ପେଶୀ ଗୋଟିଏ ମୁଖ୍ୟ ତନ୍ତୁ ଓ ତୈଳବୀଜ ଉତ୍ପାଦନକାରୀ ଫସଲ । ଏହାର ତନ୍ତୁ ନାଇଲିନ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇଥାଏ । ବିହନ କିସମ ଅନୁସାରେ ମଞ୍ଜିରେ ୩୩ରୁ ୪୭% ତୈଳଥାଏ । ଏହି ତୈଳରେ ଶୀଘ୍ର ସୁଖିବା ଗୁଣ ଥିବାରୁ ଏହା ବିଭିନ୍ନ ରଙ୍ଗ, ବାର୍ନିସ, ଛାପା କାଳୀ ଅମଳ କ୍ଲଥ, ସାବୁନ ଏବଂ ଜଳ ପ୍ରତିରୋଧକ ତନ୍ତୁ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ । ପିଡିଆ ଗୋଖାଦ୍ୟ ହୁଏ । ଏହା ସୁସ୍ଵାଦୁ ଗୋଖାଦ୍ୟ ଏବଂ ଏଥିରେ ଶତକଡା ୩୬ ଭାଗ ପୁଷ୍ଟିସାର ରହିଛି ଯାହା ଶତକଡା ୮୫ ଭାଗ ଭଲ ହଜମ ହୋଇଥାଏ । ଏହି ପିଡିଆ ଦୁଧିଆଳୀ ଗାଈକୁ ଖାଇବାକୁ ଦିଆଯାଏ । ପେଶୀ ପିଡିଆ ସାର ରୂପେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଶତକଡା ୫ଭାଗ ଯବକ୍ଷାରଜାନ, ୧.୪ ଭାଗ ଫସଫରସ୍ ଏବଂ ୧.୮ ଭାଗ ପଟାସ୍ ରହିଛି ।
ପେଶୀର ଶୁଖିଲା କାଣ୍ଡରୁ ପର୍ଦ୍ଦା, କର୍ପେଟ, ସୋଫା ଆଦିର ଗଦି, ଦଉଡି ଇତ୍ୟାଦି ତିଆରି ହୁଏ । ଏହାଛଡା ରୋଧୀ ପଦାର୍ଥ, ନରମ କମ୍ବଳ ଏବଂ କାଗଜ ମଧ୍ୟ ତିଆରି ହୁଏ ।
ଦକ୍ଷିଣ-ପଶ୍ଚିମ ଏସିଆ ଅର୍ଥାତ୍ ଭାରତ, ଆଫଗାନିସ୍ଥାନ ତୁର୍କୀ ଏହାର ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି ।
କ୍ଷେତ୍ରଫଳ ଓ ବଣ୍ଟନ :
ପୃଥିବୀରେ ୫.୫ ନିୟୁତ ହେକ୍ଟର ଜମିରେ ପେଶୀ ଚାଷ କରାଯାଏ । ମୁଖ୍ୟ ପେଶୀ ଚାଷ କରୁଥିବା ଦେଶଗୁଡିକ ହେଲା – ଭାରତ, ସୋଭିଏତ ରୁଷ ଆର୍ଜେଣ୍ଟାଇନ, କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ପ୍ରଥମ । ମୋଟ ପେଶୀ ଚାଷର ଶତକଡା ୩୫.୪ ଭାଗ ଭାରତରେ କରାଯାଏ । କିନ୍ତୁ ଉତ୍ପାଦନ ଦୃଷ୍ଟିରୁ ଭାରତ ପୃଥିବୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଆମ ଦେଶର ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ବିହାରରେ ମୁଖ୍ୟତଃ ପେଶୀ ଚାଷ ହୁଏ ।
ଶ୍ରେଣୀ ବିଭାଗ:
ମଞ୍ଜିର ରଙ୍ଗ ଅନୁସାରେ ପେଶୀକୁ ତିନି ଭାଗ କରାଯାଇଛି । ଯଥା –
ପ୍ରତ୍ୟକ ଭାଗକୁ ପୁଣି ଦଳମଣ୍ଡଳର ରଙ୍ଗ ଅନୁସାରେ ତିନିଭାଗରେ ବିଭକ୍ତ କରାଯାଇ ପାରିବ । ଯଥା -
ଉଦ୍ଭିଦ ବର୍ଣ୍ଣନା :
ପେଶୀ ଲିନେସି ପରିବାର ଭୁକ୍ତ । ପ୍ରଜାତି ଲିନମ୍ ଜାତି ୟୁଟିଟାଟିସିମମ୍ । ଗଛ ଋତୁଜୀବି । ୩୦-୧୨୦ ସେ.ମି. ଉଚ୍ଚ । ଗଛ ମୂଳରୁ ମାଟି ଉପରୁ ୩-୪ ଟି ଶାଖା ବାହାରି ବୁଦା ଆକାରରେ ବୃଦ୍ଧି ପାଏ ।
କାଣ୍ଡ :
ତୈଳବୀଜ ଉତ୍ପାଦନ ନିମିତ୍ତ ଉଦ୍ଦିଷ୍ଟ ଗଛଗୁଡିକ ତନ୍ତୁ ଉତ୍ପାଦନ ନିମିତ୍ତ ଉଦ୍ଦିଷ୍ଟ ଗଛଠାରୁ ଛୋଟ ।
ମୂଳ :
ଅଗଭୀର ଓ କ୍ଷୁପୀୟ ମୂଳତନ୍ତ୍ର । ଆଦିମୂଳ ଲମ୍ବ ଓ ସରୁ । ଏଥିରୁ ବହୁ ଶାଖାପ୍ରଶାଖା ଛେରା ବାହାରି ଥାଏ । ଏହି ଶାଖା ଚେରଗୁଡିକ ଉପର ୩୦ ସେ.ମି. ମୃତ୍ତିକା ଭିତରେ ଖେଳେଇ ହୋଇଥାଏ । ତୈଳବୀଜ କିସମ ପେଶୀ ଚେର ତନ୍ତୁ କିସମ ପେଶୀ ଚେରଠାରୁ ଅଧିକ ଶାଖା ପ୍ରଶାଖା ଯୁକ୍ତ ।
ପତ୍ର :
ପତ୍ର ଛୋଟ ଓ ସରୁ । ପତ୍ରଗୁଡିକ ଅବୃନ୍ତ ରେକାକୃତିରୁ ବର୍ଗାକାର ଓ ଏକାନ୍ତର ଭାବେ ଶାଖାଗୁଡିକରେ ସଜାଇ ହୋଇଥାଏ । ପ୍ରତ୍ୟକ ଶାଖା ଗୋଟିଏ ପୁଷ୍ପ ସ୍ତବକରେ ଶେଷ ହୋଇଥାଏ ।
ପୁଷ୍ପ ସ୍ତବକ :
ଶାଖାୟିତ ସ୍ତବକ ରେ ବହୁ ପୁଷ୍ପ ଥାଏ । ପୁଷ୍ପଗୁଡିକର ରଙ୍ଗ ସାଧାରଣତଃ ଧଳା ବା ନୀଳ ହୋଇପାରେ ଏବଂ ସେଗୁଡିକ ପୂର୍ଣ୍ଣ ପୁଷ୍ପ । ପୁଷ୍ପରେ ୫ଟି ଦଳ ୫ଟି ବୃତି ଏବଂ ୫ଟି କେଶର ଥାଏ । ଫଳିକା ଚକ୍ର ଯୌଗିକ । ଡିମ୍ବାଶୟଟି ପରିପକ୍ଵ ହୋଇ ସମ୍ପୁଟ ହୁଏ । ଯେଉଁଥିରେ ୪-୧୦ଟି କୋଷ ଥାଏ । ପ୍ରତ୍ୟକ କୋଷରେ ୨ଟି ମଞ୍ଜି ଥାଏ । ପୁଷ୍ପ ସକାଳେ ଖୋଲେ ଓ ଅପରାହ୍ନରେ ବନ୍ଦ ହୋଇଥାଏ । ପୁଷ୍ପଟି ୟୁପରାଗଣ ସଙ୍ଗମୀ ।
ଫଳ – ସମ୍ପୁଟ । ଏହା ୫ କୋଠରି ବିଶିଷ୍ଟ ଯେଉଁଥିରେ ମଞ୍ଜି ଥାଏ ।
ବୀଜ – ଖଇରା, ହରିତ୍ କିମ୍ବା ଧଳାରଙ୍ଗର ।
ଋତୁ ଓ ଜଳବାୟୁ :
ପେଶୀ ଶୀତଦିନିଆ ଫସଲ । ଫସଲର ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଉତ୍ତାପ ମଧ୍ୟମ ବା କମ୍ ରହିବା ଉଚିତ୍ । ଫୁଲ ହେବା ଅବସ୍ଥାରେ ଉତ୍ତାପ ୩୨୦ ସେଲସିୟସରୁ ଅଧିକ ହେଲେ ଏବଂ ମରୁଡି ପଡିଲେ ଅମଳ କମିଯିବା ସହିତ ମଞ୍ଜିର ଗୁଣ ଓ ତୈଳଭାଗ କମିଯାଏ । ପେଶୀପାଇଁ ମଧ୍ୟମ ଉତ୍ତାପ, (-) ସେଲସିୟସ ଦରକାର । ତୁଷାରପାତ କ୍ଷତିକାରକ । ଫୁଲ ହେବା ସମୟରେ ତୁଷାରପାତ ଅଧିକ କ୍ଷତିକାରକ । ଫସଲ କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଭଲ ହୁଏ । ଫସଲର ବୃଦ୍ଧି ଅବସ୍ଥାରେ ଅତ୍ୟଧିକ ବୃଷ୍ଟିପାତ କ୍ଷତିକାରକ ହୋଇଥାଏ । ମୃତ୍ତିକାର ଉପର ସ୍ତରରୁ ସର୍ବଦା ଫସଲକୁ ଜଳ ମିଳୁଥିବା ଉଚିତ । କାରଣ ପେଶୀ ଚେର ମୃତ୍ତିକାର ଉପର ସ୍ତରରେ ହିଁ ପରିବ୍ୟାପ୍ତ ଥାଏ । ୪୫-୭୫ ସେ.ମି. ବୃଷ୍ଟିପାତ ହେଉଥିବା ଅଞ୍ଚଳ ପେଶୀ ଚାଷ ପାଇଁ ଉପଯୁକ୍ତ, କିନ୍ତୁ ବୃଷ୍ଟିପାତର ସୁବଣ୍ଟନ ହିଁ ସବୁଠାରୁ ଅଧିକ ପ୍ରଭାବ ଫସଲ ଉପରେ ପକାଇଥାଏ । ଭାରତରେ ପ୍ରାୟ ବର୍ଷାଦିନେ ପରେ ହିଁ ଏହି ଫସଲ ଚାଷ କରାଯାଏ । ଏଣୁ ମୃତ୍ତିକାରେ ଗଚ୍ଛିତ ଥିବା ଜଳପେଶୀର ଜଳାଭାବ ପୂରଣ କରିଥାଏ । ଶୁଷ୍କ ଅଞ୍ଚଳରେ ଜଳସେଚନ କରି ପେଶୀ ଚାଷ କରାଯାଇପାରିବ । ପେଶୀ ବହୁତ ଦିବାଲୋକଗ୍ରାହୀ ଫସଲ ଅଟେ ।
ମୃତ୍ତିକା :
ଯେଉଁ ମୃତ୍ତିକାରେ ଜଳୀୟ ଅଂଶ ରହିଛି । ସେଠାରେ ପେଶୀ ଚାଷ ହୋଇପାରିବ । ମଟାଳ ମାଟିର ଜଳଧାରଣ ଅହଡିକ ଥିବାରୁ ପେଶୀ ମଟାଳ ମାଟିରେ ଭଲ ହୁଏ । ହ୍ୟୁମସ୍ ପରିପୂର୍ଣ୍ଣ ନିଗିଡା ଦୋରସା ମୃତ୍ତିକା ସବୁଠାରୁ ଭଲ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ କୃଷ୍ଣ କାର୍ପାସ ମୃତ୍ତିକାରେ ଏହା ଚାଷ କରାଯାଏ । ପେଶୀ ଚାଷର ଶତକଡା ୮୦ ଭାଗ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ କରାଯାଏ ।
ବିହନ କିସମ :
କିସମ |
ଅମଳ ସମୟ (ଦିନ) |
ନୀଲମ |
୧୧୦-୧୧୫ |
ହିମାଳିନୀ |
୧୧୦-୧୧୫ |
ଜବାହାର – ୨୩ |
୧୧୦-୧୧୫ |
ଟି.- ୩୯୭ |
୧୦୦-୧୦୫ |
ବିହନ ପରିମାଣ ଓ ବିଶୋଧନ :
ହେକ୍ଟର ପିଛା ୫-୬ କେଜି ବିହନ ଦରକାର । ପ୍ରତି କେଜି ବିହନ ପିଛା ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ ଗୁଣ୍ଡା ଗୋଳାଇ ବିହନ ବିଶୋଧନ କରାଯାଏ ।
ବୁଣିବା ସମୟ :
ଖରିଫ ଫସଲ ପରେ ଜମି ଚାଷ କରି ପେଶୀ ବୁଣାଯାଏ । ଅକ୍ଟୋବର ଠାରୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପେଶୀ ବୁଣିବା ପାଇଁ ଉତ୍କୃଷ୍ଟ ସମୟ । କେତେକ ଅଞ୍ଚଳରେ ଧାନ ଅଗ ପଚା ହୋଇଗଲେ ଜମିରେ ବତର ଥିବା ସମୟରେ ପେଶୀ ବିହନ ବୁଣି ଦିଆଯାଏ । ଏହାକୁ ‘ଛଟା’ ଫସଲ କହନ୍ତି । ‘ଛଟା’ ଫସଲ ପାଇଁ ହେକ୍ଟର ପିଛା ୪-୫ କେଜି ବିହନ ଦରକାର ହୋଇଥାଏ । ପେଶୀ ବୁଣିବା ବିଳମ୍ବ କଲେ ଅମଳ କମିଯାଏ । ଏଣୁ ଠିକ୍ ସମୟରେ ବୁଣିବା ଉଚିତ୍ ।
ବିହନ ବୁଣିବା ପ୍ରଣାଳୀ :
ବିହନ ଧାଡିରେ ବୁଣିବା ସବୁଠାରୁ ଭଲ । ଧାଡିକୁ ଧାଡି ୩୦ସେ.ମି. ଓ ଗଛରୁ ଗଛ ୫ ସେ.ମି. ବ୍ୟବଧାନରେ ବିହନ ବୁଣିବା ଉଚିତ୍ । ଲଙ୍ଗଳ ସିଆର ପଛରେ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣାଯାଇପାରେ । ବିହନ ୪-୬ ସେ.ମି. ଗଭୀରରେ ପଡିବା ଉଚିତ୍ ।
ଖତ ଓ ସାର ପ୍ରୟୋଗ :
ଶେଷଥର ଚାଷ ବେଳେ ହେକ୍ଟର ପିଛା ୪ ଟନ ଖତ ପ୍ରୟୋଗ କରନ୍ତୁ । ହେକ୍ଟର ପିଛା ୬୦ କେଜି ଯବକ୍ଷାରଜାନ, ୪୦ କେଜି ଫସଫରସ୍ ଓ ୩୦ କେଜି ପଟାସ ସାର ଜଳସେଚିତ ଫସଲ ପାଇଁ ଆବଶ୍ୟକ ହୁଏ । ଶତକଡା ୫୦ ଭାଗ ଯବକ୍ଷାରଜାନ ସମୁଦାୟ ଫସଫରସ୍ ଓ ପଟାସ ସାରକୁ ମୂଳସାର ରୂପେ ପ୍ରୟୋଗ କରାଯାଏ । ଶତକଡା ୫୦ ଭାଗ ଯବକ୍ଷାରଜାନ ଗଜା ହେବାର ୨-୩ ସପ୍ତାହରେ ପ୍ରୟୋଗ କରି ଘାସ ବାଛି କୋଡା ଖୁସା କରାଯାଏ । ‘ଅଣଜଳସେଚିତ’ ଫସଲ ପାଇଁ ୩୦ କେଜି ଯବକ୍ଷାରଜାନ ଓ ୨୦ କେଜି ଫସଫରସ୍ ମୂଳସାର ରୂପେ ବ୍ୟବହାର କରାଯାଏ । ଗଛରେ ସାର ଦିଆଯାଏ ନାହିଁ ।
ଅନ୍ତଃଚାଷ :
ଗଛ ଉଠିବାର ୨ ସପ୍ତାହ ବେଳକୁ ଧାଡିରୁ ବଳକା ଗଛ ଉପାଡି ଦେଇ ଗଛ ୫ସେ.ମି. ବ୍ୟବଧାନ ରଖାଯାଏ ଓ କୋଡାଖୁସା କରି ଘାସ ବାଛି ଦିଆଯାଏ ।
ଜଳସେଚନ:
ଭଲ ଅମଳ ପାଇବା ପାଇଁ ଦୁଇଥର ଜଳସେଚନ କରିବା ଦରକାର । ପ୍ରଥମଟି ୩୦-୪୦ ଦିନ ଭିତରେ ଓ ଦ୍ଵିତୀୟଟି ଫୁଲ ହେବା ପୂର୍ବରୁ ଯଦି ବର୍ଷା ହୁଏ ତେବେ ଜଳସେଚନ ଆବଶ୍ୟକ ପଡେ ନାହିଁ ।
ଫସଲ ଅମଳ :
ଫସଲ ୧୧୦ର ୧୨୦ ଦିନ ଭିତରେ ଅମଳ ହୋଇଯାଏ । ଗଛ ହଳଦିଆ ପଡିଗଲେ ପତ୍ର ଶୁଖିଗଲେ ଏବଂ ସମ୍ପୁଟ କ୍ୟାପସୁଲ ଶୁଖିଗଲେ ଫସଲ ଅମଳ କରନ୍ତୁ । ଗଛଗୁଡିକ ମୂଳରୁ କାଟି ଗୋଛା ବାନ୍ଧ ଖଳାରୁ ଅଣାଯାଏ । ତାପରେ ଖଳାରେ ୪-୫ ଦିନ ଖରାରେ ଶୁଖାଇ ବେଙ୍ଗଳା ପାକାୟ ପେଶୀ ଅମଳ କରାଯାଏ ।
ଆନୁମାନିକ ଆଦାୟ :
ହେକ୍ଟର ପିଛା ଜଳସେଚିତ ପେଶୀ ଫସଲରୁ ୭-୮ କୁଇଣ୍ଟାଲ ଓ ଅଣଜଳସେଚିତ ଫସଲରୁ ୫ କୁଇଣ୍ଟାଲ ମଞ୍ଜି ମିଳେ ।ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ
Last Modified : 6/20/2020