ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଫଳ ଓ ପନିପରିବା ସଂରକ୍ଷଣ ଇତିହାସ ଆବଶ୍ୟକତା, କ୍ଷେତ୍ର ଓ ସୁବିଧା
ସେଆର କରନ୍ତୁ

ଫଳ ଓ ପନିପରିବା ସଂରକ୍ଷଣ ଇତିହାସ ଆବଶ୍ୟକତା, କ୍ଷେତ୍ର ଓ ସୁବିଧା

ଫଳ ଓ ପନିପରିବା ସଂରକ୍ଷଣ ଇତିହାସ ଆବଶ୍ୟକତା , କ୍ଷେତ୍ର ଓ ସୁବିଧା ସମ୍ବନ୍ଧିତ ତଥ୍ୟ ।

ଫଳ ଓ ପନିପରିବା ସଂରକ୍ଷଣ ଇତିହାସ

ପୃଥିବୀର ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି   । ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ମଧ୍ୟ କିଛି ଖାଦ୍ୟପଦାର୍ଥ ନଷ୍ଟ ହେଉଛି   । ଯାହା ଫଳରେ ନିୟମିତଭାବେ ସନ୍ତୁଳିତ ଖାଦ୍ୟ ପ୍ରତ୍ୟେକଙ୍କୁ ମିଳିବା ସମ୍ଭବପର ହେଉନାହିଁ  । ସ୍ୱାସ୍ଥ୍ୟରକ୍ଷାକାରୀ ଖାଦ୍ୟ ପଦାର୍ଥ ଯଥା – ଫଳ, ପନିପରିବା, ମସଲା ଦ୍ରବ୍ୟ ଆଦିର ସୁପରିଚାଳନା କରାନଯିବା ଦ୍ଵାରା ଏହି ପ୍ରକାରର ବହୁ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ   । ବଳକା ଫଳ ପନିପରିବାଗୁଡିକ ଶୀଘ୍ର ବ୍ୟବହାର କରିବା ସମ୍ଭବ ହେଉନଥିବା ହେତୁ ସଂରକ୍ଷଣ କରିବା ଦରକାର ହୋଇଥାଏ  । ତେଣୁ ତଟକାବସ୍ତାରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡିକ ସଂରକ୍ଷିତ କରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରେ   ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଉପଯୋଗ କରି ବିକାଶଶୀଳ ଦେଶଗୁଡିକ ନିଜ ଦେଶରେ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାରର ଖାଦ୍ୟପଦାର୍ଥ ଗୁଡିକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିଥାନ୍ତି  ଓ ସେଗୁଡିକୁ ବହୁଦିନ ଯାଏଁ ଅକ୍ଷତ ଅବସ୍ଥାରେ ବ୍ୟବହାର କରାଯାଇଥାଏ  । ଭାରତରେ ବିଶେଷ କରି ଫଳ ଓ ପନିପରିବାଗୁଡିକୁ ଗୃହସଂରକ୍ଷଣ ଭିତ୍ତିରେ ଆଚାର, ମୋରବବା, ଖରାରେ ଶୁଖାଇ ସଂରକ୍ଷିତ କରିବା ପ୍ରଥା ବହୁ ପୂର୍ବରୁ ଚାଲିଆସିଛି  ।  ଲୁଣ, ଗୁଡ, ମସଲା ତେଲ, ହଳଦୀ, ମହୁ, ଇତ୍ୟାଦି ବ୍ୟବହାର କରି ସେଗୁଡିକୁ ବହୁଦିନ ଧରି ସଂରକ୍ଷଣ କରି ବ୍ୟବହାର କରାଯାଉଛି  । କିନ୍ତୁ ବ୍ୟବସାୟିକ ଭିତ୍ତିରେ ସଂରକ୍ଷଣ ହେଉନଥିବାରୁ ଫଳ ଓ ପନିପରିବାଗୁଡିକ ଅଳ୍ପ ଦିନରେ ନଷ୍ଟ ହୋଇଯାଉଛି  । ବିଜ୍ଞାନର ଅଗ୍ରଗତି ଫଳରେ ନାନା ଉପାୟରେ ଓ ବିଭିନ୍ନ ରୁଚି ସମ୍ପୂର୍ଣ୍ଣ ଖାଦ୍ୟ ପଦାର୍ଥ ସଂରକ୍ଷଣ କରିବା ସମ୍ଭବପର ହୋଇପାରିଛି   ।  ସଂରକ୍ଷିତ ଖାଦ୍ୟଗୁଡିକୁ ବର୍ଷସାରା ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ବ୍ୟବସାୟ ସୂତ୍ରରେ ଅନ୍ୟ ଦେଶରେ ବିକ୍ରି କରି ଦେଶପାଇଁ ଅର୍ଥ ଉପାର୍ଜନ କରାଯାଇ ପାରୁଛି  । ଏହାଛଡା ସଂରକ୍ଷିତ ଖାଦ୍ୟ ପଦାର୍ଥଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଅଞ୍ଚଳରେ ବ୍ୟବହାର କରିବା ଲାଗି ସୁବିଧା ହୋଇଥାଏ  । ପୁଣି ଯେଉଁ ଅଞ୍ଚଳରେ ବିଭିନ୍ନ ଫଳ ଓ ପନିପରିବା ଯୋଗାଇବା ଦ୍ଵାରା ଲାଭଦାୟକ ହୋଇଥାଏ  । ସଂରକ୍ଷିତ ଅବସ୍ଥାରେ ତଟକା ଫଳ ଓ ପନିପରିବା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ରକ୍ଷାର ଉତ୍ତମ ସୁଯୋଗ ମିଳେ  । ଫଳ ଓ ପନିପରିବା ସଂରକ୍ଷଣ କରିବା ସ୍ୱାସ୍ଥ୍ୟ ରକ୍ଷାର ଉତ୍ତମ ସୁଯୋଗମିଳେ  । ଦେଶରେ ଫଳ ଓ ପନିପରିବା ଚାଷ ବଢାଇବା ସଙ୍ଗେ ସଂରକ୍ଷଣ ଶିଳ୍ପ ସୁବିଧାରେ ବଢାଯାଇପାରିବ ।

ଆମ ଦେଶରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ବିକାଶ କରିଥିବା ଅନ୍ୟ ଦେଶର ଶିଳ୍ପ ତୁଳନାରେ ପଛରେ ପଡିଛି  । ବହୁ ବିକାଶଶୀଳ ଦେଶରେ ଏଗୁଡିକର ଚାଷ ତଥା ସଂରକ୍ଷଣ ଶିଳ୍ପରେ ବୃଦ୍ଧି ଘଟିଲେ ସେ ଦେଶଗୁଡିକର ଆର୍ଥିକ ଉନ୍ନତି ତଥା ସୁସ୍ଥସବଳ ଜାତି ଗଠନ କରିବା ସହଜ ହେବା ସ୍ଵାଭାବିକ  ।  ଭାରତ ତଥା ଓଡିଶା ରାଜ୍ୟରେ ଫଳ ଓ ପନିପରିବା ଅମଳ କରିବା ଲାଗି ଯଥେଷ୍ଟ ସୁଯୋଗ ରହିଥିବା ଦୃଷ୍ଟିରୁ ଓ ଅମଳ କରାଯାଉଥିବା ଖାଦ୍ୟପଦାର୍ଥ ଗୁଡିକୁ ନଷ୍ଟ ନକରି ବ୍ୟବହାର ଆବଶ୍ୟକତା ଥିବା ଦୃଷ୍ଟିରୁ , ଫଳ ଓ ପନିପରିବା ଗୁଡିକୁ ବିଭିନ୍ନ ଉପାୟରେ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି । ଫଳ ଓ ପନିପରିବା ଚାଷ  ସଂରକ୍ଷଣ ପ୍ରୟୋଗ ବିଜ୍ଞାନ ଜନିତ ଗବେଷଣା ଓ ସଂରକ୍ଷଣ ଶିଳ୍ପ ପ୍ରତିଷ୍ଠାନ ସହିତ ଏହାର ଉପଯୁକ୍ତ ପରିଚାଳନା କରାଗଲେ , ଦେଶ ବା ରାଜ୍ୟର ପ୍ରଭୂତ ଉପକାର ହୋଇପାରିବ  । ଗୃହଭିତ୍ତିକ, କୁଟୀରଶିଳ୍ପ ଭିତ୍ତିକ ତଥା ବୃହତ ଶିଳ୍ପ ଭିତ୍ତିକ ପରିଯୋଜନା କରାଗଲେ ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନେ ଲାଭବାନ ହେବା ସମ୍ଭବ ହେବ । ଭାରତରେ ଅଳ୍ପ କେତେକ ଅଞ୍ଚଳରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ସ୍ଥାପନା କରାଯାଇଛି  । ଏହା ଅବଶ୍ୟ ଆବଶ୍ୟକତା ଦୃଷ୍ଟିରୁ ବହୁତ କମ  । ମହୀଶୂରରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସେଣ୍ଟ୍ରାଲ ଫୁଡ ଟେକେନୋଲଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ  । ଗବେଷଣା କେନ୍ଦ୍ର ଖାଦ୍ୟ ସଂରକ୍ଷଣ ଡ଼ିଆଇଜିରେ ବହୁ ସହାୟକ ହୋଇଛି  । ସପ୍ତମ ଯୋଜନା ରେ “ ଫୁଡ ପ୍ରୋସେସିଙ୍ଗ ମିନିଷ୍ଟ୍ରି“  ଖୋଲିବା ଦ୍ଵାରା ଭାରତରେ ଖାଦ୍ୟ  ସଂରକ୍ଷଣ ଶିଳ୍ପର ଉତ୍ତମ ବିକାଶ ଘଟିବା ସମ୍ଭବପର ହୋଇଛି   । ଓଡିଶାରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରିବା ଲାଗି ସୁଯୋଗ ରହିଛି  । ଓଡିଶା ରାଜ୍ୟ ହିମମଣ୍ଡଳ ର ବହୁ ଦୂରରେ ଅବସ୍ଥିତ  ।  ଓଡିଶାର ପାହାଡିଆ ଅଞ୍ଚଳଗୁଡିକ ନାତିଶୀତୋଷ୍ଣ ମଣ୍ଡଳର ଅନ୍ତର୍ଭୂକ୍ତ କରାଯାଇ ନପାରେ, କିନ୍ତୁ ଏହା ଗ୍ରୀଷ୍ମମଣ୍ଡଳ ଥିବାରୁ ଏହାକୁ ଅନ୍ତର୍ଭୁକ୍ତ କଲେ ଠିକ ହେବ  ।

କେଉଁ ଅଞ୍ଚଳରେ କେଉଁ କେଉଁ ଫସଲ ଚାଷ ବ୍ୟବସାୟିକ ଦୃଷ୍ଟିରୁ ଉତ୍ତମ

ଏହି ଦୃଷ୍ଟିରୁ ଓଡିଶାର ଜଳବାୟୁ ତଥା ଟପୋଗ୍ରାଫି କଥା ବିଚାର କଲେ ଏହା ଚାରିଗୋଟି ଅଞ୍ଚଳରେ ବିଭକ୍ତ କରାଯାଇପାରେ ଓ ପ୍ରତ୍ୟେକ ଅଞ୍ଚଳରେ ବିଶେଷ ଭାବେ କେଉଁ  କେଉଁ ଫଳ ପନିପରିବା ଓ ମସଲା ଜାତୀୟ ଫସଲ ଚାଷ ବ୍ୟବସାୟିକଦୃଷ୍ଟିରୁ ଉତ୍ତମ ହେବ ତାହା ଜାଣିବା ଉଚିତ (ଟେବୁଲ 1 ଦ୍ରଷ୍ଟବ୍ୟ )  ।

ଅଞ୍ଚଳ

ଜିଲ୍ଲା

କେଉଁ ଫସଲ ଚାଷ କରାଯିବ

ଉତ୍ତର ମାଳ ଅଞ୍ଚଳ ୬୦୦ ରୁ ୯୦୦ ମି ସମୁଦ୍ର ପତ୍ତନଠାରୁ ଉଚ୍ଚ

(ରାଜ୍ୟର ୨୩%ଅଂଶ )

ମୟୂରଭଞ୍ଜ, କେନ୍ଦୁଝର, ସୁଦଣ୍ଡରଗଡ,  ପାଲହୁଡା ସବଡିଭିଜନ, ତାଳଚେରର କିଛି ଅଂଶ,  ଢେଙ୍କାନାଳ, ଉତ୍ତର ପଶ୍ଚିମ ଯାଜପୁର,  ଦେବଗଡ, ନୀଳଗିରି , କୁଛିଣ୍ଡା,  ଉତ୍ତର ରେଢାଖୋଲ

ଲିଚୁ, ସାନ୍ତରା ,ଆମ୍ବ ଓ ଅନ୍ୟାନ୍ୟ ଫଳ , ମୂଳଜାତୀୟ ପାରିବା ଗୟାଆଳୁ, ଅଦା, ଧନିଆ, ଲଙ୍କା, ମେଥି ଇତ୍ୟାଦି ମସଲା    ।

 

ମଧ୍ୟ  ସମତଳ ଅଞ୍ଚଳ ୩୦୦ ରୁ ୯୦୦ ମି ସମୁଦ୍ର ପତ୍ତନ ଠାରୁ ଉଚ୍ଚ

ବଲାଙ୍ଗୀରି, ଦକ୍ଷିଣ ଢେଙ୍କାନାଳ ଉତ୍ତର ବୌଦ୍ଧ ସବଡିଭିଜନ ଫୁଲବାଣୀ, ପଦ୍ମପୁର,  ସମ୍ବଲପୁର(ସଦର) ଦକ୍ଷିଣ ରେଢାଖୋଲ

ଆମ୍ବ, ପିଜୁଳି, ବେଲ, ଲିଚୁ, କମଳା, ଲେମ୍ବୁ,  କଦଳୀ, ସାନ୍ତରା, ପଣସ, ସମସ୍ତ ପ୍ରକାରର ପନିପରିବା, ଆଳୁ, ମିଠା ମକା, ଛତୁ, ସପୁରି, ଡାଳିମ୍ବ  ।

ପୂର୍ବଘାଟ ପାହାଡିଆ ଅଞ୍ଚଳ ୩୦୦ ରୁ ୬୦୦ ମି ସମୁଦ୍ର ପତ୍ତନ ଠାରୁ ଉଚ୍ଚ

ଫୁଲବାଣୀ (ଉତ୍ତର ଅଞ୍ଚଳ ଛଡା ଓ ଗଞ୍ଜାମ ଉତ୍ତର ପଶ୍ଚିମ ଅଞ୍ଚଳ ଛଡା), ବୌଦ୍ଧ (ସ.ଡି ) କୋରାପୁଟ

ସାରୁ, ପଣସ, ଡାଳିମ୍ବ, କଦଳୀ, କଫି, ବିଭିନ୍ନ ପ୍ରକାରର ପନିପରିବା ,ହଳଦୀ, ଅଦା, ପାଳୁଅ ତେଜପତ୍ର ଇତ୍ୟାଦି

ଉପକୂଳ ସମତଳ ଅଞ୍ଚଳ

ବାଲେଶ୍ଵର, କଟକ, ପୁରୀ, ପୂର୍ବ ଗଞ୍ଜାମ ଅଞ୍ଚଳ

ନଡିଆ, କାଜୁବାଦାମ , ଆମ୍ବ , ସପେଟା , ଲିଚୁ , ପଣସ , ବରକୋଳି , ଦାଲଦି ଅମୃତଭଣ୍ଡା , ସପୁରି ସମସ୍ତ ପ୍ରକାରର ପନିପରିବା , ମିଠା , ମକା , ଛତୁ , ଧନିଆ , ସୋରିଷ ସୋୟାବିନ   ।

 

ଉପରୋକଟ ସାରଣୀରୁ ଜଣାହେବ ଯେ ଓଡିଶାରେ ନାନା ପ୍ରକାରର ଫଳ, ପନିପରିବା, ମସଲା ଜାତୀୟ ଫସଲ ଚାଷ କରାଯାଇପାରିବ, କାରଣ ପ୍ରତ୍ୟେକ ଅଞ୍ଚଳର ଜଳବାୟୁ ଟୋପୋଗ୍ରାଫି (ଉଚ୍ଚତା) ଓ ବିଭିନ୍ନ ନଦୀ ବିଚାରକୁ ନେଇ ଭୂତଳ ଜଳର ସଦୁପଯୋଗ ଦ୍ଵାରା ଫସଲ ଅମଳ ବଢାଗଲେ ଖାଦ୍ୟ ସଂରକ୍ଷଣ ଶିଳ୍ପ ସୁବିଧାରେ ଗଢିଉଠିବ   ।

ଫଳ ଓ ପନିପରିବା ସଂରକ୍ଷଣ ଓ ନଷ୍ଟ ହେବାର କାରଣ`

ଫଳ ଓ ପନିପରିବା ସହଜରେ ଓ କମ ସମୟ ଭିତରେ ନଷ୍ଟ ହୋଇଯାଏ  । କାରଣ ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟଅଂଶ ରହିଥାଏ  । ଧାନ, ମୁଗ,  ବିରି, ଗହମ, ତୈଳବୀଜ ଆଦିରେ ଶତକଡା ୨୦ ଭାଗ ଜଳ ରହୁଥିବା ସ୍ଥଳେ ତଟକା ଫଳ ଓ ପନିପରିବା ଗୁଡିକରେ ଶତକଡା ୫୮ ରୁ ୯୫ ଭାଗ ଜଳୀୟଅଂଶ ରହିଥାଏ  । ପରୀକ୍ଷାରୁ ଜଣାଯାଏ ଯେ ଫଳ ଓ ପନିପରିବା ଗୁଡିକର ସଂରକ୍ଷିତ ସମୟ ପରିପାର୍ଶ୍ୱିକ ଉପରେ ପ୍ରଧାନତଃ ନିର୍ଭର କରେ  । ଉଦାହରଣ ସ୍ୱରୂପ , କୌଣସି ପରିବେଶର ଉତ୍ତାପ ୨୧ ଡିଗ୍ରୀ ହେଲେ  ସାଧାରଣ ଭାବେ ତଟକା ଫଳ ଗୁଡିକ ୧ ରୁ ୭ ଦିନ ଯାଏ ରଖାଯାଇପାରେ, ଶୁଖିଲା ଫଳ ୩୦୦ ରୁ ୩୬୦ ଦିନ ଯାଏ ରହିପାରେ  ।  ପନିପରିବା ମୁଖ୍ୟତଃ ତଟକା ଅବସ୍ଥାରେ ଦୈନନ୍ଦିନ ବ୍ୟବହୃତ ହୋଇଥାଏ  । ଏହା ଅମଳ ହେବା ପରେ ପରେ କମ ସମୟ ଭିତରେ ବ୍ୟବହାର ନ କଲେ ଏଗୁଡିକ ପଚି ସଢି ନଷ୍ଟ ହୋଇଯାଏ  । ବ୍ୟବସାୟ ଦୃଷ୍ଟିରୁ ଏହା କ୍ଷତିକାରକ ଅଟେ  ।  ତେଣୁ ଫଳ ଓ ପନିପରିବା ଗୁଡିକର ଏହି ପ୍ରକାରର କ୍ଷତି ଦୂର କରିବା ଲାଗି ସଂରକ୍ଷଣ ପଦ୍ଧତି ଅବଲମ୍ବନ କରାଯାଇଥାଏ  । ସଂରକ୍ଷଣ କରିବାକୁ ହେଲେ ବିଶେଷକରି ବ୍ୟବସାୟିକଭିତ୍ତିରେ ଫଳ ଓ ପନିପରିବା ସଂରକ୍ଷଣ ଲାଗି (୧)କଞ୍ଚାମାଲ ପ୍ରାପ୍ତ (୨) ଶ୍ରମ (୩) ଧନ (୪) ବଜାର (୫) ପ୍ରଚାର କାର୍ଯ୍ୟ (୬) ଯାତାୟାତ ତଥା ପରିବହନର ସୁବ୍ୟବସ୍ଥା (୭) ସଂରକ୍ଷଣ କରିବା ଯନ୍ତ୍ରପାତି, ସଂରକ୍ଷଣ କରିବା ଆଧାର ଯଥା ଟିଣ ଡବା, କାଚବୋତଲ,  ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ପେକିଙ୍ଗ ଜିନିଷଗୁଡିକର ଉଚିତ ମୂଲ୍ୟରେ ପ୍ରାପ୍ତି , ବିଜୁଳି ଶକ୍ତି ଓ ଅନ୍ୟାନ୍ୟ ରନ୍ଧନ ଲାଗି ଦରକାର ହେଉଥିବା ଶକ୍ତି ଯଥା କିରୋସିନୀ, ସୂର୍ଯ୍ୟାଲୋକ ଶକ୍ତି ଇତ୍ୟାଦିର ବ୍ୟବସ୍ଥା ଓ ଉତ୍ତମ ଜଳର ବ୍ୟବସ୍ଥା ଆବଶ୍ୟକ  ।  କାରଣ ଏହି ବ୍ୟବସାୟର ଲାଭ ଓ କ୍ଷତି ଏହି କେତୋଟି ମୁଖ୍ୟ ବିଷୟ ଉପରେ ନିର୍ଭର କରିଥାଏ  ।

ଶସ୍ୟ ଫସଲ ତୁଳନାରେ ଫଳ ଓ ପନିପରିବା ଗୁଡିକ କମ ସମୟରେ ନଷ୍ଟ ହୋଇଥାଏ  । ପାଇକାରୀ ଦୋକାନ ଓ ଗୃହରେ ଖୋଲା ପରିବେଶରେ ରହି ଶତକଡା ୨୦ ରୁ ୪୦ ଭାଗ ଫଳ ଓ ପନିପରିବା ନଷ୍ଟ ହୋଇଥାଏ  ।  ଦଲାଲମାନଙ୍କ କାରସାଦି ଯୋଗୁଁ ଅମଳ କରୁଥିବା ଚାଷୀ ଅତି କମ ଦରରେ ଫଳ ଓ ପରିବାଗୁଡିକ ବିକ୍ରି କରିବାକୁ ବାଧ୍ୟ ହେବ ସଙ୍ଗେ ସଙ୍ଗେ ବଜାରରେ ଅତ୍ୟଧିକ ଦରରେ କିଣି ଖାଉଟି କ୍ଷତିରେ ପଡେ କିମ୍ବା ଉଚିତ ପରିମାଣର ଫଳ ଓ ପନିପରିବା ଖାଇବାକୁ ପାଏନାହିଁ  ।  ତେଣୁ ଲାଭ ଦୃଷ୍ଟିରୁ ଫଳ ଓ ପନିପରିବା ଚାଷ ଆଗେଇ ପାରେନାହିଁ  । ଏହାଛଡା ଏହିପ୍ରକାରର ସ୍ୱାସ୍ଥ୍ୟରକ୍ଷାକାରୀ ଖାଦ୍ୟ ପଦାର୍ଥଗୁଡିକ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ଆମ ରାଜ୍ୟରେ ନିଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ  । ପୁଣି ଫଳ ଓ ପନିପରିବା ଗୁଡିକ ଶୁଖିବା , ସଢିବାରୁ ରକ୍ଷା କରିବା ଲାଗି ମଧ୍ୟ ସଂରକ୍ଷଣ ଶିଳ୍ପର ଘୋର ଅଭାବ ରହିଛି   ।  ପ୍ରଥମ ଓ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଓଡିଶାରେ କେବଳ ଦୁଇଟି ଶୀତଳ ଭଣ୍ଡାରରେ ଆଳୁ ବିହନ ସଂରକ୍ଷିତ କରିବାର ସୁବିଧା ହୋଇଥିଲା କିନ୍ତୁ ସଂରକ୍ଷଣ ମୂଲ୍ୟ ଅଧିକ ହେବାଦ୍ଵାରା ଆସୁବିଧା ଦେଖାଦେଲା  । ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ କରିବା ଲାଗି ଶୀତଳ ଭଣ୍ଡାରର ସୁବିଧା ନଥିଲା  ।  ତୃତୀୟ ଓ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାଳରେ ଆଉ କେତେକ ଶୀତଳ ଭଣ୍ଡାର ସ୍ଥାପିତ ହୋଇଥିଲା  ।  ଫଳରେ ଆଳୁଗୁଡିକ ସାଇତିବା ଲାଗି କିଛି ପରିମାଣରେ ସୁବିଧା ହୋଇପାରିଥିଲା   । ସପ୍ତମ ପଞ୍ଚବାର୍ଷିକ ଯୋଜନା ଶେଷ ବେଳକୁ ଓଡିଶାରେ ଛୋଟ ବଡ ହୋଇ ୨୫ଟି ଶୀତଳ ଭଣ୍ଡାର ପ୍ରତିଷ୍ଠିତ ହୋଇ ଆଳୁ ଓ କିଛି ଫଳ ଓ ପରିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ସାଇତିବା ଲାଗି କିଛି ସୁବିଧା ହେଲା  ।  ତଟକା ଫଳ ଓ ପନିପରିବା ବ୍ୟବହାର କରିବା ଲାଗି ଶୀତଳ ଭଣ୍ଡାରର ଆବଶ୍ୟକତା ରହିଥିଲେ ମଧ୍ୟ ଫଳ ଓ ପନିପରିବା ଗୁଡିକୁ ଯାନ୍ତ୍ରିକ ଓ ରାସାୟନିକ ସଂରକ୍ଷଣକୁ ବହୁ ସମୟ ଯାଏଁ ସେଗୁଡିକ ସାଇତିରଖି ବ୍ୟବହାର କରାଯାଇଥାଏ  । ଶୀତଳ ଭଣ୍ଡାରରେ ଫଳ ଓ ପନିପରିବା ଗୁଡିକ ପ୍ରତ୍ୟେକର ନିର୍ଦ୍ଧିଷ୍ଟ ସମୟରୁ ଅଧିକ ସମୟ ରଖିବା ସମ୍ଭବ ହୋଇନଥାଏ  । କିନ୍ତୁ ଅନ୍ୟାନ୍ୟ ପ୍ରଣାଳୀରେ ସେଗୁଡିକୁ  ବର୍ଷ ବର୍ଷ ଧରି ସୁରକ୍ଷିତ କରିବା ସମ୍ଭବ  ।

ଓଡିଶା ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଫଳ ଓ ପନିପରିବା ବହୁତ କମ ପରିମାଣର ଆଦାୟ ହୋଇଥାଏ  ।  ବହୁ ସୁଯୋଗ ଥିବା ସ୍ଥଳେ ଉପଯୁକ୍ତ ଯୋଜନା ଦ୍ଵାରା ଏହାର ଉତ୍ପାଦନ ଚାହିଦା ମୁତାବକ ବଢାଇବା ଦରକାର   । ତଟକା ଫଳ ଓ ପନିପରିବା ଲୋକଙ୍କୁ ଯୋଗାଇବା ସଙ୍ଗେ ସଙ୍ଗେ ଶିଳ୍ପଭିତ୍ତିକ ସଂରକ୍ଷଣ କରାଗଲେ ବହୁ ଉପକାର ମିଳିବ  । ତେଣୁ ଫଳ ଓ ପନିପରିବା ଚାଷ ବହୁ ମାତ୍ରାରେ କରାଯିବା ଦରକାର  ।  ବର୍ତ୍ତମାନ ଅମଳ ହେଉଥିବା ଫଳ ଓ ପନିପରିବା ପ୍ରାୟ ଏକ ତୃତୀୟାଂସ ପଚା, ଶଢା, ଶୁଖା, ଫଟା , ଚେପା , ପୋକଖିଆ ଓ ରୋଗା ହୋଇ ନଷ୍ଟ ହୋଇଥାଏ  । ଏହା ଉଚିତ ବ୍ୟବସ୍ଥା ଦ୍ଵାରା ଦୂର କରାଯିବା ସମ୍ଭବ ।  ଉପଯୁକ୍ତ ଯୋଗାଣ , ପରିବହନ , ଶୀତଳଭଣ୍ଡାରରେ ସଂରକ୍ଷଣ ସୁବିଧା ମିଳିଲେ ଏହି ବ୍ୟବସାୟରେ ବହୁ ଲାଭ ହେବା ସମ୍ଭବ  ।  ଫଳ ଓ ପନିପରିବା  ଚାଷ ବଢାଇବା ସଙ୍ଗେ ସଙ୍ଗେ ଦରକାର ହେଉଥିବା ମସଲା ପଦାର୍ଥଗୁଡିକର (ମେଥି , ଧନିଆ , ପାନମାଧୁରୀ, ଡାଲଚିନି , ସୋରିଷ, ଶୁଖିଲା , ଲଙ୍କା , ଗୁଜୁରାତି , ଅଦା , ରସୁଣ , ହଳଦୀ , ପିଆଜ ଇତ୍ୟାଦି) ଚାଷ ହେବା ଉଚିତ  ।

ଓଡିଶାରେ ବର୍ତ୍ତମାନ ଆମ୍ବ , କମଳା , ସାନ୍ତରା , କାଗିଜି , ନଡିଆ , ସପୁରି , ପିଜୁଳି , ଲଙ୍କାଆମ୍ବ , ପଣସ, ବେଲ ଆଦି କେତେଗୁଡିଏ ଫଳ ମିଳିଥାଏ  ।  ବହୁ ପରିମାଣର ଟାକୁଆ ଆମ୍ବଗଛ ଓଡିଶାର ସମତଳ ତଥା ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳେ  ।  ପ୍ରକାରଭେଦରେ ସେଗୁଡିକୁ ପଚାଇ ଖାଆନ୍ତି ଓ ଆମ୍ଭ ଆଚାର , ଆମ୍ବଶଢା, ଆମ୍ବୁଲ ଇତ୍ୟାଦି ପ୍ରସ୍ତୁତ କରି ବ୍ୟବହାର କରାଯାଇଥାଏ  ।

ସନ୍ତୁଳିତ ଖାଦ୍ୟ ଲାଗି ଫଳ ଓ ପନିପରିବା ଗୁଡିକର ତଟକା ତଥା ସଂରକ୍ଷିତ ଖାଦ୍ୟ ଓ ବିଦେଶରେ ବିକ୍ରି ର ସୁବିଧା ଦୃଷ୍ଟିରୁ ଚାଷ ବୃଦ୍ଧି  କରିବା ସଙ୍ଗେ ସଙ୍ଗେ ଉତ୍ପନ୍ନ ହେଉଥିବା ଉଦ୍ୟାନ ଫସଲ ଗୁଡିକର ସଂରକ୍ଷଣର ଯଥେଷ୍ଟ ସମ୍ଭାବନା ରହିଛି  । ସପ୍ତମ ପଞ୍ଚବାର୍ଷିକ ଯୋଜନା ଶେଷଭାଗରେ ଭାରତ ସରକାର ସ୍ଥାପନ କରିଥିବା ଦୃଷ୍ଟିରୁ ଖାଦ୍ୟ ସଂରକ୍ଷଣ ଲାଗି ସାରା ଭାରତରେ ଆଲୋଡନ ସୃଷ୍ଟି ହୋଇଛି  । ଏହା ଫଳରେ ଫସଲ ଆୟତନ ଓ ଅମଳ ବୃଦ୍ଧିର ଯଥାର୍ଥ ସମ୍ଭାବନା ହେବା ସଙ୍ଗେ ସଙ୍ଗେ ସଂରକ୍ଷଣର ତଥା ଆନୁଷଙ୍ଗିକ ଶିଳ୍ପ ଗଢି ଉଠି ଦେଶର ଆର୍ଥିକ ତଥା ସ୍ୱାସ୍ଥ୍ୟ ଉନ୍ନତିରେ ସହାୟକ ହେବା ସମ୍ଭବ  । ଭାରତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ହେବା ଉଚିତ  । ଓଡିଶା ତଥା ସାରା ଭାରତରେ ଅନେକ ପଡିଆ ଜମି ପାହାଡ, ଢାଲୁ ଅଞ୍ଚଳ, ଶୁଷ୍କ ଅଞ୍ଚଳ ପଡି ରହିଛି  । ଚାଷ ପାଇଁ ଅର୍ଥାତ ପ୍ରୟୋଗ କରି ଚାଷ ବଢାଇବାର ସୁବିଧା ରହିଛି  । ଏହାଛଡା ଏହି ସବୁ ଅଞ୍ଚଳ ତଥା ସମତଳ ଅଞ୍ଚଳରେ ପନିପରିବା ଓ ମସଲା ଫସଲ ଅଧିକ ପରିମାଣରେ ଚାଷ କଲେ , ସଂରକ୍ଷିତ ଶିଳ୍ପକୁ କଞ୍ଚାମାଲ ଯୋଗାଇବା ସମ୍ଭବ ହେବ   ।

ପରିସଂଖ୍ୟାନ ଅନୁଯାୟୀ ପ୍ରାୟ ୨୦-୪୦% ପନିପରିବା ଅମଳ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ନଷ୍ଟ ହୋଇଥାଏ  । ସେହିପରି ପ୍ରାୟ ୧୦-୧୫% ପନିପରିବା ସୁଖୀ ଯିବାରୁ ଗ୍ରାହକମାନଙ୍କ ପସନ୍ଦ ହୋଇନଥାଏ  । ଯାହା ଫଳରେ କମ ଦାମରେ ବିକ୍ରି ହୋଇଥାଏ, ଏବଂ ଏପରି ପନିପରିବା ମାନ ଓ ସତେଜତା ହ୍ରାସ ପାଇଥାଏ  । ତେଣୁ ଏହି ନାଶ ହୋଇଯାଉଥିବା ପନିପରିବା ରକ୍ଷା କରାଯାଇ ପାରିଲେ ପନିପରିବା କ୍ଷେତ୍ରରେ ଆୟତନ ନ ବଢାଇ ଜନସାଧାରଣଙ୍କର ଖାଦ୍ୟ ପାଇଁ ଅଧିକ ପନିପରିବା ମିଳିପାରିବ  । ପରୀକ୍ଷାରୁ ଜଣାଯାଏ ଯେ ନଷ୍ଟ ହେଉଥିବା ପନିପରିବା ମଧ୍ୟରେ ପ୍ରାୟ ୩୬% ପନିପରିବା କୋମଲ ପଚା ରୋଗ କରୁଥିବା ଜୀବାଣୁ ଦ୍ଵାରା ହୋଇଥାଏ   ।

ପନିପରିବା ନଷ୍ଟ ହେବାର କାରଣ

ପନିପରିବା ନଷ୍ଟ ହେବାର କାରଣ ଗୁଡିକ ୩ ଭାଗରେ ବିଭକ୍ତ କରାଯାଇପାରେ     ।

  • ଭୌତିକ : ଅମଳ, ନେବା ଆଣିବା ଏବଂ ସଂରକ୍ଷଣ ସମୟରେ ଅସାବଧାନତା ରହିଲେ ପନିପରିବାର ପେଶୀ ନଷ୍ଟ ହୋଇଯାଏ     ।
  • ଯାନ୍ତ୍ରିକ : ଅମଳ, ପରିବହନ ଓ ସଂରକ୍ଷଣ ସମୟରେ ଘଷି ହେବା, ଖଣ୍ଡିଆ ଖାବରା, କଟିଯିବା, ଫାଟିଯିବା ତଥା ବିଭିନ୍ନ ଅଣୁଜୀବମାନଙ୍କ ଆକ୍ରମଣରେ ପନିପରିବା ନଷ୍ଟ ହେବା   ।
  • ଶରୀର ଗତ : ପନିପରିବାର ଅମଳ ପରବର୍ତ୍ତୀ ସମୟରେ ଶ୍ଵାସକ୍ରିୟା ବାଷ୍ପୀକରଣ, ରଙ୍ଗ, କଣିକାରେ ପରିବର୍ତ୍ତନ ପନିପରିବା ନଷ୍ଟ ହୋଇଯାଏ  ।

ଆଧାର – ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ

3.03448275862
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top