অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ଜାତୀୟ ଫସଲ(ବାଜରା ଚାଷ)

ଶସ୍ୟ ଜାତୀୟ ଫସଲ(ବାଜରା ଚାଷ)

ବାଜରା ଶୁଷ୍କାଞ୍ଚଳ ଚାଷୀମାନଙ୍କର ଏକ ମୁଖ୍ୟ ଖାଦ୍ୟଶସ୍ୟ  । ଏହା ଆଫ୍ରିକା ଓ ଏସିଆ ମହାଦେଶରେ ଚାଷ  କରାଯାଏ   । ଆଫ୍ରିକା ମହାଦେଶରେ ବାଲିଆ ବାଲିଆ ଓ ଶୁଷ୍କ ଜମିରେ ଯେଉଁଠାରେ ଜହ୍ନା ହୋଇପାରିବ ନାହିଁ  ସେଠାରେ ବାଜରା ହୁଏ   । ଏସିଆ ମହାଦେଶର ଭାରତ, ପାକିସ୍ଥାନ, ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆର ଏହା ଗୋଟିଏ ମୁଖ୍ୟ ଶସ୍ୟପ୍ରଦ ଫସଲ  । ବାଜରା ମରୁଡି ସହଣି ଫସଲ  । ଭାରତର ଏହା ଏକ ମୁଖ୍ୟ କ୍ଷୁଦ୍ରଶସ୍ୟ  । ଯେଉଁଭୂମିରେ ମାଣ୍ଡିଆ ଚାଷ କରାଯାଇପାରିବ ସେହି ଭୂମିରେ ବାଜରା ଚାଷ କରାଯାଏ  । ବାଜରାରେ ୧୧.୬% ପୁଷ୍ଟିସାର ୫% ସ୍ନେହସାର, ୬୭% ଶ୍ଵେତସାର ୨.୭% ଧାତବ ଲବଣ ଏବଂ ୧୨.୪% ଜଳୀୟଅଂଶ ଥାଏ  । ଭାତଭଳି ବାଜରାକୁ ରାନ୍ଧି ଖିଆଯାଏ   । ଏହାଛଡା ରୁଟି ମଧ୍ୟ ତିଆରି ହୁଏ  । ଏହା ଗୋ-ଖାଦ୍ୟ ରୂପେ ମଧ୍ୟ ବ୍ୟବହାର ହୁଏ   ।

ଉଦ୍ଭବ କେନ୍ଦ୍ର

ଅଧିକାଂଶ ବୈଜ୍ଞାନିକ ବିଶ୍ଵାସ କରନ୍ତି ଯେ ଆଫ୍ରିକା ମହାଦେଶ ହେଉଛି ଏହାର ମୁଖ୍ୟ ଉଦ୍ଭବ କେନ୍ଦ୍ର  । କାଳକ୍ରମେ ଆଫ୍ରିକା ମହାଦେଶରୁ ଭାରତକୁ ଏହା ବ୍ୟାପିଛି   ।

ବିସ୍ତୃତି :

ବାଜରା ଉଷ୍ଣମଣ୍ଡଳୀୟ  ଜଳବାୟୁରେ ଚାଷ କରାଯାଏ   । ଭାରତ, ଚୀନ୍, ନାଇଜେରିଆ, ପାକିସ୍ଥାନ, ସୁଦାନ, ମିଶର ଓ ସାଉଦି  ଆରବରେ ବାଜରା ଚାଷ ହୁଏ  । କମ୍ ବର୍ଷା ହେଉଥିବା ନିରସ ଜମିରେ ବାଜରା ଫସଲ କରାଯାଏ   । ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ ଓ ହରିଆଣାରେ ପ୍ରାୟ ମୋଟ ବାଜରା ଜମିରେ ୮୭% ଚାଷ ହୋଇଥାଏ  । ମୋଟ ଉତ୍ପାଦନର ୭୩% ଭାଗ ବାଜରା ଉତ୍ତରପ୍ରଦେଶ, ହରିଆଣା, ଗୁଜୁରାଟ ଓ ରାଜସ୍ଥାନରୁ ମିଳେ   ।

ଉଦ୍ଭିଦ ବର୍ଣ୍ଣନ

ବଂଶ – ତୃଣ ବଂଶ – ପୋଏସି  । ବାଜରା ଲମ୍ବା, ପିଲ ଦେଉଥିବା ବର୍ଷିକିଆ ଉଦ୍ଭିଦ  । ଏହା ୧-୩ ମିଟର ପର୍ଯ୍ୟନ୍ତ ଉଚ୍ଚା ହୁଏ  ।

ମୂଳତନ୍ତ୍ର

ଗୁଚ୍ଛମୂଳ – ଜାତୀୟ  । ପ୍ରଧାନ ମୂଳ – ବୀଜରୁ ବାହାର ମାଟି ଭିତରକୁ ଭେଦ କରିଥାଏ  । ପ୍ରଧାନ ମୂଳରୁ ଅନେକ ପାର୍ଶ୍ଵୀୟମୂଳ ବାହାରିଥାଏ   । ଚାରା ତିନିପତ୍ର ଦେବା ସମୟରେ ପ୍ରଥମ ଗଣ୍ଠି  ଯାହାକି ମୃତ୍ତିକା ସ୍ତରରେ ଥାଏ – ସେଥିରୁ ଦ୍ଵିତୀୟ ପର୍ଯ୍ୟାୟ ମୂଳ କଳିକାରୁ  ବାହାରେ, ଭୁପୃଷ୍ଠରୁ ଉପରେ ଥିବା ଦ୍ଵିତୀୟ ଓ ତୃତୀୟ ଗଣ୍ଠିରୁ  ମଧ୍ୟ ମୂଳ ବାହାରେ, ଏହାର ମୁଖ୍ୟ କାର୍ଯ୍ୟ ହେଲା ଗଛକୁ ମାଟିରେ ଶାକ୍ତ ଭାବେ ଧରି ରଖିବା  । ଏହାକୁ ବାୟବୀୟ ମୂଳ କୁହାଯାଏ   । ବାଜରାରେ ବଇଠି  ଗଣ୍ଠିରୁ ପିଲ ବାହାରିଥାଏ   ।

କାଣ୍ଡ :

ବାଜରା କାଣ୍ଡ ସ୍ତମ୍ଭାକାର, ନିଦା, ପ୍ରାୟ ୨.୫ ସେ.ମି. ମୋଟା ଏବଂ ଏବଂ କାଣ୍ଡର ପ୍ରସ୍ଥଚ୍ଛେଦ ଗୋଲାକାର ବା ଅଣ୍ଡାକାର ଅଟେ   । ଅନେକ ସମୟରେ କାଣ୍ଡରୁ ଉଭୟ ପ୍ରାଥମିକ ଓ ପରବର୍ତ୍ତୀ ଶାଖା ବାହାରିଥାଏ   । ଉପର ପବଗୁଡିକ ତଳ ପବ ଠାରୁ ଅଧିକ ଲମ୍ବା  । ପତ୍ର ଆଚ୍ଛାଦ ଦ୍ଵାରା ତଳ ପବଗୁଡିକ ସମ୍ପୂର୍ଣ୍ଣଭାବେ ଆଚ୍ଛାଦିତ ଥିବା ବେଳେ ଉପର ପବଗୁଡିକ ଅଳ୍ପ ଆଚ୍ଛାଦିତ ହୋଇଥାଏ  । ପ୍ରତିଗଣ୍ଠି  ଖାଲୁଆ ହୋଇଥାଏ  ଏବଂ ସେଥିରେ କକ୍ଷମୁକୁଳ ଥାଏ  । ସବା ଉପର ଗଣ୍ଠିରେ କକ୍ଷମୁକୁଳ ପରିବର୍ତ୍ତେ ପୁଷ୍ପଦଣ୍ଡ ବାହାରେ   ।

ପତ୍ର :

ବାଜରାର ପାତ୍ର ଲମ୍ବା ଓସାରିଆ, ଶାକ୍ତ ଏବଂ ମୋଟା  । ମଧ୍ୟ ଶିରା ପତ୍ରକୁ  ଠାଆକରି  ରଖେ   । ପ୍ରତି ଗଣ୍ଠିରୁ ପତ୍ର ଗୋଟିଏ ଅନ୍ୟର ବିପରୀତ ଦିଗରେ ବାହାରେ   । ପ୍ରତ୍ୟକ ପତ୍ରର ଫଳକ ଓ ପତ୍ରାଚ୍ଛାଦ  ଥାଏ   । ଫଳକର ମୂଳରେ ଛୋଟ କଣ୍ଠ ଥାଏ  । ଜିହ୍ଵିକା  ଛୋଟ ପତଳା ଏବଂ ଲୋମଶ  । ଫଳକ ଚଟକା, ବାର୍ଚ୍ଛାକାର, ଲମ୍ବା ଏବଂ ତୀକ୍ଷଣ  । ଫଳକର ଉଭୟ ପାର୍ଶ୍ଵ ଲୋମଶ, ପତ୍ର ସଂଯୋଜନା ଫଳକକ ପତ୍ରାଚ୍ଛାଦ ସହ ସଂଯୋଗ କରିଥାଏ   ।

ସ୍ତବକ –

ବାଜରା ସ୍ତବକ ସ୍ତମ୍ଭାକାର – ଶୂକୀ ଯେଉଁଥିରେ  ଶୂକିକା  ଖୁନ୍ଦି ହୋଇଥାଏ   । ଗୋଟିଏ ଗୋଟିଏ ଶୂକୀରେ ୮୦୦-୩୦୦୦ ଶୂକିକା ଥାଏ   । ଶୂକୀର ଲମ୍ବ ୧୫-୬୦ ସେ.ମି. ହୋଇଥାଏ  । ଶୂକିକା ଗୁଡିକ ଯୋଡା ଯୋଡା ହୋଇଥାନ୍ତି  । ପ୍ରତ୍ୟକ ଶୂକିକାରେ ଦୁଇଟି ତଷୁ ଓ ଦୁଇଟି ଫୁଲ ଥାଏ  । ତଳ ଫୁଲଟି ସାଧାରଣତଃ ପୁରୁଷଫୁଲ ଏବଂ ଉପର ଫୁଲଟି ଉଭୟ ଲିଙ୍ଗୀ ସମ୍ପନ୍ନ  । ପ୍ରକୃତି ଯୋଗୁଁ ସଂକରଣ ବା ପରପରାଗଣ  ହୋଇଥାଏ   ।

ଧାନ୍ୟାକୃତି ବୀଜ :

ସ୍ତବକ ପ୍ରଥମେ ଦେଖାଯିବାର ୭-୮ ଦିନ ଭିତରେ ଡିମ୍ବକୋଷ ବଢିବାକୁ ଆରମ୍ଭ କରେ ଏବଂ ଆଉ ଏକ ସପ୍ତାହ ଭିତରେ ତୁଷ ବାହାରକୁ ଦେଖାଯାଏ   । ପ୍ରଥମେ ରସାଳ ଏବଂ କ୍ଷୀର ଖାଇ ପରେ ନରମ ହୋଇଯାଏ  । ତା’ପର ସପ୍ତାହରେ ଶସ୍ୟ ବଢେ ଏବଂ ଚତୁର୍ଥ ସପ୍ତାହରେ ପରିପକ୍ଵ  ହୁଏ   । ଶସ୍ୟ ଧାନ୍ୟାକୃତି ଓ ଅଣ୍ଡାକାର,  ଗୋଟିଏ ମୁଣ୍ଡ ଗୋଜିଆ, ମଞ୍ଜିଟି ୩-୪ ମିଲିମିଟର ଲମ୍ବା ଓ ୨-୨.୫ ମିଲିମିଟର  ଚଉଡା ହୋଇଥାଏ  । ଏହାର ରଙ୍ଗ – ଶ୍ଵେତ – ହଳଦିଆରୁ ପାଉଁସିଆ ହୋଇଥାଏ ଭ୍ରୁଣ ନାଲିଆ ହୋଇଥାଏ   ।

ଋତୁ ଓ ଜଳବାୟୁ

ବାଜରା ଉଷ୍ଣପାଗୀ ଫସଲ  । ଏହି ଫସଲ ବାର୍ଷିକ ୪୦ – ୭୫ ସେ.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇ ପାରିବ  । ଏହାର ମରୁଡି ସହଣି ଶକ୍ତି ଅଛି   । ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଆର୍ଦ୍ର ପାଗ ଉପଯୋଗୀ  । ଅଳ୍ପ ବର୍ଷା ଓ ଉଜ୍ଵଳ ସୂର୍ଯ୍ୟାଲୋକ ମିଳୁଥିବା ଅଞ୍ଚଳରେ ବାଜରା ଫସଲରୁ ଚାଷୀମାନେ ସର୍ବାଧିକ ଅମଳ ପାଇଥାନ୍ତି  । ପ୍ରତିକୂଳ ପରିବେଶ ସମ୍ଭାଳିବା  ଶକ୍ତି ଜହ୍ନା ଠାରୁ ବାଜରାର ଅଧିକ  । ସାଧାରଣତଃ ଅଧିକ ତାପ ଓ ସ୍ୱଳ୍ପ ବୃଷ୍ଟିପାତ, ଯେଉଁ ଅଞ୍ଚଳ ଜହ୍ନାପାଇଁ ଅନୁପଯୁକ୍ତ ସେଠାରେ ବାଜରା ଚାଷ କରାଯାଏ   । ଉତ୍ତର ଭାରତରେ ଖରିଫ ଫସଲ ଏବଂ ଯେଉଁଠାରେ ଜଳସେଚନ ସୁବିଧା ଅଛି ସେହିପରି ସ୍ଥାନ ଯଥା – ତାମିଲନାଡୁ, କର୍ଣ୍ଣାଟକ ଏବଂ ପଞ୍ଜାବରେ ଖରାଟିଆ ଫସଲ ରୂପେ ଚାଷ କରାଯାଏ   । C - C  ଉତ୍ତାପ ବାଜରା ଫସଲ ପାଇଁ ଉପଯୁକ୍ତ   ।

ମୃତ୍ତିକା :

ବାଜରା ବିଭିନ୍ନ ପ୍ରକାର ମୃତ୍ତିକାରେ ଚାଷ ହୋଇପାରିବ  । କିନ୍ତୁ ଏହା ଜଳାନୁବୋଧତା ସହିପାରେ ନାହିଁ  । ନିଗିଡା ଦୋରସା ମାଟିରେ ଭଲହୁଏ   । ବାଜରା – ଅମ୍ଳ ମୃତ୍ତିକାରେ ଭଲହୁଏନି  । ଏହା କୃଷ୍ଣ କାର୍ପାସମୃତ୍ତିକା, ଆଲୁଭିୟାଲମୃତ୍ତିକା ଓ ନାଲି ମୃତ୍ତିକାରେ ଚାଷ କରାଯାଏ   ।

କିସମ :

ଦେଶୀ ବାଜରା ଅଧିକ ଉଚ୍ଛା ବଢେ, ବିଳମ୍ବରେ ପାଚେ ଓ କମ୍ ଅମଳ ହୁଏ  । ୧୯୬୩ ମସିହାରୁ କେତୋଟି ଅଧିକ ଅମଳକ୍ଷମା ଶଙ୍କର ବାଜରା ଓ କମ୍ପୋଜିଟ ବାଜରା କିସମ ବାହାର କରାଯାଇଛି  । ନିମ୍ନରେ ସେଗୁଡିକର ଗୁଣାବଳୀ ପ୍ରଦତ୍ତ ହେଲା         

ଶଙ୍କର କିସମ

ଅମଳ ହେବା ସମୟ (ଦିନ)

(HB- 1) ଏଚ୍:ବି – 1

75-85

(HB-2) ଏଚ୍:ବି – 2

70-80

(HB- 3) ଏଚ୍:ବି – 3

80

(HB- 4) ଏଚ୍:ବି- 4

90-95

(HB- 5) ଏଚ୍:ବି - 5

90

କମ୍ପୋଜିଟ କିସମ

ପି:ଏସ୍:ଭି ୮ (PSV8)

82

ଡାଳୁ ସି:sଇ – 75

90

ପି:ଏସ୍:ଭି – 15

95

ଜମି ପ୍ରସ୍ତୁତି :

ବାଜରା ଫସଲ ଗୁଣ୍ଡ ଚାଷ ଦରକାର କରେ  । ଅତିକମ୍ ରେ ୧୫ ସେ.ମି.ଗଭୀର ଚାଷ ହେବା ଦରକାର   । ମାଟି ଲେଉଟାଉଥିବା ଯୋଡାପତ୍ର ଲଙ୍ଗଳରେ ପ୍ରଥମ ଓଡ ହଳ କରି ଦେଶୀ ଲଙ୍ଗଳରେ ଆଉ ଦୁଇତିନି ଓଡ ହଳ କରି ଦେଲେ ଆବଶ୍ୟକ ଗୁଣ୍ଡ ଚାଷ ହେବ  । ତାପରେ ମଇ ଦେଇ ଜମିକୁ ସମତୁଲ କରିବା ଦରକାର  । ଯେପରି ବର୍ଷାପାଣି ସହଜରେ ନିଗିଡିଯିବ  । ଜମି ପ୍ରସ୍ତୁତି ସମୟରେ ଆବଶ୍ୟକ ଖତ ଶେଷ ଓଡ ଚାଷ କରିବା ସମୟରେ ମିଶାଇ ଦେବା ଉଚିତ୍  ।

ବିହନ ବିଶୋଧନ ଓ ବୁଣିବା ପଦ୍ଧତି :

ମଞ୍ଜି ଜନିତ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଏକ କି.ଗ୍ରା. ବିହନ ପିଛା ୨.୫ ଗ୍ରାମ ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବା ଦରକାର, ବାଜରା ମୁଖ୍ୟତଃ ଗୋଟିଏ, ବର୍ଷାଦିନିଆ ଫସଲ  । ଜଳସେଚନ ସୁବିଧା ଥିଲେ ଶୀତ ଓ ଗ୍ରୀଷ୍ମ ଋତୁରେ  ବାଜରା ଚାଷ କରାଯାଇପାରିବ  । ବର୍ଷାଦିନିଆ ଫସଲକୁ ଜୁନ ମାସରେ, ଶୀତ ଦିନିଆ ଫସଲକୁ ଅକ୍ଟୋବର ମାସରେ, ଏବଂ ଖରାଦିନିଆ ଫସଲକୁ ଫେବୃୟାରୀ ମାସରେ ବୁଣିବା ଉଚିତ୍  । ଡେରିରେ ଲଗାଇଲେ ଅଧିକ ରୋଗପୋକ ଲାଗନ୍ତି   । ଗଛ ଭଲ ବଢିପାରେ  ନାହିଁ   । ଦାନା ଓ ଅମଳ କମିଯାଏ   । ୪-୫ କି.ଗ୍ରା. ବିହନ ଏକ ହେକ୍ଟର ଜମିପାଇଁ ଯଥେଷ୍ଟ  । ଏଥିପାଇଁ ୪୫ X ୧୦- ୧୨ ସେ.ମି.  ରହିବା ଆବଶ୍ୟକ   । ମଞ୍ଜି ୨-୩ ସେଣ୍ଟିମିଟର ଗଭୀରରେ ବୁଣିବା ଦରକାର   । ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣିଲେ ଭଲ   । ନଚେତ୍ ଗୋଜି ଲଙ୍ଗଳ ସିଆର ପଛରେ ମଞ୍ଜି ପକାଇବା ଦରକାର   । ପ୍ରଥମେ ସିଆରରେ ସାରା ପକାଇ ମାଟି ଘୋଡାଇ ମଞ୍ଜିକୁ ଉପରେ ବୁଣି ମାଟି ଘୋଡାଇ ଦେବା ଉଚିତ୍  ।

ତଳି ରୁଆ :

ମୌସୁମୀ ବର୍ଷା ଠିକ୍ ସମୟରେ ନ ହେଲେ, ଡେରିରେ ବର୍ଷାହେଲେ ବା ଅନ୍ୟ ଅଉନସି କାରଣ ଯୋଗୁଁ ବିହନ ବୁଣିବା ଡେରିହେଲେ, ହେକ୍ଟର ପ୍ରତି ୩ କି.ଗ୍ରା. ବିହନ ୫୦୦- ୬୦୦ ବର୍ଗମିଟର ଜମିରେ ତଳି ପକାଇ ୩ ସପ୍ତାହ ପରେ ଚାରା ଉପାଡି ରୁଆଯାଏ   । ୫୦X୧୦୦ ସେ.ମି. ବ୍ୟବଧାନରେ ଗୋଟିଏ ଗୋଟିଏ ଗଛ ବର୍ଷା ହେଉଥିବା ସମୟରେ ରୁଆଯାଏ   । ଜୁଲାଇ ତୃତୀୟ ସପ୍ତାହରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହ ଭିତରେ ରୋଇଲେ ଭଲ ଅମଳ ମିଳିଥାଏ   । ତଳିଘେରାରେ ୧୦ ସେ.ମି. ଛାଡି ସିଆର କରି ୧.୫ ସେ.ମି. ଗଭୀରରେ ମଞ୍ଜି ବୁଣାଯାଏ   । ଭଲ ତଳି ଉତାରିବା ପାଇଁ ୨୫ – ୩୦ କି.ଗ୍ରା. ସି:ଏ:ଏନ୍ ସାର ମଞ୍ଜି ବୁଣିବା ପୂର୍ବରୁ ମାଟିରେ ପ୍ରୟୋଗ କରାଯାଏ   ।

ଖତ ଓ ସାର ପ୍ରୟୋଗ :

ଚାଷ ସମୟରେ ହେକ୍ଟର ପିଛା ୧୦ ଗାଡି ପୁରୁଣା ଗୋବର ଖତ ସହ ୫% କୁନାଲଫସ୍ ଗୁଣ୍ଡ ୩୭ କି.ଗ୍ରା. ମିଶାଇ ମାଟିରେ ପ୍ରୟୋଗ କରି ଶେଷ ଓଡ ହଳ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ  । ହେକ୍ଟର ପିଛା ରାସାୟନିକ ସାର ଯବକ୍ଷାରଜାନ ୬୦ କି.ଗ୍ରା. ଫସଫରସ୍ ୩୦ କି.ଗ୍ରା. ଓ ପଟାସ୍ ୩୦ କି.ଗ୍ରା. ଆବଶ୍ୟକ   । ବିହନ ବୁଣିବା ସମୟରେ ସବୁତକ ଫସଫରସ୍, ପଟାସ୍ ଓ ଏକ ଚତୁର୍ଥାଂଶ ଯବକ୍ଷାରଜାନ ଦେଇ ମାଟିରେ ମିଶାଇ ଦିଆଯାଏ   । ୫୦% ଯବକ୍ଷାରଜାନ ୨-୩ ସପ୍ତାହ ମଧ୍ୟରେ ଓ ବାକି ଯବକ୍ଷାରଜାନ ୫-୬ ସପ୍ତାହ ମଧ୍ୟରେ ପ୍ରୟୋଗ କରାଯାଏ   ।

ଅନ୍ତଃଚାଷ :

ବୁଣିବାର ୨-୩ ସପ୍ତାହରେ ଥରେ ଓ ୫-୬ ସପ୍ତାହରେ ଆଉଥରେ ଏପରି ଦୁଇଥର କୋଡାଖୁସା ଓ ଘାସବଛା କରିବା ଆବଶ୍ୟକ   । ୨”ରୁ ଅଧିକ ଗଭୀର ଖୁସାଇବା ଅନୁଚିତ  । ବୀଜଗଜା ହେବା ପୂର୍ବରୁ ଆଟ୍ରାଜିନ ୦.୫ କି.ଗ୍ରା./ ହେକ୍ଟର ୮୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କଲେ ତୃଣକ ଦମନ ହୋଇପାରିବ  ଓ ଘାସବଛା ଖର୍ଚ୍ଚରୁ ରକ୍ଷାମିଳିବ   ।

ଜଳସେଚନ :

ପିଲ ହେବା ସମୟରେ ଓ ଫୁଲ ଧରିବା ସମୟରେ ଯଦି ବର୍ଷା ନ ହୁଏ, ତେବେ ଥରେ ବା ଦୁଇଥର ହାଲକା ଭାବେ ଜଳସେଚନ କରିବା ଦରକାର  । ମାଟି ସନ୍ତସନ୍ତିଆ ରହିଲେ ବାଜରା ଗଛ ମରିଯାଏ  । ଏଣୁ ବର୍ଷାଦିନେ ଅଧିକ ପାଣି ଗଡିଯିବା ପାଇଁ ନାଳି ରଖିବା ଆବଶ୍ୟକ   । ଶୀତଋତୁରେ ୧୫-୨୦ ଦିନ ବ୍ୟବଧାନରେ ପାଣି ମଡାଇବା ଆବଶ୍ୟକ  ।

ବାଜରା କଟା ଓ ଅମଳ :

ବାଜରା ୩-୪ ମାସରେ କଟାଯାଏ   । ମଞ୍ଜିଟାଣ ହୋଇଗଲେ ୨୦% ଜଳୀୟ ଅଂଶ ଥିବା ସମୟରେ ବାଜରା କଟାଯାଏ   । ବାଜରା ଶିଂଷା ଦାଆରେ କାଟି ଅଖା ବା ଟୋକେଇରେ ଭରି  ଖଳାକୁ ନିଆଯାଏ  । ଖଳାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ  । ଗୁଣ୍ଡ ପାଳକୁ  ପବନରେ ଉଡାଇ ବା କୁଲାରେ ପାଛୋଡି ମଞ୍ଜି ଅଲଗା କରାଯାଏ   । ତାପରେ ବାଜରାକୁ ଖରାରେ ଶୁଖାଇ ୧୨-୧୪% ଜଳୀୟ ଅଂଶ ରଖି ସାଇତି ରଖାଯାଏ   ।

ବୈଜ୍ଞାନିକ ପ୍ରଣାଳୀରେ ବାଜରା ଚାଷ କଲେ ଜଳସେଚିତ ବାଜରାରୁ ହେକ୍ଟର ପିଛା ୩୦-୩୫ କୁଇଣ୍ଟାଲ ବାଜରା ଏବଂ ୧୦୦ କୁଇଣ୍ଟାଲ ବାଜରା କଡକୀ ମିଳିଥାଏ  ଏବଂ ବର୍ଷାଧାର ଫସଲରୁ ୧୨-୧୫ କୁଇଣ୍ଟାଲ ମଞ୍ଜି ଏବଂ ୭୦-୭୫ କୁଇଣ୍ଟାଲ ଶୁଖିଲା କଡକୀ ମିଳିଥାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 4/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate