ସ୍ୱାସ୍ଥ୍ୟ – ସଚେତନତାର ଆବଶ୍ୟକତା ସ୍ୱାସ୍ଥ୍ୟଶିବିର ବ୍ୟବସ୍ଥା ମୁଖ୍ୟତଃ ଜନଜୀବନ ଓ ସ୍କୁଲସ୍ତରରେ ପ୍ରଚଳିତ ରହିଛି । ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅତି ନିମ୍ନ ସ୍ତରରେ ଥିବାବେଳେ କ୍ଷେତ୍ର – ଭିତ୍ତିକ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଜ୍ଞାନ ଆଦୌ ନାହିନ କହିଲେ ଚଳେ । ସମାଜର ସମତା ସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରସାର କରାଯାଇପାରିଲେ ହିଁ ସ୍ୱାସ୍ଥ୍ୟ ସେବାର ବାସ୍ତବ ସୁଫଳ ମିଳିପାରନ୍ତା । ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାକୁ ଅଧିକ ଫଳପ୍ରଦ କରିବାକୁ ହେଲେ ସ୍ୱାସ୍ଥ୍ୟ ସେବା ଯୋଗାଣକାରୀ ସଂସ୍ଥାରେ ସାଂଗଠନିକ ପରିବର୍ତ୍ତନ ତାର ନୀତି ନିୟମରେ ଆବଶ୍ୟକୀୟ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଲୋକଙ୍କ ଆଚରଣ ବିଧିରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରାଯିବା ଦରକାର । ଅର୍ଥାତ, ଆବଶ୍ୟକତା ଭିତ୍ତିକ ହସ୍ତକ୍ଷେପ ନିମନ୍ତେ ସୁଚିନ୍ତିତ ଯୋଜନା କରାଯିବା ଦରକାର । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ରୋଗଗୁଡିକ ପାଇଁ ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକ ହେଉଥିବା ସ୍ୱାସ୍ଥ୍ୟଶିକ୍ଷା ଓ ତାଲିମ ଆଦି ଯୋଗାଇଦେବା ଏହି ପୁସ୍ତକାର ଉଦ୍ଦେଶ୍ୟ । ଶିକ୍ଷଣର ପଦ୍ଧତି ସ୍ୱାସ୍ଥ୍ୟଶିକ୍ଷାକୁ ସଫଳତାର ସହିତ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଗ୍ରହଣ କରାଯାଇପାରେ, ଯଥା :- ପାରିସ୍ପରିକ ବୁଝାମଣା ପଦ୍ଧତି ଏହି ପ୍ରଣାଳୀ ପ୍ରଶିକ୍ଷାର୍ଥୀଙ୍କୁ ସକ୍ରିୟ ଯୋଗଦାନ ପାଇଁ ଉତ୍ସାହିତ କରିବା ସହିତ ପାରସ୍ପରିକ ଅଭିଜ୍ଞତାର ବିନିମୟ ପାଇଁ ଉନ୍ନତ ବାତାବରଣ ସୃଷ୍ଟିକରେ । ଏଥିରେ ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀ, ଉଭୟ ସାମିଲ ହେଉଥିବାର ଦେଖାଯାଏ । ଗୋଷ୍ଠୀ ସ୍ତରରେ ଏହାର ଉପଯୋଗିତା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ, ଆଲୋଚନା ସହିତ ଉଦାହରଣ ଦିଆଯିବା ସହ ଭୂମିକା ଅଭିନୟ ଜରିଆରେ ବୁଝାମଣା ପାଇଁ ଏହା ବେଶ୍ ସହାୟକ ହୋଇଥାଏ । ଏକକ ଧାରା ପଦ୍ଧତି ଏହା ଉପଦେଶାତ୍ମକ ପ୍ରଶିକ୍ଷକ- ପ୍ରଶିକ୍ଷାର୍ଥୀ ପଦ୍ଧତି । ପ୍ରଶିକ୍ଷକ କହିବେ, ପ୍ରଶିକ୍ଷାର୍ଥୀ ଶୁଣିବେ । ଏ ପ୍ରକାର “ପ୍ରଶିକ୍ଷକ - ପ୍ରଶିକ୍ଷାର୍ଥୀ” ପଦ୍ଧତିରେ ଶିକ୍ଷାଦାନ କେବଳ ଉପଦେଶାତ୍ମକ ହୋଇଥିବାରୁ ବୟସ୍କମାନଙ୍କ କ୍ଷେତ୍ରରେ ଫଳପ୍ରସୂ ହୋଇପାରେ ନାହିଁ । କାରଣ ଏଥିରେ ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନ ଓ ଅଭିଜ୍ଞତା ଭଳି ଗୁରୁତ୍ଵପୂର୍ଣ୍ଣ ଦିଗକୁ ଉପେକ୍ଷା କରାଯାଇଥାଏ । ଏଣୁ ବୟସ୍କ ପରୀକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ ପାଇଁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡେ, ଯଦ୍ଵାରା ସେମାନେ ଅଧିକ ଜାଣିବା ପାଇଁ ଆଗ୍ରହାନ୍ଵିତ ହେବେ ଓ ସହଜରେ ମନେ ରଖିପାରିବେ ।ସେହି ଦିଗଗୁଡିକ ହେଉଛି ଯେତେବେଳେ ସେମାନେ : ତଥ୍ୟ ବା ସୂଚନା – ଶୁଣନ୍ତି । ପ୍ରଦର୍ଶନ ଓ ଉଦାହରଣ – ଦେଖନ୍ତି । ତଥ୍ୟ/ସୂଚନା ସହିତ ନିଜସ୍ଵ ମତବାଦକୁ ସଂଯୋଗ କରି – ଆଲୋଚନା କରନ୍ତି । ଶିଖିଥିବା ଜ୍ଞାନ କୌଶଳର – ଅଭ୍ୟାସ କରନ୍ତି । ବହୁବିଧ ଧାରା ପଦ୍ଧତି ସକ୍ରିୟ ଅଂଶଗ୍ରହଣ : ଏହି ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଆଦାନ ପ୍ରଦାନର ବିଶ୍ଳେଷଣ ନିମ୍ନମତେ ପ୍ରକାଶ କରାଯାଇପାରେ । ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀ ସେ ଜଣେ ପ୍ରଶିକ୍ଷଣ ସଞ୍ଚାଳକ ଯୋଗାଯୋଗ ମାଧ୍ୟମ ଜଣେ ଜଣେ ଅଂଶଗ୍ରହଣକାରୀ ଜଣେ ଉତ୍ତମ ସଂଯୋଜକ ସହଜ ଅନୁଭବ କରନ୍ତି ପ୍ରଶିକ୍ଷାର୍ଥୀଙ୍କ ସହିତ ସମାନ ସ୍ତରରେ କାର୍ଯ୍ୟ କରନ୍ତି ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ପ୍ରଶିକ୍ଷାର୍ଥୀଙ୍କ ମତାମତ ଓ ଅଭିଜ୍ଞତାକୁ ସମ୍ମାନ ଦିଅନ୍ତି ଅଭିଜ୍ଞତା ଆଦାନ ପ୍ରଦାନ କରନ୍ତି ଶିକ୍ଷଣ ପ୍ରକ୍ରିୟାର ସମର୍ଥକଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଭିତରେ ପ୍ରଶ୍ନ ପଚାରିବା ଭୁଲ କରିବା କିମ୍ବା କିଛି ରିସ୍କ ନେବାକୁ ପଛନ୍ତି ନାହିଁ । ଅଭିଜ୍ଞତା ଭିତ୍ତିକ ପ୍ରଶିକ୍ଷଣ ଜଣେ ଉତ୍ତମ ସଂଗଠନ ପ୍ରଶିକ୍ଷକଙ୍କୁ ଜଣେ ସମ୍ବଳ, ବ୍ୟକ୍ତି ଦିଗଦର୍ଶକ ତଥା ବିଶ୍ଵାସ ଯୋଗ୍ୟ ପରାମର୍ଶଦାତା ଭାବେ ଗ୍ରହଣ କରିଥାନ୍ତି । ବୟସ୍କ – ପ୍ରଶିକ୍ଷଣ ପଦ୍ଧତି ଅବଲମ୍ବନ କରି ଜଣେ ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିବିଶେଷଙ୍କ ସକ୍ରିୟ ଅଂଶଗ୍ରହଣ ଆଶା ରଖିପାରିବେ । ଏହି ପଦ୍ଧତିରେ, ପ୍ରଶିକ୍ଷଣ ପାଇଥିବା ବ୍ୟକ୍ତି ଶୀଘ୍ର ଜ୍ଞାନ ଲାଭ କରିବା ସହିତ ସେହି ଜ୍ଞାନ କୌଶଳକୁ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ମନେ ରଖିପାରନ୍ତି । ଭାଗୀଦାରୀ ପ୍ରଶିକ୍ଷଣ ପ୍ରକ୍ରିୟା ପାଇଁ ପାଞ୍ଚଗୋଟି ସୋପାନ ତାତ୍ପର୍ଯ୍ୟପୂର୍ଣ୍ଣ ଏହି ପାଞ୍ଚୋଟି ସୋପାନ ସମ୍ପର୍କରେ ପାର୍ଶ୍ଵବର୍ତ୍ତୀ ଚିତ୍ରରେ ଅବତାରଣା କରାଯାଇଛି । ଆବଶ୍ୟକତା ଭିତ୍ତିରେ ଆକଳନ କରି ଲକ୍ଷ ଓ ଆଭିମୁଖ୍ୟର ସଫଳତା ପାଇଁ ପ୍ରଶିକ୍ଷଣର ଶୁଭାରମ୍ଭ କରାଯିବ ; ଏଥିପାଇଁ ସଠିକ ବିଷୟ ବସ୍ତୁ ଓ କାର୍ଯ୍ୟନିର୍ଘଣ୍ଟର ଯୋଜନା କରାଯିବା ଦରକାର । ପର୍ଯ୍ୟାଲୋଚନା ଓ ମୂଲ୍ୟାୟନର ପ୍ରକ୍ରିୟା ମାଧ୍ୟମରେ ପ୍ରଶିକ୍ଷାର୍ଥୀଙ୍କ ତାଲିମ ଜ୍ଞାନର ମାନଦଣ୍ଡ ଜଣାପଡେ ଏବଂ ପରବର୍ତ୍ତୀ ତାଲିମ ବା ପୁନରାବଲୋକନର ଆବଶ୍ୟକତା ସମ୍ପର୍କରେ ବିଚାର କରାଯାଇଥାଏ । ଆବଶ୍ୟକତାର ଆକଳନ ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନର ସ୍ଥିତି, ମନୋଭାବ ତଥା ଆବଶ୍ୟକତା ଆକଳନ କରି ପ୍ରଶିକ୍ଷକ ଶିକ୍ଷାଦାନ ପାଇଁ ଯୋଜନା ଓ କାର୍ଯ୍ୟ ନିର୍ଘଣ୍ଟ ଆଦି ପ୍ରସ୍ତୁତ କରିବେ । ଆବଶ୍ୟକତାର ସଠିକ ଆକଳନ ହିଁ ପ୍ରଶିକ୍ଷକଙ୍କୁ ସଠିକ କାର୍ଯ୍ୟକ୍ରମର ଯୋଜନା କରିବାରେ ହୁଏ, ଯାହା ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନ କୌଶଳ ଓ ମନୋବୃତ୍ତିର ଅଭିବୃଦ୍ଧି ପାଇଁ ପଥ ପ୍ରଦର୍ଶକ ହୁଏ । ଉପଲକ୍ଷ ଓ ଉଦ୍ଦେଶ୍ୟ ଉପଲକ୍ଷ୍ୟ ପ୍ରଶିକ୍ଷଣର ଦୃଷ୍ଟିଭଙ୍ଗୀ ହିଁ ନିର୍ଣ୍ଣୟକରେ ତାର ଉପଲକ୍ଷ୍ୟ । ଲକ୍ଷ୍ୟ ହାସଲ ପାଇଁ ତାଲିମ କାର୍ଯ୍ୟକ୍ରମକୁ କିଭଳି ଆଗକୁ ନେବାକୁ ହେବ ତାହା ଏଥିରେ ବର୍ଣ୍ଣନା କରାଯାଇଥାଏ । ତାଲିମରୁ ପ୍ରାପ୍ତ ଜ୍ଞାନ ଆଗାମୀ ଦିନରେ କି ପ୍ରକାରେ କାର୍ଯ୍ୟ କ୍ଷେତ୍ରରେ ବିନିଯୋଗ ହୋଇପାରିବ ସେ ବିଷୟରେ ମଧ୍ୟ ଏଥିରେ ସମକ୍ୟ ଧାରଣା ଦିଆଯାଇଥାଏ । ଉଦ୍ଦେଶ୍ୟ ଆବଶ୍ୟକୀୟ ଜ୍ଞାନ ଓ କୌଶଳ ହାସଲ କରିବା ପରେ ଅଂଶଗ୍ରହଣକାରୀମାନେ ଯେଉଁ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ, ତାକୁ ହିଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ‘ଉଦ୍ଦେଶ୍ୟ’ ବୋଲି କୁହାଯାଏ । ଉଦ୍ଦେଶ୍ୟର ଆବଶ୍ୟକତା ତାଲିମ କାର୍ଯ୍ୟକ୍ରମକୁ ଉଦ୍ଦେଶ୍ୟମୂଳକ, ନିର୍ଦ୍ଧିଷ୍ଟ ଏବଂ ପ୍ରଭାବଶାଳୀ ଭାବରେ ଯୋଜନାବଦ୍ଧ କରିବା ପାଇଁ ତାଲିମର ମୂଲ୍ୟାୟନ ଓ ମାନଦଣ୍ଡର ନିର୍ଦ୍ଧାରଣ ପାଇଁ ପାଠ୍ୟକ୍ରମର ରୂପରେଖ ପ୍ରଶିକ୍ଷଣ ପାଇଁ ଲିଖିତ ଅଣୁଦେଶାବଳୀ ହିଁ ପାଠ୍ୟକ୍ରମର ରୂପରେଖ ବା ସେସନ ପ୍ଲାନ । ଏଥିରେ ପ୍ରଶିକ୍ଷଣ କାର୍ଯ୍ୟର ସମ୍ୟକ ସୂଚନା ରହିବା ସହିତ ପାଠ୍ୟକ୍ରମର ରୂପରେଖ ଏବଂ ପ୍ରଶିକ୍ଷାର୍ଥୀଙ୍କ ଆବଶ୍ୟକତା ବିଷୟ ବ୍ୟାଖ୍ୟା କରାଯାଇଥାଏ ।ଏହା ପ୍ରଶିକ୍ଷକଙ୍କୁ ତାଲିମ କାର୍ଯ୍ୟକ୍ରମକୁ ସଂଗଠିତ କରିବାରେ ସହାୟତା କରେ । ପାଠ୍ୟକ୍ରମ ପ୍ରସ୍ତୁତି ବେଳେ ପ୍ରଶିକ୍ଷକର ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଏଣୁ ନିମ୍ନ ଲିଖିତ ଦିଗ ଗୁଡିକର ଅବତାରଣା କରାଯାଇପାରେ :< ପ୍ରଶିକ୍ଷଣର ଲକ୍ଷ୍ୟ କ’ଣ ? ନିର୍ଦ୍ଧିଷ୍ଟ ବିଷୟ ପାଇଁ ସମୟସୀମା ନିର୍ଦ୍ଧାରଣ । ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ । ଶିକ୍ଷାଦାନ ପାଇଁ ଆବଶ୍ୟକ ସାଧନ ସମୂହ । ତାଲିମ ପରେ ଲବ୍ଧଜ୍ଞାନର ସଠିକ ମୂଲ୍ୟାୟନ ପାଇଁ ମାପଦଣ୍ଡର ରୂପରେଖ ନିର୍ଦ୍ଧାରଣ । ବିଷୟସୂଚୀ ପାଇଁ ଯୋଜନା ବିଷୟସୂଚୀର ଯୋଜନା ପ୍ରସ୍ତୁତ କଲାବେଳେ ପ୍ରଶିକ୍ଷାର୍ଥୀମାନେ ଯାହା ନିଶ୍ଚିତ ଭାବେ ଜାଣିବା ଦରକାର ତା’ଉପରେ ହିଁ ଗୁରୁତ୍ଵ ଦିଆଯିବ । ଅନ୍ୟାନ୍ୟ ଆନୁସଙ୍ଗିକ ଜ୍ଞାତବ୍ୟ ବିଷୟ, ସୂଚନା, ବହିପତ୍ରର ସୂଚନା ପ୍ରଦାନପୂର୍ବକ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ଓ ଅଭିଜ୍ଞତାର ଆଦାନ ପ୍ରଦାନକୁ ମଧ୍ୟ ଉତ୍ସାହିତ କରାଯିବ । କେନ୍ଦ୍ରରେ ଥିବା ‘ଏକାନ୍ତ ଆବଶ୍ୟକ’ ବିଷୟ ଉପରେ ଅଧିକ ଗୁରୁତ୍ଵ ଏବଂ ଅଧିକ ସମୟ ଦେଇ ‘ଜାଣିବା ଉଚିତ’ ରେ ତା ଠାରୁ କମ୍ ଗୁରୁତ୍ଵ ଦେବା ଦରକାର । ‘ଜାଣିଲେ ଭଲ’ ବିଷୟ ଗୁଡିକ ଉପରେ ସମୟ ବଳିଲେ ଆଲୋଚନା କରାଯାଇପାରେ । ଏହି ସୂତ୍ର ଅନୁସାରେ ଶିକ୍ଷଣୀୟ ବିଷୟର ବିନ୍ୟାସ କରାଗଲେ ସମୟର ଉପାଦେୟ ବ୍ୟବହାର ହୋଇପାରିବ । କାର୍ଯ୍ୟାନ୍ଵୟନ ପ୍ରଶିକ୍ଷଣ ପ୍ରଣାଳୀ ଓ ସାମଗ୍ରୀ : ପ୍ରଶିକ୍ଷଣ ଏକ ବିଶେଷ କର୍ମକୁଶଳତା ଅଟେ । ପ୍ରତ୍ୟକ ପ୍ରଶିକ୍ଷକ ନିଜର ଅଭିଜ୍ଞତା ଓ ଦକ୍ଷତା ଅନୁଯାୟୀ ତାଲିମ ପ୍ରଦାନ କରିଥାନ୍ତି । ପ୍ରଶିକ୍ଷଣର ପ୍ରଣାଳୀ ଓ ସାମଗ୍ରୀକୁ ପାଥେୟ କରି ପ୍ରଶିକ୍ଷାର୍ଥୀଙ୍କୁ ନୂଆ ନୂଆ ଜ୍ଞାନ, କୌଶଳ ଓ ଅଭିଜ୍ଞତା ବଣ୍ଟନ କରିବାକୁ ପ୍ରୟାସ କରନ୍ତି । ପ୍ରଶିକ୍ଷଣ ପ୍ରଣାଳୀ – କିଛି ସାଧାରଣ ପ୍ରସଙ୍ଗ ଏକ ନିର୍ଦ୍ଧିଷ୍ଟ ପାଠ୍ୟକ୍ରମ ପାଇଁ ଶିକ୍ଷାଦାନ ପଦ୍ଧତି ସ୍ଥିର କଲାବେଳେ ନିମ୍ନଲିଖିତ ପ୍ରଶ୍ନଗୁଡିକୁ ବିଚାରକୁ ନେବା ଦରକାର, ଯଥା :- ଲକ୍ଷ୍ୟ ହାସଲ ପାଇଁ ଏହି ପଦ୍ଧତି ଅନୁକୂଳ କି ? ଏହି ପଦ୍ଧତି ବ୍ୟବହାର ପାଇଁ ପ୍ରଶିକ୍ଷାର୍ଥୀଙ୍କ ଠାରେ ମହଜୁଦ ଥିବା ଜ୍ଞାନ ଛଡା ଆହୁରି ଅଧିକ ଜ୍ଞାନ ଓ କୁଶଳତା ଦରକାର କି ? ଏହି ପାଠ୍ୟକ୍ରମର ସମୟସୀମା କେତେ ହେବା ଦରକାର ? ସେତିକି ସମୟ ଅଛି କି ? କେତେ ସ୍ଥାନର ଆବଶ୍ୟକତା ଅଛି ? ତାହା ସୁଲଭ କି ? ଏହି ପଦ୍ଧତି ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ଓ ପ୍ରକାରଭେଦ ଅନୁସାରେ ସମୁଚିତ କି ? ପ୍ରଶିକ୍ଷଣ ପାଇଁ କେଉଁ ପ୍ରକାର ଶିକ୍ଷା ସାମଗ୍ରୀର ଆବଶ୍ୟକତା ରହିଛି ଏବଂ ତାହା ସୁଲଭ କି ? ଏହି ପ୍ରଣାଳୀରେ ଶିକ୍ଷାଦାନ ପାଇଁ ବିଶେଷ କୁଶଳତାର ଆବଶ୍ୟକତା ଅଛି କି ? ବର୍ତ୍ତମାନର ପ୍ରଶିକ୍ଷକଙ୍କ ପାଖରେ ଏହି କୁଶଳତା ଅଛି ତ ? ଜ୍ଞାନର ଅଭିନିବେଶ ପାଇଁ ପ୍ରଶିକ୍ଷଣ ପଦ୍ଧତି ପ୍ରଶିକ୍ଷାର୍ଥୀଙ୍କର ଯାହା ଜାଣିବା ଆବଶ୍ୟକ ତାକୁ ହିଁ ଦୃଷ୍ଟିରେ ରଖି ପ୍ରଶିକ୍ଷଣ ଦିଆଯିବା ଉଚିତ । ଏଣୁ ନିମ୍ନଲିଖିତ ପଂକ୍ତି ଗୁଡିକ ପ୍ରଣିଧ୍ୟାନ ଯୋଗ୍ୟ : ପ୍ରଶିକ୍ଷାର୍ଥୀମାନେ ଏ ବିଷୟଟି କାହିଁକି ଜାଣିବା ଦରକାର – ସେଥିପାଇଁ ସେମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ ? ଏକଗପ ମାଧ୍ୟମରେ ବିଷୟର ଗୁରୁତ୍ଵ ବୁଝାଇବା ଉଚିତ । ବିଷୟ ଉପରେ ପ୍ରଥମେ ସଂକ୍ଷେପରେ ଧାରଣା ଦିଅନ୍ତୁ । ପ୍ରଶିକ୍ଷାର୍ଥୀଙ୍କ ଚିନ୍ତନ – ମନ୍ଥନ ପାଇଁ କିଛି ଯଥାର୍ଥ ପ୍ରଶ୍ନ ପ୍ରସ୍ତୁତି କର ରଖନ୍ତୁ । ବକ୍ତବ୍ୟକୁ ବଳିଷ୍ଠ କରିବା ପାଇଁ ସୂଚନାପତ୍ର ବାଣ୍ଟି ଦିଅନ୍ତୁ ।ଏହା ପ୍ରଶିକ୍ଷାର୍ଥୀଙ୍କୁ ଲେଖିବାରୁ ମୁକ୍ତି ଦେଇ ପ୍ରଶିକ୍ଷଣରେ ସକ୍ରିୟ ଅଂଶ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । ସୂଚନାପତ୍ରକୁ ମଧ୍ୟ ସେମାନେ ପରେ ବ୍ୟବହାର କରିପାରିବେ । ବିଷୟବସ୍ତୁର ବ୍ୟବହାର ସମ୍ପର୍କରେ କିଛି ଗଳ୍ପ ବା ଅଭିଜ୍ଞତା ବଣ୍ଟନ କରିବାକୁ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରନ୍ତୁ । ପ୍ରଶିକ୍ଷଣକୁ ଆକର୍ଷଣୀୟ କରିବା ପାଇଁ ଚକ ବୋର୍ଡ, ଫ୍ଲିପ ଚାର୍ଟ, ମଡେଲ, ଫଟୋଗ୍ରାଫ, ସ୍ଲାଇଡ / ଭିଡିଓ ଆଦିର ବ୍ୟବହାର କରନ୍ତୁ । କୁଶଳତାର ବିକାଶ ପାଇଁ ପ୍ରଶିକ୍ଷଣ ପଦ୍ଧତି ଅଭ୍ୟାସ ପର୍ଯ୍ୟାୟ ପ୍ରଶିକ୍ଷଣରେ କୁଶଳତା ଶିକ୍ଷା ପାଇଁ ଏହା ଅତି ଜରୁରୀ । ଏଥିପାଇଁ ସମୟ ଦେବା ସହିତ ପ୍ରଶିକ୍ଷକ ଫିଡବ୍ୟାକ ଯୋଗାଇଦେବା ଦରକାର । ପ୍ରତ୍ୟକ ପ୍ରଶିକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରିବା ଦରକାର । ପ୍ରଶିକ୍ଷାର୍ଥୀଙ୍କ ଭୂମିକା ଯୋଗାଯୋଗ କୌଶଳ ଶିକ୍ଷା ପାଇଁ ରୋଲ ପ୍ଲେ ବା ଭୂମିକା ଅଭିନୟ ଖୁବ୍ ଉପାଦେୟ । ଏଥିରେ ପ୍ରଶିକ୍ଷାର୍ଥୀମାନେ ଅନୁଭବ କରନ୍ତି ଯେମିତି ସେମାନେ ନାଟକର ଜଣେ ଜଣେ ଚରିତ୍ର ଅଟନ୍ତି । ପ୍ରଶିକ୍ଷକ ବିଷୟବସ୍ତୁ ସହ ଜଡିତ କୌଣସି ଏକ ପରିବେଶ ବର୍ଣ୍ଣନା କରିବେ, ଏବଂ ପ୍ରଶିକ୍ଷାର୍ଥୀମାନେ ସେହି ପରିବେଶକୁ ଅଭିନୟ ମାଧ୍ୟମରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ପରିବେଷଣ କରିବେ । ବିଷୟ ଅନୁଧ୍ୟାନ ବିଷୟ ଅନୁଧ୍ୟାନ ପଦ୍ଧତିଟି ସମସ୍ୟା – ସମାଧାନ ତଥା ନିର୍ଣ୍ଣୟ ଗ୍ରହଣର କୌଶଳ ପାଇଁ ଖୁବ୍ ଉପଯୋଗୀ । ଏହି ପଦ୍ଧତିରେ ଏକ ନିର୍ଦ୍ଧିଷ୍ଟ ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରାଯିବ ଏବଂ ପ୍ରଶିକ୍ଷାର୍ଥୀମାନେ ସେ ଅବସ୍ଥାରେ କ’ଣ କରାଯିବା ଉଚିତ ମନେ କରୁଛନ୍ତି ତା ଉପରେ ଦଳଗତ ଆଲୋଚନା କରିବେ । ରୋଗର ନିଦାନ, ଚିକିତ୍ସା କିମ୍ବା ପରିଚାଳନାଗତ ବା ଆନୁଷ୍ଠାନିକ ସମସ୍ୟା ଆଦି ସମ୍ପର୍କରେ କୌଣସି ଏକ ଅବସ୍ଥାର ଅବତାରଣା କରାଗଲେ ପ୍ରଶିକ୍ଷାର୍ଥୀମାନେ ତା ଉପରେ ନିଜ ନିଜ ଅଭିଜ୍ଞତାରୁ ଆଲୋଚନା କରିପାରିବେ । ଏହିପରି ଭାବରେ ଏକ ବାସ୍ତବ ପରିସ୍ଥିତି ଅନୁଧ୍ୟାନ ଓ ଅନୁଶୀଳନରୁ ପ୍ରଶିକ୍ଷାର୍ଥୀମାନେ ଯାହା ଶିଖିପାରିବେ, ତାର ପ୍ରଭାବ ଦୀର୍ଘସ୍ଥାୟୀ । ଅନୁକୂଳ ମନୋବୃତ୍ତି ବା ଆଟିଚୁଡ ସୃଷ୍ଟି ପାଇଁ ପ୍ରଶିକ୍ଷଣ ପଦ୍ଧତି କୌଣସି କାର୍ଯ୍ୟ ପାଇଁ ଅନୁକୂଳ ମନୋବୃତ୍ତି ବା ଆଚରଣ ଏକାନ୍ତ ଜରୁରୀ । ଗୋଟିଏ କାର୍ଯ୍ୟକୁ ଦକ୍ଷତାର ସହିତ ସମ୍ପୂର୍ଣ୍ଣ କରିବା ପାଇଁ କେବଳ ଜ୍ଞାନ ଓ କୁଶଳତା ଯଥେଷ୍ଟ ନୁହେଁ । ରୋଗୀ ସହିତ ସ୍ୱାସ୍ଥ୍ୟକର୍ମୀଙ୍କ ଯତ୍ନଶୀଳ ମନୋଭାବ ଏବଂ ସମ୍ପର୍କରେ ହିଁ ଥାଏ ଚିକିତ୍ସାର ଚାବିକାଠି । ଏଭଳି ମନୋବୃତ୍ତି ସୃଷ୍ଟି କରିବା ସକାଶେ ଚାରିପ୍ରକାର ପଦକ୍ଷେପ ଗ୍ରହଣୀୟ ଯଥା : - ତଥ୍ୟର ପରିବେଷଣ ଓ ଭାବ ବିନିମୟ : ପ୍ରଶିକ୍ଷକ ଗୋଟିଏ ନିର୍ଦ୍ଧିଷ୍ଟ କାର୍ଯ୍ୟକୁ ସଫଳତାର ସହିତ ପୂର୍ଣ୍ଣାଙ୍ଗ କରିବାପାଇଁ ଅନୁକୂଳ ମନୋଭାବର ଆବଶ୍ୟକତା ବିଷୟ ଉପରେ ତଥ୍ୟର ଅବତାରଣା କରି ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବେ । ଉଦାହରଣ ଓ ନମୁନା ପ୍ରଦର୍ଶନର ବ୍ୟବସ୍ଥା : ଉନ୍ନତ ବୁଝାମଣା ସୃଷ୍ଟିକରିବା ପାଇଁ ସ୍ଥାନୀୟ ବିଷୟର ଉଦାହରଣ ଏବଂ ନମୁନା ପ୍ରଦର୍ଶନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଅଭିଜ୍ଞତାର ବିନିମୟ : ମା’ ଓ ଶିଶୁ ସନ୍ତାନର ସ୍ୱାସ୍ଥ୍ୟ ବା ଅନ୍ୟ କୌଣସି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ପୁସ୍ତକ ଗଠନ ଅପେକ୍ଷା ପ୍ରତ୍ଯକ୍ଷ ଅନୁଭୂତିର ବର୍ଣ୍ଣନା ପ୍ରଶିକ୍ଷାର୍ଥୀଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ଛୋଟ ଛୋଟ ଦଳ ମାଧ୍ୟମରେ ଆଲୋଚନା : ପରସ୍ପର ମତ ବିନିମୟ ଜରିଆରେ ପ୍ରଶିକ୍ଷାର୍ଥୀଙ୍କ ମନୋବୃତ୍ତିରେ ଗଭୀର ଆଲୋଡନ ସୃଷ୍ଟି ହୁଏ ।ଛୋଟ ଛୋଟ ଦଳ ଗଠନ କରି ପରସ୍ପର ମଧ୍ୟରେ ଆଲୋଚନା ଜରିଆରେ ବକ୍ତବ୍ୟ ରଖିବାର ସୁଯୋଗ ସୃଷ୍ଟି କରାଗଲେ ଅନୁକୂଳ ମନୋଭାବ ଉଦ୍ରେକ ହେବ । ପ୍ରଶିକ୍ଷଣ ସାମଗ୍ରୀ ଓ ସାଧନ : ପ୍ରଶିକ୍ଷଣ ପାଇଁ କେତେକ ଲିଖିତ ସାମଗ୍ରୀ ବ୍ୟବହାର କରାଯାଏ । ଏହା ନଥିଲେ ପ୍ରଶିକ୍ଷକ ନିଜେ ଏହା ପ୍ରସ୍ତୁତ କଲାବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ; ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ ସକାଶେ ହିଁ ଏହା ଉଦ୍ଦିଷ୍ଟ ହୋଇଥିବ । ଏହା ଖୁବ୍ ସ୍ପଷ୍ଟ ହୋଇଥିବ । ଏହାର ପୃଷ୍ଠା ଗୁଡିକ ପରିଷ୍କାର ଭାବେ ସଜଡା ହି ରହିଥିବା ଉଚିତ । ଲେଖାର ଭାଷା ଓ ଚିତ୍ର ଆଦି ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନର ମାପ ସହିତ ଖାପ ଖୁଆଇଲାଭଳି ହେବା ଉଚିତ । ଯଥା : - ଯଦି ପ୍ରଶିକ୍ଷାର୍ଥୀମାନେ ଗ୍ରାଫ ବୁଝିପାରିବେ ତେବେ ଗ୍ରାଫ ବ୍ୟବହାର କରାଯାଇପାରେ । ଅଡିଓ ଭିଜୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଖୁବ୍ ପ୍ରଭାବଶାଳୀ ହୁଏ । ସେହି ଅନୁସାରେ ତାର ପ୍ରସ୍ତୁତ ଏବଂ ଚୟନ ହେବା ଦରକାର । ତଦାରଖ ପ ମୂଲ୍ୟାୟନ ତାଲିମର ଫଳାଫଳ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ତଥ୍ୟାଦିର ସଂଗ୍ରହ ଓ ତାର ସମୀକ୍ଷାର ପ୍ରକ୍ରିୟା ହେଉଛି ତଦାରଖ ଓ ମୂଲ୍ୟାୟନ । ‘ତଦାରଖ’ ପ୍ରକ୍ରିୟା କାର୍ଯ୍ୟକ୍ରମ ଚାଲିଥିବାବେଳେ ଏବଂ ‘ମୂଲ୍ୟାୟନ’ ପ୍ରକ୍ରିୟା କାର୍ଯ୍ୟକ୍ରମଟି ଶେଷହେବାପରେ କରାଯାଏ । ଗୁଣାତ୍ମକମାନର ପ୍ରଶିକ୍ଷଣକୁ ଦୃଷ୍ଟିରେ ରଖି ପ୍ରଶିକ୍ଷାର୍ଥୀମାନେ ଅର୍ଜିଥିବା ଜ୍ଞାନ, କୌଶଳ ଓ ମନୋବୃତ୍ତି ସେମାନଙ୍କ କର୍ମ କ୍ଷେତ୍ରରେ ଯେପରି ଉପଯୋଗୀ ହେବ, ତାହା ଦେଖିବା ତଦାରଖ ଓ ମୂଲ୍ୟାୟନର କାର୍ଯ୍ୟ । ଭବିଷ୍ୟତର ଯୋଜନା ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ବେଳେ ମଧ୍ୟ ତଦାରଖ ଓ ମୂଲ୍ୟାୟନ ଫଳାଫଳକୁ ଦୃଷ୍ଟିରେ ରଖିବା ଦରକାର । ଆଧାର :ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ