ହୋମ / କୃଷି / ଜଳସେଚନ / ଫସଲ ଉତ୍ପାଦନ (ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ)

ଜଳାନୁବେଧନତାର କାରଣ, ପ୍ରଭାବ ଓ ନିବାରଣ ଉପାୟ ସମ୍ବନ୍ଧରେ ସୂଚନା ।

ଜଳାନୁବେଧନତା  ସୃଷ୍ଟିର କାରଣ

ମୃତ୍ତିକାର  ଜଳଧାରଣ  କ୍ଷମତାଠାରୁ   ଅଧିକ   ଜଳ  ରହିଲେ   ମୃତ୍ତିକା  ସନ୍ତସନ୍ତିଆ   ରହେ  ।  ପାଣି   ଅଧିକ  ହେଲେ  କିଆରୀରେ  ପାଣି   ଠିଆହୋଇ   ରହେ । ଏପରି  ଅବସ୍ଥାକୁ   ଜଳାନୁବେଧନତା  କୁହାଯାଏ । ଜଳାନୁବେଧନତା   ପ୍ରାକୃତିକ   ବା  କୃତ୍ରିମ   କାରଣରୁ  ସୃଷ୍ଟି   ହୋଇଥାଏ  ।

ଅବସ୍ଥା  ଦୃଷ୍ଟିରୁ  ଏହା  ମୁଖ୍ୟ   ବା  ଗୌଣ   କାରଣ  ରୂପେ   ଦେଖା  ଦେଇଥାଏ  । ଉଭୟ  କାରଣର  ସଂଯୋଗରେ  ଜଳାନୁବେଧନତା  ସୃଷ୍ଟି   ହୋଇଥାଏ  । ସ୍ଥାନର   ଭୌଗଳିକ  ଓ  ପ୍ରାକୃତିକ  ଅବସ୍ଥିତି, ଢାଲୁ , ମୃତ୍ତିକାର  ଜଳ  ପ୍ରବାହ  ଗୁଣ, ସେଚ  ଜମିର  ଆକାର , ବୃଷ୍ଟିପାତ  ହାର  ଓ  ପରିମାଣ  ପ୍ରାକୃତିକ   କାରଣ   ଅନ୍ତର୍ଗତ  । ଜଳଭଣ୍ଡାର  ଓ   କେନାଲରୁ  ଝରିଆସୁଥିବା   ଜଳ, ଫସଲର  ଆବଶ୍ୟକତାଠାରୁ   ଅଧିକ   ଜଳସେଚନ, ନିଷ୍କାସନଲାଗି  ନାଳର   ଅଭାବ   କୃତ୍ରିମ   କାରଣ  ଅନ୍ତର୍ଗତ । ଉପରୋକ୍ତ  କାରଣ  ଯୋଗୁଁ   ଭୂମିମ୍ନ  ଜଳସ୍ତର  ଉପରକୁ   ଉଠି  ଆସେ  ଏବଂ  ଜଳାନୁବେଧନତା  ସୃଷ୍ଟି  ହୁଏ ।

ଶୁଷ୍କ   ଜଳବାୟୁ  ଅଞ୍ଚଳରେ  ଜଳାନୁବେଧନତା  ସମସ୍ୟା  କମ୍   ଆର୍ଦ୍ର   ଜଳବାୟୁରେ   ଅତ୍ୟଧିକ  ବର୍ଷାଯୋଗୁ  ଜଳାନୁବେଧନତା  ସୃଷ୍ଟି   ହୁଏ । ନଦୀ   ଉପକୂଳସ୍ଥ  ସମତଳ  ଭୂମିମାନଙ୍କରେ  ପଟୁ  ଓ  କର୍ଦ୍ଦମାକ୍ତ  ମୃତ୍ତିକାର  ଜଳଧାରଣ   ଶକ୍ତି   ଅଧିକ ଓ  ଜଳ   ପରିବାହିତା   କମ୍  ହୋଇଥିବାରୁ  ବୃଷ୍ଟିଜଳ   ଶୀଘ୍ର   ନିଷ୍କାସିତ   ହୋଇପାରେ   ନାହିଁ   । ଏଣୁ   ଜଳାନୁବେଧନତା   ସୃଷ୍ଟି  ହୁଏ । କେତେକ   ସ୍ଥାନରେ  ଉପକୂଳ   ଅଞ୍ଚଳ   ସମତଳ  ଭୂମିର   ମୃତ୍ତିକା  ବାଲିଆ  ହୋଇଥିଲେ   ସୁଦ୍ଧା   ସମୁଦ୍ର  କୂଳିଆ  ହୋଇଥିବାରୁ   ଭୂମିମ୍ନ  ଜଳସ୍ତର   ଉପରକୁ   ଉଠି  ଜଳାନୁବେଧନତା   ସୃଷ୍ଟି  ହୁଏ । ଦାକ୍ଷିଣାତ୍ୟ   ମାଳଭୂମିରେ  କୃଷ୍ଣ   ମୃତ୍ତିକାର  ଜଳପରିବାହିତା  କମ ଓ  ଜଳଧାରଣ  ଶକ୍ତି   ଅଧିକ  ହୋଇଥିବାରୁ  ଅଳ୍ପ   ବୃଷ୍ଟି  ସତ୍ତ୍ୱେ   ଜଳାନୁବେଧନତା  ସୃଷ୍ଟି   ହୋଇଥାଏ  ।  କେତେକ   ଅଞ୍ଚଳରେ  ଉଷ୍ମପ୍ରସବଣ  ଓ  ଉତ୍ସକୂପ  ହେତୁ   ଜଳାନୁବେଧନତା   ମଧ୍ୟ  ସୃଷ୍ଟି  ହୋଇଥାଏ   । ଜଳସେଚିତ  ଅଞ୍ଚଳରେ  ଜଳ  ସୁଲଭତା  ହେତୁ  ଓ  ଭବିଷ୍ୟତରେ   ଜଳ   ନମିଳିବା   ଭୟରୁ   ରକ୍ଷା   ପାଇବା  ପାଇଁ   ଅଧିକ   ଜଳସେଚନ   କରାଯାଇଥାଏ   । ଏଣୁ  ଜଳାନୁବେଧନତା  ସୃଷ୍ଟି   ହୁଏ  । ଓଡିଶାର   ହୀରାକୁଦ   ସେଚଅଞ୍ଚଳର  ଜମି  ଉଭୟ   ପାର୍ଶ୍ଵରୁ   ମଧ୍ୟ   ଭାଗକୁ   କ୍ରମେ   ଢାଲୁ  ହୋଇଥିବାରୁ  ଓ  କେନାଲଗୁଡିକ   ଜମିର  ଉପର  ମୁଣ୍ଡରେ  ପ୍ରବାହିତ  ହେଉଥିବାରୁ  କେନାଲରୁ  ଜଳ ଝରି ଆସି  ବାହାର   ଜମିରେ  ଜଳାନୁବେଧନତା  ସୃଷ୍ଟି  ହୋଇଛି । ଓଡିଶାର  ଉପତ୍ୟକା   ଅଞ୍ଚଳ  ଅତ୍ୟନ୍ତ  ସମତଳ   ହୋଇଥିବାରୁ   ଜଳାନୁବେଧନତା  ଏଠାରେ   ଏକ  ସାଦାରଣ  ସମସ୍ୟା ।

ଜଳାନୁବେଧନତାର  ପ୍ରଭାବ

ଜଳାନୁବେଧନତା   ମୃତ୍ତିକାର  ଭୌତିକ, ରାସାୟନିକ  ଓ  ଜୈବିକ  ଗୁଣ  ଉପରେ   ପ୍ରତିକୂଳ   ପ୍ରଭାବ   ପକାଏ   । ଫଳରେ  ଫସଲ ଭଲ  ବଢିପାରେ   ନାହିଁ   ଏବଂ   ଆଦାୟ   କମ୍  ମିଳେ   ।

  • ମୃତ୍ତିକାର  ଭୌତିକ   ଅବସ୍ଥା   ଉପରେ  ପ୍ରଭାବ
  • ଜଳାନୁବେଧନତା  ହେତୁ   ମୃତ୍ତିକାରେ  ବାୟୁ   ଚଳାଚଳ  ବାଧାପ୍ରାପ୍ତ   ହୁଏ   । ଜଳୀୟଅଂଶ   ବେଶି   ହେଲେ   ଅମ୍ଳଜାନ   ପରିମାଣ   ହ୍ରାସପାଏ  ଏବଂ  ଅଙ୍ଗାରକାମ୍ଳ   ପରିମାଣ   ବୃଦ୍ଧିପାଏ   । ଅମ୍ଳଜାନ   ପରିମାଣ  ହ୍ରାସ   ପାଇଲେ   ଚେରର  ନିଶ୍ଵାସ  ପ୍ରଶ୍ଵାସରେ  ବାଧା  ଜନ୍ମେ, ଚେରର   ଖାଦ୍ୟ   ଶୋଷଣ  ଓ  ପରିବହନ   ଶକ୍ତି  ହ୍ରାସପାଏ  ଅଥବା   ବନ୍ଦ   ହୋଇଯାଏ   ।  ଚେର   ବଢେ  ନାହିଁ  ଓ  ଖାଦ୍ୟ   ସଂଶ୍ଳେଷଣ   ଦକ୍ଷତା   ହ୍ରାସ   ପାଏ   ।

    ମୃତ୍ତିକାର  ତାପମାନ   ଜଳୀୟଅଂଶ   ଉପରେ   ନିର୍ଭର   କରେ   । ନିଗିଡା   ଜମି   ସନ୍ତସନ୍ତିଆ   ଜମି   ତୁଳନାରେ   ଶୀଘ୍ର   ଉତ୍ତପ୍ତ   ହୁଏ  । ଜଳୀୟଅଂଶ   ଅଧିକ   ହେଲେ  ତାପମାନ   ଶୀଘ୍ର   ବଢେ  ନାହିଁ । ତାପମାନ   ଅଙ୍କୁରୋଦଗମ   ଫସଲର ବୃଦ୍ଧି  ଓ  ବିକାଶ  ଉପରେ  ପ୍ରଭାବ  ପକାଇଥାଏ । ସନ୍ତସନ୍ତିଆ   ଜମିରେ  ଚେର   ଶୀଘ୍ର   ବଢେ  ନାହିଁ । ଚେରର   ଶାଖା   ପ୍ରଶାଖା  ବାହାରେ  ନାହିଁ  । ଚେରର  ଖାଦ୍ୟସାର   ଶୋଷଣ, ଜୈବିକ   ପଦାର୍ଥ   ସଂଶ୍ଳେଷଣ   ଓ   ପରିବହନ  ବାଧାପ୍ରାପ୍ତ   ହୁଏ   । ଗଛ   ଶୀଘ୍ର  ହଳଦିଆ   ପଡିଯାଏ   ଏବଂ  କ୍ରମେ   ମରିଯାଏ ।

    ଜମିରେ   ଜଳ   ପରିମାଣ  ଅଧିକ   ହେଲେ   ମୃତ୍ତିକାର  ଜୀବାଣୁ   ସଂଖ୍ୟା   କାମେ   ଏବଂ  ସେମାନଙ୍କର   କ୍ରିୟା  କ୍ରମେ   ହ୍ରାସପାଏ   । ଏଣୁ  ମୃତ୍ତିକା  ସଂରଚନାରେ   ଅବନତି   ଘଟେ । ବେଶି   ଆର୍ଦ୍ରଥିବା   ସମୟରେ  କମଣ  କଲାପରେ   ମୃତ୍ତିକା   ଗଠନ  ନଷ୍ଟ  ହୁଏ   । ବାଷ୍ପୀଭବନ   ଅଧିକ  ହେଉଥିଲେ   ଲବଣାଂଶ  ଉପରକୁ   ଉଠି  ଆସେ  ଏବଂ  ମୃତ୍ତିକା  କ୍ଷାରୀ   ହୁଏ   । ସୋଡିୟମ   ପରିମାଣ  ବୃଦ୍ଧି   ପାଇଲେ   ମାଟି  ଗୋଳି   ହୋଇଯାଏ । ମୃତ୍ତିକାର  ଗଠନ   ନଷ୍ଟ  ହୁଏ  ଏବଂ ନିଷ୍କାସନ  କଷ୍ଟକର   ହୁଏ ।

  • ମୃତ୍ତିକାର  ରାସାୟନିକ   ଧର୍ମ  ଉପରେ  ପ୍ରଭାବ
  • ଜଳାଧିକ୍ୟ  ହେତୁ  ଅମ୍ଳଜାନ   ଅଭାବ   ଘଟି   ଜୀବାଣୁମାନଙ୍କର  କାର୍ଯ୍ୟ  ଦକ୍ଷତା  ହ୍ରାସ ପାଉଥିବାରୁ   ଯାଇବା  ପଦାର୍ଥର  ଜାରଣ  କ୍ରିୟା   ହ୍ରାସପାଏ   । ପତନ   ଅଭାବରୁ   ଜୈବ   ପଦାର୍ଥରୁ   ଯବକ୍ଷାରଜାନ   କ୍ଷରଣ   ହ୍ରାସପାଏ  ଏବଂ   ଫସଲରେ   ଯବକ୍ଷାରଜାନର  ଅଭାବ   ଲକ୍ଷଣ   ଦେଖାଯାଏ   । ଦ୍ରବୀଭୂତ  ଯବକ୍ଷାରଜାନ   ତଳକୁ  ଝରି   ନଷ୍ଟ  ହୁଏ   ଏବଂ  ବିଜାରଣ  ହେତୁ  କେତେକ   ପରମାଣରେ   ବାଷ୍ପ  ଆକାରରେ   ନଷ୍ଟ  ହୁଏ । ମୃତ୍ତିକାରେ  ବିଭିନ୍ନ   ପ୍ରକାର  ଅମ୍ଳ  ପରିମାଣ  ବୃଦ୍ଧିପାଏ । କାଲସିୟମ , ମାଗ୍ନେସିୟମ, ଲୌହ, ମାଙ୍ଗାନିଜ ଓ  ଆଲୁମିନିୟମ   ଆଦି   ଧାତୁ   ବେଶି   ଦ୍ରବୀଭୂତ   ହୋଇ   ଫସଲ  ଲାଗି   ବିଷାକ୍ତ   ପରିବେଶ  ସୃଷ୍ଟି   କରେ ।

  • ମୃତ୍ତିକାର  ଜୈବଗୁଣ   ଉପରେ   ପ୍ରଭାବ
  • ଜଳାଧିକ୍ୟ   ହେତୁ   ବାତଜୀବୀୟ   ଜୀବାଣୁ   ସଂଖ୍ୟା  ହ୍ରାସପାଏ  ଏବଂ  ଅବାତଜୀବୀ  ଜୀବାଣୁ  ସଂଖ୍ୟା  ବୃଦ୍ଧିପାଏ । ତେଣୁ  ଫସଲରେ  ବିଭିନ୍ନ  ପ୍ରକାର  ରୋଗ  ଦେଖାଦିଏ  । ଅମ୍ଳଜାନ   ଅଭାବରୁ   ଧାନ  ଓ  ଆଖୁ   ଫସଲରେ  ଚେର  ଶଢା ରୋଗ   ଦେଖାଦିଏ । ଧାନ   ଫସଲରେ   ଲୌହଧିକ୍ୟ  ହେତୁ   ପତ୍ର  ତମ୍ବାଳିଆ   ଦେଖାଯାଏ   । ଏହି   ରୋଗକୁ   ବ୍ରୋନଜିଂ  କହନ୍ତି ।

    ଜଳ  ନିଷ୍କାସନ  ଦ୍ଵାରା  ଏସବୁ  ଅସୁବିଧା ଦୂର  ହୁଏ  ଏବଂ  ସହଳ  ଚାଷ   କରି  ଫସଲ  କରାଯାଇପାରେ । ଜମିରେ  ବର୍ଷସାରା   ଫସଲ   ଚାଷ  କରାଯାଇପାରେ  । ଗଛର   ଚେର   ବହୁତ  ଗଭୀରକୁ   ଯାଏ । ତଳୁ   ଅଧିକ   ଜଳ  ଓ   ଖାଦ୍ୟସାର   ସଂଗ୍ରହ   କରି   ଫସଲକୁ  ଯୋଗାଇଥାଏ   ।

ଜଳାନୁବେଧନତା  ନିରାକରଣ ଉପାୟ

ଜଳଭଣ୍ଡାରରୁ   ଜଳ  କେନାଲ  ବାଟ  ଦେଇ  ଜମିରେ  ପହଞ୍ଚିବା   ସମୟ  ଭିତରେ   ଶତକଡା   ପ୍ରାୟ  ୪୦ ଭାଗ   ଏଣେତେଣେ   ବୋହିଯାଇ   ନଷ୍ଟ  ହୋଇଥାଏ   । ଏହି  ଜଳ  ଭୂ – ନିମ୍ନ   ଜଳସ୍ତର   ସହିତ   ମିଶି   ଜଳାନୁବେଧନତା  ସୃଷ୍ଟି   କରେ   । ଏପରି   ନଷ୍ଟ   ହେଉଥିବା   ଜଳ   ପରିମାଣ  ହ୍ରାସ   କରିବା  ପାଇଁ   କେନାଲ  ଓ  ନାଳର   ପାର୍ଶ୍ଵ ଓ  ତଳକୁ   ବିଭିନ୍ନ   ପ୍ରକାର  ଆସ୍ତରଣ   ଦ୍ଵାରା   ଅଭେଦ୍ୟ କରିବା  ଆବଶ୍ୟକ   । କେନାଳର   ଦୁଇପଟ   ଓ  ତଳକୁ   ଇଟା   ସିମେଣ୍ଟ   ବାଲିରେ   ପ୍ଲାଷ୍ଟର   କରି   କିମ୍ବା   ଦୁଇ  ପଟେ  ଘାସ  ଲଗାଇବା   ପ୍ଲାଷ୍ଟିକ   ଚ୍ଛାଦନ  ଦେଇ   ବିଭିନ୍ନ  ଦଗକୁ   ବହିଯାଉଥିବା   ଜଳ   ପରିମାଣ  ହ୍ରାସ   କରାଯାଇପାରେ   । ଦୁଇ  କଡରେ   କାଦୁଅ  ଲେସି  ଦେଲେ   ମଧ୍ୟ   ଦୁଇପଟକୁ  ବହିଯାଉଥିବା   ଜଳ   ପରିମାଣ  ହ୍ରାସ  ପାଇଥାଏ   ।

ମୃତ୍ତିକାର  ଉଦ୍ ବୃତ୍ତ   ଜଳକୁ   ନାଳ  ଖୋଳି  ନିଷ୍କାସନ   କରାଯାଇପାରିବ   ।  ନାଳର  ବିସ୍ତାର, ଗଭୀରତା  ଏବଂ   ଦୁଇନାଳ   ମଧ୍ୟରେ   ବ୍ୟବଧାନ   ମୃତ୍ତିକାର  ଜଳପରିବାହୀ , ବୃଷ୍ଟିପାତ  ଓ  ନିଷ୍କାସନ   ଯୋଗ୍ୟ   ଜଳ  ପରିମାଣ  ଉପରେ   ନିର୍ଭର   କରିଥାଏ   । ବାଲିଆ    ଜମିରେ   ଦୁଇନାଳ  ମଧ୍ୟରେ  ଦୂରତା   ମଟାଳ   ଜମି   ତୁଳନାରେ  ଅଧିକ   ହୋଇଥାଏ, କିନ୍ତୁ   ନାଳର   ଗଭୀରତା   ମଟାଳ   ମାଟି   ତୁଳନାରେ  କମ୍  ହୋଇଥାଏ   ।  ଦୁଇନାଳ   ମଧ୍ୟରେ  ଦୂରତା  ବାଲିଆ  ଜମିରେ  ୨୫୦ – ୩୦୦  ମିଟର  ଓ  କାଦୁଅ   ଜମିରେ  ୧୦୦ – ୧୨୦  ମିଟର   ହୋଇଥାଏ   । ନାଳର  ଗଭୀରତା  ବାଲିଆ   ମାଟିରେ   ୧.୫ – ୨  ମିଟର   ଓ  କାଦୁଅ   ମାଟିରେ   ୨.୫ – ୩  ମିଟର  ହୋଇଥାଏ   । ନାଳ  ଦୁଇ  ପ୍ରକାର  ଯଥା  (୧) ଖୋଲା   ନାଳ   ଏବଂ  (୨) ମୁଦା   ନାଳ ।

  • ଖୋଲାନାଳ
  • ଖୋଲାନାଳ   ଖୋଳିବା  ସହଜ   ଖୋଳିବା  ଲାଗି  ଅଳ୍ପ  ଖର୍ଚ୍ଚ  ଲାଗେ  ଏବଂ  ବହୁତ  ଜଳ  ଅଳ୍ପ  ସମୟରେ  ସହଜରେ   ନିଷ୍କାସିତ   ହୋଇପାରେ  । ଖୋଲା  ନାଳ  ଦ୍ଵାରା   ଜମିରୁ   ଜଳ  ସହଜରେ  ନିଷ୍କାସିତ  ହୋଇଥାଏ । ଅଧିକ  ବୃଷ୍ଟିଯୁକ୍ତ  ଅଞ୍ଚଳରେ  ସାଧାରଣତଃ  ଖୋଲା  ନାଳ  ଦ୍ଵାରା   ନିଷ୍କାସନ  କରାଯାଇଥାଏ । ଏହିପ୍ରକାର  ନାଳଦ୍ଵାରା   ଭୂମିମନା  ଜଳପତ୍ତନ   ସହଜରେ  ଓ  ଅଳ୍ପ  ସମୟ  ଭିତରେ  ନିର୍ଦ୍ଧିଷ୍ଟ   ପତନକୁ   ନିଆଯାଇପାରେ ।

    ଖୋଲାନାଳ   ହେତୁ   ଅନେକ   ଜମି  ନଷ୍ଟ  ହୁଏ । ନାଳରେ   ଜଳ  ଓ  ଅନାବନା   ଘାସ  ବାଢୁଥିବାରୁ  ଶୀଘ୍ର   ପାଣି   ଖଲାସ   ହୁଏ  ନାହିଁ  ।  ଏହି  ନାଳଗୁଡିକ  ବାରମ୍ବାର  ସଫା  ଓ  ମରାମତି  କରିବାକୁ   ପଡେ   । ନାଳ  ଡେଇଁ ହଲ, ଟ୍ରାକ୍ଟର  ଓ  ଅନ୍ୟାନ୍ୟ   ଯନ୍ତ୍ରପାତି   ନେବା   ଆଣିବା   କରିବା  ପାଇଁ  ବାଧା   ସୃଷ୍ଟି   ହେଉଥିବାରୁ   ସ୍ଥାନେ  ସ୍ଥାନେ   ପୋଲ  ବା  ଚାର   କରିବାକୁ   ପଡିଥାଏ   । ଏଣୁ  ଖୋଲା  ନାଳର   ରକ୍ଷଣାବେକ୍ଷଣ  ଖର୍ଚ୍ଚ   ଅଧିକ   । ଏସବୁ  ଅସୁବିଧାସତ୍ତ୍ୱେ   ଜମିରୁ  ଶୀଘ୍ର  ପାଣି  ଖଲାସ୍  କରିବା  ପାଇଁ   ଖୋଲା  ନାଳ  ଉପଯୁକ୍ତ  ।

  • ମୁଦାନାଳ
  • ଏ  ପ୍ରକାର  ନାଳ  ଜମି  ତଳେ   ତିଆରି   କରାଯାଇଥାଏ   । ଏହାକୁ  ମାଟି   ତଳ  ନାଳ   ମଧ୍ୟ  କୁହାଯାଏ   । ମୁଦାନାଳ  ଯୋଗୁଁ  ଖୋଲା  ନାଳ  ଭଳି   ଜମି  ନଷ୍ଟ  ହୁଏ   ନାହିଁ   । ନାଳ  ଉପରେ   ମଧ୍ୟ  ଚାଷ   କରାଯାଏ   । ଏପରି  ନାଳ  ଖୋଳି  ବସାଇବାକୁ   ପ୍ରଥମେ   ବହୁତ  ଖର୍ଚ୍ଚ  ଲାଗେ   କିନ୍ତୁ   ପରେ  ଖର୍ଚ୍ଚ   ଖୁବ୍  କମ୍  ହୋଇଥାଏ । ମୁଦାନାଳରେ  ଅସୁବିଧା   ସୃଷ୍ଟି   ହେଲେ   ଅସୁବିଧାର  ସ୍ଥାନ   ସହଜରେ   ଚିହ୍ନଟ   କରାଯାଇପାରେ   ନାହିଁ  । ଏଥିଲାଗି   ବେଳେବେଳେ   ସମୁଦାୟ ନାଳଟିକୁ   ଖୋଳିବାକୁ   ପଡିଥାଏ  । ଏହା   ମାଟିତଳ   ନାଳର   ମୁଖ୍ୟ  ଅସୁବିଧା । ମୁଦାନାଳ  ବିଭିନ୍ନ  ପ୍ରକାରର   ସେ  ମଧ୍ୟରୁ  ନାଳ  ବା  ଟାଇଲ   ନାଳ  ପ୍ରଧାନ  । ନଳା  ପ୍ଲାଷ୍ଟିକ, ସିମେଣ୍ଟ, କଂକ୍ରିଟ  ବା  ପଲିଥିନ  ପାଇପ୍ ରେ  ତିଆରି  ହୋଇଥାଏ । ୧୦ ସେ.ମି. ରୁ  ୩୦ ସେ.ମି.  ଗୋଳେଇ   ଓ  ଲମ୍ବ  ୩୦ – ୪୦ ସେ.ମି.  । ଲମ୍ବ  ନଳାଗୁଡିକ  ପରସ୍ପର   ସହିତ   ଲମ୍ବ  ଭାବରେ   ମୁହଁକୁ  ମୁହଁ  ଯୋଡାଯାଏ । ଯୋଡେଇ  ମୁହଁରେ   ନଳା   ଭିତରକୁ   ଜଳ   ପ୍ରବେଶ   କରେ । ପ୍ଲାଷ୍ଟିକ  ଓ  ପଲିଥିନ   ନଳାରେ   ସ୍ଥାନେ  ସ୍ଥାନେ  ଛିଦ୍ର   କରାଯାଇଥାଏ  ।  ଏହି  ଛିଦ୍ର  ମଧ୍ୟ  ଦେଇ  ଜଳ  ପ୍ରବେଶ  କରେ ।

    ନାଳରୁ  ଜଳ  ନିଷ୍କାସନ   ଲାଗି   ନଳା  ଓ  ନାଳଗୁଡିକର   ଯତ୍ନ   ନେବା  ଆବଶ୍ୟକ । ନିଷ୍କାସନ   ପଥ   ଠିକ୍ ଭାବରେ  ସଫା   କରାଯାଉ   ନଥିଲେ  ନଳା  ବନ୍ଦ   ହୋଇଯାଏ   ନାଳ   ଭିତରକୁ   ଗୋଳିଆ  ପାଣି  ଛାଣି   ହୋଇ  ଆସିବାକୁ   ସ୍ଥାନେ  ସ୍ଥାନେ   ସଫେଇ   ବାଟ  ରଖାଯିବା  ଉଚିତ । ସଫେଇ  ବାଟ  ନିୟମିତ   ଭାବେ   ସଫା   ହେବା  ଦରକାର   ନିୟମିତ   ଭାବେ  ନାଳରୁ  ଘାସ  ସଫା  କରିବା  ଉଚିତ୍  । ମୂଷା  ଓ ଗଧ  ନାଳୀ  ଭିତରେ   ପଶି   ନାଳ  ଖୋଳି  ପକାନ୍ତି  ଓ  ନଳା  ଭୁସୁଡି  ପଡେ । ଏଣୁ   ନଳା  ମୁହଁରେ   ତାର  ଜାଲି  ଦେବା  ଦରକାର ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

2.96551724138
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top