ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଲଙ୍କା ଫସଲରେ ଅଷ୍ଟପଦୀ ପରିଚାଳନା
ସେଆର କରନ୍ତୁ

ଲଙ୍କା ଫସଲରେ ଅଷ୍ଟପଦୀ ପରିଚାଳନା

ଲଙ୍କା ଫସଲରେ ଅଷ୍ଟପଦୀ ପରିଚାଳନା ଦ୍ଵାରା ପୋକ ନିୟନ୍ତ୍ରଣ ।

ପନିପରିବା ଉତ୍ପାଦନ

କୃଷି ଭିତ୍ତିକ ଅର୍ଥନୀତି ଉପରେ ପର୍ଯ୍ୟବସିତ ଆମ  ଦେଶ ଭାରତ ବର୍ଷ । ବିଶ୍ଵସ୍ତରରେ ଉଭୟ କୃଷି ଓ ଉଦ୍ୟାନ ଫସଲର ଉତ୍ପାଦନରେ ଏକ ସ୍ଵତନ୍ତ୍ର ସ୍ଥାନ ଅଢ଼ିଆର କରିଛି । ପନିପରିବା ଫସଲରେ ସ୍ଵତନ୍ତ୍ରତା ବଜାୟ ରଖୁଥିବା ଭାରତରେ ପାଖାପାଖି ୯ ମିଲିୟନ ହେକ୍ଟରରେ ହାରାହାରି ୧୬.୩ ମିଲିୟନ ଟନ୍ ପନିପରିବା ଉତ୍ପାଦନ ହୁଏ । ବିଭିନ୍ନ ପନିପରିବା ମଧ୍ୟରୁ ଲଙ୍କା ଫସଲ ଏକ ପ୍ରମୁଖ ଫସଲ । ଏହି ଫସଲରେ ବାଧକ ସାଜୁଥିବା କାରଣଗୁଡିକ ମଧ୍ୟରୁ ଅଷ୍ଟପଦୀ ଜନିତ କ୍ଷତି ଅନ୍ୟତମ ।

ଫସଲରେ ବାଧକ ସାଜୁଥିବା ଅଷ୍ଟପଦୀ ଜନିତ କ୍ଷତି

ଅଷ୍ଟପଦୀ ଏକ କୀଟ ନୁହେଁ । ଏହାକୁ ଆମ ଚାଷା ଭାଇମାନେ ଅନେକ ସମୟରେ କୀଟର ଆଖ୍ୟା ଦେଇଥାଆନ୍ତି । ଏହା କୀଟ ପରି ଦେଖାଯାଉଥିବା ଓ ଆଠଟି ଗୋଡ଼ ଥିବା ଏକ ପ୍ରମୁଖ ଅଣକୀଟ ଶତୁ । ଅନେକ ପ୍ରଜାତିର ଅଷ୍ଟପଦୀ ବା ମାଇଟ୍ ପନିପରିବା ଫସଲରେ ଦେଖାଯାଆନ୍ତି । ଏଥ ମଧ୍ୟରୁ ହଳଦୀ, ଅଷ୍ଟପଦୀ ବା ଯୋଜୋଲା ମାଇଟ୍ ବା ବ୍ରଡ୍ ମାଇଟ୍, ଲଙ୍କା ଫସଲର ପ୍ରମୁଖ ଶତ୍ରୁ ରୂପେ ପରିଗଣିତ ହୁଏ ।

ଏହାର ଆକାର ଗୋଲାକାର ଓ ଏହା ଧଳା ରଙ୍ଗର ହୋଇଥାଏ ।  ଲିଙ୍ଗଗତ ବିଭିନ୍ନତା ଏହି ମାଇଟ୍‌ରେ ଦେଖାଯାଏ । ସ୍ତ୍ରୀ ଅଷ୍ଟପଦୀଟି ପୁରୁଷ ଅଷ୍ଟପଦୀଠାରୁ ଆକାରରେ ବଡ଼ ହୋଇଥାଏ । ଚତୁର୍ଥ ଗୋଡ଼ରେ ସ୍ତ୍ରୀ ଅଷ୍ଟପଦୀଟିର ଏକ ଲାଞ୍ଜ ଆକୃତିର ଲମ୍ବା କେଶ ଭଳି ଜିନିଷ ରହିଥାଏ, ଯାହା ସ୍ତ୍ରୀ ଅଷ୍ଟପଦାକୁ ଭିନ୍ନ ରୂପ ଦେଇଥାଏ । ଏହା ଏକ ଶୋଷକ ପ୍ରଜାତିର ଶତ୍ରୁ ଓ ଏହା ଗଛର କଅଁଳିଆ ପତ୍ର, କାଣ୍ଡ, ଫୁଲ ଓ ଅନ୍ୟାନ୍ୟ ଅଂଶରୁ ରସ ଶୋଷି ଖାଇଥାଏ । ପତ୍ରର ତଳଭାଗକୁ ଖାଉଥିବା ଏହି ଅଷ୍ଟପଦୀଙ୍କ ପ୍ରାଦୁର୍ଭାବରୁ ପତ୍ର ମୋଡ଼ି ମୋଡ଼ି ହୋଇଯାଏ ଓ ଫୁଲ ଏବଂ ଫଳ ଧାରଣ କ୍ଷତା ହ୍ରାସ ପାଏ । ଲଙ୍କା ଗଛର ଏହି ପତ୍ର ମୋଡ଼ା ରୋଗକୁ ଆମ ଦେଶରେ ମୁର୍ଦ ରୋଗ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥାଏ । ନୂତନ ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି ଅଷ୍ଟପଦୀର ଅଣ୍ଡା ଓ କ୍ଷତିକାରୀ ଅବସ୍ଥା ଗଛର ଉପରିଭାଗରେ ଥିବା ପତ୍ରରେ ଅଧିକ ଥାଏ ଓ ମଝି ଏବଂ ତଳ ଅଂଶର ପତ୍ରରେ କମ୍ ଥାଏ । ଅନ୍ୟ ଏକ ବିଶେଷତ୍ବ ହେଲା। ଏହି ମାଇଟ୍ଟି କେବଳ ଲଙ୍କା ଫସଲକୁ ନୁହେଁ ଅନ୍ୟାନ୍ୟ ଅନେକ ପନିପରିବା ଫସଲକୁ ମଧ୍ୟ ଆକ୍ରମଣ କରିଥାଏ । ଏହି ଅଣକୀଟ ଶତ୍ରୁର ପରିଚାଳନା ପାଇଁ ଚାଷାମାନେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏକ ସମନ୍ୱିତ ଦିଗ ଆଡ଼କୁ ଅଗ୍ରସର ହେବା ଜରୁରୀ । ଏବେ ଆସନ୍ତୁ ଏହି ଅଷ୍ଟପଦୀର ପରିଚାଳନା ସମ୍ବନ୍ଧରେ ସଂକ୍ଷେପରେ ଜାଣିବା । ଆମେ ପରିଚାଳନାକୁ ଦୁଇଭାଗରେ ବିଭକ୍ତ କରୁ। ଗୋଟିଏ ଅଣରାସାୟନିକ ପରିଚାଳନା ଏବଂ ଦ୍ଵିତୀୟଟି ରାସାୟନିକ ପରିଚାଳନା । ଅଣରାସାୟନିକ ଦିଗ ଉପରେ ନଜର ଦେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼େ । ଯଥା ଆକ୍ରମିତ ଗଛଗୁଡ଼ିକର ସଂକ୍ରମିତ ପତ୍ର ତଥା ଗଛର ନଷ୍ଟ ହୋଇଯାଇଥିବା ଅନ୍ୟାନ୍ୟ ଅଂଶ ବିଶେଷକୁ ନଷ୍ଟ କରିଦେବା ଆବଶ୍ୟକ । ଯାହାଫଳରେ ଅଷ୍ଟପଦୀ ଜନିତ କ୍ଷତିକୁ ରୋକାଯାଇପାରିବ । ଗୋଟିଏ ଜମିରେ ବାରମ୍ବାର ଲଙ୍କା ଫସଲ ନ କରି ଅନ୍ୟ ଫସଲ ମଧ୍ୟ କରିବା ଜରୁରୀ । ଫସଲ ପର୍ଯ୍ୟାୟ ତଥା ଫସଲ ଚକ୍ରର ପ୍ରବର୍ତନ ଫଳରେ ଏହି ଅଷ୍ଟପଦୀକୁ ନିୟନ୍ତ୍ରଣ କରିହୁଏ । କିଆରିରେ ଥିବା ଅନାବନା ଘାସ ଯାହା ଅଷ୍ଟପଦୀଗୁଡ଼ିକର ପୋଷକ ଗଛ ଭାବେ କାର୍ଯ୍ୟ କରି ସେମାନଙ୍କ ବଂଶବିସ୍ତାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେଗୁଡ଼ିକୁ ଉପାଡ଼ି ସଫା କରିଦେବା ଦରକାର । ଅନୁସନ୍ଧାନ ଅନୁସାରେ କିଆରି ପାଖରେ ଥିବା ଦୁଦୁରାଗଛ ଏହି ଅଷ୍ଟପଦୀ ଗୁଡ଼ିକର ପ୍ରମୁଖ ବାସସ୍ଥଳ ରୂପେ କାର୍ଯ୍ୟ କରେ । ଏତଦ୍ ଭିନ୍ନ ଚାରରେ ପଣର ସମୟ ଉପରେ ମଧ୍ୟ ଅଷ୍ଟପଦୀ ପ୍ରାଦୁର୍ଭବର ମାତ୍ରା ନିର୍ଭର କରେ ।

ଅନୁସନ୍ଧାନ କୁହେ ଯେ ଲଙ୍କା ଚାରରେ ପଣ କରିବାର ସମୟ ଜୁଲାଇ ୧୫ ପରେ ହେଲେ ଏହି ଅଷ୍ଟପଦୀର ପ୍ରାଦୁର୍ଭବ କମିଥାଏ ଓ ଅମଳ ଭଲହୁଏ । ଲଙ୍କା ଫସଲ ସହିତ ଟମାଟୋ, ରସୁଣ ବା ଧନିଆ ଫସଲକୁ ମିଶ୍ରିତ ଭାବେ ଇଣ୍ଟରକ୍ରପ କରିବା ଦ୍ଵାରା ଏହି ଅଷ୍ଟପଦୀର ମାତ୍ରା ଓ ପ୍ରାଦୁର୍ଭବ ବହୁଳ ଭାବରେ  ହ୍ରାସ ପାଏ । ପୁଷାଜ୍ଵାଳା କିସର ଚାଷ ଆମ ଚାଷା ଭାଇଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଏହି କ୍ଷତିକାରୀ ଅଷ୍ଟପଦୀର ଦମନ ପାଇଁ ଏହାର ଖାଦକ ଭାବରେ ବା ସଂକ୍ରମକ ଭାବରେ ମିତ୍ର ଅଷ୍ଟପଦୀ ଯଥା ଆନ୍ଦୋଲିସିଅସ୍ ଓ କବକ, ପାସିଲେ ମାଇସିସ୍‌କୁ ଜୈବିକ ଦମନ ପ୍ରଣାଳୀର ଅନ୍ତର୍ଭୁକ୍ତ କରଯାଇପାରେ । ଏହା ବ୍ୟତୀତ ନିମ୍ବା ମଞ୍ଜିରୁ ପ୍ରସ୍ତୁତ ଏନ୍.ଏସ୍କେଇ ୫ ପ୍ରତିଶ୍ରତ ବା ନିମାଜାଲ ୧ ପ୍ରତିଶତକୁ ଚାର ରୋପଣର ଦ୍ଵିତୀୟ ପଞ୍ଚମ, ସପ୍ତମ ଓ ଏକାଦଶ ସପ୍ତାହରେ ସିଞ୍ଚନ କଲେ ଏହି ଅଷ୍ଟପଦୀ ଦାଉରୁ ରକ୍ଷା ମିଳିଥାଏ । ରସାୟନିକ ଦିଗ ପ୍ରତି ଦୃଷ୍ଟି ଦେବା । ଏହି ଅଷ୍ଟପଦୀ ଜନିତ କ୍ଷତିର ପରିମାଣ ମାତ୍ରାଧିକ ହେଲେ ଆବଶ୍ୟକ ଅନୁସାରେ ଅଷ୍ଟପଦୀ' ନାଶକ ଗୁଡ଼ିକ ବ୍ୟବହାର କରାଯାଏ ।

ଅଷ୍ଟପଦୀର ସଫଳ ଦମନ

କ୍ଲୋରଫେନାପିର୍ ୧୦ ପ୍ରତିଶତ ଏସସି (୧.୫ ମି.ଲି.ଲିଟର), ଡାଇଫେ ନ୍ଥୁରନ୍ ୫୦% (୮ ଗ୍ରା/୧୦ ଲିଟର), ଏଥିଅନ୍  ୫୦% ଇସି (୨ ମିଲି/ ଲିଟର), ଫେନାଜା କୁଇନ୍, ୧୦ ପ୍ରତିଶତ ଇସି (୨ ମିଲି.ଲିଟର), ଫେଡ୍ ପାଇରକ୍ସିମେଟ୍ ୫ ପ୍ରତିଶତ ଇସି (୧ ମିଲି.ଲିଟର), ଫସାଲୋନ୍ ୩୫ ପ୍ରତିଶତ ଇସି (୧.୩ ମିଲି.ଲିଟର)କୁ ବ୍ୟବହାର କରି ଏହି ଅଷ୍ଟପଦୀକୁ ଦମନ ସମ୍ଭବ । ଏହା ବ୍ୟତୀତ ସ୍ପଇରୋମେସିଫେନ୍ (୧୨୦ ଗ୍ରା. ଏ.ଆଇ./ହେକ୍ଟର), ବୁୋପ୍ରାଫେଜିନ୍ ୨୫ ଏସ୍.ସି. (୭୫ ଓ ୧୫୦ ଗ୍ରା.ଏ.ଆଇ./ହେକ୍ଟର) ଓ ସ୍ପାଇରୋମେସିଫେନ୍  ୧୨୦ ଏସ୍.ସି. ଇମିଡାଜୋକ୍ଲୋପ୍ରିଡ୍ (୯୦ ଗ୍ରା. ଏ.ଆଇ./ହେକ୍ଟର) ଭଳି ନୂତନ ଅଷ୍ଟପଦୀ ନାଶକ ମଧ୍ୟ ଏହି କ୍ଷତିକାରୀ ଅଷ୍ଟପଦୀର ସଫଳ ଦମନରେ ସହାୟକ ହୁଏ ।

ସର୍ବ ଶେଷରେ ଚାଷା ଭାଇଙ୍କୁ ଅନୁରୋଧ ନିଜେ ନିଜର ସମସ୍ୟାର ସମାଧାନ ଦିଗ ନ ଭାବି କୃଷିବିଜ୍ଞାନ କେନ୍ଦ୍ର, ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ତଥା ଗବେଷଣା ସଂସ୍ଥାରେ ନିଯୁକ୍ତ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏକ ସମନ୍ୱିତ ନିୟନ୍ତ୍ରଣ ଆଡ଼କୁ ଅଗ୍ରସର ହୁଅନ୍ତୁ ଓ ପରିବେଶକୁ ସୁସ୍ଥ ରଖନ୍ତୁ ।

ଲେଖା ଏବଂ ପ୍ରାପ୍ତ - ଭୁବନାନନ୍ଦ ଅଧିକାରୀ, ମୋ - ୯୫୮୩୨୮୫୪୪୯୯ କୃଷି ମହାବିଦ୍ୟାଳୟ,  ଓୟୁଏଟି

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top