ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଫଳ ଓ ପନିପରିବାର ପକ୍ଵତା ମାନନିର୍ଧାରଣ , ଅମଳ ପରବର୍ତ୍ତୀ ଯତ୍ନ , ଶ୍ରେଣୀକାରଣ ଗଣ୍ଠିଲିକରଣ ଓ ପରିବହନ
ସେଆର କରନ୍ତୁ

ଫଳ ଓ ପନିପରିବାର ପକ୍ଵତା ମାନନିର୍ଧାରଣ , ଅମଳ ପରବର୍ତ୍ତୀ ଯତ୍ନ , ଶ୍ରେଣୀକାରଣ ଗଣ୍ଠିଲିକରଣ ଓ ପରିବହନ

ଫଳ ଓ ପନିପରିବାର ପକ୍ଵତା ମାନନିର୍ଧାରଣ , ଅମଳ ପରବର୍ତ୍ତୀ ଯତ୍ନ , ଶ୍ରେଣୀକାରଣ ଗଣ୍ଠିଲିକରଣ ଓ ପରିବହନ ସମ୍ବନ୍ଧିତ ତଥ୍ୟ ।

ପକ୍ଵତା

ଫଳ ଗୁଡିକ ସାଧାରଣତଃ ପକ୍ଵାବସ୍ଥାରେ ଅମଳ କରାଯାଏ  । ଏହି ଅବସ୍ଥା ପରିପକ୍ଵାବସ୍ଥାର ପୂର୍ବାବସ୍ଥା  ।  ଆମ୍ବ, ପିଜୁଳି, ସପେଟା, ଲେମ୍ଭୁ, ସାନ୍ତରା, କମଳା , ଆଭାକାଡୋ, ସେଓ, ନାସପାଟି, ପିଚ, ପଣସ, କଦଳୀ, ସପୁରି ଇତ୍ୟାଦି ଫଳଗୁଡିକ ପକ୍ଵାବସ୍ଥାରେ ଅମଳ କରାଯାଏ  । ନଡିଆ, ଖଜରୁ, କାଜୁ ଆଦି ଫଳ ପକ୍ଵାବସ୍ଥାରେ ଅମଳ ହୁଏ  ।  ପନିପରିବାଗୁଡିକ ଅଧିକାଂଶ କ୍ଷେତ୍ରରେ ସେଗୁଡିକ ପୂର୍ଣ୍ଣମାତ୍ରାରେ ବଢି କୋମଲ ଅବସ୍ଥାରେ ପହଞ୍ଚିବା ପରେ ଅମଳ କରାଯାଏ  । (କାକୁଡି, ବାଇଗଣ, ଭେଣ୍ଡି, ମୂଳା, ଗାଜର,  ସାଲଗମ, ଆଳୁ, ଦେଶୀଆଳୁ, ସାରୁ , କନ୍ଦମୂଳ , ଛଚିନ୍ଦ୍ରା , ପୋଟଳ , ଜହ୍ନି ଗଣ୍ଠି କୋବି , ରସୁଣ ,ପିଆଜ ଇତ୍ୟାଦି) । କିନ୍ତୁ ବିଲାତି ବାଇଗଣଗୁଡିକ ଟାଣ ପାଚିବା ଅବସ୍ଥାରେ ଅମଳ କରାଯାଏ  । କଖାରୁ,  ପାଣି କଖାରୁ, ତରଭୁଜ, ଖରଭୁଜ ଆଦି ଫଳ ପରିପକ୍ଵ ହେବା ପରେ ଅମଳ କରାଯାଏ  । ଶାଗ ଜାତୀୟ ପନିପରିବା, ବନ୍ଧାକୋବି, ପାଳଙ୍ଗ, ପୋଇ, ସଜନା ଶାଗ, ଭୂସଙ୍ଗା, ପୋଦିନା ପତ୍ର, ଧନିଆ ପତ୍ର ଆଦି କୋମଲ ଅବସ୍ଥାରେ ଅମଳ କରାଯାଏ  ।  ଫୁଲକୋବି, ଆଦି ପନିପରିବା କଢ ଅବସ୍ଥାରେ ଅମଳ କରାଯାଏ, ମଟର, ଶିମ୍ବ , ଝୁଡୁଙ୍ଗ ଆଦି ପରିବା କଅଂଳ ଛୁଇଁ ଅବସ୍ଥାରେ ଅମଳ କରାଯାଏ  ।  କଞ୍ଚା କଦଳୀ , କଞ୍ଚା ଅମୃତଭଣ୍ଡା , ସଜନାଛୁଇଁ , କଞ୍ଚା ପଣସ ଇତ୍ୟାଦି କଅଂଳ କଞ୍ଚା ଅବସ୍ଥାରେ ଅମଳ କରି ପନିପରିବା ରୂପେ ବ୍ୟବହୃତ ହୁଏ  ।  ମିଠା ମକାଗୁଡିକ ମଞ୍ଜି ଖିର ଅବସ୍ଥାରେ ଅମଳ କରାଯାଏ  । ତେଣୁ ଅମଳ ପର ଯତ୍ନ ପନିପରିବା ବା ଫଳଗୁଡିକର ଅମଳ ପରବର୍ତ୍ତୀ ଗୁଣ ଓ ସାଇତିବା ସମୟ ,ସେଗୁଡିକର ପକ୍ଵାବସ୍ଥା ଉପରେ ନିର୍ଭରଶୀଳ  । ଫଳ ପକ୍ଷରେ ସେଗୁଡିକ ଠିକ ପକ୍ଵାବସ୍ଥାରେ ଅମଳ କରାଗଲେ ସେଗୁଡିକର ଗୁଣରେ ଅଭିବୃଦ୍ଧି ଘଟିଥାଏ  ।  ଅନ୍ୟଥା ଫଳଗୁଡିକ ନିମ୍ନମାନର ହୋଇଯାଏ  । ଫଳଗୁଡିକର ଖାଦ୍ୟଗୁଣ ନିମ୍ନସ୍ତରର ହୋଇଥାଏ ଓ ସେଗୁଡିକ ଅସମାନ ଭାବେ ପରିପକ୍ଵ ହୁଏ  । ପକ୍ଵାବସ୍ଥା ହେଉଛି ଯେ ଫଳଗୁଡିକ ଅମଳ  ପୂର୍ବରୁ ଗୋଟିଏ ନିର୍ଦ୍ଧିଷ୍ଟ ଆକାରରେ ପହଞ୍ଚିବା  । ଏହି ଅବସ୍ଥାରେ ଫଳର ପରିପକ୍ଵ ହେବା ଆରମ୍ଭ ହୋଇଥାଏ  । ତେଣୁ ଫଳଗୁଡିକର ପକ୍ଵାବସ୍ଥାର ପୂର୍ବାବସ୍ଥା ହେଲା ଅପରିପକ୍ଵା ଅବସ୍ଥା  । ଫଳଗୁଡିକ ଅପକ୍ଵଅବସ୍ଥାରେ ଅମଳ କରାଗଲେ ସେଗୁଡିକ ପକ୍ଵାବସ୍ଥାରେ ପହଞ୍ଚିପାରେ ନାହିଁ, ଶୁଖି, ପଚି, ନଷ୍ଟ ହୋଇଯାଏ  । ପରିପକ୍ଵାବସ୍ଥାରେ ଫଳଗୁଡିକ ପକ୍ଵ ହେବା ପରେ ସେଥିରେ ଗୁଣାତ୍ମକ ପରିବର୍ତ୍ତନ ଘଟିଥାଏ  ଯାହାଫଳରେ ସେଗୁଡିକ ପାଚିଲା ଫଳ ହିସାବରେ ଗ୍ରହଣଯୋଗ୍ୟ ହୋଇଥାଏ   । ଫଳଗୁଡିକର ପକ୍ଵାବସ୍ଥା ନିର୍ଣ୍ଣୟ କରିବା ଲାଗି ବିଭିନ୍ନ ପ୍ରଥା ଅବଲମ୍ବନ କରାଯାଏ   -

  • ଫୁଲ ଫୁଟି ପରାଗ ସଂଗମ ବା ଗର୍ଭଧାରଣ ଠାରୁ ଫଳ ଅମଳ ହେବାଲାଗି ଦରକାର ହେଉଥିବା ସମୟ  ।
  • ଚାକ୍ଷୁଷ ସଂକେତ
  • ଆକାର ବା ଆୟତନ
  • ଗଠନ ବା ଆକୃତି
  • ରଙ୍ଗ
  • ବାହ୍ୟ ଦୃଶ୍ୟ
  • ମସୃଣତା
  • ବାତ ରନ୍ଧ୍ର ସଂଖ୍ୟା
  • ବିଶିଷ୍ଟ ଘନତ୍ଵ ବା ଆପେକ୍ଷିକ ଘନତ୍ଵ
  • ଷ୍ଟାର୍ଚ ପରିମାଣ
  • ସମୂହ ଦ୍ରାବଣୀୟ ପଦାର୍ଥ
  • ମିଠା : ଅମଳ ଅନୁପାତ
  • ତୈଳ ଅଂଶ
  • ଫଳର ବାସ୍ନା

ପନିପରିବା କ୍ଷେତ୍ରରେ ଭିନ୍ନ ପ୍ରଥା ଅନୁସରଣ କରାଯାଏ, ଯଥା : ବାଇଗଣ ପୁରା ମାତ୍ରାରେ ବଢି ମଞ୍ଜି କୋମଲ ରହିଥିବା ଅବସ୍ଥାରେ ଫଳର ରଙ୍ଗ ଉଜ୍ଜ୍ଵଳ ଓ ଚିକଚିକ କରୁଥାଏ  । କଖାରୁ –ଫଳ ପାଚି ବାହାରର ଚୋପା ଟାଣ ହୋଇଥାଏ  । ଶାଗୁଆ ରଙ୍ଗ କଦଳୀ ହଳଦିଆ ବା କମଳା ରଙ୍ଗ ଚୋପା ଧରେ  । ମଞ୍ଜି ଟାଣ ହୋଇ ପାକଳ ହୋଇଥାଏ  । ମୂଳା, ଗାଜର , ସାଲଗମ, ବିଟ ଆଦି ପରିବାଗୁଡିକ କଅଁଳ, ପତ୍ର  କଅଁଳିଆ, ହଳଦିଆ ରଙ୍ଗ ଧରି ନଥିବା ଚେରଗୁଡିକର ଗଠନ ଓ ଆକାର ପୁରାମାତ୍ରାରେ ହୋଇଥିବା, କଅଁଳ ଅବସ୍ଥାରେ ଥିବା ଦରକାର  । ଫୁଲ କେଣ୍ଡା ବାହାରି ନଥିବା ଦରକାର  । ପିଆଜ, ରସୁଣ ହୃଷ୍ଟପୃଷ୍ଠ ହୋଇ ବଢିଥିବା ବାହାର ଚୋପା ଆଭରଣ ଟାଣ ହୋଇଥିବା ଉଚିତ  । ଫୁଲ ବାହାରି ନଥିବ  । ଆଳୁଗୁଡିକ ପୂରାଭାବେ ବଢି ଚୋପା ରଙ୍ଗ ମାଟିଆ ଧରିଥିବା ଦରକାର  । ଚୋପା ସହଜରେ ନ ବାହାରିବା ଦରକାର  । ଏହିପରି ବିଭିନ୍ନ ପନିପରିବା ଲାଗି ଭିନ୍ନ ଭିନ୍ନ ଅବସ୍ଥା ରହିବା ଉଚିତ   ।

ଶ୍ଵାସ ପ୍ରକ୍ରିୟା

ଅମଳ ହେବାପରେ ଫଳ ଓ ପନିପରିବା ଗୁଡିକରେ ଶ୍ଵାସକ୍ରିୟା ଚାଲୁଥାଏ  । ତେଣୁ ସେଗୁଡିକର ଅମଳ – ପରବର୍ତ୍ତୀ ଜୀବନ ଏହି ଶ୍ଵାସ ପ୍ରକ୍ରିୟାର ବେଗ ଉପରେ ନିର୍ଭର କରିଥାଏ  । ଯେତେ ଅଧିକ ବେଗରେ ଏହି ପ୍ରକ୍ରିୟା ଚାଲେ ଫଳ ଓ ପନିପରିବା ଗୁଡିକ ତଦନୁପାତରେ କ୍ଷୟ ଘଟିଥାଏ  ।  ଶ୍ଵାସ ପ୍ରକ୍ରିୟାର ମୂଳ ଇନ୍ଧନ ହେଲା ଫଳ ଭିତରେ ଥିବା ଚିନୀ ଅଂଶର କାରଣ  । ଏହି ପ୍ରକ୍ରିୟାକୁ ଜୈବିକ କାରଣ ବୋଲି କୁହାଯାଏ  ଓ ଫଳ ଏବଂ ପନିପରିବା ଭିତରେ ଥିବା କେତେକ ପଦାର୍ଥ ପ୍ରଧାନତଃ ସାଧାରଣ ଶର୍କରା ଜାତୀୟ ପଦାର୍ଥର କ୍ଷୟ ଘଟିଥାଏ  । ଶ୍ଵାସ ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଫଳ ଓ ପନିପରିବା ଗୁଡିକର ଚିନୀ ଅଂଶ ଓ ଶ୍ଵେତସାର ଅଦୃଶ୍ୟ ହୋଇଥାଏ । ଏହି ପ୍ରକ୍ରିୟାରେ ଅମ୍ଳଜାନ ସଂଯୋଗରେ ଏହି ଚିନୀ ଅଂଶ ଅଙ୍ଗାରକାମ୍ଳଜାନ ଓ ଜଳରେ ପରିଣତ ହୋଇ ବହୁ ଶକ୍ତି ବାହାରୁଥାଏ  ।  ଗ୍ଳୁକୋଜ ରୂପେ ଚିନୀ ଅଂଶ ପ୍ରାଥମିକ ଅବସ୍ଥାରେ ପ୍ୟୁରିଭିକ ଅମ୍ଳ ରେ ପରିଣତ ହୁଏ  । ଏହାକୁ ଶର୍କରା ବିୟୋଜନ ବୋଲି କୁହାଯାଏ  ।  ଏହାର ଦ୍ଵିତୀୟ ବା ଶେଷପ୍ରାବସ୍ଥାରେ ଏହି ପ୍ୟୁରିଭିକ ଅମ୍ଳ ଅଙ୍ଗାରକାମଳଜାନ ଓ ଜଳରେ ପରିଣତ ହୁଏ ଓ ଏହା ପୂରାମାତ୍ରାରେ ବାତଜବାୟ ପରିବର୍ତ୍ତନ ହୋଇଥାଏ  । ଏହି ପ୍ୟୁରିଭିକ ଅମ୍ଳ ଅଙ୍ଗାରକାମ୍ଳଜାନ ଓ ଜଳରେ ପରିବର୍ତ୍ତନ କ୍ରମାନ୍ଵୟରେ ନଅଗୋଟି ଅମ୍ଳରେ ପରିବର୍ତ୍ତିତ ହୋଇଥାଏ  । ଏହି ସମସ୍ତ ପ୍ରକ୍ରିୟାକୁ ସାଇଟିକ ଅମ୍ଳଚକ୍ର ବା କେବ୍ର ସାଇକଲ ବୋଲି କୁହାଯାଏ  । ଏହି ପ୍ରଣାଳୀରେ ଫଳ ଓ ପନିପରିବା ଥିବା ଶର୍କରା ଅଂଶ ଯେ କେବଳ ନଷ୍ଟ ହୁଏ ତାହାନୁହେଁ, ଜୈବିକ ଅମ୍ଳ , ଚର୍ବିଜାତୀୟ ପଦାର୍ଥ ଓ ଅନ୍ୟାନ୍ୟ ପଦାର୍ଥ ମଧ୍ୟ ନଷ୍ଟ ହୋଇଥାଏ  । ଅଧିକାଂଶ ଫଳ ପାଚିବା ଆରମ୍ଭ ହେବା ପରେ ପରେ ଏହି ଶ୍ଵାସ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲେ  ।  ଏହି ଦହନ ପ୍ରକ୍ରିୟା ହଠାତ ବଢି ସର୍ବୋଚ୍ଚ ଅବସ୍ଥାରେ ପହଞ୍ଚିଲେ ଏହି ଅବସ୍ଥାକୁ କଇମେକଟ୍ରିକ ବୃଦ୍ଧି ବୋଲି କୁହାଯାଏ  । ଏହି ଅବସ୍ଥାକୁ ଫଳର ଘଡିସନ୍ଧି ଅବସ୍ଥା ବୋଲି ଧରାଯାଏ  । ଏହା ପରେ ପରେ ଫଳ ଜରାବସ୍ଥାରେ ପଦାର୍ପଣ କରି ନଷ୍ଟ ହେବା ଆରମ୍ଭ କରେ  ।  ଯେଉଁ ଫଳଗୁଡିକ କ୍ଲାଇମେକଟ୍ରିନ ଜନିତ ଶ୍ଵାସ ପ୍ରକ୍ରିୟା ଶ୍ରେଣୀଭୁକ୍ତ ହୋଇଥାଏ  । ସେଗୁଡିକ ହେଲା - କଦଳୀ, ଅମୃତଭଣ୍ଡା , ଆମ୍ବ, ପ୍ୟାସନପ୍ରୁଟ, ବେଲ, ସେଓ ଇତ୍ୟାଦି  । ଯେଉଁ ଫଳଗୁଡିକ ଅ- କ୍ଲାଇମେକଟ୍ରିକ ଜନିତ ଶ୍ଵାସ ପ୍ରକ୍ରିୟା ଶ୍ରେଣୀଭୁକ୍ତ ସେଗୁଡିକ ହେଲା  - ସପୁରି , ଡିମିରି , ଅଙ୍ଗୁରୁ , ଲେମ୍ଭୁ ଇତ୍ୟାଦି   ।  ଅର୍ଥାତ ଫଳଗୁଡିକ ଡେରିରେ ନଷ୍ଟ ହୋଇଥାଏ  କିନ୍ତୁ ଅ- କ୍ଲାଇମେକଟ୍ରିକ ପ୍ରଣାଳୀରେ ଫଳଗୁଡିକ ହଠାତ ନଷ୍ଟ ହୋଇଯାଏ   ।

ଶ୍ଵାସ ପ୍ରକ୍ରିୟାର ଗତି ହେଉଛି ଫଳଗୁଡିକର ଅମଳ ପରବର୍ତ୍ତୀ ଜୀବନୀ ଶକ୍ତିର ମୁଖ୍ୟ ସୂଚନାଙ୍କ  । ଏହା ବିଭିନ୍ନ ଶ୍ରେଣୀର ଫଳ ତଥା ପନିପରିବା ଗୁଡିକର କିସମ ରେ ଭେଦ ଦେଖାଯାଏ  । କାରଣ ଦହନ ପଦାର୍ଥ ଗୁଡିକ ଭିନ୍ନ ପରିମାଣରେ ଥାଏ - ଯେପରି କନ୍ଦମୂଳ, ସାରୁ ଓ ଦେଶୀଆଳୁ,  । ଆଳୁ ତୁଳନାରେ ଜହ୍ନି, ଭେଣ୍ଡି ଆଦି ପନିପରିବାରେ କମ ଥାଏ  ।  ତେଣୁ ଅମଳ ହୋଇଥିବା ଫଳ ଓ ପରିବା ଗୁଡିକର ଅମଳ ପରବର୍ତ୍ତୀ ଜୀବନ ବୃଦ୍ଧି ଘଟାଇବା ଲାଗି ସେଗୁଡିକର ଶ୍ଵାସକ୍ରିୟାର ଗତି ଯେତେଦୂର ସମ୍ଭବ ଜମାଇବା ଆବଶ୍ୟକ  ।  ଅମଳ ହୋଇଥିବା ଫଳ ଓ ପନିପରିବା ଗୁଡିକରୁ ଶ୍ଵେତସାର ଖାଦ୍ୟସାର ଶ୍ଵାସ ପ୍ରକ୍ରିୟାରେ ନଷ୍ଟ ହେବା ପରେ ଆଉ କୌଣସି ଉପାୟରେ ଫଳ ଓ ପନିପରିବା ଭିତରେ ବଢାଇବା ବା ପୁନର୍ବାର ରଖିବା ସମ୍ଭବ ହୋଇନଥାଏ, ତେଣୁ ଫଳ ଓ ପନିପରିବା ଭିତରେ ଥିବା ଶକ୍ତିର କ୍ଷୟ ଘଟି ସେଗୁଡିକର ଖାଦ୍ୟ ଗୁଣରେ ବହୁ ହ୍ରାସ ହୋଇଥାଏ  । ଶ୍ଵାସ ପ୍ରକ୍ରିୟା କେଉଁ କେଉଁ କାରଣରୁ ବୃଦ୍ଧି ହୁଏ ସେଗୁଡିକର କାରଣ ଜାଣି ଅମଳ ହୋଇଥିବା ଫଳ ଓ ପନିପରିବା ଗୁଡିକୁ ରକ୍ଷା କରିବା ଲାଗି ଉପଯୁକ୍ତ ବୈଜ୍ଞାନିକ କୌଶଳ ପ୍ରୟୋଗ କରାଯିବା ସୁବିଧାଜନକ ହୋଇଥାଏ   ।

ପରିପକ୍ଵାବସ୍ଥା

କେତେକ ପ୍ରକାରର ଫଳ ମା ଗଛରେ ବଢିବା ପରେ ପାଚିବା ଆରମ୍ଭ କରିଥାନ୍ତି   ।  ଆଉ କେତେକ ଅମଳ ହେବାପରେ ହିଁ ପାଚିବା ଲାଗି ସମର୍ଥ ହୋଇଥାନ୍ତି ଓ ଅନ୍ୟ କେତେକ ମା ଗଛରେ ଥାଇ ବା ଅମଳ ହେବାପରେ ମଧ୍ୟ ପାଚିପାରନ୍ତି ନାହିଁ  । ଏହି ଫଳଗୁଡିକର ଜାତି ଉପରେ ନିର୍ଭର କରିଥାଏ  । ପନିପରିବା କ୍ଷେତ୍ରରେ ବିଲାତି ବାଇଗଣ, ଫୁଟିକାକୁଡି , ତରଭୁଜ , ବୋଇତି କଖାରୁ ଆଦି ଫଳଗୁଡିକୁ ଛାଡିଦେଲେ ଅନ୍ୟାନ୍ୟ ଗୁଡିକ ଶୀଘ୍ର ଟାଣ ତନ୍ତୁଯୁକ୍ତ ହୋଇ ଖାଇବା ଲାଗି ଅନୁପଯୁକ୍ତ ହୋଇଥାଏ ଓ ପଚି ସଢି ଓ ଶୁଖି ନଷ୍ଟ ହୋଇଥାଏ  । ମଟର, ଶିମ୍ବ, ବରଗୁଡି ଆଦି ପରିବାଗୁଡିକର ଟାଣ ହୋଇ ଶୁଖିଗଲେ ସେଥିରେ ଥିବା ମଞ୍ଜିଗୁଡିକ ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ  । ପନିପରିବାଗୁଡିକ ଠିକ ସମୟରେ ଅମଳ କରାନଗଲେ ସେଗୁଡିକର ପ୍ରାକୃତିକ ରଙ୍ଗ, ତେଜ, କାଠିନ୍ୟ ଓ ଗୁଣରେ ଅବନତି ଘଟିଥାଏ  । କିନ୍ତୁ ପାଚିଲା ଫଳ କ୍ଷେତ୍ରରେ ପରିପକ୍ଵ ପ୍ରକ୍ରିୟା ଆରମ୍ଭ ହେଲେ ଫଳଗୁଡିକର ରଙ୍ଗ , ମହକ ରୁଚି ଓ ବୟନରେ ପରିବର୍ତ୍ତନ ଘଟି ଖାଇବା ଲାଗି ଉପଯୁକ୍ତ ହୋଇଥାଏ  । ଏହି ସମସ୍ତ ପରିବର୍ତ୍ତନ ଘଟି ଖାଇବା ଲାଗି ଉପଯୁକ୍ତ ହୋଇଥାଏ  । ଫଳଗୁଡିକର ସଂଘଠନ ଜନିତ ପରିବର୍ତ୍ତନ ଘଟେ  । ଫଳ ଆଭରଣ, ବର୍ଣ୍ଣର ରଙ୍ଗ ପରିବର୍ତ୍ତନ ଓ ଫିନୋଲିକ ଜାତୀୟ ପଦାର୍ଥରେ ପରିବର୍ତ୍ତନ ଘଟି ତାହା ବ୍ୟବହାର ଯୁକ୍ତ ହୋଇଥାଏ  । ଅପକ୍ଵ ଫଳଗୁଡିକରେ ଏହି ପ୍ରକାରର ପରିବର୍ତ୍ତନ ଘଟିବା ସମ୍ଭବ ହୁଏ ନାହିଁ ତେଣୁ ଖଦ୍ୟୋପଯୋଗୀ ହୋଇନଥାଏ  । ଫଳଗୁଡିକର ବାହ୍ୟ ରଙ୍ଗରେ ପରିବର୍ତ୍ତନ ଯୋଗୁଁ ଫଳରେ ଥିବା ପତ୍ର- ହରିତ ର ଅବନତି ଘଟି ପୂର୍ଣ୍ଣ ଫାଟକ ବା କେରୋଟିନାଇଟ ବର୍ଣ୍ଣକ ଧାରଣ କରେ  । ଏହା ସାନ୍ତରା ବା କମଳା ଫଳରେ ସହଜେ ଦେଖିହେବ  ।  ସେହିପରି ଫଳଗୁଡିକର କୋମଲ ଅବସ୍ଥା, ସେଥିରେ ଥିବା ଦ୍ରବଣୀୟ ପ୍ରୋଟଫେକଟିନ ଗୁଡିକ ଦ୍ରବଣୀୟ ପେକଟିନରେ ପରିବର୍ତ୍ତନ ହେବା ଦ୍ଵାରା ସମ୍ଭବ ହୋଇଥାଏ  । ଫଳଗୁଡିଅକରେ ଥିବା ଶର୍କରା ଷ୍ଟାର୍ଚଗୁଡିକର ପରିମାଣରେ ହ୍ରାସ ଘଟି ତାହା ମଧୁର ଦ୍ରବଣୀୟ ପଦାର୍ଥରେ ବୃଦ୍ଧି ଘଟାଇଥାଏ  । ଏହାଛଡା ଫଳରେ ଥିବା ଜୈବିକ ଅମ୍ଳ ତଥା ଫିନୋଲିକ ପଦାର୍ଥର ପରିମାଣରେ ହ୍ରାସ ଘଟି ଫଳଗୁଡିକର ଖାଦ୍ୟ ତଥା କଷା ଅଂଶ କମିଯାଏ  ।  ଏହାଛଡା ଫଳରେ ଉଦବାୟୀ ଯୌଗିକ ପଦାର୍ଥ ବଢିବା ଦ୍ଵାରା ପରିପକ୍ଵ ହେଉଥିବା ଫଳଗୁଡିକର ସୁବାସ ଓ ମହକରେ ବୃଦ୍ଧି ଘଟେ   ।

ଇଥେଲିନ

ଫଳଗୁଡିକର କ୍ଲାଇମେକଟ୍ରିକର ପୂର୍ବାବସ୍ଥା ପହଞ୍ଚିବା ପ୍ରାରମ୍ଭରୁ ଫଳଗୁଡିକରେ ଇଥେଲିନ ଦ୍ରବ୍ୟ ବହୁ ପରିମାଣରେ ତିଆରି ହୋଇ ଫଳଗୁଡିକର ଶ୍ଵାସକ୍ରିୟା ଓ ପରିପକ୍ଵତା ବଢାଇଥାଏ  । ଫଳରେ ଥିବା ମେଥିଓନାଇଁ ନାମକ ଏମିନୋ ଏଡିସରୁ ଏଥିଲିନ ପ୍ରସ୍ତୁତ ହୁଏ  । ଏହି ଏଥିଲିନକୁ ପରିପକ୍ଵ ଉଦ୍ଦୀପକ ଜୀବରସ ବୋଲି ମଧ୍ୟ କୁହାଯାଏ  । ପକ୍ଵ ହୋଇଥିବା ଓ ପରିପକ୍ଵ ହେଉନଥିବା ବା ପରିପକ୍ଵତା ସମୟ ଜଣାଇବା ଲାଗି ଇଥଲିନ ପରିଚାଳନା କରିବା ସମ୍ଭବ ହୋଇଥାଏ  । ସାଧାରଣତଃ ଇଥେଲିନ ବାଷ୍ପ ପାଚି ନ ଥିବା ବା ପକ୍ଵ ଫଳଗୁଡିକରେ ପ୍ରୟୋଗ କରାଗଲେ ଏହା ପରିପକ୍ଵ ପଦ୍ଧତିକୁ ଉତ୍ତେଜିତ କରି ଶୀଘ୍ର ପାଚିବାରେ ସହାୟକ ହୋଇଥାଏ  । ବିଭିନ୍ନ ଫଳ ପାଇଁ ଏଥିଲିନ ଶକ୍ତି ଭିନ୍ନ ହୁଏ  । ସେପରି ଆଲଫାନସୋ ଆମ୍ବକୁ ପରିପକ୍ଵ କରିବାକୁ ୦.୦୨ ରୁ ୦.୧୮ ପି.ପି.ଏମ ଶକ୍ତି ଦରକାର ହୁଏ  । ଏସିଟିଲିନ ନାମକ ରାସାୟନିକପଦାର୍ଥ ମଧ୍ୟ ଫଳ ବ୍ୟବସାୟୀମାନେ ବ୍ୟବହାର କରୁଥିବା ଦେଖାଯାଏ; କିନ୍ତୁ ଇଥେଲିନ ଏସିଟିଲିନଠାରୁ ୧୦୦ ଗୁଣ ଅଧିକ ଫଳପ୍ରଦ ହେଉଥିବା ଜଣାଯାଏ  ।  ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ଫଳଗୁଡିକର ପରିପକ୍ଵ ପଦ୍ଧତିକୁ ନିୟନ୍ତ୍ରଣ କରାଯାଇପାରେ  ।  ଇଥରଲ ବ୍ୟବହାର କରି ଆମ୍ବ ପ୍ରଭୁତି ଫଳଗୁଡିକକୁ ପରିପକ୍ଵ ହେବାରେ ବିଳମ୍ବ କରାଯାଇପାରେ, ବେଲ ଫଳଗୁଡିକକୁ ଶୀଘ୍ର ପରିପକ୍ଵ କରାଯାଇପାରେ  ।  କେଲସିଏମ କାର୍ବୋଇଡ ବ୍ୟବହାର କରି ଫଳଗୁଡିକୁ ଶୀଘ୍ର ପରିପକ୍ଵ କରାଯାଏ  ।  ଲେମ୍ବୁ ଜାତୀୟ ଫଳଗୁଡିକର ବାର ଚୋପାର ରଙ୍ଗ ବଦଳାଇ ଲାଗି ଇଥୋଫେନ ବ୍ୟବହାର କରାଯାଏ   ।  ସେହିପରି କଦଳୀ ଫଳଗୁଡିକ ୦.୧ ପି.ପି.ଏମ, ଇଥେଲିନ ବ୍ୟବହାର କରି ସବୁଜ ରଙ୍ଗ ଚୋପା ବିଶିଷ୍ଟ କଦଳୀଗୁଡିକୁ ପରିପକ୍ଵ କରାଯାଏ  । ପିଆଜଗୁଡିକୁ ଅଧିକ ସମୟ ସାଇତି ରଖିବା ଲାଗି  ମାଲିକ ହାଇଡ୍ରୋଜାଇଡ ନାମକ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଏ  । ପିଆଜ ଫସଲ ଅମଳ ହେବା ୮ ରୁ ୧୦ ଦିନ ପୂର୍ବରୁ ୨୫୦୦ ପିପିଏମ କାର୍ବେଣ୍ଡାଜିମ ୦.୧% ଓ ଷ୍ଟ୍ରେପଟୋସାଇକିନ ୦.୦୨ % ଠିଆ ହୋଇଥିବା ପିଆଜ ଫସଲରେ ଛିଞ୍ଚିବା ଦ୍ଵାରା ଅମଳ ପରେ ପିଆଜଗୁଡିକ ବହୁଦିନ ଯାଏ ସୁରକ୍ଷିତ ହୋଇଥାଏ  । ଜୀବରଲିକ ଅମ୍ଳପ୍ରୟୋଗ ଷ୍ଟ୍ରାବେରି ଫଳଗୁଡିକୁ ଶୀଘ୍ର ପରିପକ୍ଵ ହେବାରେ ସହାୟକ ହୁଏ  ।  ଅଙ୍ଗୁର ଫଳଗୁଡିକରେ ମିଠା ଅଂଶ ବାଡାଇବା ଲାଗି ଓ ଅମ୍ଳ ଭାଗ କମାଇବା ଲାଗି ଜିବ୍ରାଲିକ ଅମ୍ଳ ସହାୟକ ହୋଇଥାଏ ଓ ଫଳଗୁଡିକ ଶୀଘ୍ର ପକ୍ଵାବସ୍ଥାରେ ପହଞ୍ଚିଥାଏ  ।  ଡିମିରି ଫଳ ର ପକ୍ଵତା ଶୀଘ୍ର କରାଇବା ଲାଗି ୨୦ ରୁ ୨୮ ପି.ପି.ଏମ  ଜିବ୍ରାଲିକ ଏସିଡ ପ୍ରୟୋଗ କରି ଅଧିକ ସମୟ ସଂରକ୍ଷିତ କରାଯାଏ  । ବନ୍ଧାକୋବିରେ ୫ ପି.ପି.ଏମ  ଜିବ୍ରାଲିକ ଏସିଡ ଛିଞ୍ଚି ସେଗୁଡିକରେ ଖାଦ୍ୟ ଗୁଣ ଅଭିବୃଦ୍ଧି କରାଯାଏ  ।  ଲେଟ୍ୟୁଷ ପରିବା ରେ ୩ ରୁ ୧୦ ପି.ପି.ଏମ  ଜିବ୍ରାଲିକ ଏସିଡ ଛିଞ୍ଚି ସେଗୁଡିକରେ ଖାଦ୍ୟ ଗୁଣ ଅଭିବୃଦ୍ଧି କରାଯାଏ  । ଲେଟ୍ୟୁସ ପରିବାରେ ୩ ରୁ ୧୦ ପି.ପି.ଏମ ଏହି ଅମ୍ଳ ରହିବା ଦ୍ଵାରା ଏହି ପ୍ରକାରର ପରିବାଗୁଡିକ ଶୀଘ୍ର ବଢି ଅମଳଯୋଗ୍ୟ ହୋଇଥାଏ  । ଉଦ୍ଭିଦ ଉଦ୍ଦୀପକ ଓ ପୋଷାକ ଉପାଦାନ ର ବ୍ୟବହାର କରି ଫଳ ଓ ପନିପରିବା ଗୁଡିକର ଗୁଣାତ୍ମକ ଅଭିବୃଦ୍ଧି ଘଟାଇବା ଲାଗି ହୋଇଥିବା କେତେକ ଗବେଷଣା ଫଳ ନିମ୍ନରେ ଦିଆଗଲା  ।  ଏହା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟର ଉଦ୍ୟାନ ବିଜ୍ଞାନ ବିଭାଗରେ କରାଯାଇଥିଲା  । ଏହି ଗବେଷଣାରୁ ଜଣାଯାଏ ଯେ ବିଭିନ୍ନ ପ୍ରକାରର ଉଦ୍ଭିଦ ଉଦ୍ଦୀପକ ଓ ଅନ୍ୟାନ୍ୟ ରାସାୟନିକପଦାର୍ଥ ବ୍ୟବହାର କରି ଫଳ ଓ ପନିପରିବା ଫସଲ ତଥା ଫସଲ ଅମଳ ପର ଅବସ୍ଥାରେ ବ୍ୟବହାର କରି ଆବଶ୍ୟକୀୟ ପରିବର୍ତ୍ତନ ଘଟାଇ ସେଗୁଡିକର ସଂରକ୍ଷଣ କରିବା ସମ୍ଭ   ।  ସେପରି , ଫଳଗୁଡିକୁ ଶୀଘ୍ର ପକ୍ଵ କରିବା ବା ପରିପକ୍ଵାବସ୍ଥା କିଛି ସମୟ ଲାଗି ବଢାଇଦେବା ଦ୍ଵାରା ସେଗୁଡିକର ଉପଯୁକ୍ତ ବିନିଯୋଗ କରିବାରେ ସହାୟକ ହୁଏ ଓ ବଜାରରେ ମୂଲ୍ୟ ନିୟନ୍ତ୍ରଣ କରିବା ସମ୍ଭବ ହୁଏ

କ୍ର. ସଂ

ଫଳ ପନିପରିବା

ରାସାୟନିକ ପଦାର୍ଥ ହରମୋନ ଓ ଲବଣ

ରାସାୟନିକ ପଦାର୍ଥର କାର୍ଯ୍ୟକାରିତା

ମୋସାମ୍ବି

ଜି,ଏ, ଏନ.ଏ,ଏ ,  ସି.ସି. ସି.ବି- ୯୯୫ ,୨-୪ ଡି , ୨.୪.୫- ଟି , ପ୍ଲାନୋଫିକସ

ଫଳଗୁଡିକ ବଡ ଆକାର କରିବା ଓ ଫଳର ଗୁଣ ବଢାଇବା ଫଳଗୁଡିକୁ ସରସ କରିବା ,ଭିଟାମିନ – ସି ସମୂହ ଦ୍ରବଣୀୟ ପଦାର୍ଥ ଇତ୍ୟାଦିରେ ଉନ୍ନତ କରିବା

ପିଜୁଳି

ମହମ ଇମଲସନ

ଫଳଗୁଡିକ ୩୦ ଦିନ ଯାଏଁ ସଂରକ୍ଷିତ କରାଯାଇପାରେ

ମୋସାମ୍ବି

ମହମ ଇମଲସନ ୩% ଶକ୍ତି +୫୦ ରୁ ୧୦୦ ପି ପିଏମ ୨.୪.୫- ଟି ଓ ୨.୪ – ଡି

ଫଳଗୁଡିକ ଅଧିକ ଦିନ ଯାଏ ସଂରକ୍ଷିତ କରିବା ସଙ୍ଗେ ସଙ୍ଗେ ସଂରକ୍ଷିତ ହେବା ଶେଷ ଯାଏ ଖାଦ୍ୟଗୁଣ ଗୁଡିକ ସଂରକ୍ଷିତ କରିଥାଏ ବହୁ ମାତ୍ରାରେ  ।

ଆମ୍ବ

ଜି,ଏ, ଏନ.ଏ,ଏ ,  ସି.ସି. ସି.ବି- ୯୯୫

ଫଳଗୁଡିକରେ ଭିଟାମିନ –ସି ସମୂହ ଦ୍ରବଣୀୟ ପଦାର୍ଥ ରେ ଉନ୍ନତି  ।

ଲିଚି

୨.୪ –ଡି , ଏନ.ଏ. ଏ ,  ଜି.ଏ ,୨.୪ , ୪.୫ – ଟି

ଭିଟାମିନ ସି- , ଟି ,ଏସ ଏସ ଓ ଫଳରସର ଅଭିବୃଦ୍ଧି

ଆମ୍ବ

୨.୪ ଡି , ଏନ.ଏ.ଏ ,  ଜି.ଏ ୨.୪.୫ –ଟି

ଫଳର ଓଜନ, ଆକୃତି ଆକାରରେ ପରିବର୍ତ୍ତନ ଭିଟାମିନ-ସି, ସମୂହ ଦ୍ରବଣୀୟ ପଦାର୍ଥରେ ଉନ୍ନତି

ସପୁରି

ପ୍ଲାନୋଫିକସ ୨.୪ –ଡି , ଏନ.ଏ.ଏ ,  ଇଥରାଲ

ଫଳର ଓଜନ ଆକାର ବଢାଇବା ସଙ୍ଗେ ସଙ୍ଗେ ସମୂହ ଦ୍ରବଣୀୟ ପଦାର୍ଥ , ରେଡ୍ୟୁସିଙ୍ଗ ସୁଗାର, ଭିଟାମିନ- ସି , ଇତ୍ୟାଦି ଖାଦ୍ୟଗୁଣରେ ପରିବର୍ତ୍ତନ

ଜହ୍ନି

ପ୍ଲାନୋଫିକସ ,  ଇଥରାଲ ଏଲାର

ଫଳଗୁଡିକରେ ଓଜନ ବଢିବା ସମୂହ ଦ୍ରବଣୀୟ ପଦାର୍ଥରେ ବୃଦ୍ଧି ଘଟାଇବା ଭିଟାମିନ –ସି ବଢାଇବା   ।

 

 

 

 

ବୋଇତି କଖାରୁ

ପ୍ଲାନୋଫିକସ ,  ଇଥରାଲ ଏଲାର

ଗଛରେ ଫଳ ସଂଖ୍ୟା ବଢିବା ସମୂହ ଦ୍ରବଣୀୟ ପଦାର୍ଥ ଓ ଭିଟାମିନ –ସି ର ବୃଦ୍ଧି ଘଟିବା   ।

୧୦

ମଟର

ଏନ, ଏ.ଏ ,  ୨.୪.୫ – ଟି , ଜି.ଏ

ଅମଳ ଅଧିକ , ଅଶୋଧିତ ରେ ଅଭିବୃଦ୍ଧି ।

୧୧

ଆଳୁ

ଜି.ଏ ,  ସି.ସି.ସି, ବି- ୯୯୫ , ଏମ,ଏଚ

ବଡ ଓ ମାଧ୍ୟମ ଆକାରର ଆଳୁ , ଗୁଣ୍ଡିଆଳୁ ସଂଖ୍ୟାରେ ଅଳ୍ପ , ଭିଟାମିନ ସି – ଷ୍ଟାର୍ଚ ପରିମାଣ ବୃଦ୍ଧି , ସି.ସି.ସି,କୁ ବାଦଦେଲେ ଅନ୍ୟାନ୍ୟରେ ଷ୍ଟୋରରେ ସଂରକ୍ଷଣ ଆଳୁ ସଢା ଅଳ୍ପ   ।

୧୨

ବାଇଗଣ

ପ୍ଲାନୋଫିକସ, ବୋରାନ, ମଲିବଡେନମ , କ୍ୟାଲସିଏମ

ଫଳରେ ଆକାର ବୃଦ୍ଧି ଭିଟାମିନ  - ସି ନାଇଟ୍ରୋଜେନ ଫସଫରସ ଓ ପୋଟାସରେ ପରିମାଣ ବୃଦ୍ଧି

୧୩

ଟମାଟୋ

ମହମ ଇମସସନ

ଷ୍ଟୋରରେ ସଂରକ୍ଷଣ କରିବା ପୂର୍ବରୁ ୱାକସଇମଲସନ ଦ୍ରବ୍ୟରେ ବୁଡାଇ ସଂରକ୍ଷିତ କଲେ ବିଳମ୍ବରେ ପରିପକ୍ଵ ହେବା ସଙ୍ଗେ ସଙ୍ଗେ ବହୁଦିନ ଯାଏଁ ସଂରକ୍ଷିତ କରାଯାଇପାରେ   । ଏହାଛଡା ଫଳରେ ଓଜନ ହ୍ରାସ ହୁଏ ନାହିଁ , ରେଡ୍ୟୁସିଙ୍ଗ ସୁଗାର, ସାଇଟ୍ରିକ , ଏସିଡ ଭିଟାମିନ –ସି ର ବିଶେଷ ଭାବେ ଅବନ୍ନତି ହୋଇ ନ ଥାଏ   ।

୧୪

ଆଳୁ

ଫସଲରେ ମଲି- ବଡେନମ , ବୋରନ ପ୍ରୟୋଗ

ବଡ ଓ ମାଧ୍ୟମ ଆକାରର ଆଳୁ, ବହୁ ପରିମାଣରେ ଅମଳ ହୁଏ, ଗୁଣ୍ଡଆଳୁ କମ ହୁଏ   ।  ଭିଟାମିନ – ସି ଓ ଷ୍ଟାର୍ଚର ପରିମାଣ ବୃଦ୍ଧି ଘଟେ

୧୫

ପିଆଜ

୧୨୦ କେଜି ନାଇଟ୍ରୋଜେନ (୮/୨୦ ରୁ ୧୨ X ୨୦ ସେମି ବ୍ୟବଧାନ )

ଅଧିକ ଅମଳ

୧୬

ରସୁଣ

ନାଇଟ୍ରୋଜେନ , ଫସଫରସ , ପଟାସ

ନାଇଟ୍ରୋଜେନ ଓ ଫସଫରସ ଅମଳ ବୃଦ୍ଧି  । ଶୁଷ୍କ ପଦାର୍ଥ ପରିମାଣ ବୃଦ୍ଧି  । ପଟାସିୟମ କୋଲା ଓଜନ ବୃଦ୍ଧି ଓ ବଲବ ପ୍ରତି ଅଧିକ କୋଲା ବା କୋଳ ବୃଦ୍ଧି

୧୭

ସପେଟା

ସି.ସି.ସି, ବି- ୯୯୫, ଜି.ଏ , ଇଥରାଲ , ପ୍ଲାନୋଫିକସ

ପ୍ଲାନୋଫିକସ ଓ ଜି.ଏ ବଡ ଆକାରରେ ଫଳ ଅମଳ କରିବାରେ ସମ୍ଭବ ହୋଇଥାଏ   ।

୧୮

ବରଗୁଡି

ନାଇଟ୍ରୋଜେନ, ଫସଫରସ

ହେକ୍ଟର ପ୍ରତି ୩୦ କେଜି ଫସଫେଟ ପ୍ରୟୋଗରେ ଅଧିକ ଛୁଇଁ ଅମଳ ହେବା ସଙ୍ଗେ ସଙ୍ଗେ ଉତ୍ତମ ଗୁଣର ଛୁଇଁ ଅମଳ ହେବାରେ ସହାୟକ ହୋଇଥାଏ   ।

୧୯

ବାଇଗଣ

ନାଇଟ୍ରୋଜେନ

ହେକ୍ଟର ପ୍ରତି ୮୦ କେଜି ପ୍ରୟୋଗ ଫଳରେ ଅଧିକ ଫଳ, ବଡ ଆକାରର ଫଳ, ଅଧିକ ଭିଟାମିନ –ସି, ସମୂହ ମିଠା ବୃଦ୍ଧି ଘଟିଥାଏ   ।

୨୦

ଲଙ୍କାମରୀଚ

ନାଇଟ୍ରୋଜେନ ଫସଫରସ , ପଟାସ

ନାଇଟ୍ରୋଜେନ ଓ ଫସଫେଟ ପ୍ରୟୋଗରେ ଅଧିକ ଫଳ ଅମଳ ହୋଇଥାଏ ଓ ପଟାସ ଦ୍ଵାରା ଫଳଗୁଡିକର ଖାଦ୍ୟଗୁଣରେ ଅଭିବୃଦ୍ଧି ଘଟାଇଥାଏ   ।

୨୧

ପିଜୁଳି

ଜିଙ୍କ , ବୋରାନ , ତମ୍ବା , ୟୁରିଆ , ପ୍ଲାନୋଫିକସ

ଏହାର ପ୍ରୟୋଗରେ ପିଜୁଳି ଗୁଡିକର ଗୁଣାତ୍ମକ ପରିବର୍ତ୍ତନ ଘଟାଇଥାଏ    ।

୨୨

କାକୁଡି

ସିସିସି , ବି -୯୯୫ ଫସଫନ- ଜି.ଏ

ଉଦ୍ଭିଦଗୁଡିକର ଗଠନରେ ପରିବର୍ତ୍ତନ ଘଟାଇ ଶୀଘ୍ର ଫୁଲ ଧରି ଅଧିକ ଅମଳ କ୍ଷମ ହୋଇଥାଏ  ।  ଉତ୍କୃଷ୍ଟ ଗୁଣର ଫଳ ଅମଳ ହୁଏ   ।

୨୩

ସାକର କନ୍ଦା

ନାଇଟ୍ରୋଜେନ , ପଟାସ

ଏହାର ପ୍ରୟୋଗରେ ଅଧିକ ଅମଳ ହେବା ସଙ୍ଗେ ସଙ୍ଗେ ଗୁଣାତ୍ମକ କନ୍ଦା ଅମଳ ହେବାରେ ସହାୟକ ହୋଇଥାଏ   ।

 

ଫଳ ଓ ପନିପରିବାଗୁଡିକର ପକ୍ଵତା ମାନ ନିର୍ଦ୍ଧାରଣ

ଯଥାର୍ଥ ପକ୍ଵତା ନିରୂପଣ ନଥାଇ ଫଳ ଓ ପନିପରିବାଗୁଡିକ ଅମଳ କରାଗଲେ ସେଗୁଡିକର ରଙ୍ଗ, ସ୍ଵାଦ, ମହକ ରୁଚିକର ହୋଇନଥାଏ  । ପୁରା ମାତ୍ରାରେ ବଢି ନଥିଲେ ସେଗୁଡିକ ଶୀଘ୍ର ସୁଖୀ ନଷ୍ଟ ହୁଏ  । ପକ୍ଵାବସ୍ତା ପରେ ଡେରିରେ ଅମଳ ହେଲେ ତାହା ଅସୁବିଧା ହୁଏ, ଫଳ ପାଚି ଅତି କୋମଲ ହୋଇଯାଏ ଓ ଗଛରୁ ଝଡି ନଷ୍ଟହୁଏ  । ପନିପରିବା ଡେରିରେ ଅମଳ ହେଲେ ତନ୍ତୁ ଟାଣ ହୋଇ ଖାଇବା ଲାଗି ଅନୁପଯୁକ୍ତ ହୁଏ ଯଥା – ବାଇଗଣ , ସଜନା , ଭେଣ୍ଡି , ଜହ୍ନି , ଛଚିନ୍ଦ୍ରା , ପୋଟଳ, ମଟର ଶିମ୍ବ , ଝୁଡୁଙ୍ଗ, ଟିଣ୍ଡା , ମିଠାମକା ଇତ୍ୟାଦି । ବୋଇତି କଖାରୁ , ଖରଭୁଜ , ତରଭୁଜ ଆଦି ପାଚିବାକୁ ଦିଆଯାଏ  । କାରଣ ଅପକ୍ଵ ଫଳ ମିଠା ହୋଇନଥାଏ  । ଆଳୁ ଦେଶୀଆଳୁ , ସାରୁ , କାଣ୍ଡମୂଳ ଆଦି ଅପକ୍ଵ ହେଲେ ସେଗୁଡିକର ରୁଚିକର ହୋଇନଥାଏ, କିନ୍ତୁ ଜମିରେ ବେଶୀ ସମୟ ରହିବା ଦ୍ଵାରା ସଢିଯାଏ ଓ କୀଟ ଦ୍ଵାରା ନଷ୍ଟ ହୋଇଥାଏ , ତେଣୁ ପ୍ରତି ଫଳ ଓ ପନିପରିବା ଲାଗି ପକ୍ଵତା ନିର୍ଦ୍ଧାରଣ ବିଧି ପାଳନ କରିବା ଆବଶ୍ୟକ  ।

ଫଳର ପକ୍ଵାବସ୍ତା ନିରୂପଣ କରିବା ସାଧାରଣ ଭାବେ କଠିନ ହୋଇଥାଏ  । କାରଣ ଆଞ୍ଚଳିକ ଭିନ୍ନତା , ଅନୁସୃତ ଚାଷ ପ୍ରଣାଳୀ, ଜମିର ପତ୍ତନ ଓ କିସମ ଉପରେ ନିର୍ଭର କରିଥାଏ  । ଗୋଟିଏ ଫଳ ବା ପନିପରିବା ଲାଗି ନିର୍ଦ୍ଧିଷ୍ଟ ପକ୍ଵାବସ୍ଥା ଏପ୍ରକାର ହେବ ସମ୍ଭବ ନୁହେଁ  । ନିମ୍ନରେ କେତେକ ଫଳ ଓ ପନିପରିବା ପାଇଁ ସାଧାରଣ ନିରୂପଣ ବିଧି ଦିଆଗଲା -

କ୍ରମିକ ନମ୍ବର

ଫଳ ଓ ପନିପରିବାର ନାମ

ପକ୍ଵତା ନିର୍ଦ୍ଧାରଣ ବିଧି

ଆମ୍ବ

ଫଳ ଗୁଡିକ ସାଧାରଣତଃ ପାଚିବା ପାଇଁ ୧୨୦ ରୁ ଅଧିକ ଦିନ ନେଇଥାନ୍ତି   ।  ଏହା ବିଭିନ୍ନ କିସମ ଉପରେ ନିର୍ଭରଶୀଳ   । ଫଳଗୁଡିକର ଘନତ୍ଵ ଦର୍ଶାଇବା (୧.୦୧ ରୁ ୧.୦୭ ) ଗଛରୁ ଅଳ୍ପ କିଛି ପକ୍ଵ ଫଳ ଆପେ ଆପେ ଝଡିବା   । ବିଶିଷ୍ଟ ଘନତ୍ଵ ବିଧି ହେଉଛି ଠିକ ମାନର  । ଗଛର ବିଭିନ୍ନ ଡ଼ିଆଇଜିରୁ ପକ୍ଵଫଳ ସଂଗ୍ରହ କରି ପାଣି ବାଲଟିରେ ବୁଡାଇ ଛାଡିବା ଦ୍ଵାରା ଯଦି ସେଗୁଡିକର ବୁଡି ରହେ ତେବେ ସେହି ଆକାରର ଫଳ ପକ୍ଵ ହୋଇଛି ବୋଲି ଧରାଯାଏ   ।

ପାଚିଲା କଦଳୀ

ଫଳ ୩/୪ ଅଂଶ ଆକାର ହେବା ପରେ କାନ୍ଧିରେ କଦଳୀ ଫଳଗୁଡିକ କୋଣୀୟ ବିନ୍ୟାସ ବଦଳାଇ ଗୋଲାକାର ଧାରଣ କରନ୍ତି, ରୋବଷ୍ଟା ଆଦି ବଙ୍ଗରା ଜାତୀୟ କଦଳୀ ଅମଳ ପାଇଁ ଗ୍ଲାଗାଇବାର ୧୧ ରୁ ୧୪ ମାସ ସମୟ ନେଇଥାନ୍ତି, କିନ୍ତୁ ଡେଙ୍ଗା ଡାକଡି ଗଛ ୧୪ ରୁ ୧୬ ମାସ ସମୟ ନେଇଥାନ୍ତି  । ପିଲ ବା ପୁଆ କାନ୍ଧି ବାହାରିବାର ୯୦ ରୁ ୧୨୦ ଦିନରେ କଦଳୀ ପାଚେ  । ଏହା ଅବଶ୍ୟ ପରିପାର୍ଶ୍ଵିକ ଅବସ୍ଥା ଅର୍ଥାତ ଜଳବାଯୁ , ଚାଷ ପ୍ରଣାଳୀ ଉପରେ ନିର୍ଭର କରେ   ।

ଲେମ୍ବୁ ଜାତୀୟ ଫଳ

କମଳା, ସାନ୍ତରା , ଗ୍ରେପପ୍ରୁତ , ଲେମ୍ବୁ ଓ କାଗଜି ଆଦି ଫଳଗୁଡିକ ଗଛରେ ପକ୍ଵାବସ୍ତା ପରେ ବି କିଛି ସପ୍ତାହ ରହିପାରେ  । ସାଧାରଣତଃ ଫଳ ଖରାପ ହୁଏନାହିଁ  । ସାଧାରଣତଃ ଫଳ ଖରାପ ହୁଏ ନାହିଁ  । ତୋଳି ଆଣିବା ପରେ ଗୋଦାମ ଘରେ ମଧ୍ୟ ରଖିହୁଏ  ।  ଶୀଘ୍ର ନଷ୍ଟ ହୁଏ ନାହିଁ  । ପକ୍ଵତା ନିର୍ଦ୍ଧାରଣ ବିଧି ଏପରି ଫଳ ଲାଗି ସୁବିଧାଜନକ  । କିନ୍ତୁ ଫଳଗୁଡିକ ଅପକ୍ଵ ଅବସ୍ଥାରେ  କଲେ ସେଗୁଡିକ ଖଦ୍ୟୋପଯୋଗୀ  ହୋଇନଥାଏ   ।  ବିଶେଷ କରି ସେଥିରେ ଜଳୀୟ ଅଂଶ କମ ରହେ ଓ ତାହା ପିତା ଲାଗେ   ।  କିନ୍ତୁ କମଳା ଓ ସାନ୍ତରା ଆଦି ଫଳ ପରିପକ୍ଵ ହେବା ପରେ ବହୁଦିନ ରଖାଗଲେ ସେଥିରୁ ରସ କମିଯାଏ, ପଗଡ ବାନ୍ଧେ ଓ ଖାଇବାକୁ ଭଲ ଲାଗେନାହିଁ   ।  କିନୋ ଅରେଞ୍ଜ ଡିସେମ୍ବର ଶେଷରେ , ଜାନୁଆରୀ ଶେଷ ସପ୍ତାହରୁ ଫେବୃୟାରି ମଝି , ସ୍ଵିଟ ଅରେଞ୍ଜ ମୋସାମ୍ବି ନଭେମ୍ବର ଶେଷ , ପାଇଁ ଏକ କିସମ କମଳା ୧୫ ଡିସେମ୍ବର , ଭେଲେନସୀୟା କିସମ କମଳା ଫେବୃୟାରି , ମାର୍ଚ୍ଚ , ଦାର୍ଜିଲିଂ ସାନ୍ତରା ନଭେମ୍ବର ମଧ୍ୟରୁ ଡିସେମ୍ବର ଶେଷରେ ଅମଳଯୋଗ୍ୟ ହୋଇଥାଏ , ଲେମ୍ଭୂ ଓ କାଗଜି ଲେମ୍ଭୂ ପୁଷ୍ଟ ହେବା ପରେ ଅମଳ କରାଯାଏ  ।  ଏହି ସମୟରେ ଚୋପା ରଙ୍ଗ ଶାଗୁଆ ରହିଥାଏ   ।  କମଳା ଲେମ୍ଭୂଜାତୀୟ ଫଳଗୁଡିକରେ ସମୂହ ଦ୍ରବଣୀୟ ପଦାର୍ଥ ଅମ୍ଳର ଅନୁପାତ ୧୨.୧ ଓ ୧୪.୧ ରହିଥିଲେ ଏହା ଅମଳଯୋଗ୍ୟ ବୋଲି ଧରାଯାଏ   ।

ଅଙ୍ଗୁର

ଫଳଗୁଡିକ କାନ୍ଦିରେ ପରିପକ୍ଵ ହେବାଯାଏଁ ଛଡାଯାଏ କାରଣ ଏହା ନକଲେ ଅମଳ ପରେ ଫଳ ପରିପକ୍ଵ ହୁଏ ନାହିଁ   ।  ଫଳଗୁଡିକ ଦେଖିବାକୁ ରୁଚିକର , ଖାଇବାକୁ ରୁଚିକର ହେବା ଉଚିତ   । ଚିନି ଅଂଶ ବଢିବା ଦରକାର ଓ ଅମ୍ଳ ଅଂଶ କମିବା ଦରକାର   । କିସମର ପ୍ରାକୃତିକ ରଙ୍ଗ ଧରିବା ପରେ ଏହା ପକ୍ଵାବସ୍ଥାରେ ପହଞ୍ଚିଥାଏ  । ପ୍ରତ୍ୟେକ କିସମର ସମୂହ ଦ୍ରବଣୀୟ ଘନପଦାର୍ଥ /ଅମ୍ଳ ଅନୁପାତକୁ ଧରି ପକ୍ଵାବସ୍ଥା ନିରୂପଣ କରାଯାଏ   ।  କିନ୍ତୁ ଅଧିକାଂଶ ଚାଷୀ ଫଳର ରଙ୍ଗ , କୋମଳତା ଓ ସ୍ଵାଦୁ କୁ ବିଚାରକୁ ନେଇ ଅମଳ କରିଥାନ୍ତି  ।

ପିଜୁଳି

ଫଳ ଗୁଡିକ ଗାଢ ସବୁଜ ରଙ୍ଗରୁ ଧୀରେ ଧୀରେ ସବୁଜ ହଳଦିଆ ରଙ୍ଗ ଧାରଣ କରନ୍ତି

ସପୁରି

କ୍ୟୁ - କିସମର ଫଳରେ ଥିବା ଆଖିଗୁଡିକ ହଳଦିଆ ମିଶ୍ରିତ କମଳା ରଙ୍ଗ ତଳସ୍ତରରୁ ଆରମ୍ଭ କରେ ଓ ଆଖି ମଝି ଅଂଶ ସମତଳ ହୋଇ କଢ ଫୁଲିଉଠେ  ।  ଉପପର୍ଣ୍ଣ ଗୁଡିକ ହୁଗୁଳା ହୋଇ ମାଟିଆ ରଙ୍ଗ ଧାରଣ କରେ  ।  ଫଳଗୁଡିକ ଫୁଲ ଧରିବାଠାରୁ ୧୧୫ ରୁ ୧୩୦ ଦିନ ମଧ୍ୟରେ ପାକଳ ହୋଇଥାଏ   ।

ଅମୃତଭଣ୍ଡା

ଫଳଗୁଡିକର ଚୋପା ସବୁଜ ରଙ୍ଗ ପରିତ୍ୟାଗ କରି ହଳଦିଆ ମିଶ୍ରିତ ସବୁଜ ରଙ୍ଗ ଫଳର ତଳପଟୁ ଧାରଣ କରନ୍ତି  । ଫଳ ଚୋପାରେ ଥିବା କ୍ଷୀର ଯେତେବେଳେ ନିର୍ମଳ ଜଳପରି ଦେଖାଯାଏ  । ସେତେବେଳେ ଏହା ପକ୍ଵାବସ୍ଥାରେ ପହଞ୍ଚିଥିବା ଜଣାଯାଏ   ।

ନଡିଆ

ନଡିଆ ପରିପକ୍ଵ ହେବାଲାଗି ୧୨ ରୁ ୧୩ ମାସ ଫୁଲ (ଧରିବାଠାରୁ ) ନେଇଥାଏ   ।  ଚୋପାର ରଙ୍ଗ ଗାଢ ଶାଗୁଆ ରଙ୍ଗ ଛାଡି କିସମ ଅନୁଯାୟୀ ପ୍ରାକୃତିକ ରଙ୍ଗ ଧରେ    । ପରିପକ୍ଵ ନଡିଆଗୁଡିକ ରଙ୍ଗ ଚୋପା  ମାଟିଆ ରଙ୍ଗ ଧରାଯାଏ   ।

ଲିଚୁ

ସାଧାରଣତଃ ମେ ଓ ଜୁନ ମାସରେ ଲିଚୁ ଅମଳ କରାଯାଏ   । ଫଳର ପିଟକ ଗୁଡିକ ସମତଳ ହୋଇ ଉପବର୍ମ କୋମଲ ବା ଚିକ୍କଣ ହୋଇଯାଏ   ।  ଫଳ ସବୁଜ ରଙ୍ଗରୁ ଧୀରେ ଧୀରେ ଗୋଲାପି ରଙ୍ଗ ଧାରଣ କରେ   ।

୧୦

କାଜୁ

କିସମ  ଅନୁଯାୟୀ କାଜୁ ପୁଷ୍ପାଧାର ଫୁଲିଉଠି ସବୁଜ ରଙ୍ଗ ଛାଡି ହଳଦିଆ ବା ନାଲିଆ ରଙ୍ଗ ଧରେ  । ମଞ୍ଜି ପୁରାଭାବେ ବଢି ସବୁଜ ରଙ୍ଗ ତ୍ୟାଗ କରି ଦେଖାଯାଏ   ।

୧୧

ସପେଟା

ଫଳଗୁଡିକ ଫିକା କମଳା ରଙ୍ଗ , ମାଟିଆ ରଙ୍ଗ ବା ଆଳୁ ଧରନ୍ତି , ଫଳ ଚୋପାରେ ଦାଗ ହେଲେ ତାହା ଶାଗୁଆ ରଙ୍ଗ  ନହୋଇ ହଳଦିଆ ଦାଗ ଦେଖାଯାଏ   । ମାଟିଆ ରଙ୍ଗର ସ୍କେଲ ବା ପାତି ଫଳ ଉପରେ ଦେଖାଯାଏ ନାହିଁ   । ଫଳ ଡେମ୍ଫରୁ ଅଳ୍ପ କ୍ଷୀର ବାହାରେ ଫଳର ମୁଣ୍ଡିରେ ଥିବା ଗର୍ଭାଶୟ ଅଂଶ ସୁଖୀ ଖସିପଡେ   ।

୧୨

ଆଭାକାଡୋ

ଫଳର ଆକାର ପୁଷ୍ଟ ହେବା ଉଚିତ   । ଫଳ ଭିତରେ ଥିବା ବୀଜ ଢାଙ୍କୁଣୀ ହଳଦିଆ ମିଶ୍ରିତ ଧଳାରଙ୍ଗରୁ ଗାଢ ମାଟିଆକୁ ପରିବର୍ତ୍ତନ ହୁଏ  ।

୧୩

ସୀତାଫଳ

ସାଧାରଣତଃ ସେପ୍ଟେମ୍ବରରୁ ନଭେମ୍ବର ମାସ ଭିତରେ ଏହା ଅମଳ ହୋଇଥାଏ  । ଫଳ ଚୋପା ଖଣ୍ଡକ ମଧ୍ୟାଅଂଶ  ଯେତେବେଳେ କ୍ରିମ ମିଶ୍ରିତ ହଳଦିଆ ଦିଶେ ସେତେବେଳେ ଫଳ ପକ୍ଵ ହୁଏ ଓ ଫଳ ଶାକ୍ତ ଥାଉ ଥାଉ ଅମଳ କରାଯାଏ   ।

 

୧୪

ପଣସ

ପଣସ ଛୋଟ ଓ କଞ୍ଚା ଅବସ୍ଥାରେ ପନିପରିବା ହିସାବରେ ଅମଳ ହୁଏ କିନ୍ତୁ ପାଚିଲା ପଣସ ଲାଗି ସେଥିରେ ଥିବା ମଞ୍ଜି ଟାଣ ହେବା ପରେ ପାଚେ   । ସାଧାରଣତଃ ମେ ଓ ଜୁନ ମାସରେ ଏହି ଅବସ୍ଥା ଦେଖାଯାଏ   ।

୧୫

ବେଲ

ଫଳଗୁଡିକ ପକ୍ଵାବସ୍ଥାରେ ପହଞ୍ଚିବା ସମୟରେ ଗଛରୁ ପତ୍ର ଝଡିଥାଏ   । ଫଳଗୁଡିକର ଚୋପା ଟାଣ ହୋଇ ଈଷତ ହଳଦିଆ ଦେଖାଯାଏ   ।

୧୬

ଡିମିରି

ଗଛରେ ଫଳ କୋମଲ ଥିବାଯାଏ ରହେ   । ଫଳର ବେକ ଠାରୁ ଝାଉଁଳିଯାଏ ଓ ଗଛରେ ଓହଳି ରହେ  । କାଣ୍ଡ ମଙ୍ଗ ରୁ କ୍ଷୀର ଝରେ ନାହିଁ  ।

୧୭

ବରକୋଳି

ଫଳଗୁଡିକ ଅପକ୍ଵ ଓ ପରିପକ୍ଵ ନ ହେବା ଉଚିତ   । ପକ୍ଵାବସ୍ଥାରେ ହିଁ ଅମଳ କରିବା ଉଚିତ  । ଫଳ ସବୁଜ ରଙ୍ଗ ଛାଡି ହଳଦିଆ ରଙ୍ଗ ଧରେ  । ପରେ ସ୍ଵର୍ଣ୍ଣ ରଙ୍ଗ ଧରି ଶେଷରେ ମାଟିଆ ରଙ୍ଗର ହୋଇଥାଏ   । ହଳଦିଆ ରଙ୍ଗ ଆରମ୍ଭ ହେବା ସମୟରେ ଅମଳ କରାଯାଏ   । ଫଳ ଏହି ସମୟରେ କୋମଲ ନଥାଏ   ।

୧୮

ଡାଳିମ୍ବ

ଫୁଲ ଫୁଟିବାର ପାଞ୍ଚ ମାସରୁ ସାତମାସ ହେବା ଭିତରେ ଫଳ ପାଚେ  । ଫଳର ବାହାର ଅଂଶ ହଳଦିଆ ରଙ୍ଗ ଧରିବା ଆରମ୍ଭ ହେବା ପରେ ଓ ଫଳକୁ ଧୀର ଆଘାତ ଦେଲେ , ଧାତୁରେ ଆଘାତ ହେଲା ପରି ଶବ୍ଦ କରେ   ।

୧୯

ଅଁଳା

ଫଳଗୁଡିକ ଈଷତ ଶାଗୁଆ ଥାଏ   । କିନ୍ତୁ ପାଚିବା ପରେ ମଇଳା ସବୁଜ ମିଶା ହଳଦିଆ ରଙ୍ଗ ଧରେ   । ଭିଟାମିନ – ସି ପୁରାମାତ୍ରାରେ ବଢିବା ପରେ ଫଳ ଅମଳ କରାଯିବା ଉଚିତ  ।

୨୦

କନ୍ଦମୂଳ

ଅମଳ ହେବା ପାଇଁ ଲଗାଯିବାର ସାଢେ ତିନିମାସରୁ ଚାରିମାସ ସମୟ ଲାଗେ  । କାଣ୍ଡର ପତ୍ରଗୁଡିକ ହଳଦିଆ ପଡେ   ।

୨୧

ଉଲି ପିଆଜ

ଲଗାଯିବାର ତିନିମାସରୁ ପାଞ୍ଚ ମାସରେ ଅମଳ ଯୋଗ୍ୟ ହୋଇଥାଏ , ଗଛ ଶୁଖିଆସେ ଓ ମାଟି ଉପରେ ବେକଭାଙ୍ଗି ପଡିଯାଏ  । ୫୦% ରୁ ଅଧିକ ପଡିଲେ ଅମଳ କରାଯାଏ   ।

୨୨

ରସୁଣ

ସାଢେ ଚାରି ମାସରୁ ପାଞ୍ଚ ମାସରେ ଅମଳଯୋଗ୍ୟ ହୁଏ   । ଗଛ ଶୁଖିଆସେ ଓ ରସୁଣର ପତଳା ଟୋପା ଟାଣ ହୋଇଥାଏ  । ମାଟି ଉପର ଅଂଶ ନଡା ରଙ୍ଗ ହୋଇଯାଏ  ।

୨୩

ଆଳୁ

ପତ୍ର ଓ ଡାଳ ଶୁଖିଆସିବା ପରେ ଆଳୁ ଅମଳ ହୁଏ  ।  ଆଳୁର ଚୋପା ହାତରେ ଘଷିଲେ ଛିଣ୍ଡି ବାହାରେ ନାହିଁ  । ଅମଳ କରିବା ୧୫ ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିବ  ।

୨୪

ବନ୍ଧାକୋବି

କୋବିଗୁଡିକ ପୁରାଭାବେ ସତେଜ ହୋଇ ବଢିଲା ପରେ ଅମଳ ହୁଏ  ।

୨୫

ଫୁଲକୋବି

ସହଳ ଫସଲ ୬୦ ରୁ ୭୦, ମଧ୍ୟମ ଫସଲ ୯୦ ରୁ ୧୦୦ ଓ ଉଛୁର ଫସଲ ୧୧୦ ରୁ ୧୨୦ ଦିନରେ ଅମଳ ହୁଏ  ।  ଫୁଲ କଢ ଅବସ୍ଥାରେ ଥାଏ ଓ କ୍ରିମ ରଙ୍ଗ ଧାରଣ କଲେ ଅମଳଯୋଗ୍ୟ ହୁଏ   ।

୨୬

ଗଣ୍ଠିକୋବି

କୋବି ପୁରାଭାବେ ବଢି ଚୋପା କଅଁଳ ଅବସ୍ଥାରେ ଥିବା ସମୟରେ ଅମଳ କରାଯାଏ   ।

୨୭

ବାଇଗଣ

ଫଳ ପୁରାଭାବେ ବଢି ,ଚକଚକ ଦେଖାଯିବା  ।  କଅଁଳ ଅବସ୍ଥାରେ ତୋଳାଯାଏ । ମଞ୍ଜି ଟାଣ ହେବା ପୂର୍ବରୁ ଅମଳ କରାଯାଏ  ।

୨୮

ବିଲାତି ବାଇଗଣ

ଫୁଲ ପୁରାଭାବେ ବଢି ସବୁଜ ରଙ୍ଗ ବଦଳିବାକୁ ଆରମ୍ଭକଲେ ତୋଳାଯାଏ  । ତେବେ ଆବଶ୍ୟକତାକୁ ଦେଖି ଅମଳ କରାଯିବା ଦରକାର  । ସଦ୍ୟ ବ୍ୟବହାର ଲାଗି ପରିଣତ ଅବସ୍ଥାରେ ତୋଳଯାଏ  ।  କିଛି ଦିନ ରଖି ବ୍ୟବହାର କରିବାକୁ ହେଲେ ପକ୍ଵାବସ୍ଥା ରେ ଅମଳ କରାଯାଏ  । ମଞ୍ଜି ରଖିବା ପାଇଁ ପୁରା ଲାଲ ନରମ ଅବସ୍ଥାରେ ଅମଳ କରାଯାଏ   ।

୨୯

ଭେଣ୍ଡି

ଫୁଲ ଫୁଟିବାର ପାଞ୍ଚ ଦିନରୁ ଛଅ ଦିନରେ ଭେଣ୍ଡି ପୁରାମାତ୍ରାରେ ବଢି କଅଁଳ ଅବସ୍ଥାରେ ଥିବାବେଳେ ଅମଳ କରାଯାଏ   ।

୩୦

ଶିମ୍ବ

ଫଳ ଧରିବାର ଦୁଇ ସପ୍ତାହରୁ ତିନି ସପ୍ତାହରେ ଛୁଇଁ ଅମଳ ହୁଏ  ।  ଛୁଇଁ କଅଁଳ ଅବସ୍ଥାରେ ତୋଳାଯାଏ   ।

୩୧

ମଟର

ଛୁଇଁ ହୃଷ୍ଟପୃଷ୍ଠ ହୋଇ ବଢିବା ପରେ ଓ ମଞ୍ଜି କଅଁଳ ଥିବା ଅବସ୍ଥାରେ ଅମଳ ହୁଏ   ।  ଛୁଇଁ ଶାଗୁଆ ରଙ୍ଗ ଧରିଥିବା ଅବସ୍ଥାରେ ଅମଳ କରାଯାଏ   ।

୩୨

କଖାରୁ

କଖାରୁ ପାଚିବା ଲାଗି ଶହେ ଦଶ ଦିନରୁ ଶହେ କୋଡିଏ ଦିନ ଲାଗେ   । ଫଳ ଶାଗୁଆ ରଙ୍ଗ ଛାଡି ହଳଦିଆ ବା କମଳା ରଙ୍ଗ ଧରେ, ମଞ୍ଜି ପାକଳ ହୋଇ ଟାଣ ହୁଏ  ।  ଚୋପା ଅତି ଟାଣ ହୁଏ

୩୩

କାକୁଡି

ମଞ୍ଜି ଲଗାଇବାର ଦୁଇମାସ ପରେ ଅମଳ ଆରମ୍ଭ ହୁଏ  ।  କାକୁଡି ପୁରାମାତ୍ରାରେ ବଢି ସବୁଜ ମିଶା ଧଳା ରଙ୍ଗ ଧରେ  ।  ଚୋପା ଓ ମଞ୍ଜି କଅଁଳ ହୋଇଥାଏ  ।

୩୪

ତରଭୁଜ

ମଞ୍ଜି ଲାଗିଯିବାର ଚାରିମାସରୁ ପାଞ୍ଚମାସ ଭିତରେ ଫଳ ପାଚିବା ଆରମ୍ଭ କରେ   ।  ଲଟା ମଉଳିବା ଆରମ୍ଭ କରେ   । ଫଳରେ ଠଣି ମାରିଲେ ଟାଇଁ ଟାଇଁ  ଶବ୍ଦ ପରିବର୍ତ୍ତେ ଧଡଧଡ ଶବ୍ଦ କରେ  ଫଳଗୁଡିକ ଗାଢ ରଙ୍ଗ ଧରେ  । ମଞ୍ଜି ଟାଣ ଓ ଗାଢ କଳା ବା ମାଟିଆ ରଙ୍ଗ ଧରେ   ।

ଅମଳ ଓ ଅମଳ ପରବର୍ତ୍ତୀ ପ୍ରବନ୍ଧ କରିବା

ଫଳ ଓ ପନିପରିବା ଗୁଡିକର ଉପଯୁକ୍ତ ବିନିଯୋଗ ଲାଗି ଉପଯୁକ୍ତ ପ୍ରବନ୍ଧ କରିବା ଆବଶ୍ୟକ କାରଣ ଫଳ ଓ ପନିପରିବା ଗୁଡିକୁ ଯତ୍ନ ସହକାରେ ଅମଳ କରିବାଠାରୁ ଖାଉଟିମାନଙ୍କ ପାଖରେ  ପହଞ୍ଚାଇ ଉପଯୁକ୍ତ ଭାବେ ସେଗୁଡିକର ସଦ୍ୟବ୍ୟବହାର ହେବା ଏକ ପ୍ରଧାନ ବିଷୟ   ।  ଏହି ସ୍ୱାସ୍ଥ୍ୟରକ୍ଷକ ଖାଦ୍ୟ ସାମଗ୍ରୀରେ ଖାଦ୍ୟ ମୂଲ୍ୟରେ ଅବନତି , ତଥା ପାଚି, ସଢି ଓ ସୁଖୀ ନଷ୍ଟ ହେବା ଅନୁଚିତ  । ଫଳ ଓ ପନିପରିବା ଗୁଡିକର ଅମଳ କରିବା ଉପଯୁକ୍ତ ସମୟ ସକାଳ ଓ ଉପରବେଳା  । ଟାଣ ଖରା ହେଉଥିବା ସମୟରେ ଫଳ ଅମଳ କରାଯିବା ଉଚିତ ନୁହେଁ  ।  ଖରାରେ ଅମଳ ଦ୍ରବ୍ୟଗୁଡିକୁ ରଖିଲେ ଅଧିକ ତାପହେତୁ ଫଳ ଓ ପନିପରିବା ଗୁଡିକର ଶ୍ଵାସ ପ୍ରକ୍ରିୟାର ଗତି ବଢିବା ସଙ୍ଗେ ସଙ୍ଗେ ତତଜନିତ ଅନ୍ୟାନ୍ୟ ପ୍ରକ୍ରିୟା ଚାଲୁହେବା ଦ୍ଵାରା ସେଗୁଡିକର କ୍ଷତି ଘଟାଏ ଓ ସଂରକ୍ଷଣ ଲାଗି ଉପଯୁକ୍ତ ହୋଇନଥାଏ  । ଅମଳ କରିବା ସମୟରେ ଫଳ ଓ ପନିପରିବାଗୁଡିକୁ ଛେଚିବା , ଚିପିବା ବା ଫୋପାଡିବା ଅନୁଚିତ   ।  ଏପରି କଲେ ସେଗୁଡିକ ଶୀଘ୍ର ନଷ୍ଟ ହୋଇଥାଏ ଓ ରୋଗ ଜୀବାଣୁ ସହଜେ ପ୍ରବେଶ କରି ସେଗୁଡ଼ିକକୁ ସଢାଇ ଦିଅନ୍ତି  । ଗଛଗୁଡିକରେ ସିଡି ସାହାଯ୍ୟରେ ଛାଡି ଫଳଗୁଡିକୁ ସାବଧାନ ଭାବେ ତୋଳି ଦେବା ବା ମୁଣିରେ ରଖି ତଳକୁ ଅଣାଯାଏ  ।  ଆଜିକାଲି ବଡ ବଡ ଫଳ ବଗିଚାରେ ଯାନ୍ତ୍ରିକ ଉପାୟରେ ଗଛରୁ ନିରାପଦରେ ଫଳ ତୋଳାଯାଉଛି  । ଫଳଗୁଡିକୁ ବାଲଟି, ଅଖାମୁଣି, ବାଉଁଶ ବେତା , ମଲାଟ ବାକ୍ସ ବା ଟିଣ ବାକ୍ସରେ ରଖି ସେଗୁଡିକୁ ଥଣ୍ଡା ଓ ଛାଇ ହୋଇଥିବା ଜାଗାରେ ସଂଗ୍ରହ କରାଯାଏ  । ଏହି ସମୟରେ କ୍ଷେତରୁ ଅନୁରୂପ ପ୍ରଣାଳୀରେ ଅମଳ ହେଉଥିବା ଛେଚା , କଚଡା ନ ହେବା ଓ ସେଥିରେ ଦାଗ ନପଡିବା ପ୍ରତି ଧ୍ୟାନ ଦେବା ଦରକାର  । ପନିପରିବାଗୁଡିକ ମଧ୍ୟ କ୍ଷେତରୁ ତେଳାଗଲା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ  ।

ସଂଗୃହୀତ ଫଳ ଓ ପନିପରିବା ଗୁଡିକ ଜମି ଉପରେ ବେଶି ସମୟ ଗଦା କରିବା ଅନୁଚିତ , କାରଣ ଗଦା କରିବା ଭିତରେ ମୁକ୍ତ ପବନ ପ୍ରବେଶ କରିବାରେ ବ୍ୟାଘାତ ହେବା ସଙ୍ଗେ ସଙ୍ଗେ ଫଳ ଓ ପନିପରିବା ଗୁଡିକରେ ଶ୍ଵାସକ୍ରିୟାର ବେଗ ବଢି ଉତ୍ତାପ ବଢିଥାଏ   । ଫଳ ଓ ପନିପରିବା ଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ ଓ ପରେ ପରେ ଜମିରେ ଥିବା ଜୀବାଣୁ ଓ କୀଟ ପ୍ରବେଶ କରି ଫଳ ଓ ପନିପରିବା ନଷ୍ଟ କରିଥାନ୍ତି   ।  ଜୀବାଣୁ ପ୍ରବେଶ କରିଥିବା ଫଳ ଓ ପନିପରିବା ଷ୍ଟୋର ଘରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତି  ।

ଆଧୁନିକ ଉଦ୍ୟାନ ଚାଷ ପଦ୍ଧତିରେ ବଡ ବଡ ବ୍ୟବସାୟିକ ଉଦ୍ୟାନ ବଗିଚାରେ ଅମଳ ହେଉଥିବା ଫଳ ଓ ପନିପରିବା କିଛି ସମୟ ବରଫ ଜଳରେ ବୁଡାଇ ରଖି ପରେ ସଂଗ୍ରହଣ କେନ୍ଦ୍ରରୁ , ସଂରକ୍ଷଣ କେନ୍ଦ୍ର ବା ଶୀତଳ ଭଣ୍ଡାରକୁ ନିଆଯାଏ  । ଏପରି କରିବା ଦ୍ଵାରା ଫଳ ଓ ପନିପରିବା ଭିତରେ ଥିବା ଉତ୍ତାପକୁ ହ୍ରାସ କରିଦିଆଯାଏ ଓ ସେଗୁଡିକ ତଟକା ହୋଇ ଅଧିକ ସମୟ ରହିଥାଏ  ।

ଅମଳ କରିବା ପ୍ରଣାଳୀ

ଫଳ ଓ ପନିପରିବା ଅମଳ ସେଗୁଡିକର ପ୍ରକାର ଭେଦରେ ଭିନ୍ନ ହୋଇଥାଏ, ତେବେ ଅମଳ କରିବା ସମୟରେ ଓ ଅମଳ ପର-ପରିଚାଳନା ସମୟରେ ସେଗୁଡିକ ପ୍ରତି କୌଣସି ପ୍ରକାରର ଆଘାତ ନ ଲାଗିବା ମୁଖ୍ୟ ବିଷୟ ଅଟେ  ।  କେହି ବଗିଚା ଚାଷୀ ଫଳ ଗଛରୁ ଫଳ ତୋଳିବା ସମୟରେ ଭୁଲ ପ୍ରଣାଳୀ ଅନୁସରଣ କରିଥାନ୍ତି  ।  କେହି ଗଛକୁ ଜୋରରେ ହଲାଇବାରୁ ଗଛରୁ ପାଚିଲା ଫଳ ଝଡି ତଳେ ପଡିଥାଏ   । ସେଗୁଡିକୁ ସେ ଗୋଟାଇ ନେଇ ବିକନ୍ତି  । ଏହି ପରି କରିବା ଦ୍ଵାରା ଗଛ ନଷ୍ଟ ହେବା ସଙ୍ଗେ ସଙ୍ଗେ ଅମଳ ହେଉଥିବା ଫଳ ଛେଚି ହୋଇ ନଷ୍ଟ ହୋଇଥାଏ  । ଆମ୍ବ ଗଛରେ ଚଢି ଲମ୍ବା ଦଉଡିବନ୍ଧା ବେଗ ବା କପଡା ବା ଅଖା ମୁଣି ନେଇ ହାତ ସାହାଯ୍ୟରେ ପ୍ରତିଟି ଫଳ ତୋଳି ମୁଣିରେ ରଖି , ଧୀରେ ଧୀରେ ତଳକୁ ଖସାଇ ଫଳ ସଂଗ୍ରହ କରିବା ଉଚିତ  । ଗାଁ ଗହଳିରେ ମଧ୍ୟ ସରୁ ଲମ୍ବା ଓ ଶକ୍ତ ବାଉଁଶ ଅଗରେ ଦଉଡି ଜାଲି ବାନ୍ଧି ଫଳଗୁଡିକୁ ଅମଳ କରାଯାଏ  । ନଡିଆ, ତାଳ, ଖଜୁରୀ ଆଦି ଫଳ ଗଛରୁ କେଣ୍ଡାଗୁଡିକୁ ଦଉଡିରେ ବାନ୍ଧି ଧୀରେ ଧୀରେ ତଳକୁ ଖସାଇ ଅମଳ କରାଯାଏ  ।  ଅଙ୍ଗୁର ପେନ୍ଥାଗୁଡିକୁ କାଟି ବାଉଁଶ ଝୁଡିରେ ରଖି ଅମଳ କରାଯାଏ  । ସପୁରି ଫଳଗୁଡିକୁ ଫଳ ତଳ ଅଂଶରେ ଥିବା ନାଡକୁ କାଟି ଫଳଗୁଡିକ ବାଉଁଶ ବେତାରେ ରଖି ସଂଗ୍ରହ କରାଯାଏ  । ଲିଚୁ ଫଳଗୁଡିକୁ କେଣ୍ଡା ଓ ପତ୍ର ସହ କାଟି ଅମଳ କରାଯାଏ  ।  ଏହାଛଡା ଛେଚାରୁ ରକ୍ଷା ପାଇ ଫଳ ସୁରକ୍ଷିତ ହୋଇଥାଏ   ।

ଆଜିକାଲି ବିଭିନ୍ନ ଫଳ ଯାନ୍ତ୍ରିକ ପ୍ରଣାଳୀରେ ଅମଳ କରି , ଟ୍ରେରେ ସ୍ଵୟଂଚାଳିତ ପଦ୍ଧତିରେ ଭର୍ତ୍ତି କରାଯାଏ   । ପନିପରିବା କ୍ଷେତ୍ରରେ ବିଭିନ୍ନ ପନ୍ଥା ଅବଲମ୍ବନ କରି ଫସଲ ଅମଳ କରି ଝୁଡି , ମୁଣା ଆଦି ଧାରକ ବ୍ୟବହାର କରି ସେଥିରେ ସଂଗ୍ରହ କରାଯାଏ  ।  ବିଭିନ୍ନ ପନିପରିବାର ବ୍ୟବହୃତ ଅମଳ ପ୍ରଣାଳୀ ନିମ୍ନରେ ପ୍ରଦତ୍ତ ହୋଇଛି   ।

  • ଆଳୁ- ଆଲୁଖୋଲା ଫାଉଡା ବ୍ୟବହାର କରି ହୁଡା ଖୋଳି ଖୋଳି ଆଳୁ ଅମଳ କରାଯାଏ   ।
  • ବାଇଗଣ – ଡେମ୍ଫ ସହ ଫଳଗୁଡିକୁ ଅମଳ କରାଯାଏ   ।

ଭେଣ୍ଡି – ଛୋଟ ଡେମ୍ଫ ସହ ଅମଳ କରାଯାଏ  ।

ବିଲାତି ବାଇଗଣ , ପୋଟଳ ଇତ୍ୟାଦି   - ଡେମ୍ଫରୁ ଅଲଗା କରି ଫଳ ଅମଳ କରାଯାଏ   ।

  • ମଟର , ଶିମ୍ବ, ଝୁଡଙ୍ଗ – ଛୁଇଁଗୁଡିକୁ ହାତରେ ଅମଳ କରାଯାଏ   ।
  • କନ୍ଦମୂଳ, ସାରୁ , ଦେଶୀଆଳୁ – ଫାଉଡା ଦ୍ଵାରା ଖୋଳି କନ୍ଦାଗୁଡିକୁ ସଂଗ୍ରହ କରାଯାଏ  ।
  • ମୂଳା, ବିଟ, ଗାଜର - ଗଛ ସହ ସାବଧାନ ହୋଇ ଉପାଡି ସଂଗ୍ରହ କରାଯାଏ   ।
  • ଛତୁ – ନାଡ ସହ ସାବଧାନ ହୋଇ ଅମଳ କରାଯାଏ, ଯେପରି ଛତା ରୂପକ ଅଂଶ ନଷ୍ଟ ନହୁଏ  । ସେଗୁଡିକ ମଲାଟ ବକ୍ସ ବା ପ୍ଲାଷ୍ଠିକ ଟ୍ରେରେ ସଂଗ୍ରହ କରିବା ନିରାପଦ   ।
  • କଞ୍ଚା କଦଳୀ- କାନ୍ଦି ସହ ଫଳଗୁଡିକୁ ସଂଗ୍ରହ କରାଯାଏ   ।
  • ଶାଗ – ପୋଇପତ୍ର ସହ କାଣ୍ଡଗୁଡିକୁ କଟାଯାଏ , କୋଶଳା ଖଡା ଆଦି ଶାଗ ଉପାଡି ଅମଳ କରାଯାଏ କିନ୍ତୁ ଲେଉଟିଆ ଶାଗ ଦାଆ ଦ୍ଵାରା କାଟି ସଂଗ୍ରହ କରାଯାଏ   ।
  • ସଜନା ଛୁଇଁ – ଲମ୍ବା ବାଉଁଶ ଅଗରେ ଆଙ୍କୁଡି ବାନ୍ଧି ଛୁଇଁଗୁଡିକ ଲାଗିଥିବା ଡାଳଗୁଡିକୁ ଭାଙ୍ଗି ସଂଗ୍ରହ କରାଯାଏ   ।
  • କଞ୍ଚା ଅମୃତଭଣ୍ଡା – ଗୋଟି ଗୋଟି କରି ହାତରେ ତୋଳାଯାଏ  । କଞ୍ଚା ପଣସ ଓ କଞ୍ଚା ଆମ୍ବ  - ମୁଣି ବା ବାଉଁଶ ଡାଲାରେ ଭରି ସଂଗ୍ରହ କରାଯାଏ   ।
  • ଏହା ବ୍ୟତୀତ ବିଭିନ୍ନ ଯାନ୍ତ୍ରିକ ପ୍ରଣାଳୀରେ ମଧ୍ୟ ପନିପରିବାକୁ ଅମଳ କରାଯାଏ   । ପନିପରିବାଗୁଡିକ ବିଶେଷ କରି ମୂଳା ଜାତୀୟ (ମୂଳା, ଗାଜର) ଅମଳ ପରେ ପରେ ପରିଷ୍କାର ଜଳରେ ଧୋଇ ରଖାଯାଏ   ।

ଶ୍ରେଣୀକରଣ

ବ୍ୟବସାୟିକ ଦୃଷ୍ଟିରୁ ଫଳ ଓ ପନିପରିବା ଶ୍ରେଣୀକରଣ ହେବା ଉଚିତ  । ଚାଷୀମାନେ ଏହା ନକରି ପାରି ବେପାରୀମାନଙ୍କୁ କମ ଦରରେ ବିକ୍ରି କରିଥାନ୍ତି ଓ ଉଚିତ ଲାଭ ପାଇନଥାନ୍ତି , ତେଣୁ ଶ୍ରେଣୀକରଣ ଆବଶ୍ୟକ  ।  ଅବଶ୍ୟ ଫଳଗୁଡିକ ପକ୍ଵ , ଅକ୍ଷତ , ନିଖୁଣ ଭାବେ ଅମଳ କରାଯିବା ସହିତ ସମବିଧ ହେବା ଉଚିତ  । ଫଳ ସାଧାରଣତଃ ଆକାର , ରଙ୍ଗ ଓ ଦାଗ ବିହୀନ ଗୁଣକୁ ନେଇ ଶ୍ରେଣୀକରଣ ହୋଇଥାଏ  ।  ସେଓ,  ନାସପାତି , ପିଜୁଳି , ସାନ୍ତରା , ଗ୍ରେପଫ୍ରୁଟ ,ଆମ୍ବ ଓ ଅନ୍ୟାନ୍ୟ କେତେକ ପ୍ରକାରର ଫଳଗୁଡିକ ଶ୍ରେଣୀକରଣ ହୋଇ କେତେକ ସ୍ଥାନରେ ବିକାଯାଇ ଅଧିକ ଲାଭ ଉଠାଯାଇଥାଏ  । ଏଥିଲାଗି ମଧ୍ୟ           “ଏଗମାର୍କ“ ର ବ୍ୟବସ୍ଥା  କରାଯାଇଛି , ଚାଷୀମାନଙ୍କ ସୁବିଧା ଲାଗି   । ଶ୍ରେଣୀକରଣ ଆମ ଦେଶରେ ଅଭିଜ୍ଞ ଲୋକମାନଙ୍କ ଦ୍ଵାରା ହାତରେ କରାଯାଏ   । କିନ୍ତୁ ଯେଉଁଠାରେ ବହୁ ପରିମାଣର ଫଳ ଅମଳ ହୁଏ ସେଠି ଯାନ୍ତ୍ରିକ ଗ୍ରେଡର ବ୍ୟବହାର କରିବା ଦ୍ଵାରା ଅଳ୍ପ ସମୟରେ ଓ ନିର୍ଭୁଲ ଭାବେ ଶ୍ରେଣୀକରଣ ହୋଇପାରେ  । ମେସିନ ଗ୍ରେଡର ସାହାଯ୍ୟରେ ଆମେରିକା ଆଦି ଦେଶରେ ଫଳର ଶ୍ରେଣୀକରଣ ହୋଇଥାଏ  ।

ଆକାର , ପୂର୍ଣ୍ଣପକ୍ଵାବସ୍ଥା , ରଙ୍ଗ ଓ ଗୁଣକୁ ଧରି ପନିପରିବା ଶ୍ରେଣୀକରଣ କରାଯାଏ  । ପ୍ରତି ପ୍ରକାର ପନିପରିବାର କିସମ କୁ ଧରି ଶ୍ରେଣୀକରଣ ହୁଏ  । ସେଗୁଡିକର ଗୁଣ , ଅବସ୍ଥା, ଆକାର , ଓ ଆକୃତିକୁ ନେଇ ଶ୍ରେଣୀକରଣ ହୁଏ  । ଆଳୁଗୁଡିକ ଅତି ବଡ , ବଡ ମଧ୍ୟମ , ସାନ ଓ ଗୁଣ୍ଡ ଏପରି ଶ୍ରେଣୀକରଣ ହୁଏ   । ସେପରି ବଡ,  ମଧ୍ୟମ , ଓ ସାନ ଆକାରକୁ ଧରି ଅନ୍ୟ ପରିବାର ଶ୍ରେଣୀକରଣ ହୁଏ ଓ ବିକ୍ରି ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ  ।  କେତେକ ସ୍ଥଳରେ ପରିବା ଗୁଡିକର ଦୃଢତା  ସ୍ଵାଦୁ, ରନ୍ଧନ ଗୁଣ , ରଙ୍ଗକୁ ନେଇ ମଧ୍ୟ ଶ୍ରେଣୀକରଣ ହୁଏ   ।

ଗଣ୍ଠିଲିକରଣ

ଅମଳ ହୋଇଥିବା ଫଳ ଓ ପନିପରିବା ଲକ୍ଷସ୍ଥଳକୁ ନେବାଆଣିବା ସକାଶେ ଗଣ୍ଠିଲିକରଣ ଆବଶ୍ୟକ   ।  ଏହାଦ୍ଵାରା ପରିବହନ ସମୟରେ , ବ୍ୟବସାୟ କେନ୍ଦ୍ରରେ ଓ ସଂଗ୍ରହ କେନ୍ଦ୍ରରେ –

  1. ଫଳ ଓ ପନିପରିବା ଅଯଥା ନଷ୍ଟ ହେବାରୁ ରକ୍ଷା ମିଳେ  ।
  2. ଫଳ ଓ ପନିପରିବା କ୍ଷତି ରୁ ରକ୍ଷା ମିଳେ  ।
  3. ଅନାବଶ୍ୟକ ଉଦ୍ଭିଦ ପ୍ରକ୍ରିୟାରୁ ରକ୍ଷା ମିଳେ  ।
  4. ଫଳ ଓ ପନିପରିବା ରୋଗ ଆକ୍ରମଣରୁ ରକ୍ଷା ପାଏ  ।

ଫଳ ଓ ପନିପରିବାର ଗଣ୍ଠିଲିକରଣ ପୂର୍ବରୁ ଫଟା , ଛେଚା , ରୋଗା ଓ  କୀଟ ଦ୍ଵାରା  ନଷ୍ଟ ହୋଇଥିବା , କେଞ୍ଚଡି ବା ଅପକ୍ଵ ଫଳ ଓ ପାରିବାକୁ ବାଛି ଅଲଗା କରାଯାଏ   । ଏପରି କରିବା ଦ୍ଵାରା ଗଣ୍ଠିଲିରେ ଥିବା ଅକ୍ଷତ ଫଳ ଓ ପରିବାଗୁଡିକ ଅକ୍ଷତ ଅବସ୍ଥାରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ   ।

ଗଣ୍ଠିଲିକରଣ ଲାଗି ନାନା ପ୍ରକାରର ଦ୍ରବ୍ୟ  ବ୍ୟବହାର କରେ , ଯଥା – ଟିଣ ବାକ୍ସ , କାଠ ବାକ୍ସ , ବାଉଁଶ ବା ତାଳପତ୍ର ତିଆରି ଝୁଡି , ମାଟିହାଣ୍ଡି (ଅଙ୍ଗୁର ଲାଗି) ଝୋଟ , ତିଆରି , ମୁଣା , କରୋଗେଟେଡ , ଫାଇବର , ବୋର୍ଡ ବାକ୍ସ , କାର୍ଡବୋର୍ଡ ବାକ୍ସ, କାର୍ଟୁନ ବାକ୍ସ ଇତ୍ୟାଦି । ଆଳୁ, ପିଆଜ, ରସୁଣ ପରି ଟାଣ ଜିନିଷକୁ ଅଖା, କନାମୁଣି ଆଦି ପଦାର୍ଥରେ ଗଣ୍ଠିଲିକରଣ ବ୍ୟବସ୍ଥା ହୋଇପାରେ , ତେବେ ମୁଣି ଭିତରକୁ ବାୟୁ ଅବାଧରେ ପ୍ରବେଶ କରୁଥିବା ଆବଶ୍ୟକ  ।  କିନ୍ତୁ କୋମଲ ଫଳ ଓ ପନିପରିବା ପାଇଁ ଏହି ପ୍ରଥା ଅନୁପଯୁକ୍ତ  । ବସ୍ତାଗୁଡିକୁ ଗାଡିକୁ ଛଡାଇବା ବା ଉତାରିବା ସମୟରେ ମୁଣି ଭିତରେ ଥିବା ଜିନିଷ ଆଘାତ ପାଇବା ଭୟ ଅବଶ୍ୟ ରହିଛି   ।  ଗଣ୍ଠିଲିକରଣ ହେବା ଦ୍ରବ୍ୟ ଏପରି ହେବା ଦରକାର ଯାହା ଫଳରେ ଭିତରେ ଥିବା କଞ୍ଚା ଓ ପାଚିଲା ପଦାର୍ଥଗୁଡିକ ନିରାପଦରେ ରହିପାରିବା ସଙ୍ଗେ ସଙ୍ଗେ ବାୟୁ ସଂଚାଳନର ସୁବିଧା ଥିବା ଆବଶ୍ୟକ   । ଏହା ନ ହେବା ଦ୍ଵାରା ଭିତରେ ଥିବା କଞ୍ଚା ବା ସତେଜ ପଦାର୍ଥରେ ଉଦ୍ଭିଦ ପ୍ରକ୍ରିୟାର ବେଗ ବଢି ଫଳ ଓ ପାରିବାକୁ କ୍ଷୟ ଘଟାଇବାରେ ସହାୟକ ହେବ  । କାଠ ବାକ୍ସ ଓ ଟିଣ ବାକ୍ସ ବ୍ୟବହାର  ସୁବିଧାଜନକ ଅଟେ  । କାରଣ ଏହାକୁ ବାରମ୍ବାର ବ୍ୟବହାର କରାଯାଇପାରେ  ।  ତେବେ ପ୍ରଥମେ ଏହା ବ୍ୟୟସାପେକ୍ଷ ହୋଇଥାଏ ଓ ଅଧିକ ଓଜନ ହେତୁ ଉଠାରଖା କରିବାରେ ଅଧିକ ପରିଶ୍ରମ ନେବାକୁ ପଡିଥାଏ  ।  କରୋଗେଟେଡ ଫାଇବର ବୋର୍ଡ ବାକ୍ସଗୁଡିକ ସର୍ବାପେକ୍ଷା ସରଳ ଅଟେ  । ଏହା ବାଉଁଶ ଘାସ, ନଡା ଓ ଅନ୍ୟାନ୍ୟ କୃଷିଜାତ ପରିତ୍ୟକ୍ତ ବସ୍ତୁରୁ ଓ କାର୍ଡବୋର୍ଡ କାଗଜରୁ ପ୍ରସ୍ତୁତ ହୋଇଥାଏ  ।  ଏହି ପ୍ରକାର ବାକ୍ସର ବ୍ୟବହାର ଦ୍ଵାରା କେତେଗୁଡିଏ ସୁବିଧା ହୋଇଥାଏ   ।

  1. ସେଗୁଡିକ ହାଲୁକା ହୋଇଯାଏ   ।
  2. ଏହା ଶସ୍ତା ସୁଲଭ ଜିନିଷରେ ତିଆରି
  3. ଫଳ ଓ ପନିପରିବା ସୁରକ୍ଷା କରେ
  4. ନେବାଆଣିବା ପାଇଁ ସହଜ ହୋଇଥାଏ   ।
  5. ବାକ୍ସ ଉପରେ , ସେଥି ଭିତରେ ଥିବା ଜିନିଷଗୁଡିକ ବିଷୟରେ ସହଜରେ ଲେଖିହୁଏ ଓ ପ୍ରେରିତ ସ୍ଥାନର ଠିକଣା ଲେଖିବା ସହଜ ହୋଇଥାଏ   ।
  6. ବହିର୍ଭାଗ ସୁଦୃଶ୍ୟ ହେବାଦ୍ଵାରା ଗ୍ରାହକ ଆକୃଷ୍ଟ ହୁଅନ୍ତି   ।
  7. ଫଳ ଓ ପରିବାକୁ ଠିକ ଓ ସୁନ୍ଦର ଭାବେ ସଜାଇ ଭଲ ଭାବରେ ରଖିହୁଏ   ।
  8. ପରିବହନ ଖର୍ଚ୍ଚ କମାଇବାରେ ସହାୟକ ହୋଇଥାଏ   ।
  9. ବଜାର ଅଞ୍ଚଳରେ ଅଳିଆ ଆବର୍ଜନା ମଧ୍ୟ କମ ହୋଇଥାଏ   ।

ବିଶେଷ ଭାବେ ବିଦେଶରୁ ରପ୍ତାନି ହେଉଥିବା ଫଳ ଓ ପରିବା ଲାଗି ଏ ପ୍ରକାର ଖୋଳ ବ୍ୟବହୃତ ହୋଇଥାଏ କାରଣ ବାକ୍ସଗୁଡିକ ବର୍ତ୍ତମାନ ପରିସ୍ଥିତିରେ ଅଧିକ ମୂଲ୍ୟରେ ଖରିଦ କରାଯାଉଛି  । ଏହା ଶସ୍ତା ହୋଇପାରିଲେ ବହିର୍ବାଣିଜ୍ୟ ବେଳେ ମଧ୍ୟ ଏହା ଗଣ୍ଠିଲିକରଣ ଧାରକ ରୂପେ ଆଦୃତ ହୋଇପାରିବ   ।

ପନିପରିବା

ଫଳ ଓ ପନିପରିବା ଚାଷ ତଥା ବ୍ୟବସାୟିକରେ ଉଚିତ ପରିବହନର ବ୍ୟବସ୍ଥା ଅତିନିରାପଦ , ସୁବିଧା ଓ ଶୀଘ୍ର ପରିବହନ କରାଯିବା ଏକ ମୁଖ୍ୟ ଓ ଲାଭଦାୟକ ବ୍ୟବସ୍ଥା କରଣ ଫଳ ଓ ପନିପରିବା ପରିବହନ ସମୟରେ ଯେତିକି ଡେରି ହେଉଥିବା ତଦନୁସାରେ ସେଗୁଡିକର କ୍ଷୟ ହେଉଥିବା  । ସେଗୁଡିକର  ଗୁଣ ମଧ୍ୟ ଆନୁପାତିକ ରୂପେ କମିଯିବ   । ସେହିପରି ପରିବହନ ସମୟରେ ଛେଚା, କଚଡା ଫଳ ଓ ପାରିବା ମଧ୍ୟ ନଷ୍ଟ ହେବ  । ଫଳ ଓ ପନିପରିବା ଗଣ୍ଠିଲିକରଣ ପନ୍ଥାରେ ନିର୍ଦ୍ଧାରିତ ସ୍ଥାନକୁ ପରିବହନ କରାଯାଇଥାଏ  ।

ପରିବହନ କ୍ରିୟା ବିଭିନ୍ନ ବ୍ୟବସ୍ଥା ଜରିଆରେ କରାଯାଇଥାଏ  । ଅମଳ ହେବାପରେ ଉଦ୍ୟାନ ଫସଲକୁ କ୍ଷେତରୁ ସୁରକ୍ଷିତ ସ୍ଥାନକୁ ଟୋକେଇ, ଅଖାମୁଣି ବାଉଁଶ ଟୋକେଇ, ଭାର, ଟ୍ରକ ଓ ଅନ୍ୟାନ୍ୟ ଯାନ୍ତ୍ରିକ ବାହାନ ଦ୍ଵାରା ନିଆଯାଏ ଓ ଗଣ୍ଠିଲିକରଣ କରି ସଜାଯାଏ  । ଗଣ୍ଠିଲିଗୁଡିକୁ ଶୁଷ୍କ , ଥଣ୍ଡା ପରିବେଶରେ ପ୍ରଥମେ ରଖି ବା ସୁବିଧା ହେଲେ ନିର୍ଦ୍ଧାରିତ ତାପରେ ଶୀତଳ ଭଣ୍ଡାରରେ ସଂରକ୍ଷିତ କରି ରଖାଯାଏ  ଓ ପରେ ଅନ୍ୟାନ୍ୟ ବ୍ୟବସାୟିକ କେନ୍ଦ୍ରକୁ ତାର ପରିବହନ କରାଯାଏ  । ଏଠି ସ୍ଥାନରୁ ବିଭିନ୍ନ ସଂଗ୍ରାହକ କେନ୍ଦ୍ରକୁ ଟ୍ରକ ଯୋଗେ ଶୀତତାପ ନିୟନ୍ତ୍ରଣ ଯାନ ଓ କେତେକ କ୍ଷେତ୍ରରେ ଉଡାଜାହାଜ ଯୋଗେ , ଅନ୍ୟାନ୍ୟ ଦେଶକୁ ମଧ୍ୟ ବ୍ୟବସାୟ ସୂତ୍ରରେ ପଠାଯାଏ   ।

ଭାରତରେ ରାସ୍ତା ପରିବହନ ରେଳ ପରିବହନଠାରୁ ତିନିରୁ ଚାରି ଗୁଣରେ ଅଧିକ ହୋଇଥାଏ   ।  କିନ୍ତୁ ରେଳ ପରିବହନ ସଡକ ପରିବହନ ତୁଳନା ଆଠରୁ ଦଶଗୁଣ ଅଧିକ କାର୍ଯ୍ୟକ୍ଷମ  । ରେଳ ପରିବହନ ବହୁ ସମୟ ସାପେକ୍ଷ ତେଣୁ ଫଳ ଓ ପନିପରିବା ସାଧାରଣତଃ ବିଶେଷ ପରିମାଣରେ ସଡକ ପରିବହନ ଦ୍ଵାରା ପଠାଯାଉଛି   । ରେଳ ପରିବହନରେ ଥିବା ଅଧିକ ସୁବିଧା ସଡକ ପରିବହନରେ ନାହିଁ  । ରେଳରେ ଫଳ ଓ ପନିପରିବା ଛେଚା କଚଡା ଅଳ୍ପ ହେଊ ଥିବାରୁ ଅଧିକ ସୁରକ୍ଷିତ  ଥାଏ  ।  ପୁଣି ଅନେକ ଅଞ୍ଚଳରେ ରାସ୍ତାଗୁଡିକ ଚିକ୍କଣ ବା ସମତଳ ହୋଇ ନଥିବାରୁ ରାସ୍ତା ପରିବହନ ସମୟରେ ଫଳ ଓ ପନିପରିବା ଛେଚା କଚଡା ହୋଇ ନଷ୍ଟ ହୁଏ  ।  ଆମ ଦେଶରେ ଆଉ ଗୋଟିଏ ଅସୁବିଧା ହେଲା ଯେ ଟ୍ରକ ହେଉ ବା ରେଳ ଷ୍ଟେସନ ହେଉ ବା ଜାହାଜ ହେଉ ,  କାମ କରୁଥିବା କୁଲିମାନେ ବେଖାତିର ଭାବେ ଫଳ ଓ ପନିପରିବା ଭରା ଗଣ୍ଠିଲିଗୁଡିକୁ ଉଠାଇବା ଓ ଓହ୍ଲାଇବା ସମୟରେ ଛେଚା କଚଡା କରିଥାନ୍ତି, ଯାହା ଫଳରେ କିଛି ଫଳ ଓ ପନିପରିବା ନଷ୍ଟ ହୋଇଯାଏ   ।

ପରିବହନ କକ୍ଷ ରେ ଉଚିତ ବାତାୟନ ର ବ୍ୟବସ୍ଥା ରହିବା ନିତାନ୍ତ ଆବଶ୍ୟକ  । ଗାଡି ଭିତରେ ଉତ୍ତାପ ନିୟନ୍ତ୍ରଣର ସୁବିଧା ନ ଥିଲେ ସେଠାରେ ଉତ୍ତାପର ମାତ୍ରା ବଢି ପଦାର୍ଥର କ୍ଷତି ଘଟାଇଥାଏ  । ଏହା ସହିତ ପ୍ରକୋଷ୍ଠ ଭିତରେ ଉପଯୁକ୍ତ ଆର୍ଦ୍ରତା ରକ୍ଷା କରାଯିବା ଦରକାର  । ପରିବହନ ସକାଶେ ଅଳ୍ପ ଖର୍ଚ୍ଚ ବିଶିଷ୍ଟ ଶୀତତାପ ନିୟନ୍ତ୍ରଣର ବ୍ୟବସ୍ଥା ଫଳ ଓ ପନିପରିବା ପରିବହନ ସକାଶେ ଆବଶ୍ୟକ  । ରାସ୍ତା ସମତଳ ନ ଥିଲେ ବନ୍ଧୁର ରାସ୍ତାଗୁଡିକରେ ଗଣ୍ଠିଲିଗୁଡିକ ଛେଚା କଚଡା ଖାଇ ସେଥିରେ ଥିବା ଜିନିଷ ନଷ୍ଟ ହୋଇଯାଏ   । ଉଦ୍ୟାନ  କୃଷିର ସଫଳ ରୂପାୟନ ହେବ  । ତେଣୁ ଯଥାର୍ଥ ପରିବହନ ବ୍ୟବସ୍ଥା ହେବା ଦରକାର  ।

ବିପଣନ

ଉଦ୍ୟାନ ଫସଲର ଅମଳ – ପରବର୍ତ୍ତୀ କାର୍ଯ୍ୟର ସଫଳ ରୂପାଯନ ଲାଗି ବିପଣନ ଚାବିକାଠି ଅଟେ କହିଲେ ଅତ୍ୟୁକ୍ତି ହେବନାହିଁ  । କାରଣ ଫଳ ଓ ପନିପରିବା ସ୍ଵଜୀବନ ବହୁତ ଅଳ୍ପ ଅଟେ ଓ ଏଥିରେ ବହୁ ପରିମାଣର ଜଳୀୟ ଅଂଶ ରହୁଥିବା ହେତୁ ସାଧାରଣ ପରିପାର୍ଶ୍ଵିକ ଅବସ୍ଥାରେ ଏହାକୁ ବେଶୀ ସମୟ ରଖିହୁଏ ନାହିଁ   ।  ଚାଷୀ ଲାଭ ଦୃଷ୍ଟିରୁ ସେଗୁଡିକୁ ଯଥାଶୀଘ୍ର ବିକିବା ଦରକାର ହୋଇଥାଏ  । ଯୁକ୍ତରାଷ୍ଟ୍ର ଆମେରିକା ଆଦି ଉନ୍ନତ ଦେଶରେ ଅତି ଉନ୍ନତ ବିପଣନ ବ୍ୟବସ୍ଥା ଥିବାରୁ ଅଳ୍ପ ସମୟଏ ଚାଷୀଠାରୁ ସଂଗୃହିତ ଫଳ, ପନିପରିବା ତଥା ସେଗୁଡିକରୁ ପ୍ରସ୍ତୁତ ହୋଇ ସଂରକ୍ଷିତ କରାଯାଇଥିବା ପଦାର୍ଥ ଅତି ଅଳ୍ପ ସମୟରେ ଦେଶସାରା ଯୋଗାଇ ଦିଆଯାଏ  । ସେ ତୁଳନାରେ ଭାରତ ତଥା ଓଡିଶାରେ ସୁବିଧା ନାହିଁ  । ଏହି ପରିସ୍ଥିତି ଯୋଗୁଁ ଉଦ୍ୟାନ ଫସଲ ଚାଷରେ ଘୋର ବାଧା ସୃଷ୍ଟି ହୋଇଛି  । ପରିବହନ , ସଂରକ୍ଷଣ , ବ୍ୟବସ୍ଥା ଓ ବିପଣନ ପ୍ରଣାଳୀ ସମନ୍ଵୟର ଅଭାବ ହିଁ  ଏହି  ପ୍ରକାରର ଫସଲ ଚାଷ ପାଇଁ କ୍ଷତିକାରକ ହୋଇଛି  । ବିପଣନ ବ୍ୟାପାର ସମୟୋଚିତ ନ ହେଲେ ଚାଷୀ ଓ ଖାଉଟିଙ୍କ ପ୍ରତି ଅନ୍ୟାନ୍ୟ ଦେଖିଦେବା ସ୍ଵାଭାବିକ  । ପ୍ରକୃତରେ କହିବାକୁ ଗଲେ ଆମ ଦେଶରେ ଉଦ୍ୟାନ ଫସଲ ହେଉ , ଶସ୍ୟ ଜାତୀୟ ଫସଲ ହେଉ ବା ଯେ କୌଣସି ବ୍ୟବସାୟ ହେଉ – ଏ ସମସ୍ତ ଦେଶର ରାଜନୀତି ଫସଲ ହେବା ବା ଯେ କୌଣସି ବ୍ୟବସାୟ ହେଉ - ଏ ସମସ୍ତ ଦେଶର ରାଜନୀତି, ଶାସନ , ଆର୍ଥିକ ପରିଚାଳନା ବ୍ୟବସାୟୀର ମରଜି ଉପରେ ନିର୍ଭର କରେ  । ଏହି ସଂସ୍ଥା ସୁପରିଚାଳିତ ହେଲେ ଚାଷୀ ଓ ଖାଉଟିଙ୍କୁ ଉଚିତ ମୂଲ୍ୟ ମିଳିବାରେ ବାଧା ନାହିଁ  । ଯାହା ଦେଖାଯାଏ, ଦଲାଲମାନେ ଚାଷ କରୁଥିବା ଲୋକଙ୍କ ଠାରୁ ଅତି ଅଳ୍ପ ମୂଲ୍ୟ ଦେଇ ଫଳ ଓ ପନିପରିବା କିଣନ୍ତି ଓ ଅଧିକ ମୂଲ୍ୟରେ ତାହା  ଖାଉଟିଙ୍କୁ ବିକ୍ରି କରିଥାନ୍ତି  ।  ବଗିଚା ମୂଲ୍ୟ ତୁଳନାରେ ଶତକଡା ୬୦ ରୁ ୮୦ ଭାଗ ଯାଏଁ ଅଧିକ ମୂଲ୍ୟରେ ଦଲାଲମାନେ ବିକ୍ରି କରିଥାନ୍ତି  । ଆମ ଦେଶରେ ସେପରି ବ୍ୟବସ୍ଥା ନାହିଁ ଯେଉଁ ବ୍ୟବସ୍ଥା ହୋଇନାହିଁ ଯାହାଫଳରେ ଅମଳ ଶୀଘ୍ର ଉଦ୍ୟାନ ଫସଲର ଅମଳ ପଦାର୍ଥ ସଂରକ୍ଷଣ କେନ୍ଦ୍ରକୁ ଚାଲିଯିବ ଓ ବଜାରରେ ଦର ସ୍ଥିର ରଖିବାରେ ସହାୟକ ହୋଇପାରିବ  । ଏପରି ହେଲେ ଦଲାଲମାନେ ଚାଷୀ ପ୍ରତି ଯେଉଁ ଅନ୍ୟାୟ କରିଥାନ୍ତି ତାହା ବନ୍ଦ ହୋଇପାରିବ  । ଫଳ ଓ ପନିପରିବା ବିପଣନ ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବିହିତ ବ୍ୟବସ୍ଥା ନ ହେଲେ ଉଦ୍ୟାନ ଚାଷରେ ହାନି ଘଟିବା ସୁନିଶ୍ଚିତ  । ସମବାୟ ସମିତି ଏ ଦିଗରେ ସହାୟକ ହେବା ଆବଶ୍ୟକ  ।  ତେବେ ଦେଶର ସମବାୟ ସଂସ୍ଥା ଓ ଏହାର ଅବସ୍ଥା ଦେଖି ଏଥିପାଇଁ ଆନ୍ଦୋଳନ ଓ ପ୍ରଚାର ପ୍ରତି କେଉଁ ଦେଶବାସୀ ବା ଆସ୍ଥା ରଖିବ ? କୌଣସି ସଂସ୍ଥା ସଚ୍ଚୋଟ, ନ୍ୟାୟ , କର୍ମଠ ତଥା ଦକ୍ଷ ନ ହେଲେ ଲାଭର ଆଶା ରଖାଯାଏନା  । ଆଜି ଜଣସାଧାରଣ ଦୈନିକ ଖାଦ୍ୟରେ ଯେଉଁ ପରିମାଣର ଫଳ ଓ ପନିପରିବା ଖାଇବା କଥା ତାହା ସମ୍ଭବ ହେଉ ନାହିଁ  । ବ୍ୟବସାୟ ଦୃଷ୍ଟିରୁ ଓ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଉଦ୍ୟାନ ଫସଲ ଚାଷ , ସଂରକ୍ଷଣ ତଥା ବିପଣନର ସମୁଚିତ ବ୍ୟବସ୍ଥା ଦେଶ ଓ ଜାତି ପାଇଁ ହିତକର ଅଟେ   ।

ଶ୍ରେଣୀକରଣ

ଫଳ ଓ ପନିପରିବା ଯଥାର୍ଥ ବା ବୈଜ୍ଞାନିକ ପଦ୍ଧତିରେ ବିପଣନ ହେଲା ତାହାର ଗଣ୍ଠିଲିକରଣ ପୂର୍ବରୁ ଶ୍ରେଣୀକରଣ ହେବା ଆବଶ୍ୟକ  । କାରଣ ଅମଳ ହେଉଥିବା ପ୍ରତି କିସମର ଫଳ ଓ ପନିପରିବା ଏକ ରଙ୍ଗ , ଆକାର , ମହକ ତଥା ଗୁଣ ହୋଇ ନଥାଏ  । ଫଳ ଓ ପରିବାକୁ ସେପରି ବିକିଲେ ଅଧିକ ଲାଭ ମିଳେନାହିଁ   ।  ଭିତରେ କିପରି ସେଗୁଡିକ ଥାଏ ଗଣ୍ଠିଲିକୁ ଦେଖି ଜାଣି ହୁଏନାହିଁ  । ଯଦି ଶ୍ରେଣୀକରଣ ହୋଇଥାଏ  । ତେବେ ଗଣ୍ଠିଲିରେ କେଉଁ ଶ୍ରେଣୀର ଫଳ ରହିଛି ତାର ବିବରଣୀ ଗଣ୍ଠିଲି ଉପରେ ଲେଖାଯାଇଥାଏ  । କ୍ରେତା ସହଜେ ଜାଣିପାରେ ଯେ, କେଉଁ ଶ୍ରେଣୀର ଫଳ ରଖାଯାଇଛି  । ଫଳ ବା ପନିପରିବାକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଏ  । ପ୍ରଥମ ମାନର, ଦ୍ଵିତୀୟ ମାନର ଓ ତୃତୀୟ ମାନର  । ପ୍ରତ୍ୟେକ କିସମର ଫଳ ବା ପନିପରିବା ପାଇଁ ଶ୍ରେଣୀକରଣ ହୁଏ  ।  ଯେପରି ବାଇଗଣ ପଲି , ତୋଟାପୁରୀ , ସୁବର୍ଣ୍ଣରେଖା ଆମ୍ବ କିସମ ଅନୁଯାୟୀ ୧ମ, ୨ୟ,  ଓ ୩ୟ  ମାନରେ ବିଭକ୍ତ କରାଯାଏ  । ଆଳୁକୁ ମଧ୍ୟ ଏପରି ତିନିଟି ଗ୍ରେଡରେ ବିଭକ୍ତ କରାଯାଇଛି  ।

ଶ୍ରେଣୀକରଣ- ଜିନିଷଗୁଡିକର ଆକାର , ରଙ୍ଗ , ଓଜନ , ରୁଟି, ଆଦିକୁ ନେଇ ଶ୍ରେଣୀକରଣ ହୋଇପାରେ କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ କେବଳ ଆକାର ଓ ଓଜନକୁ ଧରି ମୁଖ୍ୟତଃ ଶ୍ରେଣୀକରଣ କରାଯାଉଛି  । ଅଙ୍ଗୁର କ୍ଷେତ୍ରରେ ଫଳର ସ୍ଵାଦୁ ଓ ମଞ୍ଜି କାମ ରହିଥିବା ବା ନଥିବାରୁ ଧରି ଶ୍ରେଣୀକରଣ କରାଯାଇଥାଏ  ।

ଆଧାର - ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ

2.70833333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top