ହୋମ / କୃଷି / ବଜାର ଖବର / ବିହନ ଉତ୍ପାଦନ ସାଇତା ଓ ବିଶୋଧନ
ସେଆର କରନ୍ତୁ

ବିହନ ଉତ୍ପାଦନ ସାଇତା ଓ ବିଶୋଧନ

କଥାରେ ଅଛି “ବୁଣା ଯେପରି, ଅମଳ ସେପରି ।“

ବିହନ ଉତ୍ପାଦନ

କଥାରେ ଅଛି “ବୁଣା ଯେପରି, ଅମଳ ସେପରି ।“ବିହନଟି ଯଦି ଉତ୍ତମ ମନର ଏବଂ ଅଧିକ ଅମଳକ୍ଷମ ହୋଇଥାଏ ତେବେ ଉନ୍ନତ ଚାଷ କୌଶଳ ଅନୁସରଣ ସହିତ ଖତସାର ପ୍ରୟୋଗ ଓ ରୋଗପୋକ ନିୟନ୍ତ୍ରଣ କାଲେ ଅଧିକ ମିଳିବା ନିଶ୍ଚିତ ।

କିପରି ବିହନ ଉତ୍ପାଦନ କରିବେ ?

  • ଉପଯୁକ୍ତ କିସମର ପିଣ୍ଡ ବିହନ ସଠିକ ଜମିରେ ବ୍ୟବହାର କରି ପ୍ରାମାଣିକ ବିହନ ଉତ୍ପାଦନ କରାଯାଏ ।
  • ବିହନ ଉତ୍ପାଦନ ପାଇଁ ଅନ୍ୟ କିସମ ଠାରୁ ନିର୍ଦ୍ଧାରିତ ଦୂରତ୍ଵ (ଧାନ, ଚିନାବାଦାମ,ମାଣ୍ଡିଆ,ଗହମ କ୍ଷେତ୍ରରେ ୩ ମିଟରରୁ ଅଧିକ,ମୁଗ ଓ ବିରିରେ ୫ ମିଟର,ହରଦରେ ୧୦୦ ମିଟର ଏବଂ ମକାରେ ୨୦୦ ମିଟର )ଛାଡି ଜମିରେ ବୁଣନ୍ତୁ ।
  • ଠିକ ସମୟରେ ଜମିରେ ଆବଶ୍ୟକୀୟ ପରିମାଣର ଖତ ଓ ସାର ପ୍ରୟୋଗ କରନ୍ତୁ ଏବଂ ସଠିକ ସମୟରେ ପାଣି ମଡାନ୍ତୁ ।
  • ଫସଲରେ ରୋଗ ଓ ପୋକ ଆକ୍ରମଣହେଲେ ତାର ନିୟନ୍ତ୍ରଣ କରନ୍ତୁ ।
  • କ୍ଷେତକୁ ନିୟମିତ ପରିଦର୍ଶନ କରି ମିଶା ଫସଲ, ମିଶା କିସମ,ଘାସ ଓ ଅନାବନା ଗଛ ଏବଂ ରୋଗୀଣା ଗଛ  ବାହାର କରନ୍ତୁ ।
  • ମୁଖ୍ୟ ଫସଲ ଅମଳ ପୂର୍ବରୁ ବିହନ ଫସଲ ଅମଳ କରନ୍ତୁ ।
  • ଫସଲ ଅମଳ ପରେ ତାକୁ ବହୁଦିନ ଗଦାରେ ନରଖି ଖଳାକୁ ପରିଷ୍କାର କରି ବିହନ ଝଡା ଯନ୍ତ୍ରରେ କିମ୍ବା ବେଙ୍ଗଳା ପକାଇ ବିହନ ଅମଳ କରନ୍ତୁ ।
  • ବିହନ ଅମଳ ପରେ ଏହାକୁ ଭଲ ଭାବରେ ଖରାରେ ଶୁଖାଇ ଏଥିରେ ନିରାପଦ ଜଳୀୟ ଅଂଶ ରଖନ୍ତୁ ।
  • ବିହନକୁ ଚାଲୁଣି ଓ କୂଳରେ ଭଲ ଭାବରେ ସଫା କରନ୍ତୁ ।
  • ପରିଷ୍କାର ଅଖା, ପାତ୍ର, ପଲିଥିନ ବସ୍ତା କିମ୍ବା ଶସ୍ୟାଧାରରେ ବିହନ ସାଇତି ରଖନ୍ତୁ ।

ବିହନ ସାଇତା

ବିହନକୁ ଭଲ ଭାବରେ ସାଇତି ରଖାନଗଲେ ପୋକରୋଗ ଆକ୍ରମଣ ଯୋଗୁ ଏହା ନଷ୍ଟ ହୋଇଯାଏ ଏବଂ ଏଥିରୁ ଅଙ୍କୁରଣ ଭଲ ହୁଏ ନାହିଁ ।

ସାଇତା ପୂର୍ବରୁ କଣ କରିବେ

  • ପାଗକୁ ଦେଖି ବିହନକୁ ଭଲ ଭାବରେ ଶୁଖାଇ ପରିଷ୍କାର କରନ୍ତୁ । ଶୁଖିଲା ବିହନକୁ ଦାନ୍ତରେ କାମୁଡିଲେ ଠକ୍ କରି ଶବ୍ଦ ହେଲେ ବିହନ ଶୁଖିଛି ବୋଲି ଜଣାପଡେ । ପ୍ଲାଷ୍ଟିକ ଚଦର, ସିମେଣ୍ଟ ଚଟାଣ କିମ୍ବା କଠିନ ଚଟାଣ ଉପରେ ଖରାରେ ବିହନ ଶୁଖାଇବା ଆବଶ୍ୟକ ।
  • ମଝିରେ ମଝିରେ ବିହନକୁ ଘାଣ୍ଟିଲେ ଏହା ସମାନ ଭାବରେ ଶୁଖିଥାଏ ।
  • ଧୂଳି ପବନରୁ ରକ୍ଷା କରିବାକୁ ବିହନ ଘୋଡାଇ ରଖନ୍ତୁ ।
  • ଘରକୁ ଚଢେଇ ନପଶିବା ପାଇଁ ଝରକା ଇତ୍ୟାଦିରେ ଜାଲି ବ୍ୟବହାର କରନ୍ତୁ ।

ସାଇତା ପ୍ରଣାଳୀ :

  • ଭଙ୍ଗା ଶସ୍ୟ ନଥିବା ବା ପଚାଗନ୍ଧ ହେଉନଥିବା ପରିଷ୍କାର ବିହନକୁ ସାଇତି ରଖନ୍ତୁ ।
  • ବିହନକୁ ପୁରୁଣା ବସ୍ତା ବା ଶସ୍ୟାଧାରରେ ସାଇତି ନରଖି ନୂଆ ବସ୍ତା ବା ଶସ୍ୟାଧାର ବ୍ୟବହାର କରନ୍ତୁ।
  • ଓଦା ହେଉଥିବା ଜାଗାରେ ବିହନ ରଖନ୍ତୁ ନାହିଁ ।
  • ବିହନକୁ ଉଚ୍ଚ ଭାଡିରେ  ରଖନ୍ତୁ ଏବଂ ବିହନ ବସ୍ତାକୁ କାନ୍ଥଠାରୁ ୧ ଫୁଟ ଛାଡି ଏବଂ ଛାତ ତଳକୁ ୩ ଫୁଟ ଛାଡି ଚାରିପାଖରେ ବାୟୁ ଚଳାଚଳ ସୁବିଧା ଥାଇ ରଖନ୍ତୁ ।
  • ପୁରୁଣା ଓ ନୂଆ ବିହନ ମିଶାଇ ରଖନ୍ତୁ ନାହିଁ ।
  • ବିହନ ସହିତ ଶୁଖିଲା ନିମ୍ବ ପତ୍ର, ବେଗୁନିଆ ପତ୍ର ଇତ୍ୟାଦି ଗୋଳାଇ ସାଇତି ରଖନ୍ତୁ ।

ବିହନ ସାଇତା ପରେ କଣ କରିବେ ?

  • ସାଇତା ଘରକୁ ନିୟମିତ ପରିଦର୍ଶନ କରି ରୋଗପୋକ ଓ ମୂଷା ନପଶିବା ପାଇଁ ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ମଝିରେ ମଝିରେ ବିହନକୁ ଖରାରେ ଶୁଖାନ୍ତୁ ।
  • ସାଇତା ଘର ଓ ଏହାର ନିକଟ ଅଞ୍ଚଳ ପରିଷ୍କାର ରଖନ୍ତୁ ।
  • ବିହନ ବୁଣିବା ପୂର୍ବରୁ ଗାଯ ଶକ୍ତି ପରୀକ୍ଷା କରିନିଅନ୍ତୁ ।

ବିହନ ସାଇତା ଶସ୍ୟାଧାର :

ଶସ୍ୟାଧାରରେ ନିୟନ୍ତ୍ରିତ ଜଳୀୟ ଅଂଶ ଓ ଉତ୍ତାପ ରହିଲେ ବିହନ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହେ । ଜଳୀୟ ଅଂଶ ଶତକଡା ୧ ଭାଗ କମିଗଲେ ଓ ଉତ୍ତାପ ୫ ସେଲସିଅସ କମିଲେ ବିହନ ଦୁଇଗୁଣ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ହୋଇରହେ । ଉନ୍ନତ ବିହନ ସାଇତା ଶସ୍ୟାଧାର ଗୁଡିକ ହେଲା –

  • ବାଉଁଶ ପୁଡୁଗ
  • ପୁଷା ବିନ ।
  • ବାଉଁଶ ଡୋଲି
  • ପକ୍କା କୋଠି
  • ଧାତବ କୋଠି

ବିହନ ପରୀକ୍ଷା

ଉତ୍ତମମାନର ବିହନ ହୃଷ୍ଟପୁଷ୍ଟ, ସମାକୃତି ବିଶିଷ୍ଟ, ନିରୋଗ,ବିଶୁଦ୍ଧ ଏବଂ ଅଧିକ ଅମଳକ୍ଷମ ହେବା ସହିତ ଏଥିରେ ସଠିକ ଜଳୀୟ ଅଂଶ ଓ ଗଜା ଶକ୍ତି ରହିବା ଆବଶ୍ୟକ । ସାଧାରଣ ଫସଲ ଅନୁସାରେ ବିହନର ଗଜାଶକ୍ତି ଧାନ ପାଇଁ ଶତକଡା ୮୦ ରୁ ଅଧିକ , ଗହମ ପାଇଁ  ୮୫, ମୁଗ ଓ ବିରି ପାଇଁ ୭୫ ଭାଗ ରହିବା ଆବଶ୍ୟକ । ଏହି ଗଜାଶକ୍ତି ନିରୂପଣ କରିବା ପାଇଁ ଅଙ୍କୁରୋଦଗମ ପରୀକ୍ଷା ସାହାଯ୍ୟ କରେ । ହୃଷ୍ଟପୁଷ୍ଟ ଓ ସୁସ୍ଥ ବିହନର ଗଜା ପରୀକ୍ଷା ନକରି ଜମିରେ ବୁଣିଲେ ଗଜା ସଂଖ୍ୟା କମ ବେଶୀ ହେବାର ଦେଖାଯାଏ , ଫଳରେ ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ ।

ବିହନ ଅଙ୍କୁରୋଦଗମ ପରୀକ୍ଷା କିପରି କରିବେ ?

ଏକ ଅନୁକୂଳ ବାତାବରଣ (ଜଳ,ବାୟୁ ଓ ଉତ୍ତାପ ) ପାଇଁ ବିହନ କେତୋଟି ସ୍ଵାଭାବିକ ଚାରା କରିପାରେ ତାହା ତାହାର ଅଙ୍କୁରୋଦଗମ ଶକ୍ତି ସୁଚାଏ ।

ଆବଶ୍ୟକୀୟ ଉପକରଣ :

  • ଚଟକା ମାଟିପାତ୍ର ବା ପଲମ କିମ୍ବା ପେଟ୍ରୀଡିସ
  • ମୌଳିକ ଉପାଦାନ ଯଥା :ବାଲି, ବ୍ଳଟିଙ୍ଗ କାଗଜ କିମ୍ବା ଟିସୂ କାଗଜ
  • ପାଣି
  • ବିହନ

ପଦ୍ଧତ୍ତି :

  • ଗଚ୍ଛିତ ବିହନ ନମୁନାରୁ ମନଇଚ୍ଛା ୧୦୦ ଟି ପରୀକ୍ଷା ପାଇଁ ନିଅନ୍ତୁ । ବିହନ ଗଣିବା ପରେ ୫୦ କିମ୍ବା ୧୦୦ ଟିକିଆ କରି ଅଲଗା ଅଲଗା ନିଅନ୍ତୁ ।
  • ମାଟି ପାତ୍ରକୁ ଗରମ ପାଣିରେ ବିଶୋଧନ କରି ଏଥିରେ ପରିଷ୍କାର ବାଲି ସାମାନ୍ୟ ଓଦା ଥାଇ ଭର୍ତି କରନ୍ତୁ ।
  • ବିହନ ଗୁଡିକୁ ମୌଳିକ ଉପାଦାନ ଉପରେ ସମଦୂରତା ରାଖୀ ଧାଡିରେ ବିଛାନ୍ତୁ ବା ପୋତନ୍ତୁ ।
  • ବିହନ ବିଛାଯାଇଥିବା ପାତ୍ରକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ପ୍ରଚୁର ଆଲୋକ ଓ ପବନ ମିଳିପାରିବ ।
  • ଅଙ୍କୁରୋଦଗମ ହେବା ପର୍ଯ୍ୟନ୍ତ ମୌଳିକ ଉପାଦାନର ଆଦ୍ରତା ରଖିବାକୁ ହେବ ।
  • ନିର୍ଦ୍ଦିଷ୍ଟଦିନ ପରେ(୪-୫ ଦିନ) ଚାରା ଗଣନ୍ତୁ । ଧାନ କ୍ଷେତ୍ରରେ ୫ ଦିନ ଓ ବିରି, ମୁଗ କ୍ଷେତ୍ରରେ ୪ ଦିନ ପରେ ପ୍ରଥମଥର ଗଣାଯାଏ ।
  • ଧାନ କ୍ଷେତ୍ରରେ ୧୪ ଦିନ ପରେ ଦ୍ଵିତୀୟ ଥର ଓ ବିରି, ମୁଗ କ୍ଷେତ୍ରରେ ୭ ଦିନ ପରେ ପୁନରାୟ ଗଜା ଗଣନ୍ତୁ ।
  • ଯେଉଁ ଗଜାର ଚେର ସିଧା ହୋଇ ବଢେ, କାଣ୍ଡ ସିଧା ଥାଏ ଓ ବଙ୍କା ଟଙ୍କା ହୋଇନଥାଏ ଏବଂ ଭ୍ରୁଣ ପତ୍ର ଅକ୍ଷତ ଥାଏ ତାକୁ ସ୍ଵାଭାବିକ ଚାରା ବୋଲି ବିଚାର କରନ୍ତୁ ।
  • ଦୁଇଥର ଯାକ ସ୍ଵାଭାବିକ ଓ ନିରୋଗ ଗଜା ଗୁଡିକୁ ଗଣି ମୋଟ ଗଜା ଶକ୍ତି ହିସାବ କରନ୍ତୁ ।
  • ଶଶ୍ୟ କ୍ଷେତ୍ରରେ ଶତକଡା ୮୦-୮୫ ଭାଗ ଓ ତୈଳବୀଜ ପାଇଁ ୭୦ ରୁ ୮୦ ଭାଗ ଗଜା ଶକ୍ତି ଥିଲେ ବିହନଟି ବୁଣିବା ପାଇଁ ଉପଯୁକ୍ତ ।

ସାବଧାନତା

  • ମୌଳିକ ଉପାଦାନ (ବାଲି,କାଗଜ ) ଆର୍ଦ୍ର ରଖିବା ଆବଶ୍ୟକ । ଏଥିରେ ଅଧିକ ପାଣିର ଆବଶ୍ୟକତା ନାହିଁ ।
  • କୋଠରୀର ଉତ୍ତାପ ଅତ୍ୟଧିକ ବା ଅତିକମ ହେବ ଅନାବଶ୍ୟକ ।
  • ବିହନକୁ ମୂଷା ଓ ପୋକ ଯେପରି ନଷ୍ଟ ନ କରନ୍ତି ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ହେବ ।

ବିହନ ବିଶୋଧନ

ବିହନ ବୁଣିବା ପରେ ବହୁ କ୍ଷେତ୍ରରେ ଦେଖାଯାଏ ଗଜା ହେବା ପରେ ଗଛଟି ରୋଗଣା ହୋଇ ମରିଯାଏ କିମ୍ବା ଚାରା ଗଛରେ ବିଭିନ୍ନ ରୋଗ ଲକ୍ଷଣ ପ୍ରକାଶ ପାଏ । ବିହନର ବାହ୍ୟ ଅବାରଣରେ କିମ୍ବା ବିହନ ଭିତରେ କେତେକ ରୋଗ ଜୀବାଣୁ ଥିବା ଯୋଗୁ କିମ୍ବା ବିହନ ବୁଣା ହୋଇଥିବା ମାଟିରେ ରୋଗ ଜୀବାଣୁ ଥିଲେ ଏପରି ହୋଇଥାଏ , ଏଣୁ ବିହନକୁ ରୋଗ ନାଶକ ପଦାର୍ଥ ଦ୍ଵାରା କିମ୍ବା ଭୌତିକ ଉପାୟରେ ବିଶୋଧନ କରି ବୁଣିଲେ ପ୍ରାରମ୍ଭିକ ଅବସ୍ଥାରେ ଚାରାଗଛ ରୋଗ ଆକ୍ରମଣରୁ ରଖାପାଏ ।

ବିହନ ମଧ୍ୟରେ ଥିବା ରୋଗ ଜୀବାଣୁକୁ ନଷ୍ଟ କରିବା ପାଇଁ ବିହନକୁ ଥଣ୍ଡା ପାଣିରେ ବତୁରାଇ ଖରାରେ ବିଶୋଧନ କରାଯାଇପାରେ । କେତେକ ବିହନକୁ ନିର୍ଦ୍ଦିଷ୍ଟ ଉତ୍ତାପ ବିଶିଷ୍ଟ ଗରମ ପାଣିରେ ବୁଡାଇ ମଧ୍ୟ ବିଶୋଧନ କରାଯାଏ , ତେବେ ରାସାୟନିକ ପଦାର୍ଥ ବ୍ୟବହାର କରି ବିଶୋଧନ କରିବା ଅଧିକ ଫଳପ୍ରଦ ଓ ନିରାପଦ ।

ଉପକରଣ :

  • ବିହନ ବିଶୋଧନ ଡ୍ରମ ବା ମାଟିପାତ୍ର କିମ୍ବା ପଲିଥିନ ମୁଣି
  • ବିଶୋଧକ ଔଷଧ
  • ମାପ ବା ଓଜନ କରିବା ପାଇଁ ବଟକରା ବା ଦିଆସିଲ ଖୋଳ
  • ମୋଟ କନା
  • ଆବଶ୍ୟକ ବିହନ

ପ୍ରଣାଳୀ :

  • ୧ କିଲୋ ବିହନ ବିଶୋଧନ ପାଇଁ ସାଧାରଣତଃ ୩ ଗ୍ରାମ କ୍ୟାପଟାନ ବା ଥିରମ ଅଥବା ୨ ଗ୍ରାମ ଶୁଷ୍କ ଶୋଧକ ବାଭିଷ୍ଟିନ ଆବଶ୍ୟକ ପଡେ ।
  • ବିହନ ଓଜନ କରି ଆବଶ୍ୟକ ପରିମାଣର ଔଷଧ ଓଜନ କରନ୍ତୁ କିମ୍ବା ଦିଆସିଲ ଖୋଳରେ ମାପନ୍ତୁ(ଦିଆସିଲ ଖୋଳ ୧୦ ଗ୍ରାମ)
  • ବିହନ ଅଧାପାତ୍ର ବା ପଲିଥିନ ମୁଣିରେ ଭର୍ତ୍ତିକରିବା ପରେ ଔଷଧ ପକାନ୍ତୁ । ଏହାପରେ ଅବଶିଷ୍ଟ ବିହନ ଭର୍ତ୍ତି କରନ୍ତୁ ।
  • ମାଟିପତ୍ର ହୋଇଥିଲେ କନା ଦ୍ଵାରା ମୁହଁ ବନ୍ଦ କରନ୍ତୁ କିମ୍ବା ପଲିଥିନ ମୁଣି ହୋଇଥିଲେ ସୂତା ଦ୍ଵାରା ମୁହଁ ବାନ୍ଧନ୍ତୁ ।
  • ପାତ୍ର କିମ୍ବା ପଲିଥିନକୁ ଭଲଭାବରେ ଉପର ତଳ ଘୁରାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ଔଷଧ ଗୋଳାନ୍ତୁ ।
  • ଏହା ପରେ ପାତ୍ରକୁ ୧୦-୧୫ ମିନିଟ ସ୍ଥିର ରଖନ୍ତୁ ଯାହାଦ୍ୱାରା ବିହନ ବାଷ୍ପମୁକ୍ତ ହେବ ।
  • କନା ବା ସୂତା ବାହାର କରନ୍ତୁ ।
  • ବିଶୋଧିତ ବିହନକୁ ଅଖା ବା ପଲିଥିନ ଚଦର ଉପରେ ଢାଳନ୍ତୁ ।
  • ବିଶୋଧିତ ବିହନକୁ ୨୪ ଘଣ୍ଟା ମଧ୍ୟରେ ବୁଣନ୍ତୁ ।
  • ଅଧିକ ବିହନ ବିଶୋଧନ ପାଇଁ ଡ୍ରମ ବ୍ୟବହାର କରନ୍ତୁ ।

ସାବଧାନତା :

  • ବିଶୋଧନ ସମୟରେ ମୁହଁ ଓ ନାକକୁ କନାଦ୍ଵାରା ବନ୍ଦ ରଖନ୍ତୁ ।
  • ବ୍ୟବହୃତ ମାଟିପାତ୍ରକୁ ପାଣି କିମ୍ବା ଖାଦ୍ୟଶସ୍ୟ ସାଇତିବା ପାଇଁ ବ୍ୟବହାର କରନ୍ତୁ ନାହିଁ ।
  • ଖୋଲା ଚଟାଣ ଉପରେ ବିହନ ଓ କବକମାରୀ ମିଶ୍ରଣକୁ ଏଡାନ୍ତୁ ।

ଆଳୁ ବିହନ ବିଶୋଧନ

ଆଳୁ ବିହନକୁ ରୋଗମୁକ୍ତ କରିବା ପାଇଁ ବିଶୋଧନ କରି ଲଗାଯାଏ ।

ଉପକରଣ :

  • ରୋଗନାଶକ ଔଷଧ ହିସାବରେ ବାଭିଷ୍ଟିନ ଆର୍ଦ୍ରାଶୋଧକ ବା ଇଣ୍ଡୋଫିଲ ଏମ-୪୫
  • ଆଳୁ ବିହନ (ଗୋଟା ବା କୋଟା )
  • ପରିଷ୍କାର ପାଣି
  • ମାଟି ପାତ୍ର ବା ପ୍ଲାଷ୍ଟିକ ବାଲଟି
  • ପଲିଥିନ ଚଦର
  • ମଗ
  • ଗୋଳାଇବା ପାଇଁ କାଠି

ପ୍ରଣାଳୀ :

  • ୧ ଲିଟର ପାଣିରେ ୧.୫ ଗ୍ରାମ ବାଭିଷ୍ଟିନ ବା ୫ ଗ୍ରାମ ଇଣ୍ଡୋଫିଲଏମ -୪୫ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ ।
  • ଔଷଧ ଦ୍ରବଣରେ ବିହନ ଖଣ୍ଡକୁ ୧୦ ମିନିଟ ବୁଡାଇ ରଖନ୍ତୁ । ଏଥିପାଇଁ ଏକ ବାଉଁଶ ବା ପ୍ଲାଷ୍ଟିକ ପାଛିଆ ବ୍ୟବହାର କରିବା ଭଲ ।
  • ଏହାପରେ ବିହନକୁ ବାହାର କରି ପଲିଥିନ ଚଦର ଉପରେ ଖେଳାଇ ଛାଇରେ ଶୁଖାଇ ଲଗାନ୍ତୁ ।

ସାବଧାନତା :

  • ବିହନ ବିଶୋଧନ ସମୟରେ ଯେପରି ଗଜା ଭାଙ୍ଗିନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
  • ବିଶୋଧିତ ବିହନକୁ ଖାଇବା ପାଇଁ ବ୍ୟବହାର କରନ୍ତୁ ନାହିଁ ।
  • ବିହନ ବିଶୋଧନ ପରେ ହାତ, ମଗ ଓ ବାଲଟିକୁ ସାବୁନ ଦେଇ ସଫା କରନ୍ତୁ ।

 

ଆଧାର : ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ଓ ଭାରତ ସରକାରଙ୍କ

ସାହାଯ୍ୟପ୍ରାପ୍ତ ଉପଯୋଜନ ସହାୟତାରେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ ଭୁବନେଶ୍ଵର

2.96666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top