ସେଆର କରନ୍ତୁ

ସଜନା ଚାଷ

ସଜନା ଚାଷ କରିବାର ପ୍ରଣାଳୀ

ପାର୍ଥନା ମହାନ୍ତି

ସଜନା ସାଧାରଣତଃ ଆମ ରାଜ୍ୟର ପ୍ରାୟ ଘରେ ଘରେ ଦେଖିବାକୁ ମିଳେ । ଏହର ଛୁଇଁ ଏବଂ ସାଗକୁ ତରକାରୀରେ ବ୍ୟବହାର କରାଯାଏ । ସଜନର ପାତ୍ର ଓ ଫଳରେ ପ୍ରଚୁର ପରିମାଣରେ ଫସଫରସ ଏବଂ ଆଇରନ ରହିଛି । ବର୍ଷକିଆ କିସମର ଗଛ ଗୁଡିକ ବୁଡା ହୋଇ ବଢେ । ପ୍ରଥମ ମୂଳ ଫସଲ ପରେ , ୩ -୪ ବର୍ଷ ପର୍ଯ୍ୟନ୍ତ ମୂଳ ଫସଲରୁ ଭଲ ଅମଳ ମିଳିଥାଏ । ଏହାର ମଞ୍ଜିକୁ ବେନ ଅଏଲ ନାମକ କାରଖାନା ଉପଯୋଗୀ ମୂଲ୍ୟବାନ ତେଲ ବାହାର କରାଯାଏ ।

ମୂର୍ତ୍ତିକା ଓ ଜଳବାଯୁ

ନିଗିଡା, ଦୋରସାରୁ ବାଲିଦୋରସା ଏବଂ ମାଟି ଯାହାର ଅମ୍ଳତା ୭.୦ ରୁ ୭.୫ ହୋଇଥିବ ସେ ମାଟି ଚାଷ ପାଇଁ ଉକୃଷ୍ଟ । ଏହା ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ହୋଇଥିବାରୁ ଆମ ରାଜ୍ୟରେ ଏହାର ଚାଷ ଭଲ ଭାବରେ କରାଯାଇପାରେ ।

କିସମ

ବ୍ୟବସାୟୀକ ଭିଟଟିରେ ବର୍ଷକିଆ (ବୁଦା  କିସମ) ସଜନ ଚାଷ କରାଯାଉଅଛି । ବୁଦା କିସମଗୁଡିକ ହେଲା –

ଲମ୍ବା ଫଳ (୭୦-୯୦)ସେ. ମି.)- ପି.କେ.ଏମ-୧ ଓ ୨। ଛୋଟ ଫଳ (୨୦-୩୦ ସେ.ମି)- କୋଡିକାଲ ମୁରିଙ୍ଗା, କାଟୁ ମୁରିଙ୍ଗା ।

ବିହନ

ବୁଦା କିସମ ଗୁଡିକୁ ମଞ୍ଜିରୁ ପଲିଥିନରେ ଛାଡ଼ କରି ୪୦-୪୫ ଦିନରେ ଚାରା ଲଗାଯାଏ । ଲଗାଇବା ପୂର୍ବରୁ ମଞ୍ଜିଗୁଡିକୁ କାର୍ବୋଣ୍ଡାଜିୟମ ରେ ବିଶୋଧନ କରିବା ନିହାତି ଦରକାର । ଏକର ପ୍ରତି ୨୫୦  ଗ୍ରାମ ମଞ୍ଜି ଓ ହେକ୍ଟର ପ୍ରତି ୬୨୫ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।

ଲଗାଇବା ପ୍ରଣାଳୀ

ଆମ ରାଜ୍ୟରେ ଜୁନ –ଜୁଲାଇ (ବର୍ଷା ଦିନେ) ଏବଂ ସେପ୍ଟେମ୍ବର ଅକ୍ଟୋବର ମାସରେ ଚାରା ଲାଗାଯାଏ । ଜମିକୁ ୨ -୩ ଥର ଚାଷ କରି ୮ ଫୁଟ ବ୍ୟବଧାନରେ ବର୍ଗାକାରରେ ଦେଢଫୁଟ ଲମ୍ବ,ପ୍ରସ୍ଥ ଓ ଗଭୀରର ଗାତ ଖୋଲନ୍ତୁ । ପ୍ରତି ୧୫ କି. ଗ୍ରା କ୍ଷତ ଓ ୧୦୦ ଗ୍ରାମ ନିମ୍ବପିଡିଆ ଦେଇ ମଞ୍ଜି ପୋତନ୍ତୁ । ଚାରା ଗଛ ଲଗାଉଥିଲେ, ୧୦x୫ ସେ. ମି କରି ମୁଣାରେ ଚାରା ତିଆରି କରି ୪୦ ଦିନିଆ ଚାରାଗଛଗୁଡିକୁ ୨.୫ମି x ୨.୫ମି ଦୂରତାରେ (୪୫x୪୫ x୪୫)ସେ .ମି ଆକାରରେ ଗାତରେ ଲଗାନ୍ତୁ । ଅତ୍ୟଧିକ ବର୍ଷା ସମୟରେ ଚାରାଗୁଡିକ ଲଗାଇବା ଅନୁଚିତ । କାରଣ ଅତ୍ୟଧିକ ପାଣି ଜମିରହିଲେ ଚାରାଗଛ ଗୁଡିକ ପଚିବା ସଙ୍ଗେ ସଙ୍ଗେ ଗଛ ଆସ୍ତେ ଆସ୍ତେ ହଳଦିଆ ରଙ୍ଗ ହୋଇ ମରିଯାଏ । ସେଥିପାଇଁ ସେପ୍ଟମ୍ବର-ଅକ୍ଟୋବର ମାସ ଚାରା ଗଛ ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ଅଟେ ।

ଖତ ଓ ସାର

ଅଧା ଯବକ୍ଷାରଜନ, ପଟାସ ଓ ପୁରା ଫସଫରସ ୯୦ ଦିନରେ ଓ ଆଉ ଅଧା ଯବକ୍ଷାରଜନ, ପଟାସ୧୮୦ ଦିନରେ ବ୍ୟବହାର କରନ୍ତୁ । ଲଗାଇବା ସମୟରେ ଗାତ ପ୍ରତି ୧୫ କି. ଗ୍ରା ଖତ ସହ ୧୦୦ ଗ୍ରାମ ନିମ୍ବପିଡିଆ ପ୍ରୟୋଗ କରନ୍ତୁ ।

ଫୁଲ ହେବା ସମୟରେ ଗଛ ପ୍ରତି ୧୦୦ ଗ୍ରାମ ଡି. ଏ . ପି ଏବଂ ଫଳ ହେବା ସମୟରେ ୧୦୦ ଗ୍ରାମ ନିମ୍ବପିଡିଆ ପ୍ରାୟୋଗ କରନ୍ତୁ ।

ପରବର୍ତ୍ତୀ ଯତ୍ନ

ଲଗାଇବାର ଏକ ମାସ ମଧ୍ୟରେ ମରିଯାଇଥିବା ସ୍ଥାନରେ ନୂଆ ଚାରା ଗଛ ଲଗାନ୍ତୁ । ଗଛର ଉଚ୍ଚତା ୭୫ -୧୦୦ ସେ.ମି. ହେବା ପରେ ଆରଟିକୁ ଛିଣ୍ଡାଇବା ସଙ୍ଗେ ସଙ୍ଗେ ପରେ ଚାରି ଦିଗକୁ ୪ଟି ଡାଳ ବଢାଇ ସେଗୁଡିକୁ ୧୫ ସେ.ମି ହୋଇଗଲେ ସେମାନଙ୍କର ଅଗଗୁଡିକୁ ମଧ୍ୟ ଛିଣ୍ଡାଇ ଦିଅନ୍ତୁ । ଫଳରେ ଗଛ ଗୁଡିକ ଝଙ୍କାଳିଆ ହେବା ସଙ୍ଗେ ସଙ୍ଗେ ବାଙ୍ଗରା ହୋଇ ବଢିବ ନଚେତ୍ ଗଛ ଡେଙ୍ଗାରେ ବଢି ଅମଳ ଖୁବ୍ କମ ହୋଇଥାଏ ।

ଅନାବନା ଘାସ ନିୟନ୍ତଣ

ଗଛ ଲଗାଇବାର ଏକମାସ ପରେ ପ୍ରତି ୧୫ ଦିନ ଅନ୍ତରରେ ଦୁଇଥର ଘାସ ବଛା ଓ କୋଡାଖୁସା କରନ୍ତୁ ।

ଅନ୍ତଃ ଫସଲ : ବଗିଚାରେ ଅନ୍ତଃ ଫସଲ ହିସାବରେ ପନିପରିବା ଓ ଡାଲିଜାତୀୟ ଫସଲ ନିଆଯାଇପାରେ । ଝୁଡଙ୍ଗ, ଟମାଟୋ,ଚିନାବାଦାମ, ମୁଗ ଆଦି ଫସଲକୁ ଅନ୍ତଃ ଫସଲ ହିସାବରେ ଚାଷ କରାଯାଇପାରିବ ।

ଜଳସେଚନ : କୋଡାଖୋସା କରି ମନ୍ଦା ପ୍ରଣାଳୀରେ ପାଗ ଦେଖି ୫-୧୦ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ । ଗଛ ବଢିବା ସମୟରେ ସପ୍ତାହେ (୭ ଦିନ) ଅନ୍ତରରେ ଜଳସେଚନ କରିବା ସଙ୍ଗେ ସଙ୍ଗେ ଫୁଲ ଓ ଫଳ ହେବା ସମୟରେ ୫ ଦିନ ଅନ୍ତରରେ ଜଳସେଚନ କରନ୍ତୁ ।

ମୂଳି ଫସଲ : ପ୍ରତିବର୍ଷ ବର୍ଷା ଆରମ୍ଭରେ ମାଟିଠାରୁ ୭୫ -୧୦୦ ସେ. ମି. ଉଚ୍ଚତାରୁ ଗଛକୁ କାଟି ପୁନଃ ଖତସାର ପ୍ରାୟୋଗ କରି ନୂତନ ଫସଲ ପରି ପରିଚାଳନା କଲେ ୪-୫ ମାସରେ ପୁନଶ୍ଚ ଫଳ ଧାରଣ କରି ତିନିବର୍ଷ ଯାଏ ଫଳିଯାଏ । କାଟିବା ପରେ କଟା ଅଂଶରେ ସଙ୍ଗେ ସଙ୍ଗେ ବୋରଡେକ୍ସ ଲବଣ ଲଗାନ୍ତୁ ।

ଅମଳ : ଲଗାଇବାର ୭ ମାସ ପରେ ଛୁଇଁ ତୋଳିବା ଆରମ୍ଭ ହୁଏ । ମଞ୍ଜି ତାନ ହେବା ପୂର୍ବରୁ ତୋଳନ୍ତୁ । ବର୍ଷକୁ ଗଛ ପ୍ରତି କିସମ ଅନୁସାରେ ୨୦୦-୫୦୦ ଫଳ ଫଳିଥାଏ । ୨ ୟ ଓ ୩ ବର୍ଷରେ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ । ଗଛପ୍ରତି ୩୦-୩୫ କି. ଗ୍ରା ଏବଂ ଏକର ପ୍ରତି ୨୦୦ କ୍ଵିଣ୍ଟାଲ ଯାଏ ଫଳ ଅମଳ ହୋଇଥାଏ ।

ରୋଗପୋକ ପରିଚାଳନା : ଫଳ ମାଛି ଏହି  ପୋକ ସାଧାରଣତଃ ସଜନା ଗଛର ପ୍ରଧାନ ଶତ୍ରୁ । ନିରାକରଣ ପାଇଁ ଆକ୍ରାନ୍ତ ହୋଇଥିବା ଫଳରେ ମିଥାଇଲ ଡିମେଟନ/ଡାଇମିଥୋଏଟ୍ /ଟ୍ରାଇଆ ତୋଫସ/ କ୍ଲୋରପ୍ଲାଇରିଫସକୁ ୨ମି.ଲି /ଲିଟର ପାଣିରେ ମିଶାଇ ଫଳ ଉପରକୁ ସ୍ପ୍ରେ କରନ୍ତୁ ।

ଆଧାର  -ଫାର୍ମ ମ୍ୟାନେଜର,କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା

 

 

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top