ସେଆର କରନ୍ତୁ

ଅଁଳା ଚାଷ

ଅଁଳା ଚାଷ କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ଆଲୋଚନା କରାଯାଇଛି ।

ଅଁଳା ଦକ୍ଷିଣ ପୂର୍ବ ଏସିଆର ବିଷୁବ ମଣ୍ଡଳୀୟ ଅଳରୁ ଉତ୍ପତ୍ତି ହୋଇଛି। ଆମ ଦେଶରେ ଏହାକୁ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ବେଳେ ଚାଷୀଙ୍କ ପାଇଁ ରୋଜଗାରର ଭଲ ସୁଯୋଗ ସୃଷ୍ଟି କରିଛି। ଏହି ଗଛର ଫଳ, ପତ୍ର, ଛେଲି, ମଞ୍ଜି ଓ ମୂଳରେ ଔଷଧୀୟ ଗୁଣ ରହିଛି। ଅଁଳାରେ ପ୍ରଚୁର ପରିମାଣର ଭିଟାମିନ୍ – ‘ସି’ ଥିବାରୁ ଏହା ଅଧିକ ଉପାଦେୟ। ଏଥିରୁ ପ୍ରସ୍ତୁତ ଔଷଧ ଦ୍ୱାରା ହୃଦ୍ ରୋଗ, ଚକ୍ଷୁରୋଗ, ଚର୍ମରୋଗ, ମଧୁମେହ, ଅମ୍ଳପିତ୍ତ, ପେଟରୋଗ, ଦନ୍ତରୋଗ, ଶ୍ୱାସ, କଫ, କୁଷ୍ଠ, ଜଳାପୋଡ଼ା, ରକ୍ତହୀନତା, ଅର୍ଶ ଆଦି ରୋଗର ଚିକିତ୍ସା କରାଯାଇଥାଏ। ଏହାଛଡ଼ା ସାମ୍ପୁ, କେଶ ତୈଳ, ଆଚାର ଏବଂ ପାନୀୟ ପ୍ରସ୍ତୁତିରେ ମଧ୍ୟ ଏହା ବ୍ୟବହାର ହୋଇଥାଏ। ଏହି ଔଷଧୀୟ ବୃକ୍ଷକୁ ଧାରା ମୁତାବକ ଚାଷ କଲେ ନିଶ୍ଚିତ ରୂପେ ଲାଭ ମିଳିବ।

ଚାଷ ପ୍ରଣାଳୀ

ଅଁଳା ସବୁ ପ୍ରକାରର ମାଟିରେ ଚାଷ କରାଯାଇପାରେ। ଏହା ହାଲୁକା ମାଟିରେ ଭଲ ବଢ଼ୁଥିବା ବେଳେ ବାଲିଆ ମାଟିରେ କମ୍ ବଢ଼ିଥାଏ। ତେବେ ନିଗିଡ଼ା ଉର୍ବର ଦୋରସା ମାଟି ଏହି ଚାଷ ପାଇଁ ସବୁଠୁ ଭଲ। ବାର୍ଷିକ ହାରାହାରି ବୃଷ୍ଟିପାତ ୬୩୦ ରୁ ୮୦୦ ମିଲିମିଟର ଏବଂ ଶୂନ ଡିଗ୍ରୀରୁ ୪୬ ଡିଗ୍ରୀ ବାୟୁମଣ୍ଡଳୀୟ ତାପମାତ୍ରା ଥିବା ଅଞ୍ଚଳରେ ଏହି ଚାଷ କରାଯାଇପାରିବ। ଚାରା ଲଗାଇବା ଠାରୁ ୩ ବର୍ଷ ପର୍ଯ୍ୟନ୍ତ ଅତ୍ୟଧିକ ତୁଷାରପାତ ଏବଂ ଉଷ୍ମତାରୁ ସୁରକ୍ଷା ଦେଲେ ଗଛ ଭଲ ବଢ଼ିଥାଏ। ଚାଷ ବେଳେ ସର୍ବଦା ଉନ୍ନତ କିସମ ଚାରା ବା ମଞ୍ଜି ବ୍ୟବହାର କରିବା ନିହାତି ଜରୁରୀ। ଉନ୍ନତ କିସମ ଅଁଳା ମଧ୍ୟରେ ଏନ୍ଏ – ୬, ଏନ୍ଏ – ୭, ଏନ୍ଏ – ୯, ଚକେୟା, କାଞ୍ଚନ, ବନାରସୀ, କ୍ରିଷ୍ଣା, ଫ୍ରାନ୍ସିସ୍, ବିଏସ୍ଆର୍-୧ ଏବଂ ବଲୱନ୍ତ ବ୍ୟବହାର ହେଉଥିବା ବେଳେ ଏନ୍ଏ – ୭ କିସମ ସବୁଠାରୁ ଅଧିକ ଅମଳ ଦେଇଥାଏ।

ଅଁଳା ପ୍ରାକୃତିକ ଭାବେ ମଞ୍ଜିରୁ ବଂଶ ବିସ୍ତାର କରୁଥାଏ। ଗଛରେ ୭ ରୁ ୮ ବର୍ଷରେ ଫଳ ଧରୁଥିବାରୁ ବ୍ୟବସାୟିକ ଭିତ୍ତିରେ ଚାଷ ପାଇଁ ଡାଳ କଲମୀ ଓ ଆଖିକଲମୀ ଚାରା ବ୍ୟବହାର କରିବା ଭଲ। ଚାଷ ପାଇଁ ହେକ୍ଟର ପ୍ରତି ୫୦୦ କଲମୀ ଚାରା ଆବଶ୍ୟକ ହୋଇଥାଏ। ମେ’ ରୁ ଜୁନ୍ ମାସ ମଧ୍ୟରେ ୫ ମି. × ୪ ମି. ବ୍ୟବଧାନରେ ୨୫ ସେ.ମି. ଗଭୀର ଗାତ ଖୋଳି ସେଥିରେ ଖତ, ପିଡ଼ିଆ ଓ ସାରକୁ ମାଟି ସହ ମିଶାଇ ଗାତ ଭରି ଦିଆଯାଏ। ପ୍ରତି ଗାତ ପିଛା ୨ କେ.ଜି. ଜୈବସାର, ୫୦୦ ଗ୍ରାମ ସୁପର୍ ଫସଫେଟ୍ ଏବଂ ୧୦୦ ଗ୍ରାମ ନିମ୍ବ ପିଡ଼ିଆ ଭର୍ତ୍ତି କରିବାକୁ ପଡ଼ିଥାଏ। ବର୍ଷା ଆରମ୍ଭ ବେଳକୁ ଜୁନ୍ ରୁ ଜୁଲାଇ ମାସ ମଧ୍ୟରେ ଚାରା ବା ମଞ୍ଜି ଲାଗାଇବାକୁ ହୁଏ। ପରବର୍ତ୍ତୀ ସମୟରେ ବର୍ଷକୁ ଦୁଇଥର ଯବକ୍ଷାରଜାନ ସାର ୨୦୦ ଗ୍ରାମ, ଫସଫରସ ୧୦୦ ଗ୍ରାମ, ପଟାସ ୨୦୦ ଗ୍ରାମ ଏବଂ ଜୈବିକ ଖତ ୨ ରୁ ୩ କେ.ଜି ମିଶାଇ ପ୍ରୟୋଗ କରିବା ଆବଶ୍ୟକ।

ଗଛ ଲଗାଇବା ସମୟ ଛଡ଼ା ମାଟିର ବତରକୁ ଦେଖି ପ୍ରତି ୧୫ ଦିନ ଅନ୍ତରରେ ଛୋଟ ଗଛକୁ ପାଣି ଦେବା ଆବଶ୍ୟକ। ଫଳ ଧରି ଆସିବା ଅବସ୍ଥାରେ ଏବଂ ପରବର୍ତ୍ତୀ ସମୟରେ ସପ୍ତାହକୁ ୨ ଥର ଜଳସେଚନ କଲେ ଗଛରୁ ଫଳ ଝଡ଼ିବା କମିବା ସାଙ୍ଗକୁ ଫଳର ଆକାର ବଡ଼ ହୁଏ। ପୂର୍ବରୁ କହିବା ଅନୁଯାୟୀ ବର୍ଷକୁ ୨ ଥର ସାର ଓ ଖତ ପ୍ରୟୋଗ ପରେ ଜଳସେଚନ କରିବା ନିତ୍ୟାନ୍ତ ଆବଶ୍ୟକ। ସୁବିଧାରେ ପାଣି ମାଡ଼ାଇବା ପାଇଁ ଚାଷ ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କଲେ ବହୁତ ଭଲ। ଛୋଟ ଗଛ ମୂଳରୁ ଘାସ ବାଛି ପରିଷ୍କାର କରିଦେଲେ ଖତ ଓ ସାର ଗଛକୁ ସମ୍ପୂର୍ଣ୍ଣ ଭାବେ ମିଳିଥାଏ। ଗଛର ୦.୭୫ ମିଟର ଉପରକୁ କାଟିଦେଲେ ୪-୫ଟି ଶାଖା ବାହାରି ଗଛ ଶାଖା ପ୍ରଶାଖା ମେଲି ବଢେ଼। ବଡ଼ ଡାଳକୁ ଛାଡ଼ି ଅନ୍ୟ ଛୋଟ ଡାଳ ସବୁକୁ କାଟିଦେଲେ ଗଛର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥାଏ। ଚାରା ଲଗାଇବାର ପ୍ରଥମ ଦୁଇ ବର୍ଷ ମଧ୍ୟରେ ଅନ୍ତଃଫସଲ ହିସାବରେ ମୁଗ, ବିରି, ହରଡ଼ ତଥା ବିଭିନ୍ନ ପ୍ରକାରର ପନିପରିବା ଲାଗାଇଲେ ରୋଜଗାର ମିଳିପାରିବ। ଏହାଛଡ଼ା ଫସଲରେ ଅଧିକ ଘାସ ବଢ଼ିବ ନାହିଁ।

ରୋଗପୋକ ନିୟନ୍ତ୍ରଣ

ଅଁଳାରେ କାଣ୍ଡବିନ୍ଧା ପୋକ ଦେଖିବାକୁ ମିଳେ। ଗଛ ପତ୍ରରେ କଳଙ୍କି ଲାଗି ପତ୍ରଦାଗ ରୋଗ ଦେଖାଯାଏ। ପ୍ରତ୍ୟେକ ଗଛର କାଣ୍ଡରେ ମନୋକ୍ରୋଟୋଫସ୍ କିମ୍ବା କ୍ଲୋରୋଫାଇରୋଫିସ୍ ୧୦ ରୁ ୨୦ ମି.ଲି. ପ୍ରୟୋଗ କରି ଗାତ ମୁହଁ ବନ୍ଦ କରିଦେଲେ ପୋକ ମରିଯା’ନ୍ତି। ପତ୍ରଦାଗ ରୋଗ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୩ ଗ୍ରାମ ହିସାବରେ ଡିଥେନ୍-ଏମ୍-୪୫ ଗୋଳାଇ ସେପ୍ଟେମ୍ବର ମାସରେ ୧୫ ଦିନ ଅନ୍ତରରେ ଦୁଇଥର ସିଞ୍ଚିଲେ ସୁଫଳ ମିଳେ। ସୁଟଗଲ୍ କୀଟ ଦ୍ୱାରା ଆକ୍ରାନ୍ତ ଅଁଳା ଶାଖାର ଅଗ୍ରଭାଗରେ ଗଣ୍ଠି ଫୁଲିବାର ଦେଖିଲେ ପ୍ରଭାବିତ ଡାଳର ନିମ୍ନ ଭାଗରୁ କାଟି ବାହାର କରିଦେବା ଉଚିତ।

ଚାରା ଲଗାଇବାର ୪ ରୁ ୫ ବର୍ଷ ବେଳକୁ ଫଳ ଧରିବା ଆରମ୍ଭ ହୋଇଯାଏ। ଫଳ ସବୁଜ ବର୍ଣ୍ଣ ଦିଶିଲେ ଫେବୃଆରୀ ମାସ ବେଳକୁ ଅମଳ କରାଯାଏ। ଗୋଟିଏ ଗଛରୁ ୧୦ ବର୍ଷ ପର୍ଯ୍ୟନ୍ତ ଅମଳ ମିଳିଥାଏ। ଗୋଟିଏ ଗଛରୁ ପ୍ରାୟ ୫୦ ରୁ ୭୦ କି.ଗ୍ରା. ଅମଳ ମିଳିଥାଏ। ହେକ୍ଟର ପ୍ରତି ୪ର୍ଥ ବର୍ଷ ଠାରୁ ୧୦ମ ବର୍ଷ ପର୍ଯ୍ୟନ୍ତ ଯଥାକ୍ରମେ ୨୫, ୩୫, ୫୦, ୭୫, ୧୦୦, ୧୫୦, ଓ ୧୭୦ କୁଇଣ୍ଟାଲ ଯାଏଁ ଅମଳ ଚାଷୀ ପାଇପାରିବେ।

ଆଧାର – "ସଂକଳ୍ପ ଓଡ଼ିଶା"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top