ସେଆର କରନ୍ତୁ

ରସୁଣ ଚାଷ

ରସୁଣ ଚାଷ ପ୍ରଣାଳୀ ସମ୍ବନ୍ଧରେ ସୂଚନା ।

ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ମସଲା ହିସାବରେ ଯଦିଓ ରସୁଣ ମୁଖ୍ୟତଃ ବ୍ୟବହାର ହୋଇଥାଏ, ତଥାପି ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରା ଯାଇ ଥାଏ । ଡାକ୍ତ ରମାନଙ୍କ ମତରେ ରସୁଣର ଜୀର୍ଣ୍ଣ କରିବାର ଗୁଣ ରହିଅଛି । ମହୀଶୁରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ । ଗବେଷଣା କେନ୍ଦ୍ର, ରସୁଣର ବିଭିନ୍ନ ପ୍ରକାରର ଖାଦ୍ୟ ତଥା ଔଷଧ ପ୍ରସ୍ତୁତ କରିବା ଦିଗରେ ଅନେକ କାର୍ଯ୍ୟ କରୁଅଛନ୍ତି । ରସୁଣ ତେଲ ପକ୍ଷାଘାତ ଓ ବାତ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯାଏ । ରସୁଣ ଖାଇବା ଦ୍ଵାରା ରକ୍ତରେ ଥିବା କୋଲେଷ୍ଟରଲ ପରିମାଣ କମିଯାଏ । ସେହି ପରି ମୁର୍ଦ୍ଧା ରୋଗୀମାନଙ୍କୁ ମଧ୍ୟ ରସୁଣ ଶୁଘାଇ ସୁସ୍ଥ କରାଯାଏ । ସୋରିଷ ତେଲରେ ରସୁଣ ଫୁଟାଇ ଘା ମାନଙ୍କରେ ମଧ୍ୟ ଲଗାଯାଏ ।

ରସୁଣରେ ଶତକଡ଼ା ପ୍ରାୟ ୬୨.୮ ଭାଗ ଜଳ, ୬.୩ ଭାଗ ପୁଷ୍ଟିସାର, ୦.୭ ଭାଗ ସ୍ନେହସାର, ୧ ଭାଗ ବିଭିନ୍ନ ଧାତବ ଲବଣ ଓ ୨୯ ଭାଗ ଶ୍ଵେତସାର ରହି ଅଛି । ଏହା ବ୍ୟତୀତ ଏଥିରେ ଭିଟାମିନ୍ ସି ମଧ୍ୟ ରହିଅଛି ।

ରସୁଣ ପ୍ରଥମେ କେନ୍ଦ୍ର ଏସିଆ ବା ଭୂମଧ୍ୟ ସାଗର ଅଞ୍ଚଳରେ ଚାଷ କରାଯିବାର କୁହାଯାଇଥାଏ । ତେବେ ବର୍ତ୍ତମାନ ଏହା ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଚାଷ କରାଯାଉଅଛି ।

ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ରସୁଣ ଚାଷ କରାଯାଇଥାଏ । ଅତି ଥଣ୍ଡା ହେଲେ ରସୁଣ ଭଲ ହୁଏ ନାହିଁ । ଭାରତରେ ଏହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜୁରାଟ ଅଞ୍ଚଳରେ ପ୍ରଚୁର ଚାଷ କରାଯାଏ ।

ମାଟି ଓ ଲଗାଇବା ସମୟ

ରସୁଣ ପାଇଁ ଦୋରସା ଓ ପଟୁମାଟି ଖୁବ୍ ଭଲ । ତେବେ ପିଆଜ ଠାରୁ ରସୁଣ ପାଇଁ ଅଧିକ ଉର୍ବର ମାଟି ଦରକାର ହୋଇଥାଏ ।

ଲଗାଇବା ସମୟ

ରସୁଣ ସେପ୍ଟେମ୍ବର ମାସ ଠାରୁ ଲଗାଯାଇପାରିବ । ତେବେ ଅକ୍ଟୋବର, ନଭେମ୍ବର ମାସରେ ଲଗାଇଲେ ମଧ୍ୟ ଭଲ ଅମଳ ଦେଇଥାଏ ।

ଚାଷ ପ୍ରଣାଳୀ

ପିଆଜ ପରି ରସୁଣ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିବାକୁ ହୁଏ । ରସୁଣ ପାଇଁ ପିଆଜ ଅପେକ୍ଷା ଅଧିକ ଉର୍ବର ମାଟି ଦରକାର ହୋଇଥାଏ ।

ଏକର ପିଛା ୧୬– ୨୦ ଟନ୍ ସଢ଼ା ଖତ ପ୍ରୟୋଗ କରିବାକୁ ହେବ । ଏହ। ସହିତ ମୂଳ ସାର ଭାବେ ୨୪ କି.ଗ୍ରା. ଯବକ୍ଷାରଜାନ, ୨୪ କି.ଗ୍ରା. ଫସ୍‌ଫରସ୍ ଓ ୨୪ କି.ଗ୍ରା. ପଟାସ୍ ସାର ଦରକାର ହୋଇ ଥାଏ ।

ବିହନ ଲଗାଇବାର ତିନି ସପ୍ତାହ ପରେ ଏକ ର ପ୍ରତି ୧୨ କି.ଗ୍ରା. ଯବକ୍ଷାରଜାନ ଏବଂ ଛଅ ସପ୍ତାହ ପରେ ୧୨ କି.ଗ୍ରା. ଯବକ୍ଷାର ଓ ୨୪ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରିବାକୁ ହେବ ।

ବିହନ

ପ୍ରାୟ ଦେଶୀ କିସମର ରସୁଣ ଲଗାଯାଇଥାଏ । ଆଗ୍ରୀଫାଉଣ୍ଡ ହ୍ଵାଇଟ୍, ଯମୁନା ସଫେଦ୍, ପୁଷା ସିଲେକ୍ସନ- ୧୦ ପ୍ରଭୃତି କେତେକ ଉନ୍ନତ କିସମ ମଧ୍ୟ ଚାଷ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏକ ଏକର ପାଇଁ ପ୍ରାୟ ୧୫୦ ରୁ ୨୦୦ କିଲୋଗ୍ରାମ୍ ରସୁଣ ପାଖୁଡ଼ା ଦରକାର ହୁଏ । ଧାଡିକୁ ଧାଡ଼ି ୬ ଇଞ୍ଚ ଓ ଗଛକୁ ଗଛ ୩ ଇଞ୍ଚ ବ୍ୟବଧାନରେ ରସୁଣ ଲଗାଯାଏ । ଲଗାଇବା ବେଳେ କୋଲାର ମୁହଁ ଉପରକୁ ରଖାଯାଏ । ପାଣି ଦେବା ପାଇଁ ଓ ଅଧିକ ପାଣି ନିଷ୍କାସନ କରିବା ପାଇଁ ବିଲକୁ ଛୋଟ ଛୋଟ ପଟି କରିବା ଦରକାର ହୋଇଥାଏ ।

ଗଛ ଉଠିବାର ୧୫-୨୦ ଦିନ ପରେ ବିଲରୁ ଘାସ ଇତ୍ୟାଦି ବାଛି ଦିଆଯାଏ । ଲଗାଇବାର ୨ ମାସ ପରେ ମୂଳ ପାଖ ମାଟି ଖୁସାଇ ହାଲୁକା କରିଦେଲେ ତାହା ବଡ଼ ବଡ଼ ରସୁଣ ହେବା ପାଇଁ ସାହାଯ୍ୟ କରେ ।

ରସୁଣ ପାଇଁ ପ୍ରାୟ ପ୍ରତି ୧୦-୧୫ ଦିନ ରେ ଥରେ ପାଣି ଦରକାର ହୋଇଥାଏ । ଗଛ ବଢ଼ିବା ସମୟରେ ପାଣି ଅଭାବ ହେଲେ ଅମଳ କମିଯାଏ । ରସୁଣ ପାକଳ ହେବା ସମୟରେ ଅଳ୍ପ ପାଣିଦେବା ଉଚିତ୍ ।

ଅମଳ

ରସୁଣ ପ୍ରାୟ ସାଢ଼େ ଚାରିମାସରୁ ୫ ମାସରେ ଅମଳ ହୋଇଥାଏ । ପାକଳ ସମୟକୁ ପତ୍ର ହଳଦିଆ ବା ମାଟିଆ ପଡ଼ିଯାଏ ଏବଂ ଶୁଖା ଆସେ । ଗଛ ଗୁଡ଼ିକୁ ଉପାଡ଼ି ପୁଳା ପୁଳା କରି ବାନ୍ଧି ୩-୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଆଯାଏ । ବାହାରକୁ ନେବା ପୂର୍ବରୁ ରସୁଣ ଉପରୁ କାଣ୍ଡ ଓ ଶୁଖିଲା ପତ୍ର କାଢ଼ି ସଢ଼ା କରି ଦିଆଯାଏ । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ୨୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ରସୁଣ ଅମଳ ମିଳିଯାଏ ।

ରୋଗ ଓ ପୋକ

ରସୁଣ ଫସଲରେ ସାଧାରଣତଃ ମୂଳ ସଢ଼ା ଓ ରସୁଣ ସଢ଼ା ରୋଗ ଦେଖା ଦେଇଥାଏ । ବିଲରେ ମୂଳସଢ଼ା ରୋଗ ଦେଖା ଦେଲେ ଗଛ ଝାଉଁଳି ଯାଏ ଓ ଅଗ ପତ୍ର ଶୁଖିଆସେ । ଏଥିପାଇଁ ବାଭିଷ୍ଟିନ୍ ବା ବେନଲେଟ ବ୍ୟବହାର କରିବା ଉଚିତ୍ ।

ସେହିପରି ସାଇତି ରଖିବା ସମୟରେ ରସୁଣ ଅଗ ଆଡୁ ସଢ଼ିବାକୁ ଆରମ୍ଭ କରେ । ଭଲ ଭାବରେ ଶୁଖିନ ଥିଲେ ଏହି ରୋଗ ହୁଏ । ତେଣୁ ସାଇତିବା ପୂର୍ବରୁ ଭଲ ଭାବରେ ଶୁଖାଇ ରଖିବା ଉଚିତ୍ । ଅନ୍ୟାନ୍ୟ ରୋଗ ଓ ପୋକ ପିଆଜରେ ଲାଗୁଥିବା ରୋଗ ଓ ପୋକ ସହ ସମାନ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

3.23529411765
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top