ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଖରାଦିନିଆ ପନିପରିବା ଫସଲ କୀଟ ନିୟନ୍ତ୍ରଣ
ସେଆର କରନ୍ତୁ

ଖରାଦିନିଆ ପନିପରିବା ଫସଲ କୀଟ ନିୟନ୍ତ୍ରଣ

ଜୈବ ଭିତ୍ତିକ ଉପାୟରେ ଖରାଦିନିଆ ପନିପରିବା ଫସଲର କୀଟ ନିୟନ୍ତ୍ରଣ ସମ୍ପର୍କରେ କେତୋଟି ଜାଣିବା କଥା ।

ଖରାଦିନିଆ ପନିପରିବା ଫସଲ

ଓଡ଼ିଶାରେ ଖରାଦିନିଆ ଫସଲ ଭାବେ ମୁଖ୍ୟତଃ ବାଇଗଣ, ଲଙ୍କା, ପୋଟଳ, କଖାରୁ, କଲରା, କାକୁଡି, ଜହ୍ନି ଆଦି କଖାରୁ ଜାତୀୟ ପନିପରିବା, ବରଗୁଡି, ବିନ୍ (ଲଟା ଓ ଗୁଚ୍ଛ ଜାତୀୟ) ପନିପରିବା, ବିଲାତିବାଇଗଣ, ଭେଣ୍ଡି ଓ ଶାଗ ଜାତୀୟ ପନିପରିବା ଇତ୍ୟାଦି ଚାଷ କରାଯାଏ ।

ପନିପରିବାରେ କେଉଁ କେଉଁ ପୋକର ଆକ୍ରମଣ

ଏହି ଦିନେ ଚାଷ କରାଯାଉଥିବା ବାଇଗଣକୁ ଡାଳ ଓ ଫଳ ବିନ୍ଧା ପୋକ, କାଙ୍କେଡିଆ ପୋକ, ପତ୍ରଡିଆଁ ପୋକ, ଲାଲ ଅଷ୍ଟପଦୀ, ଲଙ୍କାକୁ ଉକୁଣିଆ ଓ ଲାଲ ଅଷ୍ଟପଦୀ, କଖାରୁ ଜାତୀୟ ପନିପରିବାକୁ ଫଳମାଛି, କାଙ୍କେଡିଆ, ଲାଲଭୃଙ୍ଗକୀଟ, ବିନ୍‌ଜାତୀୟ ପନିପରିବାକୁ ପତ୍ରଡିଆଁ ପୋକ, ଉକୁଣିଆ ଓ ଫଳ ବିନ୍ଧା ପୋକ ଏବଂ ଭେଣ୍ଡିକୁ ଡାଳ ଓ ଫଳ ବିନ୍ଧା ପୋକ ଆକ୍ରମଣ କରିଥାନ୍ତି । ଉପରୋକ୍ତ କୀଟଙ୍କୁ ନିୟନ୍ତ୍ରଣ କରିବା ଲାଗି ଆମ ଚାଷୀ ଭାଇମାନେ ମୁଖ୍ୟତଃ ରାସାୟନିକ ବିଷ ବ୍ୟବହାର କରିଥାନ୍ତି ।

ଏହାର ଅବିଚାରିତ ବ୍ୟବହାର ଫଳରେ କୀଟର ବିଷ ବିପକ୍ଷରେ ନିରୋଧକ ଶକ୍ତିର ବିକାଶ, ଗୌଣକୀଟର ମୁଖ୍ୟ କୀଟ ରୂପେ ପ୍ରାଧାନ୍ୟ ହାସଲ, ଅନିଷ୍ଟକାରୀ କୀଟଙ୍କୁ ନିୟନ୍ତ୍ରଣ କରୁଥିବା ପରଭୋଜୀ ଓ ପରାଶ୍ରୟୀ କୀଟ ଏବଂ ଅଣୁଜୀବଙ୍କ ମୃତ୍ୟୁ ଯୋଗୁ ଜୈବ ବିବିଧତାର ବିନାଶ, ବାୟୁ ଓ ଜଳ ପ୍ରଦୂଷଣ, ସିଧାସଳଖ ଓ ଅଳ୍ପ ସିଝାଯାଇ ଖଆଯାଉଥିବା ପନିପରିବାରେ ଅବଶେଷାୟ ବିଷାକ୍ତତା ରହିଯାଉଥିବା ଯୋଗୁ ମନୁଷ୍ୟ ଓ ପ୍ରାଣୀଙ୍କର ଶାରୀରିକ ଅସୁସ୍ଥତା ଆଉ ସ୍ଥଳବିଶେଷରେ ମୃତ୍ୟୁ ହୋଇଥାଏ ।

ଜୈବ ଭିତ୍ତିକ ପ୍ରଣାଳୀ ଦ୍ଵାରା ନିୟନ୍ତ୍ରଣ

ଏହିସବୁ ଅସୁବିଧାକୁ ଦୂର କରିବା ସକାଶେ ବିଭିନ୍ନ ଜୈବ ଭିତ୍ତିକ ନିୟନ୍ତ୍ରଣ ପ୍ରଣାଳୀଗୁଡିକ ବ୍ୟବହାର କରିବା ଆବଶ୍ୟକ । ଏହି ଜୈବ ଭିତ୍ତିକ ଉପାୟରେ ମୁଖ୍ୟତଃ ବିଭିନ୍ନ ପ୍ରକାର ବୃକ୍ଷ ଓ ବୃକ୍ଷଜାତ ପଦାର୍ଥର ବ୍ୟବହାର, ପରଭେଜୀ ଓ ପରାଶ୍ରୟୀ ଆଦି ଜୈବ ନିୟନ୍ତ୍ରକ, ବୀଜାଣୁ, ଭୂତାଣୁ, କବକ ଆଦି ରୋଗ । ସୃଷ୍ଟିକାରୀ ଅଣୁଜୀବ, ଜୈବ ରାସାୟନିକ ପଦାର୍ଥ ବ୍ୟବହାରରେ ଫେରୋମୋନ ବା ସଙ୍ଗ ଆକର୍ଷକ ଯନ୍ତା ଓ ବି.ଟି. ବୀଜାଣୁ ପ୍ରବେଶ ଦ୍ଵାରା ସୃଷ୍ଟି ପ୍ରତିରୋଧକାରୀ ବୃକ୍ଷର ବ୍ୟବହାର ପ୍ରଧାନ । ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ ପାଇଁ ବ୍ୟବହୃତ ବୃକ୍ଷ ଓ ବୃକ୍ଷଜାତ ପଦାର୍ଥଗୁଡିକ ହେଲା ନିମ, ଧୂଆଁ ପତ୍ର, କରଞ୍ଜ, ଅରଖ, ବେଗୁନିଆ, ବାସଙ୍ଗ, ପୋଲାଙ୍ଗ, ରସୁଣ, ଲଙ୍କା, ଅଦା ଓ ହଳଦୀ ଆଦି ପ୍ରଧାନ ଏବଂ ଏହା ମଧ୍ୟରୁ ନିମ ଓ ଧୂଆଁ ପତ୍ର ସର୍ବପ୍ରଧାନ । ଏହିସବୁ ବୃକ୍ଷଙ୍କର ସାଧାରଣତଃ ପତ୍ର, ମଞ୍ଜି ଓ ଫଳର ଉପରିଭାଗ ଏବଂ ଛାଲି ଆଦିକୁ ବ୍ୟବହାର କରି କୀଟ ନିୟନ୍ତ୍ରଣ କରାଯାଇଥାଏ ।

ନିମ ମଞ୍ଜି ଉଦ୍ଧୃତାଂଶରୁ ପ୍ରସ୍ତୁତ ଔଷଧ

ଏହା ମଧ୍ୟରୁ ନିମ ମଞ୍ଜି ଉଦ୍ଧୃତାଂଶରୁ ପ୍ରସ୍ତୁତ ଔଷଧ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ଔଷଧ ପ୍ରସ୍ତୁତ କରିବାର ପ୍ରଣାଳୀଟି ହେଲା-୫୦୦ ଗ୍ରାମ ତଟକା ନିମମଞ୍ଜିକୁ ଅଳ୍ପଛେଚି ୧ ଲିଟର ପାଣିରେ ଗୋଟିଏ ରାତି ବଡୁରାଇବେ । ତା'ପରେ ଏହାକୁ ଚିପୁଡି ସେଥିରେ, ପାଣି ମିଶାଇ ୧୦ ଲିଟର କରିବେ । ପ୍ରାୟ ୨୦ ଗ୍ରାମ ସୂର୍ଯ୍ୟକୁ ୧/୨ ଲିଟର ପାଣିରେ ଗୋଳାଇ ଉକ୍ତ ଦ୍ରବଣରେ ମିଶାନ୍ତୁ । ଏହିପରି ପ୍ରସ୍ତୁତ ୧୦୦ ଲିଟର ଦ୍ରବଣ ୧ ଏକର ଜମି ପାଇଁ ଆବଶ୍ୟକ ହୋଇଥାଏ ।

ଆଜିକାଲି ବଜାରରେ ନିମରୁ ପ୍ରସ୍ତୁତ ଅନେକ କୀଟନାଶକ ଯଥା ଅନ୍ତି ନିମ, ମଲ୍ଲିନିମ, ଓଜୋନିମ୍. ନିମାଜଲ, ଆଚୁକ, ରକ୍ଷକ, ଇକୋନିମ୍, ରିପେଲିନ, ନିମନାଥ, ନିର୍ମାରିନ, ଫର୍ତ୍ତନ ଇତ୍ୟାଦି ନାମରେ ଉପଲବ୍ଧ ହେଉଅଛି ।

କୀଟର ନିୟନ୍ତ୍ରଣ ଲାଗି ପରଭୋଜୀ ଓ ପରାଶ୍ରୟୀ କୀଟର ବ୍ୟବହାର

ଏସବୁ ଛଡା ଉପରୋକ୍ତ ପନିପରିବାକୁ ଆକ୍ରମଣ କରୁଥିବା ଅନେକ ପ୍ରକାର କୀଟର ନିୟନ୍ତ୍ରଣ ଲାଗି ପରଭୋଜୀ ଓ ପରାଶ୍ରୟୀ କୀଟଙ୍କୁ ମଧ୍ୟ ବ୍ୟବହାର କରାଯାଇଥାଏ । ପତ୍ରଡିଆଁ, ଉକୁଣିଆ, ଦହିଆ ଓ ଅଷ୍ଟପଦୀ ଆଦି ଶୋଷକ ଅନିଷ୍ଟକାରୀଙ୍କୁ ନିୟନ୍ତ୍ରଣ ପାଇଁ ବ୍ୟବହୃତ ପରଭୋଜୀ କୀଟଗୁଡିକ ହେଲା ଚେଇଲୋମେନେସ୍, ଇନ୍ଦ୍ରଗୋପୀ ଭୃଙ୍ଗ(କକ୍‌ସିନେଲା), ଚିଲୋକାରୋସ୍, କୋରୁଲସ୍ ଏକର ପ୍ରତି ୫୦୦ଟି ୨-୩ଥର ଓ କ୍ଲାଇସୋପର୍ଲ ୫୦,୦୦୦ ପ୍ରଥମ ପିଢି ଶୂକ ବ୍ୟବହାର କରାଯାଇପାରିବ । ସେହିପରି ଟ୍ରାଇକୋଗ୍ରାମା ଚିଲୋନିସ ପରାଶ୍ରୟୀ କୀଟକୁ ହେକ୍ଟର ପିଛା ୫୦,୦୦୦ ହିସାବରେ ୬ ଥର ବ୍ୟବହାର କରି ବାଇଗଣ ଓ ଭେଣ୍ଡିର ଡାଳ ଏବଂ ଫଳବିନ୍ଧା କୀଟ, ଟମାଟୋ ଓ ବିନ, ଜାତୀୟ ଫସଲର ଫଳବିନ୍ଧା ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ଅଣୁଜୀବଙ୍କ ଦ୍ଵାରା ଜୈବିକ ପଦ୍ଧତିରେ କୀଟ ନିୟନ୍ତ୍ରଣ

ବିଭିନ୍ନ ପ୍ରକାରର ଅଣୁଜୀବଙ୍କ ଦ୍ଵାରା ମଧ୍ୟ ଜୈବିକ ପଦ୍ଧତିରେ କୀଟ ନିୟନ୍ତ୍ରଣ କରାଯାଇଥାଏ । ଯେପରି କି ବାସିଲସ ଥୁରିନଜିଏନ୍ସିସ୍(ବି.ଟି.)ରୁ ପ୍ରସ୍ତୁତ ଡିପେଲ, ଡେଲଫିନ, ବ୍ୟାକ୍ଟ୍ରିନ, ବାୟୋଟେକ ଓ ସରଟାନ ଆଦି ବୀଜାଣୁ ଜାତୀୟ କୀଟନାଶକ ଏକର ପିଛା ୪୦୦ ଗ୍ରାମକୁ ୨୦୦ ଲି. ପାଣିରେ ମିଶାଇ ସିଞ୍ଚନ କରି ବିଭିନ୍ନ ଫସଲର ଡାଳ ଓ ଫଳବିନ୍ଧା କୀଟ ନିୟନ୍ତ୍ରଣ କରାଯାଇପାରୁଛି ।

ଭୂତାଣୁରୁ ପ୍ରସ୍ତୁତ ଏଚ୍ଏଏନପିଭି ଦ୍ଵାରା ପୋକ ନିୟନ୍ତ୍ରଣ

ସେହିପରି ଏନ.ପି.ଭି. ଭୂତାଣୁରୁ ପ୍ରସ୍ତୁତ ଏଚ୍ଏଏନପିଭି(ବଜାରରେ ମିଳୁଥିବା ହେଲଓସେଲ, ହେଲିସାଇଡ, ବାୟୋଭାଇରସ-ଏଚ୍), ଏସ୍.ଏ.ଏନପିଭି(ବଜାରରେ ପ୍ରାପ୍ତ ସ୍ପୋଡୋସାଇଡ, ବାୟୋଭାଇରସ-ଏସ) ୨୫୦ ଶୂକ ତତ୍ତୁଲ୍ୟ (୧ ମି.ଲି. କୁ ୧ ଲି. ପାଣିରେ) ଗୋଳାଇ ସିଞ୍ଚନ କରି ଯଥାକ୍ରମେ ଛୁଇଁ ଜାତୀୟ ଫସଲ ଓ ଭେଣ୍ଡିକୁ ଆକ୍ରମଣ କରୁଥିବା ଫଳବିନ୍ଧା ପୋକ ଏବଂ ବିଭିନ୍ନ ଫସଲକୁ ଆକ୍ରମଣ କରୁଥିବା ପତ୍ରଖିଆ ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ସେହିପରି କବକ ଜାତୀୟ ଅଙ୍କୁଶ, ବାୟୋରିନ, ବ୍ୟୁଭେରିଆ, ଲାର୍ଭୋସେଲ ଏକର ପିଛା ୧ କି.ଗ୍ରା.କୁ ୨୦୦ ଲିଟର ପାଣିରେ ଗୋଳାଇ ସିଞ୍ଚନ କରି ବିଭିନ୍ନ ପ୍ରକାର ଶୋଷକ ଓ ପତ୍ରଖିଆ ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ଜୈବ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ପୋକ ନିୟନ୍ତ୍ରଣ

ଆହୁରି ମଧ୍ୟ ଜୈବ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ଫେରୋମୋନ ଯନ୍ତା ହେକ୍ଟର ପିଛା ୬ରୁ ୮ ଓ ୫୦ଟି ବ୍ୟବହାର କରି ଯଥାକ୍ରମେ ଏହାର ଆଗମନ ଓ ସମୂହ ବିନାଶ କରାଯାଇପାରିବ । ସାଧାରଣତଃ ଏକ ନିର୍ଦ୍ଦିଷ୍ଟ କୀଟ ପାଇଁ ନିର୍ଦ୍ଦିଷ୍ଟ ଫେରୋମୋନ  ଲିୟୋର (ବଟିକା) ବ୍ୟବହାର କରାଯାଇଥାଏ ଓ ଏହାକୁ ପ୍ରତି ୧୫ ଦିନ ଅନ୍ତରରେ ବଦଳାଇବା ଆବଶ୍ୟକ ।

ଦେଶୀୟ ପଦ୍ଧତିରେ କୀଟ ନିୟନ୍ତ୍ରଣ

ଏସବୁ ବ୍ୟତୀତ ଦେଶୀୟ ପଦ୍ଧତିରେ ମଧ୍ୟ ଅନେକ କୀଟ ନିୟନ୍ତ୍ରଣ କରାଯାଇପାରିବ । ୧୦୦ ଗ୍ରାମ ହଳଦୀଗୁଣ୍ଡ ସହିତ ୧୦-୨୦ ଗ୍ରାମ ଚୂନ ମିଶାଇ ଏହାକୁ ୧୦ ଲିଟର ପାଣିରେ ଗୋଳାଇ, ୫ କି.ଗ୍ରା. ନିମପତ୍ରକୁ ଛୋଟି ୫୦୦ ମି.ଲି. ଗୋମୂତ୍ର ଓ ୨ କି.ଗ୍ରା. ଗୋବର ମିଶାଇ ୨-୪ ଦିନ ପଚାଇବା ପରେ ୨୦୦ ଲି. ପାଣିରେ ଗୋଳାଇ ସିଞ୍ଚନ କଲେ, ୨୦ ଗ୍ରାମ ହଳଦୀଗୁଣ୍ଡକୁ ୨୦୦ ମି.ଲି. ଗୋମୂତ୍ରରେ ମିଶାଇ ସିଞ୍ଚନ କଲେ ପତ୍ରଡିଆଁ, ଜଉ, ମହୁଆ, ଉକୁଣିଆ ଆଦି ଶୋଷକ କୀଟକୁ ନିୟନ୍ତ୍ରଣ କରାଯାଇପାରିବ । ସେହିପରି ଭେଣ୍ଡି, ବାଇଗଣ, ବିଲାତିବାଇଗଣ ଓ ଛୁଇଁ ଜାତୀୟ ପନିପରିବାର ଡାଳ ଓ ଫଳ ବିନ୍ଧା ପୋକ ଏବଂ ବିଭିନ୍ନ ଫସଲର ପତ୍ରଖିଆପୋକଙ୍କ ନିୟନ୍ତ୍ରଣା ଲାଗି ୫୦ ଗ୍ରାମ ରସୁଣ, ୨୫ ଗ୍ରାମ କଞ୍ଚାଲଙ୍କା ଓ ୨୫ ଗ୍ରାମ ଅଦାଖଣ୍ଡକୁ ଅଲଗା ଅଲଗା ବାଟଣା କରି ୬ ଲି. ପାଣିରେ ଗୋଳାଇ ସିଞ୍ଚନ କରିପାରିବେ ।

ନଚେତ୍ ୫ କି.ଗ୍ରା ନିମପତ୍ର, ୧ କି.ଗ୍ରା. ଅମରି, ୫୦୦ ଗ୍ରାମ କଞ୍ଚାଲଙ୍କା, ୫୦୦ ଗ୍ରାମ ରସୁଣକୁ ଅଲଗା ଅଲଗା ଭଲ ଭାବରେ ଛୋଟି ୧୦ ଲି, ଗୋମୂତ୍ରରେ ମିଶାଇ ସିଝାଇ ଏହାର ନିର୍ଯ୍ୟାସକୁ ୧୦୦ ଲି. ପାଣିରେ ଗୋଳାଇ ସିଞ୍ଚନ କରାଯାଇପାରିବ । କଖାରୁ ଜାତୀୟ ପନିପରିବାର ଫଳମାଛି ଓ ବିଲାତିବାଇଗଣର ପତ୍ରଖନକ କୀଟର ନିୟନ୍ତ୍ରଣ ପାଇଁ କୋଚିଳା ଗଛର ଛେଲିଗୁଣ୍ଡ ୧୦୦ ଗ୍ରାମ ସହିତ ୧୦ ଗ୍ରାମ ଗୁଡ, ୧ ଲି. ପାଣିରେ ମିଶାଇ ଫୁଟାଇ ୯ ଲି. ପାଣିରେ ଗୋଳାଇ ତା’ ସହିତ ୧୦-୧୨ ଗ୍ରାମ ରସୁଣ ବାଟଣ ମିଶାଇ ସିଞ୍ଚନ କରାଯାଇପାରିବ । କଖାରୁ ଜାତୀୟ ଫସଲର ଫଳମାଛିର ନିୟନ୍ତ୍ରଣ ପାଇଁ ନୂତନ ରୂପେ ଆବିଷ୍କୃତ ଥୋପ ପ୍ରୟୋଗ ପ୍ରଣାଳୀରେ ୨୫ ଗ୍ରାମ ଗୁଡ, ୨.୫ ଗ୍ରାମ ମାଲାଥିଅନ (ଡିଡିଭିପି) ଡେଲଟାମେଥ୍ରିନ ୧ ଲିଟର ପାଣିରେ ଗୋଳାଇ ଏକର ପିଛା ୨୦-୨୫ ଜାଗାରେ ଛୋଟ ସରାରେ ରଖା ଏହି କୀଟର ନିୟନ୍ତ୍ରଣ କରାଯାଇପାରିବ । ଏହା ବ୍ୟତୀତ ପ୍ଲାଷ୍ଟିକ ନିର୍ମିତ ବୋତଲରେ ଯନ୍ତା ତିଆରି କରି ଫଳମାଛିକୁ ଧରି ସମୂହ ନଷ୍ଟ କରାଯାଇପାରେ ।

ଏଥିପାଇଁ ଇଥାନଲ ପ୍ଲସ ମାଲାଥିଅନ(ଡିଡିଭିପି ପ୍ଲସ କ୍ୟୁଲିଓର (୬:୧:୨) ଦ୍ରବଣକୁ ପ୍ଲାଇ କାଠରେ ତିଆରି ଚୁକ (ପ୍ଲାଇଉଡ୍ ଚୁକ) ଏକର ପିଛା ୧୦୧୨ଟି ରଖାଯାଇ ଫଳ ମାଛି ନିୟନ୍ତ୍ରଣ କରାଯାଇପାରିବ । ବର୍ତ୍ତମାନ କେତେକ ଜୈବିକ ନୂତନ ପିଢି କୀଟନାଶକ ବ୍ୟବହାର କରି ଯଥା ସାକାରୋନେସ୍ଫାରା ନଷ୍ଟାଇନୋଶା ନାମକ ଆକ୍ସିନୋମାଇସିନ୍ସ ଅଣୁ ଜୀବରୁ ପ୍ରସ୍ତୁତ ସ୍ପଇନୋସିଡ, ଷ୍ଟ୍ରେପଟୋମାଇସେସ ଆଭରମେକ୍ଟିନସରୁ ପ୍ରସ୍ତୁତ ଆଭରମେକ୍ଟିନସ ଓ ସମୁଦ୍ରଜାତ ଲୁମ୍ବ୍ରିକନେରିସରୁ ପ୍ରସ୍ତୁତ କାରଟାପ ହାଇଡ୍ରୋକ୍ଲୋରାଇଡ ବ୍ୟବହାର କରି ବିଭିନ୍ନ ଫସଲର ଡାଳ ଓ ଫଳ ବିନ୍ଧା ପୋକ ଏବଂ ଶୋଷକ କୀଟଙ୍କର ନିୟନ୍ତ୍ରଣ କରାଯାଇପାରିବ ।

ଲେଖା ଏବଂ ପ୍ରାପ୍ତ  - ଡ. ଦେବବ୍ରତ ପାଣିଗ୍ରାହୀ ସହଯୋଗୀ ଗବେଷଣା ନିର୍ଦ୍ଦେଶକ, ଆଞ୍ଚଳିକ ଗବେଷଣା ଓ ବୈଷୟିକ ଜ୍ଞାନ କୌଶଳ ସମ୍ପ୍ରସାରଣ କେନ୍ଦ୍ର(ଓ.ୟୁ.ଏ.ଟି.), ମହିଷାପାଟ, ମୋ :୯୪୩୭୨୭୨୦୦୯

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top