ଗୋଷ୍ଠୀର ନେତୃତ୍ଵ ନେବା ନିମନ୍ତେ ଆବଶ୍ୟକୀୟ ଦକ୍ଷତା / ଗୁଣାବଳୀ ନେତୃତ୍ଵ ସ୍ଵୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯଦି ସ୍ଵୟଂ ସହାୟକ ଗୋଷ୍ଠୀରେ ସଠିକ ନେତୃତ୍ଵ ଚୟନ କରାନଯାଏ ତେବେ ସ୍ଵୟଂ ସହାୟକ ଗୋଷ୍ଠୀର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଏ । ସାଧାରଣତଃ ସ୍ଵୟଂ ସହାୟକ ଗୋଷ୍ଠୀରେ ତିନି ଜଣ ଗୋଷ୍ଠୀ ପ୍ରତିନିଧି ରହିଥାନ୍ତି, ଯଥା – ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ । ସ୍ଵୟଂ ସହାୟକ ଗୋଷ୍ଠୀରେ ପ୍ରତିନିଧି ଚୟନ କରିବା ସମୟରେ ନିମ୍ନଲିଖିତ ଦିଗଗୁଡିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସ୍ଵୟଂ ସହାୟକ ଗୋଷ୍ଠୀରେ ନେତୃତ୍ଵ ନେବା ପାଇଁ ଦକ୍ଷତା ଥିବା ଆବଶ୍ୟକ । ଲେଖାପଢା ଜାଣିଥିବା ଆବଶ୍ୟକ । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ତାଙ୍କୁ ଗ୍ରହଣ କରିବା ଆବଶ୍ୟକ ଏବଂ ତାଙ୍କ କଥାକୁ ଅନୁସରଣ କରିବା ଆବଶ୍ୟକ । ସାମୁହିକ ସ୍ଵାର୍ଥ ନିମନ୍ତେ ବ୍ୟକ୍ତିଗତ ସ୍ଵାର୍ଥକୁ ପରିତ୍ୟାଗ କରିବା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ଅନ୍ୟମାନଙ୍କୁ ଗୁରୁତ୍ଵ ଦେବା ଆବଶ୍ୟକ । ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଗୋଷ୍ଠୀର କାର୍ଯ୍ୟକଳାପ ନିମନ୍ତେ ଅଧିକ ସମୟ ଦେବେ । ଗୋଥିରୁ କୌଣସି ବ୍ୟକ୍ତିଗତ ଫାଇଦା ନଦେବା ଏବଂ ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ଋଣ ନଦେବା ପର୍ଯ୍ୟନ୍ତ ଋଣ ନଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବା। ଗୋଷ୍ଠୀ ନିମନ୍ତେ ଯଥେଷ୍ଟ ସମୟ ଦେବା ପାଇଁ ପ୍ରସ୍ତୁତ ରହିବା ଏବଂ ଗୋଷ୍ଠୀରେ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଉତ୍ପାଦିତ ଜିନିଷର ବିକ୍ରୟ ବ୍ୟବସ୍ଥା କରିବା ଏବଂ ବ୍ୟବସାୟ ପାଇଁ ଆବଶ୍ଯକୀଯ ଉପକରଣ ସଂଗ୍ରହ କରିବା ନିମନ୍ତେ ଚେଷ୍ଟିତ ହେବା । ନିୟମିତ ଭାବରେ ମାସିକ ସଞ୍ଚୟ ଜମା କରିବା ଏବଂ ଋଣ ପରିଶୋଧରେ ଥରେ ମଧ୍ୟ ଅବହେଳା ନକରିବା । ୯୦ ପ୍ରତିଶତରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମାସିକ ବୈଠକରେ ଯୋଗ ଦେଇଥିବେ । ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସ୍ଥିର କରାଯାଇଥିବା ନୀତି ଓ ନିୟମକୁ ପାଳନ କରିବା ନିମନ୍ତେ ପ୍ରସ୍ତୁତ ଥିବେ । ଗୋଷ୍ଠୀ ପ୍ରତିନିଧି ଚୟନ ସଦସ୍ୟାମାନେ ସ୍ଵୟଂ ସହାୟକ ଗୋଷ୍ଠୀରେ ପ୍ରତିନିଧିଙ୍କ ଦାୟିତ୍ଵ ଭଲ ଭାବରେ ବୁଝିଲା ପରେ ସେମାନଙ୍କ ମଧ୍ୟରୁ ତିନିଗୋଟି ଗୋଷ୍ଠୀ ପ୍ରତିନିଧିଙ୍କୁ ଚୟନ କରିବେ । ସଦସ୍ୟାଙ୍କ ଦକ୍ଷତା / ପାରଙ୍ଗମତା ଅନୁଯାୟୀ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ସ୍ଥିର କରାଯିବ । ଗୋଷ୍ଠୀରେ ପ୍ରତିନିଧି ଚୟନ ସମୟରେ ସମସ୍ତ ସଦସ୍ୟା ଉପସ୍ଥିତ ରହିବା ଆବଶ୍ୟକ । ଗୋଷ୍ଠୀ ପ୍ରତିନିଧି ଚୟନ କିମ୍ବା ପରିବର୍ତ୍ତନ କରିବା ସମୟରେ ସମୁଦାୟ ସଦସ୍ୟାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟା ଉପସ୍ଥିତ ରହିବା ଆବଶ୍ୟକ । ଗୋଷ୍ଠୀ ପ୍ରତିନିଧି ପରିବର୍ତ୍ତନ ଯଦି ଗୋଷ୍ଠୀ ପ୍ରତିନିଧି (ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ)ନିଜର ଦାୟିତ୍ଵ ସଠିକ ଭାବରେ ତୁଲାଇ ନପାରନ୍ତି ଅଥବା ସ୍ଵୟଂ ସହାୟକ ଗୋଷ୍ଠୀର ନୀତି ଓ ନିୟମ ପାଳନ କରନ୍ତି / ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଗୋଷ୍ଠୀର ସଦସ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି, ତେବେ ଗୋଷ୍ଠୀର ଦୁଇ ତୃତୀୟାଂଶ ସଦସ୍ୟାଙ୍କ ସହମତି କ୍ରମେ ଉପରୋକ୍ତ ସଦସ୍ୟାଙ୍କୁ ପଦବୀରୁ ବାହାର କରିଦିଆଯିବ । ଗୋଷ୍ଠୀ ଉଦ୍ଦେଶ୍ୟ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀରେ ଗୋଷ୍ଠୀ ପ୍ରତିନିଧି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ସମସ୍ତ ସଦସ୍ୟାଙ୍କ ନେତୃତ୍ଵ ନେବାର ଦକ୍ଷତା ବୃଦ୍ଧିରେ ସହାୟକ ହୁଏ । ଗୋଷ୍ଠୀର କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟାଙ୍କର ପର୍ଯ୍ୟାୟ କ୍ରମରେ ଦାୟିତ୍ଵ ନେବାରେ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ । କିଛି ସଦସ୍ୟାଙ୍କ ଅନୁପସ୍ଥିତିରେ ମଧ୍ୟ ଗୋଷ୍ଠୀର କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିପାରିବାରେ ସହାୟକ ହୋଇଥାଏ । ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସମାନ ସୁଯୋଗ ସୃଷ୍ଟି କରେ । ଅଳ୍ପ କିଛି ସଦସ୍ୟାଙ୍କ ଆଧିପତ୍ୟ / ପ୍ରଭୁତ୍ଵ ଅନୁମତି ଦେଇନଥାଏ । ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତିନିଧିଙ୍କ କାର୍ଯ୍ୟକାଳର ସମୟ ସୀମା ଏକ ବର୍ଷ ସୀମିତ । ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଚାହିଁଲେ ମଧ୍ୟ ସମାନ ବ୍ୟକ୍ତି କ୍ରମାଗତ ଭାବରେ ଦୁଇଥର ନେତୃତ୍ଵ ନେଇପାରିବେ ନାହିଁ । ଗୋଷ୍ଠୀ ପ୍ରତିନିଧି ପ୍ରତ୍ୟକ ବର୍ଷ ପରିବର୍ତ୍ତନ କରାଯିବ । ଗୋଷ୍ଠୀ ପ୍ରତିନିଧିଙ୍କ ସମୟ ସୀମା ଶେଷ ହେବାର ତିନି ମାସ ପୂର୍ବରୁ ନୂତନ ଗୋଷ୍ଠୀ ପ୍ରତିନିଧି ଚୟନ ପ୍ରକ୍ରିୟା କରାଯିବ । ଅଭିଜ୍ଞ ଗୋଷ୍ଠୀ ପ୍ରତିନିଧି (ପୂର୍ବ ପ୍ରତିନିଧି ହୋଇଥିବା ସଦସ୍ୟା) ମାସେ କିମ୍ବା ଦୁଇମାସ ପର୍ଯ୍ୟନ୍ତ ନୂତନ ଗୋଷ୍ଠୀ ପ୍ରତିନିଧିଙ୍କୁ କାର୍ଯ୍ୟ ସମ୍ପାଦନ କରିବାରେ ସହାୟତା କରିବେ, ଅଥବା ଯେପର୍ଯ୍ୟନ୍ତ ନୂତନ ଗୋଷ୍ଠୀ ପ୍ରତିନିଧି ନିଜର ଦାୟିତ୍ଵ ସଠିକ ଭାବରେ ତୁଲାଇବା ନିମନ୍ତେ ସୁନିଶ୍ଚିତ ନହୋଇଛନ୍ତି, ପୂର୍ବରୁ ପ୍ରତିନିଧି ହୋଇଥିବା ସଦସ୍ୟା ତାଙ୍କୁ କାର୍ଯ୍ୟ ସମ୍ପାଦନ କରିବାରେ ସାହାଯ୍ୟ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରତିନିଧିଙ୍କ ଦାୟିତ୍ଵ / ଭୂମିକା ସଭାପତି ସଭାପତି ସ୍ଵୟଂ ସହାୟକ ଗୋଷ୍ଠୀର ମୁଖ୍ୟ, ସେ ନିୟମିତ ଗୋଷ୍ଠୀ ବୈଠକ ସଞ୍ଚାଳନ କରିବେ ଏବଂ ଗୋଷ୍ଠୀର ନିଷ୍ପତ୍ତିରେ ସମସ୍ତ ସଦସ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣକୁ ନିଶ୍ଚିତ କରାଇବେ । ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକ ସଠିକ ଭାବରେ ପରିଚାଳନା କରିବେ ଏବଂ ବୈଠକ ସମୟରେ ଶାନ୍ତି ଶୃଙ୍ଖଳାବଜାୟ ରଖିବେ । ବୈଠକ ବିବରଣୀ ଏବଂ ନିଷ୍ପତ୍ତିକୁ ଅନୁମୋଦନ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀରେ ସଦସ୍ୟାଙ୍କ ପାରସ୍ପରିକ ବିଶ୍ଵାସ ଏବଂ ଆତ୍ମବିଶ୍ଵାସ ବଜାୟ ରଖିବାରେ ଯତ୍ନବାନ ହେବେ । ସଦସ୍ୟାମାନେ ସ୍ଵୟଂ ସହାୟକ ଗୋଷ୍ଠୀର ନୀତି ଓ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରିବେ । ଗୋଷ୍ଠୀରେ ନୂତନ ସଦସ୍ୟା ଯୋଗଦେବା କିମ୍ବା ଗୋଷ୍ଠୀରୁ ସଦସ୍ୟା ବାହାର କରିବା ସମ୍ପର୍କରେ ସଦସ୍ୟାଙ୍କୁ ସହାୟତା କରିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସମସ୍ୟାକୁ ଅନୁଧ୍ୟାନ କରିବେ । ସମସ୍ତ ସଦସ୍ୟା ଏବଂ ଅନ୍ୟ ଗୋଷ୍ଠୀ ପ୍ରତିନିଧିଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବେ । ଗୋଷ୍ଠୀର ସମସ୍ତ କାର୍ଯ୍ୟକ୍ରମ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ସହିତ ମିଳିତ ଭାବରେ ସଞ୍ଚାଳନ କରିବେ । ଗୋଷ୍ଠୀର ଆୟ, ବ୍ୟୟ ଏବଂ ସମସ୍ତ ଆର୍ଥିକ ବିବରଣୀର ତଦାରଖ କରିବେ । ଗୋଷ୍ଠୀ ସଞ୍ଚୟ ଖାତାର ଜଣେ ସ୍ଵାକ୍ଷରକାରୀ ରହିବେ । ଗୋଷ୍ଠୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜନ / ସଂଗଠନ କରିବେ । ଗୋଷ୍ଠୀରେ ସ୍ଵଚ୍ଛତା ବଜାୟ ରଖିବେ । ମହାସଂଘ ସ୍ତରରେ ଗୋଷ୍ଠୀର ପ୍ରତିନିଧିତ୍ଵ କରିବେ । ବ୍ୟାଙ୍କ ଏବଂ ମହାସଂଘ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବେ । ସମ୍ପାଦକ ସଭାପତିଙ୍କ ଅନୁପସ୍ଥିତିରେ ଗୋଷ୍ଠୀରେ ସଭାପତିଙ୍କ ଦାୟିତ୍ଵ ନିର୍ବାହ / କାର୍ଯ୍ୟକ୍ରମ କରିବେ । ଗୋଷ୍ଠୀର ସମସ୍ତ ବୈଠକ ଆୟୋଜନ ଏବଂ ସଞ୍ଚାଳନ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ କାର୍ଯ୍ୟ ପରିଚାଳନାରେ ସଭାପତିଙ୍କୁ ସହାୟତା ପ୍ରଦାନ କରିବେ । ବୈଠକ ପୂର୍ବରୁ ବୈଠକ ସୂଚୀ ପ୍ରସ୍ତୁତ କରିବେ ଏବଂ ବୈଠକର ବିବରଣୀ ଲେଖିବେ ଅଥବା ଲେଖିବାର ତଦାରଖ କରିବେ । ବୈଠକରେ ଗୋଷ୍ଠୀର ଖାତାପତ୍ର ଯାଞ୍ଚ କରିବେ ଏବଂ ଗୋଷ୍ଠୀର ସଦସ୍ୟାଙ୍କୁ ଅବଗତ କରାଇବେ । ସ୍ଵୟଂ ସହାୟକ ଗୋଷ୍ଠୀରେ ସମସ୍ତ ଅର୍ଥନୈତିକ କାରବାରର ତଥ୍ୟ ଉପସ୍ଥାପନ କରିବେ ଯଥା : ଆୟ, ବ୍ୟୟ, ଲାଭ, କ୍ଷତି, ବଳକା ଅର୍ଥ । ଗୋଷ୍ଠୀ ସଞ୍ଚୟ ଖାତାର ଜଣେ ସ୍ଵାକ୍ଷରକାରୀ ରହିବେ । ବ୍ୟାଙ୍କ, ପୋଷ୍ଟ ଅଫିସ୍, ଅଙ୍ଗନୱାଡି କର୍ମୀ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସହିତ ସମନ୍ଵୟ / ସୁସମ୍ପର୍କ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଗୋଷ୍ଠୀରେ ଋଣ ପରିଶୋଧର ମାତ୍ରା ୧୦୦ ପ୍ରତିଶତ ନିଶ୍ଚିତ କରିବେ । ବକେୟା ଋଣ ପରିଶୋଧ ନିମନ୍ତେ ସହଯୋଗ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ପ୍ରତିନିଧି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କ ସହଯୋଗରେ ଗୋଷ୍ଠୀରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବେ । କୋଷାଧ୍ୟକ୍ଷ ସମସ୍ତ ଆର୍ଥିକ ଦେଣନେଣ (ଅର୍ଥ) କାରବାର କରିବେ । ଖାତା ପତ୍ର ଲେଖିବେ, ବୈଠକରେ ଅର୍ଥ କାରବାର ସମୟରେ ସେ ସଭାପତି ଓ ସମ୍ପାଦକଙ୍କର ସାହାଯ୍ୟ ନେଇପାରିବେ ଏବଂ ସଞ୍ଚୟ ଟଙ୍କା ସୁରକ୍ଷିତରେ ରଖିବାପାଇଁ ମୁଖ୍ୟ ଦାୟିତ୍ଵ ବହନ / ଗ୍ରହଣ କରିବେ । ସମସ୍ତ ଆର୍ଥିକ କାରବାର ବିବରଣୀ / ଖାତାପତ୍ର ତାଙ୍କ ନିକଟରେ ରଖାଯିବ, ଯଦିଆ ଏହା ଗୋଷ୍ଠୀର ସମ୍ପାଦକ ଅଥବା ଅନ୍ୟ କୌଣସି ସଦସ୍ୟାଙ୍କ ଦ୍ଵାରା ଲେଖାଯାଇଥାଏ । ଗୋଷ୍ଠୀର ନିୟମ ଅନୁଯାୟୀ ବ୍ୟାଙ୍କରେ ଟଙ୍କା ଜମା କରିବେ ଏବଂ ଉଠାଇବେ । ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଅନୁମୋଦନ ହୋଇଥିବା ଋଣ ସଦସ୍ୟାଙ୍କୁ ପ୍ରଦାନ କରିବେ ଏବଂ ମାସିକ ସଞ୍ଚୟ, ଋଣ, ଜୋରିମାନା ଆଦାୟ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସଞ୍ଚୟ ବାକ୍ସ ସଭାପତିଙ୍କ ପାଖରେ ରଖାଯାଇପାରିବ । ସଞ୍ଚୟ ବାକ୍ସର ଚାବି କୋଷାଧ୍ୟକ୍ଷ ତତ୍ତ୍ଵାବଧାନରେ ରଖାଯିବ । ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସ୍ଥିତି (ସଞ୍ଚୟ, ଦେଣନେଣ, ଗୋଷ୍ଠୀର ସମୁଦାୟ ପାଣ୍ଠି) ବୈଠକରେ ସମସ୍ତ ସଦସ୍ୟାଙ୍କୁ ଅବଗତ କରାଇବେ । ମହାସଂଘ ଦ୍ଵାରା ହେବାକୁ ଥିବା ଆକାଉଣ୍ଟ ଯାଞ୍ଚ ସମୟରେ ସହଯୋଗ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀ ସ୍ତରରେ ସମସ୍ତ ତଥ୍ୟ ଯଥା ସମସ୍ତ ସଦସ୍ୟଙ୍କ ସଞ୍ଚୟ ପରିମାଣ, ବୈଠକ ବିବରଣୀ ଲେଖିବା, ଗୋଷ୍ଠୀର ଅନ୍ତଃ ଋଣ ଦେଣନେଣ ପରିମାଣ ସହିତ ଋଣର ଉଦ୍ଦେଶ୍ୟ, ଋଣ ପରିଶୋଧ ବିବରଣୀ ସଠିକ ଭାବରେ ଲେଖିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସ୍ଵୟଂ ସହାୟକ ଗୋଷ୍ଠୀର ନୀତି ନିୟମ ପାଳନ କରିବେ । ଗୋଷ୍ଠୀ ମଧ୍ୟରେ ପରସ୍ପର ମଧ୍ୟରେ ବିଶ୍ଵାସ ଏବଂ ଆତ୍ମ ବିଶ୍ଵାସ ବୃଦ୍ଧି ନିମନ୍ତେ ଯତ୍ନବାନ ହେବେ । ନିୟମିତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀ ବୈଠକରେ ଯୋଗ ଦେବେ ଏବଂ ଆଲୋଚନା ଓ ନିଷ୍ପତ୍ତି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବେ । ବୈଠକରେ ନିୟମିତ ଭାବରେ ସଞ୍ଚୟ ରାଶି ଜମା କରିବେ । ଋଣର ସଠିକ ଦେଣନେଣ କରିବେ ଏବଂ ନିୟମିତ ଭାବରେ ଋଣ ପରିଶୋଧ କରିବେ । ଏହି ଋଣ ଅନ୍ତଃଋଣ କିମ୍ବା ବାହାର ଋଣ ହୋଇପାରେ । ସ୍ଵୟଂ ସହାୟକ ଗୋଷ୍ଠୀର ସ୍ଵାର୍ଥରେ ଆଞ୍ଚ ଆସୁଥିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ଥିବା ସମସ୍ତ ସମସ୍ୟା, ବିବାଦ ଓ ମନୋମାଳିନ୍ୟର ଆପୋଷ ସମାଧାନ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀର ସଫଳ ପରିଚାଳନା ଏବଂ ସ୍ଥାୟିତ୍ଵ ନିମନ୍ତେ କାର୍ଯ୍ୟ କରିବେ । ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ