ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / କୋବି ଫସଲରେ କୀଟ ନିୟନ୍ତ୍ରଣ
ସେଆର କରନ୍ତୁ

କୋବି ଫସଲରେ କୀଟ ନିୟନ୍ତ୍ରଣ

କୋବି ଫସଲର ରୋଗ, ଅନିଷ୍ଟକାରୀ ପୋକ ଓ ଏମାନଙ୍କ ଉଦ୍ଦେଶ୍ୟରେ ସ୍ଥିରୀକୃତ ସମନ୍ୱିତ ପରିଚାଳନା ବିଷୟରେ ସୂଚନା ।

ଆମ ରାଜ୍ୟ ତଥା ଦେଶ ପନିପରିବା ଉତ୍ପାଦନରେ ସ୍ଵତନ୍ତ୍ରତା ବଜାୟ ରଖିଆସିଛି । ପ୍ରତ୍ୟେକ ଋତୁରେ ଜଳବାୟୁ ଓ ମୃତ୍ତିକାର ବିଭିନ୍ନତାକୁ ଆଧାର କରି ବିଭିନ୍ନ ପନିପରିବା ଅମଳ କରାଯାଇଥାଏ । ଏବେ ଶୀତଋତୁର ଆଗମନ ସମୟ । ତେଣୁ କୋବି ଫସଲର ଚାହିଦା ଏବେ ଅଧିକ । ଏହି କୋବି ଫସଲର ରୋଗ, ଅନିଷ୍ଟକାରୀ ପୋକ ଓ ଏମାନଙ୍କ ଉଦ୍ଦେଶ୍ୟରେ ସ୍ଥିରୀକୃତ ସମନ୍ୱିତ ପରିଚାଳନା ବିଷୟରେ ନିମ୍ନରେ ଆଲୋକପାତ କରାଯାଉଛି ।

ଅନିଷ୍ଟକାରୀ କୀଟ

ଅନେକ ପ୍ରକାର କୀଟ, ଫସଲକୁ ଆକ୍ରମଣ କରିଥାଆନ୍ତି । ସେଥିମଧ୍ୟରୁ ଠିକିରିପିଠିଆ ପୋକ, ସୋଡେପ୍ଟେରା, କାଣ୍ଡବିନ୍ଧା ପୋକ ଓ ଜଉପୋକର ପ୍ରାଦୁର୍ଭାବ ସର୍ବାଧିକ ।

ଠିକିରିପିଠିଆ ପୋକ :

ଏହା ପ୍ରଜାପତି ଜାତୀୟ କୀଟ । ଏହାର ଶଁବାଳୁଆ ଅବସ୍ଥା ଫିକା, ହଳଦିଆ ଓ ପୂର୍ଣ୍ଣାଙ୍ଗ କୀଟଟି ଧୂସର ରଙ୍ଗର । ଏହା ଉପରେ ହୀରା ଆକୃତିର ଦାଗ ରହିଥାଏ । ଶୁକ୍ଳ ଅବସ୍ଥା ପତ୍ରକୁ କୋରି କୋରି ଖାଇଥାଏ ଓ ଏହା ଯୋଗୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଧଳା ଦାଗ ସୃଷ୍ଟି ହୁଏ । ଶୁକ୍ଳ ଅବସ୍ଥା ବଢ଼ିଲା ପରେ ଏହା ପତ୍ରରେ କଣା କରି ଫସଲ ନଷ୍ଟ କରିଥାଏ । ଏହି ପୋକର ପ୍ରାଦୁର୍ଭାବ ବର୍ଷା ସରି ଆସିଲା ପରେ ଓ ଶୀତଦିନେ ସର୍ବାଧିକ ହୋଇଥାଏ ।

ସୋଡେପ୍ଟେରା (ବିନ୍ଧା ପୋକ) :

ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ଏହି ପୋକ ମାତ୍ରାଧିକ କ୍ଷତି ପହଞ୍ଚାଇଥାଏ । ପ୍ରଜାପତି ଜାତୀୟ ଏହି କୀଟର ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ପତ୍ରରେ ମେଞ୍ଚା ମେଞ୍ଚା ଅଣ୍ଡା ଦେଇଥାଏ ଓ ଏହାକୁ ନିଜର ଲୋମ ଦ୍ଵାରା ଆବୃତ କରି ରଖିଥାଏ । ଶୁକ୍ଳ ଅବସ୍ଥା ଗଛର କଅଁଳିଆ ପତ୍ର, କାଣ୍ଡକୁ ମାତ୍ରାଧ୍ୟକ ପରିମାଣରେ ଖାଇ ନଷ୍ଟ କରିଥାଏ ।

କାଣ୍ଡବିନ୍ଧା ପୋକ :

ଏହାର ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ଗଛର ବୃଦ୍ଧି ହେଉଥିବା ଅଗ୍ରଭାଗ ବା ପୁରୁଣା ପତ୍ରରେ ଅଣ୍ଡା ଦେଇଥାଏ । ଏହାର ଶୁକ୍ଳ ଅବସ୍ଥା ପ୍ରଥମେ ପତ୍ରରେ ସୁଡ଼ଙ୍ଗ ସଦୃଶ କଣାକରି ସବୁଜକଣିକା ଖାଇଥାଏ । ନିଜର ମଳ ଦ୍ଵାରା ପତ୍ରକଣାକୁ ବନ୍ଦ କରିଥାଏ । ଏହାପରେ କାଣ୍ଡକୁ କଣା କରିଥାଏ ଓ ଫସଲ ନଷ୍ଟ ହୁଏ ।

ଜଉପୋକ :

ବର୍ଷା ଛାଡ଼ିବା ପରେ ଶୁଖୁଲା ପାଗରେ ଜଉପୋକର ପ୍ରାଦୁର୍ଭାବ ଯଥେଷ୍ଟା। ଏହା ଏକ ପ୍ରମୁଖ ଶୋଷଣ ପ୍ରଜାତିର କୀଟ ଭାବେ ଗଛରୁ ରସ ଶୋଷି ଖାଏ । ଫଳରେ ଫସଲ ବୃଦ୍ଧି ବାଧାପାଏ । ମଧୁକଣିକା କ୍ଷରଣ ଦ୍ଵାରା ମଧ୍ୟ କଳାଫିମ୍ପି ଆକ୍ରମଣ କରେ ଓ ଆଲୋକ ବିଶେଷଣ ବାଧାପ୍ରାପ୍ତ ହୁଏ ।

ରୋଗ

ତଳିଘରା ରୋଗ :

ଏହି ରୋଗର ପ୍ରାଦୁର୍ଭାବରେ ଚାରା ନଷ୍ଟ ହୁଏ । ତଳି ଘରାରେ ଉକ୍ତ ରୋଗର ପ୍ରଭାବ ଅଧିକ । ଚାରାଗୁଡ଼ିକ ପଟି ନଷ୍ଟ ହୋଇଯାଏ । କାଣ୍ଡର ୨/୩ ସେ.ମି. (ମାଟିତଳୁ)ରେ ଦାଗ ହୋଇଥାଏ, ତାର ସଦୃଶ କାଣ୍ଡ ହୋଇଯାଏ ।

ଅଲଟରନାରିଆ ପତ୍ର ଦାଗ :

ଗଛର ପ୍ରତ୍ୟେକ ଅବସ୍ଥାରେ ଏହି ରୋଗର ସମ୍ମାବନା ଥାଏ । ଚାରା ଅବସ୍ଥାରେ କାଣ୍ଡଜୋର ଦାଗ ଦେଖାଯାଏ । ଗଛର ଉଚ୍ଚତା କମିଯାଏ । ମୁଖ୍ୟ ଫସଲରେ ପତ୍ରର ତଳଭାଗରେ ଏହି ରୋଗର ପ୍ରଭାବ ଆରମ୍ଭ ହୁଏ । ଗୋଲାକାର ଦାଗ ଦେଖାଯାଏ । ଆକ୍ରାନ୍ତ ପତ୍ର ହଳଦିଆ ପଡ଼ିଯାଏ ଓ ଝଡ଼ିପଡ଼େ । ବାୟୁମଣ୍ଡଳୀୟ ତାପମାତ୍ରା ୨୫୦ ସେ.ମି.ରୁ ୩୦୦ସେ.ମି. ଥିବା ସମୟରେ ଏହାର ପ୍ରଭାବ ଅଧିକ ।

ବୀଜାଣୁ ଜନିତ ପଚାରୋଗ

ଫୁଲକୋବିରେ ଏହାର ପ୍ରଭାବ ଅଧିକ । ଚାରା ଅବସ୍ଥାରେ ଗଛର ତଳଭାଗରେ ଥିବା ପତ୍ର ଝଡ଼ିଯାଏ ଓ ଗଛ ମରିଯାଏ । ବଢ଼ନ୍ତା ଗଛରେ ପତ୍ର ହଳଦିଆ ପଡ଼ିଯାଏ ଓ ପତ୍ର ବାହାର ଆଡୁ ପଚି ପଚି ଯାଏ । କୋବିର ହେଉ ବା ଯାହା ଆମେ ଖାଉ ତାହା ହୋଇପାରେ ନାହିଁ ।

ସମନ୍ୱିତ ରୋଗ ପୋକ ପରିଚାଳନା

ତଳିଘରା/ ଚାରା ଅବସ୍ଥା :

ମାଟିରୁ ୧୦ ସେ.ମି. ଉପରକୁ ସବୁବେଳେ ତଳିଘରା ବା ନର୍ସରୀ ପ୍ରସ୍ତୁତ କରନ୍ତୁ ଓ ଉପଯୁକ୍ତ ଜଳ ନିଷ୍କାସନର ବ୍ୟବସ୍ଥା ଗ୍ରହଣ କରନ୍ତୁ, ଯଦ୍ୱାରା ତଳିଘରା ରୋଗର ପ୍ରଭାବକୁ କମାଇ ଦିଆଯାଇପାରିବ ।

  • ମୃତ୍ତିକା ସୌରୀକରଣ ବା ମୃତ୍ତିକା ଉପରେ ୦.୫ ମି.ମି. ମୋଟେଇ ପଲିଥିନ ଘୋଡ଼େଇ ୨-୩ ସପ୍ତାହ ପର୍ଯ୍ୟନ୍ତ ରଖିନ୍ତୁ ।
  • ବର୍ଗମିଟର ପ୍ରତି ୫୦ ଗ୍ରାମ୍ ନିମ୍ବପିଡିଆ ସହିତ ୧୦-୧୫ ଗ୍ରାମ୍ ଟ୍ରାଇକୋଡ଼ରମା ପ୍ରୟୋଗ କରନ୍ତୁ ।
  • ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଟ୍ରାଇକୋଡ଼ରମା ୪ ଗ୍ରାମ୍ (ପ୍ରତି କି.ଗ୍ରା. ମଞ୍ଜି)କୁ ବିଶୋଧନ ପାଇଁ ବ୍ୟବହାର କରନ୍ତୁ ।
  • ମୃତ୍ତିକାରେ କାପ୍ଟାନ୍ ୭୫ ଡବ୍ଲ୍ୟୁପି ୦.୨୫ ପ୍ରତିଶତ ପ୍ରୟୋଗ କରନ୍ତୁ, ଯଦ୍ୱାରା ତଳିଘରା ରୋଗ ନିୟନ୍ତ୍ରିତ ହୁଏ ।
  • ପ୍ରତି କି.ଗ୍ରା. ମଞ୍ଜିରେ ୫ ଗ୍ରାମ୍ ଇମିଡ଼ାକୋପ୍ରିଡ୍ ୭୦ ଡବ୍ଲ୍ୟୁ.ଏସ୍ ପ୍ରୟୋଗ କରି ବିଶୋଧନ କରନ୍ତୁ ।
  • ତଳିଘରାରେ ଠିକିରିପିଠିଆ ପୋକ ଦେଖାଗଲେ ୩ ଗ୍ରାମ୍ ବିଟି ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ମୁଖ୍ୟ ଫସଲ

ମୁଖ୍ୟ ଫସଲ ଜମିରେ ଗଛରୁ ଗଛ ଦୂରତା ୬୦ x ୫୦ ସେମି ହେବା ଆବଶ୍ୟକ ।

  • ପ୍ରତି  ୨୫ ଧାଡ଼ି ବନ୍ଧାକୋବି ପରେ ଗୋଟିଏ ଧାଡ଼ି ସୋରିଷ ବୁଣି ଦିଅନ୍ତୁ । ପ୍ରଥମ ଓ ଶେଷ ଧାଡ଼ି ସୋରିଷ ହେବା ଆବଶ୍ୟକ । କୋବି ବୁଣିବା ୧୫ ଦିନ ପୂର୍ବରୁ ଗୋଟିଏ ଧାଡ଼ି ସୋରିଷ ବୁଣି ଦିଅନ୍ତୁ ଓ ଦ୍ଵିତୀୟ ଧାଡ଼ି ସୋରିଷ କୋବି ବୁଣିବାର ୨୫ ଦିନ ପରେ ବୁଣନ୍ତୁ। ଏହି ସୋରିଷଯନ୍ତା ଫସଲରେ ୫ ପ୍ରତିଶତ ଫେନ୍‌ଭାଲରେଟ୍ ହେକ୍ଟର ପିଛା ୩୦୦ ମିଲି ସିଞ୍ଚନ କରନ୍ତୁ ।
  • ଠିକିରିପିଠିଆ ପୋକ ଦମନ ଲାଗି ବିଟି ଉତ୍ପାଦ ଲିଟର ପିଛା, ୩ ମି.ଲି. ବା ହେକ୍ଟର ପିଛା ୫ଗ୍ରାମ୍ ଉତ୍ପାଦନ ପ୍ରୟୋଗ ଜରୁରୀ ।
  • ଏକର ପିଛା ୩ଟି ଆଲୋକ ଯନ୍ତା ବସାନ୍ତୁ ।
  • ହେକ୍ଟର ପିଛା ୧ଲକ୍ଷ ଟ୍ରାଇକୋଗ୍ରାମା ବାକ୍ଟ୍ରେ ସପ୍ତାହକ ଅନ୍ତରରେ ୩-୪ ଥର ପ୍ରୟୋଗ କରନ୍ତୁ।
  • ପତ୍ର ଦାଗ ରୋଗ ନିଦାନ ସକାଶେ ହେକ୍ଟର ପିଛା ୧୦୦୦ ଲିଟର ପାଣିରେ ୨ କି.ଗ୍ରା. ମାନ୍‌କୋଜେବ୍ ୭୫ ଡବ୍ଲ୍ୟୁପି ପ୍ରୟୋଗ କରାଯିବା ଜରୁରୀ ।
  • ନିମ୍ବଜାତ ଉତ୍ପାଦନ ୫ ପ୍ରତିଶତ ଏନ୍ଏସ୍ କେଇ ଚାରା ରୋପଣର ୧୮-୨୫ ଦିନ ପରେ ସିଞ୍ଚନ କଲେ ଠିକିରିପିଠିଆ ପୋକ ଦମନ ସମ୍ଭବ ହୁଏ । ଜଉପୋକ ଦମନ ପାଇଁ ହେକ୍ଟର ପିଛା ୪୦ କି.ଗ୍ରା. ଏନ୍ଏସ୍ କେଇ ଗୁଣ୍ଡ, ସିଞ୍ଚନ ଆବଶ୍ୟକ ।
  • ଠିକିରିପିଠିଆ ପୋକ ଦମନ ପାଇଁ ହେକ୍ଟର ପିଛା ୧୦୦-୪୦୦ ଲିଟର ପାଣିରେ ୭୫୦ ମି.ଲି., ସାଇପରମେଥରିନ୍ ୧୦ ଇସିବା ୫୦୦ ଲିଟର ପାଣିରେ ୬୦୦ ମି.ଲି., ସ୍ପିନୋସାଡ୍ ୨.୫ ଇସି /୨୦୦ ଗ୍ରାମ୍ ଇମାମେକ୍‌ଟିନ୍‌ବେନ୍‌ଜୋଏଟ୍  ସିଞ୍ଚନ ଜରୁରୀ ।
  • ମୁଖ୍ୟ ଫସଲରେ ହଳଦିଆ, ଅଠାଳିଆ ଯନ୍ତା ବସାନ୍ତୁ ।
  • ହେକ୍ଟର ପିଛା ୫ଟି ସଂଗ ଆକର୍ଷକ ଥୋପର ପ୍ରୟୋଗରେ ପ୍ରଜାପତି ଜାତୀୟ କୀଟ ଦମନ ସମ୍ଭବ ହୁଏ ।
  • ଏକାବିବିନା ପୋକ ବା ସ୍ପୋଡେପଟେରା ନିୟନ୍ତ୍ରଣ ଲାଗି ଏସ୍ଏଲ୍ ଏନ୍‌ପିଭି ୨୫୦ ଶୁକ ସମତୁଲ ୨-୩ ଥର ଗୁଡ଼ ସହ ପ୍ରୟୋଗ କରନ୍ତୁ ।
  • ଅନ୍ୟ କୀଟ ନିୟନ୍ତ୍ରଣ ପାଇଁ ହେକ୍ଟର ପିଛା ୫୦୦ ଲିଟର ପାଣିରେ ୬୦୦ ଗ୍ରାମ୍ କ୍ଲୋରାନ୍ଟ୍ରାନିଲିପ୍ରୋଲ୍ ପ୍ରୟୋଗ କରିବା ଲାଭପ୍ରଦ ।

ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତତ୍ତ୍ୱ ବିଭାଗ, ଓୟୁଏଟି, ଭୁବନେଶ୍ଵର,

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top