ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ / ପନିପରିବା ଚାଷ (ପନିପରିବା ପରିଚାଳନା ଓ ସଦୁପଯୋଗ ବ୍ୟବସ୍ଥା)
ସେଆର କରନ୍ତୁ

ପନିପରିବା ଚାଷ (ପନିପରିବା ପରିଚାଳନା ଓ ସଦୁପଯୋଗ ବ୍ୟବସ୍ଥା)

ପନିପରିବା ପରିଚାଳନା ଓ ସଦୁପଯୋଗ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ।

ପନିପରିବା ପରିଚାଳନା ଓ ସଦୁପଯୋଗ ବ୍ୟବସ୍ଥା

ପନିପରିବାଗୁଡିକ ଅମଳ ହେବା ଉଚିତ । ବିଭିନ୍ନ ପ୍ରକାରର ପାରିବାଗୁଡିକର କୋମଳତା ଜଳୀୟ ଅଂଶ ପାରିପାର୍ଶ୍ଵିକ ଅବସ୍ଥାକୁ ପ୍ରତିରୋଧ କରିବା ଆଦି ଗୁଣ ଭିନ୍ନ ହୋଇଥାଏ । ଉଦାହରଣସ୍ୱରୂପ ଶାଗ ଅମଳ କରିବା ସଙ୍ଗେ ବିକ୍ରି କରିବା ବା ଉପଯୁକ୍ତ ବ୍ୟବସ୍ଥା କରି ତଟକା ଅବସ୍ଥାରେ ରଖିବା ଦରକାର । ହୋଇଥାଏ କିନ୍ତୁ କନ୍ଦମୂଳ ପାଚିଲା କଖାରୁ, ପିଆଜ ଆଦି ପରିବା ବହୁ ସମୟ ଧରି ସାଧାରଣ ଅବସ୍ଥାରେ ରଖାଯାଇପାରେ; କିନ୍ତୁ ଅଧିକାଂଶ ପନିପରିବା ଶୀଘ୍ର ପଚିସଢି ନଷ୍ଟ ହୋଇଯାଏ । ତେଣୁ ପନିପରିବା ଚାଷୀମାନଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ ।

ପନିପରିବାଗୁଡିକ ଅଧିକାଂଶ ତଟକା ଅବସ୍ଥାରେ ଖାଇବାକୁ ଭଲଲାଗେ ଆମ ଦେଶରେ ସେଗୁଡିକୁ ଅମଳ କରି ବଜାରରେ ବିକ୍ରି କରାଯାଇପାରେ । ଏଥିରେ ଆମ ଦେଶରେ ସେଗୁଡିକୁ ଅମଳ କରି ବଜାରରେ ବିକ୍ରି କରାଯାଇଥାଏ । ଏଥିରେ ଶତକଡା ୨୫ ରୁ ୩୦ଭାଗ ପରିବା ସଢା, ସୁଖାରେ ନଷ୍ଟ ହୋଇଥାଏ । କାରଣ ସେଗୁଡିକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରି ସାଇତି ରଖିବା ଲାଗି ସୁବିଧା ନଥାଏ । ଆଧୁନିକ ସଂରକ୍ଷଣ ପ୍ରଣାଳୀ ଦ୍ଵାରା ସେଗୁଡିକ ସଂରକ୍ଷିତ କରିବା ବ୍ୟବସ୍ଥାର ଅଭାବ ମଧ୍ୟ ଏହାର ପ୍ରଧାନ କାରଣ । ତେବେ ପନିପରିବାଗୁଡିକ କାହିଁକି ନଷ୍ଟ ହୁଏ ସେ ବିଷୟରେ ଜାଣିବା ଦରକାର ।

ପନିପରିବାଗୁଡିକ ଗଛରୁ ତୋଳିନେବା ପରେ ସେଗୁଡିକରେ ଥିବା ଜଳୀୟ ଅଂଶ ଖାଦ୍ୟପଦାର୍ଥର ପରିମାଣ ବଢିପାରେ ନାହିଁ । ତେଣୁ ସେଗୁଡିକରେ ଯେତିକି ପରିମାଣରେ ଏସବୁ ପଦାର୍ଥଗୁଡିକ ଥାଏ, ସେଥିରେ କେବଳ ତାହାରି ଉପରେ ନିର୍ଭର କରି ପନିପରିବାଗୁଡିକ ବଞ୍ଚି ରହନ୍ତି କାରଣ ଅମଳ କରିବା ପରେ ମଧ୍ୟ ସେହି ଅଂଶଗୁଡିକରେ ଥିବା ନାନାପ୍ରକାର କୋଷ ସମୂହରେ ଜୀବନଶକ୍ତି ଥାଏ ଓ ସେଥିରେ ଶ୍ଵାସ ପ୍ରଶ୍ଵାସକ୍ରିୟା ବରାବର ଚାଲିଥାଏ । ଅବଶ୍ୟ ଏହି କ୍ରିୟାର ବେଗ ପାରିପାର୍ଶ୍ଵିକ ଅବସ୍ଥା ବିଶେଷତଃ ଉତ୍ତାପ ଓ ଆଦ୍ରତା ଉପରେ ନିର୍ଭର କରିଥାଏ । ତେଣୁ ଫଳ ତଥା ଅନ୍ୟାନ୍ୟ ଖାଦ୍ୟୋପଯୋଗୀ ଅଂଶରେ ଥିବା ଶର୍କରା, ପ୍ରୋଟିନ, ଫେଟ ଆଦି ପଦାର୍ଥଗୁଡିକରେ କ୍ଷୟ ହେବାରେ ଲାଗେ । ଏହା ସଙ୍ଗେ ସଙ୍ଗେ ସେ ଭିତରେ ଥିବା ଜଳୀୟ ଅଂଶରେ ମଧ୍ୟ କ୍ଷୟ ଘଟେ । ତେଣୁ ସେଗୁଡିକ ଶୁଖା ବା ସୁକୁଟା ଦେଖାଯାଏ । ଏହାଦ୍ୱାରା ପନିପରିବାଗୁଡିକର ଓଜନ କମିବାରେ ଲାଗେ । ଅଧିକନ୍ତୁ ପନିପରିବାଗୁଡିକର ଆକାର ନଷ୍ଟ ହେବା ସଙ୍ଗେ ସଙ୍ଗେ ରଙ୍ଗ, ସ୍ଵାଦ ଓ ଖାଦ୍ୟମୂଲ୍ୟ ମଧ୍ୟ ହ୍ରାସ ପାଇଥାଏ । ଭିତରେ ଚାଲିଥିବା କେତେକ ପ୍ରକ୍ରିୟା ଉପରେ ନିର୍ଭର କରିଥାଏ । ସେଗୁଡିକ ପ୍ରଧାନତଃ ହେଲା ଜଳୀୟ ଅଂଶ କମିଯିବା ଶ୍ଵାସପ୍ରକ୍ରିୟା, ରାସାୟନିକ ପରିବର୍ତ୍ତନ ଓ ଏହା ସଙ୍ଗେ ସଙ୍ଗେ କୀଟ ଓ ରୋଗମାନଙ୍କ ଆକ୍ରମଣ ଜନିତ କ୍ଷୟ ।

ପନିପରିବା ଗୁଡିକ ଅମଳ ହେବା ପରେ ସେଥିରେ ଶ୍ଵାସକ୍ରିୟା ବରାବର ଚାଲିଥାଏ । କୋଷଗୁଡିକରେ ଥିବା ଜୈବ ଉପାଦାନ ଆକାରରେ ଭାଙ୍ଗିବାରେ ଲାଗେ । ଏହି ପ୍ରକ୍ରିୟାରେ ଅମ୍ଳଜାନ ସହାୟକ ହେବା ଦ୍ଵାରା ସେଥିରୁ ଉତ୍ତାପ, ଶକ୍ତି, ଅଙ୍ଗାରମ୍ଳକ ବା ଅଙ୍ଗାର ଦ୍ଵିପାରେୟ ଓ ଜଳ ବାହାରିଯାଏ । ତାହା ନିମ୍ନ ପ୍ରଣାଳୀରେ ଭଗ୍ନ ହେଉଥାଏ ।

CH2O6+ 602=6CO2+6H2O +673

(ଚିନି ପଦାର୍ଥ) ଅମ୍ଳଜାନ(କାର୍ବନଡାଇ ଜଳ ଆକ୍ସାଇଡ ୧୦୮ ଗ୍ରାମ)କିଲୋଗ୍ରାମ କେଲେରି ଉତ୍ତାପ ବା ଶକ୍ତି ନିର୍ଗତ ହୁଏ ।

ଏହା ଶ୍ଵାସ ପ୍ରକ୍ରିୟାର ବେଗ ଉପରେ ନିର୍ଭର କରିବା ଦ୍ଵାରା ଏହି ପ୍ରକ୍ରିୟା ଜନିତ କ୍ଷୟ ବହୁ ଗୁଣରେ ବଢିଥାଏ । ପ୍ରତି ୧୦ ସେଣ୍ଟିଗ୍ରେଡ ବା ୧୮ ଫରେନ ହିଟ ଉତ୍ତାପ ବୃଦ୍ଧି ଘଟିଲେ ଏହି ପ୍ରକ୍ରିୟା ଦୁଇଗୁଣ ବା ତିନିଗୁଣ ବଢିଯିବା ଦ୍ଵାରା ସେହି ଅନୁପାତରେ ଖାଦ୍ୟପଦାର୍ଥ ଗୁଡିକର କ୍ଷୟର ବେଗ ବଢିଥାଏ । ଏହି କ୍ଷତି ମଧ୍ୟ ଅଧିକ ହୋଇଥାଏ, ଯଦି ପରିବାଗୁଡିକ ଖଣ୍ଡିଆ, ଛେଚା, ଫଟା ହୋଇଥାଏ । ଏହାଛଡା ଫସଲର ବୟସ, ପରିବା ଗୁଡିକର ଆକାର ଓ ପାରିପାର୍ଶ୍ଵିକ ଅବସ୍ଥାରେ ଥିବା ଅମ୍ଳଜାନ ଓ କାର୍ବନଡାଇ ଅକସାଇଡର ପରିମାଣ ମଧ୍ୟ ଏହି ପ୍ରକ୍ରିୟାର ବେଗକୁ ନିୟନ୍ତ୍ରଣ କରିଥାଏ ।

ପନିପରିବା ଅମଳ ହେବା ପରେ ଯେଉଁଠି ରଖାଯାଏ ସେଥିରେ ଦୁଇପ୍ରକାର ଉତ୍ତାପ କାର୍ଯ୍ୟକାରୀ ହୋଇ ସେଗୁଡିକ କ୍ଷତି କରିବାରେ ସାହାଯ୍ୟ କରେ । ଗୋଟିଏ ହେଲା ପ୍ରାଣ ଧାରକ ଉତ୍ତାପ ଯାହା ପନିପରିବା ଗୁଡିକରେ ହେଉଥିବା ଶ୍ଵାସ ପ୍ରକ୍ରିୟାରୁ ଜାତ ହୋଇ ପାରିପାର୍ଶ୍ଵିକ ଉତ୍ତାପ ବଢାଇଥାଏ । ଅନ୍ୟଟି ହେଲା ବାହ୍ୟଗ୍ରହ୍ୟ ବା କ୍ଷେତ୍ର ଗ୍ରାହ୍ୟ ଉତ୍ତାପ । ଏହା କ୍ଷେତରେ ପନିପରିବା ଅମଳ ହେବା ସମୟରେ ବା ରଖାଯାଇଥିବା ଅବସ୍ଥାରେ ପାରିପାର୍ଶ୍ଵିକ ଅବସ୍ଥାରୁ ଉତ୍ତାପ ଗ୍ରହଣ କରିଥାଏ । ତେଣୁ କ୍ଷୟ କମାଇବା ଲାଗି ଏହି ଦୁଇପ୍ରକାର ଉତ୍ତାପକୁ ବାଦ ଦେଇ ପାରିଲେ ପନିପରିବାଗୁଡିକ ବହୁ ସମୟ ଯାଏ ସଂରକ୍ଷିତ ହୋଇପାରେ ।

ସେହି ପନିପରିବା ଗୁଡିକର ଥିବା ଜଳୀୟ ଅଂଶ ସେଥିରେ ବାଷ୍ପିକାରରେ ପଦାକୁ ଚାଲି ଆସି ସେଗୁଡିକ ଶୁଖିଲା, ଲୋଚା କୋଚା କରି ନଷ୍ଟ କରେ । ପତ୍ର ଜାତୀୟ ପନିପରିବା ଗୁଡିକ ପତ୍ରଚିଦ୍ର ଦେଇ ଜଳୀୟ ଅଂଶରେ ସଂସ୍ପର୍ଶରେ ଆସୁଥିବା କୋଷଗୁଡିକ ଦେଇ ଜଳୀୟ ଅଂଶ ଏହି ପ୍ରକ୍ରିୟାରେ ପଦାକୁ ଚାଲିଯାଏ । କେତେକ ପରିବା ଟୋମାଟୋ, ଲଙ୍କାମରିଚ ଆଦି ପରିବାରେ ଡେମ୍ଫ ଦେଇ ଅଧିକାଂଶ ଜଳ ବାହାରକୁ ଚାଲିଯାଏ ।

ପନିପରିବାଗୁଡିକ ଭିତରେ ଜୀବ ରାସାୟନଗୁଡିକ ପ୍ରକ୍ରିୟା ଚାଲିଥାଏ । ତୋଳିଯିବା ପରେ ପନିପରିବା ଗୁଡିକରେ ରାସାୟନିକ ମିଶ୍ରିତ ପଦାର୍ଥ ଗୁଡିକରେ ପରିବର୍ତ୍ତନ ହେବା ଦ୍ଵାରା ପରିବା ଗୁଡିକର ଗୁଣରେ ବୃଦ୍ଧି ଘଟିଥାଏ । ଯେପରି ଟୋମାଟୋ ତୋଳିବା ପରେ ପାଚିଗଲେ ତାହାର ସ୍ଵାଦୁ, ରଙ୍ଗ ଅନ୍ୟାନ୍ୟ ଗୁଣ ରୁଚିକର ହୋଇଥାଏ । କଖାରୁ ତୋଳିବା ପରେ ସେଗୁଡିକର ମିଠାଶକ୍ତି ବଢିଥାଏ । କାରଣ ଶର୍କରା ଗୁଡିକ ଚିନିଜାତୀୟ ପଦାର୍ଥରେ ପରିବର୍ତ୍ତନ ଘଟିଥାଏ ; କିନ୍ତୁ ମିଠାମକାଗୁଡିକ ବେଶୀ ସମୟ ବ୍ୟବହାର ନକରି ରଖିଲେ ମିଠା ଅଂଶ ଶର୍କରା ବା ଷ୍ଟାର୍ଚରେ ପରିଣତ ହୋଇଥାଏ । ତେଣୁ ଖାଇବାକୁ ଭଲ ଲାଗେ ନାହିଁ । ସେହିପରି ବଗିଚା ମଟରରେ ଏହି ଅବସ୍ଥା ଘଟିଥାଏ ।

ପନିପରିବା ଉପଯୁକ୍ତ ଉପାୟରେ ସଂରକ୍ଷଣ ନକରିବା ବହୁ ସମୟଯାଏ ବ୍ୟବହାର ନକରି ରଖିବା ଦ୍ଵାରା ନାନାପ୍ରକାର ରୋଗ ଜୀବାଣୁ ସେଥିରେ ଲାଗି ବହୁତ କ୍ଷତି କରିଥାନ୍ତି । ପରିବାଗୁଡିକ ବେଶୀ ସମୟ ତଟକା ଅବସ୍ଥାରେ ରଖିବାକୁ ହେଲେ ସେଗୁଡିକ ଉପଯୁକ୍ତ ଅବସ୍ଥାରେ ଅମଳ କରିବା, ସ୍ୱାସ୍ଥ୍ୟକର ପରିବେଶ ବା ପରିସ୍ଥିତିରେ ରଖିବା, ଉଚିତ ଉତ୍ତାପ ନିୟନ୍ତ୍ରଣ କରିବା, ବାୟୁରେ ଉପଯୁକ୍ତ ଆଦ୍ରତା ରକ୍ଷା କରିବା ଓ ସଂବାତନ ଯଦି ବ୍ୟବସ୍ଥା କରିବା ଆବଶ୍ୟକ । ଶୀତ ଟାପ ନିୟନ୍ତ୍ରଣ ଗୃହ ଯାନବାହାନ ଓ ରିଫ୍ରାଜିରେଟେଡ ଯନ୍ତ୍ରପାତି, ହିମୀକୃତ ପନିପରିବା ଓ ଶୀତଳ ବାୟୁ ସଞ୍ଚାଳିତ ସ୍ଥାନରେ ପନିପରିବା ଗୁଡିକୁ ତଟକା ଅବସ୍ଥାରେ ସଂରକ୍ଷିତ କରାଯାଇଥାଏ । ଏହି ପରିବାଗୁଡିକ ଆଧୁନିକ ପ୍ରଣାଳୀ ବ୍ୟବହାର କରି ଡବାରେ ନିର୍ବାଚନ ନିର୍ଜଳୀ କରଣ କରି ମଧ୍ୟ ସଂରକ୍ଷିତ କରାଯାଉଛି ।

ଉପଯୁକ୍ତ ଉତ୍ତାପ ଓ ଆଦ୍ରତାରେ ପନିପରିବାଗୁଡିକ କିଛି ସମୟ ଲାଗି ସଂରକ୍ଷିତ କରାଯାଇପାରେ । ପ୍ରତ୍ୟେକ ଶ୍ରେଣୀରେ ପନିପରିବା ଭିନ୍ନ ଭିନ୍ନ ଉତ୍ତାପ ଓ ଆଦ୍ରତା ଦରକାର କରିଥାନ୍ତି ।

ପନିପରିବା ସଂରକ୍ଷଣର ଆବଶ୍ୟକତା

  • ପ୍ରତ୍ୟେକ ଶ୍ରେଣୀର ପନିପରିବା ନିର୍ଦ୍ଧିଷ୍ଟ ଋତୁରେ ଅମଳ କରାଯାଉଥାଏ ଓ ସେହି ଋତୁରେ ହିଁ ସେଗୁଡିକ ବ୍ୟବହାର କରାଯାଇଥାଏ କିନ୍ତୁ ସଂରକ୍ଷଣ କରାଗଲେ ବର୍ଷର ଅନ୍ୟାନ୍ୟ ସମୟରେ ଏହା ବ୍ୟବହାର କରିବା ସମ୍ଭବ ହୁଏ ।
  • ଏକ ସମୟରେ ବହୁ ପରିମାଣର ପନିପରିବା ବଜାରକୁ ଆସିବା ଦ୍ଵାରା ସେଗୁଡିକର ଦର ହ୍ରାସପାଏ, ଚାଷୀର କ୍ଷତି ହେବା ସଙ୍ଗେ ସଙ୍ଗେ ଅନେକ ପରିମାଣର ପନିପରିବା ନଷ୍ଟ ହୋଇଯାଏ । ସଂରକ୍ଷଣ କରିବା ଦ୍ଵାରା ବଜାରକୁ ଦରକାରୀ ମୁତାବକ ପନିପରିବା ପଠାଇ ବଳକାଗୁଡିକୁ ସଂରକ୍ଷିତ କରାଯାଏ ।
  • ବଜାରରେ ପନିପରିବା ବିକ୍ରି ନିୟନ୍ତ୍ରଣ କରାଯାଇପାରେ କାରଣ ପରିବାଗୁଡିକ ବଜାରର ଚାହିଦାକୁ ଦେଖି ବିକ୍ରି ଲାଗି ପଠାଯାଇପାରେ ।
  • ସଂରକ୍ଷିତ ପନିପରିବା ଗୁଡିକୁ ବନ୍ୟା, ବାତ୍ୟା, ମରୁଡି ତଥା ଯୁଦ୍ଧ ବିଭାଗ ଲାଗି ଅତିଶୀଘ୍ର ଯୋଗାଇ ଦିଆଯାଇପାରେ ।
  • ବ୍ୟବସାୟୀ ଲାଗି ଗୋଟିଏ ପ୍ରାନ୍ତରେ ବହୁ ପରିମାଣର ପନିପରିବା ଅମଳ ହେଲେ ସେଗୁଡିକୁ ଉପଯୁକ୍ତଭାବେ ସାଇତି ବହୁଦୂର ବଜାରକୁ ପଠାଇ ଅଧିକା ଲାଭ ପାଇବା ସମ୍ଭବ ହୋଇଥାଏ ।

ସଂରକ୍ଷଣ ପ୍ରଣାଳୀ

ଗୃହ ସଂରକ୍ଷଣ- ଦୈନନ୍ଦିତ ବ୍ୟବହାର୍ଜ୍ୟ ପନିପରିବାଗୁଡିକୁ ଥଣ୍ଡା ଜାଗାରେ ରଖାଯାଏ । ଶୀତରୁତୁରେ ଏହା କିଛି ସମୟ ଲାଗି ସଂରକ୍ଷିତ ହୋଇପାରେ । ପାଣି ଛିଞ୍ଚି ବାହାରେ ଥଣ୍ଡାରେ ରଖିଲେ ସେଗୁଡିକ ଅତିଶୀଘ୍ର ମଉଳେ ନାହିଁ । ଆଳୁ, ପିଆଜ, ପାଚିଲା କଖାରୁଗୁଡିକୁ ଶୁଖିଲା ଯାଗାରେ ରଖାଯାଏ । ଖରାଦିନେ ପନିପରିବାଗୁଡିକୁ ବେଶୀ ସମୟ ରହିପାରେ ନାହିଁ । ରାତିରେ ବାହାର ଅଗଣାରେ ପାଣି ସିଞ୍ଚି ରଖାଯାଏ । ଆଳୁ, ପିଆଜଗୁଡିକୁ ଶୁଖିଲା ଥଣ୍ଡା ଜାଗାରେ ଖେଳେଇ ରଖାଯାଏ ।

ସାରୁ, କନ୍ଦମୂଳ, ଦେଶୀଆଳୁଗୁଡିକୁ, ଥଣ୍ଡା ଶୁଦ୍ଧ ଜାଗାରେ ସାଇତାଯାଏ । କେହି କେହି ରେଫ୍ରିଜରେଟରରେ ପନିପରିବା ରଖିଥାନ୍ତି ।

ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ- ଆଳୁ, ବନ୍ଧାକୋବି, ଫୁଲକୋବି ଆଦି ନାନା ଶ୍ରେଣୀର ପନିପରିବା ବହୁଦିନ ଯାଏ ସଂରକ୍ଷିତ କରି ବଜାରରେ ବିକ୍ରି କରାଯାଏ । ଉପଯୁକ୍ତ ଉତ୍ତାପ ଓ ବାୟୁରେ ଆଦ୍ରତା ରକ୍ଷା କରି ସଂରକ୍ଷିତ କରିବାକୁ ହୁଏ କିନ୍ତୁ ସେଥିରୁ ବାହାର କରି ଆଣିବା ପରେ ବେଶୀ ଦିନଯାଏ ସେହି ପରିବାଗୁଡିକୁ ରଖିହୁଏ ନାହିଁ । ତେଣୁ ଶୀଘ୍ର ବ୍ୟବହାର କରିବା ଦରକାର ହୋଇଥାଏ ।

ପନିପରିବା ବ୍ୟବସାୟ

ପନିପରିବାଗୁଡିକ କମ୍ ସମୟରେ ନଷ୍ଟ ହୋଇଥାନ୍ତି । ଶୁଖା, ପଚା, ସଢା ଆଦି ଅସୁବିଧା ହେବା ଯୋଗୁଁ ସେଗୁଡିକ ଅଖାଦ୍ୟ ଓ ଅରୁଚିକର ହୋଇଥାନ୍ତି । କେତେକ ପରିବା ର ଅମଳ ହେବା ସଙ୍ଗେ ସଙ୍ଗେ ବିକ୍ରି ହେବା ଦରକାର । କେତେକ ଦିନେ ଦୁଇଦିନ ଭିତରେ ବିକ୍ରି ନହେଲେ ନଷ୍ଟ ହୋଇଯାଏ ଯଥା- ଭେଣ୍ଡି, ବାଇଗଣ, ଟମାଟୋ, ଲଙ୍କାମରିଚ, ସ୍ପିଟପେପର, ଜହ୍ନି, ଛଚିନ୍ଦ୍ରା, ପୋଟଳ ଇତ୍ୟାଦି । କନ୍ଦମୂଳ, ଆଳୁ, ସାରୁ, ଦେଶୀଆଳୁ, ପିଆଜ, ଆଦି କିଛି ଅଧିକ ସମୟ ରଖିହୁଏ । ଅମଳ ହେବା ପରେ ପରେ କ୍ଷେତରୁ ପନିପରିବା ଗୁଡିକ ବୋହିଆଣୀ ଚାଷୀ ନିଜ ଗୃହରେ ଏସବୁ ସାଇତି ରଖିବା ଲାଗି ସ୍ଥାନ ଦରକାର ହୋଇଥାଏ । ଅଧିକାଂଶ ଭାରତୀୟ ଚାଷିମାନଙ୍କୁ ଗୃହରେ ସ୍ଥାନଭାବ ଓ ଅନ୍ୟାନ୍ୟ ଅସୁବିଧା ଥିବା ହେତୁ ଚାଷୀ ସେଗୁଡିକ ଶୀଘ୍ର ବିକ୍ରି କରିଦେବାରେ ବ୍ୟାକୁଳତା ପ୍ରକାଶ କରିଥାଏ । କାରଣ ବିକ୍ରି କରିବା ଯେତେ ଡେରି ହେଉଥାଏ ଚାଷୀର ସେହି ଅନୁପାତରେ କ୍ଷତି ଘଟୁଥାଏ ।

ପନିପରିବା ବହୁପରିମାଣର ଓ ଅତି ଉତ୍କୃଷ୍ଟ ଧରଣର ଅମଳ କରିଦେଲେ କାମ ଶେଷ ହେଲାନାହିଁ । ସେଗୁଡିକ ଠିକ୍ ସମୟରେ ଓ ଠିକ୍ ଭାବେ ବିକ୍ରି କଲେ ଯାଇ ଚାଷୀର ତଥା ଦେଶର ଉପକାରରେ ଆସିଥାଏ । ଆମ ଦେଶରେ ଶତକଡା ୨୫ ରୁ ୩୦ ଭାଗ ବିଭିନ୍ନ ପ୍ରକାର ପନିପରିବା ଅମଳ ହେବା ଠାରୁ ଗ୍ରାହକମାନଙ୍କ ବ୍ୟବହାର କରିବା ଭିତରେ ପଚା, ସଢା, ଶୁଖା, ଛେଚା, ଫଟା, ପୋକ ରୋଗ ଆକ୍ରମଣ ବହୁ ପରିମାଣରେ କ୍ଷତି ହୋଇଥାଏ । ଯେଉଁ ଦେଶରେ ଖାଦ୍ୟାଭାବ ଗୋଟିଏ ଚିନ୍ତାର ବିଷୟ ହୋଇଛି ଓ ଅଧିକାଂଶ ଲୋକ ନିକୃଷ୍ଟ ଧରଣର ଖାଦ୍ୟ ଖାଉଥାନ୍ତି, ଏ ପ୍ରକାର କ୍ଷତି ହେବା ଅନୁଚିତ । ଏହା ହେବା ଦ୍ଵାରା ଚାଷୀର ମଧ୍ୟ ଅଧିକ ପରିମାଣରେ ଏହି ପ୍ରକାରର ସ୍ୱାସ୍ଥ୍ୟରକ୍ଷାକାରୀ ଫସଲ ଅମଳ କରି ଦେଶ ସେବା କରିବା ସାହାସ ଭାଙ୍ଗିଯିବା ସ୍ଵଭାବିକ ହୋଇଥାଏ । କାରଣ ଶ୍ରମ, ଅର୍ଥବିନିଯୋଗ କରି ସେ ଯଦି ଅମଳ କରାଯାଉଥିବା ପନିପରିବା ଶୀଘ୍ର ଉଚିତ୍ ମୂଲ୍ୟରେ ବିକ୍ରି କରି ନପାରେ ତେବେ ଏପରି ଚାଷ କରି ସର୍ବସ୍ଵାନ୍ତ ହେବା କାରଣ ହୋଇଥାଏ । ତେଣୁ ପନିପରିବା ଗୁଡିକୁ ସର୍ବୋତ୍କୃଷ୍ଟ ଧରଣର କ୍ରୟ, ବିକ୍ରୟର ସୁବିଧା ଓ ସଂରକ୍ଷଣ କରିବା ଲାଗି ବ୍ୟବସ୍ଥା କରିବା ଅତ୍ୟାବଶ୍ୟକ ହୋଇଥାଏ । ପନିପରିବା ଚାଷୀ ନିଜ ପରିଶ୍ରମରେ ବହୁ ପରିମାଣର ଉତ୍କୃଷ୍ଟ ପାରିବା ଅମଳ କରିପାରେ କିନ୍ତୁ ସେ ଉତ୍ତମ ବ୍ୟବସାୟୀ ହୋଇ ନପାରେ । ତେଣୁ ଆମ ଦେଶରେ ମଧ୍ୟସ୍ଥ ବେପାରୀ ବା ଦଲାଲମାନେ ଅଧିକାଂଶ ଲାଭ ମାରିନିଅନ୍ତି ଓ ଏହା ଚାଷୀ ଓ ଗ୍ରାହକମାନେ ହିଁ ସହିଥାନ୍ତି ।

ପନିପରିବା ବ୍ୟବସାୟର ବିଶେଷତ୍ଵ

ପନିପରିବା ଚାଷରେ ଫସଲ ଅମଳ କରାଯିବାଠାରୁ ଗ୍ରାହକ ବା ଖାଉଟିମାନଙ୍କଠାରେ ପହଞ୍ଚିବାଯାଏ ସମସ୍ତ ବ୍ୟବସ୍ଥା ଏହି ବ୍ୟବସାୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା ପନିପରିବା ଚାଷୀ ଯେପରି ଉଚିତ ମୂଲ୍ୟରେ ତାହାର ଫସଲ ବିକ୍ରୟ କରିପାରିବ । ତେଣୁ ଉତ୍ତମ ବ୍ୟବସାୟୀ କାର୍ଯ୍ୟକ୍ରମର ବ୍ୟବସ୍ଥା କଲେ ଯାଇ ଏହା ସମ୍ଭବ ହୋଇପାରେ । ତଲଲିଖିତ କେତୋଟି ବିଷୟ ପ୍ରତି ଧ୍ୟାନ ଦିଆଯାଇ ପନିପରିବା ଚାଷ କଲେ ଓ ବିକ୍ରି ବଟାର ବ୍ୟବସ୍ଥା ହୋଇପାରିଲେ ପନିପରିବା ଚାଷ ଲାଭଦାୟକ ଓ ଚାଷର ଅଭିବୃଦ୍ଧି ହେବ ।

  • ଗ୍ରାହକ ବା ଖାଉଟି ଯେପରି ଉତ୍କୃଷ୍ଟ ଧରଣର ପନିପରିବା ପାଇଁ ସନ୍ତୋଷଲାଭ କରିପାରିବେ ।
  • ପନିପରିବା ଗୁଡିକ ବିକ୍ରିଯୋଗ୍ୟ ଓ ଆକର୍ଷଣୀୟ ହେବ ।
  • ପନିପରିବାଗୁଡିକ ଯେପରି କମ ଖର୍ଚ୍ଚରେ ଚାଷ କରି ଅମଳ କରାଯିବ ସେଥିପ୍ରତି ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ଏହା ସମ୍ଭବ ହୋଇପାରିବ ଯଦି କୃଷି ପରିଚାଳନା ଦକ୍ଷତାର ସହିତ କରାଯାଏ ଓ ଚାଷୋପକରଣ ଗୁଡିକ ସୁଲଭ ମୂଲ୍ୟରେ ଯଦି ଚାଷିକି ଯୋଗାଇ ଦିଆଯାଏ ।
  • ପନିପରିବାଗୁଡିକ ଯେପରି ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ।

ଉତ୍କୃଷ୍ଟ ପନିପରିବା ଅମଳ

ପନିପରିବା ଗୁଡିକର ବାହ୍ୟ ଓ ଭିତର, ଭୌତିକ ଓ ରାସାୟନିକ ଅବସ୍ଥା ସେଗୁଡିକର ବ୍ୟବସାୟିକ ମୂଲ୍ୟ ଓ ଗୁଣ ଦର୍ଶାଇଥାଏ । ତେଣୁ ସେଗୁଡିକର ଚେହେରା ଗଠନ ଓ ସ୍ଵାଦୁ ରକ୍ଷା କରିପାରିଲେ ଉତ୍କୃଷ୍ଟ ପରିବା ଯୋଗାଇବା ସଙ୍ଗେ ସଙ୍ଗେ ଉଚିତ ମୂଲ୍ୟ ପାଇବା ସମ୍ଭବ ହୋଇଥାଏ । ପନିପରିବା ଗୁଡିକ ସ୍ଵାଭାବିକ ଆକାର ଓ ରଙ୍ଗଧରି ପରିଷ୍କାର ତଥା ନିଖୁଣ ରହିଥିବା ଆବଶ୍ୟକ, କାରଣ ଏହା ସେଗୁଡିକର ଚେହେରା ଆକର୍ଷଣୀୟ କରିବାରେ ସହାୟ ହୋଇଥାଏ । ସେହିପରି ପନିପରିବାଗୁଡିକର ଶ୍ରେଣୀକୁ ଧରି ସେଗୁଡିକର ଗଠନ ଟାଣ, କୋମଳ, ଚିକ୍କଣ, ବା ଦାନାଦାର, ଭଙ୍ଗୁର, ପୃଥୁଳ, ତନ୍ତୁଯୁକ୍ତ, ବା ତନ୍ତୁବିହୀନ । ଏହି ପ୍ରକାରର ବିଭିନ୍ନ ଗଠନ ପ୍ରଣାଳୀ ଅବଶ୍ୟ ନିର୍ଭର କରେ । ପରିବାଗୁଡିକର ପରିପକ୍ଵ ଅବସ୍ଥା, ପୈତୃକ ଗୁଣ, ଚାଷ ପ୍ରଣାଳୀ ଓ ପନିପରିବା କିସମକୁ ନେଇ । ଏହାଛଡା ସେଗୁଡିକର ସ୍ଵାଭାବିକ ଭାବେ ସ୍ଵାଦୁ ଓ ସୁଗନ୍ଧ ରହିବା ଉଚିତ । ଏଥିଲାଗି ପନିପରିବା ଗୁଡିକରେ ଉଚିତ ପରିମାଣରେ ଅତ୍ୟାବଶ୍ୟକ ବାଉଦଦାୟୀ ତୈଳ, ଭିଟାମିନ ଅମ୍ଳ, ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡିକର ସଂରକ୍ଷଣ ବିକ୍ରି ହେବା ଯାଏ ଉଚିତ ବ୍ୟବସ୍ଥା କରି ରକ୍ଷା କରାଯାଇପାରିଲେ ବ୍ୟବସାୟ ଲାଭପ୍ରଦ ହେବା ସମ୍ଭବ ହୋଇଥାଏ ।

ପନିପରିବାଗୁଡିକ ଠିକ୍ ସମୟରେ ଓ ଠିକ୍ ଭାବେ ଅମଳ କରିବା ।

ଏହାର କୌଣସି ନିର୍ଦ୍ଧିଷ୍ଟ ନିୟମ କହିବା କଷ୍ଟକର । ପ୍ରଧାନତଃ ଅନୁଭୂତିରୁ ଏହା ଜାଣିହୁଏ । ତେବେ ଏହା କେତୋଟି ବିଷୟ ଉପରେ ନିର୍ଭର କରେ ।

  • ପାରିବା ଗୁଡିକର ପରିବର୍ଦ୍ଧକ ଅବସ୍ଥା ।
  • ପନିପରିବା ଶ୍ରେଣୀ ।
  • ଅମଳ ହେବା ସମୟରେ ଜଳାବାୟୁର ଅବସ୍ଥା ।
  • ବଜାରର ଦୁରତ୍ଵ ।
  • ପରିବହନ ସୁବିଧା ।
  • ଗ୍ରାହକ ବା ଖାଉଟି ପାଖରେ ପହଞ୍ଚିବା ସମୟ । ଟୋମାଟୋଗୁଡିକୁ ତିନିଟି ଅବସ୍ଥାରେ ଅମଳ କରାଯାଏ ପରିପକ୍ଵ ଅଥଚ ସବୁଜ ଅବସ୍ଥା ଅମଳ କରାଯାଏ ବହୁଦୂର ବଜାରକୁ ପଠାଇବା ଲାଗି।

ପାଟଳ ରଙ୍ଗ ଅବସ୍ଥା ନିକଟରେ ବଜାରରେ ବିକ୍ରି କରିବା ଲାଗି ଅମଳ କରାଯାଏ । ନାଲି ପକ୍ଵାବସ୍ଥା ରେ ଅମଳ କରାଯାଏ ଓ ସଙ୍ଗେ ସଙ୍ଗେ ବିକ୍ରି କରି ବ୍ୟବହାର କରାଯିବା ଲାଗି ସୁବିଧାଜନକ ହୋଇଥାଏ । ଭେଣ୍ଡି, ଜହ୍ନି, ଟୋମାଟୋ, ବାଇଗଣ, କଣ୍ଟିଆଳୀ ଗୁଡିକ ଗୋଟି ଗୋଟି କରି ଅମଳ କରାଯାଏ । କାରଣ ଏହା ଅନେକ ଦିନଯାଏ ଏପରି ଅମଳ କରିବା ଦରକାର ହୋଇଥାଏ । ବଗିଚା ମଟର, ଶିମ, ମିଠା, ମକା ଗୁଡିକ ଠିକ୍ ସମୟରେ ଅମଳ ନକଲେ ସେଗୁଡିକର ତନ୍ତୁ ଟାଣ ହୋଇଗଲେ ଖାଇବାଲାଗି ଭଲ ଲାଗେ ନାହିଁ ଓ ଭଲ ଭାବେ ସିଝେ ନାହିଁ । କଖାରୁ, ଓଲୁଅ, କନ୍ଦମୂଳ, ଆଳୁ, ସାରୁ, ଟେପିଓକା, ଦେଶୀଆଳୁ ଆଦି ପରିବା ଗୁଡିକ ଉତ୍ତମ ରୂପେ ଓ ପକ୍ଵ ହେବା ପରେ ଖୋଳାଯାଏ ମୁନିଗା ଛୁଇଁ ଗୁଡିକର ମଞ୍ଜି କୋମଳ ଥିବା ବେଳେ ତୋଳାଯାଏ । କଞ୍ଚାକଦଳୀ, ଅମୃତଭଣ୍ଡା, ପଣସ, ବ୍ରେଡଫୃଟ ଗୁଡିକ ପୁରାପୁରି ବଢିବା ପରେ ଅଥବା ତନ୍ତୁ ଗୁଡିକ କୋମଳ ଥିବା ଅବସ୍ଥାରେ ତୋଳାଯାଏ । ତେଣୁ ପ୍ରତ୍ୟେକ ଶ୍ରେଣୀର ପନିପରିବା ଉଚିତ ଅବସ୍ଥାରେ ପହଞ୍ଚିବା ପରେ ଅମଳ କରାଯିବା ଦରକାର । ଅତି କେଞ୍ଚିଡିଆ ବା ଟାଣ ତନ୍ତୁ ହୋଇଯାଇଥିବା ପନିପରିବାଗୁଡିକର ବଜାର ମୂଲ୍ୟ କମ ହୋଇଥାଏ ।

ପନିପରିବାଗୁଡିକୁ ଅମଳ କରିବା ସମୟରେ ଯେପରି ନିଖୁଣ ଭାବେ ଅମଳ କରାଯିବ ସେଥିପ୍ରତି ଦୃଷ୍ଟି ଦେବା ଉଚିତ । ଖୋଳିବା ସମୟରେ ସାରୁ, ଦେଶୀଆଳୁ, କନ୍ଦମୂଳ, ଆଳୁଗୁଡିକ ଯେପରି କଟି ନଯାଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ । ପରିବା ଗୁଡିକ ଘଷା, ଛେଚା, କଚଡା, ଫୋଫଡା, ଚିପା ଆଦି ଉପଚାର ଏଡାଇବା ଉଚିତ । ଏହାଛଡା ଯେତେ ଶୀଘ୍ର ସମ୍ଭବ ପନିପରିବାଗୁଡିକୁ ବିକ୍ରି କରାଯାଏ ସେତେ ଅଧିକ ଲାଭ ମିଳିଥାଏ । ଭେଣ୍ଡି, ଶାଗ, ପୋଇ ଇତ୍ୟାଦି ପନିପରିବା ଦିନେ ବିକ୍ରି ନହୋଇ ରହିଯିବା ଦ୍ଵାରା ବିଶେଷ ଭାବେ କ୍ଷତି ହୋଇଥାଏ । କନ୍ଦମୂଳ, ଆଳୁ, ପିଆଜ, ସାରୁ, ଦେଶୀଆଳୁ, ରସୁଣ, ଅଦା, ତରଭୁଜ, କରଭୁଜ, ପାଚିଲା କଖାରୁ, ପାଣି କଖାରୁ ଆଦି ପନିପରିବା କିଛିଦିନ ରଖି ବିକ୍ରି କଲେ କ୍ଷତି ହୋଇନଥାଏ ।

ପନିପରିବା ଗୁଡିକୁ ବିକ୍ରି ଯୋଗ୍ୟ ଓ ଆକର୍ଷଣୀୟ କରିବା ।

ପନିପରିବା ବ୍ୟବସାୟରେ ଏହା ହେଉଛି ଆଉ ଗୋଟିଏ ପ୍ରଧାନ ବିଷୟ ସେଗୁଡିକ ବଜାରକୁ ପଠାଯିବା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ କରିବା ଦରକାର ହୋଇଥାଏ । ପରିବାର ପ୍ରକାର ଭେଦରେ ଏହା କରାଯାଏ । ଏହା ସାଧାରଣତଃ ପାଞ୍ଚ ପ୍ରକାରେ କରାଯାଇପାରେ ପରିଷ୍କାର କରିବା , କତୁରେଇବା, ବାଛିବା, ଶ୍ରେଣୀ କରଣ କରିବା, ବନ୍ଧାବନ୍ଧି କରିବା ।

ପନିପରିବାଗୁଡିକ ବିଶେଷତଃ ମୂଳା, ଗାଜର, ସଲଗମ, ନୋଲ ଖୋଲ, ଯେଉଁଗୁଡିକ ମାଟିସହ ଲାଗି ରହି ବଢିଥାନ୍ତି । ସେଗୁଡିକରୁ ଲାଗିଥିବା ମାଟି ପରିଷ୍କାର କରି ସୁନ୍ଦର ଦେଖାଯିବା ଲାଗି ପାଣିରେ ଧୋଇଦେବା ଦରକାର କରେ । କାରଣ ଖାଉଟିମାନେ ପନିପରିବାରେ ମାଟି, ମଇଳା, କୀଟନାଶକ ଔଷଧ ଓ ରୋଗନାଶକ ଔଷଧ ଲାଗି ରହିବା ବା ସେଥିଜନିତ ଦୁର୍ଗନ୍ଧ ରହିବା ଘୃଣା କରନ୍ତି । ସେହିପରି ଶାଗ ଜାତୀୟ ପନିପରିବା, ଲେଟ୍ୟସ, ବନ୍ଧାକୋବି, ଷ୍ଟିନଚ ପୋଇ ଓ ଏହିପରି ଅନ୍ୟାନ୍ୟ ପରିବାଗୁଡିକୁ ମଧ୍ୟ ଦେଇ ପରିଷ୍କାର କରି ପାଣି ନିଗାଡି ଦିଆଯାଏ । କାରଣ ପାଣିବୁନ୍ଦା ଜମି ରହିଲେ ସେଗୁଡିକୁ ପଚାସଢା କରିବାରେ ସାହାଯ୍ୟ କରେ । କଖାରୁ, ସାରୁ, ଆଳୁ, କନ୍ଦମୂଳ, ପିଆଜ, ଦେଶୀଆଳୁ, ତରଭୁଜ, କରଭୁଜ ଆଦି ଫସଲ ପାଣିରେ ଧୁଆଯାଏ ନାହିଁ । ସୁଖିଲା କନାରେ ପୋଛି ଦିଆଯାଏ । ସେହିପରି ଟୋମାଟୋ, ବାଇଗଣ, କାକୁଡି, କଞ୍ଚାଲଙ୍କା ଆଦି ପନିପରିବା ଭିଜାକନାରେ ପୋଛି ଦିଆଯାଏ ।

ପନିପରିବାଗୁଡିକ କତୁରେଇବା ମଧ୍ୟ ଦରକାର ହୋଇଥାଏ । ଫୁଲକୋବିର ଫୁଲ ଚାରିପାଖର ପତ୍ରଗୁଡିକ ଟିକିଏ ଟିକିଏ ଡେମ୍ଫରଖି କତୁରାଯାଏ ଯେପରି ବଜାରକୁ ପଠାଯିବା ସମୟରେ ସେଗୁଡିକରେ ଆଘାତ ଲାଗିବ ନାହିଁ । ପୋଇଗୁଡିକ ଖଣ୍ଡ ଖଣ୍ଡ କରି କଟାଯାଏ । ଦୂର ବଜାର ଲାଗି ଗାଜର, ସାଲଗମ, ମୂଳା ଆଦି ପରିବାଗୁଡିକର ନାଡ ଓ ପତ୍ରଗୁଡିକରୁ ଅଲଗା କରାଯାଏ, କିନ୍ତୁ ନିକଟ ବଜାର ଲାଗି ଡେମ୍ଫ ଓ ପତ୍ରଗୁଡିକରୁ ଅଲଗା କରାଯାଏ ନାହିଁ । କେବଳ ସୁଖିଲା ଓ ବୁଢା ପତ୍ରଗୁଡିକ ବାଛି ବାହାର କରାଯାଏ ।

ପନିପରିବାଗୁଡିକ ପୃଥିକୀକରଣ ବା ବଛାବଛି କରିବା ହେଉଛି ଆଉ ଗୋଟିଏ ପ୍ରଧାନକାର୍ଯ୍ୟ । ଖଣ୍ଡିଆ, ପଚା, ସଢା, ରୋଗୀ ଓ ପୋକମରା ପରିବାଗୁଡିକୁ ଅଲଗା କରିଦିଆଯାଏ । ଏହା କରିବା ଫଳରେ ପନିପରିବା ବ୍ୟବସାୟ ଲାଭଜନକ ହୋଇଥାଏ ।

ପନିପରିବା ଗୁଡିକର ଶ୍ରେଣୀ କରଣ

ପନିପରିବା ଗୁଡିକର ଶ୍ରେଣୀ କରଣ ଆମ ଦେଶରେ ସାଧାରଣତଃ ପାଳନ କରାଯାଇନଥାଏ । ଏହା କରିବା ଲାଗି ସୁବିଧା ଓ ଶ୍ରମ ଦରକାର କରାଯିବା ଉଚିତ । ପନିପରିବାଗୁଡିକର ଆକାର, ପରିପକ୍ଵ ଅବସ୍ଥା, ରଙ୍ଗ, ଗୁଣକୁ ଧରି ନିର୍ଦ୍ଧିଷ୍ଟ ଶ୍ରେଣୀ କରଣ କରାଯାଇଥାଏ । ଏହା ଅନୁମୃତ କରିବା ଦ୍ଵାରା ନିମ୍ନଲିଖିତ ସୁବିଧା ହୋଇଥାଏ ।

  • ବିଭିନ୍ନ ଆକାର, ରଙ୍ଗର ପନିପରିବା ଏକାଠି ରଖି ବିକାଯିବା ସମୟରେ ଖାଉଟିମାନେ ହାତରେ ବାଛି ଭଲ ଓ ବଡ ଗୁଡିକ ଆଗେ ନେଇଥାନ୍ତି ଓ ପ୍ରତ୍ୟେକ ପରିବାକୁ ହାତରେ ଚିପି ନିଜର ମନମୁତାବକ ପରିବା ବାଛି ନିଅନ୍ତି । ବଡ, ସାନ, ଭଲ, ମନ୍ଦ ସବୁ ଶ୍ରେଣୀର ପରିବା ଏକାମୁଲ୍ୟ ହୋଇଥାଏ । ତେଣୁ ପରିବା ଗୁଡିକର ଥରକୁ ଥର ଚିପା ଓ ଓଲଟପାଲଟ ହେଉଥିବା ଦ୍ଵାରା ଅନେକ ଉତ୍ତମ ପରିବା ଆଘାତ ପାଇ ନଷ୍ଟ ହୋଇଥାଏ ଓ ସେଗୁଡିକର ମୂଲ୍ୟ ହ୍ରାସ ପାଇଥାଏ । ଶ୍ରେଣୀକରଣ ଯିଏ ଯେଉଁ ଆକାର ଚାହିଁବ ସେ ସେହି ଶ୍ରେଣୀର ନିର୍ଦ୍ଧାରିତ ମୂଲ୍ୟ ଦେଇ ପରିବା ଖରଦି କରିନେବ ।
  • ନାନା ଆକାର, ଗୁଣର ବା ରଙ୍ଗର ପରିବା ଏକାଠି ରଖି ବିକ୍ରି କରିବା ଦ୍ଵାରା ଛୋଟ ଆକାରର ବା ନିକୃଷ୍ଟ ପରିବା ମୂଲ୍ୟରେ ମଧ୍ୟମ, ବଡ ଓ ଅତି ବଡ ପରିବା ବିକ୍ରି ହେବା ଦ୍ଵାରା ଚାଷୀର ଅଧିକ କ୍ଷତି ହୋଇଥାଏ । ପୁଣି ବସ୍ତା, କାଠ ବା ବାଉଁଶଝୁଡିରେ ପ୍ୟାକ କରାଯାଇଥିବା ପନିପରିବା କେଉଁ ପ୍ରକାରର ହୋଇଥିବା ଜାଣିବାର ସୁଯୋଗ ନପାଇ ଖରିଦ କରିବାକୁ ହୋଇଥାଏ । ତେଣୁ ବ୍ୟବସାୟୀ ଏହାଦ୍ୱାରା ମନରେ ଅବିଶ୍ଵାସ ରହିଥାଏ । ତେଣୁ ଶ୍ରେଣୀ କରଣ ହୋଇଥିଲେ ବ୍ୟବସାୟୀ ତଥା ଖାଉଟି ପେକେଟକିଣିବା ସମୟରେ ସେ କ’ ଣ ଖରିଦ କରୁଛି ଜାଣିଥାଏ ।
  • ଗଣ୍ଠିରୀକରଣ ଓ ପରିବହନ ଖର୍ଚ୍ଚ କମିଥାଏ । କାରଣ ଦୂର ବଜାରକୁ ପଠାଯିବା ଲାଗି ଏକ ଶ୍ରେଣୀର ବଛା ବଛା ପନିପରିବା ପଠାଇବା ଦ୍ଵାରା ଅନ୍ୟ ଶ୍ରେଣୀର ନିକୃଷ୍ଟ ଓ ଖୁଣଯୁକ୍ତ ପରିବାଗୁଡିକୁ ଖର୍ଚ୍ଚକରି ପରିବହନ କରିବା ଓ ଅନ୍ୟାନ୍ୟ ବ୍ୟବସାୟ ସମ୍ବନ୍ଧୀୟ ଖର୍ଚ୍ଚରୁ ବଞ୍ଚିତ ହୋଇ ଖର୍ଚ୍ଚ କମିଥାଏ ।
  • ଶ୍ରେଣୀକରଣ ଦ୍ଵାରା ଗଣ୍ଠିରୀ ପ୍ରତି ନିର୍ଦ୍ଧିଷ୍ଟ ଆକାରର ଓ ନିର୍ଦ୍ଧିଷ୍ଟ ସଙ୍ଖ୍ୟାର ପରିବା ରଖି ବିକ୍ରି କରିବା ସୁବିଧାଜନକ ହୋଇଥାଏ ।
  • ବିକ୍ରେତା ଓ ଗ୍ରାହକ ମଧ୍ୟରେ ଅନ୍ୟାୟ ଅସନ୍ତୋଷ, ଠକାମିଜନିତ ଅସୁବିଧା ଦୂର ହୁଏ ଓ ଏଥିରେ ବ୍ୟବସାୟର ମୂଳଦୁଆ ଟାଣ ହୋଇଥାଏ ।
  • ଠକାମି ନହେବା ଦ୍ଵାରା ଗ୍ରାହକ ଖରିଦ କରିବା ସମୟରେ ଗଦା ହୋଇଥିବା ଝୁଡି ବା ବସ୍ତାରେ ଭରା ଯାଇଥିବା ଯେକୌଣସି ଅଂଶରୁ ନମୁନା ପରୀକ୍ଷା ଲାଗି ସଂଗ୍ରହ କରିବାରେ ବିକ୍ରେତାର ଅସମ୍ମତି ନଥାଏ ବା ଭୟ ନଥାଏ । ତେଣୁ ନିକୃଷ୍ଟ ପନିପରିବା ମିସାଗୋଳିଆ କରି ବିକ୍ରି କରିବା ଦୂର ହୋଇଥାଏ ।
  • ଚାଷୀ ପନିପରିବା ଚାଷ ତଥା ଅମଳରେ ସତର୍କତା ଅବଲମ୍ବନ କରି ଉତ୍କୃଷ୍ଟ ପନିପରିବା ଚାଷ କରିବାରେ ମନଯୋଗ ଦେବାରେ ଶ୍ରେଣୀକରଣ ସାହାଯ୍ୟ କରେ ।
  • ଶ୍ରେଣୀକରଣ କରିବା ଦ୍ଵାରା ବ୍ୟବସାୟ ସୁରୁଖୁରୁରେ ଓ ଶୀଘ୍ର ସମ୍ପାଦନ ହୋଇଥାଏ କାରଣ ଖରିଦଦାର ସେଗୁଡିକୁ ପରୀକ୍ଷଣ କରିବା ଦରକାର ହୋଇନଥାଏ ।
  • ଶ୍ରେଣୀକରଣ ପରିବାଗୁଡିକ ଶୀତଳଭଣ୍ଡାର ରେ ଉଚିତ ଉତ୍ତାପରେ ସଂରକ୍ଷିତ କରିବାରେ ସହାୟକ ହୋଇଥାଏ ।

ଆଧାର –ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ, କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top