অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋୟାବିନ

ଉପକ୍ରମ

ସୋୟାବିନ ଗୋଟିଏ ତୈଳବୀଜ ଫସଲ  । କିନ୍ତୁ ଏହା ଉଭୟ ଡାଲି ଓ ତୈଳବୀଜ ଉତ୍ପାଦନ ପାଇଁ କରାଯାଏ  । ଏହା ଏକ ଛୁଇଁ ଜାତୀୟ ଫସଲ  । ଅଧିକ ଉତ୍ପାଦନ କ୍ଷମତା ସାଙ୍ଗକୁ ସୋୟାବିନରେ ପ୍ରଚୁର ପୁଷ୍ଟିସାର ରହିଛି  । ସୋୟାବିନ ମଞ୍ଜିରେ ଶତକଡା ୨୦ ଭାଗ ତୈଳ ଓ ୪୦ ଭାଗ ଉତ୍କୃଷ୍ଟଧରଣର ପୁଷ୍ଟିସାର ରହିଛି  । ଏହି ପୁଷ୍ଟିସାର ଅନ୍ୟାନ୍ୟ ଯେକୌଣସି ଡାଲି ଜାତୀୟ ଫସଲର ପୁଷ୍ଟିସାର ଠାରୁ ଉତ୍କୃଷ୍ଟ  । ସୋୟାବିନ ପୁଷ୍ଟିସାରରେ ମୁଲ୍ୟବାନ ଆମିନେ ଏସିଡ ଲାଇସିନ ଶତକଡା ୫ଭାଗ ରହିଛି  । ଏହାଛଡା ଯଥେଷ୍ଟ ପରିମାଣରେ ଧାତବ ଲବଣ ଏବଂ ଭିଟାମିନ୍ ମଧ୍ୟ ରହିଛି  । ଗଜା ସୋୟାବିନରେ ପ୍ରଚୁର ଭିଟାମିନ ‘ସି’ ରହିଛି  । ସୋୟାବିନ ତେଲ ହାଇଡ୍ରୋଜେନସନ୍  ଲାଗି ଅତି ଉତ୍କୃଷ୍ଟ  । ଏହା ପେଣ୍ଟ, ବାର୍ନିସ ତିଆରିରେ ବ୍ୟବହାର କରାଯାଏ  । ସୋୟାବିନ  ଚେରରେ ଥିବା ଅଣୁଜୀବ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିରେ ମିଶାଇ ମାଟି ଉର୍ବର କରେ  । ଏହାକୁ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ  । ସୋୟାବିନ ତେଲ ଷ୍ଟ୍ରେପଟା ସାଇକ୍ଲିନ ଭଳି ଆଣ୍ଟିବାୟୋଟିକ ପ୍ରସ୍ତୁତି କରିବାରେ ବ୍ୟବହୃତ ହୋଇଥାଏ  । ଗହମ ଓ ମକା ଅଟାରେ ସୋୟାବିନ ଅଟା ମିଶାଇ ଖାଇଲେ ଖାଦ୍ୟର ପୁଷ୍ଟିକାରିତା ବହୁପରିମାଣରେ ବଢିଯାଇଥାଏ   । ସୋୟାବିନରୁ ମଧ୍ୟ କ୍ଷୀର ତିଆରି ହୁଏ  ।

ଉଦ୍ଭବ କେନ୍ଦ୍ର 

ପୂର୍ବ ଏସିଆ ଓ ଚୀନ ସୋୟାବିନର ଉଦ୍ଭବ କେନ୍ଦ୍ର  ।

କ୍ଷେତ୍ରଫଳ ଓ ବଣ୍ଟନ :

ପୃଥିବୀରେ ସୋୟାବିନ ୫୬-୭୪ ନିୟୁତ ହେକ୍ଟର ଜମିରେ ଚାଷ ହୁଏ  ଏବଂ ଉତ୍ପାଦନ ୯୪.୨ ନିୟୁତ ଟନ ମିଳେ  । ସୋୟାବିନ ଚାଷ ହେଉଥିବା ଦେଶଗୁଡିକ ହେଲା – ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ବ୍ରାଜିଲ, ମେକ୍ସିକୋ ଏବଂ ସୋଭିଏତ ରୁଷ, ଯୁକ୍ତରାଷ୍ଟ୍ର ଆମେରିକାରେ ପୃଥିବୀର ମୋଟ ସୋୟାବିନର ଶତକଡା ୬୦ ଭାଗ ଚାଷ ହୁଏ  ଏବଂ ଉତ୍ପାଦନର ମୋଟ ଶତକଡା ୬୬ ଭାଗ ଏହି ଦେଶରୁ ମିଳେ  । ଏହି ଫସଲ ମୁଖ୍ୟତଃ ଭାରତରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ  ଚାଷ କରାଯାଏ  । ଅନ୍ୟାନ୍ୟ ପ୍ରଦେଶରେ ଅଳ୍ପ ବହୁତ ସୋୟାବିନ ଚାଷ ହୋଇଥାଏ  ।

ଉଦ୍ଭିଦ ବର୍ଣ୍ଣନା :

ବଂଶ – ଲେଗୁମିନୋସି

ଉପବଂଶ – ପାପିଲିଓନେସି

ପ୍ରଜାତି – ଗ୍ଲାଇସିନ

ଜାତି – ମାକ୍ସ

ସୋୟାବିନ ଏକ ଋତ୍ଵିକ, ଶାକୀୟ କୁଳ୍କ ଗଛ  । ଗଛଟି ୦.୫ ରୁ ୨.୦ ମିଟର ଉଚ୍ଚ ହୁଏ  ।

ମୂଳତନ୍ତ୍ର :

ଆଦିମୂଳରୁ ବହୁ ଶାଖାରେ ବାହାରେ ଚେର  । ଆଦିମୂଳ ୧୫୦ ସେ.ମି.  ଗଭୀରକୁ ଯାଇପାରେ; କିନ୍ତୁ ଅଧିକାଂଶ ଚେର ୬୦ସେ.ମି. ଗଭୀରକୁ ଯାଇଥାଏ  । ମୂଳତନ୍ତ୍ର ୧୫ ସେ.ମି.  ମାଟି ତଳେ କାର୍ଯ୍ୟଦକ୍ଷ ହୋଇଥାଏ  । ଗଜା ହେବାର ୧୦ ଦିନ ପରେ ଚେରରେ ପିଣ୍ଡକ ଦେଖାଯାଏ  । ରାଇଜୋବିୟମ ଜାପୋନିକମ୍ ଅଣୁଜୀବ ଦ୍ଵାରା ଏହି ପିଣ୍ଡକଗୁଡିକ ସୃଷ୍ଟି ହୋଇଥାଏ  । ସୋୟାବିନ ଚେରରେ ବହୁପରିମାଣରେ ପିଣ୍ଡକ ଥାଏ  । ଏହି ପିଣ୍ଡକସ୍ଥ ଅଣୁଜୀବମାନେ ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ସୋୟାବିନ ଗଛକୁ ଯୋଗାଇଥାନ୍ତି   ।

ପତ୍ର :

ସୋୟାବିନ ଗଛରେ ୪ ପ୍ରକାର ଭିନ୍ନ ଭିନ୍ନ ପତ୍ର ଦେଖିବାକୁ ମିଳେ  । ଯଥା -

  1. ବୀଜ ପତ୍ର ଏଡି ବୀଜପତ୍ରଗୁଡିକ ସବୁଜବର୍ଣ୍ଣ ଏବଂ ଅଙ୍ଗାର ପରିପାକ କ୍ରିୟା ଦ୍ଵାରା ଶ୍ଵେତସାର ପ୍ରସ୍ତୁତ କରିଥାନ୍ତି  ।
  2. ଦୁଇଟି ସରଳପତ୍ର ବୀଜପତ୍ର ଉପର ଗଣ୍ଠିରେ ଥାଏ  । ଏହି ପତ୍ର ଦୁଇଟି ଅଣ୍ଡାକୃତି ଏବଂ ୧-୨ ସେ.ମି. ଡେମ୍ଫ ଥାଏ  । ପତ୍ର ଦୁଇଟି ଗଣ୍ଠିରୁ ସମ୍ମୁଖି ହୋଇଥାଏ  ।

ତ୍ରିପତ୍ରୀ ପତ୍ର :

  1. ମୁଖ୍ୟ ଶାଖାରେ ଅନ୍ୟାନ୍ୟ ଗଣ୍ଠିରୁ ବାହାରୁଥିବା ପତ୍ରଗୁଡିକ ତ୍ରିପତ୍ରୀ ଏକାନ୍ତର ଭାବେ କାଣ୍ଡରେ ସଜ୍ଜା ହୋଇଥାଏ  । ପତ୍ରକ ଅଣ୍ଡାକୃତି ଓ ବର୍ଚ୍ଛକାର  ।
  2. ଉପପତ୍ରକ ଉପଶାଖା ବାହାରିବା ସ୍ଥାନରୁ ଏହି ପତ୍ର ବାହାରେ ଏହି ପତ୍ରଛୋଟ ଓ ଯୋଡା ହୋଇଥାଏ  । ପତ୍ରର ଡେମ୍ଫ ନଥାଏ  । ପତ୍ର ଏକ ମିଲିମିଟରରୁ ଅଧିକ ଲାମ୍ବା ନୁହେଁ  ।

ପୁଷ୍ପସ୍ତବକ :

ପୁଷ୍ପ କକ୍ଷୀୟ ବା ପ୍ରାନ୍ତୀୟ, ଅସୀମ ସ୍ତବକ ଏବଂ ଏଥିରେ ୮ରୁ ୧୬ ପୁଷ୍ପଗଛ ଆକାରରେ ଥାଏ  । ସୋୟାବିନ ପୁଷ୍ପଗଛ ଆକାରରେ ଥାଏ  । ସୋୟାବିନ ପୁଷ୍ପ ଅଗସ୍ତିକ । ନଳିକା ବୃତ୍ତିମଣ୍ଡଳ  । ଏଥିରେ ୫ଟି ଛୋଟବଡ ପାଳି ଥାଏ  । ୬ଟି ଦଳମଣ୍ଡଳ  । କେଶର ଦ୍ଵିକୁର୍କୀ, ଏକ ଚକ୍ର ଥାଏ  । ସୋୟାବିନର ଡିମ୍ବାଶୟ ଛୋଟ, ଲୋମାଯୁକ୍ତ  । ଶଳାକା  ବଙ୍କା ଓ ଛୋଟ ଏବଂ ଅଗ୍ରସ୍ଥ ଫଳିକା ଶୀର୍ଷ  । ପୁଷ୍ପଗୁଡିକ ସ୍ଵପରାଗସଙ୍ଗମୀ  ।

ଛୁଇଁ :

ଛୁଇଁ ଛୋଟ, ସିଧା, ଚେପ୍ଟା ବା ନଳିଆକାର  । ଗୋଟିଏ ସ୍ତବକରେ ୨୦ଟି ଛୁଇଁ ଥାଇପାରେ, ଏବଂ ଗୋଟିଏ ଗଛରେ ୪୦୦ ପର୍ଯ୍ୟନ୍ତ ଛୁଇଁ ଫଳିଥାଏ  । ଗୋଟିଏ ଛୁଇଁରେ ୨-୩ଟି ବୀଜ ଥାଏ  ।

ବୀଜ :

ଫଳ ଗୋଲ ବା ଅଳ୍ପ ଚେପ୍ଟା ହୋଇପାରେ  । ରଙ୍ଗ – ଫିକା ସବୁଜରୁ ହଳଦିଆ ବା ଗାଢ ପିଙ୍ଗଳବର୍ଣ୍ଣ  ହୋଇପାରେ  । ବୀଜାବରଣରେ ଗୋଟିଏ ଦାଗ ଥାଏ  ।

ଋତୁ ଓ ଜଳବାୟୁ :

ସୋୟାବିନ ଆର୍ଦ୍ର ଓ ଗରମ ଜଳବାୟୁରେ ଭଲ ହୁଏ  । ମକା ଫସଲ ପାଇଁ ଆବଶ୍ୟକ  ହେଉଥିବା ଜଳବାୟୁ ସୋୟାବିନ ପାଇଁ ମଧ୍ୟ ଉପଯୁକ୍ତ  । ଅଧିକାଂଶ କିସମ ସୋୟାବିନ ପାଇଁ ୨୬.୫ ରୁ  ର ସେଲସିୟସ ଉତ୍ତାପ ଉପଯୁକ୍ତ  । ମୃତ୍ତିକାର ଉତ୍ତାପ  ସେଲସିୟସ ବିହନ ଗଜାହେବା ପାଇଁ ଅନୁକୂଳ  । ଉତ୍ତାପ କମ୍ ହେଲେ ଫୁଲ ବିଳମ୍ବରେ ଫୁଟେ  । ସୋୟାବିନ ଛୋଟଦିନ ଫସଲ ଓ ଆଲୋକସମ୍ବେଦୀ  । ଦିବା କ୍ଲୀବ କିସମ ଉଦ୍ଭାବନ ହେତୁ ଏହି ଫସଲ ବର୍ତ୍ତମାନ ବର୍ଷସାରା କରାଯାଇ ପାରୁଛି  ।

ମୃତ୍ତିକା :

ନିଗିଡା  ଦୋରସା ମୃତ୍ତିକା ଏବଂ ପି ଏଚ. – ୬.୦ ରୁ ୭.୫ ଥିବା ଉଚିତ  । ଏହିପରି ମୃତ୍ତିକା ସୋୟାବିନ ଚାଷ ପାଇଁ ଅନୁକୂଳ  । ଲୁଣି ଓ କ୍ଷାରୀ ମୃତ୍ତିକାରେ ଗଜା ଭଲ ହୁଏ ନାହିଁ  । ଅମ୍ଳ ମୃତ୍ତିକାରେ ଚାଷ କଲେ ଚୂନ ପ୍ରୟୋଗ କରି ପି.ଏଚ. ବଢେଇବା ଉଚିତ  । ଜଳ ଜମି ରହିଲେ ଫସଲର କ୍ଷତି ହୋଇଥାଏ  ।

ବିହନ କିସମ :

ନିମ୍ନଲିଖିତ ବିହନ କିସମଗୁଡିକ ଓଡିଶା ପାଇଁ ଉପଯୁକ୍ତ  ।

କିସମ

ଅମଳ ସମୟ (ଦିନ)

ବ୍ରାଗ

୧୧୦-୧୨୫

ଗୌରବ

୧୧୦-୧୨୦

ଏମ. ଏ.ସି.ଏସ୍ – ୫୬

୧୧୫-୧୨୦

ଏମ. ଏ.ସି.ଏସ୍ – ୧୨୫

୧୧୫-୧୨୦

ଡି.ଏସ୍. – ୧୪୫

୧୨୦

ଟି – ୪୯

୧୨୦

ପିକେ – ୭୩ – ୧୬୩

୧୧୦

ଓଡିଶାରେ ସୋୟାବିନ ମୁଖ୍ୟତଃ ଖରିଫ ଫସଲ ରୂପେ ଚାଷ କରାଯାଏ  । ପରୀକ୍ଷା କରି ଦେଖାଯାଇଛି  ଯେ ଏହି ଫସଲ ମୁଗ ଏବଂ ବିରି ଅପେକ୍ଷା ଭଲ ଏବଂ କୋରାପୁଟ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାର ଜଳବାୟୁ ସୋୟାବିନ ଚାଷ ପାଇଁ ବେଶ୍ ଅନୁକୂଳ  । ଏହାକୁ ମୁଗ ଓ ବିରି ବଦଳରେ ଚାଷ କଲେ ଚାଷୀମାନେ ଲାଭବାନ ହୋଇପାରିବେ  ।

ବୁଣିବା ସମୟ – ଖରିଫ ଋତୁ  - ଜୁନ୍ ମାସ

ରବିଋତୁ – ଅକ୍ଟୋବର – ନଭେମ୍ବର

ଗ୍ରୀଷ୍ମ ଋତୁ – ଜାନୁୟାରୀ ମାସ

ବିହନ ପରିମାଣ ଓ ବିହନ ବିଶୋଧନ:

ଜେ.ଏସ୍.- ୭୨-୪୪

ପି.କେ – ୭୩-୧୬୩        ୭୫ କେଜି ବିହନ / ହେକ୍ଟର ପିଛା

ଟି. – ୪୯      ୬୫ କେଜି ବିହନ ହେକ୍ଟର ପିଛା

ପ୍ରତି କେଜି ବିହନ ସହିତ ୩ଗ୍ରାମ ହିସାବରେ ମନୋସାନ୍ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରାଯାଏ  । କୌଣସି ଜମିରେ ପ୍ରଥମ ଥର ପାଇଁ ସୋୟାବିନ ଚାଷ କରିବାକୁ ଚାହିଁଲେ ମଞ୍ଜିସହ ବୀଜାଣୁ କଲଚର ଗୋଳାଇ ବୁଣାଯାଏ  । ଏପରି ସ୍ଥଳେ କ୍ୟାପଟାନ ଔଷଧ ଦ୍ଵାରା କେବଳ ବିହନ ବିଶୋଧନ କରାଯାଏ  । ବିହନ ବୁଣିବାର ୭ ଦିନ ପୂର୍ବରୁ ବିହନ ବିଶୋଧନ କରି, ବୁଣିବା ଦିନ – ସକାଳେ ବିହନ ସହିତ ବୀଜାଣୁ ସାର ମିଶାଇ ଛାଇରେ ଶୁଖାଇ ଓପରବେଳା ବୁଣାଯାଏ  । ସୋଡିୟମ୍ ମିଲିବଡେଟ ୩ ଗ୍ରାମ /କେଜି ବିହନ ପ୍ରତି ବୀଜାଣୁସାର ପ୍ରୟୋଗ ସମୟରେ ଗୋଳାଇ ଦିଆଯାଏ  ।

ବିହନ ବୁଣିବା ପ୍ରଣାଳୀ :

ମୌସୁମୀ ବାୟୁ ଦ୍ଵାରା ବର୍ଷା ନହେଉଣୁ ସୋୟାବିନ ବିହନ ବୁଣାଯାଏ  । ଅର୍ଥାତ୍ ଜୁନ ପ୍ରଥମ ସପ୍ତାହରେ ବୁଣିଲେ ଭଲ ଡେରିରେ ବିହନ ବୁଣିଲେ ଭଲ ଗଜା ହୁଏନି  । ଏଣୁ ବର୍ଗମିଟର ପିଛା ଗଛସଂଖ୍ୟା କମିଯାଏ  । ସୋୟାବିନ ବୁଣିବା ସମୟରେ ଜମିରେ ଯଥେଷ୍ଟ ଜଳୀୟ ଅଂଶ ରହିବା ଉଚିତ  । କାରଣ ଗଜାଗୁଡିକ ଜଳାଭାବ ସହ୍ୟ କରିପାରନ୍ତି ନାହିଁ   ।

ମଞ୍ଜି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ହେଉ ବା ଲଙ୍ଗଳ ସିଆର ପଛରେ ହେଉ ଧାଡିରେ ବୁଣିବା ଉଚିତ  । ଧାଡିକୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନ ରହିବା ଉଚିତ୍  । ବିହନକୁ ମାଟି ତଳେ ୩-୫ ସେ.ମି. ଗଭୀରରେ ପକାଇ ମାଟି ଘୋଡାଇ ଦେବା ଦରକାର  ।

ଜମି ପ୍ରସ୍ତୁତି :

ଜମି ପାଗିଥିବା ବେଳେ ଜମିକୁ ୩-୪ ଓଡ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଉଚିତ୍  । ଖରିଫ ଫସଲ ପାଇଁ ଜୁନ ମାସ ପ୍ରଥମ ସପ୍ତାହରେ ପ୍ରଥମ ମୌସୁମୀ ବର୍ଷା ପରେ ପରେ ଜମି ଚାଷ କରାଯାଏ  । ଶେଷଓଡ ଚାଷ ସମୟରେ ୫ ଟନ କମ୍ପୋଷ୍ଟ ବା ଗୋବର ଖତ ହେକ୍ଟର ପିଛା ପ୍ରୟୋଗ କରି ମାଟି ସହ ଭଲଭାବେ ମିଶାଇ ଦେବା ଉଚିତ୍  । ପ୍ରତି ତିନି ବର୍ଷରେ ଥରେ ଅମ୍ଳ ମୃତ୍ତିକାରେ ୨୫ ଟନ ହେକ୍ଟର ପିଛା ଚୂନ ବା କାଗଜ କଳ ମଇଳା ବିହନ ବୁଣିବାର ଏକମାସ ପୂର୍ବରୁ ଜମିରେ ପ୍ରୟୋଗ କରିବାକୁ ହେବ  ।

ସାର ପ୍ରୟୋଗ :

ମୃତ୍ତିକା ପରୀକ୍ଷା କରି ଜମିରେ ସାର ପ୍ରୟୋଗ କରିବା ଉଚିତ  । ଯଦି ମୃତ୍ତିକା ପରୀକ୍ଷା ହୋଇପାରିନି ତେବେ ଅନୁମୋଦିତ ସାର ପ୍ରୟୋଗ କଲେ ଅମଳ ଭଲ ମିଳେ  । ସୋୟାବିନ ପାଇଁ ନିମ୍ନଲିଖିତ ପରିମାଣ ଅନୁମୋଦିତ ସାର – କେଜି

ସାର ପରିମାଣ (କି.ଗ୍ରା) / ହେକ୍ଟର ପ୍ରତି

ଯବକ୍ଷାରଜାନ – 40 (N)

ଫସଫେଟ୍ – 30 (05)

ପଟାସ - 20 (O)

ତିନୋଟିଯାକ ସାର ଭଲଭାବେ ମିଶାଇ ଲଙ୍ଗଳସିଆରରେ ୫ରୁ ୭.୫ ସେ.ମି. ଗଭୀରରେ ପକାଇ ୧-୨ ସେ.ମି. ମାଟି ଘୋଡାଇ ଦେବା ଦରକାର  । ତାପରେ ବିହନ ବୁଣିବା ଉଚିତ  ।

ଅନ୍ତଃଚାଷ :

ବିହନ ବୁଣିବାର ୨ ସପ୍ତାହ ପରେ ଥରେ ଓ ୫ ସପ୍ତାହ ପରେ ଦ୍ଵିତୀୟଥର କୋଡାଖୁସା କରି ଘାସ ବାଛି ହୁଡାଟେକା ଦିଆଯାଏ  ।

ଜଳସେଚନ :

ଖରିଫ ଫସଲ ପାଇଁ ଜଳସେଚନ ଅନାବଶ୍ୟକ  । ଯଦି ବର୍ଷା ବହୁଦିନ ଧରି ଛାଡିଯାଏ ତେବେ ଛୁଇଁରେ ଦାନା ପୂରଣ ହେବା ସମୟରେ ଥରେ ଜଳସେଚନ କରିବା ଉଚିତ  । ଅତ୍ୟଧିକ ବର୍ଷା ହେଲେ – ବର୍ଷାପାଣି ନିଗିଡି ଯିବାର ସୁବନ୍ଦୋବସ୍ତ କରିବାକୁ ହେବ  । ଶୀତ ଓ ଗ୍ରୀଷ୍ମ ୨ ଋତୁରେ କରାଯାଉଥିବା ସୋୟାବିନ ଫସଲ ପାଇଁ ୫-୬ ଟି ଜଳସେଚନ ଆବଶ୍ୟକ ହୁଏ  ।

ଅମଳ :

ଶତକଡା ୯୦ ଭାଗ ଛୁଇଁ ପିଙ୍ଗଳ ବର୍ଣ୍ଣ ହୋଇଗଲେ ଏବଂ ଅଧିକାଂଶ ପତ୍ର ଗଛରୁ ଝଡିପଡିଲେ ସୋୟାବିନ ଅମଳ କରାଯାଏ  । ପାକଲା ହୋଇଗଲେ ଯଦି ଠିକ୍ ସମୟରେ ଅମଳ କରାନଯାଏ  । ତେବେ ଛୁଇଁ ଫାଟି ଝଡିପଡେ  । ଏଣୁ ମଞ୍ଜି ଝଡି ନ ପଡିବା କିସମ ବିହନ ବ୍ୟବହାର କରିବା ଉଚିତ  ଏବଂ ଠିକ୍ର ସମୟରେ ଅମଳ କରିବା ଭଲ  । ସୋୟାବିନ ଅମଳ କରି ଖରାରେ ୩-୪ ଦିନ ଶୁଖାଇ ଶତକଡା ୧୨ ଭାଗ ଜଳୀୟ ଅଂଶ ରହିବା ସମୟରେ ସାଇତି ରଖାଯାଏ  । ଡାଲି ଜାତୀୟ ଫସଲ ଅମଳ କରିବା ପରି ସୋୟାବିନ ମଧ୍ୟ ଅମଳ କରାଯାଏ  ।

ଆଦାୟ :

୧୦-୧୨ କୁଇଣ୍ଟାଲ ସୋୟାବିନ ମଞ୍ଜି ହେକ୍ଟର ପିଛା ଆଦାୟ ହୋଇଥାଏ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 6/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate