ସେଆର କରନ୍ତୁ

ଅଁଳା

ଭାରତୀୟ ବନୌଷଧି ମଧ୍ୟରେ ଅଁଳା ବୃକ୍ଷ ସର୍ବପରିଚିତ ଉଦ୍ଭିଦ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି ।

ବୈଜ୍ଞାନିକ ନାମ : ଏମ୍ବ୍ଲିକା ଅଫିସିନାଲିସ

ବଂଶ :  ଇଉଫୋରବିୟେସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଅଁଳା

ସଂସ୍କୃତ – ଅମଳକୀ , ଧାତ୍ରୀଫଳ

ଗୁଜୁରାଟୀ – ଆମଲୀ

ତେଲୁଗୁ – ଉସରିକାୟ

ଇଂରାଜୀ – Emblic nyrobalan , Indian gooseberry

ଉପକ୍ରମ

ଭାରତୀୟ ବନୌଷଧି ମଧ୍ୟରେ ଅଁଳା ବୃକ୍ଷ ସର୍ବପରିଚିତ ଉଦ୍ଭିଦ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଆୟୁର୍ବେଦର ତ୍ରିଫଳା ଦ୍ରବ୍ୟ ମଧ୍ୟରେ ହରଡା , ବାହାଡା ସହିତ ଏହା ଅନ୍ୟତମ ସହଯୋଗୀ ଔଷଧୀୟ ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ  । ଏହା ଛଡା ଆୟୁର୍ବେଦର ସୁପ୍ରସିଦ୍ଧ ରସାୟନ ଔଷଧ “ ଚ୍ୟବନପ୍ରାସ “ ପ୍ରସ୍ତୁତିରେ ମଧ୍ୟ ଏହାକୁ ମୁଖ୍ୟ ଉପାଦାନ ରୂପେ ପ୍ରୟୋଗ କରାଯାଇଥାଏ । ଦେଶୀୟ ଚିକିତ୍ସାରେ ଅନେକ ପ୍ରକାର ଛୋଟ ବଡ ରୋଗର ଉପଚାର ପାଇଁ ଏହାର ଉପାଦେୟତା ଯୋଗୁଁ ଏହା ସମସ୍ତଙ୍କର ପ୍ରିୟ ବନୌଷଧି ଦ୍ରବ୍ୟ ପରିଗଣିତ ହୋଇପାରିଛି  ।

ପରିବ୍ୟାପ୍ତ

ଅଁଳା ସମଗ୍ର ଭାରତରେ ବିଶେଷତଃ ଉତ୍ତର ଭାରତ, ବିହାର, ପୂର୍ବାଞ୍ଚଳ ରାଜ୍ୟର ପର୍ଣ୍ଣମୋଚୀ ଜଙ୍ଗଲରେ ଏବଂ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳେ । ଏହାକୁ ମଧ୍ୟ ସମତଳ ଅଞ୍ଚଳରେ ଲଗାଯାଇପାରିବ । ଦେଶର ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଜଙ୍ଗଲ ସମ୍ପଦର ଅବକ୍ଷୟର ପରୋକ୍ଷ ପ୍ରଭାବରେ ଅଁଳାବୃକ୍ଷ ମଧ୍ୟ ବିରଳ ହୋଇଯାଉଛି  ।  ତେବେ ଏହାର ଔଷଧୀୟ ଚାହିଦାକୁ ବିଚାରକଲେଳ ଏହାର କୃଷିକରଣ ଆବଶ୍ୟକ ମନେହୁଏ  ।

ଉଦ୍ଭିଦ ପରିଚୟ

ଅଁଳା ଗଛ ଆମ ଦେଶରେ ବଣଜଙ୍ଗଲ ଠୁ ଆରମ୍ଭ କରି ଦେବାଳୟ ଓ ବାଡିବଗିଚାରେ ଦେଖିବାକୁ ମିଳେ । ଏହି ମଧ୍ୟମାକାର ବିଶିଷ୍ଟ ବୃକ୍ଷଟି ୮ ମିଟରରୁ ୧୯ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ । ଏହାର ପତ୍ର ତେନ୍ତୁଳି ପତ୍ର ପରି ଅପେକ୍ଷା କୃତ ଛୋଟ  । ପ୍ରତ୍ୟେକ ପତ୍ରକକ୍ଷରେ ଫୁଲ ଧରେ , ଫୁଲ ରୁ ଫଳ ବାହାରେ ଏବଂ ତାହା ପତ୍ରତଳେ ଝୁଲି ରହିଥାଏ । ଫଳଗୁଡିକ ଛୋଟ ବରକୋଳି ପରି ଗୋଲାକାର ,  ଛଅ ଗୋଟି ରେଖାଯୁକ୍ତ , ଡାଳସହ ସଂଯୁକ୍ତ ଏବଂ କଞ୍ଚା ଅବସ୍ଥାରେ ସବୁଜ ତଥା ପାଚିଲା ଅବସ୍ଥାରେ ସବୁଜ ମିଶା ହଳଦିଆ ରଙ୍ଗର । ଫଳର ସ୍ଵାଦ କଷାଳିଆ  । ଅଁଳା ଫଳ ଖାଇବା ପରେ ପାଣି ପିଇଲେ ମିଠାଲାଗେ । ଅଁଳା ବୃକ୍ଷରେ ବର୍ଷାଦିନେ ଫୁଲ କଷି ଧରି । ଶୀତ ଦିନ ବେଳକୁ ଫଳ ପାଚୀଯାଏ । ବହୁତ ପାଚିଗଲେ ଫଳ ଝଡିଯାଏ । ଫଳ ଭୀତରେ ମଞ୍ଜି ଥାଏ । ଶୁଖିଲା ଫଳଗୁଡିକରୁ ଆପଣାଛାଏଁ ଫଳର ଶସ ଭାଗ ଭାଗ ହୋଇ ଝଡିଯାଏ । ଗୋଟିଏ ଅଁଳା ଫଳ ପ୍ରାୟ ୬ ଭାଗରେ ବିଭକ୍ତ ହୋଇ ମଞ୍ଜିରୁ ଅଲଗା ହୋଇଯାଏ  ।

ରାସାୟନିକ ସଂଗଠନ

ରାସାୟନିକ ଦୃଷ୍ଟିରୁ ଅଁଳା ଫଳରେ ଥିବା ଟେନନରେ ଗେଲିକ ଏସିଡ , ଏଲେଗିକ ଏସିଡ ଏବଂ ଗ୍ଳୁକୋଜ ଥାଏ ।  ଏଥିରୁ ଭିଟାମିନ-ସି ତଥା ପେକ୍ଟିନ ବହୁତ ଅଧିକ ମାତ୍ରାରେ ମୂଳିଥାଏ । ଭିଟାମିନ –ସି ର ମାତ୍ରା ୧୦୦ ଗ୍ରାମ ଅଁଳା ଫଳରେ ୬୦୦-୯୨୧ ମିଗ୍ରା ପର୍ଯ୍ୟନ୍ତ ମିଳିଥାଏ । ଅଁଳା ଶୁଖିଲା ଚୂର୍ଣ୍ଣରେ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ –ସି ଥାଏ କରଣ ଏଥିରେ ଥିବା ଟେନିନ ଭିଟାମିନ-ସି ନଷ୍ଟ ହେବାକୁ ଦିଏନାହିଁ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଅଁଳା ଏକ ବହୁପଯୋଗୀ ବନୌଷଧି । ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଅଁଳା ଯଥେଷ୍ଟ ମହତ୍ତ୍ଵ ରହିଛି  । ଅଁଳାର ପକ୍ଵ ଫଳ ରସାୟନ, ବୃଷ୍ୟ , ରକ୍ତପିତ୍ତହର ସମତଳ , ମୃଦୁ ବିରେଚକ , ମୁତ୍ରଳ ଏବଂ ଯକୃତ ଦୋଷହର ଗୁଣ ବିଶିଷ୍ଟ ଅଟେ  । ଏହାର ଶୁଖିଲା ଫଳ ଗ୍ରାହୀ , ଶୀତଳ ଦୀପନ ଏବଂ ରକ୍ତସ୍ରାବରୋଧକ ଅଟେ । ପ୍ରତିଦିନ ଅଁଳା ଚୂର୍ଣ୍ଣକୁ ୬ ଗ୍ରାମ ମାତ୍ରାରେ ମହୁ ସହିତ ସେବନ କଲେ ସ୍ମୃତି , ମେଧା ଓ କାନ୍ତି ବୃଦ୍ଧି ପାଇଥାଏ ଏବଂ ଶ୍ଵାସ, କାଶ କ୍ଷୟ , ରକ୍ତହୀନତା , ଅଗ୍ନିମାଦ୍ୟ ମ ପ୍ରଭୁତି ଦୂର ହୋଇଥାଏ  । ଆହୁରି ମଧ୍ୟ ଅଁଳା ଚୂର୍ଣ୍ଣ , ଅତିସାର ବା ଡାଇରିଆ , ଅତ୍ୟଧିକ ଋତୁସ୍ରାବଜନିତ ସମସ୍ୟାର ଉପଚାର କ୍ଷେତ୍ରରେ ବିଶେଷ ଫଳପ୍ରଦ ଅଟେ । ଆୟୁର୍ବେଦର ସୁପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ ‘ ଚ୍ୟବନପ୍ରାଶ “ ର ମୁଖ୍ୟ ଉପାଦାନ ହେଉଛି ଅଁଳା  ।

ଚାଷ ପ୍ରଣାଳୀ

ଅଁଳା ଗଛ ମଞ୍ଜି ଦ୍ଵାରା ବଂଶ ବିସ୍ତାର କରାଯାଇଥାଏ । ଜାନୁଆରୀ ମାସରେ ପାଚିଲା ଫଳସବୁ ସଂଗ୍ରହ କରାଯାଏ ଓ ତାକୁ ସୁଖାଯାଏ ।  ବର୍ଷାଋତୁରେ ଏହାକୁ ରୋପଣ କରାଯାଏ  । ମଞ୍ଜିଗୁଡିକ ୨୪ ଘଣ୍ଟା ପାଣିରେ ବୁଡାଇ ଛାଣିଲେ ପରେ ଓଦା ଅଖାରେ ଗଜା ହେବା ପର୍ଯ୍ୟନ୍ତ ଗୁଡାଇ ରଖାଯାଏ । ୩-୪ ଦିନରେ ମଞ୍ଜିରୁ ଗଜା ବାହାରିଥାଏ । ଗଜା ହେଉଥିବା ମଞ୍ଜିର ପରିମାଣ ଶତକଡା ୭୦-୮୦ ଭାଗ । ଦ୍ଵିତୀୟ ବର୍ଷ ୪୫X ୪୫X ୪୫ ଘନ ସେମି ଗାତରେ ଖତ ଦିଆଯାଏ ୨ ମିଟର ବ୍ୟବଧାନରେ ଗଛ ଲଗାଯାଏ । ଖରାଦିନେ ସପ୍ତାହକୁ ଦୁଇଥର ଜଳସେଚନ କରାଯିବା ଦରକାର । ଗଜା ମଞ୍ଜିଗୁଡିକ ମାଟି ଥିବା ପଲିଥିନ ମୁଣାରେ ଲଗାଯାଏ  ।

ମୃତ୍ତିକା ଓ ଜଳବାୟୁ

ଅଁଳା ଚାଷ ପାଇଁ ହାଲକା ମାଟି ବିଶେଷ ଉପଯୋଗୀ ନୁହେଁ  । ବାଲିଆ ମାଟି ଏହାର କୃଷିକରଣ ପାଇଁ ଉପଯୋଗୀ ନୁହେଁ  ।  ପାହାଡିଆ ତଥା ନିଗିଡା ଉର୍ବର ଦୋରସା ମୃତ୍ତିକା ଥିବା ଅଞ୍ଚଳ ଏହା ପାଇଁ ପ୍ରକୃଷ୍ଟ ଅଟେ  । ଏହା କମ ଆଦ୍ରତା ତଥା ଶୁଷ୍କ ଜଳବାୟୁରେ ଚାଷ କରଯାଇପାରିବ  । ଏହା ବିଭିନ୍ନ ପ୍ରକାର ମାଟି ତଥା ସ୍ୱଳ୍ପ ଅମ୍ଳଯୁକ୍ତ ଲବଣଯୁକ୍ତ , ସୋଡିୟମଯୁକ୍ତ ଓ ସ୍ୱଳ୍ପ କ୍ଷାରଯୁକ୍ତ ମାଟିରେ ହୋଇପାରିବ  । ଏଥିପାଇଁ ମାଟିର ପି.ଏଚ. ୬.୫ ରୁ ୯.୫ ପର୍ଯ୍ୟନ୍ତ ହୋଇଥିଲେ ଭଲ  ।

କ୍ରାନ୍ତିୟ ଜଳବାୟୁରେ ଏହି ଗଛ ଭଲଭାବେ ବଢିପାରେ  । ବାର୍ଷିକ ହାରାହାରି ବୃଷ୍ଟିପାତ ୬୩୦-୮୦୦ ମିମି ମଧ୍ୟରେ ଓ ହାରାହାରି ୪୬ ସେଲସିୟମ ପର୍ଯ୍ୟନ୍ତ ତାପମାତ୍ରା ବିଶିଷ୍ଟ ଅଞ୍ଚଳରେ ଏହା ଭଲ ବଢିପାରେ । ତିନିବର୍ଷ ପର୍ଯ୍ୟନ୍ତ ଏହାର ଚାରାଗଛକୁ ଶୀତଋତୁରେ ତୁଷାରପାତ ତଥା ଗ୍ରୀଷ୍ମ ଋତୁରେ ଗରମ ପବନ ଦାଉରୁ ରକ୍ଷା କରାଯିବା ଉଚିତ  ।

ଉନ୍ନତ କିସମ

ବଲୱନ୍ତ ଏନ.ଏ-୬ ,  ଏନ.ଏ- ୭ ଓ ଏନ.ଏ- ୭ ଅଁଳା ଚାଷ ପାଇଁ ଜୁନରୁ ସେପ୍ଟେମ୍ବର କିମ୍ବା ଫେବୃୟାରୀ – ମାର୍ଚ୍ଚ ଉପଯୁକ୍ତ ସମୟ । ଦେଶୀ କିସମରେ ଅଁଳାର ବଡଗଛରେ “ଟି“ ବଡିଂ କରାଯାଇ ଭଲ ଚାରା ଉତ୍ପାଦନ କରାଯାଏ । ସଫଳ ଚାଷ କରିବା ପାଇଁ କୃଷକ ସ୍ଥାୟୀ ନର୍ସରୀରୁ ଉନ୍ନତ କିସମର ଚାରା ସଂଗ୍ରହ କରିବା ଉଚିତ  ।

ରୋଗପୋକ ନିୟନ୍ତ୍ରଣ

ଏହି ଫସଲରେ ଇଷ୍ଟ , ଫଳ ପାଚିବା , ପତ୍ରଦାଗ ରୋଗ ହୋଇଥାଏ ।  ଏଥିରେ ଛେଲି ଖାଇବା କ୍ୟାଟର ପିଲାର ଓ କାଣ୍ଡବିନ୍ଧା ପୋକ ଲାଗିଥାନ୍ତି । ଏହାର ନିରାକରଣ ପାଇଁ ଡାଇଥେନ ସୋଡିୟମ କ୍ଳୋରାଇଡ ସଲୁସନ ଓ ବୋରାକ୍ସମିକ୍ସଚର କରାଯାଏ  ।

ଉତ୍ପାଦନ

ଉନ୍ନତ କିସମର ଗଛ ଲଗାଇବାର ଦୁଇ- ତିନି ବର୍ଷପରେ ଅଁଳା ଗଛରେ ଫଳଧରେ । ପ୍ରଥମାବସ୍ଥାରେ ଫଳଗୁଡିକ ଈଷତ ସବୁଜ ଦେଖାଯାଏ ମାତ୍ର ପାଚିଗଲେ ହଳଦିଆ ମିଶା ସବୁଜ ଦିଶେ  । ସାଧାରଣତଃ ଜାନୁଆରୀ ମାସ ବେଳକୁ ଫଳ ଅମଳ କରାଯାଏ । ଏହି ସମୟରେ ଫଳ ମଧ୍ୟରେ ପ୍ରଚୁର ପରିମାଣ ରେ ଆସକରବିକ ଏସିଡ ଓ ଅନ୍ୟାନ୍ୟ ଔଷଧୀୟ ତତ୍ତ୍ଵ ମହଜୁତ ଥାଏ ।

ଦକ୍ଷିଣ ଭାରତରେ ଅଁଳା ଗଛ ବର୍ଷସାରା ଫଳଧାରଣ କରିଥାଏ । ଅଁଳା ଫଳ ଖୁବ ଶକ୍ତ ଭାବରେ ଗଛରେ ଲଗାଯାଏ । ତେନବୁ ଅମଲ୍ଲ ସମୟରେ ଖୁବ ଜୋରରେ ଗଛକୁ ଦୋହଲାଇବାକୁ ପଡେ । ଲମ୍ବା ବାଉଁଶ ଆଗରେ ଆଙ୍କୁଶି ଲଗାଇ ମଧ୍ୟ ଗଛରୁ ଅଁଳା ଝଡାଯାଇଥାଏ  ।

ଆର୍ଥିକ ଲାଭ

ଗୋଟିଏ ଅଁଳା ଗଛ ପ୍ରାୟ ୫୦ -୭୦ କିଗ୍ରା ଫଳ ଦେଇଥାଏ । ଅଁଳା ଗଛରେ ଫଳର ପରିମାଣ ୫୦ ବର୍ଷ ପର୍ଯ୍ୟନ୍ତ ବଢିଥାଏ । ଏକ ହେକ୍ଟର ଜମିରେ ହାରାହାରି ୨୦-୭୫ କ୍ଵିଣ୍ଟାଲ ଫଳ ମିଳିଥାଏ । ଆନୁମାନିକ ୧ କିଗ୍ରା ପ୍ରତି ମୂଲ୍ୟ ୫ ଟଙ୍କା ହିସାବରେ ହାରାହାରି ବାର୍ଷିକ ୨୦,୦୦୦ ଟଙ୍କା ଲାଭ ମିଳିଥାଏ  ।

ବ୍ୟବସାୟିକ ସୂଚନା

୧୯୯୯-୨୦୦୦ ମସିହାରେ ଅଁଳାଆରଏଲ ମୂଲ୍ୟ ନୂଆଦିଲ୍ଲୀରେ କିଗ୍ରା ପ୍ରତି ୧୫ ଟଙ୍କାରୁ ୨୫ ଟଙ୍କା , ଚେନ୍ନାଇ ରେ ୪୫ ଟଙ୍କା ବାଙ୍ଗାଲୋରରେ ୫୦ ଟଙ୍କାରୁ ୮୦ ଟଙ୍କା ଓ ମୁମ୍ବାଇ ସହରରେ ଏହାର ମୂଲ୍ୟ ୧୭ ଟଙ୍କାରୁ ୪୦ ଟଙ୍କା ଥିଲା । କଟକରେ ଏହା ଉପରୋକ୍ତ ବର୍ଷ କେଜି ପ୍ରତି ୬୦ ଟଙ୍କା ଥିବାବେଳେ ହାଇଦ୍ରାବାଦରେ କେଜି ପ୍ରତି ୨୦ ଟଙ୍କାର ୪୦ ଟଙ୍କା ଓ କୋଲକାତାରେ ଏହା ୩୦ ଟଙ୍କାରୁ ୫୦ ଟଙ୍କା ଥିଲା  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

2.96296296296
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top