ହୋମ / କୃଷି / କୃଷି ଉଦ୍ୟୋଗ / ଧାନଚାଷ ପ୍ରଣାଳୀ
ସେଆର କରନ୍ତୁ

ଧାନଚାଷ ପ୍ରଣାଳୀ

ବିଭିନ୍ନ ପ୍ରକାରର ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରାଯାଇଛି ।

ଧାନଚାଷରୁ ଅଧିକ ଆଦାୟ ପାଇବାକୁ ହେଲେ ଭଲ ବିହନ, ଆବଶ୍ୟକ ପରିମାଣର ଖତ ଓ ସାର, ପୋକ ଓ ରୋଗ ପାଇଁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ସଙ୍ଗେ ସଙ୍ଗେ ଠିକ୍ ପ୍ରଣାଳୀରେ ଚାଷ କଲେ ଆଦାୟ ଅଧିକ ହୁଏ, ଏକଥା ଆମ ଚାଷୀ ଭାଇମାନେ ଭଲ କରି ଜାଣନ୍ତି । ତେବେ ଆଜିକାଲି କୃଷି ବିଜ୍ଞାନୀମାନେ ଗବେଷଣା ଦ୍ଵାରା ଯେଉଁସବୁ ନୂଆ କଥା ବାହାର କରିଛନ୍ତି, ସେହି ଅନୁସାରେ ଚାଷୀ ଭାଇମାନେ ଚାଷ କରିବା ଉଚିତ୍ ।

ସାଧାରଣତଃ ଆମ ରାଜ୍ୟରେ ଚାଷୀମାନେ ୩ କିସମ ଜମିରେ ଧାନ ଚାଷ କରିଥାନ୍ତି । ଯଥା-ଢ଼ିପଜମି, ମଝାଳିଆ ଜମି ଓ ଖାଲ ଜମି । ଅତି ଡ଼ିପ ବା ଗଡ଼ାଣିଆ ଜମିରେ ଧାନଚାଷ ଲାଭଜନକ ହୁଏ ନାହିଁ । ତେଣୁ ସେସବୁ ଜମିରେ ଚିନାବାଦମ, ମାଣ୍ଡିଆ, ମକା, ହରଡ଼, ବରଗୁଡ଼ି ପ୍ରଭୃତି ଫସଲ ଚାଷ କରିବା ଉଚିତ୍ । ଡ଼ିପ ଜମିରେ ୭୦ ରୁ ୮୦ ଦିନ ଭିତରେ ଅମଳ ହେଉଥିବା ବିଆଳି ଧାନ ଚାଷ କରାଯାଏ । ବାଲେଶ୍ଵର, କଟକ, ପୁରୀ ଓ ଗଞ୍ଜାମ ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୧୦୦ ଦିନ ଭିତରେ ପାଟୁଥିବା ଧାନ ମଧ୍ୟ ଚାଷ କରାଯାଇପାରିବ । ଏହି ପାଠରେ ଆମେ ବିଭିନ୍ନ ପ୍ରକାରର ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରିବା ।

ଢିପଜମି ଧାନ

ଜମି ପ୍ରସ୍ତୁତି :-

ଢିପ ଜମିକୁ ମାଇ ବା ବିଆଳି ଜମି କୁହାଯାଏ । ଏହିସବୁ ଜମିକୁ ପହିଲି ବର୍ଷାପରେ ଲୁହା ଲଙ୍ଗଳରେ ଥରେ ବା ଦୁଇଥର ଚାଷ କରିଦେଲେ ମାଟି ଖରା ପାଇଯାଏ ଓ ଅନାବନା ଗଛ ମରିଯାଏ । ମାଟି ଖରାଖାଇ ଶୁଖିଗଲେ । ପରବର୍ତ୍ତୀ ଫସଲରେ ଘାସ କମ୍ ହୁଏ, ରୋଗ, ପୋକ କମ୍ ହୁଏ, ମୁଭିକା କ୍ଷୟ କମ୍ ହୁଏ ଏବଂ ପରବର୍ତ୍ତୀ ଫସଲକୁ ଅଧିକ ଖାଦ୍ୟସାର ମିଳେ । ଏହା ବାଦ୍ ପ୍ରତି ଅସରା ବର୍ଷାର କିଛିଦିନ ପରେ ବିଲରେ ଅବା ଅନାବନା ଘାସର ମଞ୍ଜି ଗଜା ହୋଇ ଉପରକୁ ଉଠି ଆସିବା ପରେ ହଳ କରି ସେସବୁ ଘାସକୁ ନଷ୍ଟ କରିଦେବା ଉଚିତ୍ । ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି ୪-୫ ଗାଡ଼ି ସଡ଼ା ଖତ କିମ୍ବା କଞ୍ଜେଷ୍ଟ ପ୍ରୟୋଗ କରିବା ଉଚିତ୍ ।

ବିହନ ବୁଣିବା :-

ଆମ ରାଜ୍ୟର ଚାଷୀମାନେ ଡ଼ିପ ଜମିରେ ଛାଟିକରି ଧାନ ବୁଣିଥାନ୍ତି । ଏହାଦ୍ଵାରା ଅଧିକ ବିହନ ଖର୍ଚ୍ଚ ହୁଏ । ଉପରେ ପଡ଼ିଥିବା ବିହନକୁ ଚଢ଼େଇ ଖାଇଯାନ୍ତି । ଅତି ଗଭୀରରେ ପଡ଼ିଥିବା ବିହନ ଗଜା ହୁଏ ନାହିଁ । ସବୁ ବିହନରୁ ଏକାବେଳେ ଗଜା ବାହାରେ ନାହିଁ ଏବଂ ଜମିର ସବୁଆଡ଼େ ସମାନ ସଂଖ୍ୟକ ଗଛ ରହେ ନାହିଁ । ଏହି ସବୁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଧାନକୁ ଧାଡ଼ିରେ ବୁଣିବା ଉଚିତ୍ଵ । ଆଜିକାଲି ଅନେକ ପ୍ରକାରର ଧାଡ଼ିବୁଣା ଯନ୍ତ୍ର ବାହାରିଲାଣି । ଏହିସବୁ ଯନ୍ତ୍ର ସାହାଯ୍ୟରେ ଧାନ ବୁଣିଲେ ସମାନ ଦୂରତାରେ ଓ ସମାନ, ଗହୀରରେ ବିହନ ପଡ଼େ, ଫଳରେ ଏକ ସମୟରେ ସବୁ ବିହନରୁ ଗଛ ଉଠେ । ଧାଡ଼ିରେ ବୁଣାଯାଉଥିବାରୁ ଘାସ ବଛା, କୋଡ଼ାଖୁସା, ସାର ଦେବା ଓ କାଟିବା ସୁବିଧାଜନକ ହୁଏ।

ଧାଡ଼ିବୁଣା ଯନ୍ତ୍ର ନ ମିଳିଲେ, ମାର୍କର ସାହାଯ୍ୟରେ ସିଆର କରି, ସିଆରରେ ବିହନ ପକାଇ ମଇ ଦ୍ଵାରା ଘୋଡ଼ାଇ ଦେବାକୁ ହେବ । ଯଦିଓ ଏହା ମଞ୍ଜି ବୁଣା ଯନ୍ତ୍ରପରି ସେତେ ସୁବିଧାଜନକ ନୁହେଁ, ତଥାପି ଧାଡ଼ିରେ ବିହନ ପଡୁଥିବାରୁ ପରବର୍ତ୍ତୀ ଚାଷ କାମ କରିବା ସୁବିଧାଜନକ ହୋଇଥାଏ।

ସାଧାରଣତଃ ଧାନ ବୁଣିଲା ବେଳେ ଧାଡ଼ି ଧାଡ଼ି ଭିତରେ ୧୫ ସେ.ମି. ବ୍ୟବଧାନ ରହିବା ଉଚିତ୍ ଏବଂ ବିହନ ୪ ରୁ ୬ ସେ.ମି.) ଗଭୀରତାରେ ପଡ଼ିବା ଉଚିତ୍ । ସରୁ ଓ ମୋଟା କିସମ ଭେଦରେ ଏକର ପ୍ରତି ୨୪ ରୁ ୩୨ କିଲୋଗ୍ରାମ୍ ବିହନ ଆବଶ୍ୟକ ହୁଏ । ବିହନ – ଜନିତ ରୋଗରୁ ଫସଲକୁ ରକ୍ଷା କରିବା ପାଇଁ  ବିହନ ବିଶୋଧନ କରି ବୁଣିବା ଉଚିତ୍ । ଏକ କିଲୋଗ୍ରାମ୍ ବିହନ ପାଇଁ ୨.୫ ଗ୍ରାମ୍ କାପଟାନ୍ କିମ୍ବା  ଥିରାମ୍ ଅଥବା ୧.୫ ଗ୍ରାମ୍ କାର୍ବେଣ୍ଡାଜିମ୍ ଆବଶ୍ୟକ ହେବ । ବିହନ ବିଶୋଧନ ବିଷୟ ପଞ୍ଚମ ପାଠରେ ବିସ୍ତୃତ ଭାବେ ଦିଆଯାଇଛି।

ଘାସବଛା  :-

ଢିପ ଜମିରେ ଠିଆପାଣି ଗ୍ରହୁ ନଥିବାରୁ ଘାସ ସମସ୍ୟା ଅଧିକ ହୁଏ । ଘାସ, ଛୋଟ ଧାନ ଗଛ ସହିତ ସ୍ଥାନ, ଆଲୋକ, ଖାଦ୍ୟ ଓ ପାଣି ପାଇଁ ପ୍ରତିଯୋଗିତା କରେ । ଏଣୁ ଧାନ ବୁଣିବାର ୨ ସପ୍ତାହ ଭିତରେ ଢିପ ଜମିରୁ ଘାସ ବାଛି ଦେବା ଆବଶ୍ୟକ । ଘାସ ବଛା ଯନ୍ତ୍ର ବ୍ୟବହାର କରି ଧାଡ଼ି ବୁଣା ଧାନରୁ ଅଳ୍ପ ଖର୍ଚ୍ଚରେ ଘାସ ନିୟନ୍ତ୍ରଣ କରିହେବ । ଖରା ପାଗରେ ବିଦା ଦେଇ ଛଟାବୁଣା କିଆରୀରୁ ଘାସକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ । ଏକର ପ୍ରତି ୮୦ ମିଲିଲିଟର ସାଟର୍ଣ୍ଣ, ମାଟିଟ, ହିଲ୍‌ଟାସ୍କୋର କିମ୍ବା ଧନୁରେକ୍ଟର ଅଥବା ୧୩୨୦ ମି.ଲି. ଷ୍ଟମ୍ପକୁ ୪୦୦ ଲିଟର ପାଣି ସହିତ ମିଶାଇ ଧାନ ବୁଣିବାର ଦିନକ ପରେ ଜମି ଉପରେ ଛିଞ୍ଚି କିଆରୀରୁ ଘାସଲଟା ନିୟନ୍ତ୍ରଣ କରିହେବ । ଧାନ ବୁଣିବା ବେଳେ ଜମିରେ ପାଗ ନ ଥିଲେ ବର୍ଷା ହେବାର ଦିନକ ପରେ ଲଟାମାରୀ ପ୍ରୟୋଗ କରିବା ଉଚିତ୍ ।

ଜଳ ନିୟନ୍ତ୍ରଣ :-

ଢିପ ଜମିରେ ପାଣି ଜମା ହୋଇ ରହେନାହିଁ । ଯଦି ଏକାଦିକ୍ରମେ ୫-୬ ଦିନ ବର୍ଷା ନ ହୁଏ, ତେବେ ଏସବୁ ବିଲରେ ଫସଲକୁ ପାଣିର ଅଭାବ ପଡ଼େ । ବିଲରେ ଖତ ଦେଲେ ମାଟିର ଜଳଧାରଣ ଶକ୍ତି ବଢ଼େ । ଧାନ ଫୁଲ ଧରିବା ସମୟରେ ବର୍ଷା ନ ହେଲେ, ସୁବିଧା ଥିଲେ। ଏହି ସମୟରେ ପାଣି ମଡ଼ାଇବା ଆବଶ୍ୟକ ।

ଢିପଜମି ଧାନକୁ କାଟି ସଙ୍ଗେ ସଙ୍ଗେ ଅମଳ କରିବା ଉଚିତ୍ । କାରଣ ଏହିସବୁ ଧାନକୁ ଗଦାମାରି ରଖିଲେ, ତାହା ଗମ ହୋଇ ନଷ୍ଟ ହୋଇ ଯିବାର ସମ୍ଭାବନା ଥାଏ ।

ମଝାଳିଆ ଜମି ଧାନ

ମଝାଳିଆ ବା ଇସ୍ତୁ ଜମିରେ ୧୨୦ ରୁ ୧୩୫ ଦିନ ଭିତରେ ପାରୁଥିବା ଧାନଚାଷ  କରାଯାଇଥାଏ । ବର୍ଷାଦିନେ ଏସବୁ ଧାନଚାଷ କରିବା ଖୁବ୍ ଲାଭଦାୟକ । କାରଣ  ଏହିସବୁ ଜମିରେ ଅଧିକ ପାଣି ଜମି ରହିବାର ଆଶଙ୍କା ନ ଥାଏ ବା ମରୁଡ଼ି ହେଲେ ଢିପ ଜମି ପରି ଶୀଘ୍ର ମାଟି ଶୁଖିଯାଏ ନାହିଁ ।

ଜମି ପ୍ରସ୍ତୁତି :-

ଖରାଦିନେ ପ୍ରଥମ ବର୍ଷା ହେବା ପରେ ଜମିକୁ ଲୁହା ଲଙ୍ଗଳ ସାହାଯ୍ୟରେ ଏକ ବା ଦୁଇ ଓଡ଼ ଚାଷ କରନ୍ତୁ । ପରେ କଲ୍ଟିଭେଟର କିମ୍ବା ଚକ୍ରବିଦା ସାହାଯ୍ୟରେ ଚାଷ କଲେ ମାଟି ଭଲଭାବେ ଗୁଣ୍ଡ ହୋଇଯାଏ ।

ବିହନ ବୁଣିବା :-

ବର୍ଷାଦିନ ଆରମ୍ଭରେ ଧାଡ଼ିବୁଣା ଯନ୍ତ୍ର ସାହାଯ୍ୟରେ ବିହନକୁ ଧାଡ଼ିରେ ବୁଣିବା ଉଚିତ୍ । ଧାଡ଼ିକୁ ଧାଡ଼ି ଦୂରତା ୮ ଇଞ୍ଚ ବା ୨୦ ସେ.ମି. ରଖିବା ଦରକାର । ଯନ୍ତ୍ର ନ ମିଳିଲେ ସବୁ ଲଙ୍ଗଳ ସାହାଯ୍ୟରେ ମଧ୍ୟ ଧାଡ଼ିରେ ବିହନ ବୁଣାଯାଇପାରିବ । ଧାଡ଼ିରେ ବୁଣିଲେ ଦୁଇ ଧାଡ଼ି ମଧ୍ୟରେ ଘାସ ବଛା ଯନ୍ତ୍ର ବ୍ୟବହାର କରି ଘାସ ନିୟନ୍ତ୍ରଣ କରି ହେବ ଏବଂ ବେଉଷଣ କରିବାକୁ ପଡ଼େ ନାହିଁ । ଜୁନ୍ ମାସ ପ୍ରଥମାର୍ଦ୍ଧରେ ଧାନବୁଣା ସାରିଦେବା ଉଚିତ୍ । ଶେଷ ଓଡ଼ ଚାଷ ବେଳେ ଜମିରେ ଖତ ଓ ଆବଶ୍ୟକ ପରିମାଣ ସୁପର୍ ଫସ୍ଫେଟ୍ ପ୍ରୟୋଗ କରି ମାଟି ସହିତ ଭଲଭାବେ ମିଶାଇ ଦେବା ଉଚିତ୍ ।

ବିହନ ପରିମାଣ :-

ସାଧାରଣତଃ ମୋଟା ଧାନ ବିହନ ସବୁ ଧାନ ବିହନଠାରୁ ଅଧିକ ଆବଶ୍ୟକ ହୋଇଥାଏ । ସେହିପରି ଅଛି ଦିନରେ ଅମଳ ହେଉଥିବା କିସମରେ ବିହନ ଡେରିରେ ଅମଳ ହେଉଥିବା କିସମଠାରୁ ଅଧିକ ଲାଗିଥାଏ । କାରଣ ଛୋଟ ଧାନ ତୁଳନାରେ ବଡ଼ ଧାନରେ ଅଧକପିଲ ହେଉଥିବାରୁ ଜମିରେ କମ୍ ଗଛ ଆବଶ୍ୟକ ହୋଇଥାଏ । ଧାଡ଼ିବୁଣାରେ ଛାଟବୁଣାଠାରୁ ଶତକଡ଼ା ୨୫ ରୁ ୩୦ ଭାଗ ବିହନ କମ୍ ଲାଗିଥାଏ । ପୁନଶ୍ଚ ବୁଣା ଅପେକ୍ଷା ଚୁଆ ଜମି ପାଇଁ ୨୦ ରୁ ୨୫ ଭାଗ ବିହନ କମ୍ ଲାଗିଥାଏ । ତେବେ ଏକର ପ୍ରତି ଛଟାବୁଣା ପାଇଁ ୩୦ ରୁ ୪୦ କି.ଗ୍ରା, ଧାଡ଼ିବୁଣା ପାଇଁ ୨୫ ରୁ ୩୦ କି.ଗ୍ରା. ଏବଂ ରୋଇବା ପାଇଁ ୨୦ ରୁ ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।

ତଳି ପକାଇବା :-

ଜୁଲାଇ ମାସରେ ରୋଇବା ପାଇଁ ଜୁନ୍ ମାସରେ ତଳି ପକାଇବା ଦରକାର । ଏକର ଜମି ରୋଇବା ପାଇଁ ୧୦ ଡେସିମିଲି ଜମିରେ ତଳି ପକାଇବାକୁ ହେବ । ତଳି କିଆରୀକୁ ଭଲଭାବରେ ଚାଷ କରି ତହିଁରେ ୪୦ ଝୁଡ଼ି ଖତ ଦେଇ ୧ ମିଟର ଓସାର ଏବଂ ୧୫ ସେ.ମି. ଉଚ୍ଚ ପଟାଳି କରିବା ଦରକାର । ପଟାଳି ଗୁଡ଼ିକର ଲମ୍ବା ସୁବିଧା ଅନୁଯାୟୀ କରାଯାଇ ପାରିବ । ଦୁଇ ପଟାଳି ମଝିରେ ୩୦ ସେ.ମି. ଓସାରର ନାଳ ଛାଡ଼ିବା ଉଚିତ୍ । କାରଣ ସେହି ନୀଳ ଦେଇ ଯିବା ଆସିବା କରିହେବ ଓ ବେଶୀ ବର୍ଷା ହେଲେ ପାଣି ନିଗିଡ଼ି ଯିବ । ପଟାଳି ଗୁଡ଼ିକରେ ୧୨ କି.ଗ୍ରା. ସୁପର ଫସଫେଟ୍ ସାରକୁ ଭଲ ଭାବରେ ମିଶାଇ ତହିଁରେ ୫ ସେ.ମି. ଛଡ଼ାରେ ଧାଡ଼ି ଧାଡ଼ି କରି ବହି ନ ବୁଣି ଘୋଡ଼ାଇ ଦେବାକୁ ହେବ । ଯଦି ବର୍ଷା ନ ହୁଏ ତେବେ ପଟାଳିରେ ପାଣି ସିଞ୍ଚିବା ଉଚିତ୍ ।

ଧାନ ବିହନକୁ ବୁଣିବା ପୂର୍ବରୁ ମଧ୍ୟ ବିଶୋଧନ କରିବା ଉଚିତ୍ । ପ୍ରଥମେ ବିହନକୁ ସାଧା ପାଣି କିମ୍ବା ଲୁଣ ପାଣିରେ ପକାଇ ତହିଁରୁ ଭାସୁଥିବା ଅଗାଡ଼ି, ପୋକ ଓ ହାଲୁକା ମଞ୍ଜିକୁ ବାହାର କରିଦେଇ ଭଲ ବିହନକୁ ଧୋଇ ଶୁଖାଇ ବିଶୋଧନ କରି ବୁଣିବା ଉଚିତ୍ୱ । ୧୦ ଲିଟର ପାଣିରେ ୧୬୫୦ ଗ୍ରାମ୍, ଲୁଣ ପକାଇ ଆବଶ୍ୟକୀୟ ଲୁଣ ପାଣି ପ୍ରସ୍ତୁତ କରାଯାଇ ପାରିବ ।

ଗଛ ଉଠିବାର ୧୦ ଦିନ ପରେ ତଳି କିଆରୀରୁ ଅନାବନା ଘାସ ବାଛି ତହିଁରେ ଦୁଇ କି.ଗ୍ରା, ଯବକ୍ଷାରଜାନ (୪.୫ ଗ୍ରାମ୍ ୟୁରିଆ) ଓ ୧ କି.ଗ୍ରା, ପଟାସ୍ (୧.୫ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍) ସାର ପ୍ରୟୋଗ କଲେ ତଳି ଶୀଘ୍ର ବଢ଼ିଯିବ । ତଳି କିଆରୀରେ ଔଷଧ ପକାଇଲେ ତାହା ମଧ୍ୟ ପୋକ ଆକ୍ରମଣରୁ ତଳିକୁ ରକ୍ଷା କରିଥାଏ । ତେବେ ତଳି ଉପାଡ଼ିବାର ୭ ଦିନ ଆଗରୁ ୧୨୦୦ ଗ୍ରାମ୍ ପୁରାଡନ୍ ବା ୫୦୦ ଗ୍ରାମ୍, ଥିମେଟ୍ (ବାନାଦାର ) ପକାଇଦେଲେ ତଳି ରୋଇବାର ୨-୩ ସପ୍ତାହ ପର୍ଯ୍ୟନ୍ତ ତାହା ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିଥାଏ ।

ତଳି ଉପାଡ଼ିବା :-

ତଳି ୨୧ ଦିନରୁ ୨୮ ଦିନର ହୋଇଗଲେ ରୋଇବାକୁ ଉପଯୁକ୍ତ ହୋଇଥାଏ । ଉପାଡ଼ିବାର ଦିନକ ପୂର୍ବରୁ ବିଲରେ ପାଣି ଦେଲେ ମାଟି ନରମ ହୋଇଯାଏ । ଫଳରେ ଡଳି ସହଜରେ ଉପୁଡ଼ି ଆସେ । ତଳି ଉପାଡ଼ିବାର ୨୪ ଘଣ୍ଟା  ଭିତରେ ରୋଇବା ଆବଶ୍ୟକ।

ପରୀକ୍ଷା ଦ୍ଵାରା ଜଣାଯାଇଅଛି ଯେ ୯୦ ରୁ ୧୦୦ ଦିନରେ ପାଚୁଥିବା ଧାନକୁ ତଳି ନ ପକାଇ ବୁଣିବା ଉଚିତ୍ । କିନ୍ତୁ ୧୦୦ ରୁ ୧୨୦ ଦିନ ଭିତରେ ପାଚୁଥିବା ଧାନ ପାଇଁ ୨୦ ରୁ ୨୨ ଦିନର ତଳି, ୧୨୫ ରୁ ୧୩୫ ଦିନ ଭିତରେ ପାଚୁଥିବା ଧାନ ପାଇଁ ୩୦ ରୁ ୩୫ ଦିନର ତଳି ଓ ୧୪୦ ରୁ ୧୫:୫ ଦିନରେ ପାଚୁଥିବା ଧାନ ପାଇଁ ୪୦ ରୁ ୫୦ ଦିନର ତଳି ରୋଇଲେ ଆଦାୟରେ ବିଶେଷ ଅସୁବିଧା ହୁଏ ନାହିଁ । ମୌସୁମୀ ବର୍ଷାର ଅନିୟମିତତା, କେନାଲ ପାଣି ମିଳିବାରେ ଡେରି ଏବଂ ଅନ୍ୟାନ୍ୟ କାରଣରୁ ଅନେକ ସମୟରେ ଠିକ୍ ଅବସ୍ଥାରେ ଡଳିକୁ ରୋଇ ହୁଏ ନାହିଁ । ସେପରି ସ୍ଥଳେ ସହଳ କିସମର ୪୦ ଦିନିଆ ତଳି ଏବଂ ମଧ୍ୟମ ଓ ଡେରୀ କିସମର ୬୦ ଦିନିଆ ତଳି ଛୁଆ ଯାଇ ପାରିବ । ତେବେ ରୋଇବା ବେଳେ ବୁଦା ଗୁଡ଼ିକ ପାଖାପାଖି ଏବଂ ପ୍ରତି ବୁଦାରେ ୪-୫ ଟି କରି ତଳି ପୋତିବା ଆବଶ୍ୟକ ।

ତଳି ରୋଇବା :-

ରୁଆ ବିଲକୁ ଭଲଭାବରେ କାଦୁଅ କରି ମଇ ଦେଇ କିଛି ସମୟ ପରେ ଧାନ ତଳି ରୋଇବା ଉଚିତ୍ । କାରଣ କାଦୁଅ କରିବା ସଙ୍ଗେ ସଙ୍ଗେ ଧାନ ତଳି ରୋଇଲେ ମୂଳ ବେଶୀ ତଳକୁ ଚାଲିଯାଏ । କାଦୁଅ କରିବାର ୬ ଘଣ୍ଟାରୁ ୨୪ ଘଣ୍ଟା ଭିତରେ ଧାନ ବୃଆଯାଇ ପାରେ । ରୋଇବା ପୂର୍ବରୁ ଜମିରେ ମୂଳ ସାର ପ୍ରୟୋଗ କରିବା ଉଚିତ୍ । ତଳିକୁ ୨.୫ ସେ.ମି.ରୁ ୪ ସେ.ମି. ଗଭୀରରେ ଓ ସିଧା ରୋଇଲେ ତହିଁରୁ ଶୀଘ୍ର ଚେର ବାହାରେ ଓ ପିଲ ଆସେ । ଗଭୀରରେ ପୋତିଲେ ପିଲ ଦେବା ଡେରି ହୁଏ । ଧାନକୁ ସବୁବେଳେ ଧାଡ଼ିରେ ରୋଇବା ଉଚିତ୍ । ଧାଡ଼ିରେ ରୋଇଲେ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ଆବଶ୍ୟକ ବ୍ୟବଧାନ ରଖିହେବ । ଜମିରେ ସବୁଆଡ଼େ ଆବଶ୍ୟକ । ଗଛ ସଂଖ୍ୟା ରଖିହେବ ଏବଂ ଘାସ ବଛା ଔଷଧ ପକାଇବା ଏବଂ ଧାନ କାଟିବା ସୁବିଧାରେ କରିହେବ ।

ସଅଳ କିସମ ଧାନ ପାଇଁ ଦୁଇ ଧାଡ଼ି ଭିତରେ ବ୍ୟବଧାନ ୧୫ ସେ.ମି. ବା ୬ ଇଞ୍ଚ ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ବା ୪ ଇଞ୍ଚ ଏବଂ ଡେରୀ କିସମ ଧାନ ପାଇଁ ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୦ ସେ.ମି. ବା ୮ ଇଞ୍ଚ ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ବା ୪ ଇଞ୍ଚ ରଖିଲେ ଅମଳ ଅଧିକ ହୋଇଥାଏ । ରୋଇବା ବେଳେ ପ୍ରତି ବୁଦାରେ ଦୁଇଟି ତଳି ରୋଇବା ଉଚିତ୍ । ପ୍ରତି ବୁଦାରେ ଅଧିକ ଗଛ ରହିଲେ ତହିଁରୁ ପିଲ ବାହାରେ ନାହିଁ । ଫଳରେ ଅମଳ କମିଯାଏ । ଡେରୀ କିସମ ଧାନକୁ ଜୁଲାଇ ମାସରେ ରୋଇଲେ ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୦ ସେ.ମି. ଗଛକୁ ଗଛ ବ୍ୟବଧାନ ୧୫ ସେ.ମି. ରଖାଯାଇ ପାରିବ ।

ବୁଣା ଧାନର ଯତ୍ନ :-

ଧାନଗଛ ଉଠିବାର ୩-୪ ସପ୍ତାହ ବେଳକୁ ଘାସ ମାରିବା ପାଇଁ ବେଉଷଣ କରାଯାଇଥାଏ । ଗଛ ବେଶୀ ଦିନର ହେଲେ ବେଉଷଣ କରିବା ଦ୍ଵାରା ଅନେକ ଗଛ ମରିଯାଏ । ବେଉଷଣ ପରେ ଭଲଭାବେ ଖେଳୁଆ କରି ରୁଆ ଧାନ ପରି ଜମିରେ ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ଉଚିତ୍ । ବେଉଷଣ ପରେ ଖେଳୁଆ ପକାଇବା ପାଇଁ ଅନେକ ସମୟରେ ଜମିରେ ଆବଶ୍ୟକ ଗଛ ନ ଥାଏ । ଏହି ଅସୁବିଧା ଦୂର କରିବା ପାଇଁ ଜମିର ଗୋଟିଏ କଡ଼କୁ ୧୦ ଭାଗରୁ ୧ ଭାଗ ଯାଗାରେ ଧାନ ବହଳ ବୁଣି ବେଉଷଣ ନ କରି ଛାଡ଼ିଦେବା ଉଚିତ୍ଵ । ଆବଶ୍ୟକ ସ୍ଥଳେ ସେହି ସ୍ଥାନରୁ ତଳି ଆଣି ପୀଙ୍କା ଯାଗାରେ ଖୁଞ୍ଚା ଦିଆଯାଇ ପାରିବ । ବର୍ଷା ଅଭାବରୁ ଯଦି ବେଉଷଣ କରି ନହୁଏ, ତେବେ ବର୍ଷାକୁ ଅପେକ୍ଷା ନ କରି ଜମିରୁ ଘାସ ବାଛି ଦେଇ ସାର ପକାଇଦେବା ଉଚିତ୍ । ବେଉଷଣ ନ ହେଉ ଅବା ଯୋଗୁଁ ଧାନ ଆଦାୟ କମ୍ ହୁଏ ନାହିଁ । ବେଉଷଣ ବେଳେ ଆବଶ୍ୟକ ହେଉଥ‌ିବା ଯବକ୍ଷାରଜାନରୁ ଅଧେ ଓ ସବୁତକ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ଅବଶିଷ୍ଟ ଯବକ୍ଷାରଜାନକୁ ୨ ଭାଗ କରି ବେଉଷଣର ୧୫ ଦିନ ପରେ ଅଧେ ଓ ଥୋଡ଼ ବେଳେ ଅଧେ ଦେବାକୁ ହେବ । ଯେଉଁ ବିଲରେ ଧାନ ବଢ଼ିବା ବେଳେ ବେଶୀ ପାଣି ଜମି ରହେ, ସେ ବିଲରେ ଧାନ ବୁଣିବା ସମୟରେ ସବୁତକ ଯବକ୍ଷାର ଜାନ, ଫସଫରସ୍ ଓ ପଟାସ୍ ସାର ଦେଇଦେବା ଉଚିତ୍ ।

ରୁଆ ଧାନର ଯତ୍ନ :-

ଧାନ ରୋଇ ସାରିବା ପରେ ବିଲରେ ଠିଆ ପାଣି ରଖିବା ଉଚିତ୍ ନୁହେଁ । ରୋଇବାର ୫-୬ ଦିନ ପରେ ବିଲ ଭିତରକୁ ପାଣି ଛାଡ଼ିବା ଉଚିତ୍ । ଏପରି କଲେ ଘାସ ଉଠେ ନାହିଁ । ବିଲରେ ବେଶୀ ପାଣି ରହିଲେ ଗଛମୂଳ ଅମ୍ଳଜାନ ପାଏ ନାହିଁ ଓ ବିଲ ଶୁଖିଗଲେ ବେଶୀ ଘାସ ଉଠିଥାଏ ।

ରୋଇବାର ୧୫ ଦିନ ପରେ ଦୁଇ ଧାଡ଼ି ଭିତରେ ଉଇଡର୍‌ ଚଳାଇଲେ ଘାସ ଇତ୍ୟାଦି ନଷ୍ଟ ହୋଇଯାଏ । ଏହି ସମୟରେ ଯବକ୍ଷାରଜାନ ଜାତୀୟ ସାର ଅର୍ଥାତ୍ ୟୁରିଆ ବା ଆମୋନିୟମ୍ ସଲ୍‌ଫେଟ୍ ମଧ୍ୟ ଦେବା ଉଚିତ୍ । ଉଇଡର୍‌ ଚଳାଇ ସାରିଲା ପରେ ଯଦି କିଛି ଘାସ ରହିଯାଏ ତେବେ ଡାକୁ ହାତରେ ବାଛି ଦିଅନ୍ତୁ । ସାର ଦେବା ପରେ ଅନ୍ତତଃ ୩ ଦିନ ପର୍ଯ୍ୟନ୍ତ ବିଲରୁ ପାଣି କାଟିବା ଉଚିତ୍ ନୁହେଁ । ଏହାଦ୍ଵାରା ପାଣିରେ ଗୋଳେଇ ହୋଇ ସାର ବିଲରୁ ଚାଲିଯିବାର ଆଶଙ୍କା ରହିଥାଏ ।

ଯଦି କେଣ୍ଡାକଟା ବା କାଣ୍ଡବିନ୍ଧା ପୋକ ଲାଗିବାର ସମ୍ଭାବନା ଥାଏ ତେବେ ଥିମେଟ୍ ବା ଫୁମ୍ଫାରାଡନ୍ ପ୍ରଭୁତି ଦାନାଦାର ଔଷଧ ପକାନ୍ତୁ ।

ମନେ ରଖନ୍ତୁ :-

  1. ଧାଡ଼ିରେ ଧାନ ବୁଣି ସହଳ ଘାସ ବାଛନ୍ତୁ ।
  2. ସମୂହ ତଳି ପଟାଳି ମାଧମରେ ବା ନିଜ ସୁବିଧା ଅନୁଯାୟୀ ତଳି ପକାନ୍ତୁ ।
  3. ତଳି ଗୁଡ଼ିକ ଲଗାଲଗି କରି ସିଧା ଭାବେ ଓ ଅଛି ଗହୀରରେ ବୁଅନ୍ତୁ ।
  4. କିଆରୀରେ ଗଛ ସଂଖ୍ୟା ଠିକ୍ ରଖନ୍ତୁ ଯେପରିକି ପ୍ରତି ବର୍ଗମିଟର ଯାଗାରେ ୪୦୦ ରୁ ୫୦୦ କେଣ୍ଡା ବାହାରିବ ।
  5. ଉଚ୍ଚ ଓ ଲଘୁ ଜମିରେ ସହଳ ଅମଳ ହେଉଥିବା ଅଧିକ ଅମଳକ୍ଷମ ଧାନ ଚାଷ କରନ୍ତୁ ।
  6. ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ପ୍ରୟୋଗ କରନ୍ତୁ ।
  7. ରୋଗ ପୋକ ଆକ୍ରମଣ ଓ ଖର୍ଚ୍ଚ କମାଇବା ପାଇଁ ସହଳ ବୁଣନ୍ତୁ ଓ ବୁଅନ୍ତୁ ।
  8. ଧାନକୁ ଭଲଭାବେ ଶୁଖାଇ ନିରାପଦ ସ୍ଥାନରେ ସାଇତି ରଖନ୍ତୁ ।

ଡାଳୁଆ ଧାନ

ଉନ୍ନତ ବିହନ :-

ଅତି ସହଳ ଓ ମଧ୍ୟମ କିସମର ଅନେକ ଉନ୍ନତ ଅଧିକ ଅମଳକ୍ଷମ ଧାନବିହନ ବାହାରିଲାଣି । ଜମି ପ୍ରକାର ଏବଂ ଜଳସେଚନ ସୁବିଧାକୁ ବିଚାର କରି ଉପଯୁକ୍ତ କିସମ ଚାଷ କରିବା ଉଚିତ୍ । ତେବେ ପାରିଜାତ, ଖଣ୍ଡଗିରି, ଘଣ୍ଟେଶ୍ଵରୀ, କୋଣାର୍କ, ଯୋଗେଶ, ନବୀନ, ଲଲାଟ ପ୍ରଭୃତି ୧୦୦ ରୁ ୧୩୦ ଦିନରେ ପାଚୁଥିବା ଧାନ ଚାଷ କଲେ। ପରବର୍ତ୍ତୀ ଫସଲ ପାଇଁ ଖରାଟିଆ ଚାଷ କରିବାକୁ ସମୟ ମିଳେ ଏବଂ ଅମଳ ବେଳେ ମୌସୁମୀ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ସମ୍ଭାବନା ରହେ ନାହିଁ । କେନାଲ ପାଣିର ସୁବିଧା ଥିଲେ ଅପେକ୍ଷାକୃତ ଓ ଅଧିକ ଦିନରେ ଅମଳ ହେଉଥବା ଯଜାତି, ଗଜପତି, ତପସ୍ତିନୀ, ଗୌରୀ, ଭଞ୍ଜ, ସାମନ୍ତ, ମେହେରା ଆଦି କିସମ ରବିରତୁରେ ଚାଷ କରାଯାଇ ପାରିବ ।

ଜମିପ୍ରସ୍ତୁତି :-

ରୋଇବାର ୨-୩ ସପ୍ତାହ ପୂର୍ବରୁ ଜମିରେ ପାଣି ମଡ଼ାଇ ବାରମ୍ବାର ହଳ କରି ଭଲଭାବରେ କାଦୁଆ କରିବା ଉଚିତ୍ ଏବଂ ମଇ ଦେଇ କିଆରୀକୁ ସମତୁଲ କରିବା ଉଚିତ୍ । ଅଳ୍ପ ଖର୍ଚ୍ଚରେ ଭଲ, କାଦୁଆ ପାଇବା ପାଇଁ ମୋଡ଼ପତ୍ର ଲଙ୍ଗଳ ଓ କାଦୁଅ କରା ଯନ୍ତ୍ର ବ୍ୟବହାର କରିବା ଉଚିତ୍ୱ । ଜମି ସମତୁଲ ହେଲେ ସାର ଓ ପାଣି ଜମିର ସବୁଆଡ଼େ ସମାନ ଭାବରେ ମିଳେ ଏବଂ ଅନାବନା ଗଛକୁ ନିୟନ୍ତ୍ରଣ କରିବା ସହଜ ହୁଏ । ଶେଷ ଓଡ଼ ଚାଷ ବେଳେ ଆବଶ୍ୟକ ପରିମାଣ ଖତ ଓ ସାର ଜମିରେ ପ୍ରୟୋଗ କରି ମାଟିରେ ମିଶାଇ ଦେବା ଉଚିତ୍ । ଡାକୁଆ ଧାନକୁ ସାଧାରଣତଃ ରୁଆ ଯାଇଥାଏ । ତେବେ ଧାନ ନ ରୋଇ ଗଜା କରି କାଦୁଆ ଜମିରେ ଧାଡ଼ିରେ ମଧ୍ୟ ବୁଣା ଯାଇ ପାରିବ । ଧାନକୁ ଗଜା କରି ବୁଣିଲେ ଠିକ୍ ସମୟରେ ବୁଣା କାମ ସାରିହୁଏ ଏବଂ ଏହି ପଦ୍ଧତିରେ ଚାଷ କଲେ ରୁଆ ଧାନ ଠାରୁ ମଧ୍ୟ କମ୍ ଆଦାୟ ମିଳେ ନାହିଁ ।

ତଳି ପ୍ରସ୍ତୁତି :-

ଡିସେମ୍ବର ମାସ ୧୦ ରୁ ୧୫ ତାରିଖ ଭିତରେ ତଳି ପକାଇଲେ ଜାନୁୟାରୀ  ମାସ ଶେଷ ସୁଦ୍ଧା ରୁଆ କାମ ସରିଯାଏ । ଯଯାତି ଧାନକୁ ଜାନୁୟାରୀ ୨୦ ସୁଦ୍ଧା ରୁଅନ୍ତୁ । ଡେରିରେ ରୋଇଲେ  ଏଥିରେ ଫୁଲ ଠିକ୍ ଭାବେ ଆସେ ନାହିଁ । ଶୀଘ୍ର ରୋଇଲେ କାଣ୍ଡବିନ୍ଧା ଓ ମାଟିଆ ଗୁଣ୍ଡି ପୋକ ଦାଉରୁ ରକ୍ଷା ମିଳିଥାଏ । ଫସଲ ଚଞ୍ଚଳ ଅମଳ ହେବା ଦ୍ଵାରା ବର୍ଷାଦିନିଆ ଫସଲ ପାଇଁ ଜମି ପ୍ରସ୍ତୁତି କରିବା ପାଇଁ ବହୁତ ସମୟ ମିଳେ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଝୋଟ ଚାଷ ନିମିତ୍ତ ଜମି ଚାଷ କରିବା ପାଇଁ ମଧ୍ୟ ଯଥେଷ୍ଟ ସମୟ ମିଳିଥାଏ । ବିହନକୁ ବୁଣିବା କିମ୍ବା ତଳି ପକାଇବା ପୂର୍ବରୁ ଥିରାମ୍, କ୍ୟାପଟାନ୍ କିମ୍ବା ବା ଭିଷ୍ଟିନ୍ ମିଶାଇ ବିହନ ବିଶୋଧନ କରନ୍ତୁ । ଡାଳୁଅ ଧାନକୁ ଗଜା କରି ତଳି ପକାନ୍ତୁ । ଧାନକୁ ଦିନେ ପାଣିରେ ବତୁରାଇ ତାପରେ ପାଳ ବା ଅଖା, ଘୋଡେଇ ଦୁଇ ଦିନ ରଖନ୍ତୁ । ପାଳ ବା ଅଖା ଉପରେ ଦିନକୁ ଦୁଇଥର ପାଣି ସିଞ୍ଚିଲେ ଶୀଘ୍ର ଗଜା ବାହାରିଥାଏ । ଛୋଟ ଛୋଟ ଗଜା ବେଳେ ପଟାଳିରେ ବୁଣନ୍ତୁ । ତଳି ପଟାଳି ପାଇଁ ଜମିକୁ ଭଲଭାବେ ଚାଷ କରନ୍ତୁ । ୫୦ ଟୋକେଇ ଖାତ ଓ ୨୦ କିଲୋ ସିଙ୍ଗିଲ୍ ସୁପର ଫସଫେଟ୍ ସାର ଦେଇ ପାଣି ମଡ଼ାଇ କାଦୁଅ କରାନ୍ତୁ । ତଳି ପଟାଳିରେ ପଟାଳି କରି ଗଜା ଧାନ ବୁଣନ୍ତୁ । ଧାନ ବୁଣିଲା ବେଳେ ଠିଆ ପାଣି ରଖନ୍ତୁ ନାହିଁ । ୪-୫ ଦିନ ପରେ ପୁଣି ପାଣି ଦେଇ ସାମାନ୍ୟ ଠିଆ ପାଣି ସବୁବେଳେ ରଖନ୍ତୁ । ବର୍ଷାଦିନିଆ ତଳିପରି ପୋକ ଓ ରୋଗ ପ୍ରତିଶୋଧକ ବ୍ୟବସ୍ଥା କରନ୍ତୁ । ୧୨-୧୪ ଦିନ ବେଳକୁ ଘାସ ବାଛି ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ । ତଳି ପଟାଳିରେ ଦାନାଦାର ଔଷଧ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ଧାନ ରୁଆ :-

ଶୀତ ଦିନିଆ ତଳିକୁ ୨୫-୩୦ ଦିନ ଭିତରେ ରୋଇବାକୁ ହେବ । ତଳି ଉପାଡ଼ି ସେହିଦିନ କିମ୍ବା ତା ପରଦିନ ରୋଇବା ଉଚିତ୍ୱ । ଜାନୁୟାରୀ ଶେଷ ସୁଦ୍ଧା ରୁଆ କାମ ସାରନ୍ତୁ । ଛୋଟ ଧାନକୁ ୧୫ x ୧୦ ସେ.ମି. ବା ୬ x ୪ ଇଞ୍ଚ ଲଘୁଧାନକୁ ୨୦ x ୧୦ ସେ.ମି. ବା ୮ x ୪ ଇଞ୍ଚ ବ୍ୟବଧାନରେ ବୁଣନ୍ତୁ । ଦୁଇଟି ଲେଖାଏଁ ତଳିକୁ ଏକାଠି କରି ୩-୪ ସେ.ମି. ବା ଦେଢ଼ ଇଞ୍ଚ ଗଭୀରରେ ବୁଣନ୍ତୁ । ଧାନ ତଳି ସିଧାକରି ବୁଅନ୍ତୁ । ପାଖ ପାଖ ଲଗାଇ ଏପରି ରୋଇବାକୁ ପଡ଼ିବ ଯଦ୍ଵାରା ପ୍ରତି ବର୍ଗମିଟର ପିଛା ୭୦ ପର୍ଯ୍ୟନ୍ତ ବୁଦା ଗ୍ରହିବ ।

ଗଜା କରି ଧାନକୁ ଧାଡ଼ିରେ ବୁଣିବା ପାଇଁ ଏକର ପିଛା ୨୪ ଠାରୁ ୩୨ କିଲୋ ବିହନ ଧାନର ଆକାର ଉପରେ ନିର୍ଭର କରି ଦରକାର ହୋଇଥାଏ । ଗଜା ଧାନକୁ ମଞ୍ଜି ବୁଣା ସାହାଯ୍ୟରେ ଧାଡ଼ିକୁ ଧାଡ଼ି ୧୫ ସେ.ମି. ବା ୬ ଇଞ୍ଚ ବ୍ୟବଧାନରେ ବୁଣନ୍ତୁ । ମାଟିଆ ଗୁଣ୍ଡି ପୋକ ପ୍ରାଦୁର୍ଭାବ ଥବା ଅଞ୍ଚଳରେ ରୋଇବା ବେଳେ ପ୍ରତି  ଦେଢ଼ ମିଟର ବା ୫ ଫୁଟ ରୋଇବା ପରେ ୩୦ ସେ.ମି ବା ୧ ଫୁଟ ଖାଲି ଜାଗା ଛାଡ଼ନ୍ତୁ । ଏହାଦ୍ଵାରା ଭବିଷ୍ୟତରେ ଗଛମୂଳରେ ସୁବିଧାରେ ଔଷଧ ସ୍ପ୍ରେ କରିହେବ ।

ଘାସ ବାଛିବା :-

ଠିକ୍ ସମୟରେ ଘାସ ବାଛନ୍ତୁ । ଧାନ ଗଛ ସହିତ ଘାସ, ଆଲୋକ, ଖାଦ୍ୟ ଓ ପାଣି ପାଇଁ ପ୍ରତିଯୋଗିତା କରିଥାଏ । ରୋଇବାର ତିନି ସପ୍ତାହ ବେଳକୁ ଘାସ ବାଛନ୍ତୁ । ଗଜା ଧାନ ବୁଣା ହୋଇଥିଲେ ଧାନ ଗଛକୁ ୪-୫ ସପ୍ତାହ ହୋଇଗଲେ ବା ଧାନଗଛର ଉଚ୍ଚତା ୧୫-୨୦ ସେ.ମି. ବା ୬ ରୁ ୮ ଇଞ୍ଚ ହୋଇଗଲେ ଦୁଇ ଧାଡ଼ି ମଝିରେ ଉଇଡର ଚଳାଇ ଘାସ ଦମନ କରନ୍ତୁ।

ଜଳ ନିୟନ୍ତ୍ରଣ :-

ରୋଇବା ସମୟରେ ଠିଆ ପାଣି ରଖନ୍ତୁ ନାହିଁ । ରୋଇବାର ସପ୍ତାହକ ପର୍ଯ୍ୟନ୍ତ ପତଳା ଭାବେ ବା ସମାନ୍ୟ ପାଣି ରଖନ୍ତୁ । ତା ପରେ ଅମଳ ହେବାର ୧୦-୧୨ ଦିନ ପୂର୍ବ ସମୟ ପର୍ଯ୍ୟନ୍ତ କିଆରୀରେ ୫ ସେ.ମି. ବା ୨ ଇଞ୍ଚ ପାଣି ଛିଡା କରି ରଖନ୍ତୁ । କେଣ୍ଡା କଟା ପୋକ ଲାଗୁଥିବା ଅଞ୍ଚଳରେ ବା ଲାଗିବାର ସମ୍ଭାବନା ଅବା ସ୍ଥାନରେ ଅମଳ ପର୍ଯ୍ୟନ୍ତ ଜମିରୁ ପାଣି କାଟନ୍ତୁ ନାହିଁ । ଅଧିକ ପାଣି ରଖିଲେ ପିଲା ଦେବାରେ ବାଧା ହେବ । ଥୋଡ଼ ବେଳକୁ ଅଧିକ ପାଣି ରଖିଲେ ଚଳିବ ।

ଅମଳ :-

କେଣ୍ଡାର ଶତକଡ଼ା ୮୦ ଭାଗ ଧାନ ପାଚିଗଲେ ଧାନ କାଟନ୍ତୁ । ନଚେତ ଧାନ ଝଡ଼ିପଡ଼ି ଅମଳ ବହୁତ କମ୍ ମିଳେ । ପାଗ ଠିକ୍ ଥିଲେ ଏକର ପିଛା ଡାଳୁଅ ଫସଲରୁ ୨୦-୩୦ କ୍ଵିଣ୍ଟାଲ୍ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ମନେ ରଖନ୍ତୁ

  1. ଡାଳୁଆ ଧାନ ଚାଷ ପାଇଁ ସଅଳ ପାଚୁଥିବା କିସମ ଚାଷ କରନ୍ତୁ ।
  2. ଡିସେମ୍ବର ମାସରେ ତଳି ପକାଇ ଜାନୁୟାରୀ ମାସରେ ସଅଳ ରୁଅନ୍ତୁ ।
  3. ସିଧା ଭାବେ ପାଖପାଖ କରି ଅଳ୍ପ ଗଭୀରରେ ତଳି ରୁଅନ୍ତୁ । ଯେଉଁ ଅଞ୍ଚଳରେ ପତ୍ରଡିଆଁ ପୋକର ପ୍ରାଦୁର୍ଭାବ ଦେଖାଯାଏ। ସେଠାରେ ଛାଡ଼ିଛାଡ଼ି ରୁଅନ୍ତୁ ।
  4. ଠିକ୍ ସମୟରେ ଘାସ ବାଛନ୍ତୁ ଓ ଜଳ ନିୟନ୍ତ୍ରଣ କରନ୍ତୁ ।
  5. ସାରକୁ ଠିକ୍ ସମୟରେ ଓ ଠିକ୍ ପ୍ରଣାଳୀରେ ଭାଗ ଭାଗ କରି ପ୍ରୟୋଗ କରନ୍ତୁ ।

ସଂଗୃହିତ  -

ମୂଳ  ବିଷୟବସ୍ତୁ

  • ଡଃ. ବଲ୍ଲଭଚନ୍ଦ୍ର ନାୟକ, ଅଧ୍ୟକ୍ଷ ( ଅବସର ପ୍ରାପ୍ତ) କୃଷି କଲେଜ

ସଂଶୋଧିତ ବିଷୟ ବସ୍ତୁ

  • ଡଃ. ତ୍ରିଲୋଚନ ବାରିକ, କ୍ଷେତ୍ରବିଜ୍ଞାନ ବିଭାଗ
2.88888888889
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top