ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଅମୃତଭଣ୍ଡା ଫସଲରେ ରୋଗ ପୋକ ନିୟନ୍ତ୍ରଣ
ସେଆର କରନ୍ତୁ

ଅମୃତଭଣ୍ଡା ଫସଲରେ ରୋଗ ପୋକ ନିୟନ୍ତ୍ରଣ

ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୁଢି ହୋଇଥାଏ ।

ଅମୃତଭଣ୍ଡା ଫସଲ

ଅମୃତଭଣ୍ଡା ଏକ ଅଧିକ ଅମଳକ୍ଷମ ତଥା ସହଳ ଅର୍ଥକରୀ ଫସଲ । ଏହାର ସହଜ ଚାଷ ପ୍ରଣାଳୀ, କମ୍ ଫସଲ ଅବଧି ଏବଂ ବିଭିନ୍ନ ଜଳବାୟୁରେ ଭଲ ଚାଷ ହୋଇପାରୁଥିବା ଯୋଗୁ ଏହା ଜୀବିକା ଉପାର୍ଜନା ପାଇଁ ଏକ ଉତ୍କୃଷ୍ଟ ଫସଲ । ଓଡ଼ିଶାର ପୁରପଲ୍ଲୀରେ ଅମୃତଭଣ୍ଡା ପରିଚିତ ଓ ସବୁ ଅଞ୍ଚଳରେ ଏହା ଚାଷ କରାଯାଇପାରିବ । ଏହାକୁ ସମନ୍ୱିତ ଭାବେ ପୋଖରୀ ଚତୁଃପାର୍ଶ୍ଵରେ ଓ ଘରବାରିରେ ମଧ୍ୟ ଚାଷ କରାଯାଇପାରୁଛି । ଖାଦ୍ୟ ହିସାବରେ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ କଞ୍ଚା ପରିବା ଓ ପାଚିଲା ଫଳ ରୂପେ ବ୍ୟବହାର କରାଯାଏ । ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୁଢି ହୋଇଥାଏ ।

ରୋଗ ନିୟନ୍ତ୍ରଣ

  • ଆନ୍ଥ୍ରାକନୋଜ୍
  • ଆକ୍ରାନ୍ତ ଫଳରେ ବାଦାମୀ ଗୋଲାକାର ଦାଗମାନ ଦେଖାଯାଏ । ଏହି ଦାଗର ଧାରରେ ଗୋଲାପୀ ରଙ୍ଗର ଫିମ୍ପି ଦେଖାଯାଏ । ଆକ୍ରାନ୍ତ ଫଳ ଲୋଚାକୋଚା ହୋଇ ଶକ୍ତିଯାଏ । ଆକ୍ରାନ୍ତ ଫଳକୁ ବାହାର କରି ନଷ୍ଟ କରିଦିଅନ୍ତୁ । ଫଳ ଅଥିବା ଗଛରେ ବାରିଷ୍ଟିନ୍ (୦.୧%) କିମ୍ବା ଡାଇନୋଥନଏମ-୪୫ (୦.୨%) ଦଶ ଦିନ ବ୍ୟବଧାନରେ  ପ୍ରୟୋଗ କରନ୍ତୁ ।

  • ପାଉଁଶିଆ ରୋଗ
  • ଅଧିକ ଆର୍ଦ୍ରତା ଓ ମେଘୁଆ ପାଗରେ ହେଉଥିବା ଏହି ରୋଗରେ ପତ୍ରର ଉଭୟ ପାର୍ଶ୍ଵରେ ଧଳା ପାଉଁଶିଆ ରଙ୍ଗର ଆସ୍ତରଣ ଦେଖାଯାଏ । ଆକ୍ରାନ୍ତ କଅଁଳିଆ ପତ୍ର ଶୀଘ୍ର ଶୁଖିଝଡ଼ିପଡ଼େ । ତାପମାତ୍ରା କମ୍ ଥିବା ସମୟରେ ସଲ୍‌ଫେକ୍ଟ (୦.୩%) ସ୍ପ୍ରେ କରି ରୋଗର ନିରାକରଣ କରିହୁଏ ।

  • ତଳିପଟା ରୋଗ
  • ଏହି ରୋଗ ହେଲେ ଅଙ୍କୁରୋଣ ପୂର୍ବରୁ କିମ୍ବା ପରେପରେ ଛୋଟ ଚାର ଶକ୍ତିଯାଏ । ବର୍ଷାଦିନେ ଏହି ରୋଗ ତଳିଘୋରରେ ଅଧିକ ପରିମାଣରେ ଦେଖାଯାଏ । ସୁସ୍ଥ ଫଳରୁ ମଞ୍ଜି ସଂଗ୍ରହ କରି ରଖନ୍ତୁ । ମଞ୍ଜିକୁ କ୍ୟାପଟାନ୍, ଥୋରାମ୍ ବା କାର୍ବେଣ୍ଡାଜିମ, ୨ ଗ୍ରାମ୍ (କି.ଗ୍ରା. ହିସାବରେ ବିଶୋଧନ କରନ୍ତୁ। ତଳିଘୋର ପଟାଳିକୁ ଯଥେଷ୍ଟ ଉଚ୍ଚା ରଖନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ପଟାଳିକୁ ୨% ଫର୍ମାଲଡିହାଇଡ୍ରେ ବିଶୋଧନ କରନ୍ତୁ । ରୋଗ ଦେଖାଦେଲେ ତଳିପଟିରେ ବା ଭିଷ୍ଟିନ୍ ୨ଗ୍ରାମାଲି, ହିସାବରେ ସିଞ୍ଚନ କରନ୍ତୁ ।

  • ଗଣ୍ଠିପଚା ରୋଗ
  • ଏହି ରୋଗ ହେଲେ ମାଟିର ଠିକ୍ ଉପରି ଭାଗରେ ଥିବା ଗଛର ଗଣ୍ଠିରେ ପାଣି ଶୁଖା ଦାଗ ଦେଖାଯାଏ । ପତ୍ର ଓ ଫଳ ହଳଦିଆ ପଡ଼ି ଲୋଟାକୋଟା ହୋଇ ଝଡ଼ିପଡ଼େ । କେତେକ ସ୍ଥଳେ କାଣ୍ଡ ଫୁଲିବା ଏବଂ କାଣ୍ଡ ଫାଟିବା ମଧ୍ୟ ଦେଖାଯାଏ । ଭଲ ଭାବରେ ଜଳ ନିଷ୍କାସନ ହୋଇପାରୁଥିବା ଜମିରେ ହିଁ ଚାଷ କରାଯିବା ଦରକାର । ବୁଣିବା ପୂର୍ବରୁ ମଞ୍ଜିକୁ କ୍ୟାପ୍ଟାନ୍ ୨ ଗ୍ରାମାଲି, ଦେଇ ବିଶୋଧନ କରିବା ସହ ମାଟିରେ ନିମ୍ବ ପିଡ଼ିଆ ଦେଇ ରୋଗ ଆକ୍ରାନ୍ତକୁ କମ୍ କରାଯାଇପାରିବ । ରୋଗାକ୍ରାନ୍ତ ଗଛକୁ କାଟି ବାହାର କରିଦିଅନ୍ତୁ । ଗଛମୂଳକୁ ୦.୨% ରିଡୋମିଲ୍ ବା କାଲିକସିନ୍ (୦.୧%) ଦ୍ରବଣରେ ସିଞ୍ଚନ କରନ୍ତୁ ।

  • ଭୂତାଣୁ ଜନିତ ପତ୍ରମୋଚା, ମୋଜାଇକ୍ ଓ ଗୋଲିଆ ଦାଗ ରୋଗ
  • ଏହି ରୋଗ ହେଲେ ପତ୍ର ଲୋଚାକୋଚା ଓ ଛୋଟ ହୋଇଯାଏ । ପତ୍ରର ଶିରା ଦେଖାଯିବା ସହ ଡେମ୍ଫ ଓ ପତ୍ର ମୋଡ଼ି ହୋଇ ହଳଦିଆ ପଡ଼ି ଛୋଟ ହୋଇଯାଏ । ପତ୍ର ଓ ଫଳରେ ଗୋଲିଆ ଦାଗ ଦେଖାଯାଏ । ଫଳ ଛୋଟ ହୁଏ ଓ ଉତ୍ପାଦନ ହ୍ରାସ ପାଏ । ଆକ୍ରାନ୍ତ ଗଛକୁ ଉପାଡ଼ି ପୋଡ଼ିଦିଅନ୍ତୁ । ଏହି ରୋଗକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ଜଉପୋକକୁ ନିୟନ୍ତ୍ରଣ କରନ୍ତୁ । ଅମୃତଭଣ୍ଡା କିଆରି ପାଖରେ ଟମାଟୋ, ଧୂଆଁ ପତ୍ର ଓ ଜିନିଆ ପ୍ରଭୃତି ଗଛ ଲଗାନ୍ତୁ ନାହିଁ, କାରଣ ଏହିସବୁ ଗଛ ଦ୍ଵାରା ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ।

ପୋକ ନିୟନ୍ତ୍ରଣ

  • ଦହିଆ ପୋକ
  • ଏହି ପୋକ ଗଛର ପତ୍ର, କାଣ୍ଡ ଓ ଫଳକୁ ଆକ୍ରାନ୍ତ କରି ତୁଳା ସଦୃଶ ଆସ୍ତରଣ କରିଥାଏ । ଉକ୍ତ ପୋକ ରସ ଶୋଷଣ କରିବା ଦ୍ଵାରା ଗଛର ବୁଢି ମନ୍ଥର ହେବା ସହ ପତ୍ରଗୁଡ଼ିକ ମୋଡ଼ି ହୋଇଯାଏ । ସମ୍ପୃକ୍ତ ପୋକ ଦ୍ଵାରା ନିର୍ଗତ କରାଯାଇଥିବା ମହୁ ଭଳି ପଦାର୍ଥରେ କଳାରଙ୍ଗର ଫିମ୍ପି ମାଡ଼ିଥାଏ, ଯଦ୍ଵାରା କି ଆଲୋକ ସଂଶ୍ଳେଷଣ ବାଧ୍ୟତ ହୁଏ । ଏହା ମୁଖ୍ୟତଃ ଶୁଖିଲା ଓ ଗରମ ସମୟରେ ଆକ୍ରାନ୍ତ ହୁଏ ଏବଂ ଜନ୍ଦା ପିମ୍ପୁଡ଼ିଙ୍କ ଦ୍ଵାରା ବ୍ୟାପିଥାଏ । ବଗିଚାକୁ ସଫା ରଖିବା ନିତ୍ୟନ୍ତ ଆବଶ୍ୟକ । ଆକ୍ରାନ୍ତ ପ୍ରଦେଶର ଚାରା ବ୍ୟବହାର କରିବା ଅନୁଚିତ୍ । ଗଛର ମୁଖ୍ୟ ଗଣ୍ଠି ଉପରେ ଅଠାଯୁକ୍ତ ପଟି, ଆଲକାଥନ୍ ପଟି କିମ୍ବା କୀଟନାଶକର ପ୍ରୟୋଗ, ଜମିରୁ ଗଛ ଉପରକୁ ଚଢୁଥିବା ପୋକଗୁଡ଼ିକୁ ଅବରୋଧ କରିଥାଏ । ପାରାସିଟୋଡ୍ ଏସିରୋଫାଗସ୍ ପପାୟୋ ଦ୍ଵାରା ଦହିଆ ପୋକର ପ୍ରତିକାର କରାଯାଏ । କେତ୍କାରୋପାଇରିଫସ ୨୦ ଇସି ୨ ମି.ଲି.ଲି, ହିସାବରେ ଗଛ ମୂଳରେ ସିଞ୍ଚନ କଲେ ଦହିଆ ପୋକ ଓ ଜନ୍ଦାଙ୍କ ଗତିବିଧାକୁ କମାଇ ଦିଆଯାଇପାରିବ । କୀଟନାଶକ ଯଥା- ଶ୍ଳୋରୋପାଇରିଫସ ୨୦ ଇସି (୨ ମି.ଲି.ଲି.), ଡାଇମିସ୍ଟେଥୋଏଟ୍ ୩୦ ଇସି (୨ ମି.ଲି.ଲି.), ଥାଇ ଓ ମିଥକସମ୍ ୨୫ ଡବ୍ଲ୍ୟୁଜି (୦.୬ ଗ୍ରାମ|ଲି.) ଇତ୍ୟାଦି ସିଞ୍ଚନ କଲେ ଲାଭପ୍ରଦ ହୋଇଥାଏ ।

  • ନାଲି ବୁଢିଆଣୀ ପୋକ
  • ଏହି ପୋକ ଅମୃତଭଣ୍ଡା ପତ୍ରରେ ଛୋଟଛୋଟ ହଳଦିଆ ଦାଗ ସୃଷ୍ଟି କରେ । ଅଧିକ ଆକ୍ରାନ୍ତ ହେଲେ ପତ୍ରଗୁଡ଼ିକ ହଳଦିଆ ପଡ଼ି ଝଡ଼ିଯାଏ । ପତ୍ରର ତଳ ପାର୍ଶ୍ଵରେ ଡିପ୍ଟୋକୋଫଲ୍ ୨୫ ଗ୍ରା/ ଲି. ପାଣିରେ ମିଶାଇ ସିଞ୍ଚନ କଲେ ଏହାର ପ୍ରତିକାର ହୋଇଥାଏ ।

  • ସୂତ୍ରଜୀବ
  • ସୂତ୍ରଜୀବ ଆକ୍ରାନ୍ତ ଦ୍ଵାରା ଅମୃତଭଣ୍ଡା ଗଛ ଚେରରେ ଅନେକ ଛୋଟଛୋଟ ଗଣ୍ଠି ସୃଷ୍ଟି ହୁଏ, ଯଦ୍ଵାରା ଗଛର ଆକାର ଛୋଟ ରହିଯାଏ । ଆକ୍ରାନ୍ତ ଗଛକୁ ବଗିଚାରୁ ବାହାର କରିଦିଅନ୍ତୁ । ଗଛମୂଳରେ କାର୍ବୋପ୍ଲରନ୍ ୨୫ ଗ୍ରାମ ଗଛ ପକାନ୍ତୁ । ଗଛର ବୁଢି ସମୟରେ ନିମ୍ବ ବା କରଞ୍ଜ ପିଡ଼ିଆ ବ୍ୟବହାର କଲେ ସୂତ୍ରଜୀବ ବିଶେଷ କ୍ଷତି କରିପାରନ୍ତି ନାହିଁ ।

ଆଧାର - ଭୁବନାନନ୍ଦ ଅଧିକାରୀ କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି.

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top