ସେଆର କରନ୍ତୁ

ବିଡଙ୍ଗ

ବିଡଙ୍ଗ ଦେଶୀୟ ଚିକିତ୍ସାରେ ବ୍ୟବହାର ହୁଏ । ବିଡଙ୍ଗ ଚାଷ ପ୍ରଣାଳୀ ସମ୍ବନ୍ଧିତ ତଥ୍ୟ ।

ଉପକ୍ରମ

ବିଡଙ୍ଗ ଏକ ପ୍ରମୁଖ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ଆମ ଦେଶର ଦେଶୀୟ ଚିକିତ୍ସାରେ ବ୍ୟବହାର ହୋଇଆସୁଛି । ବିଡଙ୍ଗ ମୁଖ୍ୟତଃ ଏହାର କୃମିନାଶକ, କୀଟନାଶକ, ଓ ଗର୍ଭନିରୋଧକ ଗୁଣ ଯୋଗୁଁ ବନୌଷଧି ମଧ୍ୟରେ ଅଦ୍ଵିତୀୟ ଅଟେ । “ଫାଉଣ୍ଡେସନ ଫର ରିଭାଇଟାଲାଇଜେନସ ଲୋକାଲ “ “ହେଲ୍ଥ ଟ୍ରାଡିସନ” ନାମକ ବାଙ୍ଗାଲୋରର ଏକ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବିଡଙ୍ଗ ସର୍ବାଧିକ ୨୦ ଟି ପ୍ରମୁଖ ଭାରତୀୟ ଔଷଧୀୟ ଉଦ୍ଭିଦ ମଧ୍ୟରେ ସ୍ଥାନ ପାଇଛନ୍ତି । ସେଣ୍ଟର ଫର ରିସର୍ଚ୍ଚ ଓ ପ୍ଲାନିଙ୍ଗି ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି ଯେ ପ୍ରତିବର୍ଷ ଦେଶରେ ୪୦୦ ଟନ ବଡଙ୍ଗ ମଞ୍ଜି ବ୍ୟବହାର କରାଯାଉଛି ଏବଂ ୨୦୦୪-୨୦୦୫ ମସିହା ବେଳକୁ ଏହାର ଆବଶ୍ୟକତା ବଢି ୧,୦୦୦ କ୍ଵିଣ୍ଟାଲରେ ପହଞ୍ଚିବାର ସମ୍ଭାବନା ରହିଛି । ତେଣୁ ଭବିଷ୍ୟତରେ ଉଭୟ ଦେଶୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏହା ଚାଷୀମାନଙ୍କର ଆର୍ଥିକ ବିକାଶ ଦ୍ଵାରା ଉନ୍ମୁକ୍ତ କରିପାରିବ । ତେବେ ଏହାର ଚାଷ ପ୍ରଣାଳୀ ବୁଝିବା ପୂର୍ବରୁ ଏହି ଗଛର ଆକାର ପ୍ରଭୃତି ସମ୍ପର୍କରେ ସାମ୍ୟକ ଧାରଣା ରହିବା ଉଚିତ ।

ଉଦ୍ଭିଦ ପରିଚୟ -

ବିଡଙ୍ଗ ଏକ କାଠୁଆ ଲତା ଜାତୀୟ ଉଦ୍ଭିଦ । ଏହା ମଧ୍ୟ ହିମାଳୟ ଅଞ୍ଚଳରୁ ଆରମ୍ଭ କରି ସଂପୂର୍ଣ୍ଣ ଦକ୍ଷିଣ ଭାରତ, ମଧ୍ୟଭାରତ ଓ ଉତ୍ତର –ପୂର୍ବ ରାଜ୍ୟ ମାନଙ୍କର ପାହାଡିଆ ଅଞ୍ଚଳରେ ପ୍ରାୟ ୪୦୦୦ ଫୁଟ ଉଚ୍ଚତା ମଧ୍ୟରେ ପ୍ରାକୃତିକ ଉପାୟରେ ବାଢୁଥିବାର ଦେଖାଯାଏ । ଭାରତ ବ୍ୟତୀତ ମିଆଁମାର, ଶ୍ରୀଲଙ୍କା, ସିଙ୍ଗାପୁର , ମାଲେସିଆ, ତଥା ଦକ୍ଷିଣ ଚୀନରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ ।

ବିଡଙ୍ଗ ଗଛର ପତ୍ର ଚର୍ମସଦୃଶ ପତଳା, ୨ରୁ ୪ ଇଞ୍ଚ ଲମ୍ବ ଦୀର୍ଘ ବୃତ୍ତାକାର କିମ୍ବା ଭାଲାକାର ସଦୃଶ ତୀକ୍ଷଣାଗ୍ର ଏବଂ ଉଜ୍ଵଳ ଚିକ୍କଣିଆ ପୃଷ୍ଠଯୁକ୍ତ ଅଟେ । ଏହାର ଫଳ ଧଳା କିମ୍ବା ଫିକା ହଳଦିଆ ମିଶ୍ରିତ ସବୁଜ ବର୍ଣ୍ଣର ଅଟେ ଏବଂ ଗୁଚ୍ଛ ହୋଇ ଫୁଟିଥାଏ । ଏହାର ଫଳର ସ୍ଵାଦ ତୈଳଯୁକ୍ତ ତଥା ରାଗ ରାଗ ଲାଗେ । ଏହାର ଫଳ ଉପର ଖୋଳରେ ତୈଳ ଗ୍ରନ୍ଥୀ ଦେଖାଯାଏ ।

ବୈଜ୍ଞାନିକ ନାମ

:

ଏମ୍ବେଲିୟା ରାଇବସ

ବଂଶ

:

ମିରସିନେସି

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ବିଡଙ୍ଗ

ସଂସ୍କୃତ

:

ବିଡଙ୍ଗ, କୃତିଘ୍ନ , ଜନ୍ତୁଘ୍ନ

ବଙ୍ଗଳା

:

ବିଡଙ୍ଗ, ବିରଙ୍ଗ

ହିନ୍ଦୀ

:

ବାୟବଡଙ୍ଗ

ତେଲୁଗୁ

:

ବାୟୁବିଡଘଂମୁ

ଇଂରାଜୀ

:

Babreng fruits of Embelia ribes

ତାମିଲ

:

ବାୟୁବିଲଙ୍ଗମ


 

ବିଡଙ୍ଗ ଔଷଧୀୟ ଗୁଣ

ରାସାୟନିକ ସଂଗଠନ -

ଏହାର ଫଳରେ ଏମ୍ବେଲିଜ ଏସିଡ ବା ଏମ୍ବେଲିଜ ନାମକ ଏକ ସ୍ଵର୍ଣ୍ଣାଭ ହଳଦିଆ ରଙ୍ଗର କ୍ଷାରାଭ ପଦାର୍ଥ ୨.୫% ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ, ଏଥିରେ ଅଳ୍ପ ମାତ୍ରାରେ କ୍ରିଷ୍ଟେମ୍ବିନ ନାମକ ଏକ କ୍ଷାରାଭ ତଥା ଉଡଣଶୀଳ ତୈଳ, ରଞ୍ଜକଦ୍ରବ୍ୟ , ଟାନିନ ତଥା ରାଳ ସଦୃଶ ପଦାର୍ଥ ମିଳିଥାଏ ।

ଔଷଧୀୟ ଗୁଣ ଓ ପ୍ରୟୋଗ -

ଏହା ଏକ ଉତ୍ତମ କୃତିଘ୍ନ, ବା କୀଟନାଶକ , ରକ୍ତଶୋଧକ , ବାତହର ଏବଂ ରସାୟନ ଗୁଣଯୁକ୍ତ ବନୌଷଧି ଅଟେ । ମୁଖ୍ୟତଃ ସ୍ପୀତକୃମି ପାଇଁ ଏହା ଅତ୍ୟୁତ୍ତମ ଔଷଧ ଅଟେ ।ଛୋଟ ପିଲାଙ୍କ ସମସ୍ତ ରୋଗ ପାଇଁ ଏହା ଉତ୍ତମ ଔଷଧ ଅଟେ । । ବିଶେଷତଃ ଆଧ୍ୟାନ ବା ପେଟ ଗ୍ୟାସ ହେଲେ ଶୂଳ ବା ପେଟଯନ୍ତ୍ରଣା , କୁପଚନ ଏବଂ ଅଗ୍ନିମାଦ୍ୟ ପ୍ରଭୃତି ରୋଗରେ ଦୁଗ୍ଧରେ ଏହାକୁ ସିଝାଇ ସେହି ଦୁଗ୍ଧକୁ ରୋଗୀକୁ ପିଆଇଲେ ଉପରୋକ୍ତ ସମସ୍ୟା ଦୂର ହୋଇଥାଏ । ଗୁଣ୍ଡାମାଳା ରୋଗରେ ବାଇବିଡଙ୍ଗକୁ ଗୁଗୁଳ, ଶଙ୍ଖଭସ୍ମ ମହୁ ତଥା ଘିଅ ସହିତ ଦେଲେ ବିଶେଷ ଉପଶମ ମିଳେ । ଏହାଛଡା, ଜୈବିକ କୀଟନାଶକ ତଥା କପଡା ରଙ୍ଗ କରିବାରେ ମଧ୍ୟ ପ୍ରୟୋଗ କରାଯାଇଥାଏ । ମୁଖ୍ୟତଃ ଏହାର କୀଟନାଶକ ଓ ଗର୍ଭନିରୋଧକ ଉପଯୋଗୀତା ପାଇଁ ଏହାର କୃଷିକଣ ଚାହିଦା ସମ୍ଭାବନା ଯଥେଷ୍ଟ ଅଧିକ ଅଟେ ।

ଚାଷ ପ୍ରଣାଳୀ ଓ ମୃତ୍ତିକା

ବିଡଙ୍ଗ ଗଛ ଭାରତବର୍ଷ ବିଭିନ୍ନ ପ୍ରଦେଶରେ ପ୍ରାକୃତିକ ଭାବରେ ଦେଖାଯାଏ । ଆମଦେଶର ଜଳବାୟୁ ଏହାର କୃଷିକରଣ ପାଇଁ ଅନୁକୂଳ । ବିଡଙ୍ଗ ଗଛ ପାଇଁ ଗଭୀର , ଉର୍ବର ଓ ବାଲିଆ ନିଗିଡା ମାଟି ଆବଶ୍ୟକ । ଅବଶ୍ୟ ଏହା ବାଲିଆ ଦୋରସା ମାଟିରୁ ଆରମ୍ଭ କରି କଳା କର୍ପାସ ମାଟି ତଥା ଲାଲ ଲେଟରାଇଟ ମାଟିରେ ମଧ୍ୟ ଚାଷ କରାଯାଇପାରିବ ।

ଜମି ପ୍ରସ୍ତୁତି ଓ ରୋପଣ ପଦ୍ଧତି

ବିଡଙ୍ଗ ଗଛକୁ ସିଧା ଜମିରେ ଲଗାଯାଇପାରିବ ତଥା ବାଡିରେ ମଧ୍ୟ ଲଗାଯାଇପାରିବ । ଏହାକୁ ଜଙ୍ଗଲରେ ଖାଲିଥିବା ସ୍ଥାନରେ ଏପରିକି ପତିତ ଜମିରେ ମଧ୍ୟ ଲଗାଯାଇପାରିବ । ମେ- ଜୁନ ମାସରେ ୨x୨ ମିଟର ବ୍ୟବଧାନରେ ୩୦x୩୦x୩୦ ସେମି ଗାତ ଖୋଳାଯିବ ଖରାରେ ସୁଖିବା ପାଇଁ ଛାଡିଦିଆଯାଏ । ପ୍ରତ୍ୟେକ ଗାତରେ ପ୍ରାୟ ୧ କିଗ୍ରା ଶୁଖିଲା ଗୋବର ଖତ ଏବଂ ୨୦୦ ଗ୍ରାମ ନିମ ପିଡିଆ ମିଶାଇ ଦେବା ଉଚିତ ।

ମଞ୍ଜି ଅଙ୍କୁରୋଦଗମ ପ୍ରକ୍ରିୟାରେ ଲଗାଇଲେ ମଞ୍ଜି ପୋତିଳେ ପ୍ରାୟ ୬ରୁ ୯ ଦିନରେ ମଞ୍ଜି ଅଙ୍କୁରୋଦଗମ ହୋଇଥାଏ । ଦେଢମାସ ପରେ ଏଗୁଡ଼ିକୁ ପଟାଳିରୁ ଉପାଡି ଖତ ମାଟି ଓ ବାଲି ମିଶ୍ରଣରେ ଭରିହୋଇଥିବା ପଲିଥିନମୁଣାରେ ପୋତାଦିଆଯାଏ । ଏକର ପ୍ରତି ୨ କିଗ୍ରା ମଞ୍ଜିର ଆବଶ୍ୟକତା ହୁଏ । ପ୍ରାୟ ୩୫ ପ୍ରତିଶତ ମଞ୍ଜି ଅଙ୍କୁରଣ ହୋଇଥାଏ । ପଲିଥିନ ମୁଣାରେ ଚାରା ଗଛ ୩ ମାସ ରହିଥାଏ ।

ଫସଲର ଯତ୍ନ ଓ ଜଳସେଚନ ବ୍ୟବସ୍ଥା

ପ୍ରାରମ୍ଭରୁ ଗଛ ମୂଳରୁ ନିୟମିତ ବ୍ୟବଧାନରେ ଘାସ ବଛାବଛି କରି ପରିଷ୍କାର ରଖାଯିବା ଉଚିତ । ଏହି ଫସଲ ସାଧାରଣତଃ ଜଳସେଚନ ଦରକାର କରେ ନାହିଁ । କିନ୍ତୁ ଅତ୍ୟାଧିକ ଉତ୍ପାଦନ ନିମନ୍ତେ ମାସକୁ ଅତିକମରେ ଥରେ ଜଳସେଚନ କରିବା ଆବଶ୍ୟକ ।

ଆନ୍ତଃ ଫସଲ -ଏହା ସହିତ ଗହମ, ଚଣା ସୋରିଷ ଭୁଇଁନିମ୍ବ ଆଦି ଫସଲ ଚାଷ କରେ ଅଧିକ ଲାଭଜନକ ଅଟେ ।

ଆର୍ଥିକ ଲାଭ

ଫଳର ଉତ୍ପାଦନ ଗଛ ଲଗାଇବାର ତୃତୀୟ ବର୍ଷରୁ କରାଗଲେ ବ୍ୟବସାୟିକ ଲାଭ ମିଳିଥାଏ । ଏକର ପ୍ରତି ୪ ଟନ କମ୍ପୋଷ୍ଟ ଖତ+ ୪୦ କିଗ୍ରା, ନାଇଟ୍ରୋଜେନ ତଥା ୨୦ କିଗ୍ରା ପଟାସ ପ୍ରୟୋଗ କରାଗଲେ , ଗଛର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ଅଧିକ ମିଳିଥାଏ ।

ଯଦିଓ ବିଡଙ୍ଗ କୃଷିକରଣ ବିସ୍ତୁତ ଭାବେ ଏପର୍ଯ୍ୟନ୍ତ କରାଯାଇପାରି ନାହିଁ , ତଥାପି ଆନୁମାନିକ ପ୍ରତିବର୍ଷ ଗଛପ୍ରତି ୫୦୦ ଗ୍ରାମ ମଞ୍ଜି ମିଳିଲେ ଏକର ପ୍ରତି ହାରାହାରି ୫୦୦ କିଗ୍ରା ମଞ୍ଜି ମିଳିପାରିବ । ଏହାକୁ ୫୦ ଟଙ୍କା ମାୟାରେ ବିକ୍ରି କରାଗଲେ ବାର୍ଷିକ ୨୫,୦୦୦ ଟଙ୍କା ମିଳିପାରିବ । ଏହି ଆୟ ଆଗାମୀ ବର୍ଷ ଗୁଡିକରେ ଅଧିକ ହୋଇଥାଏ ଏବଂ ୨୦-୨୫ ବର୍ଷ ପର୍ଯ୍ୟନ୍ତ ଅମଳ ମିଳିଥାଏ । ବର୍ତ୍ତମାନ ଜଙ୍ଗଲରୁ ସଂଗୃହିତ ହେଉଥିବାରୁ ବିଡଙ୍ଗ ଫସଲ ଯଦିଓ ଅତ୍ୟନ୍ତ ଲାଭଜନକ ନୁହେଁ ;କିନ୍ତୁ ଏହାର ଔଷଧୀୟ ଗୁଣ ଓ ଚାହିଦା ଧୀରେ ଧୀରେ ବଢିବାରେ ଲାଗିଛି । ଏହାକୁ ଜୈବିକ କୀଟନାଶକ ରୂପେ ବ୍ୟବହାର କରାଗଲେ ଏହାର ମୂଲ୍ୟ ଓ ଚାହିଦା ବଢିଯିବ ।

ଆଧାର  - ଡାକ୍ତର ଦୀନବନ୍ଧୁ ମହାରଣା

3.03703703704
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top