ସେଆର କରନ୍ତୁ

ସୁନା ମୁଖୀ

ସୁନାମୁଖୀ ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ, ଯାହାର କୃଷିକରଣ ଏକ ଲାଭଦାୟକ ବ୍ୟବସାୟ । ଆରବ ଓ ସୋମାଲିଆ ଦେଶ ଏହାର ବାସସ୍ଥାନ ହେଲେ ଏବେ ଭାରତ ସମେତ ବିଶ୍ଵର ଅନେକ ଦେଶରେ ଏହାକୁ ଚାଷ କରାଯାଉଛି ।

ବୈଜ୍ଞାନିକ ନାମ : କାସିଆ ଅଙ୍ଗୁଷ୍ଟିଫୋଲିଆ

ବଂଶ : ଲେଗୁମିନୋସି

ଆଞ୍ଚଳିକ ଭାଷାଗତ ନାମ

ଓଡିଆ – ସେନା , ସୁନାମୁଖୀ

ସଂସ୍କୃତ – ସ୍ଵର୍ଣ୍ଣପତ୍ରୀ

ତାମିଲ – ନୀଳାବିବୈ

ମରାଠୀ -  ସୋନାମୁଖୀ

ହିନ୍ଦୀ – ସନାୟ, ସୋନମୁଖୀ

ତେଲୁଗୁ  - ନେଲାତେଗେଡୁ

ଗୁଜୁରାଟୀ – ସୋନାମୁଖୀ

ଇଂରାଜୀ –Indian senna

ଉପକ୍ରମ


ସୁନାମୁଖୀ ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ, ଯାହାର କୃଷିକରଣ ଏକ ଲାଭଦାୟକ ବ୍ୟବସାୟ । ଆରବ ଓ ସୋମାଲିଆ ଦେଶ ଏହାର ବାସସ୍ଥାନ ହେଲେ ଏବେ ଭାରତ ସମେତ ବିଶ୍ଵର ଅନେକ ଦେଶରେ ଏହାକୁ ଚାଷ କରାଯାଉଛି । ଆମ ଦେଶର ଦକ୍ଷିଣ ଭାଗ ପ୍ରଦେଶ ମଧ୍ୟରେ ତାମିଲନାଡୁ ତ୍ରିଚନାପଲ୍ଲୀ, ମଦୁରାଇ, ତିନେବେଲ୍ଲୀ , ମହୀଶୂର ଏବଂ ଉତ୍ତର ପଶ୍ଚିମ ଭାଗରେ ରାଜସ୍ଥାନର ପାଲୀ ଏବଂ ଗୁଜୁରାଟର ଭୋଜି ପ୍ରଭୁତି ଅଞ୍ଚଳରେ ଏହାକୁ ସଫଳତାପୂର୍ବକ ଚାଷ କରାଯାଉଛି  ।

ଉଦ୍ଭିଦ ପରିଚୟ

ସୁନାମୁଖୀ ୨-୩ ଫୁଟ ଉଚ୍ଚତା ବିଶିଷ୍ଟ ଗୁଳ୍ମ ଜାତୀୟ ଉଦ୍ଭିଦ   । ପତ୍ରକ- ଅଣ୍ଡାକାର, ଭାଲାକାର, ୨.୫ରୁ ୭ ସେମି ଲମ୍ବ , ୭-୮ ମିମି ଓସାର ତଥା ଚିକ୍କଣ ଅଟେ । ପୁଷ୍ପର ବର୍ଣ୍ଣ ହଳଦିଆ  । ଫଳ –ଚେପଟା ,୧.୪ ରୁ ୨.୮ ଇଞ୍ଚ ଲମ୍ବ , ପ୍ରାୟ ୦.୮ ଇଞ୍ଚ ଚଉଡା ଏବଂ ଧୂସର ସବୁଜ ବର୍ଣ୍ଣଯୁକ୍ତ । ଫଳରେ ୫-୭ ସଂଖ୍ୟକ ବୀଜ ଥାଏ । ଏହାର ଫଳ ଓ ପତ୍ରକୁ ଚିକିତ୍ସାରେ ବ୍ୟବହାର କରାଯାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଏହାର ପତ୍ର ଏବଂ ଫଳରେ ମୁଖ୍ୟତଃ ସୋନାସାଇଡ “ଏ” ତଥା “ବି “ ନାମକ ଗ୍ଲାଇକୋସାଇଡ “ସି” ମଧ୍ୟ ମିଳିଥାଏ  । ଏହାର ପତ୍ର ଓ ଫଳ ବିରେଚକ ଅଟେ ଅର୍ଥାତ ଏହା ମଳପ୍ରବୃତ୍ତିରେ ସହାୟକ ହୋଇଥାଏ । ତେଣୁ ଏହା କୋଷ୍ଠ କାଠିନ୍ୟ , ବା କବଜାତ ରୋଗ ଦୂର କରିଥାଏ । ଏହାଛଡା , ଏହାକୁ ଆର୍ଥରାଇଟିସ , ସାଇଟିକ , କୃମିରୋଗ ନିରାକରଣରେ ମଧ୍ୟ ବ୍ୟବହାର କରାଯାଏ  ।

ଚାଷପ୍ରଣାଳୀ

ସୁନାମୁଖୀ ଗଛକୁ ଏକ ବର୍ଷ ପାଇଁ ଚାଷ କରାଯାଏ । କିନ୍ତୁ କେତେକ ସ୍ଥାନରେ ଥରେ ଲଗାଯିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇଥାଏ  । ଦକ୍ଷିଣ ଭାରତର ଏହାକୁ ୧ ବର୍ଷୀୟ ଫସଲ ଏବଂ ରାଜସ୍ଥାନରେ ଏହାକୁ ୫ ବର୍ଷୀୟ ଫସଲ ରୂପେ ଚାଷ କରାଯାଉଛି  ।

ମୃତ୍ତିକା ଓ ଜଳବାୟୁ : ପି.ଏଚ. ୬ରୁ ୮.୫ ମଧ୍ୟରେ ଥିବା ମାଟିରେ ସୁନାମୁଖୀ ଚାଷ ଭଲ ହୋଇଥାଏ । ଚିକ୍କଣିଆ ମାଟି ଏହା ପାଇଁ ଉପଯୁକ୍ତ ନୁହେଁ । କୌଣସି ପରିସ୍ଥିତିରେ ଗଛ ମୂଳରେ ଓ ଜମିରେ ପାଣି ଜମି ରହିବା ଉଚିତ ନୁହେଁ  ।

ଏହାର ଚାଷ ପାଇଁ ଶୁଷ୍କ ତଥା ଉଷ୍ଣ ଜଳବାୟୁ ଉପଯୁକ୍ତ ଅଟେ । ନିର୍ମଳ ସୂର୍ଯ୍ୟାଲୋକରେ ପୁଲକିତ ହୁଏ । ଉତ୍ତାପ ନ୍ୟୁନ ତମ ୨୫ ଡିଗ୍ରୀ ଏବଂ ଅଧିକତମ ୪୫ ଡିଗ୍ରୀ ରହିବା ଅବଶ୍ୟକ । ବାର୍ଷିକ ବୃଷ୍ଟିପାତ ୨୦ରୁ ୪୦ ସେମି ଏହି ଗଛର ଆବଶ୍ୟକତା ପୂରଣ କରିପାରେ  । ଅଧିକ ବର୍ଷା ଓ ମେଘୁଆ ପାଗ କ୍ଷତିକାରକ  ।

ଜମି ପ୍ରସ୍ତୁତି

ବର୍ଷା ଆରମ୍ଭରେ ଜମିକୁ କଢାଣ କରି ପ୍ରାୟ ୧ ମାସ ଛାଡିଦେବ । ତାପରେ ୨ ଓଡ ଆଡଚାଷ କରି ଶେଷ ଓଡଚାଷ ବେଳେ ହେକ୍ଟର ପ୍ରତି ୧୦ ଟନ ଗୁଣ୍ଡି ଖତ ମାଟିରେ ମିଶାଇ ମଇ ଦେଇ ଜମିକୁ ସମତଳ କରିବ । ସୁବିଧା ଅନୁସାରେ କିଆରି ଛନ୍ଦି ପାଣି ମଡାଇବା ଓ ଛଡାଇବା ନାଳୀ ରଖିବ ।

ଖତ ସାର

ଖତ ୧୦ ଟନ, ଯବକ୍ଷାରଜାନ ୫୦ କେଜି , ଫସଫରସ ୩୦ କେଜି, ପଟାସ ୨୫ କେଜି , ଶେଷ ଓଡଚାଷବେଳେ ମାଟିରେ ମିଶାଇବ ଆଉ ୫୦ କେଜି ଯବକ୍ଷାରଜାନ ଫସଲର ୮୦ ଓ ୧୩୦ ଦିନରେ ଅଧା ଅଧା କରିଦେବ  ।

ବିହନ

ବର୍ତ୍ତମାନ ସୁନାମୁଖୀର ପ୍ରମୁଖ ଦୁଇପ୍ରକାର ଉନ୍ନତ କିସମ ମିଳୁ ଅଛି, ଯଥା –(୧) ସୋମିଲ (୨) ଏ.ଏଲ.ଏଫ.ଟି-୨ ଗୁଜୁରାଟ କୃଷି ବିଶ୍ଵବିଦ୍ୟାଳୟ ଦ୍ଵାରା ବିକଶିତ  ।

ଲଗାଇବା ପ୍ରଣାଳୀ

ମଞ୍ଜି ଉପରେ ଚୋପା ଅତି ଶକ୍ତ । ମଞ୍ଜିକୁ ବାଲି ସହ ହେମଦସ୍ତାରେ କୁଟି ଦେଲେ ଚେପା ଉଖାରି ହୁଏ  । ଚୋପା ବାହାର କରି ଏହାକୁ ୧୦-୧୨ ଘଣ୍ଟା ପାଣିରେ ଭିଯାଇ ଛାଣି ପାଣି ନିଗିଡିଲେ କେଜି ପ୍ରତି ୨.୫ ଗ୍ରାମ ଥିରାନ କାପଟାଣ ବା ୧.୫ ଗ୍ରାମ ବାଭିଷ୍ଟିନ ଗୋଳାଇ ବିଶୋଧନ କରି ଧାଡି ମଧ୍ୟରେ ୪୫ ସେମି ଓ ଗଛ ମଧ୍ୟରେ ୩୦ ସେମି ବ୍ୟବଧନ ରଖି ପୋତିବ  ,। ଏହାଦ୍ୱାରା ହେକ୍ଟରକୁ ୬ କେଜି ମଞ୍ଜି ଲାଗିବ । ଧାଡିରେ ବୁଣିଲେ ୨୦ କେଜି ଦରକାର ହେବ  ।

ଜଳ ସେଚନ :

ବର୍ଷାଦିନେ ଛଡା ଅଧିକ ଦିନ ବର୍ଷା ଛାଡିଗଲେ ପ୍ରାୟ ୫- ୮ ଥର ସାମାନ୍ୟରୁ ମଧ୍ୟମ ଜଳସେଚନ କରାଯାଏ । ତେବେ ସୁନାମୁଖୀ ଫସଲରେ ଅତ୍ୟାଧିକ ଜଳସିଞ୍ଚନ ଆବଶ୍ୟକତା ନ ଥାଏ । ବର୍ଷସାରା ୩୦ ସେମି ବର୍ଷା ହେଉଥିଲେ ଆଦୌ ଜଳସେଚନ ଦରାକାର ନାହିଁ । ଅଧିକ ପାଣି ଅମଳ ପାଇଁ ହାନିକାରକ ।

ଅନ୍ତଃଫସଲ ଓ ଫସଲ ପର୍ଯ୍ୟାୟ

ଧାନ ପରେ ସେହି ଜମିରେ ସୁନାମୁଖୀ ଲଗାଯାଇପାରେ  । କପା, ରାସୀ, ଲଙ୍କା, ବାଇଗଣ , ଭେଣ୍ଡି, ଓ ତମାଟୋ ଦୁଇଧାଡି ମଧ୍ୟରେ ଅନ୍ତଃଫସଲ ରୂପେ ଲଗାଯାଏ । ଏହାଛଡା, ପର୍ଯ୍ୟାୟ କ୍ରମେ ସୋରିଷ- ସୁନାମୁଖୀ- ଧନିଆ ଚାଷ ଲାଭଜନକ ହୋଇଥାଏ  ।

ଘାସବଛା ଓ କୋଡା ଖୋସା

ଗଛ ୨୫-୩୦,୭୦-୮୦ ଓ ୧୧୦ ଦିନ ବେଳକୁ ପ୍ରଥମ, ଦ୍ୱିତୀୟ , ତୃତୀୟଥର କୋଡାଖୋସା, ଘାସବଛା ଓ ସାରଦେବା କାମ ହୁଏ  । ଟେଫ୍ଲାନ ଘାସମରା ଔଷଧ ୪ କେଜି ଗଦା ପୂର୍ବରୁ ପ୍ରୟୋଗ କଲେ ଘାସ ନିୟନ୍ତ୍ରଣ ସାଙ୍ଗକୁ ଅମଳ ଓ ଆନ୍ଥାକ୍ୟୁନନ ଧାରଣା ବଢେ । ସୁନାମୁଖୀ ଗଛକୁ କୌଣସି ପଶୁ ଯଥା ଗାଈ, ଛେଳି, ମେଣ୍ଢା ଖାଆନ୍ତି ନାହିଁ  । ତେଣୁ ଫସଲକୁ ସୁରକ୍ଷା ଦେବାପାଇଁ ବାଦ ଦେବାର ଅବଶ୍ୟକତା ନାହିଁ  ।

ରୋଗପୋକ ପରିଚାଳନା

ପତ୍ରଖିଆ ପୋକ, ଧଳାପ୍ରଜାପତି ଓ ଫଳବିନ୍ଧା ପୋକଜନିତ କ୍ଷତି ଏଡାଇବା ପାଇଁ ଯଥାକ୍ରମେ କାର୍ବାରିଲ ଲାଇଟର ପାଣିରେ ୪ ଗ୍ରାମ, ଜୁନ- ଜୁଲାଇ ପରିବର୍ତ୍ତେ ମାର୍ଚ୍ଚ-ଏପ୍ରିଲରେ କାର୍ବାରିଲ ବୁଣିବ । ଇଣ୍ଡୋସଲଫାନ ଶତକଡା ୦.୨୫ କିମ୍ବା କାର୍ବାରିଲ ଶତକଡା ୨୫ ସ୍ପ୍ରେ କରିବ

ରୋଗ

ପତ୍ରଚିତା ପାଇଁ ତିଥେନ ଏମ-୪୫ ଶତକଡା ୧୫ ଭାଗ ୧୫ ଦିନ ବ୍ୟବଧାନରେ ୩ ଥର ସ୍ପ୍ରେ କରିବ । ପିଲ ଗଛ ଚାରା ଓ ବଡଗଛର ଶୁଷ୍କ ପଚା ପାଇଁ ଶତକଡା ୧୫ ଭାଗ ଡିଥେନ ଏମ-୪୫ ସ୍ପ୍ରେ କରିବ । ଏହା ବ୍ୟତୀତ ଗୋମୁତ୍ର, ନିମ୍ବପତ୍ର କିମ୍ବା ଦୁଦୁରା ପତ୍ରର ରସକୁ ପାଣିରେ ମିଶାଇ ସିଞ୍ଚନ କଲେ ଉପରୋକ୍ତ ରୋଗପୋକ ଦାଉରୁ ସୁରକ୍ଷା ମିଳିପାରିବ  ।

ଅମଳ

ଫସଲ ୩ ଥରରେ ଅମଳ କରାଯାଏ । ଚାରା ରୋପଣ ବା ମଞ୍ଜି ପୋତିବାର ୫୦-୭୦ ଦିନରେ ସମସ୍ତ ଆଗ ପତ୍ରଗୁଡିକ ହାତ ତୋଳା କରିବ । ଦ୍ୱିତୀୟ ତୋଡା ୯୦-୧୦୦ ଦିନରେ , ତୃତୀୟ ଓ ଶେଷ ତୋଡା ୧୩୦-୧୫୦ ଦିନରେ ହୁଏ । ଶେଷଥର ସମୁଦାୟ ଗଛକୁ ଉପାଡି ପତ୍ର ଓ ଫଳକୁ ଅଲଗା ତୋଳାଯାଏ  ।

ପ୍ରକ୍ରିୟାକରଣ

ତୋଳାପତ୍ର ଓ ଫଳକୁ ପ୍ରଥମେ କ୍ଷେତରେ ପତଳା କରି ବିଛାଇ ଶୁଖାଇବ , ଯଦ୍ଵାରା ଅଧିକାଂଶ ଜଳୀୟ ଅଂସ କମିଯିବ । ସାମାନ୍ୟ ଶୁଖିଥିବା ପତ୍ର ଓ ଫଳକୁ ଆଣି ଖଳାରେ ୧୦-୧୨ ଦିନ ଖେଳାଇ ଶୁଖାଇବ । ପତ୍ର ଓ ଫଳ ରଙ୍ଗ ଈଷତ ସବୁଜରୁ ସବୁଜ ହଳଦିଆ ରହିବ । ସୁଖାଇବାର ଡେରି କଲେ କିମ୍ବା ଠିକ ଭାବେ ନ ଶୁଖାଇଲେ ରଙ୍ଗ କଳା ଓ ବାଦାମି ଦେଖାଯିବ ଏବଂ ମୂଲ୍ୟ ହ୍ରାସ ହେବ  । ଶୁଖିଥିବା ପତ୍ର ଓ ଫଳକୁ ଜଳଚାପ ପ୍ରଣାଳୀରେ ସଙ୍କୁଚିତ କରି ଅଖାରେ ଭରି ଥଣ୍ଡା ଅନ୍ଧାର ଘରେ ରଖି ରପ୍ତାନି କରାଯାଏ । ସାଧାରଣତଃ ରଙ୍ଗ ଠିକ ରହିବା ପାଇଁ ପାକଳ ପତ୍ର ଓ ପାକଳ ହୋଇନଥିବା ଫଳ (୧୦-୨୦ଦିନରେ ) ତୋଳାଯାଏ ବେଳେ ଫଳରୁ ମଞ୍ଜି ବାହାର କରିଦିଆଯାଏ  ।

ଅମଳହାର

ଜଳସେଚିତ ଜମିରୁ ହେକ୍ଟର ପ୍ରତି ପତ୍ର.୧.୦ – ୧.୫ ଟନ ଫଳ ୧.୫ ଟନ ମିଳେ । ଅଣଜଳସେଚିତ ଜମିରୁ ପ୍ରାୟ ଏହାର ଅଧାରୁ ସାମାନ୍ୟ ଅଧିକ ମିଳେ । ସକ୍ରିୟ ଉପାଦାନ ଆନ୍ଥାକୁଇନନ ପତ୍ରରେ ଶତକଡା ୨.୦ -୨.୫ ଏବଂ ଫଳରେ ଶତକଡା ୨.୫-୩.୦ ଥାଏ । ମଞ୍ଜିରେ ନଥାଏ । ପତ୍ର ଓ ଫଳ ଛଡା ପୁଷ୍ପଦଣ୍ଡ ପ୍ରାକ୍ଷ, କାଣ୍ଡ ଓ ଚେର ବକଳରେ ଯଥାକ୍ରମେ ଶତକଡା ୨.୭୬, ୨.୮୯, ୧.୯୧ ଭାଗ ଶତକଡା ୩.୩୩ ଭାଗ ସେନୋସାଇଡ ଥାଏ  ।

ସାଇତିବା

ରଙ୍ଗ ଓ ଆକାର ଅନୁସାରେ ତୋଳା ଶୁଖିଲା ପତ୍ର ଓ ଫଳକୁ ୨ରୁ ୩ ଶ୍ରେଣୀ ଭୁକ୍ତ କରାଯାଏ ।

(କ) ବଡ ହଳଦୀ ଓ ସବୁଜ ପତ୍ର ଓ ଫଳ ଯଥାକ୍ରମେ – ଅଧିକ ଦର  ।

(ଖ) ବାଦାମି ରଙ୍ଗ ଓ ଫଳ (୨ୟ ଶ୍ରେଣୀ) – କମ ଦର

(ଗ) ଛୋଟ ଭଙ୍ଗା ପତ୍ର ଓ ଫଳ (୩ୟ ଶ୍ରେଣୀ) – ବିକ୍ରି ହୁଏନା  ।

ପତ୍ର ଓ ଫଳ ସୁଖାଇବାବେଳେ ଅଯତ୍ନ ଓ ସାଇତିବା ଅସୁବିଧାରୁ ସାମାନ୍ୟ ଆଦ୍ର ରହିଲେ ପତ୍ର ଓ ଫଳ ପାଉଁସିଆ କଳା ପଡେ , ଯଦ୍ଵାରା ଔଷଧ ଗୁଣ କମିଯାଏ । ଗରମ ପବନ ୪୦ ସେଣ୍ଟିଗ୍ରେଡ ଦେଇ ଶୁଖାଯାଇପାରେ  । ୫୦ ସେଣ୍ଟିଗ୍ରେଡ ହେଲେ ଗୁଣ ନଷ୍ଟ ହୋଇଯାଏ  ।

ଆୟ ବ୍ୟୟ

ଜଳସେଚିତ ଜମିରେ ହେକ୍ଟର ପ୍ରତି ଖର୍ଚ୍ଚ ୭ ହଜାର ଟଙ୍କା ଓ ମୋଟ ଆୟ ୩୭,୫୦୦ ଟଙ୍କା । ହେକ୍ଟର ପ୍ରତି ନେଟ ଲାଭ ୩୦,୫୦୦ ଟଙ୍କା ହୋଇଥାଏ  ।

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା

3.07407407407
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top