କୁସୁମୀ ଗୋଟିଏ ତୈଳବୀଜ ଫସଲ । ଏହି ତୈଳବୀଜରେ ଶତକଡା ୨୪-୩୬ ଭାଗ ତୈଳ ରହିଛି । ଏହି ତୈଳର ରଙ୍ଗ ସୁବର୍ଣ୍ଣ ପରି ହଳଦିଆ ଏବଂ ଏହା ବହୁପରିମାଣରେ ରୋଷେଇରେ ବ୍ୟବହୃତ ହୁଏ । କୁସୁମୀ ତେଲ ରଙ୍ଗ ଓ ସାବୁନ ତିଆରି ପାଇଁ ବ୍ୟବହାର ହୋଇଥାଏ । ଏହି ତୈଳରେ ସୂର୍ଯ୍ୟମୁଖୀ ତୈଳପରି ୨୮% ଲିନୋଲିକ୍ ଅମ୍ଳ ଥାଏ ଯାହାକି ହୃଦରୋଗୀମାନଙ୍କ ପାଇଁ ଅତି ଉପକାର କରେ କାରଣ ଏଥିରେ କୋଲୋଷ୍ଟେରଲ କମ୍ ଥାଏ । ଏହି ତୈଳ ଚମଡା ଜାତ ପଦାର୍ଥରେ ଲେପ ରୂପେ ବ୍ୟବହାର ହୁଏ । ଚୋପାଛଡା ପିଡିଆ ଗୋଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ଏଥିରେ ୪୦-୪୫% ପୁଷ୍ଟିସାର ରହିଛି । ଚୋପା ଛଡା ନଯାଇଥିବା ପିଡିଆ – ସାର ରୂପେ ବ୍ୟବହାର ହୁଏ ଯେଉଁଥିରେ ୫% ଯବକ୍ଷାରଜାନ, ୧.୪୫% ଫସଫରସ୍ ଓ ୧.୨୩% ପଟାସ୍ ରହିଛି । ଆମ ରାଜ୍ୟରେ କୁସୁମୀ ଚାଷ ଧୀରେ ଧୀରେ ପ୍ରସାର ଲାଭ କରୁଛି । ଏହାର ଲୁଣି ସହଣୀ ଶକ୍ତି ଥିବାରୁ ଲୁଣିମାଟି ଅଞ୍ଚଳରେ ଏହି ଚାଷ କରାଯାଇପାରିବ ।
ବହୁ ଶତାବ୍ଦୀ ଧରି ମିଶର ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ବହୁ ଦେଶରେ କୁସୁମୀ ଚାଷ ହୋଇଛି । ଡି. କଣ୍ଡେଲଙ୍କ ମତରେ ଆରବିଆ ହେଉଛି କୁସୁମୀର ଉଦ୍ଭବ କେନ୍ଦ୍ର । ଭାବଲଭଙ୍କ ମତରେ କୁସୁମୀର ଉଦ୍ଭବ କେନ୍ଦ୍ର ହେଉଛି ଭ୍ରାତା, ଆଫଗାନିସ୍ଥାନ ଓ ଇଥୋପିଆ ।
କ୍ଷେତ୍ରଫଳ ଓ ବଣ୍ଟନ :
ଭାରତ, ମେକ୍ସିକୋ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଓ ସ୍ପେନ ଦେଶରେ କୁସୁମୀ ଚାଷ ହୁଏ । ଏହି ଦେଶଗୁଡିକରେ ୭୦୧ ହଜାର ହେକ୍ଟର ଜମିରେ କୁସୁମୀ ଚାଷ କରାଯାଇ ୧୮୬ ହଜାର ଟନ ମଞ୍ଜି ଅମଳ ହୁଏ । ପୃଥିବୀର ୫୦% ଭାଗ କୁସୁମୀ ଚାଷ କେବଳ ଭାରତରେ ହୁଏ । ଭାରତରେ ମୁଖ୍ୟତଃ କୁସୁମୀ ଚାଷ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ କରାଯାଏ । ମୋଟ କୁସୁମୀ ଚାଷର ୯୯% ଏହି ରାଜ୍ୟଗୁଡିକରେ କରାଯାଏ । ଓଡିଶାରେ କୁସୁମୀ ୧୫୪୩ ହେକ୍ଟର ଜମିରେ ଚାଷ ହୁଏ ଏବଂ ଅମଳ ୬୩୩ ଟନ ହୁଏ ।
କୁସୁମୀର ଶ୍ରେଣୀ ବିଭାଗ :
କୁପଜଓ ପୃଥିବୀର ସମସ୍ତ ପ୍ରକାର କୁସୁମୀ କିସମକୁ ସଂଗ୍ରହ କରି ଦୁଇଭାଗରେ ବିଭକ୍ତ କରିଥିଲେ, ଯଥା –
ଭାରତରେ ଚାଷ କରାଯାଉଥିବା କୁସୁମୀକୁ (୧) ଗନ୍ଥର ବୃଦ୍ଧି ଲକ୍ଷଣ (୨) ଗଛ କଣ୍ଟକଯୁକ୍ତ ବା କଣ୍ଟକ – ଶୂନ (୩) ଉପ ପତ୍ର ବିଦ୍ୟମାନ ବା ଶୂନ୍ୟ (୪) ଉପପତ୍ର ଆକୃତି ଓ ରୂପ (୫) ପୁଷ୍ପକ ରଙ୍ଗ (୬) ପୁଷ୍ପର ଭିତର ଓ ଉପପତ୍ରର ରଙ୍ଗକୁ ଭିତ୍ତି କରି ଶ୍ରେଣୀ ବିଭାଗ କରାଯାଇଛି । ଭାରତୀୟ କୁସୁମୀ ୬୩ ପ୍ରକାରର ଅଟେ ।
ଉଦ୍ଭିଦ ବର୍ଣ୍ଣନା :
କୁସୁମୀ ସୂର୍ଯ୍ୟମୁଖୀ ବଂଶୀ । ଏହା ଏକ ତୈଳଜ ଉଦ୍ଭିଦ । ପ୍ରଜାତି କାଥାମସ ଏବଂ ଜାତି ଟିନକ୍ଟୋରିଅସ୍ କୁସୁମୀ ଗୋଟିଏ ଏକବର୍ଷୀ ଉଦ୍ଭିଦ ଅଟେ ।
କାଣ୍ଡ :
ବହୁ ଶାଖାପ୍ରଶାଖାଯୁକ୍ତ । ଶାକୀୟ କଣ୍ଟକଯୁକ୍ତ ଏହାର ଉଚ୍ଚତା ୩୦-୧୫୦ ସେ.ମି. ।
ମୂଳ :
ଟାଣ ଓ ମୋଟା ଆଦିମୂଳ । ଏହି ମୂଳର ବହୁ ସରୁ ସରୁ ପାର୍ଶ୍ଵଚେର ରହିଥାଏ ।
ପତ୍ର :
ପତ୍ର କଣ୍ଟାଳିଆ । ଗଛ ଉଠିବାର ପ୍ରାୟ ମାସକ ପରେ ପତ୍ରଧାରରେ କଣ୍ଟା ସୃଷ୍ଟି ହୁଏ । କଣ୍ଟାଗୁଡିକ ଟାଣ ହୋଇଗଲେ, ଗଛକୁ ହାତରେ ଧରିହୁଏ ନାହିଁ । ବହୁଶାଖାଯୁକ୍ତ ଏହି ଗଛରେ ପତ୍ରଗୁଡିକ କୁନ୍ତଳ ଭାବେ ସଜାଇ ହୋଇଥାଏ । ପତ୍ର ଅବୃନ୍ତ, ରଙ୍ଗ ଗାଢ ସବୁଜ ଏବଂ ମଧ୍ୟଶିରା ସୁସ୍ପଷ୍ଟ । ଅଧିକାଂଶ କୁସୁମ କିସମର ତଳପତ୍ରଗୁଡିକରେ କଣ୍ଟା ନଥାଏ । ଉପର ପତ୍ରଗୁଡିକ କିସମ ଅନୁସାରେ ଅକଣ୍ଟକ ବା କଣ୍ଟକ ହୋଇଥାଏ ।
ପୁଷ୍ପ ସ୍ତବକ :
ପ୍ରତ୍ୟକ ଶାଖା – ପ୍ରଶାଖା ଗୋଟିଏ ଗୋଟିଏ ହେଡରୂପୀ ସ୍ତବକରେ ଶେଷ ହୋଇଥାଏ । ଫୁଲର ମୂଳ ଅଂଶ ମୋଟା ଓ ଉପର ଅଂଶ ସାମାନ୍ୟ ସରୁ । ଉପର ଆଡକୁ ପାଖୁଡାଗୁଡିକ ଲମ୍ବା ଓ ଅଣଓସାରିଆ । ପୁଷ୍ପଗୁଡିକ – ପୂର୍ଣ୍ଣ ଓ ସମ୍ପୂର୍ଣ୍ଣ । ରଙ୍ଗ ତୋଫା ହଳଦିଆ ବା ନାରଙ୍ଗୀ ଅଥବା ନାରଙ୍ଗୀ – ଲାଲ ।
ଏଥିରେ ୨୦-୧୦୦ ପୁଷ୍ପକ ଥାଏ । ପ୍ରତ୍ୟକ ପୁଷ୍ପକରୁ ଗୋଟିଏ ଗୋଟିଏ ବୀଜ ହୁଏ । ପୁଷ୍ପ ପରପରାଗସଙ୍ଗମୀ । ପରାଗସଙ୍ଗମ ମୁଖ୍ୟତଃ ମହୁମାଛି ଦ୍ଵାରା ହୋଇଥାଏ ।
ଫଳ :
ମସୃଣ, ତେଜଯୁକ୍ତ ଧଳା, ଆକିଲା ଅଟେ । ୧.୫ ସେ.ମି. ଠାରୁ କମ୍ ଲମ୍ବା ଏବଂ କୌଣିକ ।
ଋତୁ ଓ ଜଳବାୟୁ :
ଏହା ଏକ ଶୀତଦିନିଆ ଫସଲ । ଗଜା ହେବା ପାଇଁ କୁସୁମୀର ଉପଯୁକ୍ତ ଉତ୍ତାପ ଆବଶ୍ୟକ କରେ । ଏହା ଏକ ଅଣଜଳସେଚିତ ଫସଲ । କିନ୍ତୁ କେତେକ ଚାଷୀ ଜଳସେଚିତ ଜମିରେ ବି କୁସୁମୀ ଚାଷ କରନ୍ତି । ତଳି ଅବସ୍ଥାରେ କୁସୁମୀ କମ୍ ଉତ୍ତାପ ସହ୍ୟ କରିପାରେ । ଫୁଲ ହେବା ସମୟରେ ଅଧିକ ଉତ୍ତାପ କ୍ଷତିକାରକ ହୋଇଥାଏ । ଦିନର ଉତ୍ତାପ ୨୪ - ସେଲସିଅସ ରହିଲେ ଭଲ ଅମଳ ଦିଏ । ପୁଷ୍ପ ହେବା ସମୟରେ ଉତ୍ତାପ ସେଲସିଅସରୁ କମ୍ ହେଲେ, ଫୁଲ – ନପୁଂସକ ହୋଇଯାଏ । କରକାପାତ ଏହି ଫସଲ ପାଇଁ ଶତ୍ରୁପରି କାମ କରେ । ଅତ୍ୟଧିକ ବର୍ଷା ବା ଜଳବାୟୁର ଆର୍ଦ୍ରତା ବେଶି ହେଲେ କବକଜନିତ ରୋଗ ହୋଇ ଅମଳ କମିଯାଏ । ଏଣୁ ଲଗାତାର ବର୍ଷା, ଅଧିକ ଆର୍ଦ୍ରତା, ଏବଂ ଜଳ ନିଷ୍କାସନର ସୁବିଧା ନଥିଲେ ଅମଳ ବହୁପରିମାଣ କମିଯାଏ । ୬୦-୯୦ ସେ.ମି. ବର୍ଷା ଏହି ଫସଲ ପାଇଁ ଉପଯୁକ୍ତ ।
ମୃତ୍ତିକା :
କୁସୁମୀର ମରୁଡି ସହଣୀ କ୍ଷମତା ଥିବାରୁ ବହୁପ୍ରକାର ମୃତ୍ତିକାରେ ଚାଷ କରାଯାଏ । କୁସୁମୀ ନିରପେକ୍ଷ ମାଟିରେ ଭଲ ବୃଦ୍ଧିପାଏ । ଲୁଣି ମାଟିରେ ଏହା ଚାଷ କରାଯାଇପାରେ, କିନ୍ତୁ ମଞ୍ଜିରେ ତୈଳଭାଗ କମିଯାଇପାରେ । ଦୋରସା ଓ ମଟାଳ ଦୋରସା ମୃତ୍ତିକା କୁସୁମୀ ଚାଷ ପାଇଁ ଉପଯୁକ୍ତ ।
ବୁଣିବା ସମୟ :
ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ।
ବିହନ କିସମ :
ଭଲ ଅମଳ ପାଇବା ପାଇଁ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା ଉଚିତ୍ । କେତେକ ଅଧିକ ଉତ୍ପାଦନକ୍ଷମ ବିହନ କିସମର ବିବରଣୀ ନିମ୍ନରେ ଦିଆଗଲା ।
ବିହନ କିସମର ନାମ |
ମଞ୍ଜିର ତୈଳ ଭାଗ % |
ଅମଳ ହେକ୍ଟରପିଛା (କି.ଗ୍ରା) |
ଅମଳ ସମୟ (ଦିନ) |
ମଞ୍ଜିରା |
32 |
1200-1400 |
110 |
ତାରା |
32.5 |
1200-1400 |
125-135 |
ଆନେଗିରୀ (ଏ - ୧) |
30.8 |
800-850 |
125-153 |
ଭୀମ (ଏସ୍ - 4) |
|
|
135 |
ଏନ୍ 62-8 (E-62-8) |
30 |
1000-1200 |
140 |
ଏ-୩୦୦ (A-300) |
31.9 |
700 |
125-135 |
ଜମି ପ୍ରସ୍ତୁତି :
କୁସୁମୀ ପାଇଁ ଲୁହାଲଙ୍ଗଳରେ ଥରେ ଚାଷ କରି ତା’ପରେ ୨-୩ ଥର ବିଦା ଦେଇ ପ ମଇଦେଇ ମାଟିକୁ ଗୁଣ୍ଡ କରିଦେବା ଉଚିତ୍ । ଲୁହା ଲଙ୍ଗଳ ନଥିଲେ ଦେଶୀ ଲଙ୍ଗଳରେ ୩-୪ ଓଡ ଚାଷ କରି ମଇ ଦେଇ ମାଟି ଗୁଣ୍ଡ କରିଦେବା ଉଚିତ୍ ।
ଖତ ଓ ସାର ପ୍ରୟୋଗ :
ହେକ୍ଟର ପିଛା ୫ ଟନ ଗୋବରଖତ ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ଦିଆଯାଏ । ପରେ ୨୫ କେ.ଜି. ଯବକ୍ଷାରଜାନ ଜାତୀୟ ସାର ଓ ୨୫ କେ.ଜି. ସୁପରଜାତୀୟ ସାର ଭଲଭାବେ ମିଶାଇ ସିଆରରେ ୮-୧୦ ସେ.ମି. ଗଭୀରରେ ପ୍ରୟୋଗ କରି ମାଟି ଘୋଡାଇ ୪.୫ ସେ.ମି. ଗଭୀରରେ ବିହନ ବୁଣାଯାଏ ।
ବିହନ ଓ ବିହନ ବୁଣିବା ପ୍ରଣାଳୀ :
ସର୍ବଦା ଉନ୍ନତ ବିହନ ବ୍ୟବହାର କଲେ ଉତ୍ପାଦନ ବୃଦ୍ଧିପାଏ । ହେକ୍ଟର ପିଛା ୨୦ କେଜି ବିହନକୁ କି.ଗ୍ରା. ପିଛା ୩ ଗ୍ରାମ କ୍ୟାପଟାନ, ବା ମନୋସାନ ସହିତ ଭଲଭାବେ ଗୋଳାଇ ବୁଣାଯାଏ । ଧାଡିକୁ ଧାଡି ୩୦-୪୫ ସେ.ମି. ଓ ଗଛକୁ ଗଛ ୫ ସେ.ମି. ରଖାଯାଏ । ଠିକ୍ ସମୟରେ ବିହନ ବୁଣିଲେ ଫସଲ ରୋଗ ଓ ପୋକ ଦାଉରୁ ରକ୍ଷାପାଏ ଏବଂ ଅମଳ ବେଶି ଦିଏ । ଏହା ଦ୍ଵାରା ଉପଯୁକ୍ତ ପରିମାଣ ଜଳ ଓ ଉତ୍ତାପ ପାଇଥାଏ । ଡେରିରେ ବୁଣିଲେ ଅତ୍ୟଧିକ ଉତ୍ତାପ ଯୋଗୁ ଅମଳ କମିଯାଏ ।
ଅନ୍ତଃଚାଷ :
୨-୩ ସପ୍ତାହ ବେଳକୁ କୋଡା – ଖୁସା କରି ଘାସ ବାଛିଦିଆଯାଏ ।
ଜଳସେଚନ :
କୁସୁମୀ ଗଛର ଚେର ଉପ ମୃତ୍ତିକାରୁ ଜଳ ଓ ଖାଦ୍ୟ ପଦାର୍ଥ ବ୍ୟବହାର କରିଥାଏ । ତେଣୁ ଏହାକୁ ମରୁଡି ସହଣୀ ଫସଲ କହନ୍ତି । ଯଦିଓ ଏହି ଫସଲ ଜଳସେଚନ ଦରକାର କରେ ନାହିଁ । ତଥାପି ଏହାକୁ ଅର୍ଥକାରୀ ଫସଲ ରୂପେ ଚାଷ କଲେ ଜଳସେଚନ କରିବା ଦରକାର । ଫୁଲ ଧରିବା ଓ ଦାନା ପୂରଣ ସମୟରେ ଫସଲ ଜଳାଭାବ ସହ୍ୟ କରିପାରେ ନାହିଁ । ଗଜାହେବା ୩୦ ଦିନ ପରେ ଗୋଟିଏ ଜଳସେଚନ କଲେ ଭଲ ଅଙ୍ଗୀୟ ବୃଦ୍ଧି ହୁଏ । ଜନନକ୍ଷମ ଅବସ୍ଥାରେ ମଧ୍ୟ ଉନ୍ନତି ହୋଇଥାଏ ।
ଅମଳ ଓ ଆଦାୟ :
କୁସୁମୀ ୧୨୦-୧୪୦ ଦିନ ମଧ୍ୟରେ ଅମଳ ହୁଏ । ମଞ୍ଜି ପାକଲା ହୋଇଗଲେ ଗଛଗୁଡିକ ହଳଦିଆ ପଡିଯାଏ । କଣ୍ଟାଗଛ ଯୋଗୁ ଅମଳ ସକାଳବେଳେ କରାଯାଏ । ପାକଳ ଗଛଗୁଡିକ ଉପାଡି ଦେବା ବା କାଟି ଖଳାରେ ଆଣି ଗଦା କରି ୩-୪ ଦିନ ଶୁଖାଇ ଦେଇ ଠେଙ୍ଗାରେ ପିଟି ଅମଳ କରାଯାଏ । ତା ପରେ କୁଲାରେ ଉଡାଇ କାଠିକୁଟା ଓ ଗୋଡି ବାହାର କରି ନିରୋଳା ମଞ୍ଜି ସଂଗ୍ରହ କରାଯାଏ ।
ଅଦାୟ :
ଜଳସେଚିତ ଫସଲରୁ ୭-୮ କୁଇଣ୍ଟାଲ ମିଳେ । ଅଣ ଜଳସେଚିତ ଜମିରୁ ୫-୭ କୁଇଣ୍ଟାଲ ମିଳେ । ଅଣ ଜଳସେଚିତ ଜମିରୁ ୫-୭ କୁଇଣ୍ଟାଲ ମିଳେ । ମଞ୍ଜିକୁ ଶୁଖାଇ ୮% ଜଳୀୟ ଅଂଶ ରହିବା ସମୟରେ ସାଇତି ରଖାଯାଏ ।ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ
Last Modified : 9/19/2019