ଶିଳ୍ପ ଓ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁ କ୍ରମେ ନୌବାଣିଜ୍ୟ କ୍ଷେତ୍ର ସମ୍ପ୍ରସାରଣ ହେବାରେ ଲାଗିଛି । ଆଉ ତା’ସହିତ ବଢିଚାଲିଛି ଏହି କ୍ଷେତ୍ରରେ ନିୟୋଜନର ସୁଯୋଗ । ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ କଲେ ଜାହାଜ ଚଳାଚଳ, ବନ୍ଦର ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସହ ଜଡିତ ସଂସ୍ଥାରେ ଆକର୍ଷଣୀୟ ଦରମାରେ ନିଯୁକ୍ତି ମିଳିପାରିବ ।
ବିଶ୍ଵରେ ଏବେ ପ୍ରାୟ ୯୦% ବାଣିଜ୍ୟିକ କାରବାର ସମୁଦ୍ରରେ ହେଉଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ବ୍ୟାପାର, ନୌବାଣିଜ୍ୟ ଓ ବନ୍ଦର ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ବନ୍ଦର ଓ ଜାହାଜ ଚଳାଚଳ ବଢୁଥିବାରୁ ତାହାକୁ ସମ୍ଭାଳିବା ଲାଗି ଅଧିକ ମାନବ ସମ୍ବଳ ଆବଶ୍ୟକ ହେଉଛନ୍ତି ।
ଏହି କ୍ଷେତ୍ରରେ କ୍ୟାରିୟର ଗଢିବା ପାଇଁ ନୌବାଣିଜ୍ୟ ଓ ବନ୍ଦର ପରିଚାଳନାର ଏମ୍ବିଏ କିମ୍ବା ସ୍ନାତକୋତ୍ତର ଡିପ୍ଲୋମା ଆବଶ୍ୟକ । ବିଜ୍ଞାନ, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ୍ ପାଠ୍ୟକ୍ରମରେ ଭଲ ମାର୍କ ରଖିଥିବା ସ୍ନାତକ ଛାତ୍ରୀଛାତ୍ର ମଧ୍ୟ ପୋର୍ଟ ମ୍ୟାନେଜମେଣ୍ଟ୍ କୋର୍ସ କରିପାରିବେ । କେତେକ ଅନୁଷ୍ଠାନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯେକୌଣସି ଡିଗ୍ରୀଧାରୀ ପ୍ରାର୍ଥୀଙ୍କୁ ଏହି କୋର୍ସରେ ନାମ ଲେଖାଇବା ସୁଯୋଗ ଦେଉଛନ୍ତି । ଭାରତରେ ଏବେ ଖୁବ୍ କମ୍ ଇନଷ୍ଟିଚ୍ୟୁଟ୍ ରେ ଏହି କୋର୍ସ ଉପଲବ୍ଧ ହେଉଛି । ଏହି ଶିକ୍ଷାନୁଷ୍ଠାନଗୁଡିକରେ ଏମ୍ବିଏ ଲଜିଷ୍ଟିକ୍ସ ଆଣ୍ଡ୍ ପୋର୍ଟ ମ୍ୟାନେଜମେଣ୍ଟ୍, ଏମ୍ବିଏ ଶିପିଂ, ଡିପ୍ଲୋମା ଇନ୍ ଟ୍ରନ୍ସପୋର୍ଟ ଇକୋନୋମିକ୍ସ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ଆଦି କୋର୍ସ ପ୍ରଦାନ କରାଯାଉଛି ।
କୋର୍ସରେ ନୌବାଣିଜ୍ୟ ଆଇନ୍, ସାମୁଦ୍ରିକ ପରିବହନ, ସାମୁଦ୍ରିକ ଅର୍ଥନୀତି, ସାମୁଦ୍ରିକ ବୀମା, ଅନ୍ତର୍ଜାତୀୟ ବ୍ୟାପାର ବାଣିଜ୍ୟ, ମ୍ୟାନେଜରିଆଲ୍ ଇକୋନୋମିକ୍ସ ଓ ବନ୍ଦର ପରିଚାଳନା ଆଦି ବିଷୟ ରହିଛି । ଏସବୁ ବିଷୟ ପଢାଯିବା ସହିତ କୋର୍ସରେ ବିଭିନ୍ନ ବୈଷୟିକ ଓ ପରିଚାଳନାଗତ କୌଶଳ ମଧ୍ୟ ଶିଖାଯାଏ । ପ୍ରାର୍ଥୀଙ୍କର ଲିଖନ ଓ ବାକ୍ୟରେ ଉକୃଷ୍ଟ ଯୋଗାଯୋଗ ନି ପୁଣତା, ନିଷ୍ପତ୍ତି ନେବାର ଦକ୍ଷତା ଓ ଜ୍ଞାନ ଆହରଣ ଲାଗି ଆଗ୍ରହ ଥିବା ଆବଶ୍ୟକ । ବିଭିନ୍ନ ସ୍ତରର କର୍ମଚାରୀମାନଙ୍କ ସହ ଠିକ୍ ଭାବେ କାର୍ଯ୍ୟ କରିବା ଆତ୍ମବିଶ୍ଵାସ, ଅନୁପ୍ରେରଣା, ଗଣିତ ଜ୍ଞାନ ରହିଥିବା ମଧ୍ୟ ଜରୁରୀ ।
ଅନ୍ତର୍ଯ୍ୟାତୀୟ ବ୍ୟାପାର ବଢୁଥିବାରୁ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ବନ୍ଦର ଓ ନୌବାଣିଜ୍ୟ ପରିଚାଳନା ପାଇଁ ଦକ୍ଷ ବ୍ୟକ୍ତି ଆବଶ୍ୟକ କରୁଛନ୍ତି ।
ଯୋଗ୍ୟ ପ୍ରାର୍ଥୀମାନେ ନୌବାଣିଜ୍ୟ ଓ ନୌସେବା ବିଭାଗରେ ଜାହାଜ ପରିଚାଳକ, ପୋର୍ଟ କ୍ୟାପ୍ଟେନ୍, ମର୍ଚ୍ଚାଣ୍ଟ୍ ଅଫିସର୍ ଭାବେ ଚାକିରି ପାଇପାରିବେ । ବନ୍ଦର ସହିତ ଶିପିଂ କମ୍ପାନୀ, ରପ୍ତାନି, ଆମଦାନୀ କାର୍ଯ୍ୟ କରୁଥିବା ସଂସ୍ଥା, ପରିବାହନକାରୀ ସଂସ୍ଥା ଓ ନୌବାଣିଜ୍ୟ ସହିତ ଜଡିତ ବିଭିନ୍ନ ସଂସ୍ଥା ପୋର୍ଟ ମ୍ୟାନେଜର ଆବଶ୍ୟକ କରନ୍ତି । ରେଳପଥ ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏଭଳି କର୍ମଚାରୀଙ୍କ ଆବଶ୍ୟକତା ଥାଏ ।
ଆଧାର – ଦୈନିକ ଧରିତ୍ରୀ
Last Modified : 1/26/2020