ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଦୈନନ୍ଦିନ ଜୀବନରେ ପଦାର୍ଥ ବିଜ୍ଞାନ
ସେଆର କରନ୍ତୁ

ଦୈନନ୍ଦିନ ଜୀବନରେ ପଦାର୍ଥ ବିଜ୍ଞାନ

ଦୈନନ୍ଦିନ ଜୀବନରେ ପଦାର୍ଥ ବିଜ୍ଞାନ ର ସୂଚନା

ପଦାର୍ଥ  ବିଜ୍ଞାନ

ଆମେ  ଆଖି  ଖୋଲିଲେ  ବିଭିନ୍ନ  ପ୍ରକାର  ଜିନିଷ  ଆମ  ଆଖିରେ  ପଡେ  । ଆଉ  ବିଭିନ୍ନ  ଆକାରର  ଜିନିଷପତ୍ର  ମଧ୍ୟ  ଦେଖୁ   । ସବୁ  ଜିନିଷର  ରଙ୍ଗ  ସମାନ  ନଥାଏ   । ଅଥବା , ସମସ୍ତଙ୍କର  ଆକୃତି  ବି  ସମାନ  ନ ଥାଏ  । ରଙ୍ଗ  ଦେଖିବାରେ  ହେଉ  କିମ୍ବା  ବିଭିନ୍ନ  ବସ୍ତୁର  ଭିନ୍ନ  ଭିନ୍ନ  ଆକାର  ଓ  ଆକୃତି  ହେଉ , ସେସବୁ  ପଛରେ   ରହୁଥିବା  କାରଣ  ବିଷୟରେ   ଅନୁଶୀଳନ କଲେ , କଣ - କିପରି – କାହିଁକି  ବୋଲି  ପ୍ରଶ୍ନର  ଉତ୍ତର  ଖୋଜିଲେ , ସବୁଠି  ବିଜ୍ଞାନର  ସ୍ଵାକ୍ଷର   ଦେଖିବାକୁ  ମିଳେ  । ପ୍ରକୃତିରେ  ଘଟୁଥିବା  ଘଟଣାଗୁଡିକ  ବୁଝିବା  ପାଇଁ  ଆମେ   କେତେବେଳେ   ପଦାର୍ଥ  ବିଜ୍ଞାନର  ସହାୟତା  ନେଉ ତ  ଆଉ  କେତେବେଳେ  ରସାୟନ  ବିଜ୍ଞାନର  ସହାୟତା  ନେଉ   । ଆମେ  ଏଠାରେ  ପଦାର୍ଥ  ବିଜ୍ଞାନ  ସହିତ  ଜଡିତ  ଏବଂ  ପଦାର୍ଥ  ବିଜ୍ଞାନ   ଦ୍ଵାରା  ବୁଝି  ହେଉଥିବା  କେତେକ   ନିତିଦିନିଆ  ଘଟଣା  ବିଷୟରେ  ଆଲୋଚନା  କରିବା   ।

ବସ୍ତୁ  ଓ  ବସ୍ତୁର   ଗତି  ତଥା  ଶକ୍ତି   ପଛରେ  ରହିଥିବା  ବିଜ୍ଞାନ   ହେଉଛି  ପଦାର୍ଥ   ବିଜ୍ଞାନ  । ବସ୍ତୁଟି  ଏମିତି   କାହିଁକି   ଦିଶିଲା , ବସ୍ତୁଟି  କାହିଁକି  ଚାଲିଲା , ଯଦି  ଚାଲୁଥିଲା , ତେବେ  କାହିଁକି  ଅଟକିଲା , ପଦାର୍ଥ  ବିଜ୍ଞାନ  ପାଖରେ  ଏଭଳି  ଅଗଣିତ  ପ୍ରଶ୍ନର  ଉତ୍ତର  ରହିଛି  । ଆମର  ଦୈନନ୍ଦିନ   ଜୀବନରେ   ପଦାର୍ଥ  ବିଜ୍ଞାନ  ସଂପର୍କିତ  ଅନେକ  ଘଟଣା  ଦେଖିବାକୁ  ମିଳେ  । କେବଳ  ସେତିକି  ନୁହେଁ , ଆମର  ଦୈନନ୍ଦିନ  ଜୀବନକୁ  ସରସ  ଓ  ସୁନ୍ଦର  କରିବାରେ  ପଦାର୍ଥ  ବିଜ୍ଞାନର  ଗୁରୁତ୍ଵପୂର୍ଣ୍ଣ  ଭୂମିକା  ମଧ୍ୟ  ରହିଛି   । ବିଶ୍ଵ  ବ୍ରହ୍ମାଣ୍ଡରେ  ଘଟୁଥିବା  ଅଗଣିତ  ଘଟଣା  ପଛରେ  ପଦାର୍ଥ  ବିଜ୍ଞାନ  ରହିଛି  । ଗଛରୁ  ଫଳ  ତଳକୁ  ପଡେ  କାହିଁକି , ପୃଥିବୀ  ଚାରିପଟେ  ଜହ୍ନମାମୁଁ   ବୁଲୁଛି  କାହିଁକି , ଆକାଶ  କାହିଁକି  ନୀଳ  ଦିଶେ , ସକାଳର  ସୂର୍ଯ୍ୟ  କାହିଁକି  ଲାଲ , କନିଅର  ଫୁଲ  କାହିଁକି  ହଳଦିଆ , ଇନ୍ଦ୍ରଧନୁ  ଏତେ  ରଙ୍ଗୀନ  କାହିଁକି , ପୁନେଇଁ  ଜହ୍ନ  ଗୋଲ  କାହିଁକି  , ଶଙ୍ଖ  ଫୁଙ୍କିଲେ  ଶବ୍ଦ  ବାହାରେ  କାହିଁକି , ଘଣ୍ଟା  ବାଜିଲେ  ଶବ୍ଦ   ବାହାରେ  କାହିଁକି , ପାଣିରେ  ଲୁହାକଣ୍ଟା  ବୁଡିଯାଏ  କିନ୍ତୁ  ଜାହାଜ  କେମିତି  ଭାସେ , ଏ.ସି.  ଲାଗିଥିବା  ଦୋକାନରେ  କାଚର  କାନ୍ଥ  କରାଯାଏ  କାହିଁକି , ବିଜୁଳି  ମାରିଲା  ଘଡଘଡି  ଶୁଣାଯାଏ  କାହିଁକି  - ଏମିତି  ଲକ୍ଷ  ଲକ୍ଷ  ପ୍ରଶ୍ନର   ସରଲା  ଉତ୍ତର  ହେଉଛି  ପଦାର୍ଥ  ବିଜ୍ଞାନ   । ପ୍ରକୃତି  ହେଉଛି  ବିରାଟ  ଗବେଷଣାଗାର   । ପଦାର୍ଥ   ବିଜ୍ଞାନ  ହେଉଛି  ପ୍ରକୃତି  ଉପରେ  ଗବେଷଣା  ଜାରି  ରଖିଥିବା   ଗବେଷକ   ଛାତ୍ର   ।

ପଦାର୍ଥ  ବିଜ୍ଞାନ ଓ ନିଉଟନ

ପଦାର୍ଥ  ବିଜ୍ଞାନ  ପ୍ରସଙ୍ଗ   ଆସିଲେ  ନିଉଟନଙ୍କ   କଥା   ମନେପଡେ   । ସାର୍  ଆଇଜାକ  ନିଉଟନ  ହେଉଛନ୍ତି  ପଦାର୍ଥ  ବିଜ୍ଞାନର   ପିତା  । କାରଣ , ସେ  ପଦାର୍ଥ   ବିଜ୍ଞାନର  ମୂଳମନ୍ତ୍ର  ଉଚ୍ଚାରଣ  କରିଥିଲେ   । ବିଶ୍ଵ  ବ୍ରହ୍ମାଣ୍ଡରେ  ଅନେକ  ଘଟଣା  ଘଟୁଛି   । ପ୍ରତ୍ୟକ   ଘଟଣା  ପଛରେ  କିଛି  ନା  କିଛି  କାରଣ   ରହିଛି  । ସେହି  କାରଣ  ସମ୍ପର୍କରେ  ବିଶେଷ   ଭାବରେ  ଜାଣିବା  ହେଉଛି  ବିଜ୍ଞାନ   । ଗଛରୁ  ତଳକୁ   ଫଳ  ପଡିବା  ବି  ସେମିତିକା  ଗୋଟିଏ  ଘଟଣା   । ଆମ  ପାଇଁ   ଅତି  ସାଧାରଣ   ଘଟଣା   । କିନ୍ତୁ   ନିଉଟନଙ୍କ  ପାଇଁ  ଏହା  ଥିଲା  ଅତି  ଗୁରୁତ୍ଵପୂର୍ଣ୍ଣ  ଘଟଣା   । ସେଓ  ଗଛରୁ   ସେଓ  ପଡିବା  ଘଟଣା   ତାଙ୍କୁ   ପୃଥିବୀର  ମାଧ୍ୟାକର୍ଷଣ  ବିଷୟରେ   ଗଭୀର  ଭାବରେ  ଚିନ୍ତା  କରିବା  ପାଇଁ   ପ୍ରେରଣା  ଯୋଗାଇଥିଲା   । ସେ  ଚନ୍ଦ୍ର   ଉପରେ  ପୃଥିବୀର  ଆକର୍ଷଣ   ବିଷୟରେ   ଅନେକ  ତଥ୍ୟର   ସନ୍ଧାନ  ପାଇଲେ   । ବସ୍ତୁ  ଉପରେ  ବଳ  ପ୍ରୟୋଗ  କଲେ  କିପରି  ତା’ର  ଅବସ୍ଥାରେ  ପରିବର୍ତ୍ତନ   ହୁଏ , ସେହି  ବିଷୟରେ  ଅନେକ  ନିୟମ  ଦୁନିଆକୁ  ଜଣାଇଲେ   । ଏହା  ହେଉଛି  ପଦାର୍ଥ  ବିଜ୍ଞାନର  ମୂଳମନ୍ତ୍ର   । ସେଥିରେ  ଆଇନଷ୍ଟାଇନ  ଅଧିକ  ତଥ୍ୟ  ଯୋଡିବା   ପରେ  ବିଶ୍ଵବ୍ରହ୍ମାଣ୍ଡକୁ   ବୁଝି  ହେଲା   । ସେ  ଆଧୁନିକ  ପଦାର୍ଥ  ବିଜ୍ଞାନର   ପିତା   ।

ପୃଥିବୀ  ଗୋଟିଏ  ଗ୍ରହ , ଚନ୍ଦ୍ର  ତାହାର  ଉପଗ୍ରହ  । ଆମେ  ଜାଣୁ  ପୃଥିବୀ   ଚାରିପଟେ  ଚନ୍ଦ୍ର  ବୁଲୁଛି   । ଏଥିରେ  ମାଧ୍ୟାକର୍ଷଣ  ବଳର  ଭୂମିକା  ରହିଛି   । ପୃଥିବୀ  ଯେମିତି  ମାଧ୍ୟାକର୍ଷଣ  ବଳ  ଦ୍ଵାରା  ଫଳକୁ  ନିଜ  ଆଡକୁ  ଟାଣେ , ସେମିତି  ଚନ୍ଦ୍ରକୁ  ମଧ୍ୟ  ନିଜ  ଆଡକୁ  ଟାଣୁଛି   । ପଦାର୍ଥ  ବିଜ୍ଞାନରେ  ଅନୁଶୀଳନ  କଲେ , ପୃଥିବୀର  ମାଧ୍ୟାକର୍ଷଣ  ବଳ ନ ଥିଲେ  ଚନ୍ଦ୍ର  ବୁଲି  ପାରିବ  ନାହିଁ , ନିଜର  କକ୍ଷପଥରୁ  ଖସି  ଶୂନ୍ୟକୁ   ପଳେଇବ   । ଆକାଶ  ଆମକୁ  ନୀଳ   ଦେଖାଯିବାର  କାରଣ  ପଛରେ  ରହିଛି  ପଦାର୍ଥ  ବିଜ୍ଞାନ  । ସୂର୍ଯ୍ୟକିରଣ   ଧଳା , କିନ୍ତୁ  ସେଥିରେ   ସାତଟି  ରଙ୍ଗ  ରହିଛି , ଯାହାକୁ  ଆମେ  କହୁ  ବା-ଘ-ନୀ-ସ-ହ-ନା- ଲା   । ଗବେଷଣାରୁ  ଜଣା  ପଡିଛି  ଯେ , ଆକାଶରେ   ରହିଥିବା  କ୍ଷୁଦ୍ର  କଣିକାଗୁଡିକ  ବାଇଗଣି ଓ  ନୀଳ  ରଙ୍ଗର  ଆଲୋକକୁ  ସବୁଠାରୁ  ଅଧିକ   ଶୋଷିପାରନ୍ତି   । ତେଣୁ  କଣିକାଗୁଡିକରୁ  ନୀଳ ଓ  ବାଇଗଣି  ରଙ୍ଗର  ଆଲୋକ  ବାହାରୁଥାଏ   । ଆମର  ଆଖି  ବାଇଗଣି  ତୁଳନାରେ  ନୀଳ  ରଙ୍ଗର  ଆଲୋକକୁ   ଭଲ   ଦେଖିପାରେ  । ତେଣୁ  ଆକାଶ  ଆମକୁ  ନୀଳ  ଦେଖାଯାଏ   । ବର୍ଷାଦିନେ   ଆମେ  ଆକାଶରେ  ଇନ୍ଦ୍ରଧନୁ  ଦେଖୁ  । ସୂର୍ଯ୍ୟକିରଣରେ  ଥିବା  ରଙ୍ଗରୁ  ଇନ୍ଦ୍ରଧନୁରେ  ୭ଟି  ରଙ୍ଗ  ଆସୁଛି  । ବର୍ଷା  ପାଇଁ  ବାୟୁମଣ୍ଡଳରେ  ଭାସି  ବୁଲୁଥିବା  କ୍ଷୁଦ୍ର କ୍ଷୁଦ୍ର ଜଳକଣା  ଭିତରେ  ସୂର୍ଯ୍ୟକିରଣ   ପଶିଲେ , ୭ଟି  ରଙ୍ଗର  ଆଲୋକ  ୭ଟି ଅଲଗା  ଅଲଗା  କୋଣରେ   ବଙ୍କେଇ  ଯାଆନ୍ତି   । ପୁଣି   ଠାରେ  ସେଗୁଡିକ  ଜଳବିନ୍ଦୁ   ଭିତରେ  ବଙ୍କେଇ  ଯାଇ  ଭୂଇଁ  ଆଡକୁ   ଗତି  କରନ୍ତି   । ସେହି  ଆଲୋକ  ଆମ  ଆଖିରେ  ପଡିଲେ  ଆମେ  ୭ଟି  ରଙ୍ଗ  ଥିବା  ଇନ୍ଦ୍ରଧନୁ   ଦେଖୁ  । ବର୍ଷାଦିନେ   ବିଜୁଳି  ମାରିବାର  କିଛି  ସମୟ  ପରେ  ଘଡଘଡି   ଶୁଣାଯାଏ  । ଏସବୁ  ପାଇଁ  ଦାୟୀ  ହେଉଛି  ବାଦଲରେ  ଥିବା  ଚାର୍ଜକଣିକା  । ବିଜୁଳି  ଓ  ଘଡଘଡି  ଏକ  ସଙ୍ଗରେ  ସୃଷ୍ଟି  ହେଲେ  ବି  ଆଲୋକ  କ୍ଷିପ୍ର  ବେଗରେ  ଆମ  ପାଖରେ  ପହଞ୍ଚିଯାଏ । ଆମେ  ବିଜୁଳି  ଦେଖିପାରୁ   । ହେଲେ  ଶବ୍ଦ  ଧୀରେ  ଧୀରେ ଆସି  ଆମ  କାନପାଖରେ  ପହଞ୍ଚେ   । ତେଣୁ  ବିଜୁଳି  ମାରିବାର  କିଛି  ସମୟ  ପରେ  ଘଡଘଡି  ଶୁଣୁ   ।

ବଜାରରେ  ଆମେ  ଦେଖୁ  ଏ. ସି. ଲାଗିଥିବା  ଘରେ  କାଚର   କାନ୍ଥ  ଲାଗିଥାଏ  । ଏହା  ପଛରେ  ରହିଥିବା  କାରଣକୁ   ପଦାର୍ଥ  ବିଜ୍ଞାନ  ବୁଝେଇପାରିବ   । ଘରକୁ  ଥଣ୍ଡା  ରଖିବା  ପାଇଁ  ଏ.ସି. ବା  ଏୟାର  କଣ୍ଡିସନର  ଲଗାଯାଏ   । କିନ୍ତୁ  ଘର  ଭିତରକୁ  ବାହାର  ତାପ  ପଶି  ଆସିଲେ  ଏ.ସି. ଥାଇ  ବି  ଘର  ଥଣ୍ଡା  ରହିବ  ନାହିଁ  । ପଦାର୍ଥ  ବିଜ୍ଞାନର  ଗବେଷଣାରୁ   ଜଣା  ପଡିଲା , କାଚ  ଦେଇ  ଆଲୋକ  ଯାଇ  ପାରିବ , ତାପ  ପ୍ରବେଶ   କରିପାରିବ  ନାହିଁ   । ତେଣୁ  ଏ.ସି. ଲାଗିଥିବା  ଦୋକାନ  ଘରର  କାନ୍ଥ  ଓ  କବାଟ  କାଚରେ  ତିଆରି  ହେଲେ  ବାହାରର  ତାପ  କାଚ  ଦେଇ  ଘର  ଭିତରକୁ  ପଶିପାରିବ  ନାହିଁ   । ଫଳରେ  ଘର  ଭିତର  ଠିକ୍ ଥଣ୍ଡା  ରହିବ    । କେବଳ   ସେତିକି  ପାଇଁ  ନୁହେଁ , କାଚ  ଦେଇ  ଆଲୋକ  ଯାଇପାରୁ  ଥିବାରୁ  ଦୋକାନଘର  ଭିତରେ  ସଜ୍ଜା  ହୋଇ  ରହିଥିବା  ଜିନିଷପତ୍ର  ବି  ଲୋକମାନେ  ବାହାରୁ   ଦେଖିପାରିବେ   । ଏହା  ଗ୍ରାହକମାନଙ୍କୁ  ନିଶ୍ଚିତ  ଭାବେ  ଆକର୍ଷିତ  କରିବ  । ଆମ  ଓଡିଆ  ସଂସ୍କୃତିରେ  ଘରେ  ଘରେ  ସଞ୍ଜବେଳେ  ଶଙ୍ଖ ବାଜେ   । ମନ୍ଦିରରେ  ଘଣ୍ଟ  ବାଜେ  । ଶଙ୍ଖ  ଫୁଙ୍କିଲା  ବେଳେ  ଆମ  ପାଟି   ଭିତରୁ  ବାହାରୁଥିବା  ପବନ  ଶଙ୍ଖ  ଭିତରେ  ବୁଲି  ବୁଲି ବାହାରକୁ  ବାହାରେ   । ତେଣୁ  ଶଙ୍ଖର  ଦେହ  କମ୍ପିଯାଏ   । ସେହି  କମ୍ପନ  ଆମକୁ  ଶବ୍ଦର  ଅନୁଭୂତି  ଦିଏ   । ସେହିପରି  ଘଣ୍ଟକୁ   ଆଘାତ  କଲେ  ଏହାର  ଶରୀର   କମ୍ପି ଉଠେ   । ତେଣୁ  ସେଥିରୁ  ଶବ୍ଦ  ବାହାରେ   ।

ଖେଳ  ପଡିଆଠାରୁ  ଆରମ୍ଭ  କରି  ରୋଷେଇ  ଘର  ପର୍ଯ୍ୟନ୍ତ , ସବୁଠି ପଦାର୍ଥ   ବିଜ୍ଞାନ  ରହିଛି   । ରୋଷେଇ  ଘରେ  ପଦାର୍ଥ  ବିଜ୍ଞାନର  ଅନେକ  ଉଦାହରଣ  ଦିଆଯାଇ  ପାରିବ   । ଆମେ  ଅଳ୍ପ  କେଇଟା ଆଲୋଚନା   କରିବା   । ଗ୍ୟାସ  ନୀଳ   ଜଳିଲେ  ଠିକ୍ ଅଛି  ଲାଲ  ଜଳିଲେ  ଠିକ୍  ନାହିଁ   । କାରଣ , ପଦାର୍ଥ  ବିଜ୍ଞାନ   ଅନୁସାରେ  ନୀଳ  ଶିଖାର  ତାପଶକ୍ତି   ଅଧିକ  । ଲାଲ  ଶିଖାର  ଶକ୍ତି  କମ୍  । ଆମେ  ଖୋଲା  କରେଇରେ  ତରକାରି  ରାନ୍ଧିଲେ  ଠିକ୍  ସିଝିବ   ନାହିଁ   । କରେଇ  ଉପରେ  ଘୋଡଣି  ରଖାଯାଏ   । ଘୋଡଣି   ରହିଲେ  ତା  ଭିତରେ ବାମ୍ଫ ରହେ  । ବାମ୍ଫରେ  ଅଧିକ  ତାପଶକ୍ତି  ରହିଥାଏ , ଯାହା  କି  ତରକାରିକୁ  ସହଜରେ  ସିଝେଇଦିଏ  । ପ୍ରେସର କୁକରରେ  ମାଂସ  ରାନ୍ଧିଲେ  ସହଜରେ   ସିଝିଯାଏ   । କାରଣ  ଖୋଲା  କରେଇରେ  ପାଣି ଫୁଟେ  ୧୦୦ ଡିଗ୍ରୀ  ସେଲସିୟସ  ତାପମାତ୍ରାରେ   । ପାଣିର  ତାପମାତ୍ରା  ଆଉ  ବଢିପାରିବ  ନାହିଁ   । ହେଲେ  ପ୍ରେସର  କୁକର  ଭିତରେ  ପାଣି  ଫୁଟେ  ୧୪୦ ଡିଗ୍ରୀ  ତାପମାତ୍ରାରେ   । ପାଣିର  ତାପମାତ୍ରା  ଅଧିକ  ହେବାରୁ   ସହଜରେ  ମାଂସ  ସିଝିଯାଏ   । ରେଫ୍ରିଜରେଟର  ଆଇସ ଟ୍ରେ ଗାତରେ  ପାଣି  ଦେବା  ସମୟରେ  ଭରପୁର  ପାଣି  ଦିଆଯାଏ  ନାହିଁ    । କିନ୍ତୁ  ବରଫ  ହେଲା  ପରେ  ଟ୍ରେ  ଟ୍ରେ  ଭିତରେ  ଭରପୁର  ବରଫ  ଥାଏ  । କାରଣ , ପାଣି  ବରଫରେ  ପରିଣତ  ହେଲେ  ତା’ର  ଆୟତନ   ବଢିଯାଏ    ।

ସଂଗୃହିତ : କମଳାକାନ୍ତ  ଜେନା

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top