ହୋମ / କୃଷି / ଶସ୍ୟ ଉତ୍ପାଦନ / ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ
ସେଆର କରନ୍ତୁ

ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ

ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ ର ସୂଚନା

ଉପକ୍ରମ

ପୋଟଳ ଏକ  ଅଧିକ ଅମଳ କ୍ଷମ ଅର୍ଥକାରୀ ଫସଲ   । ଓଡିଶାର ବିଭିନ୍ନ ଅଞ୍ଚଳରେ ଏହାର ଲାଭଜନକ ଚାଷ କରାଯାଇପାରିବ   ।  ପ୍ରତି 100 ଗ୍ରାମ ପୋଟଳରେ  2 ପ୍ରତିଶତ ପୃଷ୍ଟିସାର ,୦.୩ ପ୍ରତିଶତ ସ୍ନେହସାର ,୨.୨ ପ୍ରତିଶତ ଶ୍ଵେତସାର ,  ୩ ଗ୍ରାମ  ତନ୍ତୁ  । ୨୫୫ IU ଜୀବସାର  -A ,୦.୧୧ ମିଲିଗ୍ରାମ ଜୀବସାର – B  ଏବଂ  ୨୯ ମିଲିଗ୍ରାମ ଜୀବସାର- ସି ଥାଏ   ।  ଏହା ବହୁତ ସ୍ଵାଦଯୁକ୍ତ ଏବଂ ସହଜରେ ହଜମ ହୁଏ   । ପୋଟଳକୁ ତରକାରୀ, ଆଚାର ଏବଂ ମିଠା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ   । ଓଡିଶାର ସମ୍ବଲପୁର , ବଲାଙ୍ଗୀରି ,ପୁରୀ, ବାଲେଶ୍ଵର , ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାଗୁଡିକରେ ଏହା ବହୁତ ଭାବେ ଚାଷ କରାଯାଏ   ।

ଜଳବାୟୁ ଓ ମୃତ୍ତିକା

ପୋଟଳ ଚାଷ ପାଇଁ ଉଷ୍ଣ ଆର୍ଦ୍ର ଜଳବାୟୁ ଆବଶ୍ୟକ ହୋଇଥାଏ   ।  ଗଛ ବଢିବା ପାଇଁ  ୩୦C ଉପଯୁକ୍ତ ତାପମାତ୍ରା   । ବସନ୍ତ ଋତୁ ଆସିଲେ ପୋଟଳ ଗଛ ଗୁଡିକ ଭଲ ଭାବେ ବଢିଥାଏ     ।  ଶୀତ ଦିନ ଅଧିକ ବର୍ଷା ଓ ଅଧିକ ଗରମରେ ଗଛରେ ଫୁଲ ଫଳ ହେବାରେ ବାଧା ସୃଷ୍ଟି ହୋଇଥାଏ   ।  କେତେକ ବୈଷୟିକ ଚାଷୀ ଏହାକୁ ବର୍ଷତମାମ ଲଗାଇଥାନ୍ତି   ।  ଏହାଦ୍ଵାରା ଅମଳର ବିଶେଷ ପ୍ରଭାବ ପଡେ ନାହିଁ   ।  ଓଡିଶାର ଜଳବାୟୁ ପୋଟଳ ଚାଷ ପାଇଁ ଉପଯୁକ୍ତ ଅଟେ   ।  ବାଲିଆ ଦୋରସା ମାଟି ପୋଟଳ ଚାଷ ପାଇଁ ଉତ୍କୃଷ୍ଟ   ।  ପଟୁ ପଡୁଥିବା ଜମି ଏବଂ ଖତସାର ମିଶା ଅନ୍ୟାନ୍ୟ ମାଟିରେ ଏହା ଭଲ ଭାବରେ ବଢିଥାଏ  ।  ପୋଟଳ ଚାଷ ପାଇଁ ଉପଯୁକ୍ତ ଭାବେ ଜଳସେଚନ ସହ ନିଷ୍କାସନ ଆବଶ୍ୟକ  ହୋଇଥିବାରୁ ଏହାକୁ ସାଧାରଣତଃ ଉଚ୍ଚ ସ୍ଥାନରେ ଚାଷ କରାଯାଇଥାଏ   ।

କିସମ

ଓଡିଶାରେ ପୋଟଳ ଚାଷ ପାଇଁ ନିମ୍ନୋକ୍ତ କିସମ ଉପଯୁକ୍ତ ଅଟେ   ।

  • ସ୍ଵର୍ଣ୍ଣ ଆଲୌକିକ  : ଏହି କିସମର ଫଳକ ଆକାର ଅଣ୍ଡାକାରରୁ ଆୟତାକାର ହୋଇଥାଏ   ।  ଏହାର ରଙ୍ଗ ହଲକା ସବୁଜ ଏବଂ ଶୀର୍ଷଭାଗ ମୁଣ୍ଡାଳିଆ ହୋଇଥାଏ   । ଏଥିପାଇଁ ବଜାରରେ ଯଦି କିସମକୁ ଗ୍ରାହକମାନେ ବେଶୀ ପ୍ରସନ୍ଦ କରନ୍ତି   ।  ଏହି କିସମ ଫଳର ଲମ୍ବ ୫-୮  ସେମି ପର୍ଯ୍ୟନ୍ତ ଥାଏ ।  ଏବଂ ରଞ୍ଜା ପଦ୍ଧତିରେ ଚାଷ କଲେ ଅମଳ ହେକ୍ଟର ପ୍ରତି  ୨୩-୨୮ ଟନ ହୋଇଥାଏ  ।
  • ଆର୍କା ନୀଳାଚଳ କୀର୍ତ୍ତି   : ଏହା ଅଧିକ ଅମଳ କ୍ଷମ କିସମ  ।  ଏହି ପ୍ରକାର ଫଳର ଆକୃତି ଅଣ୍ଡାକାର ଏବଂ ଏହାର ମାଧ୍ୟମ ଭାଗ କଠିନ ଥାଏ   ।  ଏହାର ଉପରେ ସବୁଜ ରଙ୍ଗର ଲାମ୍ବା ଦାଗ ଥାଏ   ।  ଏହି କିସମର ଫଳର ଲମ୍ବ ୮-୧୦ ସେମି ପର୍ଯ୍ୟନ୍ତ ଥାଏ ଏବଂ ରଞ୍ଜା ପଦ୍ଧତିରେ ଚାଷ କଲେ ଅମଳ ହେକ୍ଟର ପ୍ରତି ୨୫-୩୦ ଟନ ହୋଇଥାଏ   ।

ପୋଟଳ ମଞ୍ଜିରୁ ଗଛ ପ୍ରସ୍ତୁତ ହେଲେ ପ୍ରାୟ ଶତକଡା  ୫୦ ଭାଗ ଅଣ୍ଡିରା ଗଛ ହୁଏ ଏବଂ ମାଈ ଗଛରେ ଭଲ ଫଳ ଆସିନଥାଏ   ।  ତେଣୁ ବ୍ୟବଶାୟିକ ପୋଟଳ ଚାଷ ପାଇଁ ଏହାର ଡଙ୍କ ଓ ଚେରକୁ ବିହନ ରୂପେ ବ୍ୟବହାର କରାଯାଏ   । ସାଧାରଣତଃ ଅକ୍ଟୋବର –ନଭେମ୍ବର ଏବଂ ଫେବୃଆରି – ମାର୍ଚ୍ଚ- ମାସରେ ଡଙ୍କଗୁଡିକୁ ନିମ୍ନୋକ୍ତ ପ୍ରଣାଳୀରେ ବ୍ୟବହାର କଲେ ଏହା ଅଧିକ ଲାଭପ୍ରଦ ହୋଇଥାଏ  ।

  • ଲୁଣ୍ଡା ବା ଲାଚି ପଦ୍ଧତି   : ପୋଟଳ ଚାରା ପ୍ରସ୍ତୁତି ସମୟରେ ଏହାର  ୮-୧୦ ଗଣ୍ଠି ବିଶିଷ୍ଟ ୧୦୦- ୧୫୦ ସେମି ଲମ୍ବା , ଡଙ୍କକୁ ଇଂରାଜୀ ଆଠ  ଆକୃତି କରି ସାମନ୍ତରାଳ ଭାବେ  ୩-୫ ସେମି ଗହୀରରେ ଗାତରେ ଲଗାଇ FYM ଓ ମାଟି ଦ୍ଵାରା ଗାତକୁ ପୂର୍ଣ୍ଣ କରିବା ଉଚିତ   ।  ସଦ୍ୟ ଗୋବରକୁ ଗାତରେ ମଧ୍ୟ ଭାଗରେ ବ୍ୟବହାର କଲେ ଶୀଘ୍ର ଗଜା ବାହାରିଥାଏ   ।
  • ଓଦାଳିଆ ମାଟି ପିଣ୍ଡୁଳା ପଦ୍ଧତି :-  ଏହି ପଦ୍ଧତିରେ ୬୦ ସେମି ଲମ୍ବା ଡଙ୍କଙ୍କୁ ଓଦାଳିଆ ମାଟି ପିଣ୍ଡରେ ଗଡାଯାଏ ଓ ଯାହାର ପାର୍ଶ୍ଵରେ  ୧୫ ସେମି ଲେଖାଏଁ ଡଙ୍କ ଖୋଲା ଛଡ଼ାଯାଏ  ।  ଏହାକୁ ପୂର୍ବ ପ୍ରସ୍ତୁତ ଗାତରେ  ୧୦ ସେମି ଗଭୀରରେ ଏମିତି ପୋତାଯାଏ  ଯେ ଖୋଲା ଛଡା ଯାଇଥିବା ଡଙ୍କ ଗୁଡୁକ ମାଟି ଉପରେ ରହିବେ   । ମାଟି ଭିତରେ ଥିବା ଡଙ୍କରୁ ଚେର ଓ ଖୋଲା ଛଡା ଥିବା ଡଙ୍କରୁ ପତ୍ର ବାହାରିଥାଏ   ।
  • ସିଧା ଡଙ୍କ ପଦ୍ଧତି :- ଏହି ପଦ୍ଧତିରେ ଡଙ୍କକୁ ମାଟି ସହ ସମାନ୍ତରାଳ ଭାବେ ଗୋବର ଖତ ଓ ମାଟି ମିଶା ନାଳିରେ  ୧୫ ସେମି ଗଭୀରରେ ପୋତାଯାଏ   ।
  • ଗୋଲାକାର ପଦ୍ଧତି :- ଏହି ପଦ୍ଧତିରେ ଡଙ୍କକୁ ଗୋଲାକାର ଭାବେ ଗୁଡାଇ ସିଧା ଭାବେ ଏହାର ଅଧା ବା ଦୁଇ ତୃତୀୟାଂଶକୁ ମାଟିରେ ପୋତାଯାଏ   ।
  • ଡଙ୍କ ଖଣ୍ଡ ପଦ୍ଧତି  :- ଏହି ପ୍ରଣାଳୀରେ ପରିପକ୍ଵ ଡଙ୍କରୁ  ୩-୪ ଟି ଗଣ୍ଠି ଥିବା ଖଣ୍ଡ କାଟିନେଇ ରୁଟେକ୍ସ -୧ ଲଗାଇ ବଳିଆ ମାଟି ଏ ପୋଟା ଦିଆଯାଏ   ।  ୧୫ ଦିନ ପରେ ଚେର ଆସିଥିବା ଡଙ୍କକୁ ଖତସାର ମିଶା ପଲିଥିନରେ ରୋପଣ କରିବା ଉଚିତ   ।   ଏହାର  ୧୫-୨୦ ଦିନ ପରେ ଏହି ଛଡ଼ା ଜମିରେ ରୋପଣ ପାଇଁ ଉପଯୁକ୍ତ ହୋଇଥାଏ   । ବର୍ଷାଦିନେ ରୋପଣ କଲେ ଅଧିକ ସଂଖ୍ୟକ ଗଛ ବଞ୍ଚିଥାଏ   ।
  • ଚେର ବା କନ୍ଦା ପଦ୍ଧତି :- ଏହି ପଦ୍ଧତିର ଚାଷ ସହଜ ହୁଏ ଓ ଶୀଘ୍ର ସଫଳତା ଦେଇଥାଏ   ।  ଏହି ପ୍ରଣାଳୀରେ ପଟଳ ଗଛର ଚେର ବା କନ୍ଦାକୁ ଜାନୁଆରୀ ମାସରେ ଜମିରେ ଲଗାଯାଇଆଥାଏ   ।  ଚେର ସଂଗ୍ରହ କଲାବେଳେ ମାଈ ଓ ଅଣ୍ଡିରା ଗଛରୁ ଅଲଗା ଅଲଗା ଚେର ସଂଗ୍ରହ କରିବା ଉଚିତ   ।  ଗୋଟିଏ ଚେର  ୫-୭ ସେମି ଲମ୍ବ ଓ ୨୫-୩୦ ଓଜନ ହେବା ଉଚିତ   ।

ଜମି ପ୍ରସ୍ତୁତି ଓ ରୋପଣ

ପ୍ରଥମେ ଜମିକୁ ୨-୩ ଥର ଗଭୀର ଚାଷ କରି ମଇ ଦିଆଯାଏ ଓ ତା ପରେ ଗାତ ପ୍ରସ୍ତୁତ କରାଯାଏ   ।  ଏହି ଗାତର ଲମ୍ବ ୩୦ ସେମି , ପ୍ରସ୍ଥ ୩୦ ସେମି ଓ ଗଭୀର ମଧ୍ୟ ୩୦ ସେମି କରାଯାଏ   ।  ଏହାପରେ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଗାତକୁ ସୂର୍ଯ୍ୟାଲୋକରେ ରଖିବା ଉଚିତ  ।  ଗାତପିଛା ୧୦ କିଗରା  FYM ବା କମ୍ପୋଷ୍ଟ,୧୦୦ ଗ୍ରାମ DAP  ଓ ୨୦୦ ଗ୍ରାମ MOP ର ମିଶ୍ରଣ ଦିଆଯାଏ   ।  ରୋପଣ ବେଳେ ଗଛରୁ ଗଛ ପ୍ରତି ଦୂରତା  ୧-୧.୨ ମିଟର ଏବଂ ଧାଡିରୁ ଧାଡି ପ୍ରତି ଦୂରତା  ୧.୫  ମିଟର ରଖାଯିବା ଉଚିତ   ।  ୧୦ ଟି ମାଈ ଚାରା ପିଛା ଗୋଟିଏ ଅଣ୍ଡିରା ଛଡ଼ା ଲଗାଯାଏ  କାରଣ ଉଚିତ ସଂଖ୍ୟକ ଅଣ୍ଡିରା ଛଡ଼ା ନ ହେଲେ ପରାଗସଂଗମ କମ ଯୋଗୁଁ କଷି ଫଳଗୁଡିକ ହଳଦିଆ ପଡିବା ସହ ସୁଖୀ ଝଡିଯାଏ   ।

ରୋପଣର ପରବର୍ତ୍ତୀ ଯତ୍ନ

ସାଧାରଣତଃ ପୋଟଳ ଗଛକୁ ହୁଡାରେ ଲଗାଇ ଏହାର ଡଙ୍କକୁ ମାଟିରେ ମଡାଯାଇଥାଏ   ।  କିନ୍ତୁ ଏହାଦ୍ଵାରା ଡଙ୍କ,  ଫୁଲ ଓ ଫଳ ମାଟିରେ ଲାଗି ନଷ୍ଟ ହୁଏ  । ପତ୍ରର ତଳଭାଗ ରୋଗପୋକ ଦ୍ଵାରା ଆକ୍ରାନ୍ତ ହୋଇଥାଏ   ।    ଔଷଧ ସିଞ୍ଚନ କଳାବେଳେ ଏହା ପତ୍ରର ତଳ ଭାଗକୁ ସ୍ପର୍ଶ କରିପାରେ ନାହିଁ  ।

ଏହିସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରଖି ପୋଟଳ ଗଛକୁ ଟ୍ରେଲି (ରଞ୍ଜା) ପ୍ରଣାଳୀ ମାଧ୍ୟମରେ ମଡାଇବା ଉଚିତ   ।  ଏହି ପ୍ରଣାଳୀରେ ପୋଟଳ ଗଛ ମଡାଇଲେ ଜମିରେ ଜଳସେଚନ ସୁବିଧା ହୋଇଥାଏ   ।  ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନରେ ମଧ୍ୟ ସୁବିଧା ହୋଇଥାଏ   । ପୋଟଳ ଡଙ୍କ ଭଲ ଭାବେ ବଢିଥାଏ ଏବଂ ଫଳ ତୋଳିବାରେ ସୁବିଧା ହୁଏ   ।

ଯେଉଁ ଜମିରେ ଜଳ ନିଷ୍କାସନର ଭଲ ସୁବିଧା ନ ଥାଏ ବା ମାଟି  ୭-୮ ଦିନ ପର୍ଯ୍ୟନ୍ତ ଲଗାତର ଆର୍ଦ୍ର ଥାଏ  , ସେଠାରେ ଟ୍ରେଲିର ବ୍ୟବସ୍ଥା କରାଯିବା ଆବଶ୍ୟକ    ।

ବିଭିନ୍ନ ପ୍ରକାର ପ୍ରଚଳିତ ଟ୍ରେଲି ପ୍ରଣାଳୀ  ମଧ୍ୟରେ ଗୋଟିକିଆ ଧାଡି ଟ୍ରେଲି ପଦ୍ଧତି ଅତ୍ୟନ୍ତ ସୁବିଧାଜନକ  ।  ଏହି ପ୍ରକାର ଟ୍ରେଲିର ଉଚ୍ଚତା ୬ ଫୁଟ ଏବଂ ଏଥିରେ  ପ୍ରତି  ୨ ମି, ବ୍ୟବଧାନରେ ସିଧା ଖମ୍ବ ପୋତାଜାଏ   । ଯେଉଁତିରେ ଜମିରୁ  ୩ ଫୁଟ ଛାଡି ପ୍ରଥମେ ସମାନ୍ତର ତାର ବନ୍ଧାଯାଏ   ।  ତାପରେ ପ୍ରତି ୧ ଫୁଟ ବ୍ୟବଧାନରେ ସମାନ୍ତର ତାର ବନ୍ଧାଯାଏ   ।  ଗଛ ଉପରକୁ ସହଜରେ ବଢିବା ପାଇଁ ପ୍ରତି ଗଛ ପାଖରେ ଭୂମି ସହ ସିଧା ଭାବେ ଛୋଟ କାଠିକୁ ଟ୍ରେଲିର ତାର ସହ ସଂଯୋଗ କରାଯାଇଥାଏ   ।  ଧାଡିକୁ ଧାଡି ମଧ୍ୟରେ ଥିବା ଅନାବନା ଘାସକୁ ହାତ କିମ୍ବା ପାୱାର ଟ୍ରିଲର ସାହାଯ୍ୟରେ ବାହାର କରିହେବ  । ପ୍ଲାଷ୍ଟିକ ଜାରି ଓ ଜୈବ ପଦାର୍ଥ ଯଥା- କଟା, କଦଳୀ ପତ୍ର, ଆଖୁ ଛେଦା ବା ଶୁଖିଲା ଘାସ ଦ୍ଵାରା ଅଛାଦନ କରାଯାଏ   ।  ଯାହା ଦ୍ୱ୍ରା ଜମିରେ ଘାସ ନହେବା ସହ ଗଚ୍ଚ ପାଖ ଆର୍ଦ୍ର ରହିଥାଏ   ।

ପରବର୍ତ୍ତୀ ଖାଦ୍ୟସାର ପରିଚାଳନା

ଗଛ ବଢିବା ସଙ୍ଗେ ସଙ୍ଗେ ଆବଶ୍ୟକ ମାତ୍ରାର ଖାଦ୍ୟସାର ଦରକାର କରେ   । ଏଥିପାଇଁ 10 କିଗ୍ରା , ସଦ୍ୟ ଗୋବର  5 କିଗ୍ରା  ,  ଏମଓ ପିଓ 2 କିଗ୍ରା ନିମ୍ବ ପିଡିଆ ,  2 କିଗ୍ରା , କରଞ୍ଜ ପିଡିଆ ଏବଂ 5 କିଗ୍ରା  , ଜିଆଖତକୁ ୨୦୦ ଲି, ପାଣିରେ ମିଶାଇ ମିଶ୍ରଣକୁ ଗଛ ପିଚ୍ଚା ଏକ ଲିଟର ରୋପଣର  ୩୦ ଦିନ ପରେ ଦେବା ଉଚିତ  ।  ଏହାସହ ରୋପଣ ହେବାର  ୬୦ ଦିନ ପରେ ସଲଫର  ୨୦ ଗ୍ରାମ ୧୩୦ ଦିନ ପରେ  NPK ୫୦ ଗ୍ରାମ ,୧୮୦ ଦିନ ପରେ ୟୁରିଆ , ୨୦ ଗ୍ରାମ ,  ୨୦୦ ଦିନ ପରେ ସଲଫର  ୪୦ ଗ୍ରାମ ଦେବା ଉଚିତ  ।  ଏତତବ୍ୟତୀତ  ୨୦୦-୨୫୦ କ୍ଵିଣ୍ଟାଲ FYM,୧୨୦ କିଗ୍ରା N ୬୦ କିଗ୍ରା P ୫୦ କିଗ୍ରା , K ହେକ୍ଟର ପିଛା ଦେଇ ହେବ   ।

ଜଳ ପରିଚାଳନା

ପୋଟଳ ଚାଷ ପାଇଁ ସଠିକ ଜଳ ପରିଚାଳନା, ନିତ୍ୟାନ୍ତ ଆବଶ୍ୟକ  । ରିତୁ ଅନୁଯାୟୀ ଜଳର ଆବଶ୍ୟକତାକୁ ନଜରରେ ରାଖୀ ଜଳ ପରିଚାଳନା କରାଯାଏ   । ଶୀତ ଦିନେ  ୮-୧୦ ଦିନ ବ୍ୟବଧାନରେ ଓ ଖରା ଦିନେ  ୪-୫ ଦିନ ବ୍ୟବଧାନରେ ଜଳସେଚନ କରାଯାଏ   । ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ କାରଣ ଜମିରେ ପାଣି ଜମି ରହିଲେ ଚେର ପାଚିଯାଏ ଓ ଫ୍ୟୁଜାରିଆମ ଫିମ୍ପିର ଆକ୍ରାନ୍ତ ଅଧିକ ହୁଏ   ।  ବୁନ୍ଦା ଜଳସିଞ୍ଚନର ବ୍ୟବସ୍ଥା କମ କାଲେ କମ ଖର୍ଚ୍ଚରେ ଅଧିକ ସଫଳ ମିଳେ   ।

ଅନ୍ତଃଚାଷ

ପୋଟଳ ଚାଷରେ ଧାଡିକୁ ଧାଡି ଅଧିକ ଜାଗା କରିଥିବା ଯୋଗୁଁ ଅନ୍ତଃ ଚାଷ ଅତି ସହଜରେ କରାଯାଇପାରିବ   । ଏଥିପାଇଁ ଲଙ୍କା , ଆଳୁ, ପାଳଙ୍ଗ , ଧନିଆ ପ୍ରଭୁତି ପନିପରିବା ଉପଯୁକ୍ତ ଅଟେ   । ଟ୍ରେଳିର ମଧ୍ୟଭାଗରେ ଲଙ୍କା , ପିଆଜକୁ ସମ୍ବଲପୁର ଜିଲ୍ଲାରେ ଅନ୍ତଃ ଚାଷ ଭାବେ କରାଯାଉଛି   ।

ପୁନଃ ଅଙ୍କୁରୋଣ ପଦ୍ଧତି

ଫଳ ଧାରଣ ସାରିବା ପରେ ଅକ୍ଟୋବର –ନଭେମ୍ବର ଆଡକୁ ପୋଟଳ ଡଙ୍କ ସୁଖିବା ଆରମ୍ଭ ହୁଏ   ।  ଏହି ସମୟରେ ମୂଳକୁ ଡଙ୍କକୁ କାଟି ଟ୍ରେଲିରୁ ଅଲଗା କରାଯାଏ   ।  ଏହାପରେ  ମୂଳକୁ ଗଜା ବାହାଋ ପୁନର୍ବାର ଗଛ ହୋଇଥାଏ  । ଡଙ୍କଗୁଡିକ  ୦.୫ ମି , ଲମ୍ବ ହେଲେ ଜମିକୁ ପୂର୍ବ ଭଳି ପ୍ରସ୍ତୁତ କରି ଘାସ ବାଛି ମୁଖ୍ୟ ଫସଲକୁ ଦିଆଯାଇଥିବା ପ୍ରକାରରେ ଖତ ସାର ପ୍ରୟୋଗ କରାଯାଏ   ।

ରୋଗପୋକ ପରିଚାଳନା

ଲାଭଜନକ ଭାବେ ପୋଟଳ ଚାଷ କରିବାକୁ ହେଲେ ଏହି ଫସଲର ରୋଗ ପୋକ ପ୍ରତି ସର୍ବଦା ସତର୍କ ହେବା ଉଚିତ   ।

ଝାଉଁଳା ରୋଗ  :-  ଏହି ମୃତ୍ତିକା ରୋଗରେ  ଗଛଗୁଡିକ ଆଗରୁ ସୁଖିବା ଆରମ୍ଭ କରି ପରିଶେଷରେ ସମଗ୍ର ଗଛ ଶୁଖିଯାଏ ଏବଂ ଆକ୍ରାନ୍ତ ଗଛର ଚେର ମଧ୍ୟ କଳା ପଡିଯାଏ   ।

ପ୍ରତିକାର :- ଚାରା ଲଗାଇବା  ସମୟରେ ଚେରଗୁଡିକ ବାଭିଷ୍ଟିନ (୨ ଗ୍ରାମ/ଲି୦ ଘୋଳରେ ବୁଡାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ଆବଶ୍ୟକ   ।  ଫଳିବା ସମୟରେ ବାଭିଷ୍ଟିନ  (୨ ଗ୍ରାମ /ଲି) ଘୋଳ ଦ୍ଵାରା ଗଚ୍ଚର ମୂଳକୁ ଭିଜାଇଲେ ସଫଳ ମିଳେ   ।

ଆନ୍ଥାକନୋଜ  : ଏହି ରୋଗରେ ପତ୍ର ଉପଋଭାଗରେ ହଳଦିଆ ରଙ୍ଗର ଛୋଟ ଛୋଟ ଦାଗ ଦେଖାଯାଏ   ।  ଧୀରେ ଧୀରେ ଏହି ଦାଗ ବଢି ବାଦାମି ଓ ପରେ କଳା ରଙ୍ଗ ଧାରଣ କରେ   ।

ପ୍ରତିକାର   :- ଦାଇଥେନ ଏମ- ୪୫ କୁ ୫-୭ ଦିନ ବ୍ୟବଧାନରେ  ୨ ଗ୍ରାମ /ଲି ହିସାବରେ ସିଞ୍ଚନ କାଲେ ଏହି ରୋଗର ପ୍ରତିକାର ହୁଏ   ।

ପାଉଁସିଆ ରୋଗ   :  ଏହି ରୋଗ ଆରମ୍ଭରେ ଧଳା ଫିମ୍ଫି ଥିବା ଦାଗ ପତ୍ର ଉପରେ ଦେଖାଯାଏ   । ରୋଗ ଆକ୍ରାନ୍ତ ଅଧିକ ହେଲେ ପତ୍ରଗୁଡିକ ଶୁଖି ଝଡିପଡିଥାଏ   ।

ପ୍ରତିକାର   :- ସଲଫର ୨ ଗ୍ରାମ/ଲି ର ୧୫  ଦିନ ବ୍ୟବଧାନରେ ସିଞ୍ଚନ କଲେ ରୋଗର ଆକ୍ରାନ୍ତକୁ କମାଯାଇପାରେ  ।

ଡାଉନ  ମିଲଡିର : ଏହି  ରୋଗରେ ପତ୍ର ଉପରି ଭାଗରେ ହଳଦିଆ ରଙ୍ଗ ଦାଗ ଦେଖାଯାଏ   । ଯାହାର ତଳ ଭାଗରେ ଧଳା ରଙ୍ଗର ଫିମ୍ଫି ଦ୍ରୁଷ୍ଟିଗତ ହୁଏ   । ରୋଗର ତୀବ୍ରତା ବଢିଲେ ପତ୍ରପୋଡା ଦାଗ ଦେଖାଯାଏ ଓ ପତ୍ର ଝଡି ପଡେ   । ଆର୍ଦ୍ରତା ଅଧିକ ଥିବାବେଳେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହୁଏ   ।

ପ୍ରତିକାର   :- ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ବାଇଟାକ୍ସ କିମ୍ବା ରିଡୋମିଲ ୨.୫ ଗ୍ରାମ/ଲିଃ ପାଣି ର ମିଶାଇ  ୧୦-୧୨ ଦିନ ବ୍ୟବଧାନରେ ସିଞ୍ଚନ କରିବା ଉଚିତ   ।

ଗଣ୍ଠିବିନ୍ଧା ପୋକ :- ଏହି ପୋକ ଡଙ୍କ ଖାଇ ସେଥିରେ ସୁଡଙ୍ଗ କରି ଦିଅନ୍ତି ଯାହା ଦ୍ଵାରାକି ଡଙ୍କ ଫୁଲିଯାଏ   । ଆକ୍ରାନ୍ତ ଅଧିକ ହେଲେ ଛୋଟ ଗଛ ଗୁଡିକ ନଷ୍ଟ ହୋଇଯାଏ   ।

ପ୍ରତିକାର :- ଫେଣଭଲରେଟ ୨୦EC , ୦.୫ ମିଲି/ଲି ଦ୍ଵାରା ସିଞ୍ଚନ କରି ଏହି ପୋକର ଆକ୍ରାନ୍ତକୁ ଜମାଯାଇପାରିବ   ।

ରେଳସ୍ପାଇଡ଼ର ମାଇଟ :- ଏହି ପୋକ ଗଛର ତଳ ଭାଗକୁ ଖାଇ ରସ ଶୋଷୀନିଏ ଓ ପତ୍ରଦୁଇକ ଉପରେ ଜାଲ ତିଆରି କରିଦିଏ   । ପତ୍ରଗୁଡିକର ସବୁଜ କନିକା କମିଯିବା ଯୋଗୁଁ ପତ୍ର ଶୁଖି ଝଡିଯାଏ   ।

ପ୍ରତିକାର :- ଡାଇକୋଫର  ୨.୭୫ ମିଲି/ଲି ଘୋଳକୁ  ୧୫-୨୦ ଦିନ ବ୍ୟବଧାନରେ ସିଞ୍ଚନ କଲେ ସୁଫଳ ମିଳେ   । ଖରାଦିନେ ଯଥେଷ୍ଟ ପରିମାଣରେ ସିଞ୍ଚନ ଜଳ ଯୋଗାଇଲେ ଏହାର ଆକ୍ରାନ୍ତ କମ ହୁଏ  ।

ମୂଳଗ୍ରନ୍ଥି ସୂତ୍ରକୃମି :- ଆକ୍ରାନ୍ତ ଗଛର ଚେରରେ ଅନେକ ଗଣ୍ଠି ସୃଷ୍ଟି ହୋଇଥାଏ   । ଯାହା ଦ୍ଵାରାକି ପତ୍ର ଗୁଡିକ ହଳଦିଆ ପଡି ଛୋଟ ରହି ଯାଆନ୍ତି   । ଗଛର ଡଙ୍କ ଗୁଡିକ ଶୁଖି ଝାଉଁଳି ପଡେ   ।

ପ୍ରତିକାର  : ରୋପଣର ପୂର୍ବରୁ ଜମିରେ ଗାତ ପିଛା ୫୦୦ ଗ୍ରାମ ନିମ୍ବ ପିଡିଆ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ଏହାର ଆକ୍ରାନ୍ତକୁ କମାଯାଇପାରିବ  ।

ରେଡ ପମ୍ଫିକିନ ବିଟିଲ  : ବୟସ୍କ ପୋକ ପତ୍ରକୁ ଖାଇ ସେଥିରେ କଣା କରି ଦିଅନ୍ତି  । ଛୋଟ ଗଛ ଉପରେ ଏହାର ଆକ୍ରାନ୍ତ ଅଧିକ ଦେଖାଯାଏ   ।

ପ୍ରତିକାର  : ସେଭିନ ୨ ଗ୍ରାମ /ଲି ଘୋଳକୁ  ୬-୭ ଦିନ ବ୍ୟବଧାନରେ ଶିଚନ କଲେ ଏହି ପୋକର ପରିଚାଳନା କରିହୁଏ  ,।

ଅମଳ ଏବଂ ବିପଣନ

ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବା ପରେ ଅମଳ କଲେ ଉତ୍ପାଦନ ମାନ ହ୍ରାସ ପାଇ ବଜାର ଦର କମ ମିଳେ   । ଏଣୁ ପ୍ରକୃଷ୍ଟ ସମୟରେ ହିଁ ଅମଳ କରିବା ଉଚିତ  ।  ଫାଳଗୁଣ ମାସଠାରୁ ପୋଟଳ ବଜାରରେ ମିଳିବା ଆରମ୍ଭ ହୋଇଥାଏ   । ରୋପଣର  ୪୦-୫୦ ଦିନ ମଧ୍ୟରେ ଫୁଲ ଆସିସ୍ଥାଏ  ଏବଂ ୬୦-୭୦ ଦିନ ମଧ୍ୟରେ ଅମଳ ଆରମ୍ଭ ହୋଇଥାଏ   । ଏହାପରେ ସପ୍ତାହକୁ ଠାରେ ଅମଳ କରାଯାଏ   । ପୋଟଳ ହେକ୍ଟର ପିଛା  ୨୫-୩୫ ଟନ ପର୍ଯ୍ୟନ୍ତ ଅମଳ ଦିଏ   ।

ଅମଳ ପରେ ପୋଟଳକୁ ରଖିବା ପାଇଁ ବାଉଁଶ ବାକ୍ସ ହେଉଛି ସବୁଠାରୁ ଭଲ  ।  ଏହି ବାକ୍ସର ତଳ ଓ ଉପରି ଭାଗରେ ସଦ୍ୟ କଦଳୀ ପତ୍ର ଦିଆଯାଇ ବନ୍ଧାଯାଇଥାଏ   ।  ଏହା ଦ୍ଵାରା ଫଳ ନଷ୍ଟ ନହୋଇ ରପ୍ତାନି ପାଇଁ ପଠାଯାଇପରେ   ।

ପୋଟଳଚାଷରେ ଏକର ପିଛା ହାରାହାରି  ୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଲକ୍ଷେରୁ ଊର୍ଦ୍ଧ୍ଵ ଆୟ ହୋଇଥାଏ   । ସାଧାରଣତଃ ପୋଟଳର ବଜାର ଦର ୮-୧୦ ଟଙ୍କାରୁ ଆରମ୍ଭ କରି  ୫୫-୬୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ   ।

ସଫଳତା କାହାଣୀ

ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ଵର ଦ୍ଵାରା ଦିଆଯାଇଥିବା ସ୍ଵର୍ଣ୍ଣ ଆଲୌକିକ କିସମ ପୋଟଳ ଚାଷ କରି ଚାଷୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି   ।  ୨୦୧୦ ମସିହାରେ ଶ୍ରୀଯୁକ୍ତ ରୂପାନନ୍ଦ ପଟେଲ , ଗ୍ରାମ- ଜରଲି,  ପୋଷ୍ଟ- ରେଙ୍ଗଲୋଇ,  ଜି- ସମ୍ବଲପୁର ନିଜର  ୧୬୦ ବ.ମୀୟ ପରିମିତ ସ୍ଥାନରେ ସ୍ଵର୍ଣ୍ଣ ଆଲୋକିକ ପୋଟଳ ଚାଷକୁ ଧାଡିକିଆ ଟ୍ରେଲି ପଦ୍ଧତିରେ ଚାଷ କରୁଛନ୍ତି   ।  ଏହି ସ୍ଥାନରୁ ଶ୍ରୀ ପଟେଲ  ୨ କ୍ଵିଣ୍ଟାଲ ଉର୍ଦ୍ଧ୍ଵ ଅମଳ କରି  କିଗ୍ରା ପଟି  ୩୫.୦୦ ଟଙ୍କା ଦରରେ ବିକ୍ରି କରି  ପାୟ  ୭୦୦୦/-  ଟଙ୍କା ପାଉଛନ୍ତି   । ଏହା ସହ ଉନ୍ନତ ମାନର  ୧୨୦୦ ଚାରା ପ୍ରସ୍ତୁତ କଇ  ୫ ଟଙ୍କା ଦରରେ ଚାରା ବିକ୍ରି କରି  ୬୦୦୦/- ଟଙ୍କା ଓ ଲଙ୍କା ଅନ୍ତଃଚାଷ କରି ଟଙ୍କା  ୧୦୦୦/- ଅତିରିକ୍ତ ଆୟ ମଧ୍ୟ କରିପାରୁଛନ୍ତି  ।  ପୂର୍ବରୁ ଶ୍ରୀ ପଟେଲ    ଦେଶୀ ପୋଟଳ ଚାଷ କରି ସେହି  ଜମିରୁ ମାତ୍ର  ୧.୫ କୁଇଣ୍ଟାଲ ଅମଳ କରି ୫୨୫୦ ଟଙ୍କା ହିଁ ପାଉଥିଲେ । ସେହି ଗ୍ରାମ ତଥା ପଡୋଶୀ ଗ୍ରାମର ଅନେକ ଚାଷୀଙ୍କ ପାଇଁ ଶ୍ରୀଯୁକ୍ତ ପଟେଲ ପଥପ୍ରଦର୍ଶକ ସାଜିଥିବା ବେଳେ ଏହି ବୈଜ୍ଞାନିକ ପଦ୍ଧତିରେ ସେମାନେ ପୋଟଳ ଚାଷ କରି ଲାଭବନ ହେବାକୁ ପ୍ରଚେଷ୍ଟା କରୁଛନ୍ତି   ।

 

ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର

2.86956521739
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top