ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଇତିହାସ ଓ ରାଜନୀତି ବିଜ୍ଞାନ / ଚତୁର୍ଥ ଅଧ୍ୟାୟ / ଭାରତର କଳା, ସ୍ଥାପତ୍ୟ , ଶିଳ୍ପକୌଶଳ , ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା
ସେଆର କରନ୍ତୁ

ଭାରତର କଳା, ସ୍ଥାପତ୍ୟ , ଶିଳ୍ପକୌଶଳ , ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ତୃତୀୟ ପାଠ

ଯେ କୌଣସି ଦେଶର କଳା, ସ୍ଥାପତ୍ୟ , ଶିଳ୍ପକୌଶଳ , ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ବିଷୟଗୁଡିକରେ ପ୍ରାଚୀନ କାଳରୁ ଅର୍ଜିତ ପାରଦର୍ଶିତା ସେ ଦେଶର ଐତିହ୍ୟର ପରିଚୟ ଦିଏ   । ପ୍ରାଚୀନ କାଳରୁ ସମୟ କ୍ରମେ ଏହି ବିଷୟଗୁଡିକରେ ଉନ୍ନତି କାଳରୁ ସମୟ କ୍ରମେ ଏହି ବିଷୟଗୁଡିକରେ ଉନ୍ନତି ଓ ଅଭିବୃଦ୍ଧି ଘଟି ସଭ୍ୟତା ବା ସାଂସ୍କୃତିକ ଉପାଦାନଗୁଡିକର ମାନକ ଓ ଗୁରୁତ୍ଵ ଦେଶର ଐତିହ୍ୟ ସୁଚାଏ   । ନିମ୍ନୋକ୍ତ ସାଂସ୍କୃତିକ ଉପାଦାନଗୁଡିକ ଭାରତର ମୂଲ୍ୟବାନ ଐତିହ୍ୟ ସୃଷ୍ଟି କରିଛି   ।

କଳା 

ଭାରତୀୟମାନଙ୍କର କଳା ନୈପୁଣ୍ୟ ବହୁ ପୁରାତନ କାଳରୁ ପ୍ରକାଶିତ ହୋଇଛି   । ତିନି ପ୍ରକାର କଳା ଯଥା ମୂର୍ତ୍ତିକଳା , ଚିତ୍ରକଳା ଓ ସଙ୍ଗୀତକଳା ଭାରତର ଏକ ସ୍ଵତନ୍ତ୍ର ଐତିହ୍ୟ ସୃଷ୍ଟି କରିଛି   ।

(କ) ମୂର୍ତ୍ତି କଳା

ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା , ମୋହର ଉପରେ ଜୀବଜନ୍ତୁମାନଙ୍କ ପ୍ରତିକୃତି , ପଥରରେ କ୍ଷୋଦିତ ନିଶଦାଢି ସହ ପୁରୁଷ ପ୍ରତିମା ତଥା ବ୍ରୋଞ୍ଚ ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତର ମୂର୍ତ୍ତିକଳା ଆରମ୍ଭର ସୂଚନା ଦିଏ   ।

ମୌର୍ଯ୍ୟ ଓ ଶକ – କୁଶାନ ଯୁଗର ମୂର୍ତ୍ତିକଳା

ମୌର୍ଯ୍ୟ ଯୁଗରେ ଶାସକମାନଙ୍କ ପୃଷ୍ଟପୋଷାକତାରେ ବିଭିନ୍ନ ସ୍ଥାନରେ ନିର୍ମିତ ସ୍ତମ୍ଭର ଉପରିଭାଗ ପ୍ରସ୍ତର ଖୋଦିତ ପଶୁମାନଙ୍କ ଚିତ୍ର ଦ୍ଵାରା ମଣ୍ଡିତ ହୋଇଥିଲା   । ସାରନାଥ ସ୍ତମ୍ଭର ଅଗ୍ରଭାଗରେ ଥିବା ସିଂହର ପ୍ରତିକୃତି ଓ ଓଡିଶାର ଧଉଳି ପାହାଡ ନିକଟରେ ଥିବା ପ୍ରସ୍ତର ଖୋଦିତ ହସ୍ତୀର ବାହ୍ୟ ରୂପର ଚିତ୍ର ସମ୍ରାଟ ଅଶୋକଙ୍କ  ସମୟରେ କଳାକୃତିର ପରିଚୟ ଦିଏ   ।

ବିହାର , ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କେତେକ ସ୍ଥାନରୁ ଆବିଷ୍କୃତ ୟକ୍ଷ ମୂର୍ତ୍ତି ଓ ଜୈନ ତୀର୍ଥଙ୍କର ମୂର୍ତ୍ତି ମୌର୍ଯ୍ୟ ଯୁଗର ଦେଶୀୟ କଳାର ଶୈଳୀ ଦର୍ଶାଏ    । ମୌର୍ଯ୍ୟଯୁଗପରେ ବାହରୁତ, ବୋଧଗୟା ଓ ସାଞ୍ଚିଠାରେ ଖୋଦିତ ଚିତ୍ର ଏବଂ ଉଦୟଗିରି ଓ ଖଣ୍ଡଗିରିର ଚିତ୍ରବଲ୍ଲଋ ପ୍ରାୟତଃ ମୌର୍ଯ୍ୟ କଳାର ଅନୁସରଣରେ ନିର୍ମିତ   ।

ସାଞ୍ଚ ସ୍ତୁପର ତୋରଣରେ ଖୋଦିତ ଗୌତମବୁଦ୍ଧଙ୍କ ଜୀବନୀ, ଆରଣ୍ୟକ ଦୃଶ୍ୟ, ଜୀବଜନ୍ତୁ ଓ ଶୋଭାଯାତ୍ରାସେ ସମୟର ମୂର୍ତ୍ତିକଳାର ନିଦର୍ଶନ  । ଶକ – କୁଶାନ ଯୁଗରେ ମଥୁରା ଓ ଗାନ୍ଧାରଠାରେ ବୁଦ୍ଧ ,  ବୋଧିସତ୍ତ୍ଵ ଓ ଅନ୍ୟ କେତେକ ଐଶ୍ଵରୀୟ ପଥର ମୂର୍ତ୍ତି ମଧ୍ୟ ବହୁ ସଂଖ୍ୟାରେ ନିର୍ମିତ ହୋଇଥିଲା । ଧର୍ମ ସମ୍ବନ୍ଧୀୟ ମୂର୍ତ୍ତି  ବ୍ୟତୀତ ମଥୁରାଠାରେ ଶକ ଓ କୁଶାନ ବଂଶର ରାଜାମାନଙ୍କର ପ୍ରତିମୂର୍ତ୍ତି ଏବଂ ଯକ୍ଷ , ଯକ୍ଷିଣୀ , ବୃକ୍ଷକ ଓ ଅପସରାମାନଙ୍କର ଅନେକ ମୂର୍ତ୍ତି ନିର୍ମିତ ହୋଇଥିଲା   ।

ଗୁପ୍ତଯୁଗର ମୂର୍ତ୍ତିକଳା

ଗୁପ୍ତଯୁଗରେ ଗ୍ରୀକ ପ୍ରଭାବରେ ସୃଷ୍ଟ ଗାନ୍ଧାର କଳା ସଂପୂର୍ଣ୍ଣଭାବେ ଲୋପ ପାଇଯାଇଥିଲା ଏବଂ ସଂପୂର୍ଣ୍ଣ ଭାରତୀୟ  ଶୈଳୀରେ ବୌଦ୍ଧଧର୍ମ  ଓ ବ୍ରାହ୍ମଣ୍ୟ ଧର୍ମର ଦେବଦେବୀଙ୍କ ମୂର୍ତ୍ତି ପଥର ଓ ବ୍ରୋଞ୍ଚରେ ନିଖୁଣଭାବେ ନିର୍ମାଣ କରାଯାଇଥିଲା  । ସାରନାଥ ଓ ମଥୁରାଠାରେ ବହୁ ସଂଖ୍ୟାରେ ବୁଦ୍ଧ ଓ ବୋଧିସତ୍ତ୍ଵଙ୍କ ମୂର୍ତ୍ତି ଏବଂ ଶିବ , ବିଷ୍ଣୁ , ସୂର୍ଯ୍ୟ , କାର୍ତ୍ତିକେୟ ପ୍ରଭୁତି ବ୍ରାହ୍ମଣ୍ୟ ଧର୍ମର ଦେବତାଙ୍କ ମୂର୍ତ୍ତି ଆବିଷ୍କୃତ ହୋଇଛି   । ଦେଓଗଡର ମନ୍ଦିରରେ ମୂର୍ତ୍ତିକଳା ମାଧ୍ୟମରେ ରାମ ଓ କୃଷ୍ଣଙ୍କ ପୌରାଣିକ ଗଳ୍ପଗୁଡିକ ଯଥେଷ୍ଟ ସଫଳତାର ସହିତ ଚିତ୍ରିତ ହୋଇଛି  । ଅଜନ୍ତାର ନବମ ଗୁମ୍ଫାରେ ରାଣୀଙ୍କ ସହିତ ବସିଥିବା ନଟରାଜଙ୍କ ପ୍ରତିମୂର୍ତ୍ତି ଗୁପ୍ତଯୁଗ ମୂର୍ତ୍ତିକଳାର ଶ୍ରେଷ୍ଠ ନିଦର୍ଶନ  ।

ପଲ୍ଲବ, ଚୋଳ ଓ ପାଣ୍ଡ୍ୟବଂଶ ରାଜତ୍ଵର ମୂର୍ତ୍ତିକଳା

ଦକ୍ଷିଣ ଭାରତରେ ପଲ୍ଲବ ରାଜତ୍ଵ ସମୟରେ “ ଦ୍ରାବିଡଶୈଳୀ “ ନାମକ ଏକ ନୂତନ ମୂର୍ତ୍ତିକଳା ଓ ସ୍ଥାପତ୍ୟ ଶୈଳୀ ପ୍ରବର୍ତ୍ତିତ ହେଲା   । ତାମିଲନାଡୁର ମହାବଳିପୁରମ ବା ମାମଲାପୁରମ ସହରର କଳାରେ ଉତ୍କର୍ଷତାରେ ପ୍ରମାଣ ଦିଏ   । ଏଠାରେ ଥିବା ମନ୍ଦିରଗୁଡିକ ନିକଟରୁ ମିଳିଥିବା ପଥର ଖୋଦିତ ସିଂହ, ହାତୀ ଓ ବୃଷଭର ପ୍ରତିକୃତି ପ୍ରତୀକାତ୍ମକ ଭାବେ ଯଥାକ୍ରମେ ଦୁର୍ଗା ଓ ଇନ୍ଦ୍ର ଓ ଶିବଙ୍କୁ ପ୍ରକାଶ କରୁଥିଲା   । ଚୋଳ ବଂଶର ରାଜତ୍ଵ ସମୟରେ ତ୍ରିଚିନାପଲ୍ଲୀ ଜିଲ୍ଲାର ଶ୍ରୀନିଭାସାନାଲୁରଠାରେ ନିର୍ମିତ କୋରଙ୍ଗନାଥ ମନ୍ଦିର କାନ୍ଥରେ ହିନ୍ଦୁ ଦେବାଦେବୀଙ୍କ ବୃହତକାୟ ମୂର୍ତ୍ତିଗୁଡିକ ଏବଂ ସମ୍ରାଟ ରାଜରାଜ ଚୋଳ ୧୦୧୧ ଖ୍ରୀସ୍ତାଦ୍ଦରେ ତାଞ୍ଜାଭୁରଠାରେ ନିର୍ମାଣ କରିଥିବା ବ୍ରୁହଦୀଶ୍ଵର ମନ୍ଦିରର ମୂର୍ତ୍ତିକଳା ସେ ସମୟର ଭାରତୀୟ କଳା କୌଶଳର ପରିଚୟ ଦିଏ   । ଏହା ବ୍ୟତୀତ ଚୋଳଙ୍କ ସମୟରେ ନିର୍ମିତ ନଟରାଜ ଶିବ ଓ ଅନ୍ୟ ହିନ୍ଦୁ ଦେବାଦେବୀ ଓ ସନ୍ଥମାନଙ୍କର ବ୍ରୋଞ୍ଚ ପ୍ରତିମୂର୍ତ୍ତି ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି   । ପାଣ୍ଡ୍ୟବଂଶ ରାଜତ୍ଵ ସମୟରେ ନିର୍ମିତ ମନ୍ଦିରଗୁଡିକର ଗୋପୁରମ ବା ପ୍ରଦେଶ ଦ୍ଵାରଗୁଡିକର ଖୋଦିତ କାରୁକାର୍ଯ୍ୟ ପାଣ୍ଡ୍ୟକଳାର ନିଦର୍ଶନ   ।  ଦରସୁରମଠାରେ ନିର୍ମିତ କୁମ୍ଭକୋନମ ମନ୍ଦିରର ଗୋପୁରମରେ ଅତ୍ୟନ୍ତ ଚିତ୍ତାକର୍ଷକ ପାଣ୍ଡ୍ୟ ଚିତ୍ରକଳା ଦେଖାଯାଏ   । ସପ୍ତଦଶ ଶତାଦ୍ଦୀରେ ରାମେଶ୍ଵରମ ଓ ମଦୁରାଠାରେ ନିର୍ମିତ ମନ୍ଦିରମାନଙ୍କ ମୂର୍ତ୍ତିକଳାରେ ଦ୍ରାବିଡ ଶୈଳୀର ଚରମ ପର୍ଯ୍ୟାୟ ଦେଖିବାକୁ ମିଳେ   ।

ରାଜପୁତ ଶାସନ ସମୟର ମୂର୍ତ୍ତିକଳା

ସପ୍ତମ ଶତାଦ୍ଦୀର ମଧ୍ୟଭାଗରୁ ଦ୍ଵାଦଶ ଶତାଦ୍ଦୀର ଶେଷ ପର୍ଯ୍ୟନ୍ତ ଉତ୍ତର ଭାରତରେ ଶାସନ କରୁଥିବା ରାଜପୁତମାନଙ୍କ ସମୟରେ ମୂର୍ତ୍ତିକଳା ଚରମ ଉତ୍କର୍ଷରେ ପହଞ୍ଚିଥିଲା ଏବଂ ମୂର୍ତ୍ତିକଳା ଓ ସ୍ଥାପତ୍ୟରେ “ କଳିଙ୍ଗ ଶୈଳୀ “ ନାମରେ ପରିଚିତ ଭିନ୍ନ ଶୈଳୀ ସୃଷ୍ଟି କରିଥିବା ଓଡିଶା ବ୍ୟତୀତ ଉତ୍ତର ଭାରତରେ ଇଣ୍ଡୋ-ଆରିଆନ ବା “ ନାଗର ଶୈଳୀ “ ର ଉଦ୍ଭବ ହୋଇଥିଲା   । ସେ ସମୟରେ ନିର୍ମିତ ଭୁବନେଶ୍ଵର, ପୁରୀ, ଓ କୋଣାର୍କର ମନ୍ଦିରମାନଙ୍କ ଉତ୍କର୍ଷ ମୂର୍ତ୍ତିକଳା ବ୍ୟତୀତ , ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିରମାନଙ୍କର ବାହାର ଓ ଭିତର କାନ୍ଥମାନଙ୍କରେ ଅପୂର୍ବ ମୂର୍ତ୍ତିକଳା ରାଜସ୍ଥାନର ଚିତ୍ତୋରଗଡଠାରେ କଲିକାମିତା ମନ୍ଦିର ଓ ଉଦୟପୁର ନିକଟରେ ଏକ ଲିଙ୍ଗ ମନ୍ଦିର ତଥା ମାଉଣ୍ଟ ଆବୁର ଜୈନ ମନ୍ଦିରଗୁଡିକର ସୁନ୍ଦର ମୂର୍ତ୍ତିକଳା ଭାରତୀୟମାନଙ୍କ କଳା ନୈପୁଣ୍ୟର ପରିଚୟ ଦିଏ   ।

ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ହୋୟସଲା ରାଜତ୍ଵର ମୂର୍ତ୍ତିକଳା

ମଧ୍ୟଦେଶ ଅଞ୍ଚଳରେ ଚାଲୁକ୍ୟ ଓ ରାଷ୍ଟ୍ରକୁଟ ବଂଶର ଶାସନ ସମୟର ମୂର୍ତ୍ତିକଳାରେ ଉଭୟ ନାଗର ଓ ଦ୍ରାବିଡ ଶୈଳୀ ବ୍ୟବହୃତ ହୋଇଥିଲା   । ଚାଲୁକ୍ୟ ରାଜଧାନୀ ବାଦାମିଠାରେ ବହୁ ସଂଖ୍ୟାରେ ନିର୍ମିତ ଗୁମ୍ଫା ମନ୍ଦିରମାନଙ୍କରେ ଶେଷନାଗ ବା ଅନନ୍ତନାଗ ଉପରେ ବିଷ୍ଣୁଙ୍କ ଉପବେଶ ଏବଂ ବରାହ , ନରସିଂହ ଓ ବାମନ ଅବତାର ମୂର୍ତ୍ତି ପ୍ରସିଦ୍ଧ   । ଏଲୋରାଠାରେ ରାଷ୍ଟ୍ରକୁଟ ସମ୍ରାଟ ପ୍ରଥମ କ୍ରୀଷ୍ଣାଙ୍କଦ୍ଵାରା ନିର୍ମିତ ଖ୍ରୀଷ୍ଟାଦ୍ଦ ଷଷ୍ଠ ଶତାଦ୍ଦୀର କୈଳାସ ମନ୍ଦିର ବିସ୍ମୟକର ଶିଳ୍ପକଳାରେ ପରିପୂର୍ଣ୍ଣ ଏବଂ ସମଗ୍ର ମନ୍ଦିରଟି ପୃଥିବୀର ବୃହତ୍ତମ ପଥରଖଣ୍ଡରେ ଖୋଦିତ ମୂର୍ତ୍ତିକଳା   । ମୁମ୍ବାଇ ନିକଟରେ ଏଲିଫାଣ୍ଟ ଦ୍ଵୀପରେ ନିର୍ମିତ ଗୁମ୍ଫା ମନ୍ଦିରର ମନୋରମ ମୂର୍ତ୍ତିକଳା ମଧ୍ୟରେ ପ୍ରକାଣ୍ଡ ତ୍ରିପାର୍ଶ୍ଵ ବିଶିଷ୍ଟ ଶିବ ମୂର୍ତ୍ତି ସେ ସମୟର କଳା- ଉତ୍କର୍ଷର ପ୍ରମାଣ ଦିଏ   । ଦ୍ଵାଦଶ ଓ ତ୍ରୟୋଦଶ ଶତାଦ୍ଦୀରେ ମହିଶୂର ମାଳଭୂମିରେ ଶାସନ କରୁଥିବା ହୋୟସଲା ବଂଶର ରାଜାମାନଙ୍କ ଦ୍ଵାରା ଏକ ନୂତନ ଶୈଳୀ ପରର୍ତ୍ତିତ ହୋଇଥିଲା   । ହେଲବିଦଠାରେ ନିର୍ମିତ ପ୍ରସିଦ୍ଧ ମନ୍ଦିରକୁ ସଂପୂର୍ଣ୍ଣଭାବେ ଆଛାଦିତଦିତ କରିଥିବା ହସ୍ତୀ , ବାଘ , ଅଶ୍ଵାରୋହୀମାନଙ୍କର ଏବଂ ପଶୁପକ୍ଷୀଙ୍କ ପ୍ରତିକୃତି ତଥା ଏହାର ପ୍ରତ୍ୟେକ ସ୍ତମ୍ଭର ଉପରିଭାଗର ବିଭିନ୍ନ ମୂର୍ତ୍ତିକଳା ହୋୟସଲା ସମୟର ଭାରତୀୟ କଳାର ନିଦର୍ଶନ   ।

ଚିତ୍ରକଳା

ବହୁ ପୁରାତନ କାଳରୁ ଭାରତରେ ଚିତ୍ରକଳାର ଆଦର ଥିବାର ଜଣାଯାଏ  ।  ଓଡିଶାର କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ଗୁଡହାଣ୍ଡି ଓ ଯୋଗୀମଠ ଠାରେ ପ୍ରାଗ – ଐତିହାସିକ ଯୁଗର ଗୁମ୍ଫାଚିତ୍ର ଆବିଷ୍କୃତ ହୋଇଛି   ।

ପ୍ରାଚୀନ ଯୁଗର ଚିତ୍ରକଳା

ମହାଭାରତରେ ଚିତ୍ରଲେଖ ନାମରେ ଜଣେ ପ୍ରତିଭାବାନ ଚିତ୍ରକରଙ୍କ ବିଷୟ ଉଲ୍ଲେଖ କରାଯାଇଛି  ।  ବିନୟ, ପିଟକରେ ଆମ୍ରପଲ୍ଲୀ ତାଙ୍କ ଘରର କାନ୍ଥଗୁଡିକରେ ରାଜା, ବ୍ୟବସାୟ ଓ ସୌଦାଗରମାନଙ୍କ ପ୍ରତିମୂର୍ତ୍ତିକୁ ବିଭିନ୍ନ ରଙ୍ଗରେ ଅଙ୍ଗିବା ପାଇଁ ଅନେକ ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରିଥିବା ବର୍ଣ୍ଣିତ ହୋଇଛି   ।  ସମ୍ରାଟ ପ୍ରସେନଜିତଙ୍କ ଏକ ଚିତ୍ରାଗାର ଥିବାର ଜନାଜାଏ  । ଝାଡଖଣ୍ଡ ରାଜ୍ୟସ୍ଥିତ ରାମଗଡ ପର୍ବତର ଯୋଗୀମରା ଗୁମ୍ଫାରେ ଗୋଟିଏ ଧାଡିରେ ଅଙ୍କିତ ମନୁଷ୍ୟମାନଙ୍କର ହଳଦିଆ ଓ ଗେରୁଆ ରଙ୍ଗର ଚିତ୍ର ବର୍ତ୍ତମାନ ସୁଦ୍ଧା ମିଳିଥିବା ସର୍ବ ପୁରାତନ ଚିତ୍ରକଳା ମଧ୍ୟରେ ଅନ୍ୟତମ   । ମହାରଷ୍ଟ୍ରର ଅଉରଙ୍ଗାବାଦ ନିକଟରେ ଅଜନ୍ତା ଗୁମ୍ଫାରେ , ମଧ୍ୟପ୍ରଦେଶର ଗ୍ୱାଲିଅରଠାରେ ବାଘ ଗୁମ୍ଫାରେ ତାମିଲନାଡୁରେ ପୁଦୂକୋଟାଇଠାରେ ସତ୍ତାନାଭାସାଲ ମନ୍ଦିର ରେ ଶ୍ରୀଲଙ୍କା ସିଗିରିଆଠାରେ ପଥରକଟା କୋଠରୀଗୁଡିକରେ ଜଳରଙ୍ଗର ଚିତ୍ରକଳା ଗୁପ୍ତଯୁଗର କଳା ନୈପୁଣ୍ୟର ନିଦର୍ଶନ ବହନ କରେ   । ତାଞ୍ଜାଭୁରଠାରେ ଅବସ୍ଥିତ ରାଜରାଜେଶ୍ଵର ମନ୍ଦିର କାନ୍ଥରେ ଚୋଳ ରାଜତ୍ଵ ସମୟରେ ଚିତ୍ରକଳା ଆବିଷ୍କୃତ ହୋଇଛି  । ଅଷ୍ଟମ ଶତାଦ୍ଦୀପରେ ଭାରତରେ ଚିତ୍ରକଳାର ଅଗ୍ରଗତିରେ କିଛି ପରିମାଣରେ ସ୍ଥାଣୁତା ଆସିଯାଇଥିଲା   ।

ମୋଗଲ ଚିତ୍ରକଳା

ମୋଗଲ ଶାସକମାନେ ଭାରତୀୟ ଚିତ୍ରକଳାର ପୁନରୁଦ୍ଧାର କଲେ   । ଭାରତର ପ୍ରଥମ ମୋଗଲ ସମ୍ରାଟ ବାବରଙ୍କ ପୃଷ୍ଠପୋଷକତା ଏହି ପୁନରୁଦ୍ଧାର ପାଇଁ ଅନେକ ପରିମାଣରେ ସାହାଯ୍ୟ କରିଥିଲା   । ହୁମାୟୁନ ପାରିଷ୍ୟର ଦୁଇଜଣ ଦକ୍ଷ ଚିତ୍ରଶିଳ୍ପୀ ସୟଦ ଅଲ୍ଲୀ ତାବରେଜି ଓ ଖ୍ୱାଜା ଅବଦୁସ ସମଦଙ୍କ ସହାୟତାରେ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ   । ଆକବରଙ୍କ ସମୟରେ ପାରସୀ ଓ ଚୀନା ଶୈଳୀ ସହିତ ହିନ୍ଦୁ ଶୈଳୀର ମିଶ୍ରଣ ଘଟି ଏକ ନୂତନ ଚିତ୍ରକଳା ଶୈଳୀ ସୃଷ୍ଟି ହୋଇଥିଲା   ।

ଜାହାଙ୍ଗୀର ଙ୍କ ସମୟରେ ପ୍ରଚୁର ପରିମାଣରେ ବିଭିନ୍ନ ବିଷୟରେ ଓ ବିବିଧ ରଙ୍ଗର ଚିତ୍ରକଳା ପ୍ରସ୍ତୁତ କରାଯାଇଥିବାରୁ ତାଙ୍କ ଶାସନକାଳକୁ ମୋଗଲ ଚିତ୍ରକଳାର ସୁବର୍ଣ୍ଣଯୁଗ ବୋଲି କୁହାଯାଏ   । ଶାହାଜାହାନଙ୍କ ଦ୍ଵାରା ଚିତ୍ରକଳାର ପୃଷ୍ଟପୋଷାକତା ପ୍ରତ୍ୟାହାର ଓ ଆଉରଙ୍ଗଜେବଙ୍କ ଚିତ୍ରକଳା ପ୍ରତି ଆଗ୍ରହ ଅଭାବ ହେତୁ ମୋଗଲ ଚିତ୍ରକଳାର ଅବକ୍ଷୟ ଘଟିଲା   ।

ରାଜପୁତ ଚିତ୍ରକଳା

ଜୟପୁର , ଯୋଧପୁର , ଉଦୟପୁର ଓ ବିକାନିରଠାରେ ରାଜପୁତ ରାଜାମାନଙ୍କ ପ୍ରସାଦଗୁଡିକ ରେ ଜଳରଙ୍ଗରେ ପ୍ରସ୍ତୁତ ଚିତ୍ରକଳାରୁ ଗୁପ୍ତଯୁଗର ଦେଶୀୟ ଚିତ୍ରକଳା ଶୈଳୀ ସେତେବେଳେ ପର୍ଯ୍ୟନ୍ତ ବଞ୍ଚି ରହିଥିବାର ସୂଚନା ମିଳେ   । ସମ୍ଭବତଃ ହିନ୍ଦୁମାନଙ୍କର ଏ ପ୍ରକାର ଶୈଳୀ ମୋଗଲ ଶୈଳୀରେ ମିଶିନଥିଲା   ।  ଏହି ଜଳରଙ୍ଗର ଚିତ୍ରକଳା ରାଜସ୍ଥାନ ଓ ମଧ୍ୟପ୍ରଦେଶର ହିନ୍ଦୁ ରାଜାମାନଙ୍କ ଦରବାରରେ ସ୍ଥାନ ପାଇଥିଲା   । ସମୟକ୍ରମେ ଏହା ରାଜପୁତ ଚିତ୍ରକଳା ଶୈଳୀ ଭାବେ ପରିଚିତ ହୋଇଥିଲା ଏବଂ ରାଜସ୍ଥାନର ଜଯପୁର ଏହାର କେନ୍ଦ୍ରସ୍ଥଳୀ ହୋଇଥିଲା  ।

ଷୋଡଶ ଶତାଦ୍ଦୀ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ରାଜପୁତ ଶୈଳୀ ପ୍ରାୟ ୨୦୦ ବର୍ଷ ଧରି ବିକଶିତ ହୋଇ ରହିଥିଲା   । ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ପଞ୍ଜାବ – ହିମାଳୟ ଅଞ୍ଚଳରେ ରାଜପୁତ ଶୈଳୀର ଏକ ଉପଶାଖାର ଉଦ୍ଭବ ହେଲା ଏବଂ ପ୍ରମୁଖ ହିମାଳୟ ରାଜ୍ୟ କାଙ୍ଗ୍ରୋ ନାମରୁ ଏହା ‘କାଙ୍ଗ୍ରା ଶୈଳୀ ‘ ଭାବେ ଓ ଉକ୍ତ ଅଞ୍ଚଳ ପାହାଡିଆ ହୋଇଥିବାରୁ ଏହାର ଶୈଳୀ ‘ ପାହାଡୀ ଶୈଳୀ ‘ ଭାବେ ମଧ୍ୟ ପ୍ରସିଦ୍ଧ ଲାଭ କଲା  । ବିଭିନ୍ନ ପୌରାଣିକ ଓ ଧାର୍ମିକ ଗଳ୍ପଗୁଡିକର ଚିତ୍ରଣ ବ୍ୟତିତ ପାହାଡୀ ଶିଳ୍ପୀମାନେ ପ୍ରତିକୃତି, ଭାରତୀୟ ସଙ୍ଗୀତର ରାଗ ଓ କୃଷକ ଜୀବନର ଦୃଶ୍ୟକୁ ଚିତ୍ରିତ କରିଥିଲା   ।

ସଙ୍ଗୀତ କଳା

ମହେଞ୍ଜୋଦାରୋରୁ ଆବିଷ୍କୃତ ଏକ ନର୍ତ୍ତକୀ ପଥର ମୂର୍ତ୍ତି ଓ ହରପପାରୁ ଆବିଷ୍କୃତ ଏକ ନୃତ୍ୟରତା ମହିଳାର ବ୍ରୋଞ୍ଚ ମୂର୍ତ୍ତିରୁ ସିନ୍ଧୁ ସଭ୍ୟତା ସମୟରେ ଭାରତରେ ନୃତ୍ୟ କଲାର ଆବିର୍ଭାବ ହୋଇଥିବାର ସ୍ପଷ୍ଟ ସୂଚନା ମିଳେ   ।

ବୈଦିକ ଯୁଗର ସଙ୍ଗୀତ କଳା

ଋକ ବୈଦିକ ଓ ପରବର୍ତ୍ତୀ ବୈଦିକ ଯୁଗରେ ନୃତ୍ୟ, ସଙ୍ଗୀତ ଏବଂ ବୀଣା, ବଂଶୀ, ଢୋଲ ଓ ଝାଞ୍ଜ ପ୍ରଭୁତି ବାଦ୍ୟଯନ୍ତ୍ର ମନୋରଞ୍ଜନର ମାଧ୍ୟମ ଥିଲା   । ପରବର୍ତ୍ତୀ ବୈଦିକ ଯୁଗରେ ନାଟକ ମଞ୍ଚସ୍ଥ ହେଉଥିଲା ଓ ଗାଥା ଭାବରେ ପରିଚିତ ଗୀତ ପରିବେଶଣ କରାଯାଉଥିଲା   । ଏହି ଗାଥା ପରବର୍ତ୍ତୀ ସମୟରେ ରଚିତ ବୀର ରସାତ୍ମକ ମହାକାବ୍ୟର ପୂର୍ବାଭାଷ ଥିଲା  । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଉତ୍ପତ୍ତି ସାମବେଦରୁ ହୋଇଛି   । ଭାରତର ନାଟ୍ୟକଳାର ଉତ୍ପତ୍ତି ଭରତ ମୁନିଙ୍କ ରଚିତ ଭରତ ନାଟ୍ୟଶାସ୍ତ୍ରରୁ ହୋଇଛି   ।

ମୌର୍ଯ୍ୟ ଓ ଗୁପ୍ତଯୁଗର ସଙ୍ଗୀତ କଳା

ମୌର୍ଯ୍ୟ ବଂଶର ଶାସକମାନେ ନୃତ୍ୟ, ସଙ୍ଗୀତ , ବାଦ୍ୟଯନ୍ତ୍ର , ବିଶେଷ କରି ବୀଣା ବାଦନ ଏବଂ ବିଭିନ୍ନ ଦଳମାନଙ୍କ ଦ୍ଵାରା ଗ୍ରାମମାନଙ୍କରେ ନୃତ୍ୟ, ନାଟକ ଓ ସଙ୍ଗୀତ ପରିବେଷଣକୁ ଉତ୍ସାହିତ କରୁଥିଲେ  । ଶାସକମାନଙ୍କ ଦ୍ଵାରା ନୃତ୍ୟ ଶିକ୍ଷକ ନିଯୁକ୍ତି କରାଯାଉଥିଲା  । ଶିକ୍ଷା ଦିଆଯାଉଥିବା ଚଉଷଠି କଳା ମଧ୍ୟରେ ନୃତ୍ୟ ଓ ସଙ୍ଗୀତକୁ ଗୁରୁତ୍ଵ ଦିଆଯାଉଥିଲା ଏବଂ ଉଭୟ ପୁରୁଷ ଓ ନାରୀଙ୍କୁ କଳା ଶିକ୍ଷାପାଇଁ ସ୍ଵାଧୀନତା ଦିଆଯାଉଥିଲା   । ଗୁପ୍ତଯୁଗର ମୁଦ୍ରାଗୁଡିକରେ ସମ୍ରାଟ ସମୁଦ୍ରଗୁପ୍ତ ବୀଣା ବଜାଇବା ପ୍ରତିକୃତି ,  ଭୁମରାର ଶିବ ମନ୍ଦିରରେ ଖୋଦିତ ଭକ୍ତମାନଙ୍କ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଦୃଶ୍ୟ , ସାରନାଥଠାରେ ଆବିଷ୍କୃତ ଏକ ବିରାଟ ପଥର ଖଣ୍ଡରେ ବଂଶୀ , ତୂରୀ ଓ ମୃଦଙ୍ଗ ବଜାଉଥିବା ତରୁଣୀମାନଙ୍କ ଗହଣରେ ଜେନ ନୃତ୍ୟରତା ନାରୀର ପ୍ରତିକୃତି ,  ବାଘଗୁମ୍ଫାରେ ଚିତ୍ରିତ ଦୁଇଦଳ ତରୁଣୀଙ୍କ ଦ୍ଵାରା ନୃତ୍ୟପରିବେଷଣ ଓ ବାଦ୍ୟଯନ୍ତ୍ର ବାଦନର ଦୃଶ୍ୟ ଏବଂ କାଳୀଦାସଙ୍କ ଦ୍ଵାରା ରଚିତ ଅନେକ ନାଟକ ଗୁପ୍ତଯୁଗରେ ଭାରତର ସଙ୍ଗୀତକଳାର ଉତ୍କର୍ଷରେ ପ୍ରମାଣ ଦିଏ   ।

ସୁଲତାନିୟ ଓ ମୋଗଲ ଯୁଗର ସଙ୍ଗୀତ କଳା

ସୁଲତାନିୟ ଶାସନ କାଳରେ ପ୍ରସିଦ୍ଧ ସଙ୍ଗୀତଙ୍ଗ ଅମୀର  ଖୁସରୋଙ୍କର ଆବିର୍ଭାବ ହୋଇଥିଲା  ।  ସେ ଭାରତୀୟ ସ୍ଵରରେ ତାଙ୍କ କବିତାଗୁଡିକ ଆବୃତି କରିଥିଲେ ଏବଂ ଦୁଇଟି ନୂତନ ସଙ୍ଗୀତ ଶୈଳୀ କୱାଌ ଓ ଖେୟାଲ ସୃଷ୍ଟି କରିଥିଲେ ମୁସଲମାନମାନେ ହିନ୍ଦୁମାନଙ୍କ ବାଦ୍ୟଯନ୍ତ୍ର ଓ ଧ୍ରୁପକ ରାଗକୁ  ଗ୍ରହଣ କରିଥିଲେ ଏବଂ ଦୁଇ ବାଦ୍ୟଯନ୍ତ୍ର ସୀତାର ଓ ତବଲା ପ୍ରଚାଳନ କରିଥିଲେ   । ମୋଗଲ ଶାସକମାନେ ଭାରତୀୟ ସଙ୍ଗୀତ କଳାର ଅନେକ ବିକାଶ ଘଟାଇଥିଲେ  ।  ଆକବାର ତାଙ୍କ ଦରବାରକୁ ନିୟନ୍ତ୍ରଣ କରିଥିଲା ସଙ୍ଗୀତଜ୍ଞମାନଙ୍କ ମଧ୍ୟରେ ଗ୍ୱାଲିଆରର ମିଆଁ ତାନସେନ ଓ ମାରୱାର ବାଜ ବାହାଦୁର ସବୁଠାରୁ ବେଶୀ ପ୍ରସିଦ୍ଧ ଥିଲେ  । ଆକବରଙ୍କ ସଙ୍ଗୀତ କଳା ପ୍ରତି ଅକୁଣ୍ଠ ସମର୍ଥନ ଫଳରେ ତରାନା, ଠୁମଋ , ଗଜଲ ଭଳି ନୂତନ ରାଗର ସୃଷ୍ଟି ହୋଇଥିଲେ  । ଶାହାଜାହାନ ନିଜେ କେତେକ ଗୀତ ରଚନା କରିଥିଲେ   ଏବଂ ବିକାନର ଜଗନ୍ନାଥ ଭଟ୍ଟ  ଓ ଜନାର୍ଦ୍ଦନ ଭଟ୍ଟଙ୍କ ଭଳି ପ୍ରସିଦ୍ଧ ହିନ୍ଦୁ ସଙ୍ଗୀତଜ୍ଞଙ୍କର ପୃଷ୍ଠପୋଷକତା କରିଥିଲେ   । ଅଉରଙ୍ଗଜେବ ସଙ୍ଗୀତ ପରିବେଷଣ ର ବିରୋଧୀ ଥିଲେ  । ତାପରେ ମହମ୍ମଦ ଶାହାଙ୍କ ସମୟରେ ସଙ୍ଗୀତ କଳାର ପୁନରୁଦ୍ଧାର ହୋଇଥିଲା  । ତାଙ୍କ ଦରବାରରେ ଅଦରଙ୍ଗ ଓ ସଦରଙ୍ଗନାମକ ଦୁଇଜଣ ସଙ୍ଗୀତଜ୍ଞ  ଖେୟାଲ ପରିବେଶଣ କରୁଥିଲେ   ।

ସଙ୍ଗୀତ କଳାର ଗତି

ସମୟକ୍ରମେ ଧାର୍ମିକ କଳା ଭାବେ ବିବେଚିତ ହେଉଥିବା ସଙ୍ଗୀତର ବ୍ୟବସାୟୀକରଣ ହୋଇ ଉତ୍ତର ଭାରତରେ ସଙ୍ଗୀତର ଜନପ୍ରିୟତା ହ୍ରାସ ପାଇଲା  । କିନ୍ତୁ ଦକ୍ଷିଣ ଭାରତରେ ସଙ୍ଗୀତର ସମ୍ମାନ ଓ ମର୍ଯ୍ୟାଦା ବଜାୟ ରହିଲା   । ଭାରତରେ ଜାତୀୟତାର ବିକାଶ ପରେ ପରେ ସ୍ଥାନୀୟ ଭାଷାରେ ଅନେକ ଗୀତ ଓ ନାଟକ ରଚିତ ହୋଇ ସଙ୍ଗୀତ ଓ ନାଟ୍ୟ କଳାର ବିକାଶରେ ସାହାଯ୍ୟ କଳା   । ଭାରତୀୟ ନୃତ୍ୟକଳାକୁ ଉତ୍ସାହିତ କରାଗଲା ଓ ଏହାର ଉନ୍ନତି କରାଗଲା   ।

ସଙ୍ଗୀତ କଳାର ଗତି

ସମୟକ୍ରମେ ଧାର୍ମିକ କଳା ଭାବେ ବିବେଚିତ ହେଉଥିବା ସଙ୍ଗୀତର ବ୍ୟବସାୟୀକାରଣ ହୋଇ ଉତ୍ତର ଭାରତରେ ସଙ୍ଗୀତର ଜନପ୍ରିୟତା ହ୍ରାସ ପାଇଲା  । କିନ୍ତୁ ଦକ୍ଷିଣ ଭାରତରେ ସଙ୍ଗୀତର ସମ୍ମାନ ଓ ମର୍ଯ୍ୟାଦା ବଜାୟ ରହିଲା  । ଭାରତରେ ଜାତୀୟତାର ବିକାଶ ପରେ ପରେ ସ୍ଥାନୀୟ ଭାଷାରେ ଅନେକ ଗୀତ ଓ ନାଟକ ରଚିତ ହୋଇ ସଙ୍ଗୀତ ଓ ନାଟ୍ୟ କଳାର ବିକାଶରେ ସାହାଯ୍ୟ କଲା   । ଭାରତୀୟ ନୃତ୍ୟକଳାକୁ ଉତ୍ସାହିତ କରାଗଲା ଓ ଏହାର ଉନ୍ନତି କରାଗଲା   ।

ଆଧୁନିକ ଯୁଗର ସଙ୍ଗୀତ କଳା

ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତ ହେଉଛି ଉତ୍ତର ଭାରତର ହିନ୍ଦୁସ୍ଥାନୀ ସଙ୍ଗୀତ ଓ ଦକ୍ଷିଣ ଭାରତର କର୍ଣ୍ଣାଟିକ ସଙ୍ଗୀତ   । ଭାରତରେ ବିଭିନ୍ନ ଶୈଳୀର ସଙ୍ଗୀତ  ପରିବେଷଣ କରାଯାଏ   । ସେଥି ମଧ୍ୟରୁ ଓଡିଶୀ, ଖେୟାଲ, ଠୁମରୀ, ଗଜଲ, କୱାଲି , ଭଜନ ପ୍ରଭୁତି କେତେକ ପ୍ରଧାନ ଶୈଳୀ   । ଭିନ୍ନ ଭିନ୍ନ ରାଗ ଓ ଲୟରେ ଭାରତୀୟ ସଙ୍ଗୀତ ଗାନ କରାଯାଏ   । ଏହା ବ୍ୟତୀତ ଭାରତର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଭାଷାର ସଙ୍ଗୀତ ଓ ଲୋକ ଗୀତ ଜନପ୍ରିୟ ହୋଇପାରିଛି   । ଭାରତୀୟ ବାଦ୍ୟଯନ୍ତ୍ର ମଧ୍ୟରେ ମାଠିଆ , ବାଜା , ମୃଦଙ୍ଗ , ତବଲା,  ନାଦସ୍ଵରମ , ଶାହାନାଇ , ବଂଶୀ , ସନ୍ତୁର ବା ଶତତନ୍ତ୍ରୀ ବୀଣା , ସାରଙ୍ଗୀ , ସିତାର ଓ ବୀଣା ପ୍ରଧାନ   । ଏହାଛଡା ବିଭିନ୍ନ ଅଞ୍ଚଳରେ ଦେଶୀୟ ବା ସ୍ଥାନୀୟ ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ   । ତାମିଲନାଡୁର ଭାରତ ନାଟ୍ୟମ, ଉତ୍ତର ପ୍ରଦେଶର କଥକ, କେରଳ ର କଥାକଲି ଓ ମୋହିନିୟାତ୍ତମ , ଆନ୍ଧ୍ରପ୍ରଦେଶର କୁଚିପୁଡି , ମଣିପୁରର ମଣିପୁରୀ ଏବଂ ଓଡିଶାର ଓଡିଶୀ ନୃତ୍ୟ ଭାରତର ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ   ।

ଆଞ୍ଚଳିକ ଓ ଲୋକନୃତ୍ୟ ମଧ୍ୟରେ କେତେକ ଜନପ୍ରିୟ ହେଉଛି ଆସାମର ବହୁ, ଗୁଜରାଟର ଦଣ୍ଡିଆ, ମହାରାଷ୍ଟ୍ରର ଲୱାଣୀ ,ମିଜୋରାମର ବାଉଁଶ ନୃତ୍ୟ, ନାଗାଲାଣ୍ଡର ନାଗାନୃତ୍ୟ , ଓଡିଶାର ଡାଳଖାଇ , ଘୁମୁରା ଓ ରଣପା , ପଞ୍ଜାବର ଭାଙ୍ଗଡା , ରାଜସ୍ଥାନର ଘୁମର,  ସିକିମର ଲେପଚା , ତାମିଲନାଡୁର କୋଲାତ୍ତମ ଓ ତ୍ରିପୁରାର ବାଉଁଶ ନୃତ୍ୟ   । ଦେଶରେ ବିଭିନ୍ନ ରାଜ୍ୟରେ ଉଦ୍ଭବ ହୋଇଥିବା ସାମରିକ ନୃତ୍ୟ ମଧ୍ୟରୁ ଆସାମର ସତଋଆ, କେରଳର କଲ୍ଲାରୀପାୟତୁ , ଓଡିଶାର ପାଇକ ଏବଂ ପଞ୍ଜାବର ସତେବଜୀ ନୃତ୍ୟ ପ୍ରସିଦ୍ଧ   । ଭାରତର ନାଟ୍ୟକଲା , ପୌରାଣିକ,ଐତିହାସିକ , ରାଜନୈତିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ଥିଏଟର, ଯାତ୍ରା , ଗୀତିନାଟ୍ୟ , ପାଲା ଓ ଦାଶକାଠିଆ ଶୈଳୀରେ ପରିବେଶିତ ହୁଏ   ।

ସ୍ଥାପତ୍ୟ 

ଭାରତୀୟ ସ୍ଥାପତ୍ୟ ବିଭିନ୍ନ ସମୟରେ ସ୍ଥପତିମାନଙ୍କ ଉଚ୍ଚମାନର ବୈଷୟିକ ଜ୍ଞାନ ଓ ନିଖୁଣ ନିର୍ମାଣ ଶୈଳୀର ପରିଚୟ ଦିଏ  । କ୍ରେନ, ବୁଲଦୋଜର, ସିମେଣ୍ଟ ମିଶ୍ରଣ ମେସିନ ଓ ବିଦ୍ୟୁତ ଶକ୍ତି ପ୍ରଚଳିତ ହୋଇଥିବା ସମୟରେ ସ୍ଥାପତିମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ ପ୍ରକାରର ଗଠନ ଗୁଡିକ ଠିକ ଭାବେ ଉତ୍କର୍ଷର ସହିତ ନିର୍ମାଣ କରାଯାଇଥିବା ଆଶ୍ଚର୍ଯ୍ୟଜନକ ମନେ ହୁଏ   ।

(କ) ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତା ସମୟର ସ୍ଥାପତ୍ୟ

ସିନ୍ଧୁ ସଭ୍ୟତା ସମୟରେ ନିର୍ମିତ ଦ୍ଵିତଳ ବିଶିଷ୍ଟ ବାସଗୃହ , ରାସ୍ତାପାର୍ଶ୍ଵରେ ପ୍ରଶସ୍ତ ନାଳ , ସର୍ବସାଧାରଣ, ବାସଗୃହ , ବିରାଟ ଶସ୍ୟାଗାର ଓ ସର୍ବୋପରି ମହେଞ୍ଜୋଦାରୋର ସର୍ବସାଧାରଣ ସ୍ନାନାଗାର ଖ୍ରୀଷ୍ଟଦ୍ଦ ୩୦୦୦ ବର୍ଷ ପୂର୍ବେ ଭାରତର ସ୍ଥାପତ୍ୟକଲାରେ ଉତ୍କର୍ଷତା ପ୍ରମାଣ ଦିଏ   । ବୈଦିକ ଯୁଗରେ ସ୍ଥାପତ୍ୟ କ୍ଷେତ୍ରରେ ବିଶେଷ ବିକାଶ ଘଟିନଥିଲେ ସୁଦ୍ଧା ହୋମ, ଯଜ୍ଞ,  ବା ବଳିଦାନ ଉଦ୍ଦେଶ୍ୟରେ ମଣ୍ଡପ, ଯଜ୍ଞଶାଳା , ଯଜ୍ଞବେଦି ଓ ସ୍ତମ୍ଭ ନିର୍ମାଣ କରାଯାଇଥିଲା   ।

(ଖ) ମୌର୍ଯ୍ୟ ଯୁଗର ସ୍ଥାପତ୍ୟ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ସମସ୍ତ ସ୍ଥାପତ୍ୟ କାଷ୍ଠ ନିର୍ମିତ ହୋଇଥିବାରୁ ସେଗୁଡିକ ସମୟକ୍ରମେ ନଷ୍ଟ ହୋଇଯାଇଛି   । ଅଶୋକଙ୍କ ସମୟରୁ ସ୍ଥାପତ୍ୟରେ ପଥରର ବ୍ୟବହାର ଆରମ୍ଭ ହୋଇଥିଲା   । ଅଶୋକଙ୍କ ସମୟର ସ୍ଥାପତ୍ୟକୁ ଚାରିଭାଗରେ ବିଭକ୍ତ କରାଯାଏ   । ସେଗୁଡିକ ହେଲା ସ୍ତୂପ, ସ୍ତମ୍ଭ , ପ୍ରସାଦ ଓ ଗୁମ୍ଫା । ଭାରତ ଓ ଆଫଗାନିସ୍ତାନରେ ଅଶୋକ ୮୪୦୦୦ ସ୍ତୂପ ନିର୍ମାଣ କରିଥିବାର ଜଣାଯାଏ   । ସେଗୁଡିକ ମଧ୍ୟରେ ସାଞ୍ଚଠାରେ ନିର୍ମିତ ବିରାଟ ସ୍ତୂପ ସବୁଠାରୁ ବେଶୀ ପ୍ରସିଦ୍ଧି ଲାଭ କରିଛି   । ସ୍ତମ୍ଭମାନଙ୍କ ମଧ୍ୟରେ ସାରନାଥଠାରେ ନିର୍ମିତ ସ୍ତମ୍ଭ ଓ ଏହାର ଅଗ୍ରଭାଗରେ ଖୋଦିତ ମୂର୍ତ୍ତିକଲା ମୌର୍ଯ୍ୟ ସ୍ଥାପତ୍ୟର ଶ୍ରେଷ୍ଟ ନିଦର୍ଶନ   । ଅଶୋକ ସମୟରେ ଅନେକ ପ୍ରସାଦ ମଧ୍ୟରୁ ପାଟଳିପୁତ୍ର ଠାରେ ନିର୍ମିତ ପ୍ରସାଦଗୁଡିକର ସ୍ଥାପତ୍ୟ ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥିବା ଗ୍ରୀକ ଐତିହାସିକମାନଙ୍କ ବିବରଣୀ ଜଣାଯାଏ   । ସନ୍ୟାସୀମାନଙ୍କ ଆବାସପାଇଁ ଏବଂ ପୂଜା ଓ ସଭା ଉଦ୍ଦେଶ୍ୟରେ ଅଶୋକ ଓ ତାଙ୍କ ନାତି ଦଶରଥଙ୍କ ଦ୍ଵାରା ବହୁସଂଖ୍ୟକ ଗୁମ୍ଫାଘର ନିର୍ମିତ ହୋଇଥିଲା   । ସେଥିରୁ ଅନେକ ନାଗାର୍ଜୁନ ପର୍ବତମାଲା ଓ ଗୟା ନିକଟସ୍ଥ ବାରବରା ପର୍ବତମାଲାରେ ଦେଖିବାକୁ ମିଳେ   ।

(ଗ) ଶୁଙ୍ଗ, ସାତବାହାନ ଓ ଶକ ରାଜତ୍ଵର ସ୍ଥାପତ୍ୟ

ଶୁଙ୍ଗ ବଂଶର ରାଜତ୍ଵ ସମୟରେ ମଧ୍ୟପ୍ରଦେଶର ଭାରହୁତଠାରେ ଏହ ବିରାଟ ସ୍ତୂପ ନିର୍ମିତ ହୋଇଥିଲା ଏବଂ ସାଞ୍ଚିଠାରେ ଅଶୋକଙ୍କ ଦ୍ଵାରା ନିର୍ମିତ ସ୍ତୂପକୁ ବୃହତ୍ତର କରାଯାଇଥିଲା ଓ ଅନ୍ୟ ତିନୋଟି ସ୍ତୂପ ନିର୍ମାଣ କରଯାଇଥିଲା  । ସାତବାହାନଙ୍କ ରାଜତ୍ଵରେ ଦକ୍ଷିଣ ଭାରତର ଅମରାବତୀ, ଭତ୍ତିପ୍ରୋଲୁ, ଜଗୟପେଟା ,  ଗୁଣ୍ଟଶାଳା ଓ ନାଗାର୍ଜୁନ କୋଣ୍ଡାଠାରେ ନିର୍ମିତ ସ୍ତୂପଗୁଡିକ ପ୍ରସିଦ୍ଧ   । ସେ ସମୟରେ ପାହାଡ କଟାଯାଇ ଅନେକ ସ୍ଥାନରେ ନିର୍ମିତ ବିଭର ଓ ଚୈତ୍ୟକକ୍ଷ ସର୍ବବୃହତ ଓ ସର୍ବୋତ୍ତମ   । ସମ୍ରାଟ ଖାରବେଳଙ୍କ ସମୟରେ ଓଡିଶାର ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ଓ ଖଣ୍ଡଗିରିଠାରେ ବହୁ ସଂଖ୍ୟାରେ ନିର୍ମିତ ଜୈନ ଗୁମ୍ଫା ଉତ୍କୃଷ୍ଟ ସ୍ଥାପତ୍ୟର ପରିଚୟ ଦିଏ   । କନିଷ୍କଙ୍କ ଦ୍ଵାରା ପୁରୁଷଠାରେ ନିର୍ମିତ ଉଚ୍ଚ ଗମ୍ବୁଜ ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧି ଲାଭ କରିଛି   ।

(ଘ) ଗୁପ୍ତଯୁଗର ସ୍ଥାପତ୍ୟ

ଗୁପ୍ତଯୁଗରେ ମନ୍ଦିର ସ୍ଥାପତ୍ୟ ବିକାଶ ଘଟି ଭାରତୀୟ ନିର୍ମାଣ କଳାରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା    । ଉତ୍ତର ପ୍ରଦେଶର ଦେଓଗଡଠାରେ ଥିବା ଦଶାବତାର ମନ୍ଦିର, ଭିତରଗାଓଁଠାରେ ଥିବା ଇଟାରେ ନିର୍ମିତ ମନ୍ଦିର, ମଧ୍ୟ ପ୍ରଦେଶର ତିଗୱାର ଠାରେ ବିଷ୍ଣୁ ମନ୍ଦିର, ଭୁମରାଠାରେ ଶିବ ମନ୍ଦିର ଏବଂ ସାଞ୍ଚି ଓ ବୋଧଗୟାଠାରେ ନିର୍ମିତ ବୌଦ୍ଧ ସ୍ମୁତିପୀଠସମୂହ ଗୁପ୍ତଯୁଗର ନିର୍ମାଣ କଲା ଜନିତ ଉତ୍କର୍ଷର ପ୍ରମାଣ ଦିଏ   । ଏହା ବ୍ୟତୀତ ସାରନାଥର ଧମେଖ ସ୍ତୂପ , ନାଳନ୍ଦାର ୯୨ ମିଟର ଉଚ୍ଚ ବୁଦ୍ଧ ମନ୍ଦିର ଓ ମୋହରାମାରାଡୁଠାରେ ଥିବା ବିହାର ସେ ସେମୟର ସ୍ଥାପତ୍ୟର ପରିଚୟ ଦିଏ   । ଅଜନ୍ତା ଓ ଏଲୋରାର କେତେକ ଚୈତ୍ୟ ଓ ବିହାର, ଗୁମ୍ଫା ଦକ୍ଷିଣ ଭାରତର ମୋଗଲରାଜପୁରମ ଉଣ୍ଡୀଭିଲି ଓ ଅଖନାମଦନାର ଗୁମ୍ଫା ଓ ଭିଲସା ନିକଟରେ ଉଦୟଗିରି ଠାରେ ଥିବା ବ୍ରାହ୍ମଣ୍ୟ ଗୁମ୍ଫା ମନ୍ଦିର ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ   ।

(ଙ) ରାଜପୁତ୍ ସମୟର ସ୍ଥାପତ୍ୟ

ରାଜପୁତ୍ ଶାସନର ପ୍ରାରମ୍ଭରେ ନିର୍ମିତ ହୋଇଥିବା ମାମାଳୀପୁରମର ରଥ ଓ ଏଲୋରାର କୈଳାସ ମନ୍ଦିର ସ୍ଥାପତ୍ୟ କଲା ଦୃଷ୍ଟିରୁ ପ୍ରସିଦ୍ଧ   । ପରବର୍ତ୍ତୀ ରାଜପୁତ୍ ସମୟରେ ବିଭିନ୍ନ ଆଞ୍ଚଳିକ ସ୍ଥାପତ୍ୟ ଶୈଳୀ ବିକାଶ ଲାଭ କଲା   । ଓଡିଶାରେ "କଳିଙ୍ଗ ଶୈଳୀ " ନାମରେ ପରିଚିତ ଏକ ଭିନ୍ନ ସ୍ଥାପତ୍ୟ ଶୈଳୀ ସୃଷ୍ଟି ହୋଇଥିଲା ଏବଂ ଉତ୍ତର ଭାରତରେ ଇଣ୍ଡୋ-ଆରିୟାନ ବା " ନାଗାର ଶୈଳୀ" ର ଉଦ୍ଭବ ହୋଇଥିଲା   । ଏହା ଦକ୍ଷିଣ ଭାରତର " ଦ୍ରାବିଡୀୟ ଶୈଳୀ " ଠାରୁ ସଂପୂର୍ଣ୍ଣ ଭିନ୍ନ  । ରାଜପୁତ୍ ସମୟରେ ବିଭିନ୍ନ ଆଞ୍ଚଳିକ ଶାସକଙ୍କ ପୃଷ୍ଟପୋଷାକତାରେ ନିର୍ମିତ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ସୌରାଷ୍ଟ୍ର ଅଞ୍ଚଳର ସୋମନାଥ ମନ୍ଦିର , ଓଡିଶାର ପୁରୀ ଠାରେ ଜଗନ୍ନାଥ ମନ୍ଦିର, ଭୁବନେଶ୍ଵର ଠାରେ ଲୀଙ୍ଗରାଜ ମନ୍ଦିର ଓ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର , ମଧ୍ୟ ପ୍ରଦେଶର ବିଧି ପ୍ରଦେଶ ଅଞ୍ଚଳରେ ବହୁ ସଂଖ୍ୟକ ମନ୍ଦିର ବିଶିଷ୍ଟ ଖଜୁରାହୋ ମନ୍ଦିର ସମୂହ ଚନ୍ଦେଲା ରାଜପୁତ୍ ମାନଙ୍କ ଦ୍ଵାରା ଗ୍ରାନାଇତି ବା ବାଲିପଥରରେ ନିର୍ମାଣ କରଯାଇଥିବା ୮୫ ତି ମନ୍ଦିର ମଧ୍ୟରୁ ମାତ୍ର ୨୦ ଟି ଭଲଭାବରେ ସଂରକ୍ଷିତ ହୋଇପାରିଛି   । ଏହି ମନ୍ଦିରଗୁଡିକର ଗଠନ ଶୈଳୀ ଭାରତର ଅନ୍ୟ ମନ୍ଦିରଗୁଡିକ ଠାରୁ ଭିନ୍ନ   । ରାଜସ୍ଥାନର ଓସିଆ ଠାରେ ଷୋହଳଟି ବ୍ରାହ୍ମଣ ଓ ଜୈନ ମନ୍ଦିର , ଚିତ୍ତୋରଗଡର କାଳିକାମାତା ମନ୍ଦିର , ଉଦୟପୁର ନିକଟରେ ଏକ ଲୀଙ୍ଗ ମନ୍ଦିର ତଥା ମାଉଣ୍ଟ ଆବୁର ଜୈନ ମନ୍ଦିର ସମୂହ ପ୍ରଧାନ  ।  ଏହା ବ୍ୟତୀତ ମଧ୍ୟପ୍ରଦେଶର ଭିଦିଶା ନିକଟରେ ଉଦୟପୁରର ନେମାଭାର ଠାରେ ଥିବା ଶିବ ମନ୍ଦିର ଓ ଗ୍ୱାଲିଅରର ଶାଶୁ- ବୋହୂ ମନ୍ଦିରରେ ମଧ୍ୟ ଇଣ୍ଡୋ- ଆରିଆନ ଶୈଳୀ ସ୍ପଷ୍ଟଭାବେ ପରିଲିଖିତ ହୁଏ   । କାଶ୍ମୀରର ମର୍ତ୍ତଳଠାରେ ସୂର୍ଯ୍ୟମନ୍ଦିର ଏବଂ ଅବନ୍ତୀପୁରର ଶିବ ଓ ବିଷ୍ଣୁମନ୍ଦିର ଖ୍ରୀଷ୍ଟାଦ୍ଦ ଅଷ୍ଟମ ଓ ନବମ ଶତାଦ୍ଦୀରେ ଉଦ୍ଭବ ହୋଇଥିବା କାଶ୍ମୀର ମନ୍ଦିର ସ୍ଥାପତ୍ୟ କଳାର ପରିଚୟ ଦିଏ   ।

(ଚ) ଇସଲାମୀୟ ସ୍ଥାପତ୍ୟ

ଭାରତକୁ ମୁସଲମାନଙ୍କ ଆଗମନ ପରେ ଇସଲାମୀୟ ବିଦେଶୀ କଳାର ହିନ୍ଦୁ ଦେଶୀୟ କଳା ସହିତ ମିଶ୍ରଣ ହେବା ଫଳରେ ଇଣ୍ଡୋ- ଇସଲାମୀୟ ସ୍ଥାପତ୍ୟ ଶୈଳୀ ସୃଷ୍ଟି ହେଲା   । ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟବହୃତ ହୋଇଥିବା ସ୍ଥାପତ୍ୟ ଶୈଳୀ " ଦିଲ୍ଲୀ ଶୈଳୀ "ଭାବେ ପରିଚିତ ହେଲା   । ସୁଲତାନୀ ଶାସନର ପ୍ରଥମ ଶାସକ ଦାସ ବଂଶର କୁତବୁଦ୍ଦିନ ଆଇବାକଙ୍କ ସମୟହିନ ଭାରତରେ ଇସଲାମୀୟ ସ୍ଥାପତ୍ୟର ଆରମ୍ଭ ହେଲା   ।  କୁତବୁଦ୍ଦିନ ଙ୍କ ଦ୍ଵାରା ଆରମ୍ଭ ହୋଇ ସେହି ବଂଶର ସାମସୁଦ୍ଦିନ ଇଲତୁତମିସ ଙ୍କ ଦ୍ଵାରା ସମାପ୍ତ ହୋଇଥିବା ଦିଲ୍ଲୀର କୁତବମିନାର,  ଇଲତୁତମିସଙ୍କ ଦ୍ଵାରା ବଦାଉନ ଠାରେ ନିର୍ମମିତ ଯମମୀ ମସଜିତ ଓ ପୁରୁଣା ଦିଲ୍ଲୀର ଇଲତୁତମିସଙ୍କ ମକବରା ଦିଲ୍ଲୀ ଶୈଳୀର ପ୍ରସିଦ୍ଧ ସ୍ଥାପତ୍ୟ   ।

ଆଲାଉଦ୍ଦିନ ଖିଲିଜୀଙ୍କ ଦ୍ଵାରା ନିର୍ମିତ ଅନେକ ପ୍ରସାଦ ଓ ଦୁର୍ଗ ମଧ୍ୟରୁ ଦିଲ୍ଲୀର ସିରିଦୁର୍ଗ, ସୁଫି ସନ୍ଥ ନିଜାମୁଦ୍ଦିନ ଆଉଲିଆଙ୍କ ଦର୍ଘା , ଇତ୍ୟାଦି ପ୍ରସିଦ୍ଧ ସ୍ଥାପତ୍ୟ   । ଦିଲ୍ଲୀ ସ୍ଥାପତ୍ୟ ଶୈଳୀଠାରୁ ଭିନ୍ନ ଇଣ୍ଡୋ- ଇସଲାମୀୟ ଶୈଳୀ ପ୍ରାଦେଶିକ ଓ ଆଞ୍ଚଳିକ ସ୍ତରରେ ପ୍ରକାଶିତ ହୋଇଥିଲା   । ସେତେବେଳେର ପଞ୍ଜାବ ପ୍ରଦେଶର ମୂଲତାନ ଓ ଲାହୋର ସହରରେ ସବୁଠାରୁ ପୁରାତନ ଆଞ୍ଚଳିକ ସ୍ଥାପତ୍ୟ ଦେଖାଯାଏ   । ମୂଳତାନଠାରେ ନିର୍ମିତ ସନ୍ଥ ସାହରୁଖ -ଇ- ଆଲାମଙ୍କ ମକବରା ସବୁଠାରୁ ବେଶୀ ପ୍ରସିଦ୍ଧ   ।

ଏହି ସମୟରେ କେତେକ ସ୍ଵାଧୀନ ହିନ୍ଦୁ ରାଜାଙ୍କ ପୃଷ୍ଠପୋଷାକତାରେ ହିନ୍ଦୁ ସ୍ଥାପତ୍ୟର ବିକାଶ ଦେଖିବାକୁ ମିଳେ  । ତନ୍ମଧ୍ୟରେ ଦକ୍ଷିଣରେ ବିଜୟନଗର ସାମ୍ରାଜ୍ୟର କୃଷ୍ଣଦେବରାୟଙ୍କ ଦ୍ଵାରା ନିର୍ମିତ ଭିଥଳ ମନ୍ଦିର ଏବଂ ଉତ୍ତରରେ ରାଜସ୍ଥାନର ରାଣା କୁମ୍ଭଙ୍କ ଦ୍ଵାରା ନିର୍ମିତ ଚିତ୍ତୋର ଉଚ୍ଚ ଗମ୍ବୁଯ ଓ ମେୱାରର କୁମ୍ଭଲଗଡ ଦୁର୍ଗ ଅନ୍ୟତମ   ।

(ଛ) ମୋଗଲ ସ୍ଥାପତ୍ୟ

ମୋଗଲ ସ୍ଥାପତ୍ୟରେ ପାରସୀ ଓ ଭାରତୀୟ ଶୈଳୀ ର ଏକ ସୁନ୍ଦର ସମନ୍ଵୟ ପରିଲିଖିତ ହୁଏ   । ମୋଗଲମାନଙ୍କ ଅସାକ୍ଷା ସ୍ଥାପତ୍ୟ କୀର୍ତ୍ତି ମଧ୍ୟରୁ କେତେକ ବିଖ୍ୟାତ କୀର୍ତ୍ତି ହେଲା ବାବରଙ୍କ ନିର୍ମିତ ପାନିପଥ ଠାରେ କାବୁଲବାଗର ପ୍ରକାଣ୍ଡ ଏମଏସଜିଦ ଓ ଆଗ୍ରାର ପୁରୁଣା ଲୋଦୀ ଦୁର୍ଗ ମଧ୍ୟରେ ମସଜିଦ , ହୁମାୟୁନଙ୍କ ଦ୍ଵାରା ଆଗ୍ରା ଓ ଫତେବାଦଠାରେ ନିର୍ମିତ ମସଜିଦ; ଆକବରଙ୍କ ଦ୍ଵାରା ନିର୍ମିତ ଆଗ୍ରା ଓ ଲାହୋର ଦୁର୍ଗ, ତାଙ୍କର ନୂଆ ରାଜଧାନୀ ଫତେପୁର ସିକ୍ରି ଓ  ସେଠାରେ ଯୋଧାବାଇଙ୍କ ପ୍ରସାଦ , ବୀରବଲଙ୍କ ଗୃହ, ଦିୱାନ-ଇ-ଆମ, ଦିୱାନ- ଇ- ଖାସ, ପଞ୍ଚ ମହଲ , ଜାହାଙ୍ଗିରଙ୍କ ଦ୍ଵାରା ଆଗ୍ରା ନିକଟସ୍ଥ ସିକନ୍ଦରାଠାରେ ନିର୍ମିତ ଆକବାର ମକବରା, ନୁରଜାହାନଙ୍କ ଦ୍ଵାରା ନିର୍ମିତ ଆଗ୍ରାର ଉତମଦ୍ଦୌଲାଙ୍କ ମକବରା , ଶାହାଜାହାନଙ୍କ ନିର୍ମିତ ଦିଲ୍ଲୀର ଲାଲ୍ଲକିଲ୍ଲା , ଜମା ମସଜିଦ , ଆଗ୍ରାର ମୋତି ମସଜିଦ ଓ ସର୍ବୋପରି ରାଣୀ ମୁମତାଜଙ୍କ ମହଲଙ୍କ ସ୍ମୃତିରେ ଯମୁନା ନଦୀ କୁଳରେ ମରବଲର ଚମତ୍କାର ମକବରା ତାଜମହଲ  ।

ମୋଗଲ ସମ୍ରାଟମାନଙ୍କ ଉଦ୍ୟାନ ସ୍ଥାପତ୍ୟ ଭାରତୀୟ ସ୍ଥାପତ୍ୟ କଳାରେ ନୂତନତା ପ୍ରବର୍ତ୍ତନ କରି ଏହାକୁ ଆହୁରି ଅଧିକ ଖ୍ୟାତି ସମ୍ପର୍ଣ୍ଣ କରିଛି   । ପାନିପଥଠାରେ କାବୁଲବାଗ ବା କାବୁଲ ଉଦ୍ୟାନ କାଶ୍ମୀରରେ ସାଲିମାର ଓ ନିଶାତ ଉଦ୍ୟାନ ମୋଗଲ ସମୟରେ ନିର୍ମିତ କେତେକ ମନୋରମ ଉଦ୍ୟାନ   ।

ହୁମାୟୁନଙ୍କୁ ପରାସ୍ତ କରି ଖ୍ରୀଷ୍ଟାଦ୍ଦ ୧୫୪୦ ରୁ ୧୫୪୫ ପର୍ଯ୍ୟନ୍ତ ଦିଲ୍ଲୀ ସିଂହାସନ ଅଧିକାର କରିଥିବା ସୁର ବଂଶର ସେରସହ ସୁର ମଧ୍ୟ ଜଣେ ଶ୍ରେଷ୍ଠ ନିର୍ମାତା  ଥିଲେ   । ତାଙ୍କ ଦ୍ଵାରା ନିର୍ମିତ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥଠାରେ ପୁରୁଣାକିଲ୍ଲା ଓ ଥର ପରିସର ମଧ୍ୟରେ ସ୍ଥାପତ୍ୟର ମଣିଭାବେ ବିବେଚିତ କିଲ୍ଲା- ଇ- କୁହନା ମସଜିତ ଏବଂ ବିହାରର ସାସରାମଠାରେ ଇଣ୍ଡୋ- ମୁଷଳମାନ ସ୍ଥାପତ୍ୟର ବିସ୍ମୟ କୁହାଯାଉଥିବା ତାଙ୍କ ନିଜର ମକବରା ଭାରତୀୟ ସ୍ଥାପତ୍ୟର ଅମୂଲ୍ୟ ସମ୍ପଦ   । ସୁରବଂଶର ସ୍ଥାପତ୍ୟ ଶୈଳୀ ପୁନର୍ବାର ଶାସନ ଅଧିକାର କରିଥିବା ମୋଗଲମାନଙ୍କ ନିର୍ମାଣ ଗୁଡିକୁ ପ୍ରଭାବିତ କରିଥିଲା   ।

(ଜ) ଅନ୍ୟାନ୍ୟ ସ୍ଥାପତ୍ୟ କୀର୍ତ୍ତି

ଶିଖମାନଙ୍କର ପଞ୍ଜାବର ଅମୃତସର ଠାରେ ଥିବା ହରମନ୍ଦିର ସାହିବ ଗୁରୁଦ୍ଵାର ବା ସ୍ଵର୍ଣ୍ଣମନ୍ଦିର, ବିହାରର ପାଟଣାଶାହିବ ଗୁରୁଦ୍ଵାର , ଦିଲ୍ଲୀର ଶିଶଗଞ୍ଜ ଓ ବଙ୍ଗଳା ସାହିବ ଗୁରୁଦ୍ଵାର ଏବଂ ମହାରଷ୍ଟ୍ରର ନାଲେନ୍ଦ ଗୁରୁଦ୍ଵାର ; ଖ୍ରୀଷ୍ଟିଆଣମାନଙ୍କର କୋଚି, ଚେନନୀ, ମୁମ୍ବାଇ , କୋଲକାତାର ଗୀର୍ଜା ଓ ଗୋଆର ବିଭିନ୍ନ ଅଞ୍ଚଳରେ ନିର୍ମିତ କାଷ୍ଠ ଖୋଦେଇ କାରୁକାର୍ଯ୍ୟରେ ସଜ୍ଜିତ ଗୀର୍ଜା , ଜୋରାଷ୍ଟେରିଆନମାନଙ୍କ ମୁମ୍ବାଇ, ସୁରତ, ଓ ନକସାରିଠାରେ ଥିବା ଅଗ୍ନି ମନ୍ଦିର ତଥା ବାହାଇମାନଙ୍କର ମୁମ୍ବାଇଠାରେ ଥିବା ଅର୍ଦ୍ଧ ଉନ୍ମୁକ୍ତ ପଦ୍ମଫୁଲ ଢାଞ୍ଚାରେ ନିର୍ମିତ ମନ୍ଦିର ଭାରତୀୟ ସ୍ଥାପତ୍ୟର ନିଦର୍ଶନ ବହନ କରେ   ।

ଶିଳ୍ପ କୌଶଳ

ଭାରତର ଶିଳ୍ପ କୌଶଳର ଉତ୍କର୍ଷ ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି   । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ହସ୍ତଶିଳ୍ପ ଓ ତନ୍ତିବୁଣା ଲୁଗା ବହୁ ପୁରାତନ କାଳରୁ ଭାରତୀୟ କାରିଗରମାନଙ୍କ ଶିଳ୍ପ ବିଦ୍ୟାରେ ଥିବା ଗଭୀର ଜ୍ଞାନର ପରିଚୟ ଦିଏ   ।

(କ) ହସ୍ତଶିଳ୍ପ

ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର , ବ୍ରୋଞ୍ଚ, ତମ୍ବା, ସୁନା, ରୂପା, ହାତୀଦନ୍ତ ଓ ହାଡରେ ନିର୍ମିତ ବିଭିନ୍ନ ପ୍ରକାର କୃଷି ଓ ଗୃହ ଉପକରଣ, ଅସ୍ତ୍ରଶସ୍ତ୍ର,ଅଳଙ୍କାର ଓ ଖେଳନା ଭାରତୀୟମାନଙ୍କ କାରିଗରୀ କୌଶଳ ଦର୍ଶାଏ    । ସେହିପରି ବୈଦିକ ଯୁଗରେ ବ୍ୟବହୃତ କାଠ ତିଆରି ଉପକରଣ, ବିଭିନ୍ନ ଧାତୁରେ ନିର୍ମିତ ଅଳଙ୍କାର, ଅସ୍ତ୍ରଶସ୍ତ୍ର, ବାସନକୁସନ ଓ ଗୃହ ଉପକରଣ ଏବଂ ଚମଡା ନିର୍ମିତ ସାମଗ୍ରୀରୁ ଭାରତୀୟମାନଙ୍କର ହସ୍ତକଳାରେ ନୈପୁଣ୍ୟ ଜଣାଯାଏ   । ସମୟକ୍ରମେ ଭାରତରେ ହସ୍ତଶିଳ୍ପର ବିକାଶ ଘଟି ଅଧିକ ଉନ୍ନତ ଉପକରଣ ନିର୍ମିତ ହେଲା ଓ ଦେଶ ବିଦେଶରେ ଖ୍ୟାତି ଲାଭ କଲା   । ବିଭିନ୍ନ ଅଞ୍ଚଳରେ ଭାରତୀୟ ହସ୍ତଶିଳ୍ପ କାରିଗରମାନେ , ସୁନା, ରୂପା, ବ୍ରୋଞ୍ଚ , ତମ୍ବା , ଲୁହା, ଦସ୍ତା,  କଂସା, ପିତ୍ତଳ , ମାଟି , ପଥର , ମାର୍ବଲ ଓ ସୂତାର ଭିନ୍ନ ଭିନ୍ନ ଆକାର ଓ ପ୍ରକାରର ବ୍ୟବହାର ଉପଯୋଗୀ ଓ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି   । ବିଶେଷଭାବେ ପ୍ରସିଦ୍ଧି ଲାଭ କରିଥିବା ଭାରତର ପ୍ରମୁଖ ହସ୍ତଶିଳ୍ପ ଗୁଡିକ ହେଉଛି କର୍ଣ୍ଣାଟକର ଚନ୍ଦନକାଠ ତିଆରି ସାମଗ୍ରୀ ଓ ହାତୀଦାନ୍ତର ଅଳଙ୍କାର ;  କେରଳର ନଡିଆ ସଢେଇ ଓ କତାରେ ନିର୍ମିତ ବିଭିନ୍ନ ବ୍ୟବହାର ଉପଯୋଗୀ ଓ ସାଜସଜ୍ଜା ସାମଗ୍ରୀ ;  ମହରାଷ୍ଟ୍ରର ତମ୍ବା ଓ ଦସ୍ତାର ପାତ୍ର ; ଓଡିଶାର ରୂପା ତାରକଷି ପଟ୍ଟଚିତ୍ର , ଚାନ୍ଦୁଆକାମ ଓ ପଥର ମୂର୍ତ୍ତି ;  ରାଜସ୍ଥାନର ଜଉ କାଚ କାମ ; ଉତ୍ତରପ୍ରଦେଶର ମାର୍ବଲ ମୂର୍ତ୍ତି ଓ ପିତ୍ତଳ ସାମଗ୍ରୀ ଏବଂ ପଶ୍ଚିମବଙ୍ଗର ଚମଡା ନିର୍ମିତ ଓ ଝୋଟ ପ୍ରସ୍ତୁତି ସାମଗ୍ରୀ  ।

(ଖ) ହସ୍ତତନ୍ତ

ସିନ୍ଧୁ ସଭ୍ୟତାର ଅଧିବାସୀମାନେ ତକଲିରେ ସୂତା କାଟି ସେଥିରେ କର୍ପାସ ଓ ପଶମ ବସ୍ତ୍ର ତିଆରି କରୁଥିଲେ ବୈଦିକ ଯୁଗରେ କର୍ପାସ ଓ ରେଶମ ବସ୍ତ୍ର ପ୍ରସ୍ତୁତ ହେଉଥିଲା   । ସେମାନେ ଶରୀରର ମୁଖ୍ୟଭାଗର ଲୁଗାକୁ ସୂତା କାରୁକାର୍ଯ୍ୟରେ ସଜ୍ଜିତ କରୁଥିଲେ ଓ ଉପରିଭାଗ ଲୁଗାରେ ସୁନା ଖଚିତ କରୁଥିଲେ   । ଏହିପରି ଭାବେ ବହୁ ପୁରାତନ କାଳରୁ ଭାରତରେ ବୟାନ କୌଶଳ କ୍ରମବିକାଶ ହୋଇ ହସ୍ତତନ୍ତରେ ଉନ୍ନତ ମାନର ଲୁଗା ବୟନ କରାଗଲା   । ଭାରତରେ ହସ୍ତତନ୍ତ୍ରରୁ ପ୍ରସ୍ତୁତି ହେଉଥିବା ଲୁଗା ମଧ୍ୟରେ ଶାଢି , ସାଲ, ଓ ଚାଦର ଅଧିକ ଜନପ୍ରିୟ   । ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ହସ୍ତତନ୍ତ ଶାଢିଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ପୋଚମପଲ୍ଲୀ , ଅରୁଣାଚଳ ପ୍ରଦେଶ ଆପାତାନି , ଆସାମର ମୁଙ୍ଗା ସିଲ୍ଲ ଓଡିଶାର ଇକତ ଓ କୋସା ସିଲ୍ଲ , ରାଜସ୍ଥାନର କୋଟା , ତାମିଲନାଡୁର କାଞ୍ଚିପୁରମ , ତ୍ରିପୁରାର ପାଚରା , ଉତ୍ତର ପ୍ରଦେଶର ବନାରସୀ ଓ ପଶ୍ଚିମବଙ୍ଗର ଜାମଡାନୀ ଶାଢି ପ୍ରଧାନ   । ଗୁଜୁରାଟର କଚ୍ଚ ସାଲ, ହିମାଚଳ ପ୍ରଦେଶର କୁଲୁ ସାଲ , ଜମ୍ମୁକାଶ୍ମୀରର ପଶମିନା ସାଲ , ନାଗାଲାଣ୍ଡର ନାଗାଶାଳ ଓ ଉତ୍ତରାଖଣ୍ଡର ଲୋହି ସାଲ ଏବଂ ହରିୟାନାର ଚାଦର ମଧ୍ୟ ଭାରତରେ ଓ ଭାରତ ବାହାରେ ଖ୍ୟାତି ଭଲ କରିଛି   ।

ସାହିତ୍ୟ

ପୁରାତନ କାଳରୁ ଭାରତର ସାହିତ୍ୟ ବିକାଶ ଲାଭ କରି ଅତ୍ୟନ୍ତ ସମୃଦ୍ଧ ଓ ଜନପ୍ରିୟ ହୋଇପାରିଛି ଏବଂ ଏକ ମୂଲ୍ୟବାନ ଐଟିହ୍ୟ ସୃଷ୍ଟି  କରିଛି   ।  ଅତି ପ୍ରାଚୀନ ପାଲିଭାଷା ତଥା ସଂସ୍କୃତ , ଊର୍ଦ୍ଦ୍ଵ, ଫରାସୀ , ହିନ୍ଦୀ,ଇଂରାଜୀ ଏବଂ ସମସ୍ତ ଆଞ୍ଚଳିକ ଭାଷାରେ ଭାରତୀୟ ସାହିତ୍ୟ ଓ ନୀରପେକ୍ଷ ସାହିତ୍ୟ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇପାରେ   ।

(କ) ଧର୍ମ ସାହିତ୍ୟ

ହିନ୍ଦୁ ସାହିତ୍ୟ

ବେଦକୁ ଭାରତର ସର୍ବପୁରାତନ ସାହିତ୍ୟ ଭାବେ ବିବେଚନା କରାଯାଇଥାଏ   । ଖ୍ରୀଷ୍ଟପୂର୍ବ ୨୦୦୦ ରେ ପ୍ରଥମ ବେଦ ରୂପେ ଋକ ବେଦ ରଚିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସାମବେଦ, ଯଜୁର ବେଦ ଓ ଅଥର୍ବ ବେଦ ତଥା ଦେବ ସହିତ ସମ୍ପୃକ୍ତ ସଂହିତା , ବ୍ରାହ୍ମଣ  ଆରଣ୍ୟକ ଓ ଉପନିଷଦ ପ୍ରଭୁତି ରଚିତ ହୋଇଥିଲା  । ରାମାୟଣ, ମହାଭାରତ, ପୂରଣ ଓ ଶ୍ରୀମଦ ଭାଗବାଟ ଗୀତା ଭାରତର ପ୍ରାଚୀନ ସାହିତ୍ୟ   ।

ଜୈନ ସାହିତ୍ୟ

ଜୈନ ଧର୍ମ ସାହିତ୍ୟ ମଧ୍ୟରେ ଅଙ୍ଗ , ଉପାଙ୍ଗ, ମୂଳ ଓ ସୂତ୍ର ଅନ୍ୟତମ । ଭଦ୍ରବାହୁଙ୍କ ରଚିତ " କଳ୍ପସୂତ୍ର " ଏକ ବିଶିଷ୍ଠ ଜୟନୀ ସାହିତ୍ୟ   ।

ବୌଦ୍ଧ ସାହିତ୍ୟ

ବୌଦ୍ଧ ଧର୍ମ ସାହିତ୍ୟର ସର୍ବଶ୍ରେଷ୍ଠ ରଚନା ହେଉଛି ତ୍ରିପଟକ ଅର୍ଥାତ ସୂତ୍ର ପିଟକ , ବିନୟ ପିଟକ ଓ ଅଭିଧର୍ମ ପିଟକ । ଏହା ବ୍ୟତୀତ ଗୌତମ ବୁଦ୍ଧଙ୍କ ଜୀବନ ବୃତ୍ତାନ୍ତ ବର୍ଣ୍ଣିତ ହୋଇଥିବା ବୌଦ୍ଧ ଜାତକ ଗଳ୍ପ ଏକ ପ୍ରମୁଖ କନିଷ୍କଙ୍କ ସମୟରେ ଅଶ୍ଵଘୋସଙ୍କ ଦ୍ଵାରା ରଚିତ " ବୁଦ୍ଧ ଚରିତ " ନାଗାର୍ଜୁନଙ୍କ " ପ୍ରଜ୍ଞା ପାରମିତ ସୂତ୍ର ଶାସ୍ତ୍ର " ଓ ବସୁମିତ୍ରଙ୍କ " ମହା ବିଭାସା ଶାସ୍ତ୍ର " କେତେକ ପ୍ରମୁଖ ବୌଦ୍ଧ ସାହିତ୍ୟ  ।

(ଖ) ନିରପେକ୍ଷ ସାହିତ୍ୟ

ପ୍ରାଚୀନ ଯୁଗର ସାହିତ୍ୟ

ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀରେ ପାଣିନିଙ୍କ ଦ୍ଵାରା ରଚିତ ବ୍ୟାକରଣ " ଅଷ୍ଟାଧ୍ୟାଯୀ " ମୌର୍ଯ୍ୟଯୁଗର କୌଟଲ୍ୟଙ୍କ ରଚିତ ଶାସନ ପଦ୍ଧତି ସମ୍ବନ୍ଧୀୟ ରାଜନୈତିକ ଦର୍ଶନର ବିଶଷ୍ଟ ଗ୍ରନ୍ଥ " ଅର୍ଥଶାସ୍ତ୍ର " ଭାରତୀୟ ସାହିତ୍ୟର ଅମୂଲ୍ୟ ସମ୍ପଦ   । ସୁଙ୍ଗ ବଂଶର ରାଜତ୍ଵ ସମୟରେ ପତଞ୍ଜଳିଙ୍କ ଦ୍ଵାରା ପାଣିନିଙ୍କ ବ୍ୟାକରଣର ବ୍ୟାଖ୍ୟା ସଂସ୍କୃତ ବ୍ୟାକରଣକୁ ଆହୁରି ସ୍ପଷ୍ଟ କରିଥିଲା   ।

ଗୁପ୍ତ ଯୁଗରେ ପ୍ରସିଦ୍ଧ ନାଟ୍ୟକାର ଓ କବି କାଳିଦାସଙ୍କ ଦ୍ଵାରା ରଚିତ " ଅଭିଜ୍ଞାନ ଶକୁନ୍ତଳମ " ବିଶ୍ଵର ଶହେଟି ଶ୍ରେଷ୍ଟ ନାଟକ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହା ପୃଥିବୀର ବିଭିନ୍ନ ଭାଷାରେ ଅନୂଦିତ ସର୍ବ ପୁରାତନ ପୁସ୍ତକ ମଧ୍ୟରେ ଅନ୍ୟତମ   । କାଳିଦାସଙ୍କୁ ଅନ୍ୟ ସାହିତ୍ୟ କୃତି ମଧ୍ୟରେ ନାଟକ " ମାଳବିକାଗ୍ନିମିତ୍ରମ " ଓ ବିକ୍ରମୋର୍ବଶୀୟମ ଏବଂ " ରଘୁବଂଶମ " ଋତୁ ସଂଭାର " ଓ ମେଘଦୂତମ " ପ୍ରଭୁତି କାବ୍ୟ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛି    ।

ସେ ସମୟରେ ରଚିତ ଅନ୍ୟାନ୍ୟ ନାଟ୍ୟକୃତି ମଧ୍ୟରେ ଶୂଦ୍ରକଙ୍କ " ମୃଚ୍ଛକଟିକମ " ବିଶାଖାଦତ୍ତଙ୍କ " ମୁଦ୍ରାରକ୍ଷାସ ଓ ଐତିହାସିକ ନାଟକ " ଦେବୀ ଚନ୍ଦ୍ରଗୁପ୍ତମ " ଭାରତୀୟ ସାହିତ୍ୟକୁ ବିଶେଷ ଅବଦାନ   ।ଦଣ୍ଡିନଙ୍କ ରଚିତ କବିତା କଳା ସମ୍ବନ୍ଧିତ “ କାବ୍ୟାଦର୍ଶ ଓ ରୋମାଞ୍ଚ ଗଳ୍ପ “ ଦଶ କୁମାର ରଚିତ “ ଭାରବିଙ୍କ କବିତା “ କିରାତାର୍ଜୁନିୟମ , ଅମରସିଂହଙ୍କ ଅଭିଧାନ “ ଅମର କୋଷ “ ଏବଂ ପ୍ରାୟ ପଚାଶରୁ ଊର୍ଦ୍ଦ୍ଵ ଭାଷାରେ ଅନୁଦିତ ବିଷ୍ଣୁଶର୍ମାଙ୍କ ଗଳ୍ପଗୁଚ୍ଛ “ ପଞ୍ଚତନ୍ତ୍ର “ ମଧ୍ୟ ଭାରତର ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି   । ହର୍ଷବର୍ଦ୍ଧନଙ୍କ ସମୟରେ କାଶ୍ମୀର ଇତିହାସ ସମ୍ପର୍କରେ କହ୍ଲଣ ଦ୍ଵାରା ଲିଖିତ “ ରାଜତରଙ୍ଗୀଣୀ “ ଭାରତର ଐତିହାସିକ ସାହିତ୍ୟର ଏକ ମୂଲ୍ୟବାନ ଗ୍ରନ୍ଥ  । ସେ ସମୟରେ ରଚିତ ବାଣଭଟ୍ଟଙ୍କ “ ହର୍ଷ – ଚରିତ “ ଓ “ କାଦମ୍ବିନୀ “ ମଧ୍ୟ ଭାରତୀୟ ସାହିତ୍ୟର ପ୍ରସିଦ୍ଧି ଆଣିଛି   । ଓଡିଶାର କବି ଜୟଦେବଙ୍କ ଦ୍ଵାରା ରଚିତ “ ଗୀତଗୋବିନ୍ଦ ଭାରତର ଏକ ମହତ୍ଵପୂର୍ଣ୍ଣ ସାହିତ୍ୟକ ସୃଷ୍ଟି   ।

ଇସଲାମୀୟ ଯୁଗର ସାହିତ୍ୟ

ଦିଲ୍ଲୀ ସୁଲତାନୀୟ ଶାସନ ସମୟରେ ବିଶିଷ୍ଟ କବି ଓ ଗାଳ୍ପିକ  ଅମିର ଖୁସରୋଙ୍କ ଦ୍ଵାରା ରଚିତ “ ଖାଜଁ – ଉଲ –କୁଟୁଚ ଓ “ ତାରିଖ- ଇ – ଆଲାଇ” ଡିଆଉଦ୍ଦିନ ବରାନୀଙ୍କ ରଚିତ “ ତ୍ଵାରିଖ – ଇ ଫିରୋଜସାହୀ “ ଓ ମୀନହାଜ ଉସ ସିରାଜଙ୍କ ରଚିତ “ ତବାକତ୍ –ଇ – ନସିରି “ ଭାରତୀୟ ସାହିତ୍ୟର ଗୁରୁତ୍ଵପୂର୍ଣ୍ଣ ଅଂଶ  । ମୋଗଲ ଶାସନ ସମୟରେ ଆବୁଲ ଫାଜାଲଙ୍କ ଲିଖିତ “ ଆଇନ- ଇ- ଆକବଋ ଓ “ ଆକବରନାମା “ ନିଜାମୁଦ୍ଦିନ ଅହମ୍ମଦଙ୍କ “ ଆତ୍ମସ୍ମୃତି “ ରଚନା ଭାରତୀୟ ସାହିତ୍ୟକୁ ବିଶିଷ୍ଠ ଅବଦାନ   । ସେ ସମୟରେ କବି , ପ୍ରାବନ୍ଧିକ , ସମାଲୋଚନ ଓ ଐତିହାସିକ ଭାବେ ଆବୁଲ ଫାଜଲ ଫରାସୀ ଭାଷାର ସବୁଠାରୁ ଶ୍ରେଷ୍ଠ ଓ ଅଧିକ ସୁସମ୍ପର୍ଣ୍ଣ ଲେଖକ ଥିଲେ   ।

ବିଜ୍ଞାନ ଓ ବୈଷୟିକ ବିଦ୍ୟା

ବହୁ ପୁରାତନ କାଳରୁ ଭାରତୀୟମାନଙ୍କର ବିଭିନ୍ନ ବୈଜ୍ଞାନିକ ତତ୍ତ୍ଵ ସମ୍ପର୍କରେ ଧାରଣା ଥିବାର ପ୍ରମାଣ ମିଳେ   । କେତେକ ଦେଶ ଭାରତରୁ ଉଦ୍ଭବ ବୈଜ୍ଞାନିକ ମତବାଦକୁ ଗ୍ରହଣ କରିଥିବା ଐତିହାସିକା ତଥ୍ୟରୁ ଜଣାଯାଏ  । ପୁରାଣରେ ବର୍ଣ୍ଣିତ ଅନେକ ସାଧନ  ପରବର୍ତ୍ତୀ ସମୟରେ ସେଗୁଡିକୁ ପରୀକ୍ଷାନିରୀକ୍ଷା କରି ପ୍ରସ୍ତୁତ କରିବାପାଇଁ ବୈଜ୍ଞାନିକମାନଙ୍କୁ ଧାରଣା ଓ ପ୍ରେରଣା ଯୋଗାଇଥିଲା  ।

(କ) ଗଣିତ

ଆବିଷ୍କୃତ ହୋଇଥିବା ସିନ୍ଧୁ ସଭ୍ୟତା ସମୟର କେତେକ ବଟକରୁ ସେ ସମୟର ବ୍ୟବସାୟୀମାନେ ଗଣିତର ବ୍ୟବହାର ଜଣାଥିବାର ସୂଚନା ମିଳେ   । ସେତେବେଳେ ଅନୁପାତ , ଓ ଦଶମିକ ପଦ୍ଧତିର ବ୍ୟବହାର ମଧ୍ୟ ଜଣାଥିଲା  । ବୈଦିକ ଯୁଗରେ ବଡ ବଡ ସଂଖ୍ୟା ଦଶର ଗଣିତକ ଭାବେ ପ୍ରକାଶ କରାଯାଉଥିଲା ଓ ସମୟକୁ କ୍ଷୁଦ୍ରତମ ଏକକରେ ବିଭାଜିତ କରାଯାଉଥିଲା   । ସେତେବେଳେ ବର୍ଗକ୍ଷେତ୍ର ଓ ଆୟତକ୍ଷେତ୍ର ଅଙ୍କନ ଓ ସେଗୁଡିକ ପରସ୍ପର ବିପରୀତ କୋଣରୁ ସଂଲଗ୍ନ କରୁଥିବା ସରଳ ରେଖାର ଉକ୍ତ କ୍ଷେତ୍ରର ବାହୁମାନଙ୍କ ସହିତ ସମ୍ପର୍କ ଏବଂ ତ୍ରିଭୁଜ ଅଙ୍କନ ତଥା ସମାନ ଆୟତନ ବିଶିଷ୍ଟ ଦୁଇ ବା ତତୋଧିକ ଭିନ୍ନ ଭିନ୍ନ ଆକାରର କ୍ଷେତ୍ରର ବାହୁମାନଙ୍କ ସହିତ ସମ୍ପର୍କ ଏବଂ ତ୍ରିଭୁଜ ଅଙ୍କନ ତଥା ସମାନ ଆୟତନ ବିଶିଷ୍ଟ ଦୁଇ ବା ତତୋଧିକ ଭିନ୍ନ ଭିନ୍ନ ଆକାରର କ୍ଷେତ୍ର ଅଙ୍କନ ସମ୍ବନ୍ଧିତ ଜ୍ୟାମିତି ଜ୍ଞାନର ପ୍ରଚଳନ ଥିବା ସୁଲ୍ଵସୂତ୍ରରୁ ଜନାଜାଏ   । ଗୁପ୍ତଯୁଗରେ ବିଶିଷ୍ଟ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ବା ଘନଫଳ ନିର୍ଣ୍ଣୟ କରିବା ଏବଂ ଏକ ବୃତ୍ତର ପରିଧି ଉପରେ ଚାରିଟି କୋଣରୁ ରାଖୀ ଏକ ତ୍ରିଭୁଜାକାର କ୍ଷେତ୍ର ଅଙ୍କନ କରିବା ପଦ୍ଧତି ନିର୍ଦ୍ଧାରଣ କରାଯାଇଥିଲା   । ଆର୍ଯ୍ୟଭଟ୍ଟ ତାଙ୍କ ପୁସ୍ତକ “ ଆର୍ଯ୍ୟଭଟ୍ଟିୟମ “ ରେ ବର୍ଗମୂଳ ଓ ଘନମୂଳ,ସମକୋଣୀ ତ୍ରିଭୁଜର ସୂକ୍ଷ୍ମକୋଣର ବିପରୀତ ବାହୁ କର୍ଣ୍ଣର ଅନୁପାତ ଏବଂ ବୀଜଗଣିତର କେତେକ ସରଳ ଚିହ୍ନଟୀକାରଣ ବିଷୟରେ ଉଲ୍ଲେଖ କରିଛନ୍ତି  । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀରେ ପାଣିନିଙ୍କ ଦ୍ଵାରା ଓ ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରେ ପିଙ୍ଗଳାଙ୍କ “ ଚନ୍ଦ୍ରଶାସ୍ତ୍ର “ ରେ ଶୂନ୍ୟ ବିଷୟରେ ଧାରଣା ଦିଆଯାଇଥିଲେ   । ସୁଦ୍ଧା ଆର୍ଯ୍ୟଭଟ୍ଟ ଶୂନ୍ୟର ବ୍ୟବହାର ସମ୍ପର୍କରେ ଏବଂ ଚନ୍ଦ୍ରଗୁପ୍ତ ଶୂନ୍ୟର କାର୍ଯ୍ୟକାରିତାର ନିୟମ ସମ୍ପର୍କରେ ଅଧିକ ସ୍ପଷ୍ଠଭାବରେ ବୁଝାଇଛନ୍ତି   । ଗଣିତ ବିଦ୍ୟାକୁ ଭରତର ଦୁଇଟି ଅନନ୍ୟ ଅବଦାନ ହେଉଛି ଦଶମିକ ସଂଖ୍ୟାଙ୍କନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ  ।

(ଖ) ଜ୍ୟୋତିର୍ବିଜ୍ଞାନ

ଭାରତରେ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ପ୍ରଥମମତ ଜ୍ୟୋତିଷଶାସ୍ତ୍ରବିତ ଲଗଧଙ୍କ ଦ୍ଵାରା “ ଜ୍ୟୋତିଷ ବେଦାଙ୍ଗ “ ରେ ଉପସ୍ଥାପିତ ହୋଇଛି  । ଏଥିରେ ୨୭ତି ନକ୍ଷତ୍ର ଓ ସେଗୁଡିକ ମଧ୍ୟରେ ନୂତନ ଚନ୍ଦ୍ର ଓ ପୂର୍ଣ୍ଣ ଚନ୍ଦ୍ରର ସ୍ଥାନ ତଥା ପ୍ରତି ପାଞ୍ଚବର୍ଷରେ ଠାରେ ପଡୁଥିବା ଅୟନର ସ୍ଥାନ ନିରୂପଣ କରିବା ନିୟମ ଉଲ୍ଲେଖ କରାଯାଇଛି   । ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ତାଙ୍କ ପୁସ୍ତକ “ ସୂର୍ଯ୍ୟସିଦ୍ଧାନ୍ତ “ ରେ ପୃଥିବୀର ଆକାର ଗୋଲ ଓ ଏହାର ନିଜର ଅକ୍ଷ ଚାରିପତ୍ର ଘୂର୍ଣ୍ଣନ କରେ ବୋଲି ଏବଂ “ ଆର୍ଯ୍ୟଭଟ୍ଟିୟମ “ ରେ ଏହା ସୂର୍ଯ୍ୟ ଚାରିପାଖେ ଘୂର୍ଣ୍ଣନ କରେ ବୋଲି ମତ ବ୍ୟକ୍ତ କରିଛନ୍ତି     ।  ବରାହମିହିର ତାଙ୍କ “ ବୃହତ ସଂହିତା “ ରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି ଏବଂ “ ପଞ୍ଚ ସିଦ୍ଧନ୍ତିକା” ରେ ଜ୍ୟୋତିର୍ବିଜ୍ଞାନର ପାଞ୍ଚତି ଭିନ୍ନ ଭିନ୍ନ ମତବାଦ ବର୍ଣ୍ଣନା କରିଛନ୍ତି  । ବ୍ରହ୍ମଗୁପ୍ତ ନିଉଟନଙ୍କ ବହୁ ପୂର୍ବରୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କରେ ସୂଚନା ଦେଇଥିଲେ  । ଓଡିଶାର ପଠାଣି ସାମନ୍ତଙ୍କ ରଚିତ “ ସିଦ୍ଧାନ୍ତ ଦର୍ପଣ “ଜ୍ୟୋତିର୍ବିଜ୍ଞାନର ଏକ ଅମୂଲ୍ୟ ଗ୍ରନ୍ଥ   ।

(ଗ) ଚିକିତ୍ସା ବିଜ୍ଞାନ

ସିନ୍ଧୁ ସଭ୍ୟତାର ଖନନ ସ୍ଥାନମାନଙ୍କରୁ ମିଳିଥିବା କୋଇଲା ଭଳି ଦ୍ରବ୍ୟ, ସାମୁଦ୍ରିକ ଜୀବର ହାଡ , ହରିଣ ଓ କୃଷ୍ଣସାର ମୃଗର ଶିଙ୍ଘତଥା ପ୍ରବାଳ ଓ ନିମଗଛର ପତ୍ର ସେ ସମୟର ଚିକିତ୍ସାଜ୍ଞାନର ସୂଚନା ଦିଏ   । ଅଥର୍ବ ବେଦରୁ ଭାରତର ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଅନେକ ତଥ୍ୟ ମିଳେ   ।  ବେଦରେ ବ୍ୟବହୃତ ଶବ୍ଦ “ ଭେଷଜ “ ମାନସିକ ଚାପଦ୍ଵାରା ବିଭିନ୍ନ ରୋଗର ଉପଶମପାଇଁ ଉଦ୍ଦିଷ୍ଟ କବଚକୁ ବୁଝାଉଥିଲା   ।  ବେଦରେ ତରଳ ଝାଡା ବା ଅଜୀର୍ଣ୍ଣ ଝାଡା , ଜ୍ଵର , ଜଳୋଦର, ଯକ୍ଷ୍ମା, ଆବୁ ବା ଅସ୍ଵାଭାବିକ ଫୁଲା ,  ବଥ ବା ଫୋଟକା , କୁଷ୍ଠ ଓ ଅନ୍ୟାନ୍ୟ ଚମ ରୋଗ  ଏବଂ ଜନ୍ମଗତ ରୋଗଗୁଡିକ ବିଷୟରେ ଉଲ୍ଲେଖ କରାଯାଇଛି   । ବୌଦ୍ଧଜାତକ ଅନୁଯାୟୀ ବୁଦ୍ଧଙ୍କ ସମୟରେ ଆତ୍ରେୟ ନାମକ ଜଣେ ଚିକିତ୍ସକ ତକ୍ଷଶିଳାରେ ଚିକିତ୍ସା ବିଜ୍ଞାନ  ଶିକ୍ଷା ଦେଉଥିଲେ   । ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଭେଲା ଓ ଅଗ୍ନିଭେଷଜଙ୍କ ରଚିତ ଚିକିତ୍ସା ଶାସ୍ତ୍ର ତିଷ୍ଠିରହିଛି  । ପୁରାଣରେ ଜ୍ଵରର କାରଣ ଓ ନିରାକରଣ ବିଷୟରେ ସୂଚନା ଦିଆଯାଇଛି   । ମୌର୍ଯ୍ୟଯୁଗରେ କେତେକ ଚିକିତ୍ସାଳୟ ସ୍ଥାପିତ ହୋଇଥିଲା   । ପତ୍ରରେ ବା ମୁକ୍ତ ସ୍ଥାନରେ ଔଷଧୀୟ ବୃକ୍ଷ ରୋପଣ କରାଯାଉଥିଲା   । ତାମିଲ ପ୍ରାପ୍ତ ଚିକିତ୍ସକ ସେବାକାରୀ , ଅସ୍ତ୍ରୋପଚାର ବିଶେଷଜ୍ଞ ତଥା ଶଲ୍ୟ ଚିକିତ୍ସା ପାଇଁ ଉପକରଣର ବ୍ୟବହାର ସମ୍ପର୍କରେ କୌଟଲ୍ୟଙ୍କ “ ଅର୍ଥଶାସ୍ତ୍ର “: ରେ ଉଲ୍ଲେଖ କରାଯାଇଛି   । କନିଷ୍କଙ୍କ ଦରବାରର ଚିକିତ୍ସକ ଚରକଙ୍କ “ ଚରକସଂହିତା “ଓ ଖ୍ରୀଷ୍ଟଦ୍ଦ  ସପ୍ତମ ଶତାଦ୍ଦୀର ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ସୁଶ୍ରୁତଙ୍କ “ ସୁଶ୍ରୁତ ସଂହିତା “ ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକ ଭିତ୍ତି ସମ୍ବଳିତ ଦୁଇଟି ମୂଲ୍ୟବାନ ଗ୍ରନ୍ଥ  । ଚରକ କାମଳ ରୋଗର ନିଦାନ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଛନ୍ତି   । ଚରକଙ୍କ ଆୟୁର୍ବେଦଠାରୁ ଭିନ୍ନ ଶଲ୍ୟ ଚିକିତ୍ସା ସମ୍ବନ୍ଧିୟ ଜ୍ଞାନପାଇଁ ସୁଶ୍ରୁତଙ୍କୁ କୃତିତ୍ଵ ଦିଆଯାଏ   । ଶରୀର ଗଠନ ବିଦ୍ୟାପାଇଁ ସେ ଶଲ୍ୟ ଚିକିତ୍ସାକୁ ଗୁରୁତ୍ଵ ଦେଇଥିଲେ   । ଗୁପ୍ତଯୁଗରେ ବସନ୍ତ ରୋଗର ଟୀକା ଏବଂ ଶଲ୍ୟ ଚିକିତ୍ସା ସମ୍ପର୍କରେ ଜ୍ଞାନ ଥିବାରୁ ଜଣାଯାଏ   । ସେ ସମୟରେ ଭାଗବତଙ୍କ ଲିଖିତ “ ଅଷ୍ଟାଙ୍ଗ ସଂଗ୍ରହ “ ଚିକିତ୍ସା ଶାସ୍ତ୍ର ସମ୍ବନ୍ଧୀୟ ଏକ ଉପାଦେୟ ପୁସ୍ତକ  ।  ବିଭିନ୍ନ ରୋଗର ନିରାକରଣ ଓ ନିରାମୟ ପାଇଁ ଯୋଗବିଦ୍ୟା ମଧ୍ୟ ଭାରତରୁ ଉତ୍ପତ୍ତି ହୋଇଛି   ।

(ଘ) ପଦାର୍ଥ ବିଜ୍ଞାନ

ବୈଦିକ ଯୁଗରେ ପରିବହନ ପାଇଁ ବଳଦଟଣା ଗାଡି ଏବଂ ଯୁଦ୍ଧ କ୍ରୀଡାପାଇଁ ଘୋଡାଟଣା ରଥର ବ୍ୟବହାର ସେ ସମୟରେ ଚଳ ଟାଣିବା ଶକ୍ତି ଓ ଗତିର ନିୟମ ବିଷୟରେ ଜ୍ଞାନ ଥିବାର ସୂଚନା ଦିଏ   । ନଦୀ ଓ ସମୁଦ୍ରରେ ଡଙ୍ଗା ଓ ଜାହାଜ ବ୍ୟବହାରରୁ ସେତେବେଳେ ଭାସମାନତାର ନିୟମ ବିଷୟରେ ଧାରଣା ଥିବାର ଜଣାଯାଏ । କୌଟଲ୍ୟଙ୍କ “ ଅର୍ଥଶାସ୍ତ୍ର ରେ ବର୍ଣ୍ଣିତ କ୍ଷେପଣାସ୍ତ୍ର ଓ ଦହନଶୀଳ ବସ୍ତୁର ପ୍ରସ୍ତୁତି ମୌର୍ଯ୍ୟ ଯୁଗରେ ପଦାର୍ଥ ବିଜ୍ଞାନରେ ପାରଦର୍ଶିତା ସୂଚନା ଦିଏ   । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀରେ ଋଷି କଣାଦଙ୍କ ଦ୍ଵାରା ଜୈନ ଓ ବୌଦ୍ଧ ସୃଷ୍ଟି ବିଜ୍ଞାନରେ ଏବଂ ଗୁପ୍ତଯୁଗରେ ପଦାର୍ଥ ବିଜ୍ଞାନୀମାନଙ୍କ ଦ୍ଵାରା ପରମାଣୁ ପ୍ରତିପାଦିତ ହୋଇଥିଲା   ।

(ଙ) ରସାୟନ ବିଜ୍ଞାନ

ସିନ୍ଧୁ ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାରର ପ୍ରାସାଧନ ସାମଗ୍ରୀ ବ୍ୟବହାର କରୁଥିବାର ସୂଚନାରୁ ସେମାନଙ୍କର ରସାୟନ ବିଜ୍ଞାନରେ ଧାରଣା ଥିବା ବିଶ୍ଵାସ କରାଯାଏ   ।  ମୃତ ଶରୀରରୁ ସଂକ୍ରମଣ ହେବାର ଆଶଙ୍କା ଥିବା ଜାଣିଥିବାରୁ ସେମାନେ ସେଗୁଡିକୁ ଯଥାଶୀଘ୍ର ପୋଡିଦେଉଥିଲେ ବା ପୋତିଦେଉଥିଲେ   । ମୌର୍ଯ୍ୟଯୁଗରେ ଶସ୍ୟ , ତେଲ , ଲୁଣ , ଅତର , ଔଷଧ ପ୍ରଭୁତିରେ ଅପମିଶ୍ରଣକୁ ରାସାୟନିକ ପଦ୍ଧତିରେ ଖୋଜି ବାହାର କରାଯାଇପାରୁଥିଲା  । ଗୁପ୍ତଯୁଗରେ ଔଷଧ ଉଦ୍ଦେଶ୍ୟରେ ଧାତବ ପ୍ରସ୍ତୁତିକରଣ , ବରାହମିହିରଙ୍କ ଦ୍ଵାରା ପରାଦ ଓ ଲୁହାର ବ୍ୟବହାର ସମ୍ପର୍କରେ ପ୍ରଦତ୍ତ ସୂଚନା ଏବଂ ନାଗାର୍ଜୁନଙ୍କ ଦ୍ଵାରା ବିଶୋଧନ ଓ ଜୀବାଣୁମୁକ୍ତ କରିବା ପଦ୍ଧତି ଆବିଷ୍କାର ସେ ସମୟର ରସାୟନ ବିଜ୍ଞାନରେ ପାରଦର୍ଶିତା ଦର୍ଶାଏ    । ଭାରତର ବିଭିନ୍ନ ସ୍ଥାନରେ ଥିବା ଗୁପ୍ତଯୁଗ ଓ ମୋଗଲଯୁଗର ଚିତ୍ରକଳାର ଲାଲ ଓ ନୀଳ ରଙ୍ଗରୁ ସେ ସମୟର ରସାୟନବିତମାନଙ୍କ ରଙ୍ଗ ତିଆରି ସାମର୍ଥ୍ୟ ଜଣାପଡେ  ।

(ଚ) ଧାତୁ ବିଜ୍ଞାନ

ସିନ୍ଧୁ ସଭ୍ୟତାର କାରିଗରମାନେ ତମ୍ବା , ବ୍ରୋଞ୍ଚ , ସୁନା ଓ ରୂପାକୁ ଢଳେଇ କରି ଭିନ୍ନ ଭିନ୍ନ ଆକାର ଓ ପ୍ରକାରର ଅସ୍ତ୍ର ,  ବାସନକୁସନ , ଅଳଙ୍କାର ତଥା ସାଜସଜ୍ଜା ଓ ଅନ୍ୟାନ୍ୟ ବିହାରଉପଯୋଗୀ ଉପକରଣ ତିଆରି କରୁଥିଲେ   । ଏହା ସେମାନଙ୍କ ଧାତୁ ସମ୍ବନ୍ଧୀୟ ଜ୍ଞାନର ପ୍ରମାଣ ଦିଏ   । ଭୂତାତ୍ତ୍ଵିକ ଓ ପାଣିପାଗ ଅବସ୍ଥାର ଘନ ଘନ ପରିବର୍ତ୍ତନ ସତ୍ତ୍ୱେ ସେ  ସମୟର ଧାତବ ବସ୍ତୁଗୁଡିକ ହଜାର ହଜାର ବର୍ଷଧରି ତିଷ୍ଠି ରହିବା ସିନ୍ଧୁ ଧାତୁ ବିଜ୍ଞାନୀମାନଙ୍କ ପ୍ରତିଭାର ପରିଚୟ ଦିଏ  । ବୈଦିକ ଯୁଗରେ ମଧ୍ୟ ବିଭିନ୍ନ ଧାତୁରେ ନିର୍ମିତ ଉପକରଣ ଓ ଅଳଙ୍କାର ବ୍ୟବହୃତ ହେଉଥିଲା   । ସମ୍ଭବତଃ ବୈଦିକଯୁଗର ଆର୍ଯ୍ୟମାନେ ପ୍ରଥମେ ଭାରତରେ ଲୁହାର ବ୍ୟବହାର କରିଥିଲେ  । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀରୁ ଭାରତୀୟମାନଙ୍କର ଦସ୍ତାର ବ୍ୟବହାର ସମ୍ପର୍କରେ ଜ୍ଞାନଥିବା ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଜଣାଯାଏ  । ଖ୍ରୀଷ୍ଟାଦ୍ଦ  ୪୧୫ ରେ ନିର୍ମିତ ତଥା ଦୀର୍ଘ ଷୋହଳଶହ ବର୍ଷ ଧରି ଝଡ , ବର୍ଷା , ଖରା , ସତ୍ତ୍ୱେ ବିନା କଳଙ୍କୀରେ ଅକ୍ଷତ ଅବସ୍ଥାରେ ଦିଲ୍ଲୀର ମେହେରୌଲି ଠାରେ ତିଷ୍ଠି ରହିଥିବା ଲୌହ ସ୍ତମ୍ଭ ଗୁପ୍ତଯୁଗରେ ଭାରତୀୟ ଶିଳ୍ପୀ ତଥା ଧାତୁ ବିଜ୍ଞାନୀମାନଙ୍କ ପ୍ରତିଭାର ଅତି ଆକର୍ଷଣୀୟ ଉଦାହରଣ   । ଏହା ବ୍ୟତୀତ ବୁଦ୍ଧଙ୍କର ସୁଲତାନଗଞ୍ଜଠାରେ ଥିବା ପ୍ରକାଣ୍ଡ ବ୍ରୋଞ୍ଚ ମୂର୍ତ୍ତି ଓ ନାଳନ୍ଦାଠାରେ ଥିବା ତାମ୍ର ମୂର୍ତ୍ତି ଏବଂ ଗୁପ୍ତ ସମ୍ରାଟମାନଙ୍କର ମୁଦ୍ରାଗୁଡିକ ଭାରତୀୟ କାରିଗରମାନଙ୍କର ଧାତୁ ଢଳେଇ କୌଣଳର ପରିଚୟ ଦିଏ   ।

(ଛ)ବୈଷୟିକ ବିଦ୍ୟା

ସିନ୍ଧୁ ସଭ୍ୟତା ସମୟରେ ନିର୍ମିତ ଗୃହ, ଶସ୍ୟାଗାର, ସ୍ନାନାଗାର ଓ ନାଳନର୍ଦ୍ଦମା ତଥା ଧାତୁ ନିର୍ମିତ ମୂର୍ତ୍ତି ;ମାଟି ପଥର ଓ ଧାତୁରେ ନିର୍ମିତ ବିଭିନ୍ନ ଉପକରଣ ଓ ଅଳଙ୍କାର ମାଟିର କଣ୍ଢେଇ , ପଥରର ଶୀଳ ଆଦି ବାହୁବର୍ଷ ଧରି ମାଟି ତଳେ ପୋତିହୋଇ ରହିଥିବା ସତ୍ତ୍ୱେ ଚିହ୍ନିତ ହୋଇପାରିବା ଭାରତୀୟ ବୈଷୟିକ ବିଦ୍ୟାର ପାରଙ୍ଗମତା ସୂଚାଏ   । ସିନ୍ଧୁ ସଭ୍ୟତାରୁ ଆରମ୍ଭ ହୋଇଥିବା ସୂତା , ପଶମ ଓ ରେଶମ ବସ୍ତ୍ରର ବୟନ କୌଶଳ ମଧ୍ୟ ଭାରତୀୟ ବୈଷୟିକ ବିଦ୍ୟାର ପରିଚିୟ ଦିଏ   । ପ୍ରାଚୀନଯୁଗ , ମଧ୍ୟଯୁଗ ଓ ଆଧୁନିକ ଯୁଗର ଆରମ୍ଭରେ ବିଭିନ୍ନ ଶାସକଙ୍କ ସମୟରେ ଇଟା ଓ ପଥର ବା ମାର୍ବଲ ରେ ନିର୍ମିତ ବାହୁ ସାଂଖିକ ମୂର୍ତ୍ତି , ମନ୍ଦିର , ମସଜିତ , ଗୀର୍ଜା ଓ ଅନ୍ୟାନ୍ୟ ଧର୍ମପୀଠ ସ୍ତୂପ ଓ ସ୍ତମ୍ଭ , ସମାଧି ବା ସୌଧ ତଥା ଅନ୍ୟାନ୍ୟ ସ୍ମାରକୀ, ଚିତ୍ରକଳା , ଲୌହ ସ୍ତମ୍ଭ ଏବଂ ସ୍ଵର୍ଣ୍ଣ ଓ ରୌପ୍ୟ ମୁଦ୍ରା ଓ ଅଳଙ୍କାର ବାରମ୍ବାର ପରିବର୍ତ୍ତିତ ହୋଇଥିବା ପାଣିପାଗକୁ ପ୍ରତିରୋଧ କରି ବାହୁବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିବା ଭାରତୀୟମାନଙ୍କର ବୈଷୟିକ ବିଦ୍ୟାର ନୈପୁଣ୍ୟର ପ୍ରମାଣ   । ପ୍ରାଚୀନ ଓ ମଧ୍ୟଯୁଗର ର ବିଭିନ୍ନ ସଭ୍ୟତା ଓ ଶାସନ ସମୟରେ ନିର୍ମିତ ଜଳସେଚନପାଇଁ କେନାଲ ;ହ୍ରଦ ଓ କୃତ୍ରିମ ଜଳ ଭଣ୍ଡାର ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ଯାନ୍ତ୍ରିକ ଉପକରଣ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପାଇଁ ସାଧନ ଓ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧୋପକରଣରୁ ନିରାପଦ ଓ ସୁରକ୍ଷିତଭାବେ ଗଛିତ କରି ରଖିବାପାଇଁ ଅସ୍ତ୍ରାଗାରଗୁଡିକ ମଧ୍ୟ ଭାରତୀୟ ବୈଷୟିକ ବିଦ୍ୟାର ପରିଚୟ ଦିଏ   ।

ପ୍ରୋକ୍ତ ଆଲୋଚନାରୁ ଜଣାଯାଏ  ଯେ ଭାରତରେ ଜନବସତି ଆରମ୍ଭ ହେବା ବେଳଠାରୁ ସଭ୍ୟତା ଓ ସଂସ୍କୃତିର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ସଚେତନ ମନରେ ବା ଅଚେତନ ମନରେ ବା ଅବଚେତନ ମନରେ ଭାରତୀୟଙ୍କ ଦ୍ଵାରା ଜ୍ଞାନର ପରିପ୍ରକାଶ ହୋଇଛି   । ଏହି ମୌଳିକ ଜ୍ଞାନ କ୍ରମେ ମାର୍ଜିତ ଓ ପରିପକ୍ଵ ହୋଇ ଏକ ଉନ୍ନତ ସଭ୍ୟତା , ସଂସ୍କୃତି ଓ ଐତିହ୍ୟ ସୃଷ୍ଟି କରିଛି   । ଏହା ସୃଷ୍ଟି କରିବାରେ କିଛି ପରିମାଣରେ ବାହ୍ୟ ପ୍ରଭାବର ଅବଦାନ ରହିଛି , କିନ୍ତୁ ଏହି ପ୍ରଭାବରୁ ଉଦାରତା ସହିତ ଗ୍ରହଣ କରିଥିଲେ ସୁଦ୍ଧା ଶୃଙ୍ଖଳିତ ଭାବରେ ନିଜର ମୌଳିକ ଉପାଦାନ ସହିତ ମିଶ୍ରଣ କରି ଭାରତ ତାର ମୌଳିକତାକୁ ବଜାୟ ରଖିପାରିଛି   । ଏହା ହିଁ ଭାରତର ଐତିହ୍ୟର ବିଶିଷ୍ଟତା  । ସ୍ଵାଧୀନତ୍ତୋର ଭାରତରେ କଳା, ସ୍ଥାପତ୍ୟ , ଶିଳ୍ପ କୌଶଳ , ସାହିତ୍ୟ , ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ପ୍ରଭୁତି ବିକାଶ ଘଟିଅଛି  । ଏହି ଅଧ୍ୟାୟର ପରିସରଭୁକ୍ତ ପାଠ ଐତିହି ମଧ୍ୟରେ ସୀମିତ ରହିଥିବାରୁ ଏ କ୍ଷେତ୍ରରେ ଆଧୁନିକ ପ୍ରଗତି ସମୂହ ଆଲୋଚିତ ହୋଇନାହିଁ  ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

2.97368421053
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top