অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ଜାତୀୟ ଫସଲ(ଗହମଚାଷ)

ଗହମ ପୃଥିବୀର ଅନେକ  ଦେଶରେ ବହୁଳଭାବେ ଚାଷ କରାଯାଉଥିବା ଗୋଟିଏ ମୁଖ୍ୟ ଶସ୍ୟଜାତୀୟ ଶୀତଦିନିଆ ଫସଲ   । ଏହା ଏକ ଶ୍ଵେତସାର ଜାତୀୟ ଖାଦ୍ୟ ଫସଲ  । ଏଥିରେ ମଣ୍ଡଦ ନାମକ ଶ୍ଵେତସାର ବହୁପରିମାଣରେ ରହିଛି । ଗହମରୁ  ଅଟା, ମଇଦା ଓ ସୁଜି ପ୍ରସ୍ତୁତ ହୋଇଥାଏ   । ଯେଉଁ ଅଞ୍ଚଳର ଲୋକମାନଙ୍କର ମୁଖ୍ୟଖାଦ୍ୟ ଗହମ ସେଠାରେ ଗହମରୁ ରୁଟି, ତନ୍ଦୁର, ପୁରି  ଉପମା, ହାଲୁଆ, ବିସ୍କୁଟ ଇତ୍ୟାଦି ବହୁପ୍ରକାର ଖାଦ୍ୟ ତିଆରି କରିଥାନ୍ତି   । ଅନ୍ୟାନ୍ୟ ଶ୍ଵେତସାର ଖାଦ୍ୟ ସାମଗ୍ରୀ ତୁଳନାରେ ଗହମରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟରେ ଭିଟାମିନ୍ ‘ବି’ ଥୟାମିନ୍  ଭିଟାମିନ୍ ‘ବି’, ନିଆସିନ୍ ଅଧିକ ଥାଏ  । ଗହମରେ ପୁଷ୍ଟିସାର ବେଶି ଥାଏ ଏବଂ ଗ୍ଳୁଟିନ୍  ନାମକ ଏକ ପଦାର୍ଥ ଏଥିରେ ଥିବାରୁ ରୁଟି କଲେ ଭଲ ଫୁଲେ   । ପ୍ରତି ୧୦୦ ଗ୍ରାମ୍  ଗହମରୁ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟରେ ଶ୍ଵେତସାର ୭୧.୨ ଗ୍ରାମ୍  ସ୍ନେହସାର ୧.୫ ଗ୍ରାମ୍, ପୁଷ୍ଟିସାର ୧୧.୮ ଗ୍ରାମ୍, କାଲସିୟମ ୪୧ ମିଲିଗ୍ରାମ୍, ଲୌହ ୪.୯ ମିଲିଗ୍ରାମ୍ , ଭିଟାମିନ୍ ‘କ’ ୧୭ ମାଇକ୍ରୋଗ୍ରାମ୍, ଭିଟାମିନ୍ ‘ଖ’ ୦.୪୫ ମିଲିଗ୍ରାମ୍ ରହିଛି   । ଏଥିରୁ ୩୪୬ କି.ଗା. କ୍ୟାଲୋରୀ ଶକ୍ତି ମିଳିଥାଏ   ।

ଉଦ୍ଭବ କେନ୍ଦ୍ର

ଦକ୍ଷିଣ ପଶ୍ଚିମ ଏସିଆ ଏହାର ଉଦ୍ଭବ ସ୍ଥଳ  । ଗହମ ପୃଥିବୀର ମୁଖ୍ୟ ଖାଦ୍ୟ ଶସ୍ୟ ଭାରତରେ ଗହମ ଦ୍ଵିତୀୟ ମୁଖ୍ୟ ଖାଦ୍ୟଶସ୍ୟ  । ବିଶ୍ଵାସ କରାଯାଏ ଜେ ଆର୍ଯ୍ୟମାନେ ପ୍ରଥମେ ଆମ ଦେଶକୁ ଗହମ ଫସଲ ଆଣିଥିଲେ  । ଗହମ ଏହାର ଉଦ୍ଭବ ସ୍ଥାନରୁ ସାରା ବିଶ୍ଵର ବିଭିନ୍ନ ସ୍ଥାନକୁ କାଳକ୍ରମେ ବିସ୍ତାରିତ ହୋଇଛି  ।

ହେକ୍ଟର ପିଛା ଅଧିକ ଉତ୍ପାଦନ  ଦୃଷ୍ଟିରୁ ପ୍ରଥମେ – ୟୁ.କେ. ଏବଂ ଦ୍ଵିତୀୟ ଜର୍ମାନୀ ଦେଶ ଅଟେ   ।

ଭାରତରେ କ୍ଷେତ୍ରଫଳ ଦୃଷ୍ଟିରୁ ପ୍ରଥମ – ଉତ୍ତର ପ୍ରଦେଶ, ଦ୍ଵିତୀୟ – ମଧ୍ୟ ପ୍ରଦେଶ, ତୃତୀୟ – ପଞ୍ଜାବ, ଚତୁର୍ଥ – ବିହାର  ।

ଭାରତରେ ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର ଆଦି ମୁଖ୍ୟ ଗହମ ଉତ୍ପାଦନ ରାଜ୍ୟ ଅଟନ୍ତି   ।

ଜଳବାୟୁ :

ଗହମ ଶୀତଦିନିଆ ଫସଲ  । ଏହା ସାଧାରଣତଃ ମାର୍ଗଶୀର ମାସରେ ବୁଣାଯାଏ ଏବଂ ଚୈତ – ବୈଶାଖ ମାସରେ ଅମଳ କରାଯାଏ  ଗହମ ଫସଲ ପାଇଁ ଜଳସେଚନ ଦରକାର   । ୨୦ –C ସେ ତାପମାନ ଏଥିପାଇଁ ଉପଯୁକ୍ତ  । ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ ଓ ବିହାରରେ ଅଧିକ ଶୀତ ପଡୁଥିବାରୁ ଓ ବେଶୀ ଦିନ ଶୀତ ଲାଗି ରହୁଥିବାରୁ ସେ ସବୁ ରାଜ୍ୟ ଗହମ ଚାଷ ପାଇଁ ବିଶେଷ ଅନୁକୂଳ   ।

ତାପମାନ :

ଗହମ ଗଜା ହେବା ପାଇଁ C -  C  ପିଲ ହେବା ପାଇଁ C କ୍ଷୀର ଢୋକିବା ପାଇଁ  - C ଦରକାର   । ଉତ୍ତାପ ଅଧିକ ହେଲେ ପିଲ ଭଲ ହୁଏନି, ଅଙ୍ଗାର ଆତ୍ମିକରଣ ଦକ୍ଷତା କମିଯାଏ, ଅଙ୍ଗୀୟ ବୃଦ୍ଧି ଭଲ ହୁଏ ନାହିନ  ଓ ଶୀଘ୍ର ଜନନ କ୍ଷମ ଅବସ୍ଥାକୁ ଆସିଯିବା ଫଳରେ ଦାନା ଭଲ ହୁଏ  ନାହିଁ  । ଗହମ ଫସଲ ଥଣ୍ଡା ଓ ଆର୍ଦ୍ର  ବାୟୁମଣ୍ଡଳ ଆବଶ୍ୟକ କରେ   । ଫୁଲ ଉଡାଇବା ପରେ କ୍ଷୀର ଢୋକିବା ସମୟରେ ରାତ୍ରି ତାପମାନ ଅଧିକ ନ ହେବା ଦରକାର   । ତାପମାନ ଅଧିକ ହେଲେ ଗଛର ଶ୍ଵାସ ପ୍ରଶ୍ଵାସ ପ୍ରକ୍ରିୟା ବଢେ   । ଦିନରେ ଯାହା ଶ୍ଵେତସାର ପ୍ରସ୍ତୁତ ହୋଇଥାଏ, ରାତ୍ରିରେ ତାହା ଖର୍ଚ୍ଚ ହୋଇଯାଏ  । ପତ୍ରରୁ ଗହମଦାନାକୁ ଶ୍ଵେତସାର ଯାଏ ନାହିଁ   । ଗହମ ଚେମେଟା ଓ କଣ୍ଠାଳିଆ ହୋଇଯାଏ, ଫଳରେ ଅମଳ କମିଯାଏ   । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଗହମ ନଭେମ୍ବର ୨୦ ତାରିଖ ପୂର୍ବରୁ  ବୁଣିବା ଦରକାର, ଏହାପରେ ବୁଣିଲେ ଗହମ ଅମଳ କମିଯାଏ   ।

ଓଡିଶାରେ ଗହମ ଉତ୍ପାଦନ

ଗହମ ଚାଷରେ ଧାନଚାଷ ଅପେକ୍ଷା କମ୍ ଖର୍ଚ୍ଚ ହୁଏ   । ଗହମ ଚାଷ ସହଜ ଏହି ଫସଲ ଅଳ୍ପଜଳ ଦରକାର କରେ   । ଏକ ଏକର ଧାନଚାଷ ପାଇଁ ଯେତେ ପାଣି ଦରକାର ହୁଏ, ସେଥିରେ ୩-୪ ଏକର ଗହମ ଚାଷ କରାଯାଇପାରେ   । ଏଥିରେ କମ୍ ରୋଗ ଓ ପୋକ ଲାଗନ୍ତି ଏବଂ ଧାନ ଅପେକ୍ଷା ଏହା ଅଧିକ ପୁଷ୍ଟିକର   ।

ଓଡିଶାର ଗହମ ଉତ୍ପାଦନ :

ଓଡିଶା ରାଜ୍ୟରୁ ପ୍ରାୟ 1 ଲକ୍ଷ  ଟନ୍ ଗହମ ଉତ୍ପାଦନ ହେଉଛି   । ଗହମ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ, ଆହୁରି ବ୍ୟାପକ ଭାବେ ଗହମ ଚାଷ କରିବାକୁ ହେବ   । ଓଡିଶାରେ କ୍ରମେ ଗହମ ଚାଷ ପ୍ରସାର ଲାଭ କରୁଛି   । ଉପକୂଳ ଅଞ୍ଚଳ ତୁଳନାରେ କେନ୍ଦ୍ରୀୟ ଉପତ୍ୟକା, ପୂର୍ବଘାଟ ପାର୍ବତ୍ୟ ଅଞ୍ଚଳ ଗହମ ଚାଷ ପାଇଁ ପ୍ରଶସ୍ତ   । ଉପକୂଳ ଅଞ୍ଚଳରେ ହେକ୍ଟର ପିଛା ଗହମ ଉତ୍ପାଦନ ୧୪ – ୧୫ କ୍ଵିଣ୍ଟାଲ ହେଉଥିବା ସ୍ଥଳେ ଏହା ଏସବୁ ଅଞ୍ଚଳରେ ୩୫ – ୪୦ କ୍ଵିଣ୍ଟାଲ ଅଟେ   । ଏଣୁ ଗହମ ଚାଷ ଆନ୍ତଃ ଜିଲ୍ଲାମାନଙ୍କରେ ସଘନ ଭାବେ ଗ୍ରହଣ କରାଯିବା ଉଚିତ୍  । ଠିକ୍ ସମୟରେ ବିହନ ବୁଣି, ଅନୁମୋଦିତ ଚାଷପ୍ରଣାଳୀ  ଅବଲମ୍ବନ କଲେ ଗହମ ଖୁବ୍  ଲାଭଜନକ  ଭାବେ ଚାଷ କରାଯାଇ ପାରିବ   । ଉଠା ଜଳସେଚନ ସ୍ଥାନମାନଙ୍କରେ, କୂଅ, ପୋଖରୀ ଓ କେନାଲ ତଳମୁଣ୍ଡରେ ଗହମ ଚାଷ କରାଯାଇପାରିବ   ।

ବିହନ

ଓଡିଶା ରାଜ୍ୟ ପରିବେଶ ଜଳବାୟୁ ପାଇଁ ଉପଯୁକ୍ତ ଗହମ କିସମ ସୋନାଲିକା, ଜନକ, ଉ.ପ, - ୨୬୨ (U.P - 262) ସାଗରିକା ଏବଂ ଉତ୍କଳିକା  । ସାଗରିକା ଓ ଉତ୍କଳିକା  । ଏକ ଜିନ୍ ବାଙ୍ଗରା ଏବଂ ଜନକ ଓ U.P. – 262 ଦୁଇଜିନ୍ ବାଙ୍ଗରା  । ସାଗରିକା (OW - 6) ଏବଂ ଉତ୍କଳିକା (OW – 80 - 3) ଓଡିଶା କୃଷି ଓ ବୈଷୟିକ  ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନେ ଓଡିଶା ପାଇଁ ସୃଷ୍ଟି କରିଛନ୍ତି  । ଏହି ଦୁଇଟି ବିହନ କିସମ ଓଡିଶାର ସ୍ୱଳ୍ପକାଳୀନ ଶୀତ ସମୟର ପରିବେଶ ପାଇଁ ବେଶ୍ ଉପଯୁକ୍ତ   । ବିହନ କିସମର ମୁଖ୍ୟ ଗୁଣାବଳୀ ନିମ୍ନରେ ପ୍ରଦତ୍ତ ହେଲା –

ସୋନାଲିକା :

ଏହି ଜାତିର ଗହମ ୧୦୦ – ୧୧୦  ଦିନ ମଧ୍ୟରେ ପାଚେ   । ଏହି ଗଛଗୁଡିକ ବିଶେଷ ଗେଡା ହୁଏ ନାହିଁ ଏବଂ ପିଲ ସଂଖ୍ୟା ସମାନ   । ଗଛର ଉଚ୍ଚତା ୧୦୫ ସେ.ମି. ପତ୍ର ଲମ୍ବାଳିଆ ଓ ରଙ୍ଗ ଫିକା, ସବୁଜ, ଗହମ ଚୋପାରେ ମାଟିଆ ରଙ୍ଗର ଦାଗ ଥାଏ   । ଏହାର ଦାନା ବଡ  । ଗଛ ଶୁଖିଗଲେ ମଧ୍ୟ ଗହମ ଝଡିପଡେ  ନାହିଁ   । ଏଥିରେ କଳଙ୍କି ରୋଗ ପ୍ରାୟ ଲାଗେ  ନାହିଁ   । ଏହା ଓଡିଶାର ଜଳବାୟୁରେ ହେକ୍ଟର ପିଛା ହାରାହାରି ଅମଳ ୩୭ – ୪୫ କ୍ଵିଣ୍ଟାଲ ଦେଇଥାଏ   ।

ଜନକ (HD ୧୯୮୨) :

ଏହି ଜାତିର ଗହମ ୧୦୫ – ୧୧୫ ଦିନରେ ଅମଳ ହୁଏ   । ଏହାର ପିଲ ଦେବା କ୍ଷମତା ସୋନାଲିକା ଅପେକ୍ଷା ଅଧିକ   । ଗଛର ଉଚ୍ଚତା ୯୫ ସେ.ମି. । ଏହାର ପତ୍ର ଫିକା ସବୁଜ ରଙ୍ଗର  । ଗହମର ରଙ୍ଗ ବାଦାମୀ, ବିଳମ୍ବରେ ବୁଣିବା ପାଇଁ ଏହି କିସମ ଭଲ  । ଏଥିରେ ୧୩.୯% ପୁଷ୍ଟିସାର ଅଛି   । ଏହାର କଳଙ୍କି ଓ ଟୀକା ରୋଗ ସହଣୀ ଶକ୍ତି ଅଛି   । ଏଥିରେ ଭଲ ରୁଟି ହୁଏ  । ଏହି କିସମ ହେକ୍ଟର ପିଛା ୪୦ କ୍ଵିଣ୍ଟାଲର ପର୍ଯ୍ୟନ୍ତ ଅମଳ ମିଳିଥାଏ   ।

ସାଗରିକା

ଏହି ଗହମ ବିହନର  ଉତ୍ତାପ ତାରତମ୍ୟ ସହଣୀ ଶକ୍ତି ଅଛି ଓ ଏହା କମ୍ ଥଣ୍ଡା ପଡୁଥିବା ଅଞ୍ଚଳରେ ଚାଷ ହୋଇପାରିବ   । ଗଛର ଉଚ୍ଚତା ୧୦୦ ସେ.ମି. ନଡା ଟାଣ, ଏଣୁ ଗହମ ଗଛ ଶୋଇପଡେ  ନାହିଁ   । ଡେରିରେ ବୁଣିଲେ ମଧ୍ୟ ଭଲ ଅମଳ ମିଳେ   । ୯୫ – ୧୦୫ ଦିନରେ ଅମଳ ହୁଏ   । ଏହି କିସମର ପତ୍ର ପୋଡା ରୋଗ ସହଣୀ ଶକ୍ତି କେତେକାଂଶରେ  ରହିଛି   । ଏହାର ଦାନା ମୋଟା ଓ ଧଳା  । ହେକ୍ଟର ପିଛା ୫୦ କ୍ଵିଣ୍ଟାଲ ଅମଳ ହୁଏ   ।

ଉତ୍କଳିକା :

କମ୍ ଥଣ୍ଡା ପଡୁଥିବା ଅଞ୍ଚଳରେ ଚାଷ ହୋଇପାରିବ  । ପତ୍ରପୋଡା  ରୋଗ ସହଣୀ ଶକ୍ତି କେତେକାଂଶରେ ରହିଛି  । ଏହା ୯୫ – ୧୦୫ ଦିନରେ ଅମଳ ହୁଏ  । ଦାନା ଧଳା ଓ ମୋଟା   । ଏହା ହେକ୍ଟର ପିଛା ୫୦ କ୍ଵିଣ୍ଟାଲ ଅମଳ ଦେଇପାରିବ   ।

ଉତ୍ତର ପ୍ରଦେଶ – 262 :

ଉଚ୍ଚତା ୯୦ ସେ.ମି.  । ପିଲ – ସାଧାରଣ ଭାବେ ଦିଏ  । ୧୦୦ – ୧୧୦ ଦିନ ମଧ୍ୟରେ ଅମଳ ହୁଏ  । ମଞ୍ଜି ଗାଢ ରଙ୍ଗର, ମୋଟା ଓ ଶକ୍ତି   ।

ଗହମ ଚାଷ ପାଇଁ ଉପଯୁକ୍ତ ମୃତ୍ତିକା :

ଗହମ ଚାଷ ପାଇଁ ଦୋରସା ମାଟିଥିବା ଉଚ୍ଚ ଓ ମଧ୍ୟମ ଜମି ଉପଯୁକ୍ତ   । ଲୁଣି ଏବଂ କ୍ଷାରୀ ମାଟିରେ  ଗହମ ଫସଲ ଭଲ ହୁଏ ନାହିଁ   । ପାଣି ରହୁଥିବା ବା ଜଳ ନିଷ୍କାସନର ସୁବିଧା ନଥିବା ଜମିରେ ଗହମ ଚାଷ କରିବା ଠିକ୍ ନୁହେଁ   ।

ବିହନ ବୁଣିବା ସମୟ :

କାର୍ତ୍ତିକ ଶେଷରୁ  ମାର୍ଗଶୀର ଅଧା ପର୍ଯ୍ୟନ୍ତ (ନଭେମ୍ବର ୩ୟ ସପ୍ତାହରୁ ଡିସେମ୍ବର ୨ୟ ସପ୍ତାହ) ସମୟ ଗହମ ବୁଣିବା ପାଇଁ ଉପଯୁକ୍ତ  । ଗହମ ଗଛ ଉଠିବାର ୧୦ – ୧୨ ଦିନ ପରେ ପିଲ ଦେବା ଆରମ୍ଭ ହୁଏ  । ତାପମାନ C  ରୁ କମ୍ ହେଲେ ପିଲ ସଂଖ୍ୟା ବେଶି ହୁଏ  । ଓଡିଶାରେ ଅଧିକ ଶୀତ ଡିସେମ୍ବର ୧୫ରୁ ଜାନୁଆରୀ୧୫ ତାରିଖ ପର୍ଯ୍ୟନ୍ତ ହୁଏ  । ଆନ୍ତଃ ଜିଲ୍ଲାମାନଙ୍କରେ ଶୀତ ସମୟ ବୃଦ୍ଧି  ପାଇଥାଏ  । ପ୍ରାୟ ପୌଷ ମାସ ଶେଷ (୨୦ – ୨୫ ତାରିଖ ଜାନୁଆରୀ) ପର୍ଯ୍ୟନ୍ତ ଶୀତ ରହେ   । ତେଣୁ ଆନ୍ତଃ ଜିଲ୍ଲା ମାନଙ୍କରେ ୧୫ ଦିନ ବିଳମ୍ବରେ ଏହା ବୁଣାଯାଇ ପାରିବ  ।

ଜମି ପ୍ରସ୍ତୁତ :

ବିହନ ବୁଣିବାର ୮-୧୦ ଦିନ ପୂର୍ବରୁ ଜମି ପ୍ରସ୍ତୁତ କରିବା ଦରକାର   । ମାଟିରେ ଯଦି ବତର ନଥାଏ  ତେବେ ପାଣି ମଡାଇ ବତର ଅବସ୍ଥାକୁ ଆଣି ହଲ କରିବା ଉଚିତ୍  । ଜମି ଚାଷ ସମୟରେ ପୂର୍ବ ଫସଲର ଚେର ଓ ମୂଳ ପ୍ରଭୃତି ବାହାର କରି ନିଆଁ ଲଗାଇ ଦେବା ଉଚିତ୍  । ୫ ଓ ୬ ଓଡ ଚାଷ କରି ମାଟିକୁ ଭଲଭାବେ ଗୁଣ୍ଡକରି ମାଈ ଦେଇ ଜମିକୁ ସମତୁଲ  କରାଯାଏ   । ଶେଷ ଓଡ ଚାଷ ସମୟରେ ହେକ୍ଟର ପ୍ରତି ୫ ଟନ୍  ସଢା ଗୋବର ଖତ, କମ୍ପୋଷ୍ଟ ଭଲଭାବେ ମିଶାଇ ଦେବା ଉଚିତ୍   । ଜମିରେ ଉଇ ନ ଲାଗିବା ପାଇଁ ୫% କୁଇନାଲ ଫସ୍  ଗୁଣ୍ଡ ୨୫ କି.ଗ୍ରା. ହେକ୍ଟର ପିଛା ଭଲଭାବରେ ଚାରିଆଡେ ବିଞ୍ଚିଦେଇ ମାଟିରେ ମିଶାଇ ଦେବା ଦରକାର   । ଶେଷ ଓଡ ଚାଷ ପୂର୍ବରୁ ଦରକାରୀ  ପରିମାଣ ମୂଳସାର  ମଧ୍ୟ ପ୍ରୟୋଗ ଆବଶ୍ୟକ   ।

ପଟି ତିଆରି :

ଗହମ ବୁଣିବା ପାଇଁ ପଟି ରିଆରି କରାଯାଏ   । ଜମି ବେଶି  ଗଡାଣିଆ ଥିଲେ ପଟି ମଝିରେ ସ୍ଥାନେ ସ୍ଥାନେ ଆଡି ହୁଡା ଦିଆଯାଏ   । ଏହା ଦ୍ଵାରା ପାଣି ମଡାଇବା ଓ ପାଣି ନିଷ୍କାସନ ସୁବିଧା ହେବ   । ପ୍ରତି ଦୁଇଟି ପଟି ମଝିରେ ଏକ ଫୁଟ ଚଉଡାର ଗୋଟିଏ ପାଣି ନାଳୀ ରଖିବା ଦରକାର   । ଫସଲରେ  ବେଶି ପାଣି ମଡାଇବା ଅନୁଚିତ୍  । ଆବଶ୍ୟକତା ଅନୁଯାୟୀ  ନିୟନ୍ତ୍ରିତ ଜଳସେଚନ କଲେ  ପାଣି ମଡାଇବା ଖର୍ଚ୍ଚ କମିବା ସଙ୍ଗେ  ସଙ୍ଗେ  ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ   ।

ବିହନ ପରିମାଣ :

ନଭେମ୍ବର ମାସ ଶେଷ ସୁଦ୍ଧା ବୁଣିଲେ ହେକ୍ଟର ପ୍ରତି ୧୧୦ – ୧୨୦ କି.ଗ୍ରା. ଓ ଡିସେମ୍ବର ଶେଷ ଆଡକୁ ବୁଣିଲେ ୧୫୦ କି.ଗ୍ରା. ବିହନ ଆବଶ୍ୟକ ହୁଏ   ।

ବିହନ ବିଶୋଧନ :

ବିଶୋଧିତ ବିହନ ବ୍ୟବହାର କଲେ ଅଳନ୍ଧୁ ରୋଗ, ପତ୍ରଚିତା ରୋଗ ଓ ପତ୍ରପୋଡା ରୋଗ ଆକ୍ରମଣରୁ ରକ୍ଷା ହେବ  । ଅଳନ୍ଧୁ ରୋଗର ନିରାକରଣ ପାଇଁ ବିହନକୁ ୫ – ୬ ଘଣ୍ଟା ପାଣିରେ ବୁଡାଇ ରଖିବା ପରେ ଛାଣି ପାଣି ନିଗାଦୀ ଖୁବ୍ ପତଳା ଭାବେ ୪-୫ ଘଣ୍ଟା ଟାଣ ଖରାରେ ଶୁଖାଇବା ଦରକାର  । ଅର୍ଥାତ୍  ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଶୁଖାଇବା ଆବଶ୍ୟକ   । ଏହା ପରେ ଏକ କି.ଗ୍ରା. ବିହନ ପିଛା ୨.୫ ଗ୍ରାମ୍  ଭିଟାଭାକସ୍ ବା ବାଭିଷ୍ଟିନ ଗୁଣ୍ଡ ଭଲହାବେ ଗୋଳାଇ ଦେବା ଉଚିତ୍  । କିନ୍ତୁ ଅନ୍ୟ ରୋଗ ପାଇଁ ପ୍ରତି କି.ଗ୍ରା. ବିହନ ସହିତ ୨-୩ ଗ୍ରାମ କ୍ୟାପଟାନ ବା ଥିରାମ କିମ୍ବା ଏସିମାନ ଭଲରୂପେ ଗୋଳାଇବା ଆବଶ୍ୟକ  । ବିହନ ବିଶୋଧନ ଦ୍ଵାରା ଅଳ୍ପ ଖର୍ଚ୍ଚରେ ବିହନରେ ଥିବା ରୋଗ ଜୀବାଣୁକୁ ନଷ୍ଟ କରାଯାଇପାରିବ  । ଏଣୁ ବିହନ  ବୁଣିବା ଆଗରୁ ବିଶୋଧନ କରିବା ନିହାତି ଦରକାର  ।

ବିହନ ବୁଣିବା ପ୍ରଣାଳୀ :

ଗହମ ଧାଡିରେ ବୁଣିଲେ କୋଡା ଖୁସା କରିବା ସହଜ ହୁଏ  । ଏବଂ ଜମିରେ ଠିକ୍ ସଂଖ୍ୟକ ଗଛ ରଖିବାରେ ସୁବିଧା ହୁଏ   । ଧାଡିକୁ ଧାଡି ୨୦ ସେ.ମି. ବ୍ୟବଧାନରେ ଓ ଧାଡିରେ ୪-୬ ସେ.ମି. ଛାଡି ଗଛ ରହିବା ଭଲ  । ଜମି ଉପରେ ୨-୩ ଇଞ୍ଚ ମାଟି ବତର ଥିବା ଅବସ୍ଥାରେ ବିହନକୁ ୫ ସେ.ମି.  ଗଭୀରରେ ବୁଣି ମଇ ଦେବା ଦରକାର   । ମଞ୍ଜିକୁ  ବେଶି ଗଭୀରରେ ବୁଣିରେ ଗଜା ମରଣା ହୁଏ   । ଡେରିରେ ଗଜା ବାହାରେ ଓ ଗଛ  ସବଳ ହୋଇ ବଢେନାହିଁ   । ଏଣୁ ଅମଳ କମିଯାଏ   । ଧାଡିବୁଣା ଯନ୍ତ୍ର ବା ଲଙ୍ଗଳ ସିଆରରେ ଗହମ ବୁଣାଯାଏ   । ପଟାଳି ଭିତରେ ସିଆର କାଟି ସିଆରରେ ୭-୧୦ ସେ.ମି. ତଳେ ସାର ଦେଇ ମାଟି ଘୋଡାଇ, ତା’ ଉପରେ ମଞ୍ଜି ବୁଣିଲେ ଅଧିକ ଉପକାର ମିଳେ   । ଧାଡିବୁଣା ଯନ୍ତ୍ର ସାହାଯ୍ୟରେ ସାର ଓ ତା’ଉପରେ ମଞ୍ଜି ବୁଣିଲେ ଅଧିକ ଉପକାର ମିଳେ   । ଧାଡିବୁଣା ଯନ୍ତ୍ର ସାହାଯ୍ୟରେ ସାର ଓ ବିହନ ବୁଣିଲେ, ଧାଡି ଧାଡି ମଧ୍ୟରେ ବ୍ୟବଧାନ ଠିକ୍ ରହେ ଓ ସାର ଓ ବିହନ ଠିକ୍ ଗଭୀରତାରେ ପଡେ   ।

ସାର ପ୍ରୟୋଗ :

ମାଟି ପରୀକ୍ଷା କରାଇ ଜମିରେ ସାର ପ୍ରୟୋଗ କରିବା ଉଚିତ୍  । ଯଦି ମାଟି ପରୀକ୍ଷା ହୋଇ ନ ଥାଏ  ତେବେ ଆଭ୍ୟନ୍ତରୀଣ  ଜିଲ୍ଲାମାନଙ୍କ ପାଇଁ ହେକ୍ଟର ପ୍ରତି ୫୦ କି.ଗ୍ରା. ଯବକ୍ଷାରଜାନ, ୫୦ କି.ଗ୍ରା. ଫସଫରସ୍ ଓ ୪୦ କି.ଗ୍ରା. ପଟାସ୍  ଖାଦ୍ୟସାର ପ୍ରୟୋଗ  କରାଯାଏ,  ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହେକ୍ଟର ପ୍ରତି ୬୦ କି.ଗ୍ରା.  ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୩୦ କି.ଗ୍ରା. ପଟାସ୍ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍  । ବିହନ ବୁଣିବା ପୂର୍ବରୁ ସବୁତକ ଫସଫରସ୍ ଓ ପଟାସ୍ ଖାଦ୍ୟସାର ସହିତ ଅଧା ଯବକ୍ଷାରଜାନକୁ ମିଶାଇ ସିଆରରେ ପ୍ରୟୋଗ କରିବା ଉଚିତ୍  । ତାପରେ ମାଟି ଘୋଡାଇ ଦେଇ ତା’ ଉପରେ ବିହନ ବୁଣିବା ଭଲ  । ନଚେତ୍  ସିଆରରେ ସାର ପ୍ରୟୋଗ ପରେ ତା’ କଡରେ  ବିହନ ବୁଣିବା ଦରକାର   । ଫସଲ ୧୮ – ୨୧ ଦିନ ବେଳକୁ କୋଡା ଖୁସା ଆଗରୁ ଆଉ ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରିବା ଦରକାର   । ସାରକୁ ଭଲ ଭାବେ ମାଟି ସହ ମିଶାଇ ଦେବା ଦରକାର  । ହାଲୁକା ଓ ବାଲିଆ ମାଟିରେ ଯବକ୍ଷାରଜାନ ସାରକୁ ୩ ଥରରେ ଦେବା ଭଲ   । ଅର୍ଥାତ୍ ବିହନ ବୁଣିବା ପୂର୍ବରୁ ଥରେ, ୧୫ – ୨୦ଦିନ ଭିତରେ ମୁକୁଟ ଚେର ବାହାରିବା ସମୟରେ  ଦ୍ଵିତୀୟଥର ଏବଂ ୩୫ ଦିନ ବେଳକୁ ୩ୟ ଥର ୫୦ + ୨୫ + ୨୫ ପ୍ରୟୋଗ ଆବଶ୍ୟକ   ।

ଅନ୍ତଃଚାଷ

ଗହମ ଗଜା ହେବାର ୧୨ – ୧୫ ଦିନ ଭିତରେ ଶିଖା ବା ମୁକୁଟ ଚେର ବାହାରେ  । ଏହି ସମୟରେ ଯବକ୍ଷାରଜାନ ସାର ପ୍ରୟୋଗ, ଘାସ ବଛା ଓ ଜଳସେଚନ ଆଦି କାର୍ଯ୍ୟ ସାରି ଦେଇଥିଲେ  ଗଛର ମୁକୁଟ ଚେର ବଢିବାରେ ସୁବିଧା ହୁଏ  । ଫଳରେ ଅଧିକ ସଂଖ୍ୟକ ପିଲ ବାହାରେ  । କିଆରିରେ ବେଶି ଘାସ ଉଠିଲେ ବୁଣିବାର ୧୫ ଦିନ ପରେ ଘାସ ବାଛି ଦେବା ଉଚିତ୍  । ସିଆର ମଝିରେ ସାର ପ୍ରୟୋଗ କରି ଖୁସାଇ ଦେଲେ ସାର ମାଟି ସଙ୍ଗେ ମିଶିଯିବ  । ଫଳରେ ଭଲ ପିଲ ହେବ ଓ ଅମାଲା ଭଲ ହେବ   । ଧାଡି ବୁଣା ଗହମରେ ରେକ୍ ଉଇଡର  ଚଳାଇଲେ ମାଟି ଖୁସାଇ ହୋଇଯିବ ଓ ଘାସ ମରିଯିବ  । ୩୦ – ୩୫ ଦିନ ବେଳକୁ ଆଉଥରେ  ଖୁସାଇ ଦେବା ଭଲ   ।

ରାସାୟନିକ ଉପାୟରେ ତୃଣକ ଦମନ –

୨-୪ ଡି ହେକ୍ଟର ପ୍ରତି ୧ କି.ଗ୍ରା. ଏ. ଆଇ ୯୦୦ ଲିଟର ପାଣିରେ ମିଶାଇ ଗହମ ବୁଣିବାର ୨୧ଦିନ ବେଳକୁ ଛିଞ୍ଚାଯାଇପାରିବ  । ଗହମ ଥୋଡ ବାହାରିବା ଦେଖାଗଲେ ଏହି ଔଷଧ ବ୍ୟବହାର କରିବା ଅନୁଚିତ  । ଗହମ ଗଛ ପିଲ ମାରୁଥିବା ସମୟରେ କେବଳ ଏହା ବ୍ୟବହାର କରାଯାଏ   । ବଜାରରେ ବିକ୍ରି ହେଉଥିବା କେତେକ ତୃଣକମାରୀର ନାମ ଓ ପ୍ରୟୋଗ ପରିମାଣ ନିମ୍ନରେ ଦିଆଗଲା   ।

ତୃଣକମାରୀର ନାମ

ବଜାରରେ ବିକ୍ରି ହେଉଥିବା ବ୍ୟବସାୟୀକ ନାମ

ଫର୍ମୁଲେସନ

ଏ.ଆଇ. %

ହେକ୍ଟର ପିଛା

2 – 4 - D

ବ୍ଲାଡେସ୍କ – ଜି

ଆମାଇନ୍ ଦ୍ରବଣ

72

700 ମି.ଲି.

2 – 4 - D

ଉଇଡର

ଆମାଇନ୍ ଦ୍ରବଣ

72

700 ମି.ଲି.

 

ବ୍ଲାଡେସ୍କ – ସି

ଇଷ୍ଟର ଦ୍ରବଣ

36

1.4 ଲିଟର

 

ୱିଡିନ

ଇଷ୍ଟର ଦ୍ରବଣ

36

1.4 ଲିଟର

 

ଟାଫାସାଇଡ

ସୋଡିଅମ

 

 

ଗହମ ଫସଲରେ ଜଳ ନିୟନ୍ତ୍ରଣ –

ଗହମ କିଆରୀରେ ମଞ୍ଜି ବୁଣିବା ସମୟରେ ଉପରୁ ୫ ସେ.ମି. ଗଭୀର ପର୍ଯ୍ୟନ୍ତ ମାଟି ବତର ଥିବା ଉଚିତ୍  । ବତର ନଥିଲେ ପ୍ରଥମେ ପାଣି ମଡାଇ ମାଟି ବତର ଥିବା ଅବସ୍ଥାରେ  ହିଁ ଗହମ ବୁଣିବା ବିଧେୟ  । ଆଗ ବୁଣି ପାଣି ମଡାଇ ଦେଲେ ମାଟି ଶୁଖି ଟାଣ ହୋଇଯାଏ ଓ ଗଜା ବାହାରିପାରେ ନାହିଁ  । ଗହମ ଗଜା ହେବା ବେଳେ ୫ଟି ବୀଜମୂଳ ବା ସେମିନାଲ୍ ଚେର ବାହାରେ ଏହି ବୀଜମୂଳ ଶୁଖିଲା  ମାଟିରୁ ଖାଦ୍ୟସାର ଶୋଷିପାରେ ନାହିଁ  । ଏଣୁ ବୁଣିବା ସମୟରେ ମାଟି ଓଦା ରହିବା ନିତ୍ୟାନ୍ତ ଆବଶ୍ୟକ  । ଜଳାଭାବ, ଡେଙ୍ଗା, ଗହମ ଅପେକ୍ଷା ବାଙ୍ଗରା ଗହମ ଫସଲର ଅମଳ ବହୁପରିମାଣରେ କମାଇ ଦେଇଥାଏ   । ଗହମ ସାଧାରଣତଃ ଦୋରସା ମାଟିରେ ବୁଣା ହୋଇଥାଏ  । ଗହମ ୫ – ୬ ଦିନରେ ଗଜା ହୁଏ ଗଜା ହେବାର ୧୦ – ୧୨ ଦିନ ପରେ ଗଛମୂଳ ଗଣ୍ଠିରୁ ଚେର ବାହାରେ  । ଏହି ଛେରକୁ ଶୀର୍ଷମୂଳ କୁହାଯାଏ  । ପ୍ରଥମ ଜଳସେଚନ ଏହି ଶୀର୍ଷମୂଳ ବାହାରିବା ସମୟରେ ସମୟରେ ଦେବା ଉଚିତ୍  । ଏହି ସମୟରେ ମାଟି ବତର ନଥିଲେ  ବାହାରୁ ଥିବା ଶୀର୍ଷ ଚେରଗୁଡିକ ଖାଦ୍ୟସାର ଶୋଷଣ କରିପାରେ ନାହିଁ   । ପାଣି ମଡାଇବା ଦ୍ଵାରା ଶୀର୍ଷ ଚେର ସଂଖ୍ୟା ବେଶି ହୁଏ ଏବଂ ଖାଦ୍ୟସାର ଗ୍ରହଣ କରି ବୃଦ୍ଧି ପାଇବା ଫଳରେ  ପିଲ ସୁସ୍ଥ, ସବଳ ଓ ଅଧିକ ହୁଏ   । ଗହମର ସଙ୍କଟ କାଳରେ ଜଳ ଅତି ଆବଶ୍ୟକ  । ଜଳ, ଦରକାର ପରିମାଣରୁ କମିଗଲେ ଫସଲର ଅପୁରଣୀୟ କ୍ଷତି ହୋଇଥାଏ   । ଏହି ସମୟରେ ଜଳସେଚନ ନ କଲେ ଅମଳ ବହୁପରିମାଣରେ ହ୍ରାସ ପାଏ   । ଅଧିକ ଉତ୍ପାଦନକ୍ଷମା ବାଙ୍ଗରା ଗହମର  ୬ଟି ଜଳ ସଙ୍କଟ କାଳ ଚିହ୍ନ କରାଯାଇଛି   । ସେହି ଜଳ ସଙ୍କଟ କାଳରେ ଜଳସେଚନ ଅତି ଆବଶ୍ୟକ   । ସେଗୁଡିକ ହେଲା –

ସଙ୍କଟକାଳ

ବୁଣିବାପରେ ସମୟ ଦିନ

ମୁକୁଟ ଚେର ବାହାରିବା ସମୟ

୧୨ – ୧୫

ପିଲ ମାରିବା ସମୟ

୧୫ – ୪୦

ଗଣ୍ଠି ଛାଡିବା ସମୟ

୪୦ – ୬୦

ଫୁଲ ଧରିବା ସମୟ

୬୦ – ୭୫

କ୍ଷୀର ଖାଇବା ସମୟ

୭୫ – ୮୫

ଦାନା ପାକଳ ହେବା ସମୟ

୮୫ – ୧୦୦

ଉପରୋକ୍ତ ସଙ୍କଟକାଳ  ମଧ୍ୟରୁ ମୁକୁଟ ଚେର ବାହାରିବା ସମୟ ଦାନା କ୍ଷୀର ଖାଇ ଫୁଲିବା ସମୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ଏହି ସମୟରେ ଜଳସେଚନ କଲେ ପିଲ ସଂଖ୍ୟା ବୃଦ୍ଧିପାଏ ଓ ଦାନା ପରିପୂର୍ଣ୍ଣ ଓଜନିଆ ହୁଏ  । ଗହମ ଫସଲର ପ୍ରଥମ ଅବସ୍ଥାରେ ଚେର ଛୋଟ ଓ ଗଛ ଛୋଟ ଥିବାରୁ ଜମିକୁ ବତର ରଖିବା ପାଇଁ ଅଳ୍ପ ଜଳସେଚନ ବା ଛିଞ୍ଚା ପାଣି ଦିଆଯାଏ   । ପରେ ଥରକୁ  ଥିବାରୁ  ୭-୮ ସେ.ମି. ଜଳସେଚନ କରିବାକୁ ହୁଏ   । ସୀମିତ ଜଳସେଚନ ଥିବା ଅଞ୍ଚଳରେ ପିଲ ମାରିବା ଓ ଗଣ୍ଠି ଛାଡିବା  ସମୟରେ ଜଳସେଚନ ବାଦ୍  ଦିଆଯାଇପାରେ   । ସେଚନ ଲାଗି ଜଳର ସୁଲଭତା ଦୃଷ୍ଟିରୁ  ସଙ୍କଟକାଳ ଅନୁସାରେ ନିମ୍ନଲିଖିତ ମତେ ଜଳସେଚନ ଧାର୍ଯ୍ୟ କରାଯାଇଥାଏ   ।

ସୁଲଭ ଜଳସେଚନ ସଂଖ୍ୟା

କେଉଁ ଅବସ୍ଥାରେ ଜଳସେଚନ କରିବାକୁ ପଡିବ

ମୁକୁଟଚେର ବାହାରିବା ସମୟରେ

ମୁକୁଟ ଚେର ଓ ଦାନା ଫୁଲ ଉଡାଇବା ସମୟ

ମୁକୁଟ ଚେର ବାହାରିବା, ଗଣ୍ଠି ଛାଡିବା ଓ କ୍ଷୀର ଢୋକିବା ସମୟ

ମୁକୁଟ ଚେର ବାହାରିବା, ପିଲ ମାରିବା, ଗଣ୍ଠି ଛାଡିବା ଓ କ୍ଷୀର ଢୋକିବା ସମୟ

ମୁକୁଟ ଚେର ବାହାରିବା, ପିଲ ମାରିବା, ଗଣ୍ଠି ଛାଡିବା, ଫୁଲ ଧରିବା ଓ କ୍ଷୀର ଢୋକିବା ସମୟ

ମୁକୁଟ ଚେର ବାହାରିବା, ପିଲ ମାରିବା, ଗଣ୍ଠି ଛାଡିବା, ଫୁଲ ଧରିବା, କ୍ଷୀର ଢୋକିବା ଓ ଦାନ ପାକଳ ହେବା ସମୟ   ।

ଗହମ ଅମଳ :

ଗହମ ପାଚିବା ଅବସ୍ଥାରେ କେଣ୍ଡା ମୂଳକୁ ମୋଡି ଦେଲେ କେଣ୍ଡାଟି ଠିକ୍ କରି ଭାଙ୍ଗି ଯାଏ  । ‘ଦା’ ଦ୍ଵାରା ଗଛ ମୂଳରୁ  କଟାଯାଇ ବିଡାବାନ୍ଧି ଖଳାକୁ ଅଣାଯାଏ  ।

ଗହମ ଫସଲ

ଖଳାରେ ୩ – ୪ ଦିନ ଗଦାଇ ରଖି ତା’ପରେ ବେଙ୍ଗଳା ପକାଇ ଗହମ ଅମଳ କରାଯାଏ   । ଗହମ ଅମଳ ହେବା ପରେ ଭୁଷା ଓ ନଡା ଅଲଗା କରାଯାଏ   । ତା’ପରେ କୁଲାରେ ଉଡାଇ ସଫା ଗହମ ଶୁଖାଇ ରଖିବା ଦରକାର   । ଏହାର ଜଳୀୟ ଅଂଶ ୧୦% ରୁ କମ୍ ରହିବା ଆବଶ୍ୟକ  । ଗହମକୁ ଅମଳ ଯନ୍ତ୍ର ସାହାଯ୍ୟରେ ଅମଳ କଲେ ଭୁଷା ଓ ନଡା ଅଲଗା ଅଲଗା ହୋଇପରିଷ୍କାର ଗହମ ମିଳେ   ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate