ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆମ୍ବରେ ପତ୍ରଡିଆଁ ପୋକ ଦମନ ଦ୍ଵିତୀୟ ଭାଗ
ସେଆର କରନ୍ତୁ

ଆମ୍ବରେ ପତ୍ରଡିଆଁ ପୋକ ଦମନ ଦ୍ଵିତୀୟ ଭାଗ

ପତ୍ରଡିଆଁ ପୋକଟି ଜାନୁୟାରୀ ଶେଷ ଓ ଫ୍ରେବୃଆରୀ ମାସରେ ଫସଲରେ ଅଣ୍ଡାଦେବା ଆରମ୍ଭ ଓ ମେ ମାସ ପର୍ଯ୍ୟନ୍ତ ଲାଗିରହେ ।ପତ୍ରଡିଆଁ ପୋକର ଦମନ ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପତ୍ରଡିଆଁ ପୋକଟି ଜାନୁୟାରୀ ଶେଷ ଓ ଫ୍ରେବୃଆରୀ ମାସରେ ଫସଲରେ ଅଣ୍ଡାଦେବା ଆରମ୍ଭ କରେ । ଏହି ପ୍ରକ୍ରିୟା ମେ ମାସ ପର୍ଯ୍ୟନ୍ତ ଲାଗିରହେ । ସ୍ତ୍ରୀ ପୋକଟି , ବଉଳର ଡେମ୍ଫ, ଏବଂ କଅଁଳିଆ ପତ୍ରରେ ସୂକ୍ଷ୍ମ ଚିରା ଦାଗ ସୃଷ୍ଟିକରି ସେଥିରେ ଅଣ୍ଡା ଦିଏ । ଗୋଟିଏ ସ୍ତ୍ରୀ ପୋକ ୧୦୦ରୁ ୨୦୦ଟି ଅଣ୍ଡା ଦେଇପାରେ । ୪ ରୁ ୭ ଦିନ ମଧ୍ୟରେ ଅଣ୍ଡାର ଅର୍ଭକ ବାହାରିଆସେ । ଅର୍ଭକଟି ୪ ରୁ ୫ ଥର ବିମୋଚନ ପରେ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା ପ୍ରାପ୍ତ ହୁଏ । ଅର୍ଭକ ସମୟ ୧୦ରୁ ୧୫ ଦିନ ମଧ୍ୟରେ ସମାପ୍ତ ହୁଏ । ଛୋଟ ଛୋଟ ଅପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା ପରି ଦେଖାଯାଆନ୍ତି । ସେମାନେ ଅତି ସକ୍ରିୟ ହୋଇ ଖୁବ୍ କ୍ଷିପ୍ର ଗତିରେ ବଉଳ ଏବଂ ଶାଖା ପ୍ରଶାଖାରେ ବୁଲି ରସ ଶୋଷନ୍ତି । ସେମାନଙ୍କର ଡେଣା ନ ଥାଏ । ଦେଖିବାକୁ ସେମାନେ ଅତି ଛୋଟ । ଉଡିପାରନ୍ତି ନାହିଁ କି ଡେଇଁପାରନ୍ତି ନାହିଁ । ସେମାନଙ୍କୁ ଆଘାତ ବା ସ୍ପର୍ଶ କଲେ ସେମାନେ ଗଛର ପତ୍ର ତଳେ ଓ ବକଳରେ ଲୁଚି ଯାଆନ୍ତି ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ସକ୍ରିୟ ରହନ୍ତି । ସେମାନେ ସର୍ବଦା ଆମ୍ବ ବଗିଚାର ଛାଇ ଓ ସନ୍ତସନ୍ତିଆ ଜାଗାକୁ ଭଲ ପାଆନ୍ତି । ବର୍ଷ ରତୁ ଆରମ୍ଭ ହେଲେ ଯୋକଙ୍କ ସଂଖ୍ୟା ହ୍ରାସ ପାଏ । ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ଅଗଷ୍ଟଠାରୁ ଜାନୁୟାରୀ ମଧ୍ୟରେ ନିଷ୍କ୍ରିୟ ହୁଅନ୍ତି । ଥଣ୍ଡା ଜଳବାୟୁ ଅନୁଭୂତ ହେଲେ ବିଶେଷକରି ବାୟୁମଣ୍ଡଳର ତାପମାତ୍ରା ୧୦ରୁ୧୬ ଡିଗ୍ରୀ ସେଲସିୟସ ରହିଲେ ୟା ପୋକ ଅଣ୍ଡାଦେବା ଆରମ୍ଭ କରନ୍ତି ।

ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକର ଶରୀର

ଏହି ପୋକର ମୁଣ୍ଡ ମୋଟା ଏବଂ ଶରୀରଟି କ୍ରମଶ8 ସରୁ। ଶରୀରର ପଛ ପଟକୁ ଅବା ଗୋଡ଼ଗୁଡ଼ିକ ଶୀଘ୍ର ଡେଇଁବାରେ ଖୁବ୍ ସକ୍ଷମ । ପୋକଟି ଦେଖିବାକୁ ଅତି ଧୂସର ବର୍ଣ୍ଣର । ଏହାର ପେଟ ଏବଂ କପାଳରେ ଦୁଇଟି ଲେଖାଏଁ ଗୋଲାକାର ଦାଗ ରହିଛି । ମୁଣ୍ଡଠାରୁ ଶରୀରର ଶେଷ ଭାଗ ପର୍ଯ୍ୟନ୍ତ ଲମ୍ବ ୦୪, ୨୫ ମିଲିମିଟରଠାରୁ ୦.୫ ମିଲିମିଟର।

ପୋକର ସଂଖ୍ୟା ବୃଦ୍ଧିର ଅନୁକୂଳ ପରିବେଶ

ଯେଉଁ ଆମ୍ବ ବଗିଚାରେ ଆମ୍ବଗଛ ମଧ୍ୟରେ ବ୍ୟବଧ୍ୟାନ ୧୦ ମିଟରଠାରୁ କମ୍ ହୋଇଥାଏ, ଆମ୍ବଗଛଗୁଡିକ ବହୁ ଉଚ୍ଚକୁ ବୃଦ୍ଧିପାଏ ଓ ସେମାନଙ୍କ ଦ୍ଵାରା ବଗିଚାଟି ଛାଇ ଦ୍ଵାରା ଆବୃତ ହୋଇରହେ । ସେହି ଆମ୍ବ ବଗିଚାରେ ପୋକଙ୍କ ସଂଖ୍ୟା ଦୁତଗତିରେ ବୃଦ୍ଧି ପାଏ । ଆମ୍ବ ଗଛର ବଉଳ ଧାରଣ କରୁଥିବା ପ୍ରଶାଖା ପ୍ରତି ପତ୍ର ଡିଆଁ ପୋକର ଅର୍ଭକ କିମ୍ବା ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥା କିମ୍ବା ସେମାନଙ୍କର ସମୀଶ୍ରଣର ସଂଖ୍ୟା ୫ ଥିଲେ ତାକୁ ପତ୍ର ଡିଆଁ ପୋକର ଦେହଳୀ ସୀମା କୁହାଯାଏ । ଏହାକୁ ଆଧାର କରି ପୋକଟିର ଦମନ ପ୍ରକ୍ରିୟାଗୁଡିକୁ କାର୍ଯ୍ୟକାରୀ କରାଯାଏ । ପୋକଟିର ସମନ୍ୱିତ ପ୍ରଣାଳୀର ପରିଚାଳନାର କେତୋଟି ଉପାଦେୟ ଏବଂ ଗ୍ରହଣୀୟ ପଦ୍ଧତି ବିଷୟରେ ନିମ୍ନରେ ସୂଚିତ କରାଯାଉଛି ।

ପୋକ ଆକ୍ରମଣର ପ୍ରତିରୋଧକ, ପଦ୍ଧତି: କେତେକ ଆମ୍ବ କିସମ ଯେଉଁଗୁଡିକ ପତ୍ରଡିଆଁ ପୋକ ଆକ୍ରମଣର ସମ୍ମୁଖୀନ ହୁଅନ୍ତି ନାହିଁ । ଆକ୍ରମଣକୁ ସହ୍ୟ କରିବାର ଶକ୍ତି ଧାରଣ କରନ୍ତି। ସେଗୁଡିକ ହେଉଛି ବନେଶାନ, ରନ୍ଧା, ଦଶେହରୀ, ମଲିକା, ଲାଙ୍ଗୀ, ରାଜପୁରୀ, କେଶର, ତୋତାପୁରୀ, ଅର୍କ ପୁନିତ, ଅର୍କ ଅରୁଣ, ମେହେମୁଦ ବାହାର, ନେଲେଶାନଗୁଜରାଟ, ନୀଲଫୋନଗୋ, ନେଲେଶ୍ଵରୀ, ନୀଳୁଦିନ, ପ୍ରଭାଶଙ୍କର, ସିନ୍ଧୁ ଓ ସୁବର୍ଣ୍ଣ ଜାହାଙ୍ଗୀର ।

ଜୈବିକ ଉପାୟରେ ପୋକ ଦମନ

ବିଭିନ୍ନ ପ୍ରଜାତିର ବୁଢିଆଣୀ, ଇନ୍ଦ୍ରଗୋପୀଭୃଙ୍ଗ ଓ କ୍ରାଇସୋପରଲା ପରାଙ୍ଗ ଭୋଜି କୀଟମାନେ ପତ୍ର ଡିଆଁ ପୋକର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଙ୍କୁ ଖାଇ, ଆମ୍ବ ବଗିଚାରେ ରୁହନ୍ତି । ସେହିପରି ଅନେକ ପ୍ରଜାତିର ପରାଶ୍ରୟୀ କାଟ ମଧ୍ୟ ପତ୍ର ଡିଆଁ ପୋକକୁ ଆକ୍ରମଣ କରି ସେମାନଙ୍କର ବଂଶ ହ୍ରାସ କରନ୍ତି । ଏହା ବ୍ୟତୀତ ଭିନ୍ନ ଭିନ୍ନ ପ୍ରଜାତିର କବକମାନେ ମଧ୍ୟ ପତ୍ର ଡିଆଁ ପୋକର ଶରୀରରେ ରୋଗ ସୃଷ୍ଟିକରି ସେମାନଙ୍କର ବଂଶ ନାଶ କରନ୍ତି ।

ଉଦ୍ଭିଦ ଦ୍ଵାରା ପ୍ରସ୍ତୁତ କୀଟନାଶକର ପ୍ରୟୋଗ

ନିମ୍ବଜାତ, କୀଟନାଶକ ଯଥାଅବ୍ଲାକ (୦.୫%), ନିମାର୍କ (୦.୫%), ଆଜାଡେକୁ (୦.୨%) ଏବଂ ନିମ୍ବପତ୍ର ଦ୍ରବ୍ୟ (୦.୫%) ପତ୍ର ଡିଆଁ ପୋକର ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରନ୍ତି । ପୋକର ଜୀବନ ଚକ୍ରକୁ ପ୍ରଭାବିତ କରୁଥିବା କୀଟନାଶକ: ବୁପ୍ରୋଫେଜିନ ନାମକ କୀଟନାଶକ। ଆମ୍ବ ବଗିଚାରେ ସିଞ୍ଚନ କରିବା ଦ୍ଵାରା ପତ୍ର ଡିଆଁ ପୋକର ଅଣ୍ଡାଦେବା ଶକ୍ତି ହ୍ରାସ ପାଏ । ଅର୍ଭକ ଗୁଡିକ ପୂର୍ଣ୍ଣାଙ୍ଗପ୍ରାପ୍ତ ଅବସ୍ଥାକୁ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ସେହି ଅବସ୍ଥାରେ ରହି ମୃତ୍ୟୁମୁଖରେ ପଡନ୍ତି ।

ଋତୁଚକ୍ର ଏବଂ ଆମ୍ବକଷିଠାରୁ ପାଚିଲା ସମୟ ମଧ୍ୟରେ ଅବଲମ୍ବନ ହେଉଥିବା କୀଟ ହ୍ରାସ ପ୍ରଣାଳୀ

ଜୁଲାଇ ଓ ଅଗଷ୍ଟ ମଧ୍ୟରେ କଲମି ଆମ୍ବ ଲଗାଇଲା ସମୟରେ କଲମି ଗୁଡିକ ରାଜ୍ୟ ଅନୁମୋଦିତ ଦୂରତାରେ ଲଗାଇବା ଆବଶ୍ୟକ, ଯେପରିକି ଗଛଗୁଡିକ ପରସ୍ପର ପ୍ରତି ଲାଗି ନ ରୁହନ୍ତି । ବଗିଚାରେ ସୂର୍ଯ୍ୟ କିରଣ ଓ ବାୟୁ ସଂଚାଳନରେ ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟିନ ହୁଏ । ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ସେପ୍ଟେମ୍ବରଠାରୁ ଡିସେମ୍ବର ମାସ ମଧ୍ୟରେ ଆମ୍ବ ବଗିଚାରେ ଯେପରି କୌଣସି ତୃଣ ବା ଘାସ ନ ରୁହେ। ସେଥିପ୍ରତି ସଜାଗ ରହିବା ଦରକାର । ଆମ୍ବ ଗଛର ମଧ୍ୟଭାଗରେ ଥିବା ସ୍ଥାନଗୁଡିକୁ ହଳ କରି ବଗିଚାଟି ପରିଷ୍କାର ପରିଚ୍ଛନ୍ନ କରିବା ଆବଶ୍ୟକ । ଆମ୍ବ ଗଛର ଅତ୍ୟଧିକ ଶାଶା ପ୍ରଶାଖାକୁ କାଟି ଆବଶ୍ୟକ ପରିମାଣର ଡାଳ ରଖିବା ପ୍ରୟୋଜନ । ଏହା ଦ୍ଵାରା ସୂର୍ଯ୍ୟକିରଣ ଓ ବାୟୁ ସଂଚାଳନ ଠିକ ଭାବରେ ହୋଇପାରିବ । ବର୍ଷା ଋତୁ ପରେ ଆମ୍ବ ଗଛଗୁଡିକର ଗଣ୍ଠିକୁ କାର୍ବାରିଲ ୫୦ ପ୍ରତିଶତ ସେଚିତ ଗୁଣ୍ଡ ୦.୧୫% ଦ୍ରବଣ କରି ସେଥିରେ ଲେପ ଦେବା ଦରକାର । ଏହାର ଏକ ମାସ ପରେ ସାଇପର ମେଥିନ ୦.୦୦୩% ଦ୍ଵାରା ଆକ୍ରାନ୍ତ ଗଛଗୁଡିକୁ ସିଞ୍ଚନ କରିବା ଆବଶ୍ୟକ ।

ବଉଳ ସମୟରେ ପଦକ୍ଷେପ

ଇମିଡା କ୍ଲୋପ୍ରିଡ ୦.୦୦୫% ବଗିଚାରେ ସିଞ୍ଚନ କରନ୍ତୁ । ଚଣା ସମୟରେ ପଦକ୍ଷେପ: ଏହି ପୋକର ଦେହଳୀ ସାମା ଦେଖି ବାକ୍ଷଣି ନିମ୍ବ ଜନିତ କୀଟନାଶକ ଅଟାକ (୦.୫%) କିମ୍ବା ନିମ୍ବପତ୍ର ଦ୍ରବଣ (୫ %) କିମ୍ବା ନିମ୍ବ ମଞ୍ଜି ଦ୍ରବଣ (୪%) କିମ୍ବା ନିମାର୍କ (୦.୫%), ସିଞ୍ଚନ କରିବା ବିଧେୟ । ଯଦି ଅତ୍ୟଧିକ ସଂଖ୍ୟକ ପୋକ ବଗିଚାରେ ଉପଲବ୍ଧ ହୁଅନ୍ତି ସେ ସମୟରେ ୧୦ ଲିଟର ପାଣିରେ ୦୪ ମିଲିଲିଟର ଇମିଡାକ୍ଲୋପ୍ରିଡ ମିଶାଇ ଆମ୍ବ ଗଛକୁ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ । ଆବଶ୍ୟକ ପଡିଲେ ୧୫ ଦିନ ପରେ ପୁନର୍ବାର ଏହି କୀଟନାଶକକୁ ସିଞ୍ଚନ କରାଯାଇପାରିବ । ଆମ୍ବ ରେ ଟାକୁଆ ଧରିବା ସମୟରେ ଯଦି ପତ୍ରଡିଆଁ ପୋକର ଭୟାବହତା ଲାଗିରହେ ଉପରବର୍ଣ୍ଣିତ କୀଟନାଶକ ମଧ୍ୟରୁ ଯେ କୌଣସି ଗୋଟିକୁ ବ୍ୟବହାର କରିବା ଜରୁରୀ ।

ଆଧାର - ଡ. ବିଷ୍ଣୁ ଚରଣ ଜେନା ଅବସରପ୍ରାୟ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତନ୍ମ ବିଭାଗ, କୃଷି ମହାବିଦ୍ୟାଳୟ, ଓୟୁଏଟି, ମୋ: ୯୭୭୬୪୦୪୪୦୬

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top