ଫସଲ ଉତ୍ପାଦନ ପାଇଁ ମୃତ୍ତିକା ଏକମାତ୍ର ଉପଯୁକ୍ତ ମାଧ୍ୟମ । ଅନ୍ୟାନ୍ୟ ମାଧ୍ୟମ କେବେ ହେଲେ ମୃତ୍ତିକାର ସ୍ଥାନ ଗ୍ରହଣ କରିପାରିବ ନାହିଁ । ମୃତ୍ତିକାରେ ଫସଲ ବୃଦ୍ଧି ପାଇଁ ସର୍ବାନୁକୁଳ ପରିବେଶ ସ୍ଥାନ ଗ୍ରହଣ କରିପାରିବ ନାହିଁ । ମୃତ୍ତିକାରେ ଫସଲ ବୃଦ୍ଧି ପାଇଁ ସର୍ବାଣିକୁଳ ପରିବେଶ ସୃଷ୍ଟି କରିବା କ୍ରିୟାକୁ ଚାଷ ବା କର୍ଷଣ କୁହାଯାଏ । ହଳ କରିବା, ମଇ ଦେବା, ବିଦା ଦେବା, ଖୁସାଇବା, କୋଡିବା ହୁଡାଦେବା, ବେଉଷଣ କରିବା ଇତ୍ୟାଦି କୃଷି କର୍ମ ଚାଷ ବା କର୍ଷଣ ଶବ୍ଦ ଅନ୍ତର୍ଗତ, ( କର୍ଷ - ଭୂମି ଚଷିବା )। ଚାଷ ହେତୁ ସୃଷ୍ଟି ହେଉଥିବା ମୃତ୍ତିକାର ଭୌତିକ ଅବସ୍ଥାକୁ କମଣ, ଯୋତ ବା ପତନ ଯୋଗ୍ୟତା କୁହାଯାଏ ।
ଚାଷ ହେତୁ ମୃତ୍ତିକାର ଗଛକୁ ଭଲଭାବରେ ଧରି ରଖିବା ଶକ୍ତି ବୃଦ୍ଧିପାଏ । ଫସଲ ବା ଗଛଲାଗି ଆବଶ୍ୟକ ଉପାଦାନ ସହଜରେ ମିଳେ । ବାୟୁ ଓ ଜଳୀୟଅଂଶ ମୁକ୍ତ ଭାବରେ ସଞ୍ଚାଳିତ ହୋଇଥାଏ । ମୃତ୍ତିକାରେ ଅଣୁ ଜୀବାଣୁମାନଙ୍କର ସଂଖ୍ୟା ଏବଂ ସେମାନଙ୍କର କ୍ରିୟା ବୃଦ୍ଧି ପାଇଥାଏ । କର୍ଷଣ ହେତୁ ନିମ୍ନଲିଖିତ ଉପକାର ସାଧିତ ହୋଇଥାଏ ।
କର୍ଷଣ ହେତୁ ମୃତ୍ତିକାରେ ଅମ୍ଳଜାନ ପରିମାଣ ଓ ସଞ୍ଚାଳନ ବୃଦ୍ଧିପାଇଥାଏ । ବିଭିନ୍ନ ଉପାଦାନ ଅମ୍ଳଜାନ ସହିତ ମିଶି ଜାରିତ ହୋଇଥାନ୍ତି ଏବଂ ଏଗୁଡିକୁ ଫସଲ ବା ଗଛ ସହଜରେ ଗ୍ରହଣ କରିପାରେ । ବିଭିନ୍ନ ଜୈବିକ ପଦାର୍ଥର ବିଘଟନ ହେତୁ ଏଥିରେ ଥିବା ଯୌଗିକ ପଦାର୍ଥଗୁଡିକ ସରଲା ମୌଳିକ ଉପାଦାନରେ ପରିଣତ ହୁଅନ୍ତି ଏବଂ ଗଛ ଏଗୁଡ଼ିକୁ ସହଜରେ ଗ୍ରହଣ କରିପାରେ । ପ୍ରୋଟିନ – ଆମାଇନୋ ଅମ୍ଳ - ନାଇଟ୍ରାଇଟ – ନାଇଟ୍ରେଟ ସୃଷ୍ଟି ହୁଏ । ସବୁ ପ୍ରକାର ନାଇଟ୍ରେଟ ଜଳରେ ଦ୍ରବଣୀୟ । ଏହାକୁ ଚେର ସହଜରେ ଶୋଷିପାରେ । ଗର ପଦାର୍ଥ ଜାରଣ ହେତୁ ଉଦ୍ଭିଦର ଖାଦ୍ୟୋପଯୋଗୀ ସରଳ ଉପାଦାନରେ ପରିଣତ ହୋଇଥାଏ । ଖତ, ଗୋବର ଓ ସାର ଚାଷ ହେତୁ ମାଟିରେ ଭଲଭାବରେ ମିଶିଯିବା ଦ୍ଵାରା ସେଗୁଡିକୁ ଚେର ସହଜରେ ଗ୍ରହଣ କରିଥାଏ ।
ମୃତ୍ତିକାରେ ବିଭିନ୍ନ ପ୍ରକାର ଛୋଟ ବଡ ପ୍ରାଣୀ ଓ ଉଦ୍ଭିଦ ଅଛନ୍ତି । ସେମାନଙ୍କର ଜୀବନଧାରଣ ପାଇଁ ଅମ୍ଳଜାନ ଓ ଖାଦ୍ୟ ଆବଶ୍ୟକ । କର୍ଷଣ ହେତୁ ସେମାନଙ୍କର ସଂଖ୍ୟା ଓ ସକ୍ରିୟତା ବୃଦ୍ଧିପାଏ । ବିଭିନ୍ନ ପ୍ରକାର ଶୈବାଳ , କବକ, କିରଣ କବକ , ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଅଣୁଜୀବାଣୁଙ୍କ ସଂଖ୍ୟା ବୃଦ୍ଧିପାଏ । ଜିଆ ଓ ବିଭିନ୍ନ ପ୍ରକାର ସୂତ୍ରଜୀବଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଏ ।
କମଣ ହେତୁ ଫସଲକୁ ବୃଦ୍ଧି ଓ ବିକାଶ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୁଏ । ଫସଲ ଶକ୍ତ ଓ ହୁଷ୍ଟପୃଷ୍ଟ ହୋଇ ବଢେ ।
ଚାଷକର୍ମ
ଯେକୌଣସି ପ୍ରକାରେ ମୃତ୍ତିକା ଶରୀର ବିଦାରଣ ପ୍ରକ୍ରିୟାକୁ କର୍ଷଣ ଆଖ୍ୟା ଦିଆଯାଇଥାଏ । ଏହି କର୍ଷଣକୁ ସାଧାରଣଭାବେ ଚାଷ କୁହାଯାଏ । ଚାଷ ହେତୁ ମାଟି ଫସଫସିଆ ଓ ନରମ ହୁଏ । ଏହି ଅବସ୍ଥାକୁ ମାଟିର ଭଲ କମଣ ଅବସ୍ଥା ବୋଲି କୁହାଯାଏ । ଆଙ୍ଗୁଠିରେ ଅନୁଭବ କଲେ ମାଟିର ଦାନାଗୁଡିକ ହାତକୁ ନରମ ଲାଗେ । ଦାବିଦେଲେ ଦାନାଗୁଡିକ ଚୁରି ହୋଇଯାଏ । ଚାଷର ପ୍ରକାର ଓ ପରିମାଣ ଅନୁସାରେ ମାଟିରେ ବିଭିନ୍ନ ପ୍ରକାର କମଣ ଅବସ୍ଥା ସୃଷ୍ଟି ହୋଇଥାଏ । ଫସଲ ଅନୁସାରେ ମଧ୍ୟ ଆବଶ୍ୟକ କମଣ ଅବସ୍ଥା ଭିନ୍ନ ହୋଇଥାଏ । ସୋରିଷ , ମାଣ୍ଡିଆ, ପିଆଜ ଭଳି ଛୋଟ ଚୋପା ଓ ପତଳା ମଞ୍ଜି ବୁଣିବା ପାଇଁ ମାଟି ଅତ୍ୟନ୍ତ ଚୂନା ଓ ନରମ ହେବା ଦରକାର । ଧାନ, ହରଡ, ବରଗୁଡି, ଜଡା ଭଳି ବଡ ଓ ମୋଟା ଚୋପା ମଞ୍ଜି ପାଇଁ ମାଟି ବେଶୀ ନରମ ହେବା ଆବଶ୍ୟକ ନଥାଏ । ଜମିରେ ଛୋଟ ଛୋଟ ଟେକା ଓ ଡେଣୁଆ ରହିଲେ ଚଳେ ।
ବାଲି, ସରୁବାଲି, ପଟୁ, କର୍ଦ୍ଦମ, ବିଭିନ୍ନ ଜୈବ ଓ ରାସାୟନିକ ବନ୍ଧନ ଓ ଯୋଡଣକାରୀ ପଦାର୍ଥ ଦ୍ଵାରା ମୃତ୍ତିକାର ଚୂର୍ଣ୍ଣ କଣିକା, ଦାନା, ପିଣ୍ଡ, ଗୁଚ୍ଛ ଡେଣୁଆ ଓ ଢେଲା, ଛେଲା ଇତ୍ୟାଦି ସୃଷ୍ଟି ହୋଇଥାଏ । ମୃତ୍ତିକାର ଗୁଣ ଓ ଏଥିରେ ବିଭିନ୍ନ ପରିମାଣର ଜଳୀୟ ଅଂଶ ଥିବା ସମୟରେ କର୍ଷଣ ହେତୁ ଏଗୁଡିକ ଭିନ୍ନ ଭିନ୍ନ ଆକାର ଓ ପ୍ରକାର ବିଶିଷ୍ଟ ହୋଇ ମୃତ୍ତିକା ବୟନ କୁ ଭିନ୍ନ କରିଥାନ୍ତି ।
ତାଳି ଘରାପାଇଁ ବା ତଳିପଟି ଜମି ତିଆରି ମଧ୍ୟ ସେହିପରି ଫସଲ ଅନୁସାରେ ଭିନ୍ନ ହୋଇଥାଏ । ଧୂଆଁପତ୍ର ଲାଗି ତଳିଘରା , ଧାନ ଲାଗି ତଳିଘରା ଏକପ୍ରକାର କମଣ ଆବଶ୍ୟକ କରନ୍ତି ନାହିଁ । ଧୂଆଁପତ୍ର ଲାଗି ତଳିଘରା ଧାନ ଲାଗି ତଳିଘରା ତୁଳନାରେ ଖୁବ୍ ନରମ , ଚୂନା ଓ ଫସଫସିଆ ହେବା ଦରକାର ।
ଫସଲ ବୁଣିବାଠାରୁ କାଟିବା ସମୟ ଭିତରେ ଜମି ଟାଣ ହୋଇଯାଏ । ପରବର୍ତ୍ତୀ ଫସଲ ପାଇଁ ଜମିକୁ ଚଷି ମାଟି ହାଲୁକା କରିବାକୁ ପଡେ । ଟାଣ ମାଟିରେ ସ୍ଥୂଳ ସାନ୍ଧ୍ରତା ହାଲୁକା ମାଟିର ସ୍ଥୂଳ ସାନ୍ଦ୍ରତାଠାରୁ ବେଶୀ । ମାଟିରେ ଠିକ୍ ପରିମାଣର ଜଳୀୟ ଅଂଶ ଥାଇ ଚାଷ କରାଗଲେ ଲଙ୍ଗଳ ଠକ୍ ଠକ୍ ହୁଏ । ଲଙ୍ଗଳ କାଟେ ନାହିଁ । ଜଳୀୟ ଅଂଶ ବେଶି ଥାଇ ଚାଷ କଲେ ମାଟି ଛେଲା ଚେଲା ହୋଇ କଟେ । ଛେଲାଗୁଡିକ ଶୁଖି ଗଲେ ଖୁବ୍ ଟାଣ ହୋଇଯାଏ । ପରବର୍ତ୍ତୀ ଚାଷରେ ଛେଲାଗୁଡିକ ଭାଙ୍ଗେ ନାହିଁ କିମ୍ବା ଅଳ୍ପ ଅଳ୍ପ ଭାଙ୍ଗିଯାଇ କିଆରୀଯାକ ଟାଣ ଡେଣୁଆ ହୋଇଯାଏ । ଏପରି ଜମିରେ ଫସଲ ବୁଣିଲେ ଶୀଘ୍ର ଗଜା ହୁଏନାହିଁ । ପାହି ପଡିଆ ହୁଏ । ଜିଆଗଳା ମାଟି ଠିକ୍ ସମୟରେ ଚାଷ ନହେଲେ ଶୁଖି ଟାଣ ହୋଇଯାଏ । ପାଦରେ ଛୁଞ୍ଚିଭଳି ଗଳିଯାଏ । ମାଟିରେ କେତେ ବତର ବା ଜଳୀୟଅଂଶ ଥାଇ ଚାଷ କଲେ ଭଲ କମଣ ହୋଇପାରିବ ତାହା ଜାଣିବା ଓ ସ୍ଥିର କରିବା ବହୁ ବର୍ଷର ଅଭିଜ୍ଞତା ଉପରେ ନିର୍ଭର କରେ । ଏଥିଲାଗି କୌଣସି ଗାଣିତିକ ନିୟମ ଏପର୍ଯ୍ୟନ୍ତ ଉଦ୍ଭାବିତ ହୋଇନାହିଁ ।
ମଞ୍ଜି ବୁଣିବାଠାରୁ ଆରମ୍ଭ କରି ଫସଲ କାଟିବା ସମୟ ଭିତରେ ଫସଲର ବୃଦ୍ଧି ଓ ବିକାଶ ଲାଗି ବିଲରେ ଅନେକ ପ୍ରକାର କମଣ କରିବାକୁ ପଡିଥାଏ ଯଥା – ମଇଦେବା, ଘାସ ବାଛିବା, ବିଦାଦେବା, ଖୁସାଇବା, କୋଡିବା, ହୁଡା ଦେବା ଇତ୍ୟାଦି । ମଞ୍ଜି ବୁଣିବା , ଲଗାଇବା ବା ଚାଷ ବା ତଳି ପାଇଁ ଚାଷ କରାଯାଏ ତାହାକୁ ମୂଳଚାଷ ବା ପ୍ରାଥମିକ କର୍ଷଣ କହନ୍ତି । ହଳକରିବା ; ମଇଦେବା, ଜମି ସମାନ କରିବା, ରୋଇବା ପାଇଁ କାଦୁଅ କରିବା ଇତ୍ୟାଦି କୃଷିକର୍ମ ପ୍ରାଥମିକ କର୍ଷଣ ଅନ୍ତର୍ଗତ । ପରେ ବିଲରୁ ଘାସ ବାଛିବା , ବେଉଷଣ କରିବା ବତୁରିକାଳ ଦେବା, ଖୁସାଇବା, ହୁଡାଦେବା ଇତ୍ୟାଦି କୃଷି ଜମିକୁ ମାଧ୍ୟମିକ , ଅନ୍ତଃ ବା ପରବର୍ତ୍ତୀ କର୍ଷଣ କୁହାଯାଏ ।
ପ୍ରାଥମିକ ଚାଷ
କ’ଣ ଓ କାହିଁକି ?
ହଳକରିବା - ବିନା ଚାଷରେ କୃଷି ଅସମ୍ଭବ । ଚାଷ ଲାଗି ଭୂମି ବିଦାରଣ ଅନିବାର୍ଯ୍ୟ । ସମ୍ଭବତଃ ଆଦିମାନବ ଖଣ୍ଡେ ଡାଳ ବା କାଠ ସାହାଯ୍ୟରେ ଭୂମି ବିଦାରଣ କରି ବୀଜ ବପନ କରିଥିଲା । ବିଦାରଣ ଯନ୍ତ୍ର ସହିତ ତାଳ ମିଶାଇ କୃଷି ସଭ୍ୟତା ବିକଶିତ ହେଲା । କାଠରେ ଲୁହା ଫାଳ ଯୋଡା ହେଲା ଏବଂ ଏହାର ବିଦାରଣ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଲା । ଏହି ଯନ୍ତ୍ରଟିକୁ କୁହାଗଲା – ଲଙ୍ଗଳ । ଏହି ପୁରାତନ ଭୂମି କର୍ଷଣ ଯନ୍ତ୍ରଟି ଭାରତୀୟ କୃଷି ସଭ୍ୟତାର ପ୍ରତୀକ ହୋଇ ରହିଆସିଛି - ଏଯାବତ୍ ଲଙ୍ଗଳ ଦ୍ଵାରା ଭୂମି ବିଦାରଣ ପ୍ରଣାଳୀକୁ ଚାଷ ବା ହଳ କୁହାଗଲା । ପ୍ରଥମେ ମଣିଷ ତାର ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମୟ ଖଟାଇ ଅଳ୍ପ ଜମି ଚାଷ କରିପାରୁଥିଲା । ଲଙ୍ଗଳଟିକୁ ନିଜେ ଟାଣି ମଞ୍ଜି ବୁଣିଲା । ଜଣେ ଧରିଲା ଓ ଆଉ ଜଣେ ଟାଣିଲା । କ୍ରମେ ଏଥିଲାଗି ବଳଦ, ମଇଁଷି, ଓଟ , ଘୋଡା ଆଦି ପଶୁର ସାହାଯ୍ୟ ନିଆଗଲା । ବର୍ତ୍ତମାନ ଶକ୍ତିଚାଳିତ ଟ୍ରାକ୍ଟର ସାହାଯ୍ୟରେ ଲୁହା ଲଙ୍ଗଳ ଯୋଡି ଅଳ୍ପ ସମୟ ମଧ୍ୟରେ ଅନାୟାସରେ ବହୁତ ଜମି ଉତ୍ତମରୂପେ ଚାଷ କରାଯାଉଛି ।
ଯେକୌଣସି ପ୍ରକାର ଭୂମି ବିଦାରଣ ପ୍ରକ୍ରିୟାକୁ କର୍ଷଣ କୁହାଯାଏ । ଲଙ୍ଗଳରେ ଚାଷକୁ ହଳ କୁହାଯାଏ । କିଆରୀରୁ ଫସଲ ଉଠାଗଲା ପରେ ପଡିଆ କିଆରୀକୁ ଲଙ୍ଗଳରେ ଚିରି ଦିଆଯାଏ ଏହା ଚାଷର ପ୍ରଥମ ସୋପାନ । ଏହାଦ୍ୱାରା ମାଟି ଚିରି ହୋଇଯାଏ । ଅନାବନା ଘାସ ତାଡି ହୋଇଯାଏ ଏବଂ ମାଟିରେ ମିଶିଯାଏ ।କେତେକ ରୋଗାଣୁ ଓ କୀଟାଣୁ ମରିଯାନ୍ତି । ବାୟୁ ଗତାଗତ କରିପାରେ । ଚାଷ ହୋଇଥିବା ଜମିରେ ବର୍ଷା ଜଳ ଶୋଷି ହୋଇଯାଏ । ଚାଷ ନହୋଇ ପଡିଆ ପଡିଥିବା ଜମିରେ ବର୍ଷାଜଳ ଭେଦି ନପାରି ବୋହିଯାଏ ବା ବାଷ୍ପୀଭୂତ ହୋଇଯାଏ ।
ଏହା ପ୍ରାଥମିକ ଚାଷର ଦ୍ଵିତୀୟ ପର୍ଯ୍ୟାୟ । ହଳ ପରେ ମାଟିର ଗୁଣ ଓ ବତର ପରିମାଣ ଅନୁସାରେ କିଆରୀରେ ଛୋଟ ବଡ ଡେଣୁଆ ରହିଯାଏ । ଡେଣୁଆ ତଳିଆ ମଞ୍ଜିରୁ ଶୀଘ୍ର ଗଛ ହୁଏନାହିଁ । ଗଜା ମାଡଖାଏ ।ଏଣୁ ମଇ ଦେଇ ବା ପିଟଣା ସାହାଯ୍ୟରେ ବାଡେଇ ଡେଣୁଆ ଭାଙ୍ଗି ଗୁଣ୍ଡ କରାଯାଏ । ଏହାଦ୍ଵାରା ବେରହା ଭିତର ଖାଲ ଜାଗା ସମତୁଲ ହୋଇଯାଏ । ଏହି ସମୟରେ ମାଟି ଉପର ବା ଭିତରେ ରହିଯାଇଥିବା ଅନାବନା ଘାସ ବାଛିବା ଦରକାର ପଡେ ।
ଏହି ଦୁଇକାମ ଏବେ ବିଭିନ୍ନ ପ୍ରକାର ଯନ୍ତ୍ର ସାହାଯ୍ୟରେ କରାଯାଇପାରୁଛି । ଏଗୁଡ଼ିକୁ ହାରୋ ଓ କଲ୍ ଟିଭେଟର କୁହାଯାଏ । ଏ ହାରୋ କଲ୍ ଟିଭେଟର ସାହାଯ୍ୟରେ ବଡ ବଡ ଫାର୍ମ ଓ ଜମି ଚାଷ କରିବା ସହଜ । ଛୋଟ ଛୋଟ କିଆରୀ ପାଇଁ ହାତଟଣା ଓ ବଳଦଟଣା ହାରୋ ଓ କଲ୍ ଟିଭେଟର ବ୍ୟବହାର କରାଗଲାଣି ।
ଫସଲ ଚାଷ ପାଇଁ ଜମି ସମତୁଲ କରିବା ଦରକାର । ଜମି ସମତୁଲ ହେଲେ ଚାରିଆଡେ ସମାନ ଭାବରେ ପାଣି ମାଡିପାରେ । ଖାଲ ଢିପ ରହିଲେ ଫସଲ ଏକ ମଚ୍ଛା ହୋଇ ବଢେ ନାହିଁ । ଢିପ ଜାଗାରୁ ପାଣି ଶୀଘ୍ର ଛାଡିଯାଏ । ଗଛ ଶୁଖିଯାଏ । ଖାଲ ଜାଗାରେ ପାଣି ଜମି ରହିବାକୁ ଫସଲ ପାଣି ଗଇଁଆ ହୋଇଯାଏ ।
କୋରଡି ଓ ମଇ ଦ୍ଵାରା ଜମି ସମାନ କରାଯାଏ । ବେଶି ଖାଲ ଢିପ ଥିଲେ କୋରଡି ସାହାଯ୍ୟରେ ମାଟି ଢିପ ଜାଗାରୁ ବୋହି ନେଇ ଖାଲ ଜାଗାରେ ଭର୍ତ୍ତିକରି ସମାନ କରାଯାଏ । ମଇ ଅଚା ଅଚା କରିଦିଆଗଲେ ବିଲ ସମାନ ହୋଇଥାଏ । ମଇ ତଳେ ରହିଯାଉଥିବା , ଅନାବନା ଘାସ ଗୋଟେଇ ଆଣିବା ଶଜା ହୁଏ । ମଇ ଦେବା ହେତୁ ଉପର ସ୍ତର ମାଟି ଛିଦ୍ରଗୁଡିକ ବନ୍ଦ ହୋଇଯାଏ । ବାଷ୍ପୀଭବନ ହାର ହ୍ରାସ ପାଇଥାଏ ଏବଂ ବିଲରୁ ଜଳୀୟ ଅଂଶ ଶୀଘ୍ର ନଷ୍ଟ ହୁଏନାହିଁ । ମାଟି ସହିତ ମାଟି ଘଷି ହୋଇ ମାଟି ଧୁଳି ହୋଇଯାଏ ଏବଂ ଦାନାଗୁଡିକର ଅନୁପୃଷ୍ଟ କ୍ଷେତ୍ରଫଳ ବୃଦ୍ଧି ପାଇଥାଏ । ଏହି ହେତୁ ଉପରମାଟି ବେଶି ଜଳୀୟଅଂଶ ଧରି ରଖେ । ଉପରମାଟି ଦାବି ହୋଇଯାଏ ଏବଂ ଛେଚା ବର୍ଷା ହେତୁ ମାଟି ଧୋଇ ହୋଇଯାଏ ନାହିଁ । ମଞ୍ଜି ମାଟିରେ ଭଲଭାବେ ଘୋଡେଇ ହୋଇଯାଏ ଏବଂ ମାଟି ଓ ମଞ୍ଜି ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପିତ ହୋଇଯିବାରୁ ମଞ୍ଜି ମାଟିରୁ ଜଳୀୟଅଂଶ ଶୋଷି ଫୁଲେ ଓ ଶୀଘ୍ର ଗଜା ହୁଏ । ଏକ ମଛା ହୋଇ ବଢେ ।
ଧାନ, ମୁଗ, ବିରି, କୋଳଥ , ମାଣ୍ଡିଆ, ନଳିତା, ଧନିଆ, ସୋରିଷ ଓ ଗହମ ଆଦି ଫସଲ ବୁଣିସାରି , ଅଳ୍ପ ଗହୀରିଆ ଓଡେ ହଳକରି ମଇ ଦିଆଯାଏ । କିନ୍ତୁ ଶାରଦ ଧାନ ବୁଣିସାରି କେବଳ ଓଡେ ଚାଷ କରି ଘୋଡେଇ ଦିଆଯାଏ । ଏଥିରେ ମଇ ଦିଆଯାଏ ନାହିଁ । ପ୍ରାୟସବୁ ରବି ଫସଲ ପାଇଁ ମଇ ଦେବା ଆବଶ୍ୟକ ହୋଇଥାଏ ।
ଏହା ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ । ଏହି ସମୟରେ ଜମିକୁ ୨ – ୩ ଓଡ ଚାଷକରି ଛାଡିଦିଆଯାଏ । ଏହି ଚାଷକୁ ଖରାଟିଆ ଚାଷ କହନ୍ତି ।
ଏହାଦ୍ଵାରା ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ପରିବର୍ତ୍ତନ ସାଧିତ ହୋଇଥାଏ । ପରବର୍ତ୍ତୀ ଫସଲ ଏଥିରୁ ଯଥେଷ୍ଟ ଉପକାର ପାଇ ଭଲ ଅମଳ ଦେଇଥାଏ ।
ଭୌତିକ ପରିବର୍ତ୍ତନ – ଖରାଟିଆ ଚାଷ ହେତୁ ମାଟି ହାଲୁକା ରହେ । କିଆରୀରେ ଶାନବଦ ଡେଣୁଆ ଥାଏ ।
ଡେଣୁଆଗୁଡିକ ମଧ୍ୟରେ ଫାଙ୍କ ଥାଏ । ଏହି ଫାଙ୍କ ଦେଇ ବାୟୁ ସହଜରେ ଚଳାଚଳ କରିପାରେ । ତଳମାଟି ଉପରକୁ ଆସେ ଓ ଉପର ମାଟି ତଳକୁ ଯାଏ । ମାଟି ଜ୍ୟେଷ୍ଠ ମାସ ଶେଷ ଯାଏ ପ୍ରଚଣ୍ଡ ଖରାରେ ଶୁଖି ରହେ । ଏହି ସମୟରେ ବାଯୁମଣ୍ଡଳର ତାପମାନ ୩୮ – ୪୦ ଡିଗ୍ରୀ ଏବଂ ମୃତ୍ତିକା ତାପମାନ ୪୨ – ୪୪ ଡିଗ୍ରୀ ସେଲସିୟସ ରହିଥାଏ । ଏହି ଖରାରେ ମାଟି ଆପେ ଆପେ ବିଶୋଧିତ ହୋଇଯାଏ । ମୃତ୍ତିକା ଦାନାର କର୍ଦ୍ଦମ ଆକାର ଗୋଲାକାର ଥାଳିଆ ଭଳି । ଏହାର ତିନି ଦିଗରୁ ସମ୍ପ୍ରସାରିତ ଓ ସଙ୍କୁଚିତ ହେବାର ଗୁଣଅଛି । ଖରାରେ ଶୁଖି ଶୁଖି ଦାନାଗୁଡିକ ସଙ୍କୁଚିତ ହୋଇ ରହିଥାନ୍ତି । ବର୍ଷାପାଣି ପାଇଲେ ଏହାର ଉପରେ ଜଳବିନ୍ଦୁ ସ୍ତର ସ୍ତର ହୋଇ ଲାଖି ରହିବା ହେତୁ ଦାନାର ଆକାର ବଡ ହୁଏ, ଦାନା ଫୁଲେ । ଛିଦ୍ର ଭିତରେ ପାଣି ଭର୍ତ୍ତି ହୋଇଯାଏ । ଜଳ ଶୋଷଣ ହେତୁ ଡେଣୁଆର ଆକାର ବଢିଯାଏ ଏବଂ ଓଜନିଆ ହୋଇଯାଏ । କ୍ରମେ ଦାନାଗୁଡିକ ଡେଣୁଆ ଦେହରୁ ଝଡି ପଡେ । ମାଟି ଝୁରୁ ଝୁରିଆ ହୋଇଯାଏ ।
ରାସାୟନିକ ପରିବର୍ତ୍ତନ
ମୃତ୍ତିକାର ତାପମାନ ଖରାରେ ବୃଦ୍ଧି ପାଇବାରୁ ଏହା ଉତ୍ତପ୍ତ ହୋଇ ରହିଥାଏ । ବୃଷ୍ଟିଜଳ ହେତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଏଥିରେ ଥିବା ଜୈବିକ ଅଂଶର ବିଘଟନ ଘଟେ । ନାଇଟ୍ରେଟ ପରିମାଣ ବୃଦ୍ଧିପାଏ । ବର୍ଷା ହେତୁ ଏହି ନାଇଟ୍ରେଟ କଣିକା ଦେହରୁ ଝରି ଆସେ । ଗଛ ଚେର ଏହାକୁ ସହଜରେ ଶୋଷି ବଢେ । ମାଟି ଯେତେ ପ୍ରଖର ତାପରେ ଯେତେ ବେଶି ଶୁଖି ରହିଥିବ ବର୍ଷାଜଳ ହେତୁ ସେଥିରୁ ସେତେ ବିଶେ ଯବକ୍ଷାର ନିର୍ଗତ ହେବ । ବର୍ଷାର ପରିମାଣ ବଢିଲେ ତାପମାନ ହ୍ରାସ ପାଇବା ହେତୁ କ୍ରମେ ଏହି ପରିମାଣ ହ୍ରାସ ପାଇଥାଏ । ଏଣୁ ଖରୁଡି ବୁଣା ପାଇଁ ଖରାଟିଆ ଚାଷ ଅତି ଆବଶ୍ୟକ । ଖରାଟିଆ ଚାଷ ହେତୁ ହେକ୍ଟର ପିଚ୍ଛା ହାରାହାରି ୩୦ – ୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ ।
ଜୈବିକ ପରିବର୍ତ୍ତନ
ମାଟି ଭିତରେ ବିଭିନ୍ନ ପ୍ରକାର ପୋକଜୋକ , କବକ କିରଣ କବକ, ଭୂତାଣୁ ଓ ଅନ୍ୟାନ୍ୟ କୀଟାଣୁ ଥାନ୍ତି । ଖରାଟିଆ ଚାଷହେତୁ ଏ ତଳ ମାଟି ଉପରକୁ ଚାଲିଆସୁଥିବାରୁ ଏଗୁଡିକ ବାହାରକୁ ଆସିଯାନ୍ତି ଏବଂ ଖରାରେ ମରିଯାନ୍ତି ଅଥବା ଏମାନଙ୍କର ସକ୍ରିୟତା ହ୍ରାସ ପାଇଥାଏ । ଏଣୁ ଖରାଟିଆ ଚାଷ ହୋଇଥିବା କିଆରୀରେ ବେଶି ରୋଗ ପୋକ ଦେଖାଯାନ୍ତି ନାହିଁ । ଫସଲ ନିରୋଗ ହୋଇଯାଏ ।
ମଧ୍ୟବର୍ତ୍ତୀ କର୍ଷଣ
ଫସଲ ବୁଣା ବା ଲଗା ହେବାପରେ ଫସଲ ବଢିବା ପାଇଁ କିଆରୀରେ ବିଭିନ୍ନ ପ୍ରକାର ଅନ୍ତଃଚାଷ କରାଯାଇଥାଏ । ଏହାକୁ ମଧ୍ୟବର୍ତ୍ତୀ କର୍ଷଣ ହୋଇଯାଏ ।
ଉଦାହରଣ - ବୁଣା ଧାନରେ ବେଉଷଣ, ବାଟିଆ ଖେଳା ଓ ଖେଳୁଆ ପକା ।
ଢିପ ଜମିରେ ବୁଣା ହୋଇଥିବା ବିଆଳି ଫସଲରେ ବତୁରି କାଳ ଦେବା ଓ ବିଦାଦେବା ।
ଧାଡି ଧାଡି ଲଗାଯାଇଥିବା ଫସଲରେ ଅନାବନା ଘାସ ମାରିବାପାଇଁ ଖୁସା କୋଡା । ଗଛକୁ ଟାଣ କରି ଧରି ରଖିବା ପାଇଁ ଗଛ ମୂଳକୁ ମାଟିଦେବା - ହୁଡାଦେବା ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 2/11/2020