অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱେବ୍ ଡେଭଲପର୍

ଉପକ୍ରମ

ଆଜିକାଲି ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଯାଇଛି ଇଣ୍ଟରନେଟ୍ । ଶିକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ, ବ୍ୟବସାୟ ଆଦି ସବୁ କ୍ଷେତ୍ରରେ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏଥିପାଇଁ ଦିନକୁ ଦିନ ଇଣ୍ଟରନେଟ୍ ପରିଚାଳନାରେ ବିଭିନ୍ନ ପ୍ରକାର ବୃତ୍ତିଧାରା, ବିଶେଷକରି ୱେବ୍ ଡେଭଲପର୍ ମାନଙ୍କ ଚାହିଦା ବଢିବାରେ ଲାଗିଛି ।

ୱେବ୍ ଡେଭଲପର୍

ୱେବ୍ ଡେଭଲପର୍ଇଣ୍ଟରନେଟ୍(ୱାର୍ଲ୍ଡୱାଇଡ୍ ୱେବ୍) କିମ୍ବା ଇଣ୍ଟ୍ରାନେଟ୍ (ଘରୋଇ ନେଟ୍ୱର୍କ) ପାଇଁ ୱେବସାଇଟ୍ ବିକଶିତ କରୁଥିବା ପେସାଦାର ବ୍ୟକ୍ତିଙ୍କୁ ୱେବ୍ ଡେଭଲପର୍ କୁହାଯାଏ । ସେମାନେ ୱେବସାଇଟ୍ ପାଇଁ ଯୋଜନା ପ୍ରସ୍ତୁତି ଓ ତାହାର ପରିଚାଳନାରେ ସମ୍ପୃକ୍ତ ଥାଆନ୍ତି । ଏଭଳି କାର୍ଯ୍ୟକୁ ୱେବ୍ ଡେଭଲମେଣ୍ଟ୍ କୁହାଯାଏ । ଏଥିରେ ୱେବ୍ ଡିଜାଇନ୍, ୱେବ୍ କଣ୍ଟେଣ୍ଟ୍ ଡେଭଲପମେଣ୍ଟ୍, କ୍ଲାଇଣ୍ଟ୍ ସାଇଡ୍/ ସର୍ଭର ସାଇଡ୍ ସ୍କ୍ରିପ୍ଟିଙ୍ଗ, ନେଟୱର୍କ ସିକ୍ୟୁରିଟି କନ୍ଫିଗ୍ୟୁରେଶନ ଆଦି, କାର୍ଯ୍ୟ କରାଯାଏ । ୱେବ୍ ଡେଭଲପର୍ ବିଭିନ୍ନ ପ୍ରକାର ସଫ୍ଟୱେର, କମ୍ପ୍ୟୁଟର ଲାଙ୍ଗୁଏଜ୍ ଓ ଅନ୍ୟ ପଦ୍ଧତି ପ୍ରୟୋଗ କରି ୱେବ୍ ସାଇଟ୍ କୁ ବ୍ୟବହାରକାରୀଙ୍କ ଚାହିଦା ମୁତାବକ ପ୍ରସ୍ତୁତ କରନ୍ତି । ୱେବ୍ସାଇଟ୍ ଯେଭଳି ଠିକ୍ ଭାବେ କାର୍ଯ୍ୟ କରିବ ତାହା ସୁନିଶ୍ଚିତ କରିବାକୁ ସେମାନେ ସିଷ୍ଟମ୍ ଆଡମିନିଷ୍ଟ୍ରେଟର, ପ୍ରୋଜେକ୍ଟ ମ୍ୟାନେଜର, କଣ୍ଟେଣ୍ଟ୍ ଡେଭଲପର୍ ଓ ୱେବ୍ ଡିଜାଇନରଙ୍କ ସହଯୋଗ ନେଇଥାଆନ୍ତି ।

ବର୍ତ୍ତମାନ ପ୍ରାୟ ସବୁ ପ୍ରକାର ସଂସ୍ଥା ୱେବ୍ ରେ ନିଜର ଉପସ୍ଥିତି ଚାହୁଁଛନ୍ତି । ଏଥିପାଇଁ ୱେବ୍ ଡେଭଲପମେଣ୍ଟ କ୍ଷେତ୍ରରେ କ୍ୟାରିୟର ଗଢିବାର ସୁଯୋଗ ବଢିବାରେ ଲାଗିଛି । ଏହି ସବୁ ସଂସ୍ଥାଗୁଡିକ ନିଜ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ୱେବ୍ସାଇଟ୍ ନିର୍ମାଣ କରିବା ପାଇଁ ବରାଦ କରନ୍ତି । ତେଣୁ ୱେବ୍ ଡେଭଲପର୍ ଙ୍କୁ ସିଙ୍ଗଲ ପେଜ୍ ୱେବ୍ସାଇଟ୍ ଠାରୁ ଆରମ୍ଭ କରି ଜଟିଳ ଡିଜାଇନ୍ ର ଅନ୍ଲାଇନ୍ ଶପିଂ ୱେବ୍ସାଇଟ୍, କମ୍ପାନୀ ୱେବ୍ସାଇଟ୍ ଆଦି ପ୍ରସ୍ତୁତ କରିବାକୁ ପଡେ । ୱେବ୍ ଡିଜାଇନର୍ ମାନେ କେବଳ ୱେବ୍ସାଇଟକୁ ରୂପରେଖ ଦେଉଥିବା ବେଳେ ୱେବ୍ ଡେଭଲପରମାନେ ୱେବ୍ସାଇଟ୍ ର ପ୍ରଚ୍ଛଦପଟରେ ରହି ତାହାର ଉପଯୁକ୍ତ କାର୍ଯ୍ୟକାରିତା ଲାଗି ପ୍ରୋଗ୍ରାମିଙ୍ଗ୍ କରନ୍ତି ।

ଯୋଗ୍ୟତା

ଆଗରୁ କେବଳ ଏଚ୍ଟିଏମ୍ଏଲ୍ ଶିଖିଥିବା ବ୍ୟକ୍ତି ୱେବ୍ ଡେଭଲପର୍ ହୋଇପାରୁଥିଲେ । ଏବେ କିନ୍ତୁ ଅଧିକାଂଶ କମ୍ପାନୀ ଏହି ପଦବୀରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ସାଇନ୍ସ/ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଓ କିଛି ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି । ତେଣୁ ୱେବ୍ ଡେଭଲପର୍ ଭାବେ କ୍ୟାରିୟର ଗଢିବାକୁ ହେଲେ ଅତିକମ୍ ରେ କମ୍ପ୍ୟୁଟର ଆପ୍ଲିକେଶନ୍ କିମ୍ବା କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ଆବଶ୍ୟକ । ତେବେ ଏମ୍.ଟେକ୍ ଓ ଏମ୍ସିଏ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିଦାତା ବେଶି ପସନ୍ଦ କରନ୍ତି । ୱେବ୍ ପେଜ୍ ପ୍ରସ୍ତୁତି ଲାଗି ଏଚ୍ଟିଏମ୍ଏଲ୍ ଲାଙ୍ଗୁଏଜ୍ ସବୁଠୁ ବେଶି ଗୁରୁତ୍ଵପୂର୍ଣ୍ଣ । ତେଣୁ ୱେବ୍ ଡେଭଲପରମାନେ ଏଥିରେ ସିଦ୍ଧହସ୍ତ ହେବା ସହିତ ଏକ୍ସଏମ୍ଏଲ୍, ପ୍ରୋଗ୍ରାମିଂ, ଫଟୋଶପ୍ ଆଦି ଜାଣିଥିବା ଆବଶ୍ୟକ ।

ନିଯୁକ୍ତି ସୁଯୋଗ

ଇଣ୍ଟର୍ନେଟ୍ ବ୍ୟବାହରକାରୀ ବଢୁଥିବାର କ୍ରମେ ୱେବ୍ସାଇଟ୍ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଏବେ ଭାରତ ସହ ସାରା ବିଶ୍ଵରେ ସବୁ କ୍ଷେତ୍ର ଲାଗି ଅଧିକରୁ ଅଧିକ ୱେବ୍ ଡେଭଲପର୍ ଆବଶ୍ୟକ ହେଉଛନ୍ତି । ସେମାନଙ୍କୁ ନୂଆ ୱେବ୍ସାଇଟ୍ ବିକଶିତ କରିବା ସହ ଆଗରୁ ରହିଥିବା ୱେବ୍ସାଇଟ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣ କାର୍ଯ୍ୟରେ ନିଯୁକ୍ତ କରାଯାଉଛି । ଏହା ବ୍ୟତୀତ ୱେବ୍ସାଇଟ୍ ଯେଭଳି ସବୁ ୱେବ୍ ବ୍ରାଉଜରରେ କାର୍ଯ୍ୟକରିବ ତାହା ୱେବ୍ ଡେଭଲପର୍ ସୁନିଶ୍ଚିତ କରନ୍ତି । ଏଥିପାଇଁ ସେମାନଙ୍କୁ ଅନ୍ୟ ଆଇଟି ବୃତ୍ତିଧାରୀଙ୍କ ଭଳି ନୂଆ ନୂଆ ସଫ୍ଟୱେର ଓ ଟେକ୍ନୋଲୋଜି ସହ ଅପ୍ଡେଟ୍ ରହିବାକୁ ହୁଏ ।

ଘରୋଇ କମ୍ପାନୀ ସହିତ ସରକାରୀ ବିଭାଗଗୁଡ଼ିକରେ ୱେବ୍ ଡେଭଲପର୍ ଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ବଡ ସଂସ୍ଥାରେ ୱେବ୍ ଡେଭଲପମେଣ୍ଟ୍ରେ ଏକାଧିକ ଡେଭଲପର୍ କାର୍ଯ୍ୟରତ ଥାଆନ୍ତି । ଶିଳ୍ପ, ଆଇଟି, ସଫ୍ଟୱେର ସଂସ୍ଥା, ୱେବ୍ ଡିଜାଇନିଂ ଏଜେନ୍ସି, ଆଡଭର୍ଟାଇଜିଂ ଏଜେନ୍ସି, ୱେବ ପୋର୍ଟାଲ, ଅନ୍ଲାଇନ୍ ଗେମିଂ ପୋର୍ଟାଲ, ମାର୍କେଟିଂ କମ୍ପାନୀ, ଗଣମାଧ୍ୟମ ସଂସ୍ଥା ଆଦିରେ ୱେବ୍ ଡେଭଲପରମାନେ ନିଯୁକ୍ତି ପାଇପାରିବେ । ଏମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମାରେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ପଡେ । କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ମୁତାବକ ୱେବ୍ ଡେଭଲପରଙ୍କ ଦରମା ସ୍ଥିର ହୁଏ । ଭାରତରେ ଏଭଳି ବୃତ୍ତିଧାରା ପ୍ରାରମ୍ଭିକ ଦରମା ଭାବେ ୩୦,୦୦୦ରୁ ୪୦,୦୦୦ଟଙ୍କା ଆୟ କରିପାରିବେ ।

ଆଧାର – କ୍ୟାରିୟର ବ୍ୟୁରୋ

Last Modified : 4/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate