অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାକ୍ଷାତକାରରେ ବଡି ଲାଙ୍ଗୁଏଜର ଭୂମିକା

ନିଯୁକ୍ତି ଲାଗି ବ୍ୟକ୍ତିଗତ ସାକ୍ଷାତକାର ଗୁରୁତ୍ଵପୂର୍ଣ୍ଣ

ସାରା ବିଶ୍ଵରେ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ନିଯୁକ୍ତି ଲାଗି ବ୍ୟକ୍ତିଗତ ସାକ୍ଷାତକାର ଗୁରୁତ୍ଵପୂର୍ଣ୍ଣ । କେତେକ କ୍ଷେତ୍ରରେ କେବଳ ବ୍ୟକ୍ତିଗତ ସାକ୍ଷାତକାର ଯୋଗେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଥାଏ । କିନ୍ତୁ ସରକାରୀ ତଥା ରାଷ୍ଟ୍ରାଯତ୍ତ ଉଦ୍ୟୋଗରେ ନିଯୁକ୍ତି ଲାଗି ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, ଗ୍ରୁପ ଡିସେକସନ୍ ଏବଂ ଶେଷରେ ବ୍ୟକ୍ତିଗତ ସାକ୍ଷାତକାର ଦେବାକୁ ହୁଏ । ଏକ ସମ୍ମାନଜନକ ଚାକିରି ପାଇବା ପାଇଁ ଅନେକ ସ୍ଵପ୍ନ ଦେଖିଥାନ୍ତି ।

ମାତ୍ର ଯଦି କୌଣସି ପ୍ରାର୍ଥୀ ସମସ୍ତ ପର୍ଯ୍ୟାୟ ଅତିକ୍ରମ କରିବା ପରେ ବ୍ୟକ୍ତିଗତ ସାକ୍ଷାତକାରରେ ବିଫଳ ହୁଅନ୍ତି ଏହା ସେମାନଙ୍କୁ ଅଧିକ ବାଧିଥାଏ । ବ୍ୟକ୍ତିଗତ ସାକ୍ଷାତାକାରରେ ଭଲ ପ୍ରଦର୍ଶନ ସତ୍ତେ ମଧ୍ୟ କାହିଁକି ସଫଳତା ମିଳିଲା ନାହିଁ ବୋଲି ଅନେକ ପ୍ରାର୍ଥୀ ନିଜକୁ ପଚାରିଥାନ୍ତି । ଅନେକ ପକ୍ଷପାତିତା ଅଭିଯୋଗ ଆଣି ସିଷ୍ଟମକୁ ମଧ୍ୟ ଦୋଷ ଦେଇଥାନ୍ତି । ଅନେକେ ଯୁକ୍ତି ବାଢିଥାନ୍ତି ଯେ ପ୍ରଶ୍ନ କଠିନ ଥିବା ସତ୍ତେ ଠିକ୍। ଉତ୍ତର ରଖିଥିଲେ ମଧ୍ୟ ଏହା ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରି ପାରିଲା ନାହିଁ କାହିଁକି ? ପ୍ରାର୍ଥୀ ହୁଏତ କିଛି ଭୁଲ କରିଥାଇପାରନ୍ତି । ଅନ୍ତିମ ସ୍ତରକୁ ଯାଇ କଣ ପାଇଁ ପ୍ରାର୍ଥିମାନେ ସାକ୍ଷାତକାରରେ ବିଫଳ ହୋଇଥାନ୍ତି ତାହା ଆଜିର ବିଷୟବସ୍ତୁ । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିଗତ ସାକ୍ଷାତକାରରେ ସଫଳତା ଲାଗ ୩ ପ୍ରମୁଖ ପ୍ରସଙ୍ଗକୁ ବିଚାର କରିବାକୁ ହେବ । ଜଣେ ୫୫, ୩୮ ଏବଂ ୭ ଫର୍ମୁଲାକୁ ଆପଣାଇଲେ ଯାଇ ସଫଳତା ପାଇପାରିବେ ବୋଲି ଏମାନେ କୁହନ୍ତି । ଏହା ମଧ୍ୟରେ ବତି ଲାଙ୍ଗୁଏଜ୍ ୫୫%, ସ୍ଵର ଏବଂ ଟ୍ରୋନ ୩୮% ଏବଂ ଠିକ୍। ଉତ୍ତରର ଭାଗ ମାତ୍ର ୭% ରହିଛି ।

ସାକ୍ଷାତକାର ଶାରୀରିକ ଭାବଭଙ୍ଗୀ ଏବଂ ହାବଭାବ ଉପରେ ନିର୍ଭର

ସାକ୍ଷାତକାରରେ ସଫଳତା ଏବଂ ବିଫଳତା ପ୍ରାର୍ଥୀଙ୍କ ଶାରୀରିକ ଭାବଭଙ୍ଗୀ ଏବଂ ହାବଭାବ ଉପରେ ନିର୍ଭର କରିଥାଏ । ଏହା ପ୍ରାୟ ଅନେକ ଜାଣି ନ ଥିବେ । ଏହି ବିଷୟଗୁଡିକ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ତଥା ବ୍ୟବହାରରେ ପରିସ୍ଫୁଟିତ ହୋଇଥାଏ । ସେହିପରି ଉତ୍ତମ ଯୋଗାଯୋଗ, ଠିକ୍ ଉତ୍ତର ରଖିବା, ସକାରାତ୍ମକ ଭାବଭଙ୍ଗୀ ଭଳି ୩ ପ୍ରମୁଖ ବିଷୟକୁ ଧ୍ୟାନ ଦେଲେ ଯାଇ ଜଣେ ସଫଳତା ପାଇବାର ଆଶା ରଖି ପାରିବେ । ଜଣେ ବ୍ୟକ୍ତି ଉଚ୍ଚଶିକ୍ଷିତ କିମ୍ବା ଯୋଗ୍ୟ ହୋଇଥାନ୍ତୁ ପଛକେ ତାଙ୍କୁ ପଦୋନ୍ନତି କିମ୍ବା ଅଧିକ ଦାୟିତ୍ଵ ମିଳି ନଥାଏ । ଏହାର ଏକ ପ୍ରମୁଖ କାରଣ ତାଙ୍କର ବ୍ୟକ୍ତିତ୍ଵ ହୋଇପାରେ । ନିଜକୁ ଉପସ୍ଥାପନ କରିବାରେ ବିଫଳତା ଯୋଗୁ ତାଙ୍କୁ କମ୍ପାନୀ ଗୁରୁଦାୟିତ୍ଵ ଦେଇ ନ ଥାଏ । ସାକ୍ଷାତକାର ସମୟରେ ମଧ୍ୟ ସମାନ ଫର୍ମୁଲା କାର୍ଯ୍ୟ କରିଥାଏ । ବଡି ଲାଙ୍ଗୁଏଜ୍ ଠିକ୍ ନ ସଫଳତା ମିଳିବା କଠିନ ହୋଇ ପଡେ । ଏହି ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ଏହାକୁ ପ୍ରାର୍ଥୀଙ୍କୁ ବୁଝିବାକୁ ହେବ । କେବଳ ଡିଗ୍ରୀ କିମ୍ବା ଶିକ୍ଷାଗତ ପ୍ରମାଣପତ୍ର ଲାଭ କରିଲେ ଯେ ନିଯୁକ୍ତି ମିଳିଯିବ ତାହା ଚିନ୍ତା କରିଲେ ହେବ ନାହିଁ । ଯେତେବେଳ ପର୍ଯ୍ୟନ୍ତ ପ୍ରାର୍ଥୀ କୌଣସି ସଂସ୍ଥା ଲାଗି ନିଜକୁ ଯୋଗ୍ୟ ଏବଂ ମୂଲ୍ୟବାନ ବୋଲି ନିଜକୁ ପ୍ରମାଣିତ କରି ପାରିବେ ନାହିଁ ନିଯୁକ୍ତି ଲାଭ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିବ ।

ଯୋଗାଯୋଗ ସାଧାରଣତଃ ୨ ପ୍ରକାର ହୋଇଥାଏ । ପ୍ରଥମଟି ହେଲା ଭାଷାଗତ ବା ମୌଖିକ ଏବଂ ଅନ୍ୟଟି ବଡି ଲାଙ୍ଗୁଏଜ୍ ଦ୍ଵାରା । ଭାଷା ମାଧ୍ୟମରେ ଶୁଣୁଥିବା ଲୋକଙ୍କୁ ନିଜର ଭାବକୁ ବୁଝାଇପାରିଲେ । ଏହା ଦ୍ଵାରା ଯୋଗାଯୋଗ ପ୍ରକ୍ରିୟା ସଫଳ ହୋଇଥାଏ । ବେଳେ ବେଳେ ଆମର ଏହି ଭାଷାଗତ ଯୋଗାଯୋଗ ସହ ବଡି ଲାଙ୍ଗୁଏଜ୍ ର ସମ୍ମିଶ୍ରଣ ଯୋଗାଯୋଗକୁ ଅଧିକ ପ୍ରଭାବଶାଳୀ କରିଥାଏ । ଏହା ମଧ୍ୟରେ ଅନ୍ୟାନ୍ୟ ବଡି ଲାଙ୍ଗୁଏଜ୍ ରହିଛି । ବଡି ଲାଙ୍ଗୁଏଜ୍ ଯୋଗାଯୋଗକୁ ବଳିଷ୍ଠ କରିଥାଏ । ଆମେ ଦୁଃଖ, ରାଗ, ଖୁସି ଅଛୁ କି ନାହିଁ ଏହା ଶାରୀରିକ ଭଙ୍ଗୀରୁ ଜଣାଯାଇଥାଏ । ଏପରି କ୍ଷେତ୍ରରେ ଯଦି ଆମେ ସାକ୍ଷାତକାରର ସାମ୍ନା କରିବାକୁ ଯାଉଥାଉ ତେବେ ଏହି କ୍ଷେତ୍ରରେ ସକାରାତ୍ମକ ମନୋଭାବ, ଆତ୍ମବିଶ୍ଵାସ ଏବଂ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିବା ଉଚିତ୍ । ଏହା ହୋଇ ପାରିଲେ ନିଯୁକ୍ତିଦାତାଙ୍କୁ ପ୍ରଭାବିତ କରିବାରେ ପ୍ରାର୍ଥୀ ସଫଳ ହୋଇପାରିବେ।

୫୫,୩୮ ଏବଂ ୭ ଫର୍ମୁଲା ମଧ୍ୟରୁ ଶାରୀରିକ ଭାବଭଙ୍ଗୀର ଗୁରୁତ୍ଵ ୫୫% ରହିଛି। ଏହି ଭଳି ପ୍ରମୁଖ କାରଣ ଲାଗି ଶେଷ ପର୍ଯ୍ୟାୟରେ ମାତ୍ର ୧-୨ % ପ୍ରାର୍ଥୀ ସାକ୍ଷାତକାରରେ ସଫଳ ହୋଇଥାନ୍ତି । ସେହିଭଳି ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବାରେ ଅନେକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ମାତ୍ର ୧୮୦ - ୧୯୦ ଛାତ୍ରୀଛାତ୍ରଙ୍କୁ ପ୍ରମୁଖ ଗ୍ୟାଙ୍କ ମିଳିଥାଏ । ସାକ୍ଷାତକାରରେ ପ୍ରାର୍ଥୀ ମାନେ ସକାରାତ୍ମକ ବଡି ଲାଙ୍ଗୁଏଜ୍‌କୁ ପରିଚାଳନା କରିବାରେ ସମର୍ଥ ହୋଇ ନ ଥାନ୍ତି । ଫଳରେ ସେମାନେ ସଫଳତା ପାଇବାକୁ ସକ୍ଷମ ହୋଇ ନ ଥାନ୍ତି ।

କୌଣସି ସଂସ୍ଥା ଲାଗି ମାନବ ସମ୍ବଳର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସଂସ୍ଥାଗୁଡିକ ଏଭଳି ବ୍ୟକ୍ତିଙ୍କୁ ଚୟନ କରିବେ ନାହିଁ ଯେଉଁମାନେ ଭବିଷ୍ୟତରେ କୌଣସି ଅସୁବିଧା ସୃଷ୍ଟି କରିବେ । ଯଦି କୌଣସି ପ୍ରାର୍ଥୀଙ୍କର ହାବଭାବ ଏବଂ ବଡି ଲାଙ୍ଗୁଏଜ୍ ଠିକ୍ ନ ଥାଏ। ଏହା ଅନୁଷ୍ଠାନ ଲାଗି ଆଗକୁ ଅସୁବିଧା ସୃଷ୍ଟି କରିଥାଏ । ଏହି କର୍ମଚାରୀମାନେ ଅନ୍ୟ କେତେକ ଖଳ ପ୍ରକୃତିର କର୍ମଚାରୀଙ୍କ ସହ ମିଳିତ ହୋଇ ସଂସ୍ଥାକୁ କ୍ଷତି ମଧ୍ୟ ପହଞ୍ଚାଇବାକୁ ଚେଷ୍ଟା ମଧ୍ୟ କରିପାରନ୍ତି ।

ଖରାପ ଶାରୀରିକ ପରିଭାଷାକୁ କିପରି ଚିହ୍ନଟ କରିବେ ଏବଂ ଏହାକୁ କିଭଳି ସୁଧାରିବେ

ନିଜର ଦୁର୍ବଳତାକୁ ଜାଣି ଏହାକୁ ସୁଧାରିବା ଆବଶ୍ୟକ । ଶାରୀରିକ ପରିଭାଷାକୁ ମଧ୍ୟ ନିରନ୍ତର ଭାବରେ ଲାଗିଲେ ପରିବର୍ତ୍ତନ କରାଯାଇ ପାରିବ । ନିଜର ଭିଡିଓ ନେଇ ଏହାକୁ ତର୍ଜମା କରନ୍ତୁ । ମକ୍ ଇଣ୍ଟରଭ୍ୟୁର ସାହାରା ନିଅନ୍ତୁ । ଆପଣଙ୍କ ପରିସରରେ ଥିବା ଲୋକଙ୍କୁ ଏହା ସମ୍ପର୍କରେ ଜଣାନ୍ତୁ । ତାଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ସହ ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରିପାରିବେ ।

ଏଥି ସହ ଜଡିତ କେତେକ ପ୍ରମୁଖ ଦିଗ ଉପରେ ଦୃଷ୍ଟି ଦେବାକୁ ହେବ ସେଗୁଡିକ ହେଲା :-

  • ପ୍ରଥମେ ସାକ୍ଷାତକାର ହେଉଥିବା ଚାମ୍ବର ମଧ୍ୟକୁ ପ୍ରବେଶ କଲା ବେଳେ କିପରି ଭାବରେ ନିଯୁକ୍ତିଦାତାଙ୍କୁ ସମ୍ବୋଧନ କରିବେ ତାହା ଉପରେ ଯତ୍ନବାନ ହେବାକୁ ହେବ । ପ୍ରାର୍ଥୀ କେଉଁଭଳି ୱିସ୍ କରୁଛନ୍ତି ଏବଂ ବସିବା ଲାଗି କେଉଁଭଳି ଭାବରେ ଅନୁମତି ମାଗୁଛନ୍ତି ସେ ଉପରେ ଅନେକଙ୍କ ନଜର ରହିଥାଏ । ଏହା ଦ୍ଵାରା ପ୍ରାର୍ଥୀଙ୍କର ବ୍ୟକ୍ତିତ୍ଵ ସମ୍ପର୍କରେ କିଛି ଜଣା ଯାଇଥାଏ ।
  • ସାକ୍ଷାତକାରରେ ହ୍ୟାଣ୍ଡସେକର ପ୍ରମୁଖ ଭୂମିକା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଯଦିଓ ଏହାକୁ ବିଚାର କରାଯାଇ ନ ଥାଏ। ସାକ୍ଷାତକାର ଶେଷରେ ନିଯୁକ୍ତିଦାତା ହ୍ୟାଣ୍ଡସେକ୍ ପାଇଁ ହାତ ବଢାଇ ପାରନ୍ତି । ନିଯୁକ୍ତିଦାତାଙ୍କ ପକ୍ଷରୁ ସଙ୍କେତ ନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି । ଆସିବା ସମୟରେ ଗୁଡ ବାଏ, ଥ୍ୟାଙ୍କ ୟୁ ଭଳି ୱିସ୍ କରିବାକୁ ଯେପରି ନ ଭୁଲନ୍ତି । ମନେରଖନ୍ତୁ ଜୋରରେ ହ୍ୟାଣ୍ଡସେକ୍ କରିବେ ନାହିଁ।
  • ଅନେକ ସମୟରେ ଦେଖା ଯାଇଥାଏ। ଆମେ ହାତକୁ ବହୁତ ଦ୍ରୁତ ଗତିରେ ମୁଭମେଣ୍ଟ କରିଥାଉ । ଯୋଗାଯୋଗକୁ ଅଧିକ ଜୀବନ୍ତ ବନାଇବା ଲାଗ। କେହି କେହି ଆଗ୍ରେସିଭ ଭାବରେ ହାତକୁ ଅଧିକ ଚଳାଇଥାନ୍ତି । ଯୋଗାଯୋଗକୁ ବଳିଷ୍ଟ କରିବା ଲାଗି ହାତର ପରିଚାଳନା ଜରୁରୀ ମାତ୍ର ଅଧିକ ନୁହେଁ।
  • ଅକାରଣ ବଶତଃ ତଥା ଅନେକବାର ମୁଣ୍ଡ ଟୁଙ୍ଗାରିବା ଏକ ଖରାପ ଶାରୀରିକ ଭଙ୍ଗୀ । ସାକ୍ଷାତକାରରେ ମୁଣ୍ଡକୁ ସିଧା ରଖନ୍ତୁ । ମୁଣ୍ଡ ତଳକୁ କରି ବସନ୍ତୁ ନାହିଁ ।
  • ଅନ୍ୟକୁ ପ୍ରଭାବିତ କରିବାରେ ଆଖିର ଭୂମିକା ରହିଛି। ସାକ୍ଷାତକାର ସମୟରେ ନିଯୁକ୍ତିଦାତାଙ୍କ ସହ ଆଖ୍ ସହ ଆଖ୍ ମିଶାଇ କଥା ହେବାକୁ ଚେଷ୍ଟା କରନ୍ତୁ । ବିନା କୌଣସି କାରଣରେ ସାକ୍ଷାତକାର ସମୟରେ ଅନ୍ୟ ଦିଗକୁ ଅନାନ୍ତୁ ନାହିଁ। ଏପରି କରୁଥିବା ଲୋକ ଭରସାଯୋଗ୍ୟ ନୁହନ୍ତି ବୋଲି ବିଚାର କରାଯାଇଥାଏ ।
  • ସାକ୍ଷାତକାରରେ ନିଯୁକ୍ତିଦାତାଙ୍କୁ ଇମ୍ପ୍ରେସ କରିବା ଲାଗି ପ୍ରାର୍ଥୀ ଅନେକ ସମୟରେ ନକଲି ଭାବଭଙ୍ଗୀ ଦେଇଥାନ୍ତି । ଏହି ସମୟରେ ୱାୱ, ଓହ ମାଇଁ ଗଡ଼୍ ଭଳି ଶବ୍ଦ ମାନ କହିଥାନ୍ତି । ଏପରି କହିବା ପରିବର୍ତ୍ତେ ନିଜର ପ୍ରକୃତପଣକୁ ପ୍ରଦର୍ଶନ କରନ୍ତୁ । ନାଚୁରାଲ, ଶାନ୍ତଭାବ ପ୍ରଦର୍ଶନ କରନ୍ତୁ । ଅତ୍ୟଧିକ ଫେସିଆଲ୍ ଏକ୍ସପ୍ରେଶନ୍ ଦେଉଥିବା ବ୍ୟକ୍ତି ସୁବିଧାବାଦୀ ବୋଲି ବିଚାର କରାଯାଇଥାଏ ।
  • ସାକ୍ଷାତକାରର ରୁମ୍ ରେ ପ୍ରବେଶ କରିବା ମାତ୍ରେ ବସିବା ପରେ ଯଦି ଟେବୁଲ ଉପରେ ନଇଁ ପଡନ୍ତି। ଏହା ଏକ ଖରାପ ବଡି ଲାଙ୍ଗୁଏଜ୍ ବୋଲି ବିଚାର କରାଯାଏ । କେତେକ ସମୟରେ ଆମେ ଟେବୁଲକୁ ଟ୍ୟାପ ମଧ୍ୟ କରିଥାଉ । ଏପରି କରିବା ଅନୁଚିତ । ନିଜ ସହ ନେଇଥିବା ଫାଇଲକୁ ଦେଖାଇବାକୁ କୁହାଗଲେ ଏହାକୁ ଟେବୁଲ ଉପରେ ରଖି ପାରିବେ । ସେହିଭଳି ଲୁଜ୍ ହୋଇ ବସିବା ଏକ ପାଖିଆ ହୋଇ ବସିବା ମଧ୍ୟ ଏକ ଖରାପ ବଢି ଲାଙ୍ଗୁଏଜ୍ । ଅପର ପକ୍ଷରେ ଆଙ୍ଗୁଠିକୁ ମୁହଁରେ କେଶ, ନାକ, କାନ, ଆଖୁରେ ସ୍ପର୍ଶ କରିବା ଠାରୁ ଦୂରେଇ ରୁହନ୍ତୁ ।
  • ଅନେକ ପ୍ରାର୍ଥୀ ସାକ୍ଷାତକାରରେ ସେମାନଙ୍କ ଗୋଡକୁ ଗୋଡ ଛନ୍ଦି ଜୋରରେ ମର୍ଦ୍ଦନ କରିଥାନ୍ତି। ଏହା ଏକ ଭଲ ଲକ୍ଷଣ ନୁହେଁ। ଏହାକୁ ଅନେକ କ୍ଷେତ୍ରରେ ଅଭ୍ୟାସରେ ପରିବର୍ତ୍ତନ ହୋଇଥାଏ । ଅନେକ ନର୍ଭସରେ ଏହାକୁ କରିଥାନ୍ତି। ଏହାକୁ ସାକ୍ଷାତକାର ସମୟରେ ନିୟନ୍ତ୍ରଣରେ ରଖିବା ଉଚିତ । ଏଭଳି କିଛି ବିଷୟକୁ ଦୃଷ୍ଟିରେ ରଖ୍ ଆପଣ ନିଶ୍ଚିତ ଭାବେ ଇଣ୍ଟରଭ୍ରାରେ ସଫଳ ହୋଇପାରିବେ ।

ସଂଗୃହିତ - ପ.କ୍ ପ୍ରମାନିକ

Last Modified : 3/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate