ହୋମ / କୃଷି / ଶସ୍ୟ ଉତ୍ପାଦନ / ହରଡ – ଏହାର ରୋଗ ପରିଚାଳନା
ସେଆର କରନ୍ତୁ

ହରଡ – ଏହାର ରୋଗ ପରିଚାଳନା

ହରଡ – ଏହାର ରୋଗ ପରିଚାଳନା ର ସୂଚନା

ହରଡରେ ରୋଗ ପରିଚାଳନା

ହରଡ ଫସଲ ୧୦୦ ରୁ ଅଧିକ କବକ ଦ୍ଵାରା ଆକ୍ରାନ୍ତ ହୋଇହାଏ । ସେମାନେ ହେଲେ କବକ, ବୀଜାଣୁ, ଭୂତାଣୁ, ସୂତ୍ରଜୀବ ଓ ମାଇକୋପ୍ଲାଜମା ଭଳି ଜୀବ (ଫାଇଟୋପ୍ଲାଜମା) । ସୌଭାଗ୍ୟବଶତଃ ଏମାନଙ୍କ ମଧ୍ୟରୁ ଅଳ୍ପ କେତେକେ ହରଡରେ ଆର୍ଥିକ କ୍ଷତି ଘଟାଇ ଥାଆନ୍ତି ଓ ମୁଖ୍ୟ ରୋଗଗୁଡିକର ବିସ୍ତୃତି ଭୌଗଳିକ ଦୃଷ୍ଟିକୋଣରୁ ସୀମିତ ଥାଏ । କ୍ଷତି ଲକ୍ଷଣ ଓ ଏହି ରୋଗଗୁଡିକର ପରିଚାଳନା ସମ୍ବନ୍ଧୀୟ ସଚେତନତା ହରଡ ଫସଲ ଉତ୍ପାଦକତା ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଅଲଟରନାରିଆ ପତ୍ରପୋଡା (ଅଲଟରନାରିଆ ଟେନୁଇସିମା ଓ ଅଲଟରନାରିଆ ଅଲଟରନାଟା)

ପ୍ରଥମେ ପତ୍ର ଉପରେ ଛୋଟ ଛୋଟ ପତ୍ରପୋଡା ଚିହ୍ନ ଦେଖାଯାଏ । ଏହା କ୍ରମଶଃ ଆକାରରେ ବଢିଯାଇ ଗାଢ ଓ ଫିକା ବାଦାମୀ ରଙ୍ଗର ପୋଡାଦାଗରେ ପରିଣତ ହୁଏ । ଏହାର ବାହାରପଟ ଢେଉ ଢେଉକା ହୋଇଥାଏ ଓ ଧାରା ବାଇଗଣୀରଙ୍ଗ ହୋଇଥାଏ । ରୋଗ ବଢିଗଲେ, ପୋଡାଦାଗ ବଢିଯାଇ ପରସ୍ପର ସହିତ ମିଶିଯାଆନ୍ତି । ଏହି ଦାଗ ଛୁଇଁ ସମେତ ମାଟି ଉପରେ ଥିବା ଫସଲର ସବୁ ଅଂଶରେ ଦେଖାଯାଏ । ଏହାଦ୍ଵାରା ପତ୍ର ପୋଡିଯାଏ, ପତ୍ର ଝଡିପଡେ, ଆକ୍ରାନ୍ତ ଡାଳ ଶୁଖିଯାଏ । ଏହି ରୋଗ ଏକ କବକ ଦ୍ଵାରା ସୃଷ୍ଟି ହୋଇଥାଏ । ଉଷ୍ଣ ଓ ଆର୍ଦ୍ର ପରିବେଶରେ ଏହି ରୋଗ ଅଧିକ ବ୍ୟାପିଯାଏ । ବିଳମ୍ବ ଫସଲରେ କିମ୍ବା ମୌସୁମୀ ପରବର୍ତ୍ତୀ ସମୟରେ ଏ ରୋଗ ଅଧିକ ମାତ୍ରାରେ ଦେଖାଯାଏ ।

ପରିଚାଳନା

    ଆଇସିପିଏଲ୍ ୩୬୬ ଓ ଡିଏ ୨ ଭଳି ପ୍ରତିରୋଧି ଶକ୍ତି ଥିବା କିସମ ଚାଷ କରନ୍ତୁ ।
  • ସଅଳ ବୁଣା ଓ ସୁସ୍ଥ ଫସଲରୁ ବିହନ ନିର୍ବାଚନ କରିବା
  • ବହୁ ବର୍ଷିୟ ହରଡ କ୍ଷେତ ପାଖରେ ଚାଷ କରନ୍ତୁ ନାହିଁ ।
  • ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ ସିଞ୍ଚନ କରନ୍ତୁ ।

ବୀଜାଣୁ ପତ୍ର ଦାଗ ଓ କାଣ୍ଡ ଯାଦୁରା (ଜାନ୍ଥୋମୋନାସ୍ କେମ୍ପେଷ୍ଟ୍ରିସ ପି.ଭି. କାଜାନି)

ଏକ ମାସିଆ ଫସଲର ତଳ ପତ୍ରରେ ଏକ ହଳଦିଆ ଉଜ୍ଵଳ ବଳୟଘେରା ଛୋଟ ବାଦାମୀ ଦାଗ ଦେଖାଯାଏ । ମୁଖ୍ୟ କାଣ୍ଡରେ ଓ ଶାଖାରେ ଖଡଡା, ବିଭିନ୍ନ ଆକୃତିର ଯାଦୁରା ଗାଢ ବାଦାମୀ ଦାଗ ଦେଖାଯାଏ । ଏହା ଯାଦୁରା ରୋଗ ଯୋଗୁଁ କାଣ୍ଡ ଭାଙ୍ଗିଯାଏ । କିନ୍ତୁ ଭଙ୍ଗା ଅଂଶ ମୂଳ ଗଛ ସହିତ ଲାଗି ରହିଥାଏ । ଅତିଶୟ ମାତ୍ରାରେ ଆକ୍ରାନ୍ତ ହେଲେ ଡାଳଗୁଡିକ ଶୁଖିଯାଏ । ଜମିରେ ଉତ୍ତମ ଭାବେ ଜଳ ନିଷ୍କାସିତ ହୋଇପାରୁଥିବା ସ୍ଥାନ ଅପେକ୍ଷା ଜଳ ଜମି ରହୁଥିବା ସ୍ଥାନରେ ଏହି ରୋଗ ଆକ୍ରମଣ ଅଧିକ ଦେଖାଯାଏ । ଜୁଲାଇ ଓ ଅଗଷ୍ଟ ମାସରେ ଏହି ରୋଗ ଅଧିକ ଦେଖାଯାଏ । ଉଷ୍ଣ ଓ ଆର୍ଦ୍ର ପାଗ ଏହି ରୋଗ ବିସ୍ତୃତିରେ ସାହାଯ୍ୟ କରେ ।

ପରିଚାଳନା

  • ଭଲଭାବେ ଜଳ ନିଷ୍କାସିତ ହେଉଥିବା ଜମି ଚୟନ କରନ୍ତୁ ।
  • କବକ ବିହନ ବାହିତ ହୋଇଥିବାରୁ ସୁସ୍ଥ ମଞ୍ଜିରୁ ବିହନ ବାଛିବା ଦ୍ଵାରା ରୋଗ ଆକ୍ରମଣକୁ ପ୍ରତିହତ କରିହୁଏ ।
  • ଷ୍ଟ୍ରେପଟୋସାଇକ୍ଲିନ ଭଳି ଜୀବନାଶକ ୧୦୦ ନିୟୁତାଂଶ (ପ୍ରତି ୧୦ ଲିଟର ପାଣିରେ ୧ ଗ୍ରାମ୍) ହିସାବରେ ୧୦ ଦିନ ବ୍ୟବଧାନରେ ସିଞ୍ଚନ କରନ୍ତୁ ।

ବୋଟ୍ରିଟିସ ଜିଆରଇ ମୋଲଡ (ବୋଟ୍ରିଟିସ ସିନେରିଆ)

ଫସଲ ଫଳନ୍ତି ଅବସ୍ଥାକୁ ଆସିଲଵ ଏହି ରୋଗ ଦେଖାଯାଏ । ବଢୁଥିବା ଅଗ, ଫୁଲ ଓ ଛୁଇଁରେ ଗାଢ ଧୂସର କବକ ବଢିଥାଏ । ଆକ୍ରାନ୍ତ ଫୁଲ ଝଡିପଡୁଥିବାରୁ ଛୁଇଁ ହେବା କମିଯାଏ । ମାଟି ଉପରେ ଝଡି ପଡିଥିବା ଫୁଲ ଓ ପତ୍ର ଉପର ଅଂଶ କବକ ରେଣୁର ଜାଲ ଦ୍ଵାରା ଆବୃତ ହୋଇଥାଏ । ଆକ୍ରାନ୍ତ ଆବର୍ଜନାରେ ଏହା ବଞ୍ଚିରହିପାରେ ଓ 〖୧୦〗^୦ସେଣ୍ଟିଗ୍ରେଡ ତାପମାତ୍ରାରେ ଏହା ଖୁବ୍ ସକ୍ରିୟ ହୋଇଥାଏ ।

ପରିଚାଳନା

  • କବକ ମାଟିରେ ୮ ମାସ ପର୍ଯ୍ୟନ୍ତ ରହିପାରୁଥିବାରୁ ଗଭୀର ଖରାଟିଆ ଚାଷ କରାଯିବା ଦରକାର ।
  • ଫସଲର ବହଳତା ହ୍ରାସ ଓ ଫସଲ ମଧ୍ୟରେ ଉତ୍ତମ ବାୟୁ ଚଳାଚଳ ଅବସ୍ଥା ଆବଶ୍ୟକ ହୁଏ ।
  • ଜୈବ ନିୟନ୍ତ୍ରକ ଭାବେ ଟ୍ରାଇକୋଡର୍ମା ପ୍ରଜାତି କବକ ବ୍ୟବହାର କରନ୍ତୁ ।
  • ପ୍ରତି ଲିଟର ପାଣିରେ ୩ ଗାମ ହିସାବରେ ମାଙ୍କୋଜେବକିମ୍ବା କ୍ଳୋରୋଥାଲୋନିଲ୍ ସିଞ୍ଚନ କରନ୍ତୁ ।

ସର୍କୋସ୍ପୋରା ପତ୍ର ଦାଗ (ସର୍କୋସ୍ପୋରା କାଜାନି ଓ ସର୍କୋସ୍ପୋରା ଇଣ୍ଡିକା)

ଏହା ପୁରୁଣା ପତ୍ରରେ ଦେଖାଯାଏ । ପାଗ ଥଣ୍ଡା ଓ ଆର୍ଦ୍ର ଥିଲେ ପତ୍ର ଉପରେ ଥିବା ଗୋଲାକାର ଦାଗ ମିଶିଯାଆନ୍ତି । ଫଳରେ ଗଛରୁ ଅଧିକ ପତ୍ର ଝଡିପଡେ । ଫସଲ ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତ ହେଲେ ଅଗମରା ରୋଗ ସୃଷ୍ଟି ହୁଏ । ଏହି ରୋଗ ସାଧାରଣତଃ ଫୁଲ ଓ ଫଳ ଧରିବା ଅବସ୍ଥାରେ ଦେଖାଦିଏ । କଅଁଳିଆ ଶାଖାରେ ଛୋଟ ବୃତ୍ତାକାରରୁ ଅନିୟମିତ ଗହୀରିଆ ପୋଡାଦାଗ ବା ପୋଡାଚିହ୍ନ ଫସଲରେ ଦେଖାଯାଏ । ଫସଲର ବିଳମ୍ବ କିସମ ଓ ବହୁବର୍ଷୀୟ ହରଡ ଚାଷ କରାଯାଇଥିବା ଅଞ୍ଚଳରେ ଏ ରୋଗ ଅଧିକ ଦେଖାଯାଏ ।

ପରିଚାଳନା

  • ରୋଗର ଉତ୍ସ ହେଉଥିବା ରୋଗାକ୍ରାନ୍ତ ବହୁବର୍ଷିୟ ଫସଲ କିଆରୀ ଠାରୁ ଦୂରରେ କ୍ଷେତ ଚୟନ କରନ୍ତୁ ।
  • ସହଣୀ / ପ୍ରତିରୋଧୀ କିସମ ଯଥା – ଆଇସିସି ୮୮୬୯, ଆଇସିପି ୧୨୭୯୨, ଆଲପାଲ୍ ୬୬ ଆଦି ଚାଷ କରନ୍ତୁ ।
  • ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ ସିଞ୍ଚନ କରନ୍ତୁ ।

ଗଳାପଚା ରୋଗ (ସ୍କେରୋସିୟମ ରଲଫସାଇ)

ଏହି ରୋଗ ଫସଲ ବୁଣିବାର ୧ ମାସ ମଧ୍ୟରେ କ୍ଷେତସାରା ବିକ୍ଷିପ୍ତ ଆକାରରେ ଦେଖାଯାଏ । ଚାରାଗଛ ମରିବା ଆଗରୁ ସାମାନ୍ୟ ହଳଦିଆ ହୋଇଥାଏ । ଗଳା ସ୍ଥାନରେ ପଚିଯାଏ ଓ ଏହା ଉପରେ ଧଳା କବକ ଜାଲ ଦେଖାଯାଏ, ଯାହାକି ଅନ୍ୟ ରୋଗ ଓ ଗଳାପଚା ରୋଗ ମଧ୍ୟରେ ଥିବା ପାର୍ଥକ୍ୟ ସୂଚାଇଥାଏ । ଆକ୍ରାନ୍ତ ଚାରା ସହଜରେ ଉପାଡି ହୁଏ କିନ୍ତୁ ଚେରର ନିମ୍ନ ଅଂଶ ସାଧାରଣତଃ ମାଟି ଭିତରେ ରହିଯାଏ । 〖୩୦〗^୦ ସେଣ୍ଟିଗ୍ରେଡ ତାପମାତ୍ରା ଓ ବୁଣିବା ସମୟରେ ମାଟିର ଜଳୀୟାଂଶ ଯୋଗୁଁ ମୁଖ୍ୟତଃ ଛୋଟ ଗଛଗୁଡିକ ଆକ୍ରାନ୍ତ ହୋଇଥାଆନ୍ତି । ଏହା ବିଳମ୍ବରେ ବୁଣା ଯାଇଥିବା ଫସଲ ଅପେକ୍ଷା ସଅଳ ବୁଣା ଫସଲକୁ ଅଧିକ ଆକ୍ରାନ୍ତ କରେ । ସଢି ନଥିବା ଫସଲ ମୂଳି କବକ ବିସ୍ତାର ପାଇଁ ଉତ୍ତମ ଆଧାର ହୋଇଥାଏ ।

ପରିଚାଳନା

  • ଗଭୀର ଖରାଟିଆ ହଳ କରନ୍ତୁ ।
  • ଉତ୍ତମ ଭାବେ ଜଳ ନିଷ୍କାସନ ହେଉଥିବା ଜମି ଚୟନ କରନ୍ତୁ ।
  • ଜମିରେ ସଢି ନଥିବା ଜୈବିକ ପଦାର୍ଥକୁ ଜମିରୁ ବାହାର କରି ଦିଅନ୍ତୁ ।
  • ମାଟିରେ ଜଳୀୟାଂଶ କମ୍ ଥିବାବେଳେ ବୁଣନ୍ତୁ ।
  • ପୂର୍ବ ଋତୁରେ ଶସ୍ୟ ଜାତୀୟ ଫସଲ ଚାଷ ହୋଇନଥିବା ଜମି ବାଛନ୍ତୁ । ହରଡ ବୁଣିବା ଆଗରୁ ଶସ୍ୟଜାତୀୟ ଫସଲର ମୂଳି ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ ।
  • ପ୍ରତି କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଥିରାମ୍ କିମ୍ବା କ୍ୟାପଟାନ୍ କିମ୍ବା ଥିରାମ + କାର୍ବେଣ୍ଡାଜିମ୍ (୨:୧)୦.୨୫% ରେ ବିହନ ବିଶୋଧନ କରନ୍ତୁ ।

ଝାଉଂଳା (ଫୁଜାରିୟମ ଅଡମ୍)

ହରଡ ଫସଲ ଏହାର ବୃଦ୍ଧିର ସବୁ ସମୟରେ ଝାଉଂଳା ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ମାତ୍ର ଫୁଲ ଓ ଛୁଇଁ ଧରିବା ଅବସ୍ଥାରେ ଲକ୍ଷଣ ସ୍ପଷ୍ଟ ଜଣାପଡେ ଓ ଅଧିକ କ୍ଷତି ଘଟିଥାଏ । ଝାଉଂଳା ରୋଗ ହେଲେ ପତ୍ର ହଳଦିଆ ପଡିଯାଏ । ତା ପରେ ଅସମୟରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଗଛ ମରିଯାଏ । କାଣ୍ଡରେ ତଳୁ ଉପରକୁ ଏକ ବାଇଗଣୀ ରଙ୍ଗର ପଟି ବିସ୍ତୃତ ହୋଇ ଥିବାର ଦେଖାଯାଏ । ଏହି ବାଇଗଣୀ ପଟି ନିକଟରେ କାଣ୍ଡ ତନ୍ତୁ ବାଦାମୀ ହୋଇଥିବାର ଦେଖାଯାଏ । ମୁଖ୍ୟ କାଣ୍ଡ ବା ପ୍ରାଥମିକ ଶାଖା ଚିରି ଦେଖିଲେ ବାଦାମୀ କିମ୍ବା କଳା ରଙ୍ଗର ସଂବାହୀନଳୀ (ଜାଇଲେମ୍) ଦେଖାଯାଏ । ଏହି ରୋଗ ଉଭୟ ବିହନ ଓ ମୃତ୍ତିକା ବାହିତ । ମାଟିରେ ଆକ୍ରାନ୍ତ ଫସଲର ନଷ୍ଟାବଶେଷରେ କବକ ୩ ବର୍ଷ ଯାଏ ବଞ୍ଚି ରହିପାରେ । ମୂଳି ଫସଲ ଚାଷ କଲେ ଝାଉଂଳା ରୋଗ ବାହିତ ହୁଏ । ବିଳମ୍ବ ଓ ମଧ୍ୟମ ଅବଧି ଫସଲ ସଅଳ ଅବଧି ଅପେକ୍ଷା ଅଧିକ ଆକ୍ରାନ୍ତ ହୁଏ । ନାଲିମାଟି ଅପେକ୍ଷା କଳାମାଟିରେ ରୋଗ ଅଧିକ ହୁଏ ।

ପରିଚାଳନା

  • ଅନ୍ତତଃପକ୍ଷେ ପୂର୍ବ ୩ ବର୍ଷ ମଧ୍ୟରେ ଝାଉଂଳା ରୋଗ ହୋଇ ନଥିବା ଜମି ବାଛନ୍ତୁ ।
  • ହରଡ ସହିତ ଶସ୍ୟ ଜାତୀୟ ଫସଲକୁ ଅନ୍ତଃଫସଲ ବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ । ଉଦାହରଣ ସ୍ୱରୂପ ମାଟିରେ ଜଳୀୟାଂଶ କମ୍ ଥିଲେ ଯଅ ଚାଷ କରନ୍ତୁ ।
  • ୩ ବର୍ଷ ପରେ ଯଅ, ଧୂଆଁପତ୍ର କିମ୍ବା ଜଡାରେ ଫସଲ ଚକ୍ରୀକରଣ କରନ୍ତୁ ।
  • ପ୍ରତିରୋଧୀ ଶକ୍ତି ଥିବା କିସମ ଯଥା – ଦୂର୍ଗା (ଆଇ.ସି.ପିଏଲ୍ - ୮୪୦୩୧), ଲକ୍ଷ୍ମୀ (ଆଇ.ସି.ପି.ଏଲ୍. ୮୫୦୬୩), ମାରୁତି (ଆଇ.ସି.ପି. ୮୮୬୩) ଡି.ପି.ଏ. ୮୫ – ୧୧, ୮୫ – ୧୨, ୮୫ – ୧୩ ଓ ୮୫ – ୧୪, ପି.ଆର.ଜି. ୧୦୦ ଇତ୍ୟାଦି ।
  • ପ୍ରତି କି.ଗ୍ରା. ବିହନରେ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡି + ୩ ଗ୍ରାମ୍ ଥିରାମ୍ ମିଶାଇ ବିହନ ବିଶୋଧନ କରନ୍ତୁ ।
  • ଝାଉଂଳା ରୋଗାକ୍ରାନ୍ତ ଗଛା ଉପାଡି ଜାଳେଣି ଭାବେ ବ୍ୟବହାର କରନ୍ତୁ ।
  • ଗୋବର ଖତ ସହିତ ହେକ୍ଟର ପ୍ରତି ୫ କି.ଗ୍ରା ଟ୍ରାଇକୋଡର୍ମା ଭିରିଡି ଫର୍ମୁଲେଶନ ପ୍ରୟୋଗ କରନ୍ତୁ ।

ଫାଇଟୋପଥୋରା ପୋଡା (ଫାଇଟୋପଥୋରା ଡ୍ରେକସ୍ଲେରି ଏଫ୍. ସ୍ପିସିସ୍ କାଜାନି) ରୋଗ

ଏହି ରୋଗ ଯୋଗୁଁ ହଠାତ୍ ମରିଯାଏ । ଛୋଟ ଚାରା 3 ଦିନ ମଧ୍ୟରେ ମରିଯାଏ ଓ ତାହା ଜଣାପଡେ ନାହିଁ । ଯେତେବେଳେ ଗଛ ପ୍ରାୟ ୧ ମାସର ହୋଇଯାଏ ପ୍ରଥମେ ପ୍ରାଥମିକ ଓ ତ୍ରିଶାଖା ପତ୍ରରେ ପାଣି ପୋଚକା ପୋଡା ଚିହ୍ନ ଦେଖାଯାଏ ଯାହାକି ୫ ଦିନ ମଧ୍ୟରେ ପୋଡା (ଲେଜନ) ଦାଗରେ ପରିଣତ ହୋଇଯାଏ । ଉପପତ୍ରରେ ଥିବା ପୋଡାଦାଗଗୁଡିକ ବୃତ୍ତାକାରରୁ ଅନିୟମିତ ଆକୃତିର ହୋଇଥାଏ ଓ ୧ ସେ.ମି. ବ୍ୟାସ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ସପ୍ତାହକ ମଧ୍ୟରେ ସମସ୍ତ ପତ୍ର ପୋଡାଳିଆ ହୋଇଯାଏ । ପରେ ପରେ ମୁଖ୍ୟ କାଣ୍ଡ, ଶାଖା ଓ ଡେମ୍ଫରେ ବାଦାମୀରୁ ଗାଢ ବାଦାମୀ ପୋଡା କ୍ଷତ ସୁସ୍ଥ ସବୁଜ ଅଂଶ ଠାରୁ ପୃଥକ ହୋଇ ଦେଖାଯାଏ । ଆକ୍ରାନ୍ତ କାଣ୍ଡ ପବନରେ ସହଜରେ ଭାଙ୍ଗିଯାଏ । କବକ ମାଟିରେ ଓ ଆକ୍ରାନ୍ତ ଫସଲ ଆବର୍ଜନାରେ ବଞ୍ଚିରହେ । ମେଘୁଆ ପାଗ ଓ ଝିପିଝିପି ବର୍ଷା ସହିତ 〖୨୫〗^୦ ସେଣ୍ଟିଗ୍ରେଡ ତାପମାତ୍ରା କବକ ଆକ୍ରମଣ ପାଇଁ ଅନୁକୂଳ ହୋଇଥାଏ । ଖାଲୁଆ ଜମିରେ ପାଣି ଜମି ରହିଲେ ଓ ପାଖାପାଖି ଗଛ ଥିଲେ ଏହି ପୋଡା ରୋଗ ହୁଏ । ପଟାସ ନଥାଇ ଅଧିକ ମାତ୍ରାରେ ଜାକ୍ଷାରଜାନ ପ୍ରୟୋଗ କରାଯାଇଥିଲେ ଏହି ରୋଗର ଆକ୍ରମଣ ଅଧିକ ହୁଏ । ମାଟିରେ ଯବକ୍ଷାରଜାନ ଓ ଫସଫରସର ଉପସ୍ଥିତି ଉପରେ ନିର୍ଭର ନକରି ପଟାସ ପ୍ରୟୋଗ ଦ୍ଵାରା ରୋଗ ହ୍ରାସ ପାଏ । ଲୋହିତ ମୃତ୍ତିକା (ଅଲଟିସଲ) ରେ କୃଷ୍ଣକାର୍ପାସ ମୃତ୍ତିକା (ଭର୍ଟିସଲ) ଅପେକ୍ଷା ରୋଗ ଆକ୍ରମଣ ଅଧିକ ହୁଏ ।

ପରିଚାଳନା

  • ମାଟିକୁ ଖରା ଖୁଆଇବା ଓ ଖରାଟିଆ ହଳ କରିବା
  • ଉଚ୍ଚ ପଟି କରିବା ଓ ଉତ୍ତମ ଭାବେ ଜଳ ନିଷ୍କାସିତ ହେବା ଦରକାର ।
  • ଧାଡି ଧାଡି ମଧ୍ୟରେ ଅଧିକ ବ୍ୟବଧାନ ରଖିବା ।
  • ପ୍ରତିରୋଧି ଶକ୍ତି ଥିବା କିସମ ଯଥା – କେ.ପି.ଏଲ୍ ୪୩, କେ.ପି.ଏଲ୍ ୪୪, ଆଇସିପିଏଲ୍ ୪୪, ଆର.ସି.ପି.ଏଲ୍ ୨୮୮, ଆଇସିପିଏଲ୍ ୩୦୪ ଆଦି ଚାଷ କରିବା ।
  • ପ୍ରତି କି.ଗ୍ରା. ବିହନରେ ୪ ଗାମ୍ ହିସାବରେ ତରାଇକୋଡର୍ମା ଭିରିଡି ଫର୍ମୁଲେଶନ +୬ ଗ୍ରାମ୍ ମେଟାଲାକ୍ସିଲରେ ବିହନ ବିଶୋଧନ କରିବା ।
  • ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ହିସାବରେ ମେଟାଲାକ୍ସିଲ ମିଶାଇ ପତ୍ର ସିଞ୍ଚନ କରାଯାଏ ।

ପାଉଁଶିଆ ରୋଗ (ଓଇଡିଓପ୍ ସିସ୍ ଟରକା)

ଆକ୍ରାନ୍ତ ଗଛରେ ମାଟି ଉପରେ ଥିବା ଅଂଶରେ କବକର ଧଳା ଗୁଣ୍ଡ ଦେଖାଯାଏ । ପ୍ରଥମାବସ୍ଥାରେ ପ୍ରତ୍ୟକ ପତ୍ରର ଉପର ପଟରେ ଛୋଟ ହଳଦିଆ ଦାଗ ଲକ୍ଷଣ ଦେଖାଯାଏ । ତା ପରେ ପରେ ସେହି ପତ୍ରର ତଳପଟରେ ଧଳା ଗୁଣ୍ଡର ପଟିମାନ ଦେଖାଯାଏ । ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତ ହେଲେ ଗଛ ବିଶେଷ ଭାବରେ ପତ୍ରଝଡା ଦିଏ । ଏହି ରୋଗ ହେବା ଦ୍ଵାରା କୋମଳ ଗଛଗୁଡିକ ରୁଗୁଡିଆ ପଡିଯାଏ । ଥଣ୍ଡା ଓ ଆର୍ଦ୍ର ଜଳବାୟୁ କବକ ସଂକ୍ରମଣ ଓ ଉପନିବେଶୀକରଣ ପାଇଁ ଅନୁକୂଳ ହୋଇଥାଏ କିନ୍ତୁ ଉଷ୍ଣ ଆର୍ଦ୍ର ଜଳବାୟୁ କବକ ରେଣୁ ସୃଷ୍ଟି ଓ ରେଣୁ ସ୍ଥାନାନ୍ତର ପାଇଁ ଉପଯୋଗୀ ହୁଏ । ଛାଇରେ ବଢୁଥିବା ବହୁବର୍ଷୀୟ ହରଡରେ ଆପେଆପେ ଭାବେ ଉଠିଥିବା ଗଛ ଓ ଅମଳ ସରିଥିବା ଫସଲ ମୂଳରୁ ଉଠିଥିବା ଗଛରେ କବକ ବଞ୍ଚିରହେ । ସଅଳ ବୁଣା ଓ ଜଳସେଚନ ରୋଗ ବଢିବାରେ ସାହାଯ୍ୟ କରିଥାନ୍ତି ।

ପରିଚାଳନା

  • ରୋଗର ଉତ୍ସ ହେଉଥିବା ବହୁ ବର୍ଷୀୟ ହରଡ ଗଛ ଠାରୁ ଦୂରରେ ଥିବା ଜମି ଚୟନ କରନ୍ତୁ ।
  • ବିଳମ୍ବ ବୁଣା (ଜୁଲାଇ ପରେ) କରିବା ଦ୍ଵାରା ରୋଗ କମିଠାଏ ।
  • ରୋଗ ସହଣୀ ଶକ୍ତି ଥିବା ବିହନ କିସମ ଯଥା – ଆଇ.ସି.ପି. ୭୦୩୫, ଆଇ.ସି.ପି. ୮୮୬୨, ଆଇ.ସି.ପି. ୯୧୭୭, ଆଇ.ସି.ପି. ୯୧୭୯, ଆଇ.ସି.ପି. ୯୧୮୮, ଆଇ.ସି.ପି. ୯୧୯୨ ଇତ୍ୟାଦି ।
  • ପ୍ରତି ଲିଟର ପାଣିରେ ୧ ଗ୍ରାମ୍ ହିସାବରେ ସେଚିତ ସଲଫର ଗୁଣ୍ଡ କିମ୍ବା ୦.୫-୧ ଗ୍ରାମ୍ କାର୍ବେଣ୍ଡାଜିମ୍ ସିଞ୍ଚନ କରନ୍ତୁ ।

କଳଙ୍କି (ୟୁରିଡୋ କାଜାନି)

ରୋଗ ଲକ୍ଷଣ ପତ୍ରର ତଳପଟରେ ବାଦାମୀ ରଙ୍ଗର ୟୁରିଡିଆ ରେ ପୂର୍ଣ୍ଣ ହୋଇଥିବା ଉଚ୍ଚାଳିଆ ଫୋଟକା ଆକାରରେ ଦେଖାଯାଏ । ଆକ୍ରାନ୍ତ ପତ୍ର ଶୁଖିଯାଇ ଝଡିପଡେ । ଅତ୍ୟଧିକ ଆକ୍ରାନ୍ତ ହେଲେ ଗଛ ବିଶେଷ ଭାବେ ପତ୍ରଝଡା ଦିଏ । ବହଳିଆ ଗଛ, ହାଲୁକା ବର୍ଷା ପବନ ଓ ମେଘୁଆ ପାଗ ହେଲେ ରୋଗ ବଢିଯାଏ । ଫୁଲ ଅବସ୍ଥା ଆରମ୍ଭ ହେଲେ ରୋଗର ମାତ୍ରା ବଢିଯାଏ

ପରିଚାଳନା

  • ବିନ୍ କ୍ଷେତ ପାର୍ଶ୍ଵରେ ହରଡ ବୁଣନ୍ତୁ ନାହିଁ ।
  • କବକ ନ ବଞ୍ଚିବା ପାଇଁ ଫସଲ ଚକ୍ରୀକରଣ କରନ୍ତୁ ।
  • ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ ସିଞ୍ଚନ କରନ୍ତୁ ।

ଷ୍ଟେରିଲିଟି ମୋଜାଇକ (ଷ୍ଟେରିଲିଟି ମୋଜାଇକ ଭୂତାଣୁ)

ଗୋଟିଏ ମାତ୍ର ଏରିଓଫଏଡ ଅଷ୍ଟପଦୀ ଏହି ରୋଗ ବହନ କରିବା ପାଇଁ ଯଥେଷ୍ଟ । ବହୁବର୍ଷୀୟ ଫସଲ, ମୂଳି ଫସଲ ଓ ଆପେଆପେ ଉଠିଥିବା ହରଡରୁ ଅଷ୍ଟପଦୀ ବାହକ ଫସଲରେ କବକ ସଂକ୍ରମଣ କରିଥାଏ । ଜମିରେ କିଛି ଦୂରରୁ ଠାଏ ଠାଏ ବୁଦାଳିଆ, ଫୁଲ ଓ ଛୁଇନ ବିହୀନ ଫିକା ସବୁଜ ରଙ୍ଗର ଗଛରୁ ଏହି ରୋଗାକ୍ରାନ୍ତ ଫସଲ ଦେଖିହୁଏ । ପତ୍ରଗୁଡିକ ଛୋଟ ଓ ପ୍ରଥମେ ଫିକା ଓ ଗାଢ ସବୁଜ ରଙ୍ଗିଲା ଆକାରରେ କଅଁଳିଆ ପତ୍ରରେ ଦେଖାଯାଏ । ଗଛ ହେବାର ୪୫ ଦିନ ପରେ ଗଛର କେତେକ ଅଂଶରେ ରୋଗ ଲକ୍ଷଣ ଦେଖାଯାଉଥିବାବେଳେ ଅନ୍ୟାନ୍ୟ ଅଂଶ ସ୍ଵାଭାବିକ ରହେ । ଏହା ଦେଖାଯାଇଛି ଯେ ବର୍ଷାଋତୁରେ ବିଳମ୍ବ (ସେପ୍ଟେମ୍ବର) ବୁଣା ହରଡରେ ଅଧିକ ରୋଗ ଦେଖାଦିଏ । ସଅଳ ବୁଣା ହରଡରୁ ଏହି ରୋଗ ବିଳମ୍ବ ଫସଲକୁ ସଂକ୍ରମିତ ହୋଇଥାଏ । ଛାଇ ଓ ଆର୍ଦ୍ରତା ଭୂତାଣୁ ସଂଖ୍ୟା ବଢାଇବାରେ ସାହାଯ୍ୟ କରେ ।

ପରିଚାଳନା

  • ବହୁ ବର୍ଷୀୟ କିମ୍ବା ମୂଳି ହରଡ ଫସଲ ଷ୍ଟେରିଲିଟି ମୋଜାଇକ ଭୂତାଣୁର ଉତ୍ସ ହୋଇଥିବାରୁ ଏହାକୁ ନଷ୍ଟ କରିଦିଅନ୍ତୁ ।
  • ରୋଗର ପ୍ରଥମାବସ୍ଥାରେ ଆକ୍ରାନ୍ତ ଗଛଗୁଡିକୁ ଉପାଡି ଓ ନଷ୍ଟ କରିଦିଅନ୍ତୁ ।
  • ରୋଗ ପ୍ରତିରୋଧି / ସହଣୀ କିସମ ଯଥା – ଆଇ.ସି.ପି.ଏଲ୍. ୧୫୭, ଏନ.ପି. (ଡବ୍ଲ୍ୟୁ.ଆର) ୧୫, କେପିଏଲ୍ ୪୩, କେପିଏଲ୍ ୪୪, ବାହାର, ପୁଷା ୯ ଆଦି ଚାଷ କରନ୍ତୁ ।
  • ଫସଲ ବୃଦ୍ଧିର ପ୍ରଥମାବସ୍ଥାରେ ଅଷ୍ଟପଦୀ ବାହକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୩ ମି.ଲି. ହିସାବରେ ଡାଇକୋଫଲ୍ କିମ୍ବା ୩ ଗ୍ରାମ୍ ସଲଫର୍ ଅଷ୍ଟପଦୀନାଶକ ସିଞ୍ଚନ କରନ୍ତୁ ।

ହଳଦିଆ ମୋଜାଇକ (ହଳଦିଆ ମୋଜାଇକ ଭୂତାଣୁ)

ଏହି ରୋଗ ପ୍ରଥମେ କେବଳ ଶିରା ଓ ଉପଶିରାରେ ସୀମିତ ନ ରହି ଫଳକରେ ହଳଦିଆ ରଙ୍ଗର ବିକ୍ଷିପ୍ତ ବିନ୍ଦୁ ଆକାରରେ ଦେଖାଯାଏ । ଏହି ଦାଗଗୁଡିକ ଧୀରେ ଧୀରେ ବଢିଯାଏ ଓ ପରବର୍ତ୍ତୀ ଅବସ୍ଥାରେ ଆକ୍ରାନ୍ତ ପତ୍ରରେ ଚଉଡା ହଳଦିଆ ଓ ସବୁଜ ରଙ୍ଗର ଦାଗ ଆଗପଛ ହୋଇ ଦେଖାଯାଏ । ବେଳେବେଳେ ସମ୍ପୂର୍ଣ୍ଣ ପତ୍ରଫଳକଟି ହଳଦିଆ ଦେଖାଯାଏ । ସଂକ୍ରମଣର ପ୍ରଥମାବସ୍ଥାରେ ପତ୍ରର ଆକାର ଆଖିଦୃଶିଆ ଭାବେ କ୍ଷୁଦ୍ର ହୋଇଯାଏ । ଜମିରେ ରୋଗାକ୍ରାନ୍ତ ଗଛଗୁଡିକ ଠାଏ ଠାଏ ଦେଖାଯାଏ ଓ ଅଳ୍ପ ସଂଖ୍ୟକ ଛୁଇନ ଆସିଥାଏ । ବିଳମ୍ବ ବୁଣା ହରଡରେ ରୋଗ ଅପେକ୍ଷାକୃତ କମ୍ ମାତ୍ରାରେ ଦେଖାଯାଏ । ଏହି ରୋଗର ବାହକ ହେଉଛି ଧଳାମାଛି (ବେମିସିଆ ଟାବାସି) ।

ପରିଚାଳନା

  • ରୋଗମାତ୍ରା ହ୍ରାସ କରିବା ପାଇଁ ବିଳମ୍ବ ବୁଣା କରନ୍ତୁ ନାହିଁ ।
  • ଜମିରେ ଠାଏ ଠାଏ ହୋଇ ରୋଗ ଦେଖା ଯାଉଥିଲେ ଆକ୍ରାନ୍ତ ଗଛକୁ ଉପାଡି ପୋଡି ଦିଅନ୍ତୁ ।

ଶୁଷ୍କ ଛେରା ସଢା (ରାଇଜୋକଟୋନିଆ ବାଟାଟିକୋଲ ଓ ମାକ୍ରୋଫୋମିନା ଫେଜିଓଲିନା)

ବିଳମ୍ବ ବୁଣା କିମ୍ବା ଖରାଦିନିଆ ହରଡ, ବହୁବର୍ଷୀୟ ଓ ମୂଳି ହରଡ ଫସଲରେ ଶୁଷ୍କ ଛେରା ସଢା ରୋଗ ଏକ ମୁଖ୍ୟ ସମସ୍ୟା । ଆକ୍ରାନ୍ତ ଗଛ ହଠାତ୍ ଅସମୟରେ ଶୁଖିଯାଏ । ସଅଳ ଲକ୍ଷଣ ଭାବେ କାଣ୍ଡ ଓ ଶାଖାରେ ତାକୁଡି ଆକୃତିର ପୋଡା ଦାଗ ଦେଖାଯାଏ । ଚେରଗୁଡିକ ଭଙ୍ଗୁର ହୋଇଥାଏ ଓ ଛୁଇଁହେଲେ ଛିଡିଯାଏ । ରୋଗ ଲକ୍ଷଣ ସାଧାରଣତଃ ଫୁଲ ଓ ଛୁଇଁ ଧରିବା ଅବସ୍ଥାରେ ଦେଖାଯାଏ । ଉଷ୍ଣ (〖୩୦〗^୦ ସେଣ୍ଟିଗ୍ରେଡରୁ ଅଧିକ) ଓ ଶୁଖିଲା ପାଗ ରୋଗ ସୃଷ୍ଟି ପାଇଁ ଅନୁକୂଳ । ନାଲିମାଟି ଅପେକ୍ଷା କଳାମାଟିରେ ରୋଗ ଆକ୍ରମଣ ଅଧିକ ମାତ୍ରାରେ ଦେଖାଯାଏ । କବକ ଉଭୟ ମୃତ୍ତିକା ଓ ବିହନ ବାହିତ ହୋଇଥାଏ । ବହୁଦିନ ଧରି ଶୁଖିଲା ପାଗ ପରେ ବର୍ଷା ହେଲେ ଫସଲରେ ରୋଗର ମାତ୍ରା ବଢିଯାଏ ।

ପରିଚାଳନା

  • ପୂର୍ବ ବର୍ଷମାନଙ୍କରେ ଶୁଷ୍କ ଚେର ସଢା ରୋଗ ହୋଇନଥିବା କ୍ଷେତ ଚୟନ କରନ୍ତୁ ।
  • ବିଳମ୍ବ ବୁଣା କରନ୍ତୁ ନାହିଁ । ଫଳରେ ଫସଲ ପାକଲା ଅବସ୍ଥାରେ ମରୁଡି ଓ ଅଧିକ ତାପମାତ୍ରାରୁ ରକ୍ଷା ପାଇଥାଏ ।
  • ପ୍ରତି କି.ଗ୍ରା. ବିହନରେ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡି ଫର୍ମୁଲେଶନ +୩ ଗ୍ରାମ୍ ଥିରାମରେ ବିହନ ବ୍ଶୋଧନ କରନ୍ତୁ ।
  • ହେକ୍ଟର ପ୍ରତି ୧୨୫ କି.ଗ୍ରା. ସଢା ଗୋବର ଖତରେ ୫କି.ଗ୍ରା. ଟ୍ରାଇକୋଡର୍ମା ଭିରିଡି ଫର୍ମୁଲେଶନ ମିଶାଇ ପ୍ରୟୋଗ କରନ୍ତୁ ।

ବିଶେଷ ବାର୍ତ୍ତା

  • ହରଡରେ ଝାଉଂଳା, ଫାଇଟୋପ୍ ଥୋରା ପୋଡା ଓ ଶୁଷ୍କ ଚେର ସଢା ହେଉଛି ମୁଖ୍ୟ କବକ ଜନିତ ରୋଗ ।
  • ପତ୍ରଦାଗ ଓ କାଣ୍ଡ ଯାଦୁରା ରୋଗ ଭଳି ବୀଜାଣୁ ଜନିତ ରୋଗ ସାଧାରଣତଃ ବର୍ଷା ଦିନରେ ଦେଖାଯାଏ ।
  • ଏରିଓଫଏଡ ଅଷ୍ଟପଦୀ ଦ୍ଵାରା ବାହିତ ହେଉଥିବା ଷ୍ଟେରିଲିଟି ମୋଜାଇକ ଭୂତାଣୁ ଯୋଗୁଁ ବନ୍ଧ୍ୟା (ଷ୍ଟେରିଲିଟି ମୋଜାଇକ) ରୋଗ ହୋଇଥାଏ ।
  • ପାଉଁଶିଆ ରୋଗ, ପତ୍ର ଦାଗ, ପୋଡା ଓ ଜିଆରଇ ମୋଲଡ ହରଡର ଗୌଣ ରୋଗ ।
  • ରୋଗ ନିୟନ୍ତ୍ରଣ ପାଇଁ ପ୍ରତିରୋଧି ଶକ୍ତି ଥିବା ବିହନ ବ୍ୟବହାର ହେଉଛି ସର୍ବୋତ୍ତମ ପଦ୍ଧତି ।
  • ଟ୍ରାଇକୋଡର୍ମା ଭଳି ଜୈବ ନିୟନ୍ତ୍ରକ ବ୍ୟବହାର, ଏକ ମିତବ୍ୟୟୀ, ପରିବେଶ ବନ୍ଧୁ ଓ ନିରାପଦ ରୋଗ ନିୟନ୍ତ୍ରଣ ବ୍ୟବସ୍ଥା ।
  • କେବଳ ଆବଶ୍ୟକ ସ୍ଥଳେ ରାସାୟନିକ ରୋଗ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top