ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଲଙ୍କା ଫସଲରେ ପୋକ ଦମନ
ସେଆର କରନ୍ତୁ

ଲଙ୍କା ଫସଲରେ ପୋକ ଦମନ

ଲଙ୍କା ଫସଲରେ ପୋକ ଦମନ ସମ୍ବନ୍ଧିତ ସୂଚନା ।

ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଲଙ୍କା ଚାଷ ବର୍ଷତମାମ କରାଯାଇ ପାରିବ । ଏହା ଏକ ଅର୍ଥକରୀ ଚାଷ । କଞ୍ଚା ଲଙ୍କା ଓ ଶୁଖଲା ଲଙ୍କାର ଚାହିଦା ପ୍ରତ୍ୟେକଙ୍କ ଘରେ ରହିଛି । ଗାଁ ଗହଳି ଏବଂ ସହରାଞ୍ଚଳରେ ଲୋକେ ନିଜ ନିଜର ବାଡି ବଗିଚା, ଏପରି କି କୋଠାଘର ଛାତ ଉପରେ ପଲିଥାନ ବିଛାଇ ସେଥିରେ ଛଅ ଇଞ୍ଚ ଉଚ୍ଚତାରେ ମାଟି ରଖା ଲଙ୍କା ଗଛ ଲଗାଇଥାଆନ୍ତି । ଆଉ କେତେକ ମଧ୍ୟ କୁଣ୍ଡ ଭିତରେ ମାଟି ପୂରଣ କରି ଲଙ୍କା ଚାଷ କରନ୍ତି । ନିଜ ପରିବାରର ଆବଶ୍ୟକତା ପୂରଣ କରିବା ପରେ ବଳକା ଲଙ୍କାକୁ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରନ୍ତି । ଗଞ୍ଜାମ ଜିଲ୍ଲାର ଚାଷୀମାନେ ଲଙ୍କାକୁ  ବ୍ୟାବସାୟିକ ଭିତିରେ ଚାଷ କରିଥାନ୍ତି ।

ଲଙ୍କା ଫସଲରେ ମୁଖ୍ୟତଃ ଉକୁଣିଆ, ଫଳ ବିନ୍ଧା, ପତ୍ର ଖୁଆ, ଜଉପୋକ, ଧବଳ ଶଲଭ ଓ ଧଳା ମାଛି, ଆଦି ପୋକ କ୍ଷତି ଘଟାନ୍ତି । ଉକୁଣିଆ ପୋକ ଏବଂ ଧଳା ମାଛି ଉଭୟ ପୋକ ଶୋଷକ ଜାତୀୟ ଅନ୍ତର୍ଗତ । ଉଭୟ ପୋକର ଅର୍ଭକ ଏବଂ ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକ ଗୁଡିକ ଲଙ୍କା ଗଛର ପତ୍ରରୁ ଏବଂ କଅଁଳ ଅଗ୍ର ମୁକୁଳରୁ ରସ ଶୋଷି ଦିଅନ୍ତି ।

ଉଭୟ ପୋକର ଜୀବନୀ ଏବଂ କ୍ଷତି କରିବାର ଲକ୍ଷଣ

ଉକୁଣିଆ ପୋକର ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ଡେଣାଯୁକ୍ତ। ଦେଖୁବାକୁ ଉକୁଣି ପରି । ଅର୍ଭକ ଡେଣା ବିହୀନ । ଧଳାମାଛିର ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକର ଶରୀର ହଳଦିଆ ରଙ୍ଗର । କିନ୍ତୁ ଶରୀର ଉପରେ ଧବଳ ଓ ତୈଳାକ୍ତ ଶୁଣ୍ଢ ବିଛେଇ ହୋଇ ପଡିଥିବାର ଜଣାପଡ଼େ । ଉକୁଣିଆ ପୋକ ପ୍ରାୟ ୧୪ ରୁ ୧୬ ଦିନରେ ନିଜର ଗୋଟିଏ ବଂଶ ସମ୍ପର୍ଣ୍ଣ କରେ । ତେଣୁ ଏକବର୍ଷରେ ବଂଶ ଉତ୍ପନ୍ନ କରିବାର ଶକ୍ତ ସ୍ଥା ପୋକର ଥାଏ । ଧଳାମାଛିକୁ ନିଜର ଗୋଟିଏ ବଂଶ ପୂର୍ଣ୍ଣ କରିବା ପାଇଁ ଅତିକମରେ ୧୪ ଦିନ ଲାଗିବା ବେଳେ ଅତ୍ୟଧିକ ୧୨୨ଦିନ ଲାଗିଥାଏ । ଗୋଟିଏ ବର୍ଷରେ ଏମାନେ ପ୍ରାୟ ୧୧ଥର ବଂଶ ବିସ୍ତାର କରନ୍ତି ।

ପୋକ ଦ୍ଵୟର ଆକ୍ରମଣ ଯୋଗୁ ଲଙ୍କା ଗଛର ପତ୍ର ଖୁବ୍ ଛୋଟ ହେବା ସହିତ ମୋଡି ମୋଡି ହୋଇଯାଏ । ଲଙ୍କା ଗଛରେ ଫୁଲ ଓ ଫଳ ଧରିବା ଶକ୍ତି ହ୍ରାସଯାଏ । ଧଳାମାଛିର ଆକ୍ରମଣ ଯୋଗୁ ଲଙ୍କା ଫସଲରେ ପତ୍ରମୋଡା ଭୂତାଣୁ ରୋଗ ସୃଷ୍ଟି ହୁଏ । ଧଳାମାଛି ଏହି ରୋଗର ଭୂତାଣୁକୁ ବହନ କରି ନୂତନ ଫସଲରେ ବ୍ୟାପିବାରେ ସହାୟକ ହୁଏ । ଫସଲରେ ଏହି ରୋଗର ବିଭାଷିକା ପର୍ଯ୍ୟାୟ ଯୋଗୁ ଲଙ୍କା ଫସଲରେ ୮୦ ପ୍ରତିଶତ ଅମଳ କ୍ଷତି ହେବାର ଦୃଷ୍ଟାନ୍ତ ଉପଲବ୍ଧ ହୁଏ ।

ଦମନ ପ୍ରଣାଳୀ

ଲଙ୍କା ଫସଲକୁ ପ୍ରାୟ ୨ରୁ ୩ ଦିନ ବ୍ୟବଧାନରେ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ । ଭୂତାଣୁ ଜନିତ ପତ୍ରମୋଡା ରୋଗାକ୍ରାନ୍ତ ଗଛକୁ ଉପାଡି ତୁରନ୍ତ ପୋଡିଦେବା ଦରକାର । ଅବିଳମେ ଲଙ୍କା ଫସଲରେ ଇମିଡାକ୍ଲୋପିଡ୭୦ ପ୍ରତିଶତ ଜଳ ଦ୍ରବୀଭୂତ ଦାନାଦାର ସହିତ ନିମତେଲ ମିଶାଇ ସିଞ୍ଚନ କରନ୍ତୁ । ୨ ଗ୍ରାମ ଇମିଡାକ୍ଲୋପିଡ, ୧୫ ଲିଟର ପାଣିରେ ମିଶାଇ ସିଞ୍ଚନ୍ତୁ । ଏହାର ସାତଦିନ ପରେ ଏକ ଲିଟର ପାଣିରେ ୨ ମିଲିଲିଟର ନିମତେଲ ମିଶାଇ ଫସଲକୁ ସିଞ୍ଚନ କରିବାକୁ ଚାଷା ଭାଇଙ୍କୁ ପରାମର୍ଶ ଦିଆଯାଉଛି । ଦୁଇ କୀଟନାଶକକୁ ଅଦଳବଦଳ କରି ଫସଲରେ ସିଞ୍ଚନ କଲେ ଉଭୟ ପୋକର କବଳରୁ ଫସଲକୁ ରକ୍ଷା କରିହୁଏ।

ସଂଗୃହିତ - ଡ. ବିଷ୍ଣୁ ଚରଣ ଜେନା,  ପୂର୍ବତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ଵର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top