ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆମ୍ବ ଫସଲ ଫଳବିନ୍ଧା ମାଛି ପରିଚାଳନା
ସେଆର କରନ୍ତୁ

ଆମ୍ବ ଫସଲ ଫଳବିନ୍ଧା ମାଛି ପରିଚାଳନା

ଆମ୍ବ ଫସଲ ଫଳବିନ୍ଧା ମାଛି ପରିଚାଳନା ସମ୍ବନ୍ଧିତ ତଥ୍ୟ ।

ଆମ୍ବ ଫସଲକୁ ପ୍ରାୟ ଛଅ ପ୍ରଜାତିର ଫଳବିନ୍ଧା ମାଛି ଆକ୍ରମଣ କରନ୍ତି, ତନ୍ମଧ୍ୟରୁ ବାକ୍ଟ୍ରୋସିଲା ଡରସାଲିଶ ହିଣ୍ଡେଲ ଅତି କ୍ଷତିକାରକ । ଏହା ଆମ ସହିତ ପିଜୁଳି, ପିଚ୍, ଆଫ୍ରିକଟ୍, ଚେରି, ପିଅର, ସପେଟା, ବରକୋଳି ଏବଂ ଲେମ୍ବୁ ଆଦି ଫସଲକୁ ଆକ୍ରମଣ କରେ । ଏତଦ୍ ବ୍ୟତୀତ ଏହା ପ୍ରାୟ ୨୫୦ ପ୍ରଜାତିର ଉଦ୍ଭିଦକୁ ବି ଆକ୍ରମଣ କରିଥାଏ ।

ଫଳବିନ୍ଧା ମାଛିର କ୍ଷତି କରିବାର ତରିକା

ସ୍ତ୍ରୀ ମାଛିଟି ଫଳର ଅତି ନରମ ସ୍ଥାନକୁ ବାଛେ ଏବଂ ଏହି ସ୍ଥାନରେ ଅଣ୍ଡା ଦିଏ । ଏହି ସ୍ଥାନକୁ ଚିହ୍ନଟ କରିବା ସହଜ ହୁଏ ନାହିଁ । କାରଣ ଘନ ସବୁଜ ରଙ୍ଗ ଧାରଣ କରୁଥିବା ଫଳ ସହିତ ଅଣ୍ଡା ଦେଉଥିବା ସ୍ଥାନର ରଙ୍ଗ ଏକ ପ୍ରକାର ଜଣାପଡ଼େ । କିନ୍ତୁ ହଳଦିଆ ଏବଂ ଈଷତ୍ ବାଦାମୀ ରଙ୍ଗ ଧାରଣ କରୁଥିବା ଫଳରେ ଅଣ୍ଡାଦେବା ସ୍ଥାନ ଚିହ୍ନଟ କରିବା ସହଜ ହୁଏ ।

ଅଣ୍ଡାରୁ ଛୁଆ ବାହାରି ଆମ୍ବ ଫଳର ମାଂସଳ ଅଂଶକୁ ଖାଏ । କିଛିଦିନ ପରେ ଆକ୍ରମିତ ସ୍ଥାନରେ ପଚା ବାଦାମୀ ରଙ୍ଗର କ୍ଷତ ଦେଖାଯାଏ ।

ଏହି କାରଣରୁ ଆକ୍ରାନ୍ତ ଫଳଗୁଡ଼ିକ ଗଛରୁ ଝଡି ପଡ଼େ । ସାଧାରଣତଃ ଫଳଗୁଡିକ ମେ' ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ଫଳବିନ୍ଧା ମାଛି ଆକ୍ରମଣର ସମ୍ମୁଖୀନ ହୁଅନ୍ତି । ଅକ୍ଟୋବରଠାରୁ ଫେବୃୟାରୀ ମାସ ମଧ୍ୟରେ ଫଳବିନ୍ଧା ମାଛିର ସଂଖ୍ୟା ହ୍ରାସ ପାଏ ।

ମାଛିର ଜୀବନୀ

ସ୍ତ୍ରୀ ପୋକଟି ମନ୍ଦା ମନ୍ଦା କରି ଅଣ୍ଡା ଦେଇଥାଏ । ମନ୍ଦାରେ ୦୨ଟିରୁ ୧୫ଟି ଅଣ୍ଡା ଥାଏ । ୦୨ରୁ ୦୩ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଆସେ । ଛୁଆ ଅବସ୍ଥାରେ ଏହା ଫସଲକୁ ନଷ୍ଟ କରେ । ଛୁଆ ଅବସ୍ଥାରେ ପୋକଟି ୦୬ରୁ ୨୯ ଦିନ ରହେ । ପୂର୍ଣ୍ଣାଙ୍ଗପ୍ରାପ୍ତ ଛୁଆ ଡେଇଁ ଡେଇଁ ଚାଲନ୍ତି ଏବଂ ମାଟି ତଳେ କୋଷାବସ୍ଥାରେ  ଆଶ୍ରୟ ନିଅନ୍ତି । କୋଷାବସ୍ଥାରେ ଏମାନେ ୦୬ରୁ ୪୪ ଦିନ ମାଟିତଳେ ରୁହନ୍ତି । ୦୨ରୁ ୦୩ ସପ୍ତାହ ମଧ୍ୟରେ ପୋକଟିର ବଂଶ ସମାପ୍ତ ହୁଏ । ତେଣୁ ଏକ ବର୍ଷରେ ଏମାନେ ଅନେକ ବଂଶ ବିସ୍ତାର କରନ୍ତି । ବସନ୍ତ ଋତୁରେ ଫଳ ବିନ୍ଧା ମାଛିର ସଂଖ୍ୟା ହ୍ରାସ ପାଏ । ଜୁନ ମାସରେ ଯେଉଁ ସମୟରେ ଆମ ବଗିଚାରେ ଆମ ସଂଖ୍ୟା ହ୍ରାସ ହୁଏ ସେହି ସମୟରେ ପୋକ ସଂଖ୍ୟା ମଧ୍ୟ ହ୍ରାସ ହୁଏ । କିନ୍ତୁ ମୌସୁମୀ ଆଗମନରେ ପୁନର୍ବାର ଫଳ ବିନ୍ଧା ମାଛି ସଂଖ୍ୟା ବୃଦ୍ଧି ହୁଏ । ଶୀତ ଋତୁରେ ମାଛି ସଂଖ୍ୟା ହ୍ରାସ ହୁଏ । ଶରତ ଋତୁରେ ଆମ୍ବ ବଗିଚାରେ ନ ଥିବା ସମୟରେ ଏମାନେ ପିଜୁଳି ଓ ଲେମ୍ବୁ ଫସଲକୁ ଆକ୍ରମଣ କରନ୍ତି । ତେଣୁ ଫଳବିନ୍ଧା ମାଛି ବର୍ଷ ତମାମ ବିଭିନ୍ନ ଫସଲକୁ ଆକ୍ରମଣ କରି ବଞ୍ଚି ରହନ୍ତି । ବିଭିନ୍ନ କିସମର ଆମ୍ବ ଫସଲରେ ଫଳବିନ୍ଧା ମାଛିର ଆକ୍ରମଣକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଆଲଫୋନସ, କେଶରଦେଶେରୀ କିସମ ଆମ୍ବ ଫସଲରେ ପୋକ ସଂଖ୍ୟା ସହଜରେ ବୃଦ୍ଧିପାଏ । ଏହାର ବିଜ୍ଞାନସମ୍ମତ କାରଣ ମଧ୍ୟ ଉପଲବ୍ଧ ହୋଇଛି । ଯେଉଁ କିସମରେ ଆମ୍ବର ବହିରାବରଣ କମ ରହେ, ମିଶ୍ରିତ ତରଳ ପଦାର୍ଥ ଉଚ୍ଚରେ ରହେ ଏବଂ ଆସକର ବିକ୍ ଏସିଡ୍ କମ ରହେ । ସେହି କିସମରେ ପୋକ ସଂଖ୍ୟା ବୃଦ୍ଧି ହୁଏ।

ପରିଚାଳନା

ଫଳବିନ୍ଧା ମାଛିର ପରିଚାଳନା ପାଇଁ କେତେକ ନିହାତି ଜାଣିବା କଥା -

  • ଆମ୍ବ ବଗିଚାରେ ଆମ ପାଚିବା ପୂର୍ବରୁ ସେଗୁଡ଼ିକୁ ତୋଳିଦେବା ଆବଶ୍ୟକ ।
  • ଆମ୍ବ ପରିପକ୍ଵ ହେବା ପୂର୍ବରୁ ସେଗୁଡ଼ିକୁ ଜାଲ ଦ୍ଵାରା ଆବୃତ୍ତ କରିବା ଯୋଗୁ ଆମ୍ବଗୁଡିକୁ ଫଳବିନ୍ଧା ମାଛି ଆକ୍ରମଣ କରିପାରନ୍ତି ନାହିଁ ।
  • ଏସବୁ ସତ୍ତ୍ୱେ ବଗିଚାରେ ପଡ଼ି ରହୁଥିବା ଫଳବିନ୍ଧା ମାଛି ଆକ୍ରାନ୍ତ ଆମ୍ବଗୁଡିକୁ ସଂଗ୍ରହ କରି ଏବଂ ଆମ୍ବ ଗଛରେ ଲାଗି ରହିଥିବା ପୋକରା ଆମ୍ବଗୁଡ଼ିକୁ ଆଣି ପୋଡ଼ିଦେବା ବିଧେୟ ।
  • ମାଟି ତଳେ ରହିଥିବା କୋଷାଗୁଡ଼ିକର ବିନାଶ ନିମନ୍ତେ ଆମ ବଗିଚାର ମୃତ୍ତିକାକୁ ୦୨ରୁ ୦୩ ଥର ଅଦଳବଦଳ କରି ଚାଷ କରିବା ଭଲ । ଏହା ଦ୍ଵାରା କୋଷାଗୁଡିକ ପରାଙ୍ଗଭେଜି କୀଟଙ୍କର ଶିକାର ହୁଅନ୍ତି ଏବଂ ଅନେକ ମଧ୍ୟ ସୂର୍ଯ୍ୟୋତ୍ତାପ ଦ୍ଵାରା ନଷ୍ଟ ହୁଅନ୍ତି ।
  • ପ୍ରକୃତିରେ ଉପଲବ୍ଧ ହେଉଥିବା କେତେକ ପରାଶ୍ରୟା କୀଟ ମଧ୍ୟ ଫଳ ବିନ୍ଧା ମାଛିକୁ ଆକ୍ରମଣ କରନ୍ତି ।

ବିଷଥୋପର ବ୍ୟବହାର

୧୦ ଲିଟର ପାଣିରେ ୧୦ ମିଲିଲିଟର ୫୦ ପ୍ରତିଶତ ମାଲାଥିୟନ ମିଶାନ୍ତୁ । ସେଥରେ ୧୦୦ ଗ୍ରାମ ଗୁଡ଼ା କିମ୍ବା ଚିନି ମିଶାନ୍ତୁ । ସମସ୍ତ ମିଶ୍ରଣକୁ ୧୦୦ ଭାଗ କରି ମାଟିପାତ୍ରରେ ରଖୁ ଏକ ହେକ୍ଟର ଆମ୍ବା ବଗିଚାରେ ଶିକା ମାଧମରେ ଆମ୍ବ ଗଛରେ ବାନ୍ଧି ଦିଅନ୍ତୁ । ପ୍ରତ୍ୟେକ ବିଷ ଥୋପରେ ଫଳବିନ୍ଧା ମାଛି ପଡ଼ନ୍ତି ଏବଂ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ।

ସଂଗୃହିତ  - ଡ. ବିଷ୍ଣୁ ଚରଣ ଜେନା, ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି.

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top