ସେଆର କରନ୍ତୁ

ଅଶ୍ଵଗନ୍ଧା

ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି । ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ ।

ବୈଜ୍ଞାନିକ ନାମ : ୱିଥାନିଆ ସୋନ୍ନିଫେରା

ବଂଶ : ସୋଲେନେସୀ

ଆଞ୍ଚଳିକ ଭାଷାଗତ ନାମ

  1. ଓଡିଆ – ଅଶ୍ଵଗନ୍ଧା
  2. ସଂସ୍କୃତ - ଅଶ୍ଵଗନ୍ଧା, ବରାହକର୍ଣ୍ଣୀ
  3. ବଙ୍ଗଳା - ଅଶ୍ଵଗନ୍ଧା, ଢୋରଗୁଞ୍ଜ
  4. ତାମିଲ _ ଅମୁକ୍ୱରା
  5. ତେଲୁଗୁ – ପନ୍ନିରୁଗୁଡ୍ଡା
  6. ଗୁଜୁରାଟୀ –ଆସନ୍ଧ
  7. ଇଂରାଜୀ – winter cherry

ଉପକ୍ରମ

ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି । ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ । ବିଶେଷତଃ, ଶାରୀରିକ ଓ ମାନସିକ ଦୁର୍ବଳତା ତଥା ପୌରୁଷହାନି ସମସ୍ୟାରେ ଏହି ଚେରରୁ ପ୍ରସ୍ତୁତ ଔଷଧ ସେବନ କରିବାର ବିଧି ରହିଛି । ଭାରତର ଶୁଷ୍କ ପ୍ରଦେଶମାନନ୍କାରେ ମୁଖତଃ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହାକୁ ବହୁଳ ପରିମାଣରେ ଏବେ ଚାଷ କରାଯାଉଛି । ଆଫଗାନିସ୍ତାନ , ଶ୍ରୀଲଙ୍କା ଓ ପାକିସ୍ତାନରେ ମଧ୍ୟ ଏହି ଗଛ ଦେଖାଯାଏ ।

ଉଦ୍ଭିଦ ପରିଚୟ

ଏହା ଗୋଟିଏ ଊର୍ଦ୍ଧ୍ଵଗାମୀ ଗୁଳ୍ମ ଜାତୀୟ ଉଦ୍ଭିଦ ଏବଂ ଏହା ହାରାହାରି ୧୫୦ ସେ. ମି ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ଏହାର କାଣ୍ଡ ଓ ପତ୍ର ନିମ୍ନପାର୍ଶ୍ଵ ମୁଖତଃ ଲୋମଶ, ପତ୍ରଗୁଡିକ ସରଳ ଧରାଯୁକ୍ତ, ଅଣ୍ଡାକାର ୨-୪ ଇଞ୍ଚ ଲମ୍ବ ଏବଂ ୧-୨ ଇଞ୍ଚ ଓସାର ବିଶିଷ୍ଟ । ଏହାର ଫୁଲ ଶାଗୁଆ ଓ ଫିକା ହଳଦିଆଯୁକ୍ତ ଅଟେ । ଏହାର ଫଳ ବର୍ତ୍ତୁଳାକାର, କ୍ଷୁଦ୍ର, କମଳା ରଙ୍ଗଯୁକ୍ତ ଏବଂ ଉପରିଭାଗ ଦୃଢ ବହିରାବଣରେ ଆଦୃତ । ଏହି ଗଛର ପତ୍ରକୁ ହାତରେ ମକଚି ଶୁଙ୍ଘିଲେ ଅଶ୍ଵମୂତ୍ର ସମାନ ଗନ୍ଧ ଆସେ । ସମୁଦାଯ ଗଛ ଦେଖିବାକୁ ଏକ ବାଇଗଣ ଗଛ ଭଳି । ଏହି ଗଛର ଚେର ପାଇଁ ମୁଖତଃ ଏହାକୁ ଚାଷ କରାଯାଏ । ଏହାର ମାଂସଳ ଚେରଗୁଡିକ ଶୁଖିଗଳାପରେ ଲମ୍ବ ବର୍ତ୍ତୁଳାକର ଏବଂ କ୍ରମଶଃ ନିମ୍ନ ଅଂଶକୁ ଗୋଜିଆ ହୋଇଯାଇଥାଏ । ଚେରର ଉପରିଭାଗ ଧଳାମିଶା ବାଦାମି ରଙ୍ଗର ଏବଂ ଭିତର ଅଂଶ ସଂପୂର୍ଣ୍ଣ ଧଳା ।

ପ୍ରୟୋଜନୀୟ ଅଂଶ :- ଚେର

ରାସାୟନିକ ଉପାଦାନ

ଅଶ୍ଵଗନ୍ଧା ଚେରରେ ଅନେକ ପ୍ରକାରର ଆଲକାଲଏଡସ ଥାଏ । ସେଥିମଧ୍ୟରୁ ୱିଥାନିଓଲ , ସୋନ୍ନିଫେରିନ ମୁଖ୍ୟ ଅଟେ । ଏହା ବ୍ୟତୀତ, ଏହି ଚେରରେ ଏକ ଉଡନଶୀଳ ତୈଳ, ରହିଛି । ଏହାର ପତ୍ରରୁ ଅନେକ ପ୍ରକାର ଆଲକାଲଏଡ଼୍ ମିଳିଛି ଯାହାର ନାମକାରଣ ଏବେ ସୁଦ୍ଧା ହୋଇପାରିନାହିଁ । ତେବେ ଚେରରେ ମୋଟର ୦.୧୩ରୁ ୦.୩୧ ପ୍ରତିଶତ ପର୍ଯ୍ୟନ୍ତ ଆଲାକାଏଡ ଥାଏ । ସ୍ଥାନଭେଦରେ ଏହି ପରିମାଣ କମ ବେଶୀ ହୋଇପାରେ । ଚେରରେ ମୋଟରେ ୧୩ ପ୍ରକାର ଆଲକାଏଡ ବ୍ୟତୀତ ଷ୍ଟାର୍ଚ୍ଚ ଗ୍ଲାଇକୋସାଇଡ ଇତ୍ୟାଦି ମିଳିଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଅଶ୍ଵଗନ୍ଧାକୁ ତିକ୍ତ ତଥା କଷାୟ ରସଯୁକ୍ତ , ଉଷ୍ଣବୀର୍ଯ୍ୟ , ବଳକାରକ, ଅନ୍ତ୍ୟନ୍ତ ଶୁକ୍ରବର୍ଦ୍ଧକ, ରସାୟନ, ତ୍ରିଦୋଷନାଶକ , ଶୋଥ ଓ କ୍ଷୟହର ବୋଲି ବର୍ଣ୍ଣନା କରାଯାଇଛି । ପ୍ରାଚୀନ କାଳରୁ ଅଶ୍ଵଗନ୍ଧାକୁ ପୌରୁଷ ଶକ୍ତି ନିମିତ୍ତ ସେବନ କରିବାର ବିଧି ରହିଛି । ସାଧାରଣତଃ ଯୌନ ଅକ୍ଷମତା , ନଫୁସକତା, ସାଧାରଣ ଦୁର୍ବଳତା , ଆଣ୍ଠୁଗଣ୍ଠିବାତ, ଅନିଦ୍ରା ରୋଗ , ନିମ୍ନ ରକ୍ତଚାପ ଏବଂ ଉନ୍ମାଦ ବା ମସ୍ତିସ୍କ ବିକୃତି ରୋଗରେ ଅଶ୍ଵଗନ୍ଧା ସେବନ କରିବା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ ଦୁଗ୍ଧ ସହ ନିୟମିତ ସେବଳ କଲେ ବଳ , ବୀର୍ଯ୍ୟ ବୃଦ୍ଧି ପାଇ ଶରୀରରେ ଶକ୍ତି ଶ୍ରୁତ୍ତି ଆସିଥାଏ । ଏହା ସେବନ କଲେ ଶରୀରର ସଠିକ ବିକାଶ ସହିତ ଶରୀର ହୃଷ୍ଟପୃଷ୍ଟ ହୋଇଥାଏ । ନିୟମିତ ଅଶ୍ଵଗନ୍ଧା ଚେରର ଚୂର୍ଣ୍ଣ କିମ୍ବା କ୍ଵାଥ ସେବନ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି, ଓ ସ୍ମରଣଶକ୍ତି ବୃଦ୍ଧି ପାଏ । ଆବାଳ- ବୃଦ୍ଧ –ବନିତା ଯାଏ ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଉତ୍ତମ ଶକ୍ତିବର୍ଦ୍ଧକ ଟନିକ ଭଳି କାର୍ଯ୍ୟକରେ । ସ୍ତ୍ରୀମାନଙ୍କ ଠାରୁ ଏହା ଗର୍ଭଧାରଣର କ୍ଷମତା ବୃଦ୍ଧି କରେ ଓ ପ୍ରସବ ପରବର୍ତ୍ତୀ ମାତୃକ୍ଷୀର ପରିମାଣ ବୃଦ୍ଧିକରେ । ଏହାର ପତ୍ର ଓ ଫଳ ମଧ୍ୟ ଅନେକ କାମରେ ଆସିଥାଏ ।

ଅଶ୍ଵଗନ୍ଧା ଚାଷ

ସାଂପ୍ରତିକ ପରିସ୍ଥିତିରେ ଉଭୟ ଦେଶୀୟ ଓ ଆନ୍ତର୍ଜାତିକ ବଜାରରେ ଅଶ୍ଵଗନ୍ଧାର ଚାହିଦା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ୟବସାୟିକ ଭିତ୍ତିରେ ବୈଜ୍ଞାନିକ ପ୍ରଣାଳୀରେ ଏହାକୁ ଚାଷ କରାଗଲେ ଚାଷୀଭାଇମାନେ ଏଥିରୁ ଯଥେଷ୍ଟ ଲାଭବାନ ହୋଇପାରିବେ ।

ଜଳବାୟୁ

ଅଶ୍ଵଗନ୍ଧା ଶୁଷ୍କ ଏବଂ ନାତିଶୀତୋଷ୍ଣ ଜଳବାୟୁରେ ଭଲ ବଢିପାରେ । ବାର୍ଷିକ ୬୦୦ରୁ ୭୦୦ ମି.ମି ବର୍ଷା ହେଉଥିବା ଅଞ୍ଚଳ ଏହାର କୃଷିକରଣ ପାଇଁ ଉପଯୁକ୍ତ ସ୍ଥାନ ଅଟେ । ଗୋଟିଏ ବା ଦୁଇଟି ଦୁଇଟି ଶୀତଦିନିଆ ବର୍ଷା ଏହାର ଛେ ବଢିବା ପାଇଁ ପର୍ଯ୍ୟାପ୍ତ ହୋଇଥାଏ । ଏହାକୁ ଅଗଷ୍ଟ-ସେପ୍ଟେମ୍ବର ମାସରେ ଲଗାଯାଏ ଏବଂ ଫେବୃଆରି ମାସରେ ଅମଳ କରାଯାଏ । ଏହି ସମୟ ମଧ୍ୟରେ ଏହାକୁ ୨ବା ୩ ଥର ହାଲୁକା ଭାବରେ ଜଳସିଞ୍ଚନ ଆବଶ୍ୟକତା ହୋଇଥାଏ । ଯଦି ଉପରୋକ୍ତ କହିବା ଅନୁସାରେ ଶୀତଦିନରେ ୨/୩ ଥର ବର୍ଷା ହୋଇଯାଏ , ତେବେ ସିଞ୍ଚନର ଆବଶ୍ୟକତା ପଡେନାହିଁ । ଏହାଛଡ, ଯଦି ଫଳ ଧରିବା ସମୟରେ ଭୂମିର ଆଦ୍ରତା ଠିକ ରହେ ତେବେ ଅମଳ ଅଧିକ ପରିମାଣରେ ହୋଇପାରିବ ।

ମୃତ୍ତିକା

ବାଲିଆ , ଦୋରସା, ଫିକା, ନାଲିମାଟି ଓ ପ୍ରକୃତିକ ଜୈବିକ ସାର ଥିବା ହାଲକା ମାଟିରେ ଅଶ୍ଵଗନ୍ଧା ଭଲ ବଢେ । ବିଶେଷକରି ହାଲକା ମାଟିରେ ଏହାର ମୂଳ ସହଜରେ ଅଗଗଭୀରକୁ ଯାଇପାରିବ ଓ ଆବଶ୍ୟକୀୟ ଅନୁପାତରେ ବୃଦ୍ଧି ପାଇପାରିବ । ତେଣୁ ଏହାର ଚେର ଅଂଶର ଭଲ ଅଭିବୃଦ୍ଧି ନିମନ୍ତେ ହାଲକା ଲାଲମାଟି ଏହି ଗଛର ଚାଷ ପାଇଁ ଉତ୍କୃଷ୍ଟ । ଏହା ଛଡା ଭଲ ରୂପେ ପାଣି ନିଗୁଡୁଥିବା ଜମି ଯାହାର କି ମାଟିର ପି. ଏଚ. ୭ରୁ ୮ ହୋଇଥିବ ସେଭଳି ଜମି ଚାଷ ପୂର୍ବରୁ ନିର୍ବାଚନ କରିବା ବିଧେୟ । ଉନ୍ନତ ଅମଳ ପାଇଁ ଗଛ ମୂଳରେ ପାଣି ଜମି ରହୁନଥିବା ଅବଶ୍ୟକ ।

ଉନ୍ନତ କିସମ

  1. ଜବାହାର ଅଶ୍ଵଗନ୍ଧା -୨୦
  2. ଜବାହାର ଅଶ୍ଵଗନ୍ଧା-୧୩୪

ଉପରୋକ୍ତ ୨ ଗୋଟି କିସମର ଅଶ୍ଵଗନ୍ଧା ମଧ୍ୟରୁ ଅଶ୍ଵଗନ୍ଧା -୨୦ ସବୁଠାରୁ ଉନ୍ନତ କିସମର ଅଟେ ।

ଜମି ପ୍ରସ୍ତୁତ

ଅଶ୍ଵଗନ୍ଧା ଚାଷ ପାଇଁ ନିର୍ଦ୍ଧାରିତ ଜମିକୁ ଖରାଦିନେ ଭଲ ଭାବରେ ଦୁଇଥର ହଳକରି ସମସ୍ତେ ଘାସ ବାଛି ଦେଇ ଜମିକୁ ସମତଳ କରାଯାଏ ଯେପରି ଜମିର କୌଣସି ସ୍ଥାନରେ ପାଣି ଜମି ରହିବାର ସମ୍ଭାବନା ନରହେ ।

ପ୍ରଜନନ ଓ ରୋପଣ ପ୍ରଣାଳୀ

ସାଧାରଣତଃ ଏହାର ମଞ୍ଜିରୁ ଗଛ ହୋଇଥାଏ । ଏହିଗଛରେ ଫୁଲ ଜୁଲାଇରୁ ସେପ୍ଟେମ୍ବରମାସ ମଧ୍ୟରେ ହୋଇଥାଏ ଓ ଫଳ ନଭେମ୍ବରରୁ ଡିସେମ୍ବର ମଧ୍ୟ ମଧ୍ୟରେ ପରିପକ୍ଵ ହୋଇଥାଏ । ମଞ୍ଜିଗୁଡିକୁ ମଧ୍ୟ କ୍ରୟକରି ଆଣି ବ୍ୟବହାର କରାଯାଇପାରେ । ତେବେ ଯେଉଁମାନେ ପୂର୍ବରୁ ଏହି ଚାଷ କରୁଛନ୍ତି ସେମାନେ ମଞ୍ଜିଗୁଡିକୁ ପାଇଲା ପରେ ଭଲ ଭାବରେ ମକଚି ପାଣିରେ ଧୋଇକରି ଖରାରେ ଶୁଖାଇ ଦେବା ଆବଶ୍ୟକ । ମଞ୍ଜି ଲଗାଇବା ପୂର୍ବରୁ ହଳ କରାଯାଇ ପ୍ରସ୍ତୁତ ହୋଇଥିବା ଜମିରେ କମ୍ପୋଷ୍ଟ ଖତ ଓ ନିମ୍ବ ପିଡିଆ ପକାଇ ଆଉଥରେ ଗଭୀର ହଳକରି ଭଲ ଭାବରେ ମାଟିରେ ମିଶାଇବାକୁ ପଡେ । ଏହା ଛଡା ମଞ୍ଜି ବୁଣିବା ପୂର୍ବରୁ ଥଣ୍ଡା ପାଣିରେ ୨୪ ଘଣ୍ଟା ବତୁରାଯାଏ ଏବଂ ବାଭିଷ୍ଟିନ ବା ବେନଗାର୍ଡ ପ୍ରଭୁତି ଫିମ୍ପିନାଶକ ଦ୍ଵାରା ବିଶୋଧନ କରି ବୁଣାଯାଏ । ମଞ୍ଜି ବୁଣା ଧାଡି କରି ଲଙ୍ଗଳଗାରରେ କିମ୍ବା ସିଧାସଳଖ ଜମିରେ ଧାନ ବୁଣିଲା ଭଳି ଛିଞ୍ଚାଡି ବୁଣାଯାଏ ଓ ମଞ୍ଜି ଉପରେ ହାଲକା ମାଟି ଘୋଡାଇ ଦିଆଯାଏ । ମଞ୍ଜି ଗୁଡିକୁ ମଧ୍ୟ ଖାଲୁଆ ପଟାଳି କରି ୫ ସେମି ବ୍ୟବଧାନରେ ଅକ୍ଟୋବରରୁ ଜାନୁଆରୀ କିମ୍ବା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବୁଣାଯାଇଥାଏ । ମଞ୍ଜିରୁ ଗଜା ୬/୭ ଦିନ ରେ ବାହାରେ । ପ୍ରାୟ ୮୦ ଭାଗ ଗଜା ମଞ୍ଜିରୁ ବାହାରି ଥାଏ । ଏହା ଛଡା ମଞ୍ଜିଗୁଡିକ ୧ରୁ ୨ ସେମି ମଧ୍ୟରେ ମାଟିରେ ପୋତି ହୋଇ ରହିବା ଆବଶ୍ୟକ । ମଞ୍ଜି ବୁଣିବା ସମୟରେ ବର୍ଷା ଯଦି ନ ହୁଏ ପାଣି ମଡାଇବା ଆବଶ୍ୟକ ।

ଜଳସେଚନ ବ୍ୟବସ୍ଥା

ଯେଉଁ ଅଞ୍ଚଳରେ ବର୍ଷା ୬୬୦ ମିମି ରୁ ୮୦୦ ମିମି ମଧ୍ୟରେ ରହେ ସେପରି ସ୍ଥାନରେ ଜଳସେଚନର ସୁବିଧା କରିବା ନିହାତି ଆବଶ୍ୟକ ।

ଫସଲର ରୋଗ

ଅଶ୍ଵଗନ୍ଧା ଚାଷରେ ସାଧାରଣତଃ ମଞ୍ଜି ପଚିଯିବା ଛୋଟ ଗଛର ମୂଳ ପଚିଯିବା , ଝାଉଁଲା ରୋଗ ଓ ପତ୍ରପୋଡା ରୋଗ ପ୍ରଭୁତି ପରିଲିଖିତ ହୁଏ । ଏଥିରେ କାଣ୍ଡବିନ୍ଧା ପୋକ ଓ ପତ୍ରଖିଆ ଶାଗୁଆ ପୋକ ଲାଗିଥାନ୍ତି । ଝାଉଁଳା ଓ ରୋଗ ଓ ପତ୍ର ରୋଗ ପାଇଁ ଧୂଆଁପତ୍ରକୁ ସିଝାଇ ତାର ପାଣି ସିଞ୍ଚନ କରାଯାଏ । ଏଥିପାଇଁ ୧ କି.ଗ୍ରା ଧୂଆଁପତ୍ରକୁ ୧୨ ଲିଟର ପାଣିରେ ସିଝାଇ ୮ ଲିଟର ହେଲେ ଥଣ୍ଡା କରି ଛାଣି ବ୍ୟବହାର କରାଯାଏ । ଅଶ୍ଵଗନ୍ଧା, ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବାରୁ ଏଥିରେ ଲାଗୁଥିବା ରୋଗର ଚିକିତ୍ସାରେ ବିଷ ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ଉଚିତ ନୁହେଁ ।

ଉତ୍ପାଦନ

ସାଧାରଣତଃ ଅଶ୍ଵଗନ୍ଧା ୫ରୁ ୬ ମାସ ମଧ୍ୟରେ ଅମଳ କ୍ଷମ ହୁଏ । ଏହି ସମୟ ବେଳକୁ ଗଛଗୁଡିକର ପତ୍ର ସବୁ ଶୁଖିଯିବ ଓ ମଞ୍ଜିସବୁ ଲାଲ ହୋଇଯାଏ । ଡିସେମ୍ବର , ଫେବୃଆରି ମଧ୍ୟରେ ଗଛସବୁକୁ ଉପାଡି ଆଣି ମୂଳସବୁକୁ ଧୋଇ ମାଟି ସଫା କରି ମୂଳରୁ ୧ ସେ.ମି ଉପରକୁ କାଟି ମୂଳ ଗଛ ଅଲଗା କରାଯାଏ । ମୂଳଗୁଡିକ ପୂର୍ଣାଙ୍ଗ ଅବସ୍ଥାରେ ସଂଗ୍ରହ କରିବା ଆବଶ୍ୟକ । ଏହାପରେ ମୂଳଗୁଡିକୁ ୭ରୁ ୧୦ ସେମି ଲମ୍ବରେ ଖଣ୍ଡ ଖଣ୍ଡ କରି ଶୁଖାଯିଏ । ଗଛରୁ ମଞ୍ଜିସବୁ ତୋଳି ତାକୁ ଭାଙ୍ଗି ସୁଖାଯାଇ ଆସନ୍ତା ବର୍ଷ ଚାଷ ପାଇଁ ସାଇତି ରଖାଯାଏ ବା ବିକ୍ରୟ କରାଯାଏ ।

ଆର୍ଥିକ ଲାଭ

ଅଶ୍ଵଗନ୍ଧା ମୂଳଗୁଡିକର ଶ୍ରେଣୀ ବିଭାଗ କରି ବିକ୍ରି କରାଯାଏ ।

ଗ୍ରେଡ-୧ : ୧ରୁ ୧.୫ ସେ.ମି ମୋଟା ୭ରୁ ୧୦ ସେ.ମି ଲମ୍ବ ସହଜରେ ଭାଙ୍ଗିପାରୁଥିବା ଓ ଶଙ୍ଖପରିଧଳା ଅଶ୍ଵଗନ୍ଧା ଗ୍ରେଡ-୧ ଶ୍ରେଣୀର । ଏହାର ବଜାର ମୂଲ୍ୟ କି.ଗ୍ରା ପ୍ରତି ୬୦ ଟଙ୍କାରୁ ୮୦ ଟଙ୍କା ।

ଗ୍ରେଡ-୨ : ୧ ସେମି ମଧ୍ୟରେ ମୋଟା,୫ରୁ ୭ ସେ.ମି ଲମ୍ବା,ସହଜରେ ଭାଙ୍ଗିପାରୁଥିବା ଧଳା ଅଶ୍ଵଗନ୍ଧା ଏହି ଶ୍ରେଣୀର । ଏହାର ବଜାର ମୂଲ୍ୟ ୫୦ରୁ ୬୦ ଟଙ୍କା ।

ଗ୍ରେଡ-୩ : ସବୁଠାରୁ ନିମ୍ନମାନର ମୂଳର ବଜାର ଦର ୪୦ ରୁ ୫୦ଟଙ୍କା

ଅଶ୍ଵଗନ୍ଧା ଫସଲର ଏକର ପ୍ରତି ଆୟ ଓ ବ୍ୟୟର ବିବରଣୀ

(୫ରୁ ୬ ମାସ ମଧ୍ୟରେ ୧୦,୦୦୦ ଟଙ୍କା ମିଳିପାରିବ )

ବ୍ୟୟ

  1. ଜମି ପ୍ରସ୍ତୁତି ଟ ୨୦୦/-
  2. ସାର ପ୍ରୟୋଗ ଟ ୨୯୫ /-
  3. ଚାରା ରୋପଣ ଟ ୨୦୦୦/-
  4. ଘାସ ବଛାବଛି ଟ ୨୫୦/-
  5. ଫସଲ ଅମଳ ଟ ୨୫୦/-
  6. ଫସଲର ବିକ୍ରି ବ୍ୟବସ୍ଥା ଟ ୨୫୦/-

ଆୟ

ମୂଳ ବିକ୍ରି କରି ଆୟ – ୨.୫ କ୍ଵିଣ୍ଟାଲ ୫୫୦୦ ଟଙ୍କା ।

ମଞ୍ଜି ବିକ୍ରିକରି ଆୟ – ୨.୫ କିଗ୍ରା, ମଞ୍ଜି ୪୦ ଟଙ୍କା କିଗ୍ରା ପ୍ରତି ଦର ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.03846153846
ଶୁଚିସ୍ମିତା ପ୍ରଧାନ Dec 08, 2018 04:53 PM

ଏହା ପଢିବା ଦ୍ୱାରା ଅଶ୍ଵଗନ୍ଧା ବୃକ୍ଷର ଔଷଧୀୟ ଗୁଣ ବିଷୟରେ ଅଧିକ ଜାଣିବାକୁ ପାଇଲୁ

Baby Nayak Mar 24, 2017 01:50 PM

ଅଶ୍ଵଗନ୍ଧା ଔଷଧୀୟ ଗୁଣ ଓ ପ୍ରୟୋଗ ର ସୂଚନା ଏଠାରୁ ପାଇଁ ବହୁତ ଖୁଶି ଲାଗିଲା .

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top