ହୋମ / କୃଷି / କୃଷି ସରଞ୍ଜାମ / ଖତ ଓ ସାର / ସବୁଜ ଖତ ଏବଂ ଜୈବ ଉର୍ବରକ
ସେଆର କରନ୍ତୁ

ସବୁଜ ଖତ ଏବଂ ଜୈବ ଉର୍ବରକ

ସବୁଜ ଖତ ପ୍ରସ୍ତୁତି କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ସବୁଜ ଖତ

କଞ୍ଚା ଓ କଅଁଳ ସବୁଜ ଡାଳପତ୍ର ଇତ୍ୟାଦିକୁ ଜମିରେ ପ୍ରୟୋଗ କରି ମାଟିରେ ମିଶାଇ ଦେଲେ ତାହା ସଢିଯାଇ ଖତ ହୋଇଯାଏ । ଏହାକୁ ସବୁଜ ଖତ କୁହାଯାଏ ।

ସବୁଜ ଖତ ଦୁଇ ପ୍ରକାର ପ୍ରଣାଳୀରେ ପ୍ରୟୋଗ କରାଯାଏ ଯଥା : - (୧) ସ୍ଵସ୍ଥାନ ସବୁଜ ଖତ (୨) କ୍ଷେତ ବାହାରେ ସବୁଜ ଖତ ।

ସ୍ଵସ୍ଥାନ ସବୁଜ ଖତ

ଏହି ପ୍ରଣାଳୀରେ ଜମିରେ ସବୁଜଖତ ଫସଲର ମଞ୍ଜି ବୁଣାଯାଏ । ଗଝ ୧ ମାସରୁ ୨ ମାସ ହୋଇଗଲେ କଅଁଳ ଥିବା ଅବସ୍ଥାରେ ଏହାକୁ ଜମିରେ ଚଷି ଦିଆଯାଏ । ସାଧାରଣତଃ ମୁଖ୍ୟ ଫସଲ ଲଗାଇବାର ୨ ମାସ ଆଗରୁ ସବୁଜ ଫସଲ ମଞ୍ଜି ବୁଣାଯାଏ । କିନ୍ତୁ ବୁଣାଧାନ ଫସଲରେ ଧାନବିହନ ଓ ସବୁଜ ଖତ ଫସଲ ମଞ୍ଜି ମିଶାଇ ବୁଣାଯାଏ । ବେଉଷଣବେଳେ ସବୁଜ ସାର ମାଟିରେ ଡାଲି ହୋଇ ମିଶିଯାଏ । ଧନିଚା ଛଣପଟ, ଗୁଆର , ବରଗୁଡି ଇତ୍ୟାଦି ସବୁଜ ସାର ପାଇଁ ବ୍ୟବହାର କରାଯାଏ ।

ଉତ୍କୃଷ୍ଟ ସବୁଜ ଖତ ଫସଲର ଗୁଣାବଳୀ

  1. ଛୁଇଁ ଜାତୀୟ ଫସଲ ଏଥିପାଇଁ ବିଶେଷ ଉପଯୁକ୍ତ ଏହି ଫସଲ ଚେରରେ ଭାତୁଡି ହୁଏ । ଭାତୁଡିରେ ଶାକାଣୁ ଥାନ୍ତି । ଚେରରେ ଶାକାଣୁ ଦ୍ଵାରା ଯବକ୍ଷାର ନିବନ୍ଧନ ହୁଏ । ସବୁଜ ଖତ ଫସଲକୁ ଚଷି ଦେଲେ ହେକ୍ଟର ପିଚ୍ଛା ଅନ୍ୟୁନ ୩୦ ରୁ ୪୦ କି.ଗ୍ରା. ଯବକ୍ଷାରଜାନ ମୃତ୍ତିକାରେ ମିଶେ ।
  2. ବେଶୀ ଦିନ କଅଁଳ ରହୁଥିବା ଛୁଇଁ ଜାତୀୟ ଫସଲ ସବୁଜ ସାର ପାଇଁ ବିଶେଷ ଉପଯୁକ୍ତ । ଏହା ଶୀଘ୍ର ସଢି ପାରୁଥିବା ଉଚିତ୍ ।
  3. ଅଳ୍ପଦିନ ମଧ୍ୟରେ ଅଧିକ ତାଳପତ୍ର ଉପୁଯାଇ ହୁ ହୁ ହୋଇ ଶୀଘ୍ର ବଢିପାରୁଥିବା ଏବଂ ଚାଷ କରି ଦେଲାପରେ ମାଟିରେ ଶୀଘ୍ର ସଢି ପାରୁଥିବା ଏବଂ ଚାଷ କରିଦେଲା ପରେ ମାଟିରେ ଶୀଘ୍ର ସଢିପାରୁଥିବା ଫସଲ ସବୁଜସାର ପାଇଁ ଉପଯୁକ୍ତ ।
  4. ସବୁଜ ଖତ ଉପଯୁକ୍ତ ଫସଲ ରୁକ୍ଷ ଅନୁର୍ବର ମାଟିରେ ମଧ୍ୟ ଶୀଘ୍ର ବଢି ପାରୁଥିବା ଏବଂ ଅଧିକ ସବୁଜ ପଦାର୍ଥ ଉପୁଜାଇ ପାରୁଥିବା ଆବଶ୍ୟକ । ନିମ୍ନରେ କେତେକ ସବୁଜ ଖତର ତାଲିକା ଦିଆଯାଇଛି ।

କ୍ର.ନଂ

ଫସଲର ନାମ

ବଢୁଥିବା ସବୁଜ ପଦାର୍ଥ ପରିମାଣ (୨ ମାସରେ)

ସବୁଜ ପଦାର୍ଥରେ ଯବକ୍ଷାରଜାନ ଭାଗ

୧.

ଧନିଚା

୧୫ ଟନ୍

୦.୪%

୨.

ଛଣପଟ

୧୫ ଟନ୍

୦.୪%

୩.

ବରଗୁଡି

୧୨ ଟନ୍

୦.୫%

୪.

କୋଳଥ

୧୦ ଟନ୍

୦.୩%

ସାଧାରଣତଃ ଧାନ ଜମିରେ ଧନିଚା ଏବଂ ମକା , ଗହମ, ଜୁଅର ଇତ୍ୟାଦି ଫସଲ ପୂର୍ବରୁ ଛଣପଟ , ବରଗୁଡି ପ୍ରଭୃତି ସବୁଜ ଖତ ଫସଲ ହିସାବରେ ଚାଷ କରାଯାଏ । ସବୁଜ ଖତ ପାଇଁ ଏହି ଫସଲକୁ ଧରିବା ବେଳେ ଚଷି ଦେବା ଆବଶ୍ୟକ ।

ବରଗୁଡି ଓ ଗୁଆର ଇତ୍ୟାଦି ଫସଲକୁ ୨/ ୩ ସପ୍ତାହ ମଧ୍ୟରେ କଅଁଳ ଛୁଇଁ ତୋଳି ତା ପରେ ଗଛ ଅତ୍ୟଧିକ ପାକଳ ହେବା ପୂର୍ବରୁ ଜମିରେ ଚଷି ଦିଆଯାଏ । ଏହାଦ୍ଵାରା ଫସଲକୁ ପାରିବ ସବୁଜ ଖତ ଉଭୟ ଉପକାର ମିଳିଥାଏ ।

ସବୁଜ ଖତ ଫସଲ ଚାଷ ଓ ପ୍ରୟୋଗ ବିଧି

  1. ଜମିକୁ ଚାଷ କରି ହେକ୍ଟର ପିଚ୍ଛା ୪୦ କି.ଗ୍ରା. ଫସଫେଟ୍ ଯୋଗାଇବା ପାଇଁ ଆବଶ୍ୟକ ପରିମାଣ ସୁପରଫସଫେଟ୍ ବା ରକ୍ ଫସଫେଟ୍ ପ୍ରୟୋଗ କରାଯାଏ । ଫସଫେଟ୍ ସାର ପ୍ରୟୋଗ ଦ୍ଵାରା ଶୀଘ୍ର ଚେର ବୃଦ୍ଧି ହୁଏ ଏବଂ ଶାକାଣୁ ଭାତୁଡି ସୃଷ୍ଟି ଅଧିକ ଯବକ୍ଷାର ନିବନ୍ଧନ ହୋଇଥାଏ ।
  2. ଏହା ପରେ ଗହଳିଆ କରି ହେକ୍ଟର ପିଚ୍ଛା ୨୫ କି.ଗ୍ରା. ହିସାବରେ ସବୁଜଖତ ଫସଲର ମଞ୍ଜି ବୁଣାଯାଏ । ବହଳିଆ ହୋଇ ଅଧିକ ସଂଖ୍ୟକ ଗଛ ଉଠେ । ଧାନ ସହିତ ମିଶ୍ରିତ ଫସଲ ଭାବରେ ସବୁଜ ଖତ ଫସଲ ବୁଣା ଯାଉଥିଲେ ହେକ୍ଟର ପିଚ୍ଛା ୧୫ କି.ଗ୍ରା. ମଞ୍ଜି ଆବଶ୍ୟକ ହୋଇଥାଏ ।
  3. ସବୁଜ ଖତ ଫସଲ ୧ମାସର ହୋଇଗଲେ ଗଛ ପାକଳ ଓ ଟାଣୁଆ ହେବା ପୂର୍ବରୁ ଚଷି ଦିଆଯାଏ । ସବୁଜ ଖତ ଫସଲ ଚଷିବା ସମୟରେ ଜମିରେ ଯଥେଷ୍ଟ ଓଦା ଥିବା ବା ଅଳ୍ପ ପାଣି ଥିବା ଆବଶ୍ୟକ । ଜମି ଚଷି ଦେଇ ମଇ ଦିଆଯାଏ ।
  4. ସବୁଜ ଖତ ଗଛ ସଢିବା ପାଇଁ ୨ /୩ ସପ୍ତାହ ଲାଗେ । ଏହାପରେ ମୁଖ୍ୟ ଫସଲ ଲଗାଯାଏ । ମୁଖ୍ୟ ଫସଲରେ ଆଉ ଫସଫେଟ୍ ସାର ଦେବା ଆବଶ୍ୟକ ହୁଏ ନାହିଁ ଏବଂ ଆବଶ୍ୟକ ଯବକ୍ଷାର ସାର ପ୍ରୟୋଗ ପରିମାଣ ହ୍ରାସ କରାଯାଏ ।

କ୍ଷେତ ବାହାରେ ସବୁଜ ଖତ ଫସଲ ଚାଷ

ସୁବିଧା ଅନୁସାରେ ଗୋଟିଏ କିଆରିରେ ସବୁଜ ଖତ ଫସଲ ଚାଷ କରି – ୨ ମାସ ପରେ ଏହାକୁ କାଟି ନେଇ ଆଉ ଗୋଟିଏ କିଆରିରେ ପକେଇ ଚାଷ କରି ମାଟିରେ ମିଶାଇ ଦିଆଯାଇପାରେ । ଏହାକୁ ସବୁଜ ପତ୍ର ସାର ପ୍ରୟୋଗ କୁହାଯାଏ । ଏହା କିନ୍ତୁ କିଆରିରେ ବୁଣା ହୋଇ ବଢିଗଲାପରେ ମାଟିରେ ମିଶାଇ ଦିଆ ଯାଉଥିବା ସବୁ ସବୁଜ ଖତ ଫସଲ ତୁଳନାରେ କମ୍ ଯବକ୍ଷାରଜାନ ଓ ଜୈବାଂଶ ଯୋଗାଇଥାନ୍ତି ।

ଢିପ ଓ ଟାଙ୍ଗର ଜମିରେ ରାସ୍ତା ପାର୍ଶ୍ଵ , ଜମିର ହୁଡା, ବାଡି ବଗିଚାରେ ବାଡରେ ଶୀଘ୍ର ଶୀଘ୍ର ଡାଳପତ୍ର ମେଲି ବଢି ପାରୁଥିବା ଗଛ ଲଗାଯାଏ । ସାଧାରଣତଃ ଯବକ୍ଷାର ନିବନ୍ଧନ ଶକ୍ତି ଥିବା ଗ୍ଲ ଇରିସିଡିଆ, ବନଚାକୁଣ୍ଡା , ସୁବାବୁଲ ପ୍ରଭୃତି ଗଛ ଏଥିପାଇଁ ବିଶେଷ ଉପଯୁକ୍ତ । ଏହିସବୁ ଗଛରୁ ପ୍ରତି ୩/୪ ମାସରେ ଥରେ କଅଁଳ ଡାଳପତ୍ର କାଟିନେଇ ଜମିରେ ପ୍ରୟୋଗ କରି ଚଷି ଦିଆଯାଏ । ପୁଣି ଗଣ୍ଡିରୁ ଗୋଚ୍ଛା ଗୋଚ୍ଛା ଡାଳ କଅଁଳେ । ତେଣୁ ବାରମ୍ବାର ଡାଳପତ୍ର କାଟିନେଇ ଜମିରେ ପ୍ରୟୋଗ କରାଯାଏ । ଏସବୁ ଗଛର ଡାଳ ପତ୍ରରେ ଅଧିକ ଭାଗ ଯବକ୍ଷାରଜାନ ଥାଏ ।

ଆଜୋଲା ସବୁଜ ଖତ

ଆଜୋଲା ଏକ ପ୍ରକାର ଦଳ । ଏହାର ପତ୍ରଖୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାର ନିବନ୍ଧନ କରିଥାଏ । ଏହି ଦଳ ଖୁବ୍ ଶୀଘ୍ର ବଂଶ ବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ ଇଞ୍ଚ ଠିଆ ପାଣି ରଖି ଆଜୋଲା ଦଳ ଛାଡି ଦିଆଯାଏ । ଏଥିପାଇଁ ହେକ୍ଟର ପିଚ୍ଛା ୧୦୦୦ କି.ଗ୍ରା. ଛଣା ଆଜୋଲା ଦଳ ଆବଶ୍ୟକ ଏହି ପରିମାଣ ଆଜୋଲା ଦଳ ପାଇବା ପାଇଁ ଆଗରୁ ପୋଖରୀ , ଯୋର ବା ପାଣି ଜମି ରହୁଥିବା କୌଣସି ଖାଲୁଆ ସ୍ଥାନରେ ଆଜୋଲା ଦଳର ବଂଶ ବିସ୍ତାର କରାଯାଏ । ଏବଂ ସେଠାରୁ ସଂଗ୍ରହ କରି ଆଣି ଧାନ ଜମିରେ ଛାଡି ଦିଆଯାଏ । ଆଜୋଲା ଦଳ ଶୀଘ୍ର ବଢିବା ପାଇଁ ଓ ବିସ୍ତାର ଲାଭ କରିବା ପାଇଁ ମୃତ୍ତିକାର ଗ୍ରହଣୀୟ ଫସଫେଟ୍ ପରିମାଣ ଅଧିକା ହେବା ଦରକାର । ତା’ ନହେଲେ ଆଜୋଲା ଦଳ କିଆରିରେ ପକାଇବା ସମୟରେ ଏବଂ ତାପରେ ଆଜୋଲା ବଢୁଥିବା ସମୟରେ ପ୍ରତି ୭/୮ ଦିନ ବ୍ୟବଧାନରେ ସୁପର ଫସଫେଟ୍ ସାରକୁ ପାଣିରେ ଗୋଳାଇ ପ୍ରୟୋଗ କରାଯାଏ । ମୋଟରେ ହେକ୍ଟର ପିଛା ୨୫୦ କି.ଗ୍ରା. ସିଙ୍ଗିଲ ସୁପର ଫସଫେଟ୍ ପ୍ରୟୋଗ କରାଯାଏ । ଏହି ଫସଫେଟ୍ ସାର ପରବର୍ତ୍ତୀ ଧାନ ଫସଲର ଆବଶ୍ୟକତା ମଧ୍ୟ ପୂରଣ କରେ । ଆଜୋଲା ବିସ୍ତାର ଲାଭ କରିବା ପାଇଁ ୪/୫ ସପ୍ତାହ ସମୟ ଲାଗେ ତାପରେ ଜମିରୁ ପାଣି ନିଗାଦୀ ଦେଇ ଚଷି ଦେଲେ ଆଜୋଲା ଦଳ ମୃତ୍ତିକାର ମିଶିଯାଏ ଏବଂ ଖୁବ୍ ଶୀଘ୍ର ସଢିଯାଏ । ହେକ୍ଟର ପିଛା ପ୍ରାୟ ୨୦-୩୦ କି.ଗ୍ରା. ଯବକ୍ଷାରଜାନ ମୃତ୍ତିକାରେ ମିଶେ । ଧାନ ରୋଇବା ପରେ କିମ୍ବା ବେଉଷଣ କରିସାରିବା ପରେ ମଧ୍ୟ ଜମିରେ ପାଣିରଖି ଆଜୋଲା ଛାଡି ଦିଆଯାଏ ଏବଂ ଆଜୋଲା ବିସ୍ତାର ଲାଭ କଲାପରେ ଜମିରୁ ପାଣି ନିଗାଡି ଦେଲେ ଆଜୋଲା ମାଟିରେ ସଢି ମିଶିଯାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top