অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଶି

ଉପକ୍ରମ

ରାଶିର ଅନ୍ୟନାମ ହେଉଛି ତିଳ  । ଏହା ଆମ ଦେଶର ଗୋଟିଏ ମୁଖ୍ୟ ତୈଳବୀଜ ଫସଲ  । ପୃଥିବୀର ଗୋଟିଏ ମୁଖ୍ୟ ରାଶି ଉତ୍ପାଦନକାରୀ  ଦେଶ ହେଉଛି ଭାରତ  । ରାଶିରେ ୫୦% ତୈଳ ରହିଛି ଏବଂ ପୁଷ୍ଟିସାର ୧୮-୨୦% ଅଛି   । ଭାରତରେ ଉତ୍ପାଦନ ହେଉଥିବା ରାଶିର ୭୮% ତୈଳ ଉତ୍ପାଦନ ପାଇଁ ବ୍ୟବହାର ହୋଇଥାଏ  । ୨.୫% ବିହନ ରୂପେ ବ୍ୟବହାର ହୁଏ  । ବଳକା ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯଥା ଯଜ୍ଞ, ଶ୍ରାଦ୍ଧ, ଇତ୍ୟାଦିରେ ବ୍ୟବହାର ହୁଏ  । ତୈଳ ଉତ୍ପାଦନର ୭୩% ଖାଇବା ପାଇଁ  ବ୍ୟବହାର କରାଯାଏ   । ୮.୩% ଡାଲଡା ତିଆରି ପାଇଁ ବ୍ୟବହାର କରାଯାଏ  ଏବଂ ୪.୨%  ବିଭିନ୍ନ ଶିଳ୍ପଜାତ ପଦାର୍ଥ ଉତ୍ପାଦନ  ପାଇଁ ବ୍ୟବହାର ହୁଏ  । ରାଶି ଲଡୁ କରାଯାଏ  ଏବଂ ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କୁ ପୂଜା କରାଯାଏ   । ୧୦୦ ଗ୍ରାମ୍  ରାଶିରୁ ଆମେ ୫୯୨ କିଲୋ କ୍ୟାଲୋରୀ ଶକ୍ତି ପାଇଥାଉ  । ଦକ୍ଷିଣ ଭାରତରେ ରାଶିତେଲ ଖାଇବା ତେଲରୂପେ ବହୁଳଭାବେ  ବ୍ୟବହାର ହୁଏ   । ଏହି ତେଲ ସାବୁନ ତିଆରି ପାଇଁ ମଧ୍ୟ ବ୍ୟବହାର ହୁଏ   । ଏହାଛଡା ରାଶିତେଲ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହୋଇଥାଏ  । ରାଶିପିଡିଆ ଗୋଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି  । ଗରିବ ଲୋକମାନେ ରାଶିପିଡିଆରେ ଚିନି ପକାଇ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି  । ଦୁଧିଆଳି ଗାଈମାନଙ୍କୁ ଦୁଧ ଦେବା ପାଇଁ ରାଶି ପିଡିଆ ଦିଆଯାଏ  । ଏହା ସାର ରୂପେ ମଧ୍ୟ ବ୍ୟବହାର ହୁଏ   । ରାଶିପିଡିଆରେ ୬-୭% ଯବକ୍ଷାରଜାନ, ୨.୦-୨.୨% ଫସଫରସ୍ ଏବଂ ୧.୦-୧.୨% ପଟାସ୍ ରହିଛି   ।

ଉଦ୍ଭବ କେନ୍ଦ୍ର

ବହୁ ପ୍ରାଚୀନ କାଳରୁ ରାଶି ଭାରତରେ ଚାଷ ହେଉଥିବା ଅଥର୍ବ ବେଦରେ ପ୍ରମାଣ ଅଛି   । ଯେହେତୁ, ଦକ୍ଷିଣ – ପଶ୍ଚିମ ଆଫ୍ରିକାରେ ବହୁ ଜଙ୍ଗଲୀ କିସମ ଏବଂ ଚାଷ ହେଉଥିବା କିସମ ଦେଖିବାକୁ ମିଳେ   । ଏଣୁ ଦକ୍ଷିଣ – ପଶ୍ଚିମ ଆଫ୍ରିକା ଏହାର ଉଦ୍ଭବ କେନ୍ଦ୍ର  ବୋଲି ଧରାଯାଇଛି  ।

ସେଠାରୁ ରାଶି ମାଳୟ ଏବଂ ଇଣ୍ଡୋନେସିଆ ଦେଇ ଆର୍ଯ୍ୟମାନେ ଭାରତକୁ ଆଣିଥିବା ଅନୁମାନ କରାଯାଉଛି   । ବୈଦିକ ଯୁଗରୁ ଆର୍ଯ୍ୟମାନଙ୍କର ପ୍ରତି ଶୁଭକାର୍ଯ୍ୟରେ ତିଳ ବ୍ୟବହାର  ପ୍ରଥା ଆଜି ପର୍ଯ୍ୟନ୍ତ ଚାଲି ଆସିଛି   ।

କ୍ଷେତ୍ରଫଳ ଓ ବଣ୍ଟନ

ପୃଥିବୀର ମୁଖ୍ୟ ରାଶି ଚାଷ କରୁଥିବା ଦେଶଗୁଡିକ ହେଲା – ଭାରତ, ଚୀନ, ସୁଦାନ, ବର୍ମା ଏବଂ ମେକ୍ସିକୋ  । ଭାରତ କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ ଦୃଷ୍ଟିରୁ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଅଛି  । ଭାରତରେ ମୋଟ ତୈଳବୀଜ କ୍ଷେତ୍ରଫଳ ୩୬.୧% ରେ କେବଳ ରାଶି ଚାଷ ହୁଏ ଏବଂ ମୋଟ ତୈଳବୀଜ ଉତ୍ପାଦନ ୨୫.୧% କେବଳ ରାଶିରୁ ମିଳେ  । ମୁଖ୍ୟ ରାଶି ଉତ୍ପାଦନକାରୀ ରାଜ୍ୟଗୁଡିକ ହେଲା ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଗୁଜୁରାଟ, ତାମିଲନାଡୁ ଏବଂ କର୍ଣ୍ଣାଟକ   । ହେକ୍ଟର ପିଛା ଅଧିକ ଉତ୍ପାଦନ ପଶ୍ଚିମବଙ୍ଗରେ ମିଳେ   । କ୍ଷେତ୍ରଫଳ ଓ ଅଧିକ ଉତ୍ପାଦନ ଦୃଷ୍ଟିରୁ ଉତ୍ତରପ୍ରଦେଶ ପ୍ରଧାନ   ।

ରାଶିର ଶ୍ରେଣୀ ବିଭାଗ

ରାଶିର ରଙ୍ଗ, ଉତ୍ପାଦନ ଓ ଅବଧିକୁ ନେଇ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି  ଯଥା –

  1. ପାକଳ ହେବା ସମୟ
    1. ସଅଳ କିସମ – ଏଥିରେ ଶାଖା ପ୍ରଶାଖା ଏବଂ ଫୁଲ କମ୍ ଥାଏ   ।
    2. ବିଳମ୍ବ କିସମ – ଶାଖା ପ୍ରଶାଖା ବେଶି ଓ ଫୁଲ ବେଶି  ।
  2. ମଞ୍ଜିର ରଙ୍ଗ
    1. ଧଳା ମଞ୍ଜି – ଏହି କିସମର ଗଛରେ ଫୁଲ କମ୍ ହୁଏ  ଏବଂ ଶାଖା ପ୍ରଶାଖା କମ୍ ହୁଏ   ।
    2. କଳା ମଞ୍ଜି – ଶାଖା ପ୍ରଶାଖା ବେଶି ଓ ଫୁଲ ବେଶି  ।
  3. ସମ୍ପୁଟ ବା ସ୍ପୋଟକ ଫଳରେ ଫଳିବା ସଂଖ୍ୟା
    1. ଦ୍ଵିଫଳିକା – ସମ୍ପୁଟରେ ଦୁଇଟି ଫଳିକା ଥାଏ  ।
    2. ଚତୁସ୍ଫଳିକା – ଗୋଟିଏ ସମ୍ପୁଟରେ ଚାରୋଟି ଫଳିକା ଥାଏ  ।
  4. କ୍ରୋମୋଜମ ନମ୍ବର

କ୍ରୋମୋଜମ ନମ୍ବର

ଜାତି

2n = 26

ସିସାମମ୍ ଇଣ୍ଡିକମ୍

ସିସାମମ୍  ଆଲାଟମ୍

2n = 32

ସିସାମମ୍ ପ୍ରୋଷ୍ଟ୍ରାଟମ୍

ସିସାମମ୍ ଲାନସିନିଆଟମ୍

2n = 64

ସିସାମମ୍ ରାଡିଆଟମ୍

ସିସାମମ୍ ଆକ୍ସିଡେଣ୍ଟାଲେ

ଉଦ୍ଭିଦ ବର୍ଣ୍ଣନା

ରାଶି ପେଡାଲିଏସି  ପରିବାରଭୁକ୍ତ   । ଏହି ପରିବାରରେ ୧୫ଟି ପ୍ରଜାତି ଓ ୬୦ଟି ଜାତିର ଉଦ୍ଭିଦ ରହିଛି  । ଅଧିକାଂଶ ଉଷ୍ଣ ମଣ୍ଡଳରେ ଦେଖାଯାଆନ୍ତି   ।

ବଂଶ – ପେଡାଲିଏସି

ପ୍ରଜାତି – ସିସାମମ୍

ଜାତି – ଇଣ୍ଡିକମ୍

ମୂଳତନ୍ତ୍ର

ରାଶିଗଛ ସିଧା ଭାବେ ୦.୫ରୁ ୨.୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ   । ରାଶି ଫସଲ ଏକ ଋତ୍ଵିକ ଓ ଶାକୀୟ  । ରାଶିରେ ଦୁଇପ୍ରକାର ମୂଳ ଦେଖିବାକୁ ମିଳେ   । ସଅଳ ଅମଳ ହେଉଥିବା ରାଶି କିସମର ମୂଳତନ୍ତ୍ର ଦୁର୍ବଳ  । ଆଦିମୂଳ ବା ପ୍ରଧାନ ମୂଳରୁ ପାର୍ଶ୍ଵମୂଳ ଓ ତୃତୀୟକ ମୂଳ କମ୍ ବାହାରିଥାଏ   । ବିଳମ୍ବରେ ପାଚୁଥିବା  କିସମଗୁଡିକର ଆଦିମୂଳ ଓ ମୂଳତନ୍ତ୍ର ଉନ୍ନତ  । ଆଦିମୂଳ ବହୁ ଗଭୀରରୁ ଯାଇଥାଏ  ଏବଂ ଏଥିରୁ ବହୁ ପାର୍ଶ୍ଵ ମୂଳ ଏବଂ ତୃତୀୟକ ମୂଳ ମୃତ୍ତିକାର ଉପରି ଭାଗରେ ଥାଏ   ।

କାଣ୍ଡ

କାଣ୍ଡ ସିଧା, ସାଧାରଣତଃ ବର୍ଗାକାର  । କାଣ୍ଡ ରଙ୍ଗ ଫିକା ସବୁଜରୁ ପାଟଳ ବର୍ଣ୍ଣ, କିନ୍ତୁ ଅଧିକାଂଶ ଗଛ ଗାଢ – ସବୁଜ  । ଗଛର ଉପରି ଭାଗରେ ଛୋଟ ଛୋଟ ଡାଳ ଥାଏ  । କିସମ ଅନୁସାରେ ରାଶିରେ ଶାଖାପ୍ରଶାଖା  ହୁଏ  । କେତେକ କିସମ ରାଶିରେ ବହୁ ଶାଖା ପ୍ରଶାଖା ହୋଇ ଗଛଟି ବୁଦାପରି ଦେଖାଯାଏ   । କେତେକ କିସମରେ ଆଦୌ ଶାଖାପ୍ରଶାଖା ହୁଏନି  ।

ପତ୍ର

ପତ୍ରର ଆକାର ସମାନ ନୁହେଁ   । ତଳ ପତ୍ରଗୁଡିକ ଉପର ପତ୍ର ଠାରୁ ଚଉଡା   । ଉପର ପତ୍ରଗୁଡିକ ସରୁଆ  । ଗଛର ପତ୍ର କିସମନୁସାରେ  ଭିନ୍ନ ଭିନ୍ନ ହୋଇଥାଏ  । ପତ୍ର ମିଶାମିଶି ବା ଏକାନ୍ତର  । କାଣ୍ଡର ବିପରୀତ ପାର୍ଶ୍ଵରୁ ବାହାରେ  । ତଳ ପତ୍ର  ଲମ୍ବ ଚୌଡା ଏବଂ ଉପର ପତ୍ର ସରୁଆ   । ପତ୍ର ଆକାର ୩.୦ ରୁ ୧୭.୦ ସେ.ମି. ଲାମ୍ବା ଏବଂ ୧.୦ ରୁ ୭.୦ ସେ.ମି. ଓସାର  ।

ପୁଷ୍ପ ସ୍ତବକ

ପୁଷ୍ପ ସ୍ତବକ ରେସିସମ୍ ବା ଏକପାର୍ଶ୍ଵବର୍ଦ୍ଧକ ଏବଂ ପୁଷ୍ପଗୁଡିକ ପତ୍ରପକ୍ଷରୁ ଏବଂ କାଣ୍ଡର ଉପରିଭାଗ ଓ ଶାଖାପ୍ରଶାଖାରୁ ବାହାରେ  । ପୁଷ୍ପଗୁଡିକ ରଙ୍ଗ ଓ ଆକାରରେ ଛୋଟ ବଡ ହୋଇଥାଏ  । ପୁଷ୍ପଗୁଡିକର ଦଳମଣ୍ଡଳ  ପାଟଳ ଓ ଧଳା  । ଚାରୋଟି କେଶର ଦୁଇଟି ଗ୍ରୁପ୍ ରେ  ଥାଏ   । ପ୍ରଥମ ଯୋଡି କେଶର ଦ୍ଵିତୀୟ ଯୋଡି କେଶରଠାରୁ ଛୋଟ  । ପୁଷ୍ପ – ଭୋରରୁ ଖୋଲେ ଏବଂ ସନ୍ଧ୍ୟା ବେଳକୁ ଝାଉଂଳି ଝରିପଡେ   । ସ୍ଵପରାଗଣ କିନ୍ତୁ ସମୟେ ସମୟେ ପର ପରାଗ କୀଟ ଓ ପତଙ୍ଗ ଦ୍ଵାରା ହୁଏ   ।

ଫଳ

ରାଶି – ଫଳ ସମ୍ପୁଟ ଯେଉଁଥିରେ ୨ ବା ୪ଟି ଫଳିକା ଥାଏ   । ଗୋଟିଏ ସମ୍ପୁଟରେ ବହୁତ ମଞ୍ଜି ଥାଏ   । ମଞ୍ଜିଗୁଡିକ ଛୋଟ ଓ ଅଣ୍ଡାକୃତି  । ସାମାନ୍ୟ ଚେପ୍ ଟାଳିଆ  ଏବଂ ନାଭି ପାଖରେ ଟିକିଏ ପତଳା, ମଞ୍ଜି  କଳା ବା ଧଳା ଘନଲୋହିତ ବା ପିଙ୍ଗଳ ବର୍ଣ୍ଣର ହୋଇପାରେ   । ଗଛ ମୂଳ ଆଡ ଫୁଲ ଫୁଟି ଆଗ ଆଡକୁ ଯାଏ   ।

ଋତୁ ଓ ଜଳବାୟୁ :

ରାଶି ଉଷ୍ଣମଣ୍ଡଳୀୟ ଫସଲ  । ରାଶି ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୨୫୦ ମିଟର ଉଚ୍ଚ ମାଳ ଅଞ୍ଚଳରେ ଚାଷ କରାଯାଇ ପାରିବ   । ଏହା ଗୋଟିଏ ମରୁଡି ସହଣୀ ଫସଲ   । ଜଳାନୁବୋଧତା  ସହିପାରେ ନାହିଁ  । ରାଶିର ବୃଦ୍ଧି ଅବସ୍ଥା ସମୟରେ ଉଷ୍ଣ ଜଳବାୟୁ  ଅଧିକ ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ   ।  -   ସେଲସିୟସ ଉତ୍ତାପରେ ଭଲ ଗଜା ହୁଏ, ଗଛର ବୃଦ୍ଧି ଓ ପୁଷ୍ପର ବିକାଶ ଉତ୍ତମ ହୁଏ   । ଉତ୍ତାପ କମ୍ ହେଲେ ପୁଷ୍ପ ପରିପକ୍ଵ ନ ହେଉଣୁ ଝଡିପଡେ   । କୁହୁଡି ଓ କରକାପାତ ରାଶି ଫସଲରେ ଯଥେଷ୍ଟ କ୍ଷତି କରିଥାଏ   ।

ମୃତ୍ତିକା

ନିଗିଡା ବାଲି ଦୋରସା ମାଟିରେ ରାଶି ଭଲ ହୁଏ  । ଅତି ବାଲିଆ, ଅତି ମଟାଳିଆ, ଲୁଣି, କ୍ଷାରୀ ଓ ଅମ୍ଳ ମୃତ୍ତିକାରେ ରାଶି ଚାଷ ହୁଏ ନାହିଁ  । ରାଶି ୫.୫ – ୮.୦ ପି.ଏଚ ରେ ଭଲ ହୁଏ  । ମୃତ୍ତିକାରେ ସବୁବେଳେ ଜଳୀୟ ଅଂଶ ରହିବା ଦରକାର  ।

ବିହନ କିସମ

ସାଧାରଣତଃ ଦୁଇପ୍ରକାର କିସମ ରାଶି ଦେଖାଯାଏ   । ଯଥା – କଳାରାଶି, ଧଳାରାଶି  । ମଞ୍ଜିରେ ତୈଳ ଅଂଶ କଳାରାଶି ଅପେକ୍ଷା ବେଶିଥାଏ   । ଓଡିଶାରେ ଭୋଦେଇ ରାଶି ବର୍ଷାଦିନେ, ‘ମାଘୀ’ ରାଶି ରବି  ଋତୁରେ ଏବଂ ‘ନିଲଜି’ ରାଶି ଖରାଦିନେ ବୁଣାଯାଏ   । ଓଡିଶା ପାଇଁ ଅନୁମୋଦିତ କିସମଗୁଡିକର ନାମ ଏବଂ ଏଗୁଡ଼ିକର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି  ।

କିସମର ନାମ

ଅବଧି (ଦିନ)

ମଞ୍ଜିର ରଙ୍ଗ

ତୈଳ %

ବୀଜ ଅମଳ କୁଇଣ୍ଟାଲ / ହେକ୍ଟର

ଗଛର ଉଚ୍ଚତା ସେ.ମି.

ଅନ୍ୟାନ୍ୟ ଗୁଣ

ବିନାୟକ

୮୫-୯୦

ପିଙ୍ଗଳ

୪୯

୬୦୦

୧୦୫

ମସୃଣ

କଳିକା

୮୦-୮୫

ପିଙ୍ଗଳ

୪୯

୭୦୦

୯୦

ମସୃଣ

କନକ

୮୦-୮୫

ଧୂସର

୪୭

୭୦୦

୯୫

ଛୁଇଁ ମୃଦୁଲୋମଶ

କ୍ରିଷ୍ଣା

୮୦-୮୫

ସାମାନ୍ୟ କଳା

୪୮

୭୦୦

୧୦୫

 

ଉମା

୮୦-୮୫

ବିସ୍ କେଟ୍

୫୨.୪

୮୦୦

୯୫

୧୯୯୨ ମୁକ୍ତି

ଜମି ପ୍ରସ୍ତୁତି

ରାଶି ମଞ୍ଜି ଅତି ଛୋଟ ହୋଇଥିବାରୁ ଗୁଣ୍ଡ ଚାଷ ଦରକାର କରେ  । ମାଟି ବତର ଥାଇ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ  । ଭଲ ଗଜା ହେବାପାଇଁ ମାଟି ବତର ରହିବା ଦରକାର   । ଜମି ଗୁଣ୍ଡ ଚାଷ କରିବା ସମୟରେ ଜମିପାଗି ଥିବା ଉଚିତ୍  । ରାଶି ମାଟି ଓଦା ରହିବା ବେଳେ ବୁଣାଯାଏ   । ଶେଷଓଡ ଚାଷ ସମୟରେ କମ୍ପୋଷ୍ଟ ୫ଟନ୍  ହେକ୍ଟର ପିଛା ପକାଇ ଭଲ ଭାବେ ମିଶାଇ ଦିଆଯାଏ   ।

ବୁଣିବା ସମୟ

ବର୍ଷା ଋତୁ – ଜୁନ୍ ମଧ୍ୟ ଭାଗରୁ ଜୁଲାଇ ମଧ୍ୟ ଭାଗ

ଶୀତ ଋତୁ – ସେପ୍ଟେମ୍ବର ଠାରୁ ଅକ୍ଟୋବର ।

ଗ୍ରୀଷ୍ମ ଋତୁ – ଫେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ  ।

ବିହନ ପରିମାଣ ଓ ବିଶୋଧନ :

ହେକ୍ଟର ପିଛା ୭ କେଜି ବିହନ ଦରକାର  । ପ୍ରତି କେଜି ମଞ୍ଜି ସହ ୩ ଗ୍ରାମ୍ ହିସାବରେ ଥିରାମ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ   ।

ବିହନ ବୁଣା

ମଞ୍ଜି ଛୋଟ ହୋଇଥିବାରୁ ୨ ସେ.ମି. ଗଭୀରରେ ବୁଣାଯାଏ  । ଗଭୀର ବୁଣା କଲେ ଗଜା ହେବା ସମ୍ଭାବନା କମ୍ ଥାଏ  । ବୁଣିବା ବେଳେ କିଛି ଶୁଖିଲା ମୃତ୍ତିକା ବା ବାଲି ସହ ବୁଣାଯାଏ  । ରାଶି ୩୦ X ୭୦ ସେ.ମି. ବ୍ୟବଧାନରେ ବୁଣାଯାଏ  । ଧାଡିରେ ବୁଣିଲେ ଘାସ ନିୟନ୍ତ୍ରଣ ଓ ଅନ୍ତଃଚାଷ କରିବା ପାଇଁ ସୁବିଧା  ହୁଏ  । ଏବଂ ଜମିର ସବୁଆଡେ  ସମାନ ଗଛ ରହେ  ।

ସାର ପ୍ରୟୋଗ

ହେକ୍ଟର ପିଛା ଯବକ୍ଷାରଜାନ ୩୦ କି.ଗ୍ରା., ସୁପର ୨୦ କି.ଗ୍ରା. ଓ ପଟାସ୍ ୨୦ କି.ଗ୍ରା. ଆବଶ୍ୟକ   । ସବୁ ସୁପର ଓ ପଟାସ୍ ସହ ଅଧା ଯବକ୍ଷାରଜାନ ମୂଳସାର ରୂପେ ବ୍ୟବହାର କରନ୍ତୁ   । ଏହା ବିହନ ବିନୁବା ପୂର୍ବରୁ ଧାଡିରେ ପ୍ରୟୋଗ କରେ   । ବଳକା ଯବକ୍ଷାରଜାନ (୧୫ କେଜି - ଯବକ୍ଷାରଜାନ)ପ୍ରଥବ  ଅନ୍ତଃଚାଷ ସମୟରେ ପ୍ରୟୋଗ କରାଯାଏ   ।

ଅନ୍ତଃଚାଷ

ଗଜା ହେବାର ୧୫ ଦିନ ପରେ ଗଛ ପତଳା କରିବା, କୋଡା ଖୁସା କରି ଘାସ ବାଛି ସାର ପ୍ରୟୋଗ କରିଦେବା ଉଚିତ୍  । ଗଛକୁ ଗଛ ୧୦ ସେ.ମି. ରଖି ଅଧିକ ଉଠିଥିବା ରାଶି ଗଛ ଉପାଡି ଦିଆଯାଏ   ।

ଜଳସେଚନ

ଖରାଦିନେ  ଫସଲରେ ଦରକାର ଅନୁଯାୟୀ ୨-୩ ଥର ପାଣି ମଡାଯାଏ  । ବର୍ଷାଦିନିଆ ଫସଲରେ ଜଳସେଚନ ଦରକାର ନାହିଁ  । ମାଘିରାଶି ଓ ଖରାଦିନିଆ  ରାଶି ବା ନିଲଜି ରାଶି ଫସଲ ଜଳସେଚନ ଦରକାର କରେ   । ଜମିଚାଷ ଲାଗି ପୂର୍ବ ଫସଲ କାଟିନେବା ପରେ ଜମିରେ ପାଣି ମଡାଯାଏ   । ରାଶିରେ ସାର ଦେବାପରେ ପାଣି ମଡାଇବାକୁ ହୁଏ   । ରାଶି ଛୁଇଁ ଧରିବା ସମୟରେ ପାଣି ମଡାଯାଏ  । ନିଲଜି ରାଶି ବୁଣାଯିବା ବେଳେ ଜମିରେ ବତର ଦରକାର କରେ   । ଗଛ ଉଠିଯିବା ପରେ ଆଉ ପାଣି ଦେବାକୁ ପଡି ନ ଥାଏ   ।

ରାଶି ଅମଳ

ରାଶି ଛୁଇଁ ପାକଲା ହେଲେ ଗଛ ପତ୍ର ପାଚି ଝଡିପଡେ   । କିନ୍ତୁ ଛୁଇଁ ସାମାନ୍ୟ ଶାଗୁଆ ଥାଏ   । ଏହି ସମୟରେ ରାଶି ଗଛ  କଟାଯାଏ  । ଅମଳ ଡେରିକଲେ ଛୁଇଁ ଫାଟି ମଞ୍ଜିଗୁଡିକ  ଝଡିପଡେ   । ସେଥିପାଇଁ ରାଶିକୁ ଠେଙ୍ଗାରେ ପିଟି ଅମଳ କରାଯାଏ   । ମାଘି ଓ ନିଲଜି ରାଶି ଜମିରୁ କାଟି ଆଣି ଖଳାରେ ୭-୮ ଦିନ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ   । ମଞ୍ଜିକୁ ଉଡାଇ – ସଫା କରି  ଖରାରେ ଶୁଖାଇ ୮-୧% ଜଳୀୟ ଅଂଶ ଥିବା ସମୟରେ ସାଇତି ରଖାଯାଏ   । ବର୍ଷାଦିନିଆ ରାଶିରୁ ହେକ୍ଟର ପିଛା ୬ କୁଇଣ୍ଟାଲ ଅମଳ ଓ ଶୀତ ଏବଂ ଖରାଦିନିଆ ରାଶିରୁ ଯଥାକ୍ରମେ ୮ ଓ ୧୦ କୁଇଣ୍ଟାଲ ଅମଳ ମିଳିଥାଏ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate