ହୋମ / କୃଷି / ଜଳସେଚନ / ଫସଲ ପାଇଁ ଜଳସଚେନ
ସେଆର କରନ୍ତୁ

ଫସଲ ପାଇଁ ଜଳସଚେନ

ଫସଲ ପାଇଁ ଜଳସେଚନ ଜରୁରୀ । କେଉଁ ପ୍ରକାର ଜଳ ସେଚନ ପ୍ରଣାଳୀ ଦ୍ଵାରା ଜଳ ପରିଚାଳାନା କରିପାରିବେ ସେ ସମ୍ବନ୍ଧିତ ତଥ୍ୟ ।

ଉପକ୍ରମ

କଥାରେ ଅଛି – “ ଜଳ ବିହୁନେ ସୃଷ୍ଟି ନାଶ , ଜଳ ବହୁଳେ ସୃଷ୍ଟି ନାଶ । “ ଜଳ ହିଁ ଜୀବନ ।

କୌଣସି ବୃକ୍ଷ ଲତା ଜଳ ବିନା ବଂଚି ପାରିବେ ନାହିଁ । ବର୍ଷା ଅଭାବ ହେଲେ ଫସଲ ପାଇଁ ଜଳସେଚନ ଦରକାର ।

ଜଳସେଚନ ସାଧାରଣତଃ ୪ ପ୍ରକାରେ ବିଭକ୍ତ । ସେଗୁଡିକ ହେଲା ଯଥା : -

  1. ଭୂପୃଷ୍ଠ ଜଳସେଚନ
  2. ସିଞ୍ଚନ ଜଳସେଚନ
  3. ବୁନ୍ଦା ଜଳସେଚନ
  4. ମିତ ଜଳସେଚନ ।

ଭୂପୃଷ୍ଠ ଜଳସେଚନ

ବୁଡା ଜଳସେଚନ

ଧାନ , ମୁଗ , ଚିନାବାଦାମ ଓ ଗହମ ଇତ୍ୟାଦି ଫସଲରେ ସାଧାରଣତଃ ବୁଡା ଜଳସେଚନ କରାଯାଏ । ହିଡ ଥିବା କିଆରୀ ମଧ୍ୟକୁ  ଗୋଟିଏ ପଥ ଦେଇ ପାଣି ଦିଆଯାଏ । ତେବେ ଏଥିରେ ବହୁ ପାଣି ଅପଚୟ ହୁଏ ଏବଂ ଖର୍ଚ୍ଚ ଅଧିକ ହୁଏ । ଅଣଧାନ ଫସଲ ରେ ପାଣି ଜମି କ୍ଷତି କରିଥାଏ ।

ପଟି ଜଳସେଚନ

କିଆରୀକୁ ଅଣ ଓସାରିଆ ଲମ୍ବା ପଟି କରି ପାଣିନାଳୀକୁ ପଟି ମଧ୍ୟକୁ ନିୟନ୍ତ୍ରିତ ଜଳସେଚନ କରାଯାଏ ।  ପଟି ଗୁଡିକର ଓସାର ୧୦ ରୁ ୨୦ ମିଟର ଓ ଲମ୍ବ ୧୦୦ ମିଟର ହୋଇଥାଏ । ବଳୁଆମାଟିରେ ଓସାର ୫ ରୁ ୧୦ ମିଟର ଓ ଲମ୍ବ ୫୦ ମିଟର ରଖାଯାଏ । ଗହମ , ଚିନାବାଦାମ , ସୋରିଷ , ବିରି , ମୁଗ ଇତ୍ୟାଦି ଫସଲ ପାଇଁ ଏହା ଉପଯୁକ୍ତ ।

ପଟାଳି ଜଳସେଚନ

ଏହି ପ୍ରଣାଳୀରେ ପଟି ଗୁଡିକୁ ଛୋଟ ଛୋଟ ପଟାଳିରେ ବିଭକ୍ତ କରାଯାଇ ହୁଡା ଦିଆଯାଏ । ବାଲିଆମାଟିରେ ପଟାଳି ୫୦x୧୦୦ ମିଟର ଓ ମଟାଳ ମାଟିରେ ୮୦x୨୦୦ ମିଟର ହୋଇପାରେ । ଦୁଇ ଧାଡି ପଟାଳି ମଧ୍ୟରେ ଏକ ପାଣି ନାଳ ଥାଏ । ପିଆଜ , ପନିପରିବା , ଗହମ , ସୋରିଷ , ଇତ୍ୟାଦି ଫସଲରେ ଏହି ପ୍ରଣାଳୀରେ ପାଣି ମଡାଯାଏ ।

ସିଆର ଜଳସେଚନ

ଏହି ପ୍ରଣାଳୀରେ କିଆରୀର  ସୀମିତ ଅଞ୍ଚଳରେ ଜଳସେଚନ କରିବାକୁ  ହୁଏ । ଧାଡିରେ ଲଗାଯାଇଥିବା ଫସଲ ଧାଡିରେ ସିଆର କରି ଗଛ ମୂଳକୁ ମାଟିରେ ଟେକାଯାଏ । ଏହି ସିଆର ମଧ୍ୟରେ ପାଣି ମଡାଯାଏ । ମକା , ବାଇଗଣ ,ପନିପରିବା , ଆଳୁ ଇତ୍ୟାଦି ଫସଲ ପାଇଁ ଏହି ପ୍ରଣାଳୀ ଉପଯୁକ୍ତ ।

ମନ୍ଦା ପ୍ରଣାଳୀରେ ଜଳସେଚନ

ସାଧାରଣତଃ ଫଳଗଛ ଚାରି ପାଖରେ  ମନ୍ଦା ଖୋଳି ଜଳସେଚନ କରାଯାଏ । ଏହାଛଡା କାକୁଡି ,କଲରା , କଖାରୁ ଇତ୍ୟାଦି ଫସଲରେ  ମନ୍ଦା ଜଳସେଚନ କରାଯାଏ ।

ସିଞ୍ଚନ  ଜଳସେଚନ

ଏହି  ପ୍ରଣାଳୀରେ ପ୍ରଥମେ ସୋଡୁଅ ସାହାଯ୍ୟରେ ଜଳସେଚନ କରଯାଇଥିଲା । ବର୍ତ୍ତମାନ କିନ୍ତୁ ସ୍ପ୍ରିକଲର ଯନ୍ତ୍ର ବ୍ୟବହାର କରି କୃତ୍ରିମବର୍ଷା ରୂପେ ଫସଲରେ ଜଳସେଚନ କରାଯାଏ । ଏହି ପ୍ରଣାଳୀରେ ଜମିକୁ ସମତଳ କରିବା ଆବଶ୍ୟକ ପଡେ  ନାହିଁ ଓ ଅତି କମ୍  ଜଳ ଆବଶ୍ୟକ ପଡେ । ଚା ,କଫି, ଚିନାବାଦାମ,ଫଳବଗିଚା ଓ ପନିପରିବା ପାଇଁ ଏହି ପ୍ରଣାଳୀରେ ଉପଯୋଗୀ ।

ବୁନ୍ଦା ଜଳସେଚନ

ବୁନ୍ଦା ଜଳସେଚନ ଏକ ଆଧୁନିକ ଜଳସେଚନ ପ୍ରଣାଳୀ । ଧାଡିର ଚାଷ କରାଯାଇଥିବା ଫସଲ ବା ଫଳଗଛ କଡରେ ସବୁ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ଆବଶ୍ୟକ ବ୍ୟବଧାନରେ ଗଛ ମୂଳରେ ଜଳ ବୁନ୍ଦା ବୁନ୍ଦା କରି ପ୍ରୟୋଗ କରାଯାଏ । ଆଖୁ , କଦଳୀ , ଅମୃତଭଣ୍ଡା, ନଡିଆ ,କମଳା ,ଆମ୍ବ ଇତ୍ୟାଦି ଫସଲ ପାଇଁ ଏହା ଉପଯୋଗୀ ।

ମିତ ଜଳସେଚନ

ଜଳତୃପ୍ତି

  1. ଏଥିପାଇଁ ଦୁଇଟି ମାଟିକୁଣ୍ଡ ଆବଶ୍ୟକ । ବାହାର କୁଣ୍ଡର ଉପର ବ୍ୟାସ ୨୫ ସେଣ୍ଟିମିଟର ଓ ତଳ ବ୍ୟାସ ୧୮ ସେଣ୍ଟିମିଟର । ଭିତର କୁଣ୍ଡର ଉପର ବ୍ୟାସ ୧୫ ସେ.ମି. ଓ ତଳ ବ୍ୟାସ ୧୨ ସେ.ମି . । ଉଭୟ କୁଣ୍ଡର ଉଚ୍ଚତା ୩୦ ସେ . ମି. ।
  2. ପ୍ରଥମେ ମାଟିରେ ଗାତ ଖୋଳି ବଡ କୁଣ୍ଡ ପରଜନତା ପୋତନ୍ତୁ ।
  3. ଭିତର କୁଣ୍ଡରେ ମାଟି ଓ ଖତ ପୂରଣ କରନ୍ତୁ । ଏହାର  ତଳ ପାଖରେ ରଙ୍ଗ ବୋଳନ୍ତୁ ଯେପରି ପାଣି ବୋହି ନଯାଏ ।
  4. ଭିତର କୁଣ୍ଡରେ ଚାରା ପୋତନ୍ତୁ ।
  5. ଏହାକୁ ବଡ କୁଣ୍ଡ ମଧ୍ୟରେ ରଖି ଦୁଇକୁଣ୍ଡ ମଧ୍ୟରେ ଥିବା ସ୍ଥାନରେ ଜଳ ପୂରଣ କରନ୍ତୁ ।
  6. ଗଛକୁ ଛାଡି କୁଣ୍ଡର ମୁହଁକୁ ପଲିଥିନ ଚାଦର ଦେଇ ଘୋଡାନ୍ତୁ ।
  7. ପ୍ରତି ସପ୍ତାହରେ ଦୁଇ କୁଣ୍ଡ ମଧ୍ୟରେ ଜଳ ପୂରଣ କରନ୍ତୁ ।

ମାଠିଆ ଜଳସେଚନ

  1. ଫଳଗଛ ଓ ଲତା ପନିପରିବା ପାଇଁ ଏହି ପ୍ରଣାଳୀ ଉପଯୁକ୍ତ ।
  2. ୭୦ ସେ . ମି . ଗଭୀର ଓ ୭୦ ସେ . ମି . ଚଉଡାର ଗାତ ଖୋଳନ୍ତୁ ଏବଂ ଗାତରେ ଖତ ମାଟି ପୂରଣ କରନ୍ତୁ ।
  3. ଚାରୋଟି ଗାତ କେନ୍ଦ୍ରଭାଗରେ ଏକ ମାଠିଆ ପୋତନ୍ତୁ ଯେପରି ଏହାର କେବଳ ମଙ୍ଗ ବାହାରକୁ ଦେଖାଯିବ ।
  4. ଏହି ମାଠିଆରେ ପାଣି ଭର୍ତ୍ତି କରି ଏକ ସଢାଇ   ବାହାରେ ଘୋଡାଇ ଛୋଟ ପଥରଟିଏ ରଖନ୍ତୁ ଯେପରି ସହଜରେ କେହି  ସଢାଇ ବାହାର କରିପାରିବେ ନାହିଁ ।
  5. ୪ ଟି ଗାତରେ ମଞ୍ଜି ପୋତନ୍ତୁ ଓ ପାଣି ଦିଅନ୍ତୁ ।
  6. ଗଛ ହୋଇଗଲେ ଏମାନେ ଚେର ସାହଯ୍ୟରେ ମାଠିଆ ପାଣି ବ୍ୟବହାର କରିପାରିବେ ।
  7. ୧୫ – ୨୦ ଦିନ ପରେ ମାଠିଆକୁ ପରୀକ୍ଷା କରି ପୁଣି ପାଣି ଭର୍ତ୍ତି କରନ୍ତୁ ।

ଗୋଲାକାର ବଗିଚା

  1. ୩୦ ସେ . ମି . ବ୍ୟାସ ଓ ୩୦ ସେ . ମି . ଗଭୀରର ଗାତ ଖୋଳନ୍ତୁ ।
  2. ଏହି ଗାତ ଚାରି ଧାରରେ ହୁଡା ଦିଅନ୍ତୁ ।
  3. ଗାତ ମଧ୍ୟରେ ମଞ୍ଜି ବା ଗଛ ପୋତନ୍ତୁ ।
  4. ଏହି ମନ୍ଦାରେ ପାଣି ଦିଅନ୍ତୁ ।

ବୃଷ୍ଟିଜଳ ଅମଳ

ବହୁମୂଖୀ ଯୋଜନା ଅନେକ ଅସୁବିଧା ସୃଷ୍ଟି କରୁଥିବାରୁ ଏବଂ ସମୟାନୁକ୍ରମେ ଏହାପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଇବାରୁ ଚିନ୍ତାଶୀଳ ବ୍ୟକ୍ତିମାନେ ଭାବିଲେ ଯେ, ସାମାଜିକ, ଅର୍ଥନୈତିକ, ଏବଂ ପରିବେଶିକ ଦୃଷ୍ଟିକୋଣରୁ ବୃଷ୍ଟିଜଳ ଅମଳ ଏହାର ବିକଳ୍ପ ସ୍ଥାନ ଗ୍ରହଣ କରିପାରିବ । ପ୍ରାଚୀନ ଭାରତରେ ନଦୀ ସଜୟରେ ବନ୍ଧବାନ୍ଧିବା ବ୍ୟତୀତ ବୃଷ୍ଟିଜଳ ଅମଳ ଭଳି ଏକ ଉତ୍କୃଷ୍ଟ ପରମ୍ପରା ପ୍ରଚିଳିତ ଥିଲା। ଲୋକମାନଙ୍କର ନିଜ ଅଞ୍ଚଳରେ ହେଉଥିବା ବୃଷ୍ଟିପାତର ପରିମାଣ, ସମୟ ଓ ମୃତ୍ତିକାର ପ୍ରକାରଭେଦ ସମ୍ବନ୍ଧରେ ଗଭୀର ଜ୍ଞାନ ଥିଲା ଏବଂ ନିଜର ବ୍ୟବହାର ଜଳର ଆବଶ୍ୟକତା ଓ ପରିବେଶକୁ ଧ୍ୟାନରେ ରଖି ବୃଷ୍ଟିଜଳ, ଭୂଗର୍ଭ ଜଳ, ନଦୀଜଳ, ବନ୍ୟାଜଳ ଇତ୍ୟାଦିର ସୁବିନିଯୋଗ କରିବାପାଇଁ ବହୁବିଧି ଉପାୟ ଅବଲମ୍ବନ କରୁଥିଲେ ।

ପାହାଡିଆ ଓ ପାର୍ବତ୍ୟାଅଞ୍ଚଳଗୁଡିକରେ ବିଶେଷକରି ପଶ୍ଚିମ ହିମାଚଳରେ ଜଳସେଚନ ସକାଶେ ଜଳର ଗତି ପରିବର୍ତନ ପାଇଁ ‘ଗୁଲ’, ‘କୁଳ’ ଭଳି ପାଣିମାହାର ଖୋଳି କୃଷିକ୍ଷେତ୍ର ଜଳସେଚନ କରୁଥିଲେ ।  ଛାତ ଉପରେ ବୃଷ୍ଟିଜଳ ଅମଳ ମୁଖ୍ୟତଃ ରାଜସ୍ଥାନରେ ପାନୀୟ ଜଳ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଥିଲା । ଉପକୂଳବର୍ତୀ ଅଞ୍ଚଳରେ ବନ୍ୟାପ୍ଲାବିତ କ୍ଷେତ୍ରରେ ଶୁଷ୍କ ଓ ଅର୍ଦ୍ଧ ଶୁଷ୍କ ଅଞ୍ଚଳମାନଙ୍କରେ କୃଷିକ୍ଷେତ୍ରରେ ବୃଷ୍ଟିଜଳ ସଂଗ୍ରହ ପାଇଁ ଜସଲମେର ଅଞ୍ଚଳରେ ‘ଖାଦିନ’ ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ ‘ଜୋହାଦ’ ନାମକ ସଂରଚନା ନିର୍ମାଣ କରୁଥିଲେ । ଜଳ ସେଠାରେ ସଞ୍ଚିତହୋଇ ରହୁଥିଲା ଓ ମୃତ୍ତିକାକୁ ବତର ରଖୁଥିଲା ।

ରାଜସ୍ଥାନର ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ମୁଖ୍ୟତଃ ବିକାନିର, ଫାଡୋଲି ଓ ବାରମ୍ବାର ଜିଲ୍ଲା ମାନଙ୍କରେ ପ୍ରାୟ ଘରେ ଘରେ ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ଭୂଗର୍ଭ ଜଳାଶୟ ଥାଏ । ଏହାକୁ ସ୍ଥାନୀୟ ଭାଷାରେ “ଟନକା” କୁହାଯାଏ । ଏହି ଜଳାଶୟଗୁଡାକ ୬.୧ ମିଟର ଗଭୀର, ୪.୨୫ ମିଟର ଦୈର୍ଘ୍ୟ ଓ ୨.୪ ମିଟର ପ୍ରସ୍ଥ ବିଶିଷ୍ଟ ହୋଇଥାଏ । ଟନକାଗୁଡିକ ଛତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ । ଏହି ଜଳାଶୟ ଗୁଡିକ ଘରର ସବୁଠାରୁ ବଡ କୋଠରି ଭିତରେ କିମ୍ବା ଭାର ଅଗଣାରେ ତିଆରି କରାଯାଉଥିଲା ।

ଗୋଟିଏ ପାଇପ ଯୋଗେ ଏହା ଗଡାଣିଆ ଛାତ ସହ ସଂଯୋଗ ହୋଇଥାଏ । ଛାତରେ ବର୍ଷୁଥିବା ବର୍ଷାଜଳ ପାଇପ ଭିତରଦେଇ ଭୂଗର୍ଭସ୍ଥ ଟଣକାରେ ଗଚ୍ଛିତ ରହେ । ପ୍ରଥମ ଅସରା ବର୍ଷା ଜଳ ସାଧାରଣତଃ ସଂଗ୍ରହ କରାଯାଏ ନାହିଁ । କାରଣ ଏଥିରେ ଛାତ ଉପରେ ଓ ପାଇପ ଭିତରେ ଥିବା ମଇଳା ମିଶିଥାଏ । ପ୍ରଥମ ଅସରା ପରବର୍ତୀ ବୃଷ୍ଟିଜଳ ସଂଗ୍ରହ କରାଯାଏ । ଯେତେବେଳେ ଅନ୍ୟାନ୍ୟ ଜଳ ଉତ୍ସଗୁଡିକ ଶୁଖିଯାଏ ସେତେବେଳେ ଏହି ସଂଗୃହୀତ ଜଳ ସାଧାରଣତଃ ଗ୍ରୀଷ୍ମରୁତୁରେ ବ୍ୟବହାରରେ ଲାଗିଥାଏ ।

ଆଧାର - କୃଷି ବିଭାଗ

3.16666666667
ବିନୋଦ ନାୟକ Nov 05, 2018 03:27 PM

ଏହି ତଥ୍ୟ ଦ୍ୱାରା ବର୍ଷା ଅଭାବରୁ ଜଳସେଚନ କିପରି କରିହେବ ଓ ଏହା କେତେ ପ୍ରକାର ଆମେ ଜାଣିପାରିଲୁ .ଏହା କୃଷକ
ଭାଇମାନଙ୍କ ପାଇଁ ଏକ ଭଲ ସୂଚନା .

Sandhya Mohanty Oct 29, 2018 02:36 PM

କୃଷକ ଭାଇ ମାନଙ୍କୁ ଏହା କୃଷିକ୍ଷେତ୍ରରେ ସାହାଯ୍ୟ କରିବ.ଏଥିରୁ ସେମାନେ ବହୁ ତଥ୍ୟ ଜାଣିପାରିବେ .

ସ୍ୱରୂପ କିଶାନ ରାଉତରାୟ Jan 30, 2016 10:47 AM

କୃଷକ ଭାଇ ମାନେ ଏବେ ନିଜ ଭାଷାରେ ତଥ୍ୟ ଜାଣି ପାରିବେ ଏହା ଏକ ଭଲ ଯୋଜନା

Vikaspediaodisha Jan 28, 2016 08:27 PM

କୃଷକଙ୍କ ପାଇଁ ଭଲ ସୂଚନା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top