ଗାଁରେ ରହି କିପରି ସ୍ଵାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାର କ୍ଷମ ହେବାର ବାଟ ଦେଖାଇବାରେ ସକ୍ଷମ ହେବେ ଯୁକ୍ତ ୨ ଶିକ୍ଷା ପରେ ଏଇ ଚିନ୍ତା ତାଙ୍କୁ ଘାରିଲା ।
କିଛି ଦିନ ବିଭିନ୍ନ ବିଷୟ ଚିନ୍ତା କରିବା ପରେ ଶେଷରେ ଚାଷ କରି ନିଜ ଇଚ୍ଛା ପୁରଣ କରିବାକୁ ମନସ୍ଥ କଲେ । ଆରମ୍ଭ ହେଲା ଉଦ୍ୟମ ବାସ୍ ବର୍ଷ କେଇଟା ଭିତରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ତାଙ୍କ କୃଷି କ୍ଷେତ୍ରରେ ଆଉ କେତେଜଣଙ୍କୁ ବି କାମ ଯୋଗାଇବାରେ ସେ ସମର୍ଥ ହୋଇଛନ୍ତି ।
ସେ ହେଲେ ଦୁଷ୍ମନ୍ତ ପାତ୍ର (ମୋ : ୯୭୭୭୩୮୮୭୬୮)। ବରଗଡ଼ ଜିଲା ଆଘାଭେନା ବ୍ଲକ ଅନ୍ତର୍ଗତ ଲୁଡୁପାଲି ଗାଁରେ ତାଙ୍କ ଘର । ପିତା ଭୀମସେନ ପାତ୍ର ଓ ମା'ଙ୍କ ନାମ ଖୁରାଧା ଦେଈ ।
ଗାଁ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଦୁଷ୍ମନ୍ତଙ୍କର ଯୁକ୍ତ ୨ ପଢା ପରେ ସ୍ଵରୋଜଗାରକ୍ଷମ ହେବାର ଚିନ୍ତା ବଢିଲା । ଏଥିଲାଗି ପ୍ରଥମେ ସେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପରେ କିଛିଦିନ ଶିକ୍ଷକ ଭାବେ କାର୍ଯ୍ୟ କଲେ । ମାତ୍ର ଏଇ ସମୟରେ କାମଧନ୍ଦା ପାଇଁ ତାଙ୍କ ଗାଁର ଅଧିକାଂଶ ଯୁବକ ରାଜ୍ୟ ବାହାରକୁ ପଳାଉଥିବାରୁ ଗାଁର ଅନେକ ଜମି ପଡ଼ିଆ ପଡୁଥିବା ତାଙ୍କ ନଜରକୁ ଆସିଲା।
ଯଦି ସେହି ପଡ଼ିଆ ଜମିକୁ ଭଲଭାବେ ଚାଷ କରିହେବ। ତେବେ ପରିବାର ଚଳେଇବାରେ ଅସୁବିଧା ରହିବ ନାହିଁ ବୋଲି ତାଙ୍କ ମୁଣ୍ଡକୁ ଢୁକିଲା । ତା'ପରେ ଚାଷକୁ ସ୍ଵାବଲମ୍ବନଶୀଳତାର ମାଧ୍ୟମ ଭାବରେ ଗ୍ରହଣ କରିବା ଲାଗି ନିଷ୍ପତ୍ତି କଲେ । ଏଥିଲାଗି ନିଜ ପୈତୃକ ଜମିରେ ପ୍ରଥମେ ଧାନ, ତା’ପରେ ବାଦାମ ଓ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଥିଲେ ।
ପ୍ରାରମ୍ଭିକ ସଫଳତା ତାଙ୍କ ମନୋବଳକୁ ବଢାଇଦେଲା । ଏହା ପରେ ଉକ୍ତ ଫସଲ ସହ ୨ ଏକର ଜମିରେ ବାଇଗଣ, ୨ ଏକର ଜମିରେ ଅଦା ଓ ଆଉ କିଛି ଜମିରେ ଲଙ୍କା ଚାଷ କଲେ । ପୁଣି ଜିଲା କୋଭିକୋ ସହଯୋଗରେ ବିଭିନ୍ନ ବିହନ ତାଙ୍କୁ ମିଳିଲା । ଏସବୁ ସହିତ ୬୦ଟି ବତକ, ୧୧ଟି ଯର୍ଶୀ ଗାଈ ପାଳନ ସହ ୩ଟି ପୋଖରୀରେ ମାଛ ଚାଷ କରିଛନ୍ତି ।
ତାଙ୍କ ଚାଷଜମିରୁ ଅମଳ ହେଉଥିବା ପନିପରିବାକୁ ଛତିଶଗଡ଼ର କୋର୍ବା ବଜାରରେ ବିକ୍ରି ପାଇଁ ବ୍ୟବସାୟୀ ମାନେ ଆସି ନେଇଥାନ୍ତି । ଏଥିସହିତ ତାଙ୍କ ଚାଷକାର୍ଯ୍ୟରେ ସ୍ଥାନୀୟ ୫ଜଣ ଲୋକଙ୍କ ଦୈନିକ କର୍ମ ସଂସ୍ଥାନ ମଧ୍ୟ ମିଳିଥାଏ । ତେବେ ଏହି ଚାଷ ପାଇଁ ତାଙ୍କର ବାର୍ଷିକ ମୂଳଧନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ଷକୁ ପ୍ରାୟ ୬ ଲକ୍ଷ ଟଙ୍କା ଲାଭ ମିଳିବା କଥା କୁହନ୍ତି ଦୁଷ୍ମନ୍ତ ।
ନିଜର ଏତାଦୃଶ କାର୍ଯ୍ୟ ଲାଗି ବ୍ଲକ୍ ଜିଲା ଓ ରାଜ୍ୟସ୍ତରରେ ତାଙ୍କୁ ମିଳିଛି ସମ୍ମାନ ଓ ପୁରସ୍କାର ।
ଅବଶ୍ୟ ଚାଷକୁ ନେଇ ସ୍ଵୟଂ ଦେଖିବା ଆଜିକାଲିକା ଯୁବକଙ୍କ ପାଇଁ ଅଲଗା ଲାଗିପାରେ । କିନ୍ତୁ ଗାଁରେ ରହି ଚାଷ ଦ୍ଵାରା ଜଣେ ଯେ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ ସେହି କଥାକୁ ପ୍ରମାଣିତ କରିବା ପାଇଁ ମୋର ଏଇ ଅଭିଯାନ ଚାଲିଛି । ଅବଶ୍ୟ ଏଥିପାଇଁ ଶ୍ରମ ଓ ସମୟର ସଦୁପଯୋଗ କରିବା ଉପରେ ଗୁରୁତ୍ଵ ଦିଅନ୍ତି ସମନ୍ୱିତ ଚାଷର ଏହି ଅନ୍ୟତମ ସଫଳ କୃଷକ।
ସଂଗୃହିତ - ହରୀଶ କୁମାର ଭୋଇ
Last Modified : 3/23/2020