ୟାସ ଯୋଗୁଁ ମହିଳାମାନେ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି ; ଯଦ୍ଦ୍ଵାରା ସେମାନଙ୍କ ବ୍ୟକ୍ତିଗତ ନିରାପତ୍ତା ବିପନ୍ନ ହୁଏ । ବଳାତ୍କାର, ଧର୍ଷଣ, ସାପକାମୁଡା, ଗୋପନୀୟତାର ଉଲଂଘନ, ଲଜ୍ଜାଜନକ ପରିସ୍ଥିତି ତଥା କୃମିରୋଗ ଆଦି ଏଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ । ମହିଳାମାନେ ରୋଗୀର ସେବାଯତ୍ନର ମୁଖ୍ୟ ଦାୟିତ୍ଵ ନେଉଥିବାରୁ ସେମାନଙ୍କୁ ଉପାର୍ଜନର ସୁଯୋଗ ତଥା ଶିକ୍ଷାଦୀକ୍ଷାରୁ ବଞ୍ଚିତ ହେବାକୁ ପଡେ । ଫଳତଃ ରୋଗୀର ଚିକିତ୍ସା ଖର୍ଚ୍ଚ ସହିତ ପାରିବାରିକ ଋଣର ବୋଝ ବଢିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟର କଷ୍ଟ ଆହୁରି ବଢିଯାଏ । ଜଳ ଓ ପରିମଳ ସଙ୍କ୍ରାନ୍ତୀୟ ରୋଗ ଜଳଜାତ ରୋଗ ତରଳଝାଡା, ଆମାଶୟ, କଲେରା, ଆନ୍ତ୍ରିକଜ୍ଵର ଓ କାମଳ ଆଦି ଜଳଜାତ ରୋଗ । ମଳ ବା ଅନ୍ୟ ମାଧ୍ୟମରେ ସଂକ୍ରମିତ ହୋଇଥିବା ଜଳଦ୍ଵାରା ଏହି ରୋଗମାନ ବ୍ୟାପିଯାଏ । ଖୋଲା ସ୍ଥାନରେ ମଳତ୍ୟାଗ କରିବା, ପାନୀୟ ଜଳ ଓ ଖାଦ୍ୟ ପଦାର୍ଥର ସଠିକ ବ୍ୟବହାର ନ କରିବା ତଥା ସଂକ୍ରମିତ ପାନୀୟଜଳ ସେବନ ହେତୁ ଜଳ ସମ୍ପଦରେ ମଳ ଜନିତ ପ୍ରଦୂଷଣ ଘଟିଥାଏ । ଜଳ ଧୌତ ରୋଗ ସ୍ୱାସ୍ଥ୍ୟ ଓ ପରିମଳ ଦୃଷ୍ଟିରୁ ଆବଶ୍ୟକ ହେଉଥିବା ପାଣି ଠାରୁ କମ୍ ପରିମାଣର ବ୍ୟବହାର ହେତୁ ଯେଉଁ ରୋଗମାନ ହୁଏ ତାହାକୁ “ଜଳଧୌତରୋଗ” କୁହାଯାଏ । ପାଣିର ଅଭାବ ହେତୁ ଲୋକମାନେ କମ୍ ପାଣିରେ ଧୁଆ ଧୋଇ ହେବା, ଲୁଗାପଟା ସଫା କରିବା ଏବଂ ଘରଦ୍ଵାରା ପୋଛା ପୋଛି ନକରିବା ଯୋଗୁଁ ଟ୍ରାକୋମା, କାଛୁକୁଣ୍ଡିଆ, ଚର୍ମରୋଗ ଓ ଆନ୍ତ୍ରିକ ଜ୍ଵର ଆଦି ରୋଗମାନ ହୋଇଥାଏ । ଜଳ ଭିତ୍ତିକ ପରଜୀବୀ (ଭେକ୍ଟର)ଜାତ ରୋଗ ଦୂଷିତ ଜଳରେ ଅଣ୍ଡା ଦେଇ ବଂଶ ବିସ୍ତାର କରି ରହିବା ଯୋଗୁଁ ମଶାମାନେ ମଣିଷମାନଙ୍କୁ ରୋଗ ସଂଚାରିତ କରାଇବାରେ ସକ୍ଷମ ହୁଅନ୍ତି । ଏଣୁ ବର୍ଷକୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ମାଲେରିଆ, ଡେଙ୍ଗୁ, ଚିକେନଗୁନିଆ ଏବଂ ଫାଇଲେରିଆ ଆଦି ଜଳ ବାହିତ ପରଜୀବୀ ସଂକ୍ରମିତ ରୋଗର ଶିକାର ହେଉଛନ୍ତି । ଘରେ ଥିବା ମାଛିମାନେ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ଲୋକମାନଙ୍କଠାରେ ରୋଗ ସଞ୍ଚାର କରିବାରେ ମୁଖ୍ୟ ବାହକ ସାଜନ୍ତି । ମୃତ୍ତିକା ଭିତ୍ତିକ କୃମି ରୋଗ ଖୋଲା ସ୍ଥାନରେ ମଳ ତ୍ୟାଗ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସ ହେଉଛି ଅଙ୍କୁଶ କୃମି, ରାଉଣ୍ଡ ୱାର୍ମ, ପିନୱାର୍ମ ଓ ହ୍ଵିପୱାର୍ମ ଆଦି କୃମି ରୋଗର କାରଣ । ଶିଶୁମାନେ ବହୁଳଭାବରେ ଏହି ମୃତ୍ତିକା ଆଦି କୃମି ରୋଗର ଶିକାର ହୁଅନ୍ତି । ଶିଶୁମାନେ ବହୁଳଭାବେ ଏହି ମୃତ୍ତିକା ଭିତ୍ତିକ କୃମି ରୋଗରେ ପୀଡିତ ହେବା ଫଳରେ ସେମାନଙ୍କ ବଢିବା ବାଧାପ୍ରାପ୍ତ ହୁଏ ଏବଂ ସେମାନେ ପୁଷ୍ଟିହୀନତାର ଶିକାର ହୁଅନ୍ତି । ଏହି ସମସ୍ତ କୃମି ରୋଗ ସଞ୍ଚାରର ମୁଖ୍ୟ କାରଣ ଗୁଡିକ ହେଲା : ଖୋଲା ସ୍ଥାନରେ ମଳ ତ୍ୟାଗ କରିବା । ପ୍ରଦୂଷିତ ପାଣି ପିଇବା । ମଇଳା ବା ସଂକ୍ରମିତ ହୋଇଥିବା ହାତ ଗୋଡ । ଘୋଡଣି ବିହୀନ ବା ବାସି ଖାଦ୍ୟ ଖାଇବା । କୀଟ ପତଙ୍ଗ କିମ୍ବା ପଶୁମାନଙ୍କ ଦ୍ଵାରା ଘଟିତ ସଂକ୍ରମଣ । ଉନ୍ନତମାନର ଜଳ ଓ ପରିମଳ ପ୍ରକରଣ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ପ୍ରତ୍ୟକ ଲୋକ ସ୍ୱାସ୍ଥ୍ୟକର ପାଇଖାନା ବ୍ୟବହାର କରିବା ଉଚିତ । ଏହା ସମସ୍ତଙ୍କ ପାଇଁ ସୁବିଧାଜନକ । ବିଶେଷକରି ମହିଳାମାନଙ୍କ ସଂଭ୍ରମତା ଏବଂ ପିଲା, ରୋଗୀ ତଥା ବୁଢା ଲୋକଙ୍କ ପାଇଁ ଏହା ଖୁବ୍ ଉପଯୋଗୀ ଅଟେ । ରାତି, ବଡିଭୋର, ଉତ୍ତପ୍ତ ଖରାବେଳ, ବର୍ଷା ଓ ଶୀତ ସମୟରେ ମଧ୍ୟ ଏହା ନିରାପଦ ଓ ସୁରକ୍ଷିତ । ଖୋଳାସ୍ଥାନରେ ପଚାମଳର ଦୁର୍ଗନ୍ଧ ଓ ମାଛିଙ୍କ ପ୍ରାଦୁର୍ଭାବରୁ ଏହା ରକ୍ଷା କରିବା ସହିତ ମାଛିମାନଙ୍କ ବଂଶ ବିସ୍ତାର ଓ ରୋଗ ସଂକ୍ରମଣର ଆଶଙ୍କା ହ୍ରାସକରେ । ଉନ୍ନତ ଓ ପରିଷ୍କୃତ ପାଣି ବ୍ୟବହାରର ଅଭ୍ୟାସ ପାଇଁ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦେବା ଦରକାର : ପରିବାରରେ ସମସ୍ତେ ତ୍ୟାଗ ପାଇଁ ମୁଖ୍ୟତଃ ସ୍ୱାସ୍ଥ୍ୟପ୍ରଦ ପାଇଖାନା ବ୍ୟବହାର କରିବେ । ଖାଇବା ଆଗରୁ ଏବଂ ଝାଡାଯିବା ପରେ ଦୁଇ ହାତକୁ ସାବୁନ / ପାଉଁଶରେ ଘଷି ଭଲଭାବେ ଧୋଇବାର ଅଭ୍ୟାସ କରିବେ । ଶୌଚାଳୟ / ମଳତ୍ୟାଗ ପାଇଁ ଗଲେ ଜୋତା ବ୍ୟବହାର କରିବେ । ସ୍ନାନାଗାର ଭଲଭାବେ ଗାଧୋଇବା ଓ ଧୁଆଧୋଇ ହେବାର ସୁବିଧା ରହିଥିବା ଦରକାର । ବାଳ କୁଣ୍ଡାଇବା ପାଇଁ ଉତ୍ତମ ପାନିଆର ବ୍ୟବହାର କରିବେ । ନଖକଟା ଯନ୍ତ୍ରରେ ବଢୁଥିବା ନଖକୁ ନିୟମିତ କାଟିବେ । ପିଇବା ପାଣି ପାଇଁ ନଳକୂଅ, ଯୋଗାଣ ସଂସ୍ଥା ଟ୍ୟାପ କିମ୍ବା ସ୍ୱାସ୍ଥ୍ୟକର କୂଅ ଆଦି ନିର୍ଭର ଯୋଗ୍ୟ ଜଳଉତ୍ସରୁ ପାଣି ସଂଗ୍ରହ କରିବେ । ଜଳ ଆହରଣ ଓ ସଂରକ୍ଷଣ ତଥା ପିଇବା ପାଇଁ ପରିଚ୍ଛନ୍ନ ପାତ୍ର ଓ କାଢିବା ପାଇଁ ଡଙ୍କିର ବ୍ୟବହାର କରିବେ । ସ୍ୱାସ୍ଥ୍ୟକର ପରିବେଶ ପାଇଁ ରୋଷେଇ ଘରକୁ ସର୍ବଦା ପରିଷ୍କାର ରଖିବେ । ସବୁବେଳେ ତାଜା ଖାଦ୍ୟ ଖାଇବା ଦରକାର । ଗରମ ଥାଉଁ ଥାଉଁ ଖାଦ୍ୟ ପରିବେଷଣ କରିବା ଦରକାର । ଖାଦ୍ୟ ପଦାର୍ଥକୁ ଘୋଡେଇ ରଖିବା ଦରକାର । ଫଳ ଓ କଞ୍ଚା ପରିବାଦି ଖାଇବା ପୂର୍ବରୁ ଭଲଭାବେ ଧୋଇବା ଦରକାର । ଘରଧୁଆ ପାଣି ଓ ପରିତ୍ୟକ୍ତ ଜଳ ନିଷ୍କାସନ ପାଇଁ ଡ୍ରେନ ଓ ଶୋଷକଗର୍ତ୍ତ ବ୍ୟବହାର କରିବା ଦରକାର ଘରର ଅଳିଆ ଓ କଠିନ ବର୍ଜ୍ୟବସ୍ତୁ ଓ ପଶୁମାନଙ୍କ ମଇଳା ଆଦି ପକାଇବା ପାଇଁ ଅଳିଆ ଖାତର ବ୍ୟବହାର କରିବା ଦରକାର । ଗୋଷ୍ଠୀଗତ ସ୍ତରରେ ତରଳ ଆବର୍ଜନାର ନିଷ୍କାସନ ପାଇଁ ଡ୍ରେନ ଓ କଠିନ ବର୍ଜ୍ୟବସ୍ତୁ ପକାଇବା ପାଇଁ ଅଳିଆ ଖାତର ବ୍ୟବହାର ଓ ସୁପରିଚାଳନା କରିବା ଉଚିତ । ସର୍ବସାଧାରଣ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା କରିବା ଉଚିତ । ଉନ୍ନତ ଚାନ୍ଦିନୀଥିବା ନଳକୂଅ ତଥା ଅବ୍ୟବହୃତ ପରିତ୍ୟକ୍ତ ପାଣି ନିଷ୍କାସନ ପାଇଁ ଶୋଷକ ଗର୍ତ୍ତର ବ୍ୟବସ୍ଥା କରିବା । ଖୋଲାସ୍ଥାନରେ ମଳତ୍ୟାଗ ଅଭ୍ୟାସରୁ ଗାଁକୁ ମୁକ୍ତ ରଖିବା । ଗାଁରେ ଅବ୍ୟବହୃତ ପାଣି ନରହିବାର ବ୍ୟବସ୍ଥା କରି ମଶାବଂଶ ବିସ୍ତାର ରୋକିବାର ପ୍ରଚେଷ୍ଟା କରିବା । ସର୍ବସାଧାରଣ ଜଳ ଉତ୍ସ ଗୁଡିକର ପାଣିକୁ ଲୁଗାପଟା ଧୋଇବା ଏବଂ ଗୃହପାଳିତ ପଶୁଙ୍କ ଗାଢୁଆ ପାଧୁଆ ଯୋଗୁ ଦୂଷିତ ହେବାକୁ ନଦେବା ଉଚିତ । ଉନ୍ନତମାନର ଜଳ ଓ ପରିମଳର ବିକାଶ ପାଇଁ ଗାଁରେ ଗ୍ରାମ ପଞ୍ଚାୟତ, ସ୍ଵୟଂସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ଜଳ ଓ ପରିମଳ କମିଟି ଗଠନ କରି ତାକୁ କ୍ରିୟାଶୀଳ କରାଇବା ଉଚିତ । ଜଳ ଓ ପରିମଳର ବିକାଶ ପାଇଁ ସରକାରୀ ପ୍ରୋତ୍ସାହନ ଦେଶର ସମସ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ରାଜ୍ୟସରକାରଙ୍କ ପ୍ରାଥମିକ ଦାୟିତ୍ଵ । ରାଜ୍ୟ ସରକାର ଏହି କାର୍ଯ୍ୟ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ମାଧ୍ୟମରେ ତ୍ଵରିତ ଗ୍ରାମ୍ୟ ପାଣି ଯୋଗାଣ ପ୍ରକଳ୍ପ ରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ତ୍ୱରାନ୍ୱିତ କରାଯାଉଅଛି । ୧୯୮୬ମସିହାର “ଜାତୀୟ ପାନୀୟ ଜଳ ମିଶନ” ୧୯୯୧ ଠାରୁ “ରାଜୀବଗାନ୍ଧୀ ପାନୀୟଜଳ ମିଶନ” ନାମରେ କାର୍ଯ୍ୟକାରୀ କରାଗଲା । ୧୯୯୯ ରେ “ପାନୀୟ ଜଳ” ବିଭାଗ ଗଠନ କରାଯାଇ ଗ୍ରାମାଞ୍ଚଳରେ ପିଇବା ପାଣି ଯୋଗାଣ କାର୍ଯ୍ୟକ୍ରମକୁ ନୂତନ ଦିଗଦର୍ଶନ ଦିଆଯାଉଛି । ଗ୍ରାମବାସୀମାନଙ୍କୁ ପିଇବା ପାଣି ଯୋଗାଇଦେବା ପାଇଁ ଯୋଜନା ପ୍ରଣୟନ, ଆବଶ୍ୟକ ମଞ୍ଜୁରୀ ପ୍ରଦାନ, ତଥା କାର୍ଯ୍ୟକାରିତା ପାଇଁ ଏଥିରେ ରାଜ୍ୟସରକାରଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉଛି । ତ୍ୱରାନ୍ୱିତ ଗ୍ରାମ୍ୟ ପାଣି ଯୋଗାଣ କାର୍ଯ୍ୟକ୍ରମର ବୈଶିଷ୍ଟ୍ୟ ଗ୍ରାମୀଣ ବାସିନ୍ଦାଙ୍କ ପାଇଁ ପାନୀୟଜଳ ଯୋଗାଣ ପାଇଁ ନିମ୍ନପ୍ରକାର ମାନଦଣ୍ଡ ନିରୂପଣ କରାଯାଇଛି ; ପ୍ରତ୍ୟକ ମଣିଷପାଇଁ ମୁଣ୍ଡ ପିଛା ଦୈନିକ ପାଣିର ପରିମାଣ ୪୦ ଲିଟର ସୁରକ୍ଷିତ ପାଣି । ମରୁଭୁମି ବିକାଶ ଯୋଜନା ଅଞ୍ଚଳ ପାଇଁ ଅତିରିକ୍ତ ୩୦ ଲିଟର ପ୍ରତି ପଶୁ ସମ୍ପଦ ପାଇଁ । ୨୫୦ଜଣଙ୍କ ପାଇଁ ଗୋଟିଏ ହ୍ୟାଣ୍ଡ ପମ୍ପ ବା ଷ୍ଟାଣ୍ଡପୋଷ୍ଟ । ସମତଳ ଅଞ୍ଚଳରେ ଜଳଉତ୍ସ ୧.୬ କି.ମି. ଦୂରତା ମଧ୍ୟରେ ରହିବ କିନ୍ତୁ ପାହାଡିଆ ଅଞ୍ଚଳରେ ୧୦୦ ମିଟର ଗଡାଣି ମଧ୍ୟରେ ଥିବ । ଏକ ବଳିଷ୍ଠ ଭାରତୀୟ ଗ୍ରାମ୍ୟ ଗଠନ ପାଇଁ “ଭାରତ ନିର୍ମାଣ କାର୍ଯ୍ୟକ୍ରମ” ମାଧ୍ୟମରେ ୬ ଗୋଟି କ୍ଷେତ୍ରରେ ଭିତ୍ତିଭୂମିର ପ୍ରସାର ପାଇଁ ୨୦୦୫-୦୬ ରୁ ୨୦୦୮-୦୯ ଏହି ଚାରିବର୍ଷ ମଧ୍ୟରେ ଏକ ଯୋଜନା ହାତକୁ ନିଆଯାଇଛି । ଏହି ୬ଗୋଟି କ୍ଷେତ୍ର ହେଉଛି ଗୃହ ନିର୍ମାଣ, ରାସ୍ତା ଘାଟ, ବିଜୁଳି, ଯୋଗାଯୋଗ, ପିଇବା ପାଣି ଓ ଜଳସେଚନ । ସ୍ଵଜଳଧାରା ଏହା ଗୋଷ୍ଠୀଗତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ମୌଳିକ ବୈଶିଷ୍ଟ୍ୟ ହେଉଛି ; ଦାବୀ ଭିତ୍ତିକ ଗୋଷ୍ଠୀମୂଳକ ଅଂଶଗ୍ରହଣ । ଏଥିପାଇଁ ଯୋଜନା ପ୍ରସ୍ତୁତି, କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ସମସ୍ତ କାର୍ଯ୍ୟ ପଞ୍ଚାୟତ / ଗୋଷ୍ଠୀମାନଙ୍କ ଦ୍ଵାରା କରାଯିବ । ନିର୍ମାଣକାର୍ଯ୍ୟର ଆଂଶିକ ଖର୍ଚ୍ଚଭାର ଗୋଷ୍ଠୀଗତ ହିତାଧିକାରୀମାନେ ବହନ କରିବେ । ଜଳଯୋଗାଣ ପ୍ରକଳ୍ପର ସମସ୍ତ ସମ୍ପତ୍ତିର ମାଲିକାନା ଗ୍ରାମପଞ୍ଚାୟତ ପାଖରେ ରହିବ ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣର ସମସ୍ତ ଦାୟିତ୍ଵ ଉପଭୋକ୍ତା/ ପଞ୍ଚାୟତ ଉପରେ ନ୍ୟସ୍ତ ରହିବ । ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ନିମ୍ନରେ ପ୍ରଦାନ କରାଗଲା ; ପିଇବା ପାଣି ଯୋଗାଣ ପରିକଳ୍ପନାଟି ଲୋକଙ୍କ ପସନ୍ଦ ଅନୁସାରେ ହେବ । ଏଣୁ ଏହାର ନକ୍ସା ଓ ନିର୍ମାଣ ଆଦି ଚୁଡାନ୍ତ କରିବା ପାଇଁ ଗ୍ରାମପଞ୍ଚାୟତ ଏକ ଗ୍ରାମ ସଭା ବୈଠକ ଡକାଇବେ । ନିର୍ମାଣର ସରଞ୍ଜାମ ଓ ସେବା ଆଦି ଗ୍ରାମପଞ୍ଚାୟତ ଯୋଗାଇଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ପର୍ଯ୍ୟବେକ୍ଷଣର ଦାୟିତ୍ଵ ନେବେ । ଉପଭୋକ୍ତାମାନେ ନିର୍ମାଣ ଖର୍ଚ୍ଚର ୧୦ ପ୍ରତିଶତ ବହନ କରିବେ ବୋଲି ଗ୍ରାମପଞ୍ଚାୟତ ଏକ ବୈଠକରେ ପ୍ରସ୍ତାବ ଗୃହିତ କରାଇବେ । ତା’ଛଡା ଗ୍ରାମପଞ୍ଚାୟତ ଚାହିଁଲେ ତାଙ୍କ ନିଜସ୍ଵ ଆୟରୁ ଉପଭୋକ୍ତାଙ୍କ ଅଂଶ ମଧ୍ୟ ଭରଣା କରିପାରିବେ । କିନ୍ତୁ ଏହା ଗ୍ରାମସଭାରେ ଗୃହୀତ ହେବ । ଉକ୍ତ ପ୍ରକଳ୍ପ ପଞ୍ଚାୟତ ନିଜେ କରିବେ କି ଏକ ରାଜ୍ୟସରକାରୀ ସଂସ୍ଥାଙ୍କ ଜରିଆରେ କରିବେ ତାହା ସଂପୃକ୍ତ ଗ୍ରାମପଞ୍ଚାୟତ ସ୍ଥିର କରିବେ । ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲାପରେ ଗ୍ରାମପଞ୍ଚାୟତ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ଵ ନେବ । ସଫଳ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଉପଭୋକ୍ତାଙ୍କ ଦେୟ କେତେ ହେବ ତାହା ପଞ୍ଚାୟତ ସ୍ଥିର କରିବେ । ପିଇବା ପାଣିର ଶୁଦ୍ଧତା ଓ ଗୁଣାତ୍ମକ ମାନର ପଦ୍ଧତିଗତ ପରୀକ୍ଷା ନିରୀକ୍ଷା ଓ ପର୍ଯ୍ୟବେକ୍ଷଣ ଏବଂ ସ୍ୱାସ୍ଥ୍ୟଗତ ଦୃଷ୍ଟି କୋଣରୁ ତଥ୍ୟାଦିର ବିନିମୟ ପାଇଁ ଗ୍ରାମୀଣ ପିଇବା ପାଣିର ଗୁଣାମକ ମାନ ସମୀକ୍ଷା ଓ ନିରୀକ୍ଷା କାର୍ଯ୍ୟକ୍ରମ ଗ୍ରହଣ କରାଗଲାଣି ।ଏହି କାର୍ଯ୍ୟକ୍ରମ ଜଳଉତ୍ସ ଅଞ୍ଚଳ ଆଭିମୁଖ୍ୟ ଅନୁସାରେ କାର୍ଯ୍ୟକାରୀ ହେବ । ପ୍ରାଥମିକ ସ୍ତରରେ ଗ୍ରାମପଞ୍ଚାୟତ/ ଗ୍ରାମ୍ୟ ଜଳ ଓ ପରିମଳ କମିଟି/ ଶିକ୍ଷାନୁଷ୍ଠାନ ତଥା ତତସମ୍ପର୍କୀୟ ଅନୁଷ୍ଠାନମାନଙ୍କ ଜରିଆରେ କାର୍ଯ୍ୟକାରୀ ହେବ । ମଧ୍ୟବର୍ତ୍ତୀ ସ୍ତରରେ ଜିଲ୍ଲା ଲାବୋରେଟୋରୀ ଏବଂ ରାଜ୍ୟ ସ୍ତରରେ ରେଫେରାଲ ଲାବୋରେଟାରୀ ଏହି କାର୍ଯ୍ୟ ସମ୍ପାଦନ କରିବେ । ପ୍ରତି ଗ୍ରାମପଞ୍ଚାୟତରେ ପାଣିର ଗୁଣାତ୍ମକମାନର ପରୀକ୍ଷା ନିରୀକ୍ଷା ପାଇଁ ଏକ ପାଞ୍ଚଜଣିଆ କମିଟି ଦାୟିତ୍ଵ ନେବେ । ପ୍ରାଥମିକ ଭାବେ ସମ୍ପୃକ୍ତ ବିଭାଗ ପରୀକ୍ଷା ପାଇଁ ଦରକାର ହେଉଥିବା ସାଜ ସରଞ୍ଜାମ ଯୋଗାଇଦେବେ । ମନୋନୀତ ହାଇସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ଦାୟିତ୍ଵରେ ଏହି ସରଞ୍ଜାମମାନ ରହିବ । ପାଣିର ନମୁନା ସଂଗ୍ରହକରି ଏହି ସ୍କୁଲକୁ ଅଣାଯାଇ ପରୀକ୍ଷା କରାଯିବ । ପର୍ଯ୍ୟବେକ୍ଷଣ କାର୍ଯ୍ୟ ଜିଲ୍ଲା/ରାଜ୍ୟସ୍ତରରୁ ହେବ । ପରେ ବିଭାଗ ପାଣିର ଗୁଣାତ୍ମକମାନର ନିରୀକ୍ଷଣ କାର୍ଯ୍ୟରେ ସାମିଲ ହେବ । ଦୋଷ, ତୃଟି ଚିହ୍ନଟ କରି କମ ଖର୍ଚ୍ଚରେ ଷ୍ଟାଣ୍ଡାର୍ଡ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଜରିଆରେ ଅର୍ଥାତ ଟେରାଫିଲ ଫିଲଟର / ଲୌହ ଦୂରୀକରଣ ପଦ୍ଧତି ଆଦି ଅନୁସରଣ କରି ଗୁଣାତ୍ମକ ମାନର ବୃଦ୍ଧିପାଇଁ ଚେଷ୍ଟା କରାଯିବ । ସମ୍ପୂର୍ଣ୍ଣ ପରିମଳ ଅଭିଯାନ (TSC) ଭାରତସରକାର ୧୯୯୯ ମସିହାଠାରୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଓ ପରିମଳର ବିକାଶ ପାଇଁ ଦାବୀ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରି ଲୋକଙ୍କ ଅଂଶଗ୍ରହଣରେ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଏଥିରେ ଜିଲ୍ଲାକୁ ୟୁନିଟ ଭାବେ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଆବଣ୍ଟନ ଓ ଯୋଗାଣ ଆଭିମୁଖ୍ୟରୁ ଦାବୀ କାର୍ଯ୍ୟକ୍ରମରେ ପରିବର୍ତ୍ତିତ ହୋଇଯାଇଛି । ବିଶେଷକରି ସମଗ୍ର ଜିଲ୍ଲାର ପ୍ରତ୍ୟକ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି । ସମ୍ପୂର୍ଣ୍ଣ ପରିମଳ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି : ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଜୀବିକାର ଗୁଣାତ୍ମକ ବିକାଶ । ପରିମଳ ବ୍ୟବସ୍ଥାକୁ ପ୍ରସାରିତ ଓ ତ୍ୱରାନ୍ୱିତ କରିବା । ସଚେତନତା ଓ ସ୍ୱାସ୍ଥ୍ୟଶିକ୍ଷା ମାଧ୍ୟମରେ ଦାବୀ ପାଇଁ ମନୋଭାବ ସୃଷ୍ଟି କରିବା । ଗ୍ରାମାଞ୍ଚଳର ସମତା ସ୍କୁଲ ଓ ଅଙ୍ଗନବାଡିକୁ ଏହି ପରିମଳର ସୁବିଧା ଉପଲବ୍ଧ କରାଇବା । ଛାତ୍ରୀ ଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ଆଚରଣରେ ବିକାଶ ଆଣିବା । ସଠିକ ପ୍ରଯୁକ୍ତି ବିଦ୍ୟା ଓ ମୂଲ୍ୟଯୁକ୍ତ ଉତ୍ପାଦକୁ ଉତ୍ସାହିତ କରିବା ସହିତ ଏହାର ବ୍ୟବହାର ପାଇଁ ପ୍ରେରଣା ଦେବା । ଜଳ ଓ ପରିମଳ ସମ୍ପର୍କିତ ରୋଗକୁ ଯଥା ସାଧ୍ୟ କମ୍ କରିବାର ପ୍ରୟାସ କରିବା ପାରିବାରିକ / ଗୋଷ୍ଠୀଗତ ଶୌଚାଳୟ ନିର୍ମାଣର ଯାଞ୍ଚ ତାଲିକା ଶୌଚାଳୟଟି ଉପରିସ୍ଥମାଟି, ଝରଣା, କୂଅ ବା ଜଳଭାଗକୁ ସଂକ୍ରମିତ ହେଉନଥିବ । ଜୀବଜନ୍ତୁ ଓ ମାଛିଙ୍କ ସଂସ୍ପର୍ଶରେ ଆସୁନଥିବ । ତାଜାମଳ ଧାରଣ କ୍ଷମତା ସର୍ବନିମ୍ନ ହେବ । ଦୁର୍ଗନ୍ଧ ମୁକ୍ତ ହେବା ସହିତ ଖରାପ ଦେଖା ନଯିବା ଉଚିତ । ନିର୍ମାଣ କାର୍ଯ୍ୟ ସରଳ ଓ ସହଜ ହେବା ସଙ୍ଗେ ସଙ୍ଗେ କମ୍ ଖର୍ଚ୍ଚରେ ବ୍ୟବହାର ଉପଯୋଗୀ ହେଉଥିବ । ଶେଷରେ, ବ୍ୟବହାରୀଙ୍କୁ ଶୌଚାଳୟଟି ଭଲ ଲାଗୁଥିବା ଦରକାର । ଜଳଉତ୍ସ ଓ ଶୌଚାଳୟ ମଧ୍ୟରେ ନିରାପଦ ଦୂରତା ସାଧାରଣତଃ ଭୂମି ଉପରେ ଥିବା ବୀଜାଣୁମାନଙ୍କ ପରମାୟୁ ୧୦ ଦିନରୁ ଅଧିକ ନୁହେଁ । ଭୂମି ଉପରେ ଥିବା ମାଟିରେ ଜଳକଣାର ହାର ୧ : ୧୦୦ରୁ କମ୍ ଏବଂ ଭୂମି ଉପର ମାଟିର ମାପ ହାରାହାରି ୦.୨ ମି.ମି. ଯାହା ଫଳରେ ଏଠାରେ ଥିବା ବୀଜାଣୁମାନେ ଗୋଟିଏ ଦିନରେ ୧ ମିଟରରୁ ଅଧିକ ଗତି କରିପାରନ୍ତି ନାହିନ । ତେଣୁ ଜଳ ଉତ୍ସଠାରୁ ଶୌଚାଳୟର ଦୂରତା ୧୦ ମିଟର ବା ୩୦ ଫୁଟ ହେଲେ ନିରାପଦ ଅବଶ୍ୟ ମୃତ୍ତିକାର ପ୍ରକାରଭେଦ ଅନୁସାରେ ଏହା କମ୍ ବେସୀ ହୋଇପାରେ । ସମ୍ପୂର୍ଣ୍ଣ ପରିମଳ ଅଭିଯାନ (TSC) ମାଧ୍ୟମରେ ବ୍ୟକ୍ତିଗତ ପରିବାର ପାଇଁ ଶୌଚାଳୟ ସହାୟତା Back ended ପ୍ରୋତ୍ସାହନ ହିସାବରେ ବିପିଏଲ ପରିବାରରେ ଶୌଚାଳୟ ନିର୍ମାଣ ସକାଶେ ଟ. ୧୨୦୦/- ଲେଖାଏଁ ସହାୟତା ଦିଆଯାଉଛି । ଉପଭୋକ୍ତା ଅବଶ୍ୟ ଅଧିକ ଟଙ୍କା ବ୍ୟୟରେ ଉନ୍ନତ ଶୌଚାଳୟ ତଥା ଏକାଧିକ ଶୌଚଗର୍ତ୍ତ ନିର୍ମାଣ କରିପାରିବେ, କିନ୍ତୁ ଏଥିପାଇଁ ସବସିଡିର ବ୍ୟବସ୍ଥା ନାହିଁ । ସମ୍ପୂର୍ଣ୍ଣ ପରିମଳ ଅଭିଯାନ (TSC) ଜରିଆରେ ଗୋଷ୍ଠୀଗତ ଶୌଚାଳୟ ଗୋଷ୍ଠୀ ପରିମଳ ଶୌଚାଳୟ ପ୍ରତିଷ୍ଠା କରିବା TSC ର ଏକ ମୁଖ୍ୟ କାର୍ଯ୍ୟକ୍ରମ । ପ୍ରଥମତଃ ଯେଉଁଠି ପାରିବାରିକ ଶୌଚାଳୟ ପାଇଁ ଜାଗା ନଥାଏ ଏବଂ ଯେଉଁଠି ଶୌଚାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣର ଦାୟିତ୍ଵ ନିଅନ୍ତି ସେଠାରେ ଗୋଷ୍ଠୀଗତ ଶୌଚାଳୟ ନିର୍ମାଣ କରାଯାଏ । ଏଥିପାଇଁ ଖୁବ୍ ବେଶିରେ ୨.୫ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ଏହି ଶୌଚାଳୟର ନକ୍ସା ଜାତୀୟ ଯୋଜନା ମଞ୍ଜୁରୀ କମିଟି ଠାରୁ ଅନୁମୋଦିତ ହେବ । ଏଥିରେ ଭାରତ ସରକାର, ରାଜ୍ୟ ସରକାର ଏବଂ ଉପଭୋକ୍ତାଙ୍କ ଅଂଶ ଧନର ଅନୁପାତ ୬୦ : ୨୦:୨୦ ଅଟେ । ସମ୍ପୂର୍ଣ୍ଣ ପରିମଳ ଅଭିଯାନ (TSC) ଜରିଆରେ ସ୍କୁଲ ଶୌଚାଳୟ ପାଇଁ ସହାୟତା ସ୍କୁଲ ପରିମଳ ଓ ସ୍ଵାସ୍ଥ୍ୟକର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ; ପିଲାମାନେ ଶୈଶବରୁ ଜଳ ଓ ପରିମଳର ସଦ୍ ବ୍ୟବହାର ଶିଖି ଭବିଷ୍ୟତରେ ଯେପରି ଏହି ଅଭ୍ୟାସ ଜାରିରଖିବେ ସେହି ଉଦ୍ଦେଶ୍ୟ ନେଇ ସ୍କୁଲମାନଙ୍କରେ ଜଳ ଓ ପରିମଳର ବ୍ୟବସ୍ଥା କରିବା । ସ୍କୁଲ ପିଲାମାନେ ଶୌଚାଳୟ ବ୍ୟବହାର କରି ଶିଖିବା, ଠିକ୍ ସମୟରେ ହାତ ଧୋଇବା (ଖାଇବା ପୂର୍ବରୁ ଓ ପାଇଖାନା ଯିବାପରେ) ଆଦିରେ ଅଭ୍ୟସ୍ତ ହେବା ଏବଂ ବାଳକ ବାଳିକାମାନେ ନିଜେ ଦାୟିତ୍ଵ ନେଇ ପାଇଖାନା ସଫା କରିବା ଇତ୍ୟାଦି ସହଯୋଗିତାମୂଳକ କାମରେ ଅଭ୍ୟସ୍ତ ହେବା ପାଇଁ ସୁଯୋଗ ସୃଷ୍ଟି କରିବା । ଏହି ବ୍ୟବସ୍ଥା ଫଳରେ ସ୍କୁଲ ପିଲାମାନଙ୍କଠାରେ ଏପରି ସୁସ୍ଥ ଅଭ୍ୟାସ ସୃଷ୍ଟି କରାଇ ତାକୁ ପରିବାର ଏବଂ ଗୋଷ୍ଠୀ ସହ ସଂଯୁକ୍ତ କରାଇବା । ଏପରି ବ୍ୟବସ୍ଥାକୁ କାଏମ ରଖିବା କ୍ଷେତ୍ରରେ ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଯଥା - ଶିକ୍ଷକ, ପିତାମାତା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଆଦିଙ୍କ ସାମର୍ଥ୍ୟ ଗଠନ କରିବା । ସମ୍ବଳର ବ୍ୟବସ୍ଥା ସ୍କୁଲ ପରିମଳ ପାଇଁ “ସମ୍ପୂର୍ଣ୍ଣ ପରିମଳ ଅଭିଯାନ” ରୁ କେନ୍ଦ୍ରସରକାର, ରାଜ୍ୟସରକାର ଏବଂ ଅଭିଭାବକ / ଶିକ୍ଷକ/ ଗ୍ରା:ପ:ଙ୍କର ଆର୍ଥିକ ଅନୁଦାନର ଅନୁପାତ ଯଥାକ୍ରମେ ୬୦:୩୦:୧୦ । ପ୍ରତି ଟ. ୨୦,୦୦୦/- ର ୟୁନିଟ (ନିର୍ମାଣ) ପାଇଁ କେନ୍ଦ୍ରୀୟ ସବସିଡିର ପରିମାଣ ଟ.୧୨,୦୦୦/- ରେ ସୀମିତ । ତେବେ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ, ଗ୍ରାମପଞ୍ଚାୟତ, ଅଭିଭାବକ ଶିକ୍ଷକ ସଂଘ ସେମାନଙ୍କ ନିଜସ୍ଵ ସମ୍ବଳରୁ କେନ୍ଦ୍ରୀୟ ଅଂଶଧନ ଠାରୁ ଅଧିକ ଖର୍ଚ୍ଚ କରିପାରନ୍ତି । ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପ୍ରକଳ୍ପର ୧୦ ଶତାଂଶରୁ ଅଧିକ ସ୍କୁଲ ପରିମଳ ପାଇଁ ବିନିଯୋଗ କରାଯାଇପାରିବ । ସ୍କୁଲଟି ସହ ଶିକ୍ଷା ସ୍କୁଲ ହୋଇଥିଲେ ପୁଅ ପିଲା ଓ ଝିଅପିଲାଙ୍କ ପାଇଁ ପୃଥକ ପୃଥକ ଦୁଇଗୋଟି ଶୌଚାଳୟ ନିର୍ମାଣ କରାଯାଇପାରେ । ପିଲାଙ୍କ ସଂଖ୍ୟା ଅନୁସାରେ ନିର୍ମାଣ ଖର୍ଚ୍ଚରେ ତାରତମ୍ୟ ଆସିପାରେ । କମ୍ ପିଲା ଥିଲେ କମ୍ ଖର୍ଚ୍ଚ ହେବ ଓ ଅଧିକ ପିଲା ଥିଲେ ୟୁନିଟ ଖର୍ଚ୍ଚ ମଧ୍ୟ ଟ.୨୦,୦୦୦/- ରୁ ଅଧିକ ହୋଇପାରେ । ସମ୍ପୂର୍ଣ୍ଣ ପରିମଳ ଅଭିଯାନରୁ ଅଙ୍ଗନବାଡି ପାଇଁ ଶୌଚାଳୟ ସମସ୍ତ ଅଙ୍ଗନବାଡି ଗୁଡିକୁ ଶିଶୁମାନଙ୍କର ବ୍ୟବହାର ଉପଯୋଗୀ ଶୌଚାଳୟର ସୁବିଧା ଯୋଗାଇ ଦିଆଯିବ । ସମ୍ପୂର୍ଣ୍ଣ ପରିମଳ ଅଭିଯାନର ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି । ଏଥିପାଇଁ କେନ୍ଦ୍ର, ରାଜ୍ୟ ଓ ଗୋଷ୍ଠୀର ଆନୁପାତିକ ଅନୁଦାନର ହାର ଯଥାକ୍ରମେ ୬୦:୩୦:୧୦ ଅଟେ । ଅଙ୍ଗନ ବାଡି ପାଇଁ ପ୍ରତ୍ୟକ ୟୁନିଟ ଖର୍ଚ୍ଚର ପରିମାଣ ଟ.୫,୦୦୦/- ଧାର୍ଯ୍ୟ କରାଯାଇଛି । ନିର୍ମଳ ଗ୍ରାମ ପୁରସ୍କାର ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ଅଧିକ ସକ୍ରିୟ ଓ ଉତ୍ସାହିତ କରିବା ପାଇଁ କେନ୍ଦ୍ରସରକାର ୨୦୦୩ ମସିହାଠାରୁ ‘ନିର୍ମଳ ଗ୍ରାମ ପୁରସ୍କାର ଯୋଜନା’ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟପ୍ରଦ ପାଇଖାନାର ବ୍ୟବହାର ସହିତ ଖୋଲାସ୍ଥାନରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ବର୍ଜନ କରିଥିବା ଗ୍ରାମପଞ୍ଚୟାତ, ବ୍ଲକ, ଏବଂ ଜିଲ୍ଲା ପାଇଁ ନିର୍ମଳ ଗ୍ରାମ ପୁରସ୍କାରର ବ୍ୟବସ୍ଥା କରାଯାଇଛି । ଜନ ସଂଖ୍ୟା ଭିତ୍ତିରେ ସହାୟତା ରାଶିର ହାର ଧାର୍ଯ୍ୟ କରାଯାଇଥାଏ । ଏହି ପ୍ରୋତ୍ସାହନ ସେହି ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ତଥା ସାଙ୍ଗଠନିକ କ୍ଷେତ୍ର ପାଇଁ ପ୍ରଯୁଜ୍ୟ, ଯେଉଁମାନେ ଏତାଦୃଶ୍ୟ ପରିମଳ ସମ୍ପନ୍ନ ଗ୍ରାମସୃଷ୍ଟି ପାଇଁ ସକ୍ରିୟ ପଦକ୍ଷେପ ନେଇଥାନ୍ତି । ସର୍ତ୍ତାବଳୀ ଗ୍ରାମପଞ୍ଚାୟତର ୧୦୦ଭାଗ ଲୋକ ପାରିବାରିକ ପାଇଖାନା ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥିବେ । ସହଶିକ୍ଷା ସ୍କୁଲରେ ଝିଅ ଓ ପୁଅ ପାଇଁ ପୃଥକ ପାଇଖାନାର ବ୍ୟବସ୍ଥା ଥାଇ ୧୦୦ ଭାଗ ପ୍ରାଥମିକ ପ ମାଧ୍ଯମିକ ସ୍କୁଲ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥିବେ । ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶୌଚାଳୟ ସୁବିଧା ରହିଥିବ । ଖୋଲାସ୍ଥାନରେ ମଳତ୍ୟାଗ ଅଭ୍ୟାସରୁ ସମ୍ପୂର୍ଣ୍ଣ ମୁକ୍ତ ତଥା ଶୁଷ୍କ ପାଇଖାନା ଓ ହାତରେ ମଇଳା ଉଠାଇବା ବ୍ୟବସ୍ଥା ନଥିବ । ବର୍ଜ୍ୟବସ୍ତୁର ସନ୍ତୋଷଜନକ ଉପଚାର ଏବଂ ସ୍ୱାସ୍ଥ୍ୟକର ପରିବେଶ ଥିବ । ନିର୍ମଳ ଗ୍ରାମ ପୁରସ୍କାର ପ୍ରୋତ୍ସାହନ ରାଶି ଗ୍ରାମପଞ୍ଚାୟତ ୫୦୦୦ ଜନ ସଂଖ୍ୟା ବିଶିଷ୍ଟ ଗ୍ରା:ପ: ପାଇଁ ୨ ଲକ୍ଷ ଟଙ୍କା ୫୦୦୦ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଗ୍ରା:ପ: ପାଇଁ ୪ ଲକ୍ଷ ଟଙ୍କା ବ୍ଲକ ୫୦,୦୦୦ ଜନସଂଖ୍ୟା କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ୫୦,୦୦୦ ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ପାଇଁ ୨୦ ଲକ୍ଷ ଟଙ୍କା ଜିଲ୍ଲା ୧୦ଲକ୍ଷ ଜନସଂଖ୍ୟା କ୍ଷେତ୍ରରେ ୩୦ ଲକ୍ଷ ଟଙ୍କା ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟା କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ବ୍ୟକ୍ତିଗତ କ୍ଷେତ୍ରରେ – ଟ. ୧୦,୦୦୦ ଗ୍ରା:ପ: ପାଇଁ, ଟ. ୨୦,୦୦୦ ବ୍ଲକ ପାଇଁ ଏବଂ କ୍ଷେତ୍ରରେ ଟ.୩୦,୦୦୦ ଜିଲ୍ଲାପାଇଁ । ସାଂଗଠନିକ କ୍ଷେତ୍ରରେ - ଟ. ୨୦,୦୦୦ ଗ୍ରା:ପ: ପାଇଁ, ଟ.୩୫,୦୦୦ /- ବ୍ଲକ ପାଇଁ ଏବଂ ଟ.୫୦,୦୦୦/- ଜିଲ୍ଲାପାଇଁ । ଆମ୍ଭମାନଙ୍କର ଭୂମିକା ଓ ଦାୟିତ୍ଵ ଗୋଷ୍ଠୀର ଜଣେ ଜଣେ ସଭ୍ୟ ହିସାବରେ ଆମର ଦାୟିତ୍ଵ ହେଲା : ପରିବାରର ଲୋକଙ୍କୁ ଖୋଲାପଡିଆରେ ମଳତ୍ୟାଗ ଅଭ୍ୟାସରୁ ନିବୃତ୍ତ କରାଇବା । ଘରୋଇ ଓ ସର୍ବସାଧାରଣ ସ୍ଥାନରୁ ଅଳିଆ ଆବର୍ଜନାକୁ ହଟାଇ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା । ଗୋ – ମହିଷାଦି ଗୃହପାଳିତ ପଶୁଙ୍କ ମଇଳାକୁ ରହିବାଘର ଓ ଜଳାଶୟଠାରୁ ଦୂରରେ କମ୍ପୋଷ୍ଟ ଖାତରେ ପକାଇବାକୁ ନିଶ୍ଚିତ କରାଇବା । କୁକୁଡାଫାର୍ମ ଓ ଗୋ – ମହିଷାଦି ଗୃହପାଳିତ ପଶୁମାନଙ୍କ ସକାଶେ ସ୍ୱାସ୍ଥ୍ୟଆରା ଭାବେ ଚାଳିଆ ବା ଗୁହାଳ ନିର୍ମାଣକୁ ସୁନିଶ୍ଚିତ କରିବା । ଜିଆ – ଖତ କମପୋଷ୍ଟ ବ୍ୟବସ୍ଥାକୁ ଉତ୍ସାହିତ କରିବା । ଯଥାର୍ଥଭାବେ ଜଳଅମଳ ପ୍ରକଳ୍ପ ଓ ସମନ୍ଵିତ ଜଳଛାୟା ପରିଚାଳନା ପ୍ରଯୁକ୍ତି ବିଦ୍ୟା ଅବଲମ୍ବନ କରି ଜଳାଶୟ ଓ ଭୂତଳ ଜଳ ଉତ୍ସର ସୁରକ୍ଷା, ସଂରକ୍ଷଣ ତଥା ଉନ୍ନତି ସାଧନ କରିବା । ଗୋଷ୍ଠୀ ସଭ୍ୟମାନଙ୍କୁ ତାଙ୍କର ଦାୟିତ୍ଵ ବିଷୟରେ ସଚେତନ କରିବା ସହିତ ଜଳ ଯୋଗାଣ ଓ ପରିମଳ ସେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ରକ୍ଷଣାବେକ୍ଷଣ କରିବା ପାଇଁ ବୁଝାଇବା ଏବଂ ନିର୍ମଳ ଗ୍ରାମ ପୁରସ୍କାର ହାସଲ ପାଇଁ ମିଳିତ ଉଦ୍ୟମ କରିବା । ସଂକ୍ଷେପରେ ଉଚିତ ଓ ଅନୁଚିତ ସ୍ୱାସ୍ଥ୍ୟକର ଅଭ୍ୟାସ ସମ୍ପର୍କରେ ଉଚିତ୍ ଅନୁଚିତ୍ ଘରେ ସ୍ୱାସ୍ଥ୍ୟକର ପାଇଖାନାର ନିର୍ମାଣ, ବ୍ୟବହାର ଓ ରକ୍ଷଣାବେକ୍ଷଣ । ବାହାରେ ମଳତ୍ୟାଗ ସମ୍ପୂର୍ଣ୍ଣଭାବେ ବର୍ଜନୀୟ । ମଣିଷ ମଳଦ୍ଵାରା ପ୍ରଦୂଷିତ ମାଟିର ସଂସ୍ପର୍ଶରେ ଆସିବାକୁ ଏଡାଇବା । ପାଇଖାନା ପିଟ ଓ ଗୁହାଳକୁ ଜଳଉତ୍ସ ନିକଟରେ ନିର୍ମାଣ କରିବା ଉଚିତ ନୁହେଁ । ଶିଶୁମାନଙ୍କ ମଇଳାକୁ କମ୍ ହାନିକାରକ ମନେ ନକରି ତାକୁ ସ୍ଵାସ୍ଥ୍ୟକର ନିରାପଦ ସ୍ଥାନକୁ ହଟାଇବା । ଜଲଉତ୍ସ, ମାଟି ଓ ଜଳକୁ ମଇଳା ଓ ବର୍ଜ୍ୟବସ୍ତୁ ଦ୍ଵାରା ପ୍ରଦୂଷିତ କରିବା ଅନୁଚିତ୍ । ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନ ଓ ପାଣିରେ ଧୋଇବା । ଘରୋଇ ବ୍ୟବହାର କରାଯାଉଥିବା ଜଳଉତ୍ସର ମଇଳାଲୁଗା ଧୋଇବା ଓ ଗୃହପାଳିତ ପଶୁମାନଙ୍କୁ ଧୋଇବା ଅନୁଚିତ । ମଳତ୍ୟାଗ ପାଇଁ ଶୌଚାଳୟକୁ କିମ୍ବା ବାହାରକୁ ଗଲେ ଜୋତା ବ୍ୟବହାର କରିବା । ପିଇବା ପାଣିରେ ଆଙ୍ଗୁଠି ବୁଡାଇବା ଅନୁଚିତ୍ । ପାନୀୟଜଳ ସଂଗ୍ରହ କରିବା ବେଳେ ନିରାପଦ ଜଲଉତ୍ସ ଓ ପରିଷ୍କାର ପାତ୍ରର ବ୍ୟବହାର କରିବା । ମଶାମାନଙ୍କ ବଂଶ ବୃଦ୍ଧିପାଇଁ ପରିବେଶ ସୃଷ୍ଟି କରିବା ଅନୁଚିତ୍ । ପାତ୍ରରୁ ପିଇବା ପାଣି କାଢିବା ବେଳେ ଡଙ୍କି ବ୍ୟବହାର କରିବା । ପଚାସଢା/ଘୋଡଣି ବିହୀନ ଖାଦ୍ୟ ଖାଇବା ଅନୁଚିତ୍ । ବର୍ଜ୍ୟବସ୍ତୁକୁ ସଠିକ ଭାବେ ହଟାଇବା ପାଇଁ ଡ୍ରେନ, ସୋକ ପିଟ ଏବଂ କମ୍ପୋଷ୍ଟ ଗର୍ତ୍ତ ନିର୍ମାଣ କରିବା । କଠିନ ଏବଂ ତରଳ ବର୍ଜ୍ୟବସ୍ତୁକୁ ଏଣେତେଣେ ପକାଇବା ଅନୁଚିତ୍ । କଞ୍ଚାଫଳ ଓ କଞ୍ଚାପରିବା ଖାଇବା ବା ରାନ୍ଧିବା ପୂର୍ବରୁ ଧୋଇବା ବା ଚୋପା ଛଡାଇବା ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ