ହୋମ / କୃଷି / କୃଷି ଋଣ ଓ ବୀମା / ରାଷ୍ଟ୍ରୀୟ କୃଷି ବୀମା ଯୋଜନା
ସେଆର କରନ୍ତୁ

ରାଷ୍ଟ୍ରୀୟ କୃଷି ବୀମା ଯୋଜନା

ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ କୃଷକଙ୍କ ନ୍ୟୂନତମ କୃଷି ଆୟକୁ ସୁରକ୍ଷିତ ଏବଂ ସୁନିଶ୍ଚିତ କରିବା ନିମିତ୍ତ ।

ଉପକ୍ରମଣିକା

ଭାରତ ଏକ କୃଷି ପ୍ରଧାନ ଦେଶ । ଭାରତର ୬୫ଭାଗ ଲୋକସଂଖ୍ୟା ନିଜର ଜୀବନ- ଜୀବିକା ନିର୍ବହନ ପାଇଁ କୃଷି ଉପରେ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ନିର୍ଭର କରିଥାନ୍ତି । ଯଦ୍ୟପି କୃଷି କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି , ତଥାପି ୭୫% ରୁ ଅଧିକ ଜମିରେ ପର୍ଯ୍ୟାପ୍ତ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ମୁଖ୍ୟତଃ ପ୍ରକୃତିର ଦୟା ଉପରେ ନିର୍ଭର କରିଥାଏ । ଭାରତର କୃଷିକର୍ମଣ ମୌସୁମୀ ବର୍ଷା ସହ ଏକ ପ୍ରକାର ଜୁଆଖେଳ କହିଲେ ଅତ୍ୟୁକ୍ତି ହେବନାହିଁ । କୁହାଯାଏ ଯେ ଭାରତୀୟ କୃଷକ ଋଣରେ ଜନ୍ମ ଗ୍ରହଣ କରେ ଏବଂ ଋଣରେ ହିଁ ମୃତ୍ୟୁବରଣ କରେ । ତେଣୁ କୃଷି ଏବଂ କୃଷକର ଆର୍ଥିକ ଉନ୍ନତି ନହେବା ପର୍ଯ୍ୟନ୍ତ ଏ ଦେଶରେ ସମୃଦ୍ଧି ଅସମ୍ଭବ । ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ କୃଷକଙ୍କ ନ୍ୟୂନତମ କୃଷି ଆୟକୁ ସୁରକ୍ଷିତ ଏବଂ ସୁନିଶ୍ଚିତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କ ଦ୍ଵାରା ଗତ ୧୯୯୯-୨୦୦୦ ରବି ଋତୁ ଠାରୁ ସମଗ୍ର ଦେଶରେ “ରାଷ୍ଟ୍ରୀୟ କୃଷି ବୀମା ଯୋଜନା”ପ୍ରଣୟନ କରାଯାଇଅଛି । ଏହି ଯୋଜନା ଓଡିଶା ରାଜ୍ୟ ସରକାରଙ୍କ ସହମତି ଏବଂ ସକ୍ରୀୟ ସହଯୋଗ ଫଳରେ ଅପାର ସଫଳତାର ସହ ଏଗ୍ରୀକଲଚର ଇନସ୍ୟୁରାନସ କମ୍ପାନୀ ଦ୍ଵାରା କାର୍ଯ୍ୟକାରୀ ହେଉଛି । ଯୋଜନାର ପ୍ରମୁଖ ବିଶେଷତ୍ଵ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

• ଯୋଜନାର ଉଦ୍ଦେଶ୍ୟ :- ପ୍ରାକୃତିକ ବିପର୍ଯ୍ୟୟ, ରୋଗ ଏବଂ ପୋକ କାରଣରୁ ବୀମିତ ଫସଲର “ବାସ୍ତବିକ ଉତ୍ପାଦନ “ ସେହି ଅଧିସୂଚିତ ବୀମା ଏକକ (ଗ୍ରାମପଞ୍ଚାୟତ/ବ୍ଲକ) ପାଇଁ ପୂର୍ବ ନିର୍ଦ୍ଧାରିତ “ନିଶ୍ଚିତ ଉତ୍ପାଦନ “ ଠାରୁ କମ ହେଲେ , ବିମାକୃତ ଚାଷୀଙ୍କୁ ଆର୍ଥିକ ସହାୟତା । ସ୍ୱଳ୍ପ ଦରରେ ବୀମା ସୁବିଧା ପ୍ରଦାନ କରି ଖାଦ୍ଯ ଫସଲ ଡାଲି ଏବଂ ତୈଳବୀଜ ଜାତୀୟ ଫସଲର ଅଧିକ ଉତ୍ପାଦନକୁ ସୁନିଶ୍ଚିତ ଏବଂ ପ୍ରୋତ୍ସାହନ ଦେବା ।

• ବୀମା ଯୋଗ୍ୟ ଫସଲ :- ରାଜ୍ୟ ସରକାର ଦ୍ଵାରା ରାଜ୍ୟରେ ବହୁଳ ଭାବରେ ଚାଷ ହେଉଥିବା ଫସଲ ଗୁଡିକର ବୀମା ନିମନ୍ତେ ନିମ୍ନଲିଖିତ ଋତୁ ଅନୁସାରେ ଅଧିସୂଚିତ କରାଯାଇଛି ।

• ଖରୀଫ ଋତୁ : ଧାନ, ମକା, ଚିନାବାଦାମ, ଅଳସୀ, ହରଡ, କଦଳୀ, ଝୋଟ,କପା, ହଳଦୀ ଏବଂ ଅଦା ।

• ରବି ଋତୁ : ଧାନ, ଚିନାବାଦାମ, ସୋରିଷ, ଆଳୁ, ମୁଗ ଏବଂ ବିରି (ଉପରୋକ୍ତ ଫସଲ ବ୍ୟତୀତ ଅନ୍ୟ ଫସଲ ଚାଷ ହେଉଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ଅଧିସୂଚିତ ନ ହୋଇଛି , ଫସଲର ବୀମା କରାଯାଇ ପାରିବ ନାହିଁ । )

• ଅଧିସୂଚିତ କ୍ଷେତ୍ର ବା ବୀମା ଏକକ :- ଏହି ବୀମା ଯୋଜନା ଅଧିସୂଚିତ କ୍ଷେତ୍ର ବା ବୀମା ଏକକ ଉପରେ ଆଧାରୀତ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଧାନ ଫସଲ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଏବଂ ଅନ୍ୟ ଫସଲ ଗୁଡିକ ନିମନ୍ତେ ନିର୍ଦ୍ଧିଷ୍ଟ ବ୍ଲକକୁ ବୀମା ଏକକ ଭାବେ ଅଧିସୂଚିତ କରାଯାଉଛି । (ବ୍ୟକ୍ତିଗତ କୃଷକ ଏହି ଯୋଜନାରେ ବୀମା ଏକକ ନ ହେବା କାରଣରୁ ବ୍ୟକ୍ତିଗତ ସ୍ତରରେ ହେଉଥିବା ଫସଲ କ୍ଷୟକ୍ଷତି ପାଇଁ ବୀମା କ୍ଷତିପୂରଣ ଦିଆଯାଏ ନାହିଁ । )

ବୀମା ଯୋଗ୍ୟ କୃଷକ

•ଅଧିସୂଚିତ ଗ୍ରାମ ପଞ୍ଚାୟତ/ବ୍ଲକରେ ବୀମା ଯୋଗ୍ୟ ଫସଲ ଉତ୍ପାଦନ କରୁଥିବା ସମସ୍ତ କୃଷକ ସର୍ତ୍ତ ସାପେକ୍ଷ ଏହି ଯୋଜନାରେ ବୀମା କରିପାରିବେ । ସେଥିନିମନ୍ତେ କୃଷକମାନଙ୍କୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି ।

ଋଣୀ କୃଷକ

• ଯେଉଁ ଚାଷୀମାନେ ନିକଟସ୍ଥ ବ୍ୟାଙ୍କରୁ କିଷାନ କ୍ରେଡିଟ କାର୍ଡ କିମ୍ବା କୃଷି ସ୍ଵର୍ଣ୍ଣ ରତ୍ନ ଋଣ ମାଧ୍ୟମରେ କୃଷି ଋଣ ନେଇ ଉପରୋକ୍ତ ଫସଲ ଚାଷ କରୁଛନ୍ତି, ସେମାନଙ୍କୁ ବାଧ୍ୟତାମୂଳକ ରୂପେ ବୀମାଭୁକ୍ତ କରାଯିବ । ଅର୍ଥାତ ଫସଲ ବୀମା କୃଷି ଋଣର ଏକ ଅନିବାର୍ଯ୍ୟ ଅଂଶ/ସର୍ତ୍ତ ହୋଇଥିବାରୁ ଯେ କୌଣସି ବ୍ୟାଙ୍କ ଗୁଡିକରୁ କୃଷିରୁଣ ଆହରଣ ମାତ୍ରକେ କୃଷକ ବୀମା ପର୍ଯ୍ୟାୟ ଭୁକ୍ତ ହୋଇଯିବେ । (ଯେଉଁ ଅଞ୍ଚଳ ବା ଫସଲ ଅଧିସୂଚିତ ନୁହେଁ , ସେହି କୃଷିରୁଣର ଫସଲ ବୀମା ଅନିବାର୍ଜ୍ୟ ନୁହେଁ । )

ଅଣରୂଣୀ କୃଷକ

• ଯେଉଁ କୃଷକମାନେ ନିଜସ୍ଵ ପୁଞ୍ଜି ବିନିଯୋଗ କରି ଚଳିତ ଋତୁରେ କୌଣସି ବ୍ୟାଙ୍କରୁ ଋଣ ନ ଆଣି ଉପରୋକ୍ତ ଫସଲ ଚାଷ କରୁଛନ୍ତି, ସେମାନଙ୍କ ପାଇଁ ଫସଲ ବୀମା ଇଚ୍ଛାଧୀନ ଓ ସର୍ତ୍ତସାପେକ୍ଷ ଅଟେ । ଇଚ୍ଛାକୃତ ବୀମା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରି ଅଣରୂଣୀ ଚାଷୀମାନେ ମଧ୍ୟ ଋଣୀ ଚାଷୀମାନଙ୍କ ପରି ସମତୂଲ୍ୟ ବୀମା ଲାଭ କରିପାରିବେ । (ଗୋଟିଏ ଜମି ଉପରେ ଏକାଧିକ ବୀମା ବର୍ଜନୀୟ ଓ ଦଣ୍ଡନୀୟ )

ପ୍ରାକୃତିକ ବିପଦ, ବୀମା ଆବରଣ

•ସମସ୍ତ ପ୍ରକାର ପ୍ରାକୃତିକ ବିପତ୍ତି, ଯେଉଁ ବିପର୍ଯ୍ୟୟ ଗୁଡିକ ମନୁଷ୍ୟକୃତ ବା ମନୁଷ୍ୟ କର୍ତ୍ତୁତ୍ଵାଧୀନ ନୁହେଁ , ଅଥବା ରୋଗ ପୋକ ଇତ୍ୟାଦି କାରଣରୁ ବୀମା ଏକକର ଚଳିତ ବର୍ଷ ନିମନ୍ତେ ଧାର୍ଯ୍ୟ ନିଶ୍ଚିତ ଉତ୍ପାଦନରେ କ୍ଷତି ହେଲେ ଯୋଜନାର ନିୟମ ଓ ପଦ୍ଧତି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯାଏ ।

ବୀମା ଅପବାଦ

•ଯୁଦ୍ଧ, ଆଣବିକ ବିପଦ, ଇଛାକୃତ ବା ଷଡଯନ୍ତ୍ର ମୂଳକ ଫସଲ କ୍ଷତି (ଉତ୍ପାଦନରେ ହ୍ରାସ ପାଇଁ ଶସ୍ୟ କଟା ପରୀକ୍ଷାକୁ ପ୍ରଭାବିତ କରିବା ), ଅଥବା ଯେଉଁ କାରଣ ଗୁଡିକୁ ରୋକା ଯାଇପାରେ , ତାହା ଫସଲ ବୀମା କ୍ଷତି ପୂରଣ ନିମନ୍ତେ ମାନ୍ୟ ନୁହେଁ ।

•ଯେ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ ଅଧିସୂଚନା ଜାରି କରାନଯାଇଛି, ଯୋଜନାରେ ବର୍ଣ୍ଣିତ ସ୍ଥାନୀୟ ବା ସୀମିତ କ୍ଷେତ୍ର ବିଶେଷରେ ବନ୍ୟା, ବାତ୍ୟା, କୁଆ ପଥର ଓ ଭୁସ୍ଖଳନ ଜନିତ ଫସଲ କ୍ଷତି ହେଲେ ମଧ୍ୟ ବ୍ୟକ୍ତିଗତ କୃଷକ କ୍ଷତିପୂରଣ ହେତୁ ଯୋଗ୍ୟ ବିବେଚିତ ହେବେ ନାହିଁ ।

•ଯୋଜନାରେ ବର୍ଣ୍ଣିତ କ୍ଷତି ପୂତ୍ତି ପଦ୍ଧତି ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧିଷ୍ଟ ବିଭାଗ ଦ୍ଵାରା ଆୟୋଜିତ ‘ଫସଲ କଟା ପରୀକ୍ଷା’ଭିତ୍ତିକ ‘ବୀମା ଏକକ’ର ବାସ୍ତବିକ ଉତ୍ପାଦନ ହାର ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବା ଅନ୍ୟ ଯେକୌଣସି ବିଭାଗ ବା ସଂସ୍ଥା ଦ୍ଵାରା ଫସଲ କ୍ଷତିର ଆକଳନ/ ଘୋଷଣା/ଅଧିସୂଚନା ବୀମା କ୍ଷତିପୂରଣ ହେତୁ ମାନ୍ୟ ନୁହେଁ ।

ବୀମିତ ରାଶି କିମ୍ବା ବୀମା ସୁରକ୍ଷା ସୀମା

•ଋଣୀ କୃଷକ ବ୍ୟାଙ୍କ ଦ୍ଵାରା ସ୍ଵିକୃତ କୃଷିଋଣରୁ ଆହାରିତ ଋଣ ନ୍ୟୁନତମ ବାଧ୍ୟତାମୂଳକ ବୀମିତ ରାଶି ହେବ । ଏଥିପାଇଁ କୌଣସି ସର୍ବୋଚ୍ଚ ସୀମା ନାହିଁ । ଋଣୀ କୃଷକ ଚାହିଁଲେ ଆହରିତ/ ପ୍ରାପ୍ତ ଋଣ ରାଶିରୁ ଅଧିକ “ନିଶ୍ଚିତ ଉତ୍ପାଦନର ମୂଲ୍ୟ” କିମ୍ବା ହାରାହାରୀ ଉତ୍ପାଦନର ୧୫୦% ମୂଲ୍ୟ ପର୍ଯ୍ୟନ୍ତ ବୀମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରିପାରିବେ ।

•ଅଣରୂଣୀ କୃଷକ ନିଜ ଇଚ୍ଛା ଅନୁସାରେ ନିଶ୍ଚିତ ଉତ୍ପାଦନର ମୂଲ୍ୟ କିମ୍ବା ହାରାହାରୀ ଉତ୍ପାଦନର ୧୫୦% ମୂଲ୍ୟ ମଧ୍ୟରୁ ଯେକୌଣସି ରାଶି ପର୍ଯ୍ୟନ୍ତ ବୀମିତ ରାଶି ଚୟନ କରିପାରିବେ । (ଫସଲରେ ନିଶ୍ଚିତ ଉତ୍ପାଦନର ମୂଲ୍ୟ ବା ସାଧାରଣ ବୀମା ଆବରଣ ରାଶି ଏବଂ ହାରାହାରି ଉତ୍ପାଦନର ୧୫୦% ମୂଲ୍ୟ ବା ଅତିରିକ୍ତ ବୀମା ଆବରଣ ସୀମା ସମ୍ବନ୍ଧୀୟ ବିବରଣୀ ପ୍ରତ୍ୟେକ ଋତୁର ପ୍ରାରମ୍ଭରେ ଅଧିସୂଚନା ଦ୍ଵାରା ସମସ୍ତ ବ୍ୟାଙ୍କ ନିକଟରେ ଉପଲବ୍ଧ ଥାଏ । )

ପ୍ରିମିୟମ ଦର

•ଚୟନୀତ ବୀମିତ ରାଶି ଅନୁରୂପ ପ୍ରିମିୟମ ଦର ୨ପ୍ରକାର ହିଇଥାଏ । ସାମାନ୍ୟ ପ୍ରିମିୟର ଦର (Flat Rate ) ସର୍ବଦା ସ୍ଥିର ରହେ । ବାସ୍ତବିକ ପ୍ରିମିୟର ଦର (Actuarial premium Rate) ପ୍ରତି ଋତୁରେ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣାର୍ଥ :- ଋତୁ ଫସଲ ବୀମିତରାଶି ବିକଳ୍ପ ପ୍ରିମିୟମ ଦର ଖାରୀଫ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ) ଧାନ, ମକା, ହରଡ ଋଣରାଶି ବା ସାଧାରଣ ବୀମା ରାଶି ପର୍ଯ୍ୟନ୍ତ ୨.୫% ଅଳସୀ, ଚିନାବାଦାମ ୩.୫% ସାଧାରଣ ବୀମା ରାଶି ଠାରୁ ଅଧିକ ବୀମିତ ରାଶି ବାସ୍ତବିକ ଦର କପା, ଝୋଟ , ଅଦା, ହଳଦୀ ଓ କଦଳୀ ଯେକୌଣସି ବୀମିତ ରାଶି ବାସ୍ତବିକ ଦର ରବି (୧ ଅକ୍ଟୋବର ଠାରୁ ୩୧ ମାର୍ଚ୍ଚ ) ଧାନ, ମୁଗ, ବିରି ଋଣ ରାଶି ବା ସାଧାରଣ ବୀମା ରାଶି ପର୍ଯ୍ୟନ୍ତ ୨% ଚିନା ବାଦାମ, ସୋରିଷ ସାଧାରଣ ବୀମା ରାଶି ଠାରୁ ଅଧିକ ବୀମିତ ରାଶି ବାସ୍ତବିକ ଦର ଆଳୁ ଯେକୌଣସି ବୀମିତ ରାଶି ବାସ୍ତବିକ ଦର

• ପ୍ରିମିୟମ ଅନୁଦାନ :- ପ୍ରତ୍ୟେକ ଋତୁରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ପ୍ରିମିୟମ ଦେୟ ରାଶି ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସବସିଡି ପ୍ରଦାନ କରିଥାନ୍ତି । ଋତୁ ପ୍ରାରମ୍ଭରେ ଫସଲ ବୀମା ବିଜ୍ଞପ୍ତି ଦ୍ଵାରା ସରକାର ସବସିଡ ହାର ମଧ୍ୟ ଘୋଷଣା କରିଥାନ୍ତି ।

•ବୀମା କରିବାର ସମୟସୀମା ଓ ଅନ୍ତିମ ତାରିଖ : ଫସଲ ବୀମା କରିବା ନିମିତ୍ତ ଋତୁ ଅନୁଯାୟୀ ନିଶ୍ଚିତ ସମୟସୀମା ଧାର୍ଯ୍ୟ କରାଯାଇଛି । ଋଣୀ କୃଷକଙ୍କ ଅନିର୍ବାର୍ଜ୍ୟ ବୀମା ସ୍ଵତଃ ପ୍ରବୃତ୍ତ ଥିଲେ ମଧ୍ୟ ଯଦି ଋଣୀ କୃଷକ ବ୍ୟାଙ୍କରୁ ଆହାରିତ ଋଣ ଠାରୁ ଅଧିକ ହାରାହାରି ଉତ୍ପାଦନର ୧୫୦% ମୂଲ୍ୟ ସୀମା ପର୍ଯ୍ୟନ୍ତ ବୀମା କରିବାକୁ ଚାହାନ୍ତି ତେବେ ଖରୀଫ ଋତୁରେ ୧ ଏପ୍ରିଲ ଠାରୁ ୩୧ ଜୁଲାଇ ଏବଂ ରବି ଋତୁରେ ୧ ଅକ୍ଟୋବର ଠାରୁ ୩୧ ଡିସେମ୍ବର ମଧ୍ୟରେ କରି ପାରିବେ । ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ପ୍ରସ୍ତାବ ପତ୍ର ପୂରଣ କରି ବ୍ୟାଙ୍କରେ ଜମାକରିବାକୁ ହେବ । ଅଣରୂଣୀ କୃଷକ ଫସଲ ବୁଣିବାର ବା ରୋଇବାର ୧ମାସ ଭିତରେ କିମ୍ବା ଖାରୀଫ ଋତୁରେ ୩୧ ଜୁଲାଇ ବା ରବି ଋତୁରେ ୩୧ ଡିସେମ୍ବର ଯେଉଁ ତିଥି ପ୍ରଥମ ହେବ , ସେ ମଧ୍ୟରେ ବୀମା କରି ପାରିବେ । ଅଣରୂଣୀ ଚାଷୀ ମାନଙ୍କୁ ନିମ୍ନଲିଖିତ ସର୍ତ୍ତ ଗୁଡିକ ପୂରଣ କରିବାକୁ ହେବ । ଅନ୍ୟଥା ସେମାନଙ୍କ ବୀମା ପ୍ରସ୍ତାବ ଖାରଜ କରାଯାଇପାରେ ।

•ନିକଟସ୍ଥ ବ୍ୟାଙ୍କରେ ଚଳନ ଯୋଗ୍ୟ ଜମା ଖାତା / ଚାଲୁ ଖାତା/ ଋଣ ଖାତା ଥିବା ଆବଶ୍ୟକ ।

•ଚାଷ କରାଯାଇଥିବା ଜମି ଉପରେ ବୈଧ ମାଲିକାନା ପ୍ରମାଣ ପତ୍ର ଯଥା ପଟ୍ଟା, କବଲା, ଦଲିଲ, ଚୁକ୍ତିପତ୍ର ଏଫିଡେଭିଟ ଇତ୍ୟାଦି ର ନକଲ ।

•ନିର୍ଦ୍ଧାରିତ ବୀମା ପ୍ରସ୍ତାବ ପତ୍ର ପୂରଣ କରି କୃଷି/ରାଜସ୍ୱ/ପରିସଙ୍ଖ୍ୟାନ ଅଧିକାରୀଙ୍କ ଠାରୁ ସତ୍ୟାପିତ କରାଇନେବା ଆବଶ୍ୟକ । ଅଲଗା “ବୁଣା/ଋଆ ପ୍ରମାଣ ପତ୍ର “ ର ଆବଶ୍ୟକତା ନାହିଁ ।

•ଆବଶ୍ୟକ ପ୍ରିମିୟମ, ଜମି ସଂକ୍ରାନ୍ତ ନଥିପତ୍ର ଓ ସତ୍ୟାପିତ ବୀମା ପ୍ରସ୍ତାବ ପତ୍ର ଶେଷ ସମୟ ସୀମା ପୂର୍ବରୁ ବ୍ୟାଙ୍କରେ ଜମା କରିବା ଦରକାର । (ବିଶେଷ ପରିସ୍ଥିତିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଉପରୋକ୍ତ ଅନ୍ତିମ ତାରିଖକୁ ବଢାଇ ପାରନ୍ତି )

•ବୀମା କ୍ଷତିପୂର୍ତ୍ତି ନିର୍ଦ୍ଧାରଣ ପଦ୍ଧତି :- ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଅଧିସୂଚିତ କ୍ଷେତ୍ର ବା ବୀମା ଏକକ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ହୋଇ ଥିବାରୁ ବୀମିତ ଫସଲର ବାସ୍ତବିକ ଉତ୍ପାଦନ ଆକଳନ ତଦନୁସାରେ ହୋଇଥାଏ । ଏପରି ସ୍ଥଳେ କୃଷକଙ୍କ (ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ) ବ୍ୟକ୍ତିଗତ ହାନିଲାଭକୁ କ୍ଷତି ପୂରଣ ନିମନ୍ତେ ବିଚାରକୁ ନିଆଯାଏ ନାହିଁ ।

•ବାସ୍ତବିକ ଉତ୍ପାଦନ ହାର :- ପ୍ରତ୍ୟେକ ଋତୁରେ ସମସ୍ତ ବୀମା ଯୋଗ୍ୟ ଫସଲର ଆବଶ୍ୟକ ସଂଖ୍ୟକ ଶସ୍ୟ କାଟ ପରୀକ୍ଷା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିସୂଚିତ ବୀମା ଏକକ (ଗ୍ରାମପଞ୍ଚାୟତ/ବ୍ଲକ) ର ବାସ୍ତବିକ ଉତ୍ପାଦନ ହାର କିଗ୍ରା ପ୍ରତି ହେକ୍ଟର ନିର୍ଧାରଣ କରାଯାଇଥାଏ । ଯଦି ଏହି ଚଳିତ ଋତୁର ବାସ୍ତବିକ ଉତ୍ପାଦନ ପୂର୍ବ ନିର୍ଦ୍ଧାରିତ ନିଶ୍ଚିତ /ଗ୍ୟାରେଣ୍ଟି ଯୁକ୍ତ ଉତ୍ପାଦନ ଠାରୁ କମ ହୁଏ ସେ ସ୍ଥିତିରେ ଯେତିକି କମ ହେଲା ସେତିକି ପରିମାଣର କ୍ଷତି ପ୍ରତ୍ୟେକ କୃଷକଙ୍କର ହୋଇଛି ବୋଲି ସ୍ଵୀକାର କରାଯାଏ । ସୁତରା ଯୋଜନାରେ କ୍ଷତି ପୂରଣ ପଦ୍ଧତି ଅନୁସାରେ ବୀମା ଏକକର ସମସ୍ତ ବିମିତ କୃଷକଙ୍କୁ କ୍ଷତି ପୂର୍ତ୍ତି ପ୍ରଦାନ କରାଯାଏ ।

•ପୂର୍ବ ନିର୍ଦ୍ଧାରିତ ନିଶ୍ଚିତ ଉତ୍ପାଦନ ଓ କ୍ଷତି ପୂର୍ତ୍ତି ସ୍ତର :- ଧାନ ଓ ଗହମ ପାଇଁ ବିଗତ ୩ ବର୍ଷର ଏବଂ ଅନ୍ୟ ସମସ୍ତ ଫସଲ ପାଇଁ ୫ବର୍ଷର ହାରାହାରି ଉତ୍ପାଦନ ସହିତ କ୍ଷତି ପୂର୍ତ୍ତି ସ୍ତର ଗୁଣନ କରାଯାଇ ନିଶ୍ଚିତ ଉତ୍ପାଦନ ନିର୍ଦ୍ଧାରଣ କରାଯାଏ । କ୍ଷତି ପୂର୍ତ୍ତି ସ୍ତରର ଗଣନା ଓ ଆକଳନ ବିଗତ ୧୦ବର୍ଷର ବାସ୍ତବିକ ଉତ୍ପାଦନରେ ଫସଲର ନିରନ୍ତରତା , ଭିର୍ଣ୍ଣତା ଓ ବ୍ୟତିକ୍ରମ କୁ ବିଚାର କରାଯାଇ ପରିସଙ୍ଖ୍ୟାନ ପଦ୍ଧତିରେ କରାଯାଏ । କ୍ଷତି ପୂର୍ତ୍ତି ସ୍ତରର କେବଳ ନିଶ୍ଚିତ ଉତ୍ପାଦନର ହାର ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ । ଉଦାହରଣ ଫସଲ :- ଧାନ, ଜିଲ୍ଲା ଭଦ୍ରକ , ବ୍ଲକ – ଧାମନଗର, ଗ୍ରାମ ପଞ୍ଚାୟତ – କୋଠାର ଋତୁ , ଖରିଫ -୨୦୧୪ ଏବଂ କ୍ଷତି ପୂର୍ତ୍ତି ସ୍ତର – ୬୦% ବିଗତ ବର୍ଷର ବାସ୍ତବିକ ଉତ୍ପାଦନ ପ୍ରତି ହେକ୍ଟର ବର୍ଷ ପରିମାଣ ୨୦୧୧ ୩୩୦୦ କିଗ୍ରା ୨୦୧୨ ୪୪୪୬ କିଗ୍ରା ୨୦୧୩ ୪୪୫୫ କିଗ୍ରା

୩ବର୍ଷର ହାରାହାରି ଉତ୍ପାଦନ :୩୩୦୦ +୪୪୪୬+୪୪୫୫= ୧୨୨୦୧ /୩=୪୦୬୭ କିଗ୍ରା

ଅତଏବ, ଖରିଫ ୨୦୧୪ ପାଇଁ ନିଶ୍ଚିତ ଉତ୍ପାଦନ=ହାରାହାରି ଉତ୍ପାଦନ ୪୦୬୭ କିଗ୍ରା ର (*)୬୦%=୨୪୪୦ କିଗ୍ରା ପ୍ରତି ହେକ୍ଟର । ଏଠାରେ ବିଚାର ଯୋଗ୍ୟ ଯେ ଯଦି କୋଠାର ଗ୍ରାମପଞ୍ଚାଯତର ବିଗତ ୩ବର୍ଷର ବାସ୍ତବିକ ଉତ୍ପାଦନ ଉପରକ୍ତ ଅନୁସାରେ ହୋଇଥାଏ ତେବେ ଖରିଫ ୨୦୧୪ ଋତୁରେ ନ୍ୟୂନତମ ୨୪୪୦ କିଗ୍ରା ପ୍ରତି ହେକ୍ଟର ଉତ୍ପାଦନ ହେବା ବାଞ୍ଛନୀୟ । ଯାହାଦ୍ୱାରା କୃଷକର ହାରାହାରି କୃଷି ଆୟ ସୁରକ୍ଷିତ ରହିବ ଯାହା ରାଷ୍ଟ୍ରୀୟ କୃଷି ବୀମା ଯୋଜନାର ଅନ୍ତର୍ନିହିତ ଉଦ୍ଦେଶ୍ୟ ।

ଉଦାହରଣାର୍ଥ : କୋଠାର ଗ୍ରା.ପ ର ଖରିଫ ୨୦୧୪ରେ ବାସ୍ତବିକ ଉତ୍ପାଦନ ୩୭୯ କିଗ୍ରା ପ୍ରତି ହେକ୍ଟର ଆକଳନ କରାଗଲା ।

ଉତ୍ପାଦନରେ କ୍ଷତି

ନିଶ୍ଚିତ ଉତ୍ପାଦନ (୨୪୪୦ କିଗ୍ରା ) :- ବାସ୍ତବିକ ଉତ୍ପାଦନ (୩୭୯ କିଗ୍ରା ) =୨୦୬୧କିଗ୍ରା ପ୍ରତି ହେକ୍ଟର । ସୁତରାଂ ରାଜ୍ୟ ସରକାର କୋଠାର ଗ୍ରା.ପ କୁ ୨୦୧୪ ପାଇଁ ଫସଲ କ୍ଷତି ଗ୍ରସ୍ତ ଘୋଷଣା କରନ୍ତୁ ବା ନ କରନ୍ତୁ ପ୍ରତ୍ୟେକ କୃଷକଙ୍କର ୨୦୬୧ କିଗ୍ରା ପ୍ରତି ହେକ୍ଟର ଧାନ ଉତ୍ପାଦନରେ କ୍ଷତି ହୋଇଛି ବୋଲି ଧରି ନିଆଯିବ ଏବଂ ନିମ୍ନଲିଖିତ ସୂତ୍ର ଆଧାରରେ ସ୍ଵତଃ ପ୍ରବୃତ୍ତ ଭାବରେ କ୍ଷତି ପୂରଣ ପ୍ରଦାନ କରାଯିବ ।

କ୍ଷତି ପୂରଣ ସୂତ୍ର

ଉତ୍ପାଦନର କ୍ଷତି (୨୦୬୧ )/ ପୂର୍ବ ନିର୍ଦ୍ଧାରିତ ନିଶ୍ଚିତ ଉତ୍ପାଦନ (୨୪୪୦)*କୃଷକଙ୍କ ବୀମା ରାଶି (ଯଦି ବୀମା ରାଶି ୧୦,୦୦୦/- ହୋଇଥାଏ )= କ୍ଷତି ପୂର୍ତ୍ତି ରାଶି (୮୪୪୭.୦୦ ଟଙ୍କା ) ।

ଉପରୋକ୍ତ କ୍ଷତି ପୂରଣ ରାଶି ପ୍ରଦାନ କଲାବେଳେ କଠୋର ପଞ୍ଚାୟତର ବ୍ୟକ୍ତିଗତ କୃଷକଙ୍କ ଲାଭ କ୍ଷତି ବିଚାରକୁ ନିଆଯିବ ନାହିଁ କିମ୍ବା କୃଷକଙ୍କ ଦ୍ଵାରା କୌଣସି ପ୍ରକାର ଔପଚାରିକତା ପାଳନର ଆବଶ୍ୟକତା ମଧ୍ୟ ନାହିଁ ।

(ଯୋଜନାରେ ଉଲ୍ଲେଖ ଉପରୋକ୍ତ ପଦ୍ଧତି ଓ ସୂତ୍ର ବିପରୀତ ରାଜସ୍ୱ / କୃଷି / ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ଜିଲ୍ଲା ପାଳ ବା ରାଜ୍ୟ ଶାସନ ଦ୍ଵାରା ଫସଲ କ୍ଷତି ଗ୍ରସ୍ତ ଘୋଷଣା ବା ଅଧି ସୂଚନା ଜାରି କରାଯିବା, ରିଲିଫ ବଣ୍ଟନ ବା ରୁଣ ଛାଡ ଆଦି ଫସଲ ବୀମା ଅନ୍ତର୍ଗତ କ୍ଷତିପୂରଣ ପାଇଁ ପ୍ରଯୁଜ୍ୟ ବା ଗ୍ରହଣୀଯ ନୁହେଁ )।

କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉତ୍ତର ଦାୟିତ୍ଵ

•ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ତତ୍ତ୍ଵାବଧାନ ଏବଂ ବହୁ ବିଧ ଆର୍ଥିକ ଅନୁଦାନ ଯୋଗୁଁ କାର୍ଯ୍ୟକାରୀ ହୋଇପାରିଛି । ବଗିଚା ଓ ବ୍ୟବସାୟୀକ ଫସଲ ତଥା କୃଷକଙ୍କ ଅତିରିକ୍ତ ବିମାର ସମସ୍ତ କ୍ଷତି ପୂରଣ ଏଗ୍ରୀକଲଚର ଇନସୁରାନସ କମ୍ପାନୀ ବହନ କରିଥାଏ । ଅନ୍ୟ ଫସଲ ବର୍ଗର ସକଳ ପ୍ରିମିୟମ ଠାରୁ କ୍ଷତି ପୂରଣ ରାଶି ଅଧିକ ହେଲେ, କେନ୍ଦ୍ର ଓ ରାଜ୍ୟ ସରକାର ସମପରିମାଣରେ ବହନ କରିଥାନ୍ତି । ଏହା ବ୍ୟତୀତ ପ୍ରିମିୟମ ଅନୁଦାନ ପ୍ରଚାର ପ୍ରସାର, ବିତ୍ତୀୟ ଅନୁଷ୍ଠାନକୁ ସେବା ଶୁକ୍ଳ ଏବଂ ଏଗ୍ରୀକଲଚର ଇନସୁରାନସ କମ୍ପାନୀକୁ ପରିଚାଳନା ଖର୍ଚର ଆଂଶିକ ଅନୁଦାନ ପ୍ରଦାନ କରିଥାନ୍ତି ।

ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନଙ୍କ ଭୂମିକା

• ଏହି ଯୋଜନାକୁ ପରିଚାଳନା ସଂସ୍ଥା ଏଗ୍ରୀକଲଚର ଇନସୁରାନସ କମ୍ପାନୀଙ୍କ ୮୭, ସତ୍ୟନଗର , ଭୁବନେଶ୍ଵର ସ୍ଥିତ କ୍ଷେତ୍ରୀୟ କାର୍ଜ୍ୟାଳୟ ଦ୍ଵାରା କାର୍ଯ୍ୟକାରୀ କରାଯାଉଛି । ଫସଲ ବୀମା ଜାତୀୟ କୃଷି ନୀତିର ଏକ ଅଂସ ବିଶେଷ ହୋଇଥିବାରୁ ଯୋଜନାରେ ବ୍ୟାଙ୍କ ଓ ସମବାଯ ସମିତି ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ବ୍ୟାଙ୍କ ର ଦୋଷ ତ୍ରୁଟି ଯୋଗୁଁ କୃଷକ ଯଦି ବୀମା ଲାଭରୁ ବଞ୍ଚିତ ହୁଏ ତେବେ ସମପରିମାଣର କ୍ଷତି ପୂର୍ତ୍ତି ବ୍ୟାଙ୍କ ସମ୍ବନ୍ଧୀୟ କୃଷକଙ୍କୁ ପ୍ରଦାନ କରିବ ।

ଯୋଜନାର ସଫଳତା ଓ ଉପାଦେୟତା

• ଏହି ଯୋଜନା କେନ୍ଦ୍ର ରାଜ୍ୟ ଓ ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ସ୍ଵତନ୍ତ୍ର ସଂସ୍ଥା ଏଗ୍ରୀକଲଚର ଇନସୁରାନସ କମ୍ପାନୀ ଦ୍ଵାରା ସଞ୍ଚାଳନ କରାଯାଇଥାଏ । ଯୋଜନାର ଉଦ୍ଦେଶ୍ୟ ବ୍ୟବସାୟୀକ ଲାଭ ଉପାର୍ଜନ କରିବା ନୁହେଁ । ଚଳଚଞ୍ଚଳ ଓ ଅବ୍ୟକ୍ତ ପ୍ରକୃତି ଉପରେ ନିର୍ଭର ଶୀଳ କୃଷି, ସମାନ୍ତରାଳ ପ୍ରାକୃତିକ ବିପର୍ଜୟ ସୁଦୂର ପ୍ରସାରୀ କ୍ଷୟକ୍ଷତି ନାମମାତ୍ର ପ୍ରିମିୟମ ଦରରେ ଲାଭ ଉପାର୍ଜନ କସ୍ମିନ କାଳେ ସମ୍ଭବ ନୁହେଁ । ଓଡିଶାର ଏହି ଯୋଜନା ରବି ୧୯୯୯-୨୦୦୦ ଋତୁ ଠାରୁ ରବି ୨୦୧୪-୧୫ ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷରେ ସମୁଦାୟ ପ୍ରିମିୟମ ସଂଗ୍ରହ ୭୧୬କୋଟି ଟଙ୍କା ହୋଇଥିବା ବେଳେ, କ୍ଷତି ପୂର୍ତ୍ତି ବାବଦକୁ ମୋଟ ୨୦୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି , ଯାହାର ଅନୁପାତ ୧ଟଙ୍କା ପ୍ରିମିୟମ ବିନିମୟରେ ୩ଟଙ୍କା କ୍ଷତିପୂରଣ । ସେହିପରି ଏ ପର୍ଯ୍ୟନ୍ତ ମୋଟ ୧କୋଟି ୭୭ଲକ୍ଷ କୃଷକ ବୀମାଭୁକ୍ତ ହୋଇ ୩୨ଲକ୍ଷ ୩୨ହଜାର ଜଣ କୃଷକ ଲାଭାନ୍ଵିତ ହୋଇଛନ୍ତି । କୃଷକଙ୍କ ଅବଗତି ନିମନ୍ତେ କେତେକ ପ୍ରାକୃତିକ ବିପର୍ଜ୍ୟସ୍ତ ଋତୁ ଓ ଯୋଜନା ଅନ୍ତର୍ଗତ କ୍ଷତିପୂରଣ ପ୍ରଦାନ ନିମ୍ନରେ ଦିଆଯାଉଛି ।

ଋତୁ/ଫସଲ କ୍ଷତିର କାରଣ

ବୀମିତ କୃଷକ

ପ୍ରିମିୟମ ସଂଗ୍ରହ

କ୍ଷତିପୂରଣ ପ୍ରଦାନ

ଲାଭାନ୍ଵିତ କୃଷକ

ଖରୀଫ -୨୦୦୦ ମରୁଡି

୬ଲକ୍ଷ ୮୧ହଜାର

୧୧କୋଟି ୨୩ଲକ୍ଷ

୧୦୫ କୋଟି ୩୭ଲକ୍ଷ

୩ଲକ୍ଷ ୪୯ହଜାର

ଖରୀଫ -୨୦୦୨ ମରୁଡି

୧୨ ଲକ୍ଷ ୫ ହଜାର

୨୯ କୋଟି ୮୫ଲକ୍ଷ

୨୪୪କୋଟି ୩ଲକ୍ଷ

୮ଲକ୍ଷ ୩୯ହଜାର

ଖରୀଫ -୨୦୧୦ ମରୁଡି

୧୧ ଲକ୍ଷ ୭ ହଜାର

୪୭ କୋଟି ୭ଲକ୍ଷ

୧୩୭କୋଟି ୫୧ଲକ୍ଷ

୨ଲକ୍ଷ ୧୩ହଜାର

ଖରୀଫ -୨୦୧୧ ମରୁଡି ଏବଂ ବନ୍ୟା

୧୪ଲକ୍ଷ ୪୩ହଜାର

୭୪ କୋଟି ୪୨ଲକ୍ଷ

୬୮୩କୋଟି ୨୪ଲକ୍ଷ

୫ଲକ୍ଷ ୯୯ ହଜାର

ଖରୀଫ -୨୦୧୩ ଫାଇଲିନ ବାତ୍ୟା ଓ ବନ୍ୟା

୧୩ ଲକ୍ଷ ୯ହଜାର

୮୫ କୋଟି ୫୭ଲକ୍ଷ

୩୯୭କୋଟି ୪୧ଲକ୍ଷ

୩ଲକ୍ଷ ୭୩ହଜାର

ଖରୀଫ -୨୦୧୪  ମରୁଡି, ହୁଡ୍ହୁଡ ବାତ୍ୟା ଓ ବନ୍ୟା

୧୮ଲକ୍ଷ

୧୩୩ କୋଟି ୭୩ ଲକ୍ଷ

୨୫୫କୋଟି ୩୪ଲକ୍ଷ

୧ଲକ୍ଷ ୭୫ହଜାର

ମୋଟ

୭୫ ଲକ୍ଷ ୪୦ହଜାର

୩୮୧ କୋଟି ୮୭ଲକ୍ଷ

୧୮୨୨କୋଟି ୯୦ଲକ୍ଷ

୨୫ଲକ୍ଷ ୪୮ହଜାର

ଅବଶିଷ୍ଟ ଖରୀଫ ଏବଂ ରବି ଋତୁ

୧୦୧ଲକ୍ଷ ୭୪ହଜାର

୩୩୪କୋଟି ୭୫ଲକ୍ଷ

୨୬୫କୋଟି ୮୫ଲକ୍ଷ

୬ଲକ୍ଷ ୮୪ହଜାର

ସର୍ବମୋଟ

୧୭୭ଲକ୍ଷ ୧୪ହଜାର

୭୧୬କୋଟି ୬୨ ଲକ୍ଷ

୨୦୮୮କୋଟି ୭୫ଲକ୍ଷ

୩୨ଲକ୍ଷ ୩୨ହଜାର

ବିବିଧ ବୀମା ପ୍ରଶ୍ନୋତ୍ତରୀ

ପ୍ରଶ୍ନ -୧ ପ୍ରାକୃତିକ ବିପତ୍ତି ରୋଗ ପୋକ କାରଣରୁ ବୀମିତ ଫସଲର କ୍ଷତି ହେବା ସତ୍ବେ କ୍ଷ୍ୟତିଗ୍ରସ୍ତ କୃଷକଙ୍କୁ ସଦା ସର୍ବଦା ବୀମା କ୍ଷତି ପୂରଣ ମିଳୁନାହିଁ କାହିଁକି ?

ଉତ୍ତର – ଏହି ଯୋଜନା ଫସଲର ବୀମା ଏକକ (ଗ୍ରାମପଞ୍ଚାୟତ/ବ୍ଲକ ) ଉପରେ ଆଧାରିତ ହୋଇଥିବା କାରଣରୁ ବ୍ୟକ୍ତିଗତ କୃଷକଙ୍କ ହାନିଲାଭ ଉପରେ ବିଚାର କରାଯାଏ ନାହିଁ । ପୁନଃ ସମ୍ପୃକ୍ତ ବୀମା ଏକକର ଚଳିତ ଋତୁର ବାସ୍ତବିକ ଉତ୍ପାଦନ ପୂର୍ବ ନିର୍ଦ୍ଧାରିତ ନିଶ୍ଚିତ ଉତ୍ପାଦନ ଠାରୁ କମ ହେଲେ କ୍ଷତି ପୂରଣ ମିଳିଥାଏ । ଏହା ନିର୍ବିବାଦ ଯେକୌଣସି ବୀମା ଏକକ ଲଗାତର ଫସଲ କ୍ଷତିର ସମୁଖୀନ ହେଉଥିଲେ ସମୟ କ୍ରମେ ବୀମା ଲାଭରୁ ବଞ୍ଚିତ ହୋଇପାରେ ।

ପ୍ରଶ୍ନ -୨ : ଯଦି ବୀମା ଏକକ ହିଁ ସବୁକିଛି, ତେବେ ଦୁଇଟି ସନ୍ନିକଟ ଗ୍ରାମପଞ୍ଚାୟତ ସମାନ କ୍ଷ୍ୟତିଗ୍ରସ୍ତ ହେବା ସତ୍ଵେ ବୀମା କ୍ଷତିପୂରଣ ହାରରେ ଆକାଶ ପାତାଳ ଫରକ କାହିଁକି ?

ଉତ୍ତର : ପ୍ରଥମତଃ ଫସଲ ବୀମାର କ୍ଷତିପୂର୍ତ୍ତି ଚଳିତ ଋତୁର ଫସଲ କ୍ଷତିର ପରିମାଣ, ଭୟାବହତା ଏବଂ ଶତକଡା ହାର ଉପରେ ଆକଳନ କରାଯାଏ ନାହିଁ । ଚଳିତ ଋତୁର କ୍ଷତି ସମାନ ହୋଇପାରେ , କିନ୍ତୁ ବିଗତ ବର୍ଷର ଉତ୍ପାଦନ ଭିନ୍ନ ହେବା କାରଣରୁ ସମାନୁପାତିକ କ୍ଷତିପୂରଣ ସମ୍ଭବ ନୁହେଁ । ଯଦି ଗୋଟିଏ ଗ୍ରା.ପ.ର ଶସ୍ୟ କାଟ ପରୀକ୍ଷା ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଅନ୍ୟ ଗ୍ରା.ପ ପାଇଁ ପରେ ହୋଇଥାଏ , ତେବେ ଦୁଇଟି ପଞ୍ଚାୟତ ମଧ୍ୟରେ କ୍ଷତିପୂରଣ ହାର ବ୍ୟାପକ ଅନ୍ତର କିମ୍ବା ପୂର୍ବ ପଞ୍ଚାୟତଟି ବୀମା ଲାଭରୁ ବଞ୍ଚିତ ମଧ୍ୟ ହୋଇପାରେ ।

ପ୍ରଶ୍ନ -୩ : ଜୀବନ ବିମାରେ ମୃତ୍ୟୁ କିମ୍ବା ଜୀବିତ ସ୍ଥିତିରେ ବୀମା ଲାଭ ମିଳିଥାଏ । ଫସଲ ବିମାରେ କିନ୍ତୁ ଫସଲ କ୍ଷତି ନହେଲେ ଦେଇଥିବା ଟଙ୍କା ବୁଡିଯାଏ ?

ଉତ୍ତର : ଜୀବନ ବୀମା ବ୍ୟବସାୟୀକ ଉତ୍ପାଦ (ପଲିସି) ହୋଇଥିବା ବେଳେ ଫସଲ ବୀମା ଏକ ସରକାରୀ ଯୋଜନା । ଜୀବନବିମା ବହୁବାର୍ଷିକ ପଲିସି ଓ ବୀମା ଧାରକ ନିଜେ ବୀମା ଏକକ । ଚୟନୀତ ବୀମିତ ରାଶିର ସମ ପରିମାଣ ପ୍ରିମିୟମ ରାଶି ବୀମା ଅବଧି ମଧ୍ୟରେ ଜମା କରିବାକୁ ପଡିଥାଏ । ପ୍ରିମିୟମରେ ସରକାରୀ ଅନୁଦାନ ନାହିଁ । କ୍ଷତିପୂରଣ ପାଇଁ ଅନେକ ଔପଚାରିକତା ପାଳନ କରିବାକୁ ହୋଇଥାଏ । ସର୍ତ୍ତ, ଚରିତ୍ର, ବିପଦ, କ୍ଷତିପୂରଣ ପଦ୍ଧତି ଓ ଓ ଉଦ୍ଦେଶ୍ୟ ବିପରୀତ ଧର୍ମ ହୋଇଥିବାରୁ ଦୁଇଟି ବୀମା ଯୋଜନାର ତୁଳନା ନିରର୍ଥକ ।

ପ୍ରଶ୍ନ -୪ : ମଟର ସାଇକେଲର ବାର୍ଷିକ ବୀମା ବ୍ୟକ୍ତିଗତ ସ୍ତରରେ ହେଉଥିବା ବେଳେ, ଫସଲ ବିମାରେ ଅସୁବିଧା କେଉଁଠି ?

ଉତ୍ତର : ପୁନଶ୍ଚ, ମଟର ସାଇକେଲ ବୀମା ଏକ ବ୍ୟବସାୟୀକ ଉତ୍ପାଦ (ପଲିସି) ଏବଂ ସରକାରୀ ଯୋଜନା ନୁହେଁ । ମଟର ସାଇକେଲ କିଣା ମୂଲ୍ୟ ,ବିକ୍ରିମୂଲ୍ୟ, ବଜାର ମୂଲ୍ୟ, ମରାମତି ମୂଲ୍ୟ ଆଦି ପ୍ରମାଣିତ ଏବଂ ଆକଳନ କରିବା ସହଜ । କିନ୍ତୁ ଚାଷୀଙ୍କ ଜମି ପଟ୍ଟା ନବୀକରଣ ହେଉଥିବା, ବ୍ୟକ୍ତିଗତ ଉତ୍ପାଦନର ପ୍ରାମାଣିକ ରେକର୍ଡ ନଥିବା, ଜମି ଏବଂ ଫସଲର ଅସ୍ଥିର ଉତ୍ପାଦନ ବଜାର ମୂଲ୍ୟରେ ତାରତମ୍ୟ କାରଣରୁ କୃଷକର ବାସ୍ତବିକ କ୍ଷୟକ୍ଷତିର ବିଧି ସମ୍ମତ ଆର୍ଥିକ ମୂଲ୍ୟାଙ୍କନ କରିବା ଅସମ୍ଭବ । ତେଣୁ ବିଶ୍ଵ ସ୍ତରରେ ଫସଲ ବୀମା ମୁଖ୍ୟତଃ ଏକ ନିର୍ଦ୍ଧିଷ୍ଟ ଭୌଗଳିକ କ୍ଷେତ୍ର ଉପରେ ଆଧାରିତ ।

ପ୍ରଶ୍ନ -୫ : ସରକାରଙ୍କ ବିଭିନ୍ନ ବିଭାଗ ବା ଜିଲ୍ଲା ପ୍ରଶାସନ ଦ୍ଵାରା ଫସଲ କ୍ଷୟକ୍ଷତି ର ପରିମାଣ/ ହାର ଅନୁସାରେ ବୀମା କ୍ଷତିପୂରଣ ଦେବାରେ ଅସୁବିଧା କେଉଁଠି ?

ଉତ୍ତର : ଫସଲ ବିମାରେ କ୍ଷତିପୂରଣ ପଦ୍ଧତି ଯୋଜନାରେ ନିଶ୍ଚିତ କରାଯାଇଛି ଯାହା ଅପରିବର୍ତ୍ତନୀୟ ଓ ବାହ୍ୟ ପ୍ରଭାବର ଉର୍ଦ୍ଧରେ । ଏହା ଚଳିତ ଋତୁର କ୍ଷୟକ୍ଷତି ହାର ବା ପ୍ରଶାସନିକ ଘୋଷଣା ଉପରେ ଆଧାରିତ ନୁହେଁ । ଗ୍ରାମ ଭିତ୍ତିକ ଫସଲ କ୍ଷୟକ୍ଷତି ର ଆକଳନ ଓ ଗ୍ରା.ପ ଭିତ୍ତିକ ଫସଲ ଉତ୍ପାଦନ ନିର୍ଦ୍ଧାରଣରେ ଭିନ୍ନ ଭିନ୍ନ ପ୍ରକ୍ରିୟା କରାଯାଏ । ଗୋଟିଏ ଆଖି ଦେଖା ତ ଅନ୍ୟଟି ନମୁନା ସଂଗ୍ରହ , ପରିସଙ୍ଖ୍ୟନ ବିଶ୍ଳେଷଣ ଉପରେ ଆଧାରିତ ।

ପ୍ରଶ୍ନ-୬ : କେତେକ କ୍ଷେତ୍ରରେ ଫସଲର ପ୍ରାମାଣିକ କ୍ଷତି ହେଲେ ସୁଦ୍ଧା ବିଭିନ୍ନ କାରଣରୁ ବୀମା କ୍ଷତିପୂରଣ ମିଳୁନାହିଁ । ଅନ୍ୟ ପକ୍ଷରେ ଋଣି କୃଷକଙ୍କ ପାଇଁ ବୀମା ବାଧ୍ୟତା ମୂଳକ କାହିଁକି ?

ଉତ୍ତର : କ୍ଷେତ୍ର ବିଶେଷ ଅପବାଦକୁ (ଯଦି ନିଶ୍ଚିତ ଉତ୍ପାଦନ ହାର ଅତି ନିମ୍ନସ୍ତରକୁ ଚାଲିଯାଇଥାଏ କିମ୍ବା ବାସ୍ତବିକ ଉତ୍ପାଦନ ନିର୍ଦ୍ଧାରଣରେ ତୃଟି ବିଚ୍ୟୁତି ହୁଏ ) ଛାଡିଦେଲେ ରାଷ୍ଟ୍ରୀୟ କୃଷି ବୀମା ଯୋଜନାର ସଫଳତା, ଉପାଦେୟତା ଓ ଆବଶ୍ୟକତା ସମଗ୍ର ଭାରତ ବର୍ଷର ପ୍ରତିପାଦିତ ହୋଇ ସାରିଛି । ପ୍ରତ୍ୟେକ ସ୍ତରର ଅଧିକାଂଶ ଅଦାଲତ ଏହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ବୈଧତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏହି ଯୋଜନାରେ ଋଣି କୃଷକଙ୍କ ପାଇଁ ବୀମା ଏବଂ କ୍ଷତିପୂରଣ ପଦ୍ଧତି ପୂର୍ବ ନିର୍ଦ୍ଧାରିତ, ସ୍ଵିକୃତ ଓ ସ୍ଵତଃ ପ୍ରବୃତ୍ତ, ତଥା ଋଣି କୃଷକଙ୍କୁ ବୀମା ବା କ୍ଷତି ପୂରଣ ପାଇଁ କୌଣସି ପ୍ରକାର ଔପଚାରିକତା ପୂରଣ କରିବା ପ୍ରୟୋଜନ ନାହିଁ ।

ପ୍ରଶ୍ନ -୭ : ଯୋଜନା ବହିର୍ଭୂତ ସାଧାରଣ ବୀମା ନିୟମ ବା ସରକାରୀ କ୍ଷୟକ୍ଷତି ଘୋଷଣା ରିଲିଫ ପ୍ରଦାନ ଅନୁଯାୟୀ କ୍ଷତିପୂର୍ତ୍ତି ପ୍ରାପ୍ତି ନିମନ୍ତେ ଓକିଲଙ୍କ ପ୍ରରୋଚନାରେ ଅଦାଲତର ଆଶ୍ରୟ ନେବା କେତେଦୂର ସମୀଚିନ୍ନ ? ଉତ୍ତର : ଅଦାଲତ ଯୋଜନା ବହିର୍ଭୂତ ନିୟମ ଅନୁସାରେ ଅନ୍ତତଃ ବୀମା କ୍ଷତିପୂରଣ କରିବା ପାଇଁ କୌଣସି ସଂସ୍ଥାକୁ ଉତ୍ତରଦାୟୀ ବା ଆଦେଶ ଦେବା ସହଜ ନୁହେଁ । ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବାରେ କେନ୍ଦ୍ରସରକାର,ରାଜ୍ୟସରକାର , ବ୍ୟାଙ୍କ ସମୂହ ଓ ଏଗ୍ରୀକଲଚର ଇନସୁରାନସ କମ୍ପାନୀର କର୍ତ୍ତବ୍ୟ ଓ ଦାୟିତ୍ଵ ସ୍ପଷ୍ଟ ରୂପରେ ବର୍ଣ୍ଣନା କରାଯାଇଛି । ଦୋଷ ତୃଟି ବା କର୍ତ୍ତବ୍ୟ ଅବହେଳା ଜନିତ ପ୍ରତିକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅତଃ ଅଦାଲତର ଆଶ୍ରୟ ନେବା ପୂର୍ବରୁ ବୀମା ଯୋଜନାର ସୂକ୍ଷ୍ମ ବିଶ୍ଳେଷଣ କରିନେବା ଆବଶ୍ୟକ । ସାରାଂଶ : ରାଷ୍ଟ୍ରୀୟ କୃଷିବୀମା ଯୋଜନା ଏକ ସରକାରୀ ଯୋଜନା ଯାହାକୁ ବ୍ୟବସାୟୀକ ବୀମା ଉତ୍ପାଦନ ସହିତ ତୁଳନା କରାଯାଇ ପାରିବନାହିଁ । ଏହା ଅନସ୍ଵୀକାର୍ଜ୍ୟ ଯେ ଏହି ଯୋଜନାରେ ଅନେକ ଦୋଷ ଦୁର୍ବଳତା ଅଛି । ସେଗୁଡିକର ସମାଧାନ ପାଇଁ ସଂଶୋଧିତ ରାଷ୍ଟ୍ରୀୟ କୃଷିବୀମା ଯୋଜନା, ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ରାଜ୍ୟସରକାର ଓ କୃଷକଙ୍କ ଦ୍ଵାରା ବିରୋଧ କରାଯିବା କାରଣରୁ କେନ୍ଦ୍ରସରକାର ପୁନର୍ବାର ରାଷ୍ଟ୍ରୀୟ କୃଷିବୀମା ଯୋଜନାକୁ ବିକଳ୍ପ ଭାବେ ଲାଗୁ କରିଛନ୍ତି । ଫସଲ ବୀମା କୌଣସି ମତେ ସାବଧି ଜମା ଯୋଜନା ନୁହେଁ , ଯେଉଁଥିରେ ୨୫୦ଟଙ୍କା ପ୍ରିମିୟମ ଜମାକଲେ ବର୍ଷ ଶେଷରେ ବୀମା କମ୍ପାନୀରୁ ୨୫୦୦ଟଙ୍କା ମିଳିଯିବ । ପାଣିପାଗ ଅନୁକୂଳ ଋତୁରେ ଅଣରୂଣୀ କୃଷକଙ୍କ ଦ୍ଵାରା ବୀମା ନକରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ବା ଫସଲ ନଷ୍ଟ ହେବାର ପୂର୍ଣ୍ଣ ସମ୍ଭାବନା ଥିଲେ ଶେଷଦିନରେ ହିଁ ସମୂହ ବୀମା କରିବା ଉଚିତ ନୁହେଁ । କଦାଚିତ କୃଷକର ବୀମା ଏକକର ସ୍ପଷ୍ଟ ଏବଂ ପ୍ରମାଣିତ ଫସଲ କ୍ଷତି ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ସମୁଚିତ କ୍ଷତିପୂରଣ ମିଳେନାହିଁ । ତଥାପି ରାଷ୍ଟ୍ରୀୟ କୃଷିବୀମା ଯୋଜନାର ସୈଦ୍ଧାନ୍ତିକ କ୍ଷତିପୂର୍ତ୍ତି ପଦ୍ଧତି, ସ୍ୱଳ୍ପ ପ୍ରିମିୟମ ଦର , ସ୍ଵତଃପ୍ରବୃତ୍ତ ବୀମା ଲାଭ ଓ ଏଗ୍ରୀକଲଚର ଇନିସୁରାନସ କମ୍ପାନୀ ଦ୍ଵାରା ଦକ୍ଷ ଏବଂ ପକ୍ଷପାତ ବିହୀନ ପରିଚାଳନା କସ୍ମିନ କାଳେ କୃଷକଙ୍କ ସ୍ଵାର୍ଥ ବିରୋଧୀ ନୁହେଁ । ଅତଏବ ପାଞ୍ଚବର୍ଷ ପର୍ଯ୍ୟନ୍ତ ଲଗାତାର ଫସଲବୀମା କରନ୍ତୁ ଏବଂ କେତେ ପ୍ରିମିୟମ ଦେଲେ ଏବଂ ପ୍ରତିବଦଳରେ କେତେ କ୍ଷତିପୂରଣ ପାଇଲେ ହିସାବ କରନ୍ତୁ । ପୁଞ୍ଜି,ଶ୍ରମର ଆୟ କେବେ ନ ହରାନ୍ତୁ । ନିଜ ଫସଲର ବୀମା ଅବଶ୍ୟ କରନ୍ତୁ । । ବିଶେଷ ଦ୍ରଷ୍ଟବ୍ୟ : ଏହା ରାଷ୍ଟ୍ରୀୟ କୃଷି ବୀମା ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟତା, ବ୍ୟବହାରିକ ପଦ୍ଧତି, ଚାଷୀଙ୍କ ଅବଗତି ଏବଂ ପ୍ରଚାର ନିମନ୍ତେ ଉଦ୍ଧିଷ୍ଟ । ଯୋଜନାର ବୈଧାନିକ ଏବଂ ସଂପୂର୍ଣ୍ଣ ବିବରଣୀ ଭାବରେ ଏହା ବ୍ୟବହାର ଯୋଗ୍ୟ ନୁହେଁ ।

ଆଧାର ; ମୁଖ୍ୟ କାର୍ଜ୍ୟାଳୟ :୧୩ ମହଲା, ଅମ୍ବାଦୀପ, ୧୪,କସ୍ତୁରବା ଗାନ୍ଧୀ ମାର୍ଗ, ନୂଆଦିଲ୍ଲୀ-୧୧୦୦୦୧, ଭାରତ ଫୋନ ନଂ :୦୧୧-୪୬୮୬-୯୮୦୦ ଫାକ୍ସ ନଂ : ୦୧୧-୪୬୮୬-୯୮୧୫ ଇ-ମେଲ : aicho@aicofindia.com ୱେବ ସାଇଟ :www.aicofindia.com ଭୁବନେଶ୍ଵର କ୍ଷେତ୍ରୀୟ କାର୍ଜ୍ୟାଳୟ : ଦି ମଦର (ପ୍ରଥମ ମହଲା) ପ୍ଳଟ ନଂ -୮୭ , ସତ୍ୟନଗର , ଭୁବନେଶ୍ଵର-୭୫୧୦୦୭ ଫୋନ ନଂ :୦୬୭୪-୨୩୮୦୦୨୩ ଫାକ୍ସ ନଂ – ୦୬୭୪-୨୫୭୨୪୦୯ ଇ-ମେଲ : ro.bhubaneswar@aicofindia.com ୱେବ ସାଇଟ :www.aicofindia.com

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top