ହୋମ / କୃଷି / କୃଷି ଉଦ୍ୟୋଗ / ଅର୍ଥକାରୀ ଫସଲ ତରଭୁଜ
ସେଆର କରନ୍ତୁ

ଅର୍ଥକାରୀ ଫସଲ ତରଭୁଜ

ଅର୍ଥକାରୀ ଫସଲ ତରଭୁଜ ଚାଷ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ତରଭୁଜ ଗୋଟିଏ ଲାଭଜନକ ଓ ଉପାଦେୟ ଫସଲ । ଖରାଦିନେ ଏହାର ଚାହିଦା ଅଧିକ । ପାଚିଲା ଖାଇବା ବ୍ୟତୀତ ଏଥିରୁ ସ୍କ୍ୱାସ୍ ମଧ୍ୟ ତିଆରି କରାଯାଏ । ଚାଷୀ ଉନ୍ନତ ପ୍ରଣାଳୀ ଓ ଉପଯୁକ୍ତ ତାଲିମ୍ ଗ୍ରହଣ କରି ଏହି ଚାଷ କଲେ ଅଧିକ ଲାଭବାନ୍ ହୋଇପାରିବେ।

ଓଡିଶାର ଦେଓଗଡ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧାରେ ଏହା ବହୁଳ ପରିମାଣରେ ଚାଷ ହେଉଛି।

ଓଡିଶାରେ ଉତ୍ପାଦିତ ହେଉଥିବା ତରଭୁଜର ଗୁଣାତ୍ମକ ମାନ ଭଲ ହେଉଥିବା ଯୋଗୁ ଦିଲ୍ଲୀ, ହରିଆନ୍ନା, ପଞ୍ଜାବ, ଉତ୍ତରପ୍ରଦେଶରେ ମଧ୍ୟ ଏହାର ଚାହିଦା ରହିଛି।

ମୃତ୍ତିକା

ତରଭୁଜ ବିଭିନ୍ନ ପ୍ରକାର ମାଟିରେ ଚାଷ ଦେଉଥିଲେ ମଧ୍ୟ ନିଗିଡ଼ା ଉର୍ବର ମାଟି ଏଥିପାଇଁ ଅନୁକୂଳ । ତରଭୁଜ ଚାଷ ପାଇଁ ମାଟିରେ ଅମ୍ଳତା ୫.୫ ରୁ ୭.୦ ମଧ୍ୟରେ ରହିବା ଉଚିତ୍ ।

ଲଗାଇବା ସମୟ

ଉନ୍ନତ କିସମରେ ଏକର ପ୍ରତି ୪୦୦-୮୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଶଙ୍କର କିସମରେ ଏକର ପ୍ରତି ୨୦୦-୩୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ମୁଖ୍ୟ ଫସଲ ପାଇଁ ଡ଼ିସେମ୍ବର – ଜାନୁଆରୀ ମାସରେ ମଞ୍ଜି ଲଗାଯାଏ । ତେବେ ଫ୍ରେବୃଆରୀ ମାସ ପର୍ଯ୍ୟନ୍ତ ମଧ୍ୟ ଲଗାଯାଇପାରେ ।

ମଞ୍ଜି ଲଗାଇବା ପୂର୍ବରୁ ୧ କି.ଗ୍ରା ମଞ୍ଜିକୁ ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ଦ୍ଵାରା ବିଶୋଧନ କରିବା ଉଚିତ । ମଞ୍ଜିକୁ ଥଣ୍ଡା ଦିନରେ ଯଥାଶିଘ୍ର ଗଜା ବାହାରିବା ପାଇଁ ଚତୁରା ମଞ୍ଜିକୁ ଓଦା କନାରେ ଗୁଡ଼ାଇ ଉଷୁମ ସ୍ଥାନରେ (କଞ୍ଜେଷ୍ଟ ତଳେ) ୨୪-୪୮ ଘଣ୍ଟା ରଖିଲେ ମଞ୍ଜିରୁ ଶୀଘ୍ର ଗଜା ବାହାରିଥାଏ ।

କିସମ ଅନୁସାରେ ଧାଡ଼ିକୁ ଧାଡ଼ି ୨.୦-୩-୫ ମିଟର ଏବଂ ମନ୍ଦାକୁ ମନ୍ଦା ୦.୬ – ୧.୨ ମିଟର ଦୂରତାରେ ମଞ୍ଜି ପୋତାଯାଏ । ମଞ୍ଜିଗୁଡ଼ିକ ୨.୫ ସେ.ମି.ରୁ ୫.୦ ସେ.ମି ଗଭୀରରେ ଲଗାଇବା ଉଚିତ ।

କିସମ

  • ଦେଶୀ
  • ସୁଗାର ବେବି, ଲାଲ ସୋନା, ଆର୍କା ମାଣିକ, ଦୁର୍ଗାପୁରା ମଧୁ, ଆର୍କାୟାମୋଟୋ

  • ଶଙ୍କର
  • ମାଧୁରୀ, ମାୟା, ସୁଗାର ବଏ, ଆର୍କ ଜ୍ୟୋତି, ପୁଷା ଜୋବଦନା

ଖତ ଓ ସାର

ଜମି ପ୍ରସ୍ତୁତି ସମୟରେ ଖତ କିମ୍ବା କଞ୍ଜେଷ୍ଟ ୫-୧୦ ଟନ୍ ଏକର ପ୍ରତି ବ୍ୟବହାର କରିବା ଉଚିତ । ଏହା ସହିତ ମୁଳ ସାର ହିସାବରେ ଯବକ୍ଷାରଯାନ ୨୫ କିଗ୍ରା, ଫସଫରସ୍ ୫୦ କିଗ୍ରା, ପଟାସ୍ ୨୫ କିଗ୍ରା ଦେବା ଉଚିତ । ଏହା ସହ ମଞ୍ଜି ଲଗାଇବା ପରେ ଗଛ, ୨୫ ରୁ ୩୦ ଦିନର ହୋଇଗଲେ ୨୫ କିଗ୍ରା ଯବକ୍ଷାରଯାନ ଏବଂ ୨୫ କିଗ୍ରା ପଟାସ୍ ବ୍ୟବହାର କରିବା ଉଚିତ ।

ପ୍ରଥମ କୋଡ଼ା ଖୋସା ସମୟରେ ଏକର ପ୍ରତି ୪ କି.ଗ୍ରା ବୋରାଜ୍ କିମ୍ବା ୧୦ କି.ଗ୍ରା. ମିଶ୍ରିତ ଅଣୁସାର ପ୍ରୟୋଗ କଲେ ଅମଳ ବଢ଼ିଥାଏ । ଚାରା ୨-୪ ପତ୍ର ହେବା ସମୟରେ ବୋରନ ୧ ଗ୍ରାମାଲିଟର ସ୍ରୋ କଲେ। ମାଈ ଫୁଲର ଅନୁପାତ ବୃଦ୍ଧି ପାଇଥାଏ । ଏତଦ୍ ବ୍ୟତୀତ ଚାରା ରୋପଣର ୨୦, ୪୦ ଏବଂ ୬୦ ଦିନରେ ମିଶ୍ରିତ ଅଶୁସାର ପତ୍ର ସିଞ୍ଚନ କରନ୍ତୁ ।

ଜଳସେଚନ

ମଞ୍ଜି ପୋତିବା ପରେ ହାଲକା ଜଳସେଚନ କରାଯାଏ । ଯାହାକି ମଞ୍ଜି ଗଜା ହୋଇ ଗଛ ହେବାରେ ସାହଯ୍ୟ କରେ । ପରବର୍ତ୍ତୀ ଅବସ୍ଥାରେ ମାଟି ତଥା ପାଗର ଅବସ୍ଥା ଦେଖି ୫ - ୧୫ ଦିନ ବ୍ୟବଧାନରେ ଜଳସେଚନ କରାଯିବା ଉଚିତ। ଜଳସେଚନ ସମୟରେ ପତ୍ର, ଲଟା ଅବା ଫଳରେ ପାଣି ଲାଗିବା ଅନୁଚିତ । ଫଳ ପାଚିବା ସମୟରେ ଜଳସେଚନ କମ୍ କିମ୍ବା ବନ୍ଦ କରିବା ଦରକାର ନଚେତ ଫଳ ଫାଟିବା ସହିତ ଫଳର ମାନ କମିଯାଏ ।

କୋଡ଼ାଖୋସା ଓ ରକ୍ଷଣାବେକ୍ଷଣ

ପ୍ରଥମାବସ୍ଥାରେ କିଆରିରେ ଅନାବନା ଘାସ ତଥା ବାଳୁଙ୍ଗା ମୁକ୍ତ ରହିବା ନିହାତି ଦରକାର କାରଣ ଏହି ସମୟରେ ଘାସ ନ ବାଛିଲେ ଶତକଡ଼ା ୩୦ ଭାଗ ଅମଳ କମି ଯାଇପାରେ, ତେଣୁ ମଞ୍ଜି ଲଗାଇବାର ୧୫ ଦିନ ପରେ ଥରେ ଏବଂ ଦ୍ଵିତୀୟ ଦଫା ଯବକ୍ଷାରଜାନ ସାର ପ୍ରୟୋଗ ପୂର୍ବରୁ ଆଉଥରେ କୋଡ଼ାଖୁସା କରି ଅନାବନା ଘାସ ବାଛିବା ଉଚିତ । ପରବର୍ତ୍ତୀ ଅବସ୍ଥାରେ ଗଛଗୁଡ଼ିକ ଢ଼ଙ୍ଗେଇ ଜମିରେ ମାଡ଼ିଗଲେ ଆଉ ଘାସ ବାଛିବା ଦରକାର ପଡ଼ିନଥାଏ । ତରଭୁଜ ଗଛର ଡ଼ଙ୍କର ଆଗ ଛଡ଼ାଇଲେ ଗଛରେ ଅଧିକ ମାଈ ଫୁଲ ହୁଏ । ଗଛରେ ଫୁଲ ଧରିବା ପରେ ତରଭୁଜ କିଆରିରେ ଏକର ପ୍ରତି ୨ ଟି ମହୁମାଛି ବାକୁ ୨-୩ ସପ୍ତାହ ପର୍ଯ୍ୟନ୍ତ ରଖିଲେ ଗଛରେ ସଅଳ ଫଳ ଧରେ ।

ଅମଳ

ଗଛଗୁଡିକ ୯୦ - ୧୨୦ ଦିନ ହେଲେ ଫଳ ଅମଳଯୋଗୀ ହୋଇଯାଆନ୍ତି । ଫଳଗୁଡିକୁ ଉପରବେଳା ଅମଳ କରିବା ଉଚିତ। ଫଳ ଅମଳ ଉପଯୋଗୀ ହେଲେ ରଙ୍ଗ ବଦଳିବା ଆରମ୍ଭ କରେ । ଜମିର ଉର୍ବରତା ଓ ଚାଷ ପ୍ରଣାଳୀ ଅନୁଯାୟୀ ଏକ ଏକର ତରଭୁଜ ଚାଷ କଲେ ୧୦୦- ୨୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ । ୧ ଏକର ଚାଷ ପାଇଁ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ଯାଇ ଆୟ ୭୫ ରୁ ୯୦ ହଜାର ଟଙ୍କା ମିଳିବ ।

ଆଧାର – କୃଷି ବିଭାଗ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top