অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁବିଧାବାଦୀ ସହକର୍ମୀଙ୍କଠାରୁ ବର୍ତ୍ତିବେ କିପରି

ସୁବିଧାବାଦୀ ସହକର୍ମୀଙ୍କଠାରୁ ବର୍ତ୍ତିବେ କିପରି

ଚାକିରୀରେ ସମସ୍ୟା

ଜୀବନଟା ଏତେ ସରଳ ନୁହେଁ । ସମସ୍ତଙ୍କ ଜୀବନର କିଛି ନା କିଛି ସମସ୍ୟା ରହିଥାଏ । ଏଭଳି  ପରିସ୍ଥିତିରେ ସମସ୍ୟାକୁ କିପରି ସମ୍ଭାଳିବେ ତାହାର କୌଶଳ ଜାଣିଥିବା ବ୍ୟକ୍ତି ହିଁ ସମସ୍ୟାକୁ ନିଜକୁ ବାହାର କରିପାରିବେ । କର୍ମଜୀବନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ । ଏଠାରେ ଅନେକ ପ୍ରକାର ମାନସିକ ଚାପ ମଧ୍ୟରେ ଆମକୁ କାର୍ଯ୍ୟ କରିବାକୁ ପଡିଥାଏ । ବେଳେ ବେଳେ ନିଜର କାର୍ଯ୍ୟଶୈଳୀ ଯୋଗୁ ଆମେ ସମସ୍ୟା ମଧ୍ୟକୁ ଆସୁ । ଅନେକ କ୍ଷେତ୍ରରେ ନାକାରାତ୍ମକ ମନୋବୃତ୍ତିଧାରା ସହକର୍ମୀଙ୍କ ଯୋଗୁ ଆମେ ଅନାବଶ୍ୟକ ଚୁଗୁଲିଖୋର ମନୋବୃତ୍ତି  ଯୋଗୁ ଆମର କର୍ମଜୀବନରେ ବାଧା ଆସିଥାଏ । ଏଭଳି କ୍ଷେତ୍ରରେ କେବଳ ଦୃଢମନା ହୋଇ ଆମକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡିବ । କଥାରେ ଅଛି ଆମର ମାତାପିତା କିଏ ହେବେ କିମ୍ବା କେଉଁ ସ୍ଥାନରେ ଆମେ ଜନ୍ମନେବୁ ସେ ନିଷ୍ପତ୍ତି ଆମେ ନେଇପାରିବା ନାହିଁ । ଉକ୍ତ ହିସାବରେ ଆମର ପଡୋଶୀ କିଭଳି ରହିବେ କିମ୍ବା କର୍ମସ୍ଥାନରେ ସହକର୍ମୀ କିପରି ରହିବେ ତାହା ଆମେ ସ୍ଥିର କରିପାରିବୁ ନାହିଁ । ଯଦି ସୌଭାଗ୍ୟବଶତଃ ଭଲ ପଡୋଶୀଟିଏ କିମ୍ବା ସହକର୍ମୀ ମିଳିଗଲେ ତା’ହେଲେ ଆମେ ଅତ୍ୟନ୍ତ ଭାଗ୍ୟଶାଳୀ ।

ସହକର୍ମୀଙ୍କ ନକାରାତ୍ମକ ମନୋବୃତ୍ତିରୁ ରକ୍ଷା

ଥରେ ଚିନ୍ତା କରନ୍ତୁ ଯଦି ଦୁର୍ଭାଗ୍ୟବଶତଃ ଆମେ ଯେଉଁ ସ୍ଥାନରେ ଦିନର ଅଧିକ ସମୟ ବ୍ୟୟ କରିବା, ଯାହାକୁ ଆମେ କର୍ମସ୍ଥାନ ବୋଲି କହୁଛୁ ଉକ୍ତ ସ୍ଥାନରେ ଆମେ ଯେଉଁ ସହକର୍ମୀଙ୍କ ସହ କାର୍ଯ୍ୟ କରିବା ସେ ଯଦି ନକାରାତ୍ମକ ମନୋବୃତ୍ତି ଥିବା ଜଣେ ବ୍ୟକ୍ତି ହୋଇଥିବେ ତା’ହେଲେ ପରିସ୍ଥିତି  କ’ଣ ହେବ । ପ୍ରତି ମୂହୁର୍ତ୍ତରେ ସେ ଯଦି ଆପଣଙ୍କୁ ମାନସିକ ଚିନ୍ତା ଦେଉଥିବେ କିମ୍ବା ବିଭିନ୍ନ ପ୍ରକାର ଅସୁବିଧାରେ ପକାଉଥିବେ ତା’ହେଲେ କ’ଣ କରିବେ । ନିଶ୍ଚିତ ଭାବେ ଉକ୍ତ ସ୍ଥାନରେ ଆପଣଙ୍କର ମନ ଲାଗିବ ନାହିଁ । ଆପଣ ଚାହିଁବେ ଯଥାଶୀଘ୍ର ଉକ୍ତ ସ୍ଥାନକୁ ମୁକୁଳିବା ପାଇଁ । ତେବେ ଏଠାରେ ଏହା କୁହାଯାଇପାରିବ ଯେ ଏହା ସମସ୍ୟାର ସମାଧାନ ନୁହେଁ । ଆଜିକାଲି ପ୍ରତି ସ୍ଥାନରେ ଏଭଳି କର୍ମଚାରୀ ରହିଛନ୍ତି। ଦୁନିଆର କୋଣ ଅନୁକୋଣରେ ଏଭଳି ନକାରାତ୍ମକ ମନୋବୃତ୍ତିଧାରା ସହକର୍ମୀ ମିଳିବେ । ଆପଣ କେତେ କର୍ମସ୍ଥାନ ବଦଳାଇବେ । ନିଶ୍ଚିତ ଭାବେ ଥକିଯିବେ କିନ୍ତୁ ସମସ୍ୟାର ଅନ୍ତ ହେବ ନାହିଁ । ଯେହେତୁ ଏହା କର୍ମ ଜୀବନର ବାସ୍ତବ ରୂପ ଏହାକୁ ଆମକୁ ସାମ୍ନା କରିବାକୁ ପଡିବ ।

ତେବେ ଏଠାରେ ପ୍ରଶ୍ନ ଆସୁଛି ଏଭଳି କର୍ମଚାରୀମାନଙ୍କୁ ଚିହ୍ନଟ କରିବେ କିପରି ? ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବେ ଆପଣଙ୍କୁ ଅସୁବିଧା ପହଞ୍ଚାଉଥିବା ଏହି କର୍ମଚାରୀଙ୍କୁ ଜାଣିବେ କିପରି ? ଯଦି ଆମେ ସହକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖିବାରେ ସିଦ୍ଧହସ୍ତ ହୋଇଥିବେ ତା’ ହେଲେ ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନିବା ଆମ ପାଇଁ ଆଦୌ  କଷ୍ଟକର ବ୍ୟାପାରରେ ମୁଣ୍ଡ ପୂରାଇବାକୁ ଭଲ ପାଆନ୍ତି ନାହିଁ, ସେମାନେ ନକାରାତ୍ମକ କାର୍ଯ୍ୟକଳାପରେ ସମୟ ବ୍ୟୟ କରିବେ ନାହିଁ । କିନ୍ତୁ ଯେଉଁମାନେ କାର୍ଯ୍ୟ ଉପରେ କମ୍ ଧ୍ୟାନ ଦେଇ ୟାଡୁ ସ୍ୟାଡୁ ବ୍ୟାପାରରେ ମୁଣ୍ଡ ପୂରାଇ ଅଫିସ୍ ର ନିୟମକାନୁନ୍କୁ ଉଲ୍ଲଂଘନ କରିବାରେ ରୁଚି ରଖନ୍ତି ସେମାନଙ୍କୁ ମ୍ୟାନିପୁଲେଟିଭ୍ ସହକର୍ମୀ ବା ନକାରାତ୍ମକ ମନୋବୃତ୍ତିଧାରା କର୍ମଚାରୀ ଭାବେ ବିଚାର କରାଯାଇଥାଏ । ଅଫିସ୍ ର କିଛି ବରିଷ୍ଠ ଏବଂ କ୍ଷମତାସମ୍ପନ୍ନ ଅଧିକାରୀଙ୍କ ସହ ସମ୍ପର୍କ ବଢାଇ ଏମାନେ କାର୍ଯ୍ୟକୁ ସେମାନଙ୍କୁ ସହଯୋଗ କରି ଏମାନେ ନିଜ କାର୍ଯ୍ୟକୁ  ସେମାନଙ୍କ ଦ୍ଵାରା ହାସଲ କରନ୍ତି ଏବଂ ଅନ୍ୟମାନଙ୍କୁ ହଇରାଣରେ ପକାନ୍ତି । ବରିଷ୍ଠ ଅଧିକାରୀମାନଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସେମାନଙ୍କୁ ସହଯୋଗ କରି ଏମାନେ ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି ଏବଂ ନିଜର ସ୍ଵାର୍ଥ ପାଇଁ ସେମାନଙ୍କୁ ବ୍ୟବହାର କରନ୍ତି । ଏଭଳି ସହକର୍ମୀମାନେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଇପାରିବେ । ସାଧାରଣତଃ ଅଫିସ୍ ରାଜନୀତିରେ ସକ୍ରିୟ ଥିବା ବ୍ୟକ୍ତିମାନଙ୍କୁ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଥାଏ । ଏଭଳି ବ୍ୟକ୍ତିମାନଙ୍କଠାରୁ ଆବଶ୍ୟକୀୟ ଦୂରତ୍ଵ ବଜାୟ ରଖିବା ଦରକାର । ଏଭଳି ବ୍ୟକ୍ତିମାନେ ଅନ୍ୟମାନଙ୍କ ସଫଳତାର ଶ୍ରେୟ ନିଜେ ନେବା ପାଇଁ ପସନ୍ଦ କରିଥାନ୍ତି । ଯେଉଁ କାର୍ଯ୍ୟରେ ସେମାନଙ୍କର କୌଣସି ଅବଦାନ ନ ଥାଏ ଉକ୍ତ କାର୍ଯ୍ୟରେ ସେମାନେ ଶତପ୍ରତିଶତ ଉଦ୍ୟମ ଲଗାଇଥିବା ଦର୍ଶାନ୍ତି । ଅନ୍ୟମାନଙ୍କ  ସଫଳତାର ଲାଭ ଉଠାଇବାକୁ ଏମାନେ ଚେଷ୍ଟା କରନ୍ତି । ଅନ୍ୟମାନଙ୍କ ଉଦ୍ୟମର ଶ୍ରେୟ ନେଇ ପଦୋନ୍ନତି ଆଶା ରଖନ୍ତି । ଏଭଳି କ୍ଷେତ୍ରରେ ଉକ୍ତ ନିରୀହ କର୍ମଚାରୀମାନେ ହତାଶ ହୁଅନ୍ତି, ଯେଉଁମାନେ ମାସ ମାସ ଧରି ପରିଶ୍ରମ କଲା ପରେ ବି ସେମାନଙ୍କୁ କୌଣସି ପୁରସ୍କାର ମିଳେନାହିଁ । ନିଜର କାର୍ଯ୍ୟ ସମ୍ପର୍କରେ ମ୍ୟାନେଜ୍ମେଣ୍ଟକୁ ନ ଜଣାଇ ସେମାନେ କ୍ୟାରିୟରରେ ଆଗେଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତି ଆଜିକାଲି ପ୍ରାୟ ସବୁ ଅଫିସ୍ ବିଶେଷକରି ଘରୋଇ କାର୍ଯ୍ୟାଳୟରେ ଅଧିକ ଦେଖିବାକୁ ମିଳୁଛି । ଘରୋଇ ଅଫିସ୍ ରେ ପ୍ରତିଦିନ ଆମ କାର୍ଯ୍ୟକୁ ପରଖାଯାଏ । ଏଭଳି ସ୍ଥିତିରେ ଆମେ ଯଦି ନିଜ କାର୍ଯ୍ୟକୁ ଉପସ୍ଥାପନ କରିବାରେ ବିଫଳ ହେବା ତା’ହେଲେ ଅନ୍ୟମାନେ ଏହାର ଲାଭ ଉଠାଇବାକୁ ଚେଷ୍ଟା କରିବେ । ଯଦି ଆମର ସଫଳତାର ଶ୍ରେୟ ଅନ୍ୟ ସହକର୍ମୀମାନେ ନେବାକୁ ଚେଷ୍ଟା କରିବେ ତା’ହେଲେ ଉକ୍ତ ସଂସ୍ଥାରେ ଆମେ ଆଗକୁ ବଢିପାରିବା ନାହିଁ ଏବଂ କାର୍ଯ୍ୟରେ ଶତ ପ୍ରତିଶତ ଉଦ୍ୟମ ଦେଇ ମଧ୍ୟ ଧୀରେ ଧୀରେ ଉକ୍ତ ସଂସ୍ଥାରେ ନିଜ ଗୁରୁତ୍ଵ ହରାଇବା । ଏହା ଆମର ପ୍ରଦୋନ୍ନତି, ଦରମା ବୃଦ୍ଧି ଏବଂ ପିଏଲ୍ଆଇ (ପରଫର୍ମାନ୍ସ ଲିଙ୍କ୍ଡ ଇନ୍ସେଣ୍ଟିଭ୍)ଉପର ଖରାପ ପ୍ରଭାବ ପକାଇବ । ମ୍ୟାନେଜ୍ମେଣ୍ଟ ନିକଟରେ ଆମ ପାଇଁ ଏକ ଭୁଲ୍ ଧାରଣା ସୃଷ୍ଟି ହେବ । ତେବେ କ୍ୟାରିୟର ଦିଗରେ ବାଧକ ସାଜୁଥିବା ଏଭଳି ସହକର୍ମୀଙ୍କଠାରୁ କିପରି ନିରାପଦ ରହିବା ତାହାର ଉତ୍ତର ସହଜ ନୁହେଁ । ଯଦି ଏଭଳି ସହକର୍ମୀ ମାନଙ୍କ କାର୍ଯ୍ୟକଳାପରେ କିଛିଟା ସୀମା ରହୁଛି ତା’ହେଲେ ହୁଏତ ପରିସ୍ଥିତି ଏତେଟା ଖରାପ ହେବ ନାହିଁ । କିନ୍ତୁ ଯଦି ଏହା ସୀମା ଅତିକ୍ରମ କରୁଛି ତା’ହେଲେ ଏହା ଆପଣଙ୍କ ଚାକିରି ହରାଇବାର କାରଣ ମଧ୍ୟ ହୋଇପାରେ । ଆପଣ ପଦୋନ୍ନତି ବଦଳରେ ତଳକୁ ତଳକୁ ଯିବେ ।

ଟିପ୍ସ

ଏଭଳି ପରିସ୍ଥିତିକୁ ବଞ୍ଚିବା ପାଇଁ ନିମ୍ନରେ ଦିଆଯାଇଥିବା କେତେକ ପଏଣ୍ଟ କିଛି ମାତ୍ରାରେ ସହାୟକ ହେବ ।

  • ପ୍ରାରମ୍ଭରୁ ଧୈର୍ଯ୍ୟ ହରାନ୍ତୁ ନାହିଁ । ସହକର୍ମୀଙ୍କ ନିର୍ଯ୍ୟାତନା ମାତ୍ରା ଯଦି ଅଧିକ ଗଭୀର ହୋଇଥାଏ ତା’ହେଲେ ମ୍ୟାନେଜ୍ମେଣ୍ଟ ନିକଟକୁ ଯାଆନ୍ତୁ । କିନ୍ତୁ ଯଦି ଏହାକୁ ନିଜେ ଆୟତ୍ତ କରିପାରିବେ ତା’ହେଲେ ଦୃଢମନା ହୋଇ ଏହାକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ । ସହକର୍ମୀଙ୍କ ନିର୍ଯ୍ୟାତନା ସୀମା ଅତିକ୍ରମ କଲେ ମ୍ୟାନେଜ୍ମେଣ୍ଟର ସାହାଯ୍ୟ ନେଇ ପରିସ୍ଥିତିକୁ ଆୟତ୍ତ କରନ୍ତୁ । ଧୈର୍ଯ୍ୟର ସହ ଉକ୍ତ ସହକର୍ମୀମାନଙ୍କ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖି ଠିକ୍ ସମୟକୁ ଅପେକ୍ଷା କରନ୍ତୁ । ପ୍ରମାଣ ରଖି ମ୍ୟାନେଜ୍ମେଣ୍ଟ ନିକଟକୁ ଯାଆନ୍ତୁ ।
  • ଅନ୍ୟ କର୍ମଚାରୀଙ୍କ ସହ ବାର୍ତ୍ତାଳାପ ବେଳେ ଗୋପନୀୟତା ରକ୍ଷା କରନ୍ତୁ । ନିଜ ଭବିଷ୍ୟତ ଯୋଜନା ଏବଂ କାର୍ଯ୍ୟକୌଶଳକୁ ନେଇ ସେମାନଙ୍କ ସହ ତଥ୍ୟ ବିନିମୟ କରନ୍ତୁ ନାହିଁ । ହୁଏତ ଆପଣଙ୍କ ଯୋଜନାର ସାହାଯ୍ୟ ନେଇ ସେମାନେ ନିଜର ଭବିଷ୍ୟତ ନିର୍ଦ୍ଧାରିତ କରିପାରନ୍ତି ।
  • ବରିଷ୍ଠ ଅଧିକାରୀମାନଙ୍କୁ ନିଜ ସହ ବାନ୍ଧି ରଖନ୍ତୁ । ଆପଣଙ୍କ କାର୍ଯ୍ୟ ଏବଂ ପରଫର୍ମାନ୍ସକୁ ନେଇ ସେମାନଙ୍କୁ ନିୟମିତ ଭିତ୍ତିରେ ଅବଗତ କରାନ୍ତୁ । ଏହାଦ୍ଵାରା ଆପଣ ଖାଲି ଯେ ନିଜକୁ ନିରାପଦ ରଖିପାରିବେ ତାହା ନୁହେଁ ନକାରାତ୍ମକ ମନୋବୃତ୍ତିଧାରା ସହକର୍ମୀମାନେ ମଧ୍ୟ ଆପଣଙ୍କୁ ଅସୁବିଧାରେ ପକାଇପାରିବେ ନାହିଁ ।
  • ବଡ ବଡ କମ୍ପାନୀରେ ସହକର୍ମୀମାନଙ୍କର ଆକ୍ରୋଶର ଶିକାର ହେଲେ ସାଧାରଣତଃ ପୀଡିତ କର୍ମଚାରୀମାନେ ଏଚ୍ଆର୍ର  ବିଭାଗକୁ ଟ୍ରାନ୍ସଫର ନିମନ୍ତେ ଆବେଦନ କରିଥାନ୍ତି । ଅନ୍ୟ ସ୍ଥାନ କିମ୍ବା ବିଭାଗକୁ ବଦଳି କରିଦେବା ପାଇଁ କହିଥାନ୍ତି । କିନ୍ତୁ ଛୋଟ ଛୋଟ କମ୍ପାନୀ ତଥା ପ୍ରତିଷ୍ଠାନରେ ଏହା ହୁଏତ ସମ୍ଭବ ହୋଇ ନପାରେ । ତେବେ ଯଦି ସହକର୍ମୀମାନଙ୍କ ଶିକାର ହୋଇ ଆପଣ ନିଜର ଭାବମୂର୍ତ୍ତି ହରାଇବାର ସମ୍ଭାବନା ରହିଛି ତା’ହେଲେ ଆମକୁ ଉକ୍ତ ପରିସ୍ଥିତିକୁ ଗୁରୁତ୍ଵ ଦେବାକୁ ପଡିବ । ଚୁପ୍ ନରହି ଏହାର ସମାଧାନ ପାଇଁ ଆଗକୁ ବଢିବାକୁ ପଡିବ, ନହେଲେ ଆପଣଙ୍କ ନିରୀହତା ଯୋଗୁ ହୁଏତ ଆପଣ ଅଧିକ ଖରାପ ପରିସ୍ଥିତିର ସାମ୍ନା କରିପାରନ୍ତି ।
  • ଅନ୍ୟମାନଙ୍କ ଯୋଗୁ ଯଦି କମ୍ପାନୀରେ ଆପଣ ନିଜ ଭାବମୂର୍ତ୍ତି ହରାଇବେ ତା’ହେଲେ ଏହାର ପ୍ରଭାବ ଆପଣଙ୍କ କ୍ୟାରିୟର ଉପରେ ପଡିବ । ଅନ୍ୟମାନଙ୍କ ତାଡନା ସୀମା ଅତିକ୍ରମ କଲେ ଆପଣଙ୍କୁ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏହା ସତ୍ତ୍ୱେ ଯଦି କୌଣସି ଲାଭ ମିଳୁନି ତା’ହେଲେ ଆଇନର ସାହାଯ୍ୟ ନେଇପାରିବେ । ଏହା ହେଉଛି ଅନ୍ତିମ ବିକଳ୍ପ । ନିଜର ପ୍ରତ୍ୟୟକୁ ମ୍ୟାନେଜ୍ମେଣ୍ଟ ଆଗରେ ପ୍ରମାଣିତ କରିବାକୁ ପଡିବ । ମ୍ୟାନେଜ୍ମେଣ୍ଟ ଆଗରେ ଉକ୍ତ ନକାରାତ୍ମକ ମନୋବୃତ୍ତିଧାରା କର୍ମଚାରୀଙ୍କର ମୁଖା ଖୋଲିବାକୁ ପଡିବ । ଫଳରେ  ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଦ୍ଵାରା କର୍ମସ୍ଥାନରେ ଆପଣ ନିଜ ସ୍ଥାନ ସୁରକ୍ଷିତ  ରଖିବା ସହ ବିନା ମାନସିକ ଚିନ୍ତାରେ କାର୍ଯ୍ୟ କରିପାରିବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate