ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ
ସେଆର କରନ୍ତୁ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ହେଉଛି ପରିବେଶ ବିଜ୍ଞାନ ସଂପର୍କିତ ପାଠ୍ୟକ୍ରମ ସମ୍ବନ୍ଧୀୟ ସୂଚନା ।

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ହେଉଛି ପରିବେଶ ବିଜ୍ଞାନ ସଂପର୍କିତ ପାଠ୍ୟକ୍ରମ । ପୂର୍ବରୁ ଏହି ପାଠ୍ୟକ୍ରମ ସିଭିଲ୍  କିମ୍ବା କେମିକାଲ  ଇଞ୍ଜିନିୟରିଂ ସହ ପଢାଯାଉଥିଲା । ମାତ୍ର ଜଳ ଓ ପ୍ରଦୂଷଣ ସମସ୍ୟା ବୃଦ୍ଧି ପାଇବାକୁ ଏବେ ଏହାକୁ ଏକ ସ୍ଵତନ୍ତ୍ର ପାଠ୍ୟକ୍ରମ ବର୍ଗରେ ସାମିଲ କରାଯାଇଛି । ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ ବୈଜ୍ଞାନିକ ପଦ୍ଧତି  ଓ ବୈଷୟିକ ଜ୍ଞାନ କୌଶଳ ବିଦ୍ୟାର ପ୍ରୟୋଗ କରାଯାଇଥାଏ । ପରିବେଶର ଶୁଦ୍ଧିକରଣ ଓ ବିଶୁଦ୍ଧ ପରିବେଶର ବିକାଶ ଆଣିବା ଦିଗରେ ଏହି ପାଠ୍ୟକ୍ରମ ଗୁରୁତ୍ଵ ଦିଆଯାଏ । ଏଥିରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଶିଳ୍ପଭିତ୍ତିକ ସ୍ୱାସ୍ଥ୍ୟରକ୍ଷା, ବିକିରଣ ସୁରକ୍ଷା, ବିଷାକ୍ତ ପଦାର୍ଥ ନିୟନ୍ତ୍ରଣ, ପୁନଃଚକ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଜଳଯୋଗାଣ, ଅପରିଷ୍କାର ଜଳ ପରିଚାଳନା ଆଦି ଅନେକ ବିଷୟ ରହିଛି ।

ବିଶ୍ଵବ୍ୟାପୀ ପରିବେଶର ସଂରକ୍ଷଣ ଓ ବିକାଶ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ପ୍ରଦାନ କରିବା ହେଉଛି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କ ମୁଖ୍ୟ କାମ ।  ଏମାନେ  ବିଭିନ୍ନ ପ୍ରଦୂଷଣ ନିୟନ୍ତ୍ରଣକାରୀ ଯନ୍ତ୍ରଗୁଡ଼ିକର ରୂପରେଖ ପ୍ରସ୍ତୁତ କରିଥାନ୍ତି । ପରିବେଶ ସଂପର୍କିତ କେତେକ ଯୋଜନାରେ ମଧ୍ୟ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ କାର୍ଯ୍ୟ କରିଥାନ୍ତି । ପ୍ରାଣୀ ସୁରକ୍ଷା, ବିଭିନ୍ନ ପରିବେଶ ପ୍ରକଳ୍ପ ଉପରେ ଗବେଷଣା, ଜଳଯୋଗାଣ ଏବଂ ଶିଳ୍ପରୁ ନିର୍ଗତ  ଅପରିଷ୍କାର ଜଳ ପରିଚାଳନା ସହ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ସଂପୃକ୍ତ ଥାଆନ୍ତି । ସାରା ବିଶ୍ଵ ସମୁଦାୟ ଏବେ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ଵ ଦେଉଥିବାରୁ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କ ଚାହିଦା ବଢିବାରେ ଲାଗିଛି ।

ଯୋଗ୍ୟତା/ପାଠ୍ୟକ୍ରମ

ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂରେ  ସ୍ନାତକ(ବି.ଇ./ବି.ଟେକ୍.)ଡିଗ୍ରୀ, ସ୍ନାତକୋତ୍ତର (ଏମ୍.ଇ./ଏମ୍.ଟେକ୍.)ଡିଗ୍ରି ଏବଂ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ । ସ୍ନାତକ (ବି.ଇ/ବି.ଟେକ୍.)ପାଇଁ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ବିଷୟ ରହିଥିବା ଆବଶ୍ୟକ । ସର୍ବ ଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଏଆଇଇଇଇ), ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି) ଆଦି ପ୍ରବେଶିକା ପରୀକ୍ଷାରେ ରାଙ୍କ ଓ ଯୁକ୍ତ ଦୁଇ ଶ୍ରେଣୀର ମାର୍କ ଅନୁଯାୟୀ ଚାରି ବର୍ଷିଆ ସ୍ନାତକ ଡିଗ୍ରି ପାଠ୍ୟକ୍ରମରେ ନାମ ଲେଖା ହୋଇଥାଏ । କେତେକ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ସିଭିଲ୍, କେମିକାଲ୍ ଓ ମେକନିକାଲ  ଇଞ୍ଜିନିୟରିଂ ପାଠ୍ୟକ୍ରମ ସହ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଏକ ସହାୟକ ପାଠ୍ୟକ୍ରମ ଭାବେ ପ୍ରଚଳନ କରାଯାଉଛି । ତେବେ ଇଞ୍ଜିନିୟରିଂ ଯେକୌଣସି ବିଭାଗରେ  ଡିଗ୍ରି କରିଥିବା ଛାତ୍ରଛାତ୍ରୀ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂରେ ସ୍ନାତକକୋତ୍ତର ଡିଗ୍ରି କରିପାରିବେ । ଗ୍ରାଜୁଏଟ୍ ଆପ୍ଟିଚ୍ୟୁଟ୍ ଟେଷ୍ଟ ଇନ୍  ଇଞ୍ଜିନିୟରିଂ (ଗେଟ୍) ବା କେତେକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ଦ୍ଵାରା ଆୟୋଜିତ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇ ପାରିବେ । ଆଟ୍ମୋସ୍ଫେରିକ୍ କେମିଷ୍ଟ୍ରି, ଏନଭର୍ନ୍ମେଣ୍ଟାଲ୍  ଅର୍ଗାନିକ୍ କେମିଷ୍ଟ୍ରି, ହାଇଡ୍ରୋଲୋଜି,ସର୍ଫେସ୍ ୱାଟର୍ କ୍ଵାଲିଟି  ଇଞ୍ଜିନିୟରିଂ, ସର୍ଫେସ୍ ୱାଟର୍ କ୍ଵାଲିଟି  ମଡେଲିଂ, କ୍ଵାଲିଟି ଅଫ୍ ଦ ଏୟାର୍ ଆଦି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ଆଦି ଏହି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ରରେ ଥିବା ନ୍ୟାସ୍ନାଲ୍ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ।

ନିଯୁକ୍ତି

ବିଭିନ୍ନ ସରକାରୀ, ବେସରକାରୀ ତଥା ପରିବେଶ ପ୍ରଦୂଷଣ ବିରୋଧରେ କାର୍ଯ୍ୟ କରୁଥିବା ଏନ୍ଜିଓ ସଂସ୍ଥାରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର୍ ମାନାଙ୍କ ପାଇଁ  ନିଯୁକ୍ତି  ସୁଯୋଗ ରହିଛି । କେନ୍ଦ୍ରୀୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ  ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର୍ ମାନଙ୍କୁ ନିଯୁକ୍ତି ଦିଆଯାଏ । ସ୍ୱାସ୍ଥ୍ୟ ଓ ନିରାପତ୍ତା  ଅଧିକାରୀ ଭାବେ ଏମାନେ କାର୍ଯ୍ୟ କରିପାରିବେ । ପ୍ରଦୂଷଣ ନିୟନ୍ତ୍ରଣ ବୃଦ୍ଧି ପାଇଁ  ବିଭିନ୍ନ ଲାବୋରେଟାରିରେ ନିଯୁକ୍ତି ସୁଯୋଗ ରହିଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଗବେଷଣାଗାର, ଜଳଯୋଗାଣ ବ୍ୟବସ୍ଥାରେ  ରୂପରେଖ ପ୍ରସ୍ତୁତ ଓ ସୁରକ୍ଷା ଲାଗି ମ୍ୟୁନିସିପାଲ୍ ଏଜେନ୍ସି, ଶିଳ୍ପ, କମ୍ପାନୀ, ବିଶ୍ଵବିଦ୍ୟାଳୟ, ଫାର୍ମାସ୍ୟୁଟିକାଲ୍ ମାନିଫାକ୍ଚ୍ୟୁରିଂ କମ୍ପାନୀରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଓଜନ୍ ନିର୍ଗମନ, ସବୁଜ ଗୃହ ଗ୍ୟାସ୍, ଜଳ ପରିଚାଳନା, ଜମି ସଂରକ୍ଷଣ ଆଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ  ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ କାର୍ଯ୍ୟ କରିପାରିବେ । ସେହିପରି ଜଳ ବିଶୋଧନାଗାର କାରଖାନା, ସାର କାରଖାନା, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି ।

ବେତନ

ସ୍ନାତକ ଡିଗ୍ରିପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ପ୍ରାଥମିକ ସ୍ତରରେ ମାସକୁ ତିରିଶ ହଜାର ଟଙ୍କା ବା ତଦୁର୍ଦ୍ଧ୍ଵ ବେତନରେ ନିଯୁକ୍ତି ପାଇପାରିବେ ।  ସ୍ନାତକୋତ୍ତର ଡିଗ୍ରିପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନେ ମାସକୁ ପଞ୍ଚାବନ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଇପାରିବେ । ପିଏଚ୍ଡି ଡିଗ୍ରିଧାରି ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କ ମାସିକ ବେତନ ପଚାଶ ହଜାର ଟଙ୍କାରୁ କମ୍ ନୁହେଁ । ଜଣେ ଲାଇସେନ୍ସପ୍ରାପ୍ତ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟର ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ବେତନ ପାଇଥାନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ  ଉଚ୍ଚ ବେତନରେ ଏନଭର୍ନ୍ମେଣ୍ଟାଲ୍ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦିଅନ୍ତି ।

ଆଧାର –"ସମ୍ବାଦ"

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top