ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ନିମାପଡ଼ାରେ ଭାରତଛାଡ଼ ଆନ୍ଦୋଳନ
ସେଆର କରନ୍ତୁ

ନିମାପଡ଼ାରେ ଭାରତଛାଡ଼ ଆନ୍ଦୋଳନ

ନିମାପଡ଼ାରେ ଭାରତଛାଡ଼ ଆନ୍ଦୋଳନ ବିଷୟରେ ସୂଚନା I

୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ଥିଲା ଇଂରେଜ ସରକାରଙ୍କ ବିରୁଦ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଏକ ଗଣ ବିପ୍ଳବ । ପ୍ରଜା ଶୋଷଣକାରୀ ଇଂରେଜ ସରକାରର ବର୍ବରୋଚିତ ଓ ଅକଥନୀୟ ଅତ୍ୟାଚାରକୁ ଭ୍ରୂକ୍ଷେପ ନକରି ଶହ ଶହ ନିରୀହ ଭାରତୀୟ ଜନତା ଶହୀଦ ହେବା ସଂଗେସଂଗେ ହଜାର ହଜାର ଆହତ ଓ କାରାବରଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକାଗ୍ରତା ସହିତ ଅଗଣିତ ସତ୍ୟାଗ୍ରହୀ ଅସୀମ ତ୍ୟାଗ ଓ ଅତୁଳନୀୟ ବୀରତ୍ଵ ପ୍ରଦର୍ଶନ କରି ସମଗ୍ର ପୃଥିବୀକୁ ସ୍ତମ୍ଭୀଭୂତ କରାଇ ଦେଇଥିଲେ । ଏହି ସତ୍ୟାଗ୍ରହ ଫଳରେ ଇଂରେଜ ସରକାର ଶାସନଗାଦୀ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ । ଏହି ଆନ୍ଦୋଳନରେ ଅବିଭକ୍ତ ପୁରୀ ଜିଲ୍ଲା ନିମାପଡ଼ାବାସୀଙ୍କର ଅବଦାନ ଇତିହାସରେ ଚୀର ସ୍ମରଣୀୟ ହୋଇ ରହିଅଛି ।

ଆନ୍ଦୋଳନରେ ଅବିଭକ୍ତ ନିମାପଡ଼ାବାସୀଙ୍କର ଅବଦାନ ଇତିହାସରେ ଚୀର ସ୍ମରଣୀୟ

ଦ୍ଵିତୀୟ ବିଶ୍ୱଯୁଦ୍ଧ ତଥା କ୍ରିପସ୍ ମିଶନ୍ ବିଫଳ ହେବା ପରେ ସର୍ବଭାରତୀୟ ନେତୃବୃନ୍ଦ ମାନଙ୍କର ଇଂରେଜ ସରକାରଙ୍କ ଉପରେ ଆଉ ବିଶ୍ଵାସ ରହିଲା ନାହିଁ । ସରକାରଙ୍କର ଦୋ ମୁହାଁ ନୀତିକୁ ଜାଣିବାରେ ସଂଗ୍ରାମର କର୍ଣ୍ଣଧାର ତଥା ମହାରଥୀ ମହାତ୍ମା ଗାନ୍ଧୀଙ୍କୁ ବେଶି ସମୟ ଲାଗିଲା ନାହିଁ । ତେଣୁ ସେ ଅତିଷ୍ଠ ହୋଇ ଇଂରେଜଙ୍କ ବିରୁଦ୍ଧରେ ‘ଭାରତଛାଡ଼ ଆନ୍ଦୋଳନ’ କରିବାକୁ ବାଧ୍ୟ ହୋଇଥିଲେ । ଏହାଫଳରେ ୧୯୪୨ ମସିହା ଜୁଲାଇ ୧୪ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ ଅଧିବେଶନ ୱାର୍ଦ୍ଧା ଠାରେ ବସି ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୁନରାୟ ସେହିବର୍ଷ ଅଗଷ୍ଟମାସ ଆଠ ତାରିଖରେ ଏହି ଅଧିବେଶନ ମୁମ୍ବାଇ ଠାରେ ବସି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏଥିପାଇଁ ଗାନ୍ଧିଜୀ ଏକ ବିରାଟ ଜନଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ଵାନ ମାଧ୍ୟମରେ ‘କର ବା ମର’ର ଡାକରା ଦେଇଥିଲେ । ଠିକ୍ ତା'ପରଦିନ ଅଗଷ୍ଟ ୯ ତାରିଖରେ ପ୍ରତ୍ୟୁଷରୁ ସର୍ବଭାରତୀୟ ନେତା, ଯଥା- ଗାନ୍ଧିଜୀଙ୍କ ସମେତ ପଣ୍ଡିତ ଜବାହରଲାଲ ନେହେରୁ, ମୌଲାନ ଆଜାଦ୍, ଆଚାର୍ଯ୍ୟ କୃପାଳିନୀ, ଡଃ ହରେକୃଷ୍ଣ ମହତାବ ପ୍ରଭୃତିଙ୍କୁ ଇଂରେଜ ସରକାର ଗିରଫ କରି ନେଲେ । ଏହି  ସମ୍ବାଦ ବିଜୁଳିଭଳି କ୍ଷଣକ ମଧ୍ୟରେ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରଚାର ହୋଇଗଲା । ଆଉ ମଧ୍ୟ ଇଂରେଜ ସରକାର କଂଗ୍ରେସ ଦଳକୁ ବେଆଇନ ଘୋଷଣା କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ଓ ସାନବଡ଼ର ଭେଦଭାବ ନିର୍ବିଶେଷରେ ଭାରତୀୟଙ୍କ ଶିରାପ୍ରଶିରାରେ ସ୍ଵାଧୀନତାର ବହ୍ନି ପ୍ରଜ୍ଜଳିତ ହୋଇଥିଲା । ପ୍ରାଦେଶିକ ଓ ଜିଲ୍ଲାସ୍ତରୀୟ ବହୁ ତୁଙ୍ଗ ନେତାଙ୍କୁ ସେହି ୯ ତାରିଖରେ ବିଭିନ୍ନ ସମୟରେ ଓ ସ୍ଥାନରେ ଗିରଫ କରାଯାଇଥିଲା । ଆମ ଓଡ଼ିଶାରେ ୨୬ ଜଣଙ୍କ ଉପରେ ଗିରଫ ପରୱାନା ଜାରି ହୋଇଥିଲେ ମଧ୍ୟ ୨୪ ଜଣଙ୍କୁ ଗିରଫ୍ କରାଯାଇଥିଲା ।  ସେହିପରି ନିମାପଡ଼ାର ପ୍ରବୀଣ ସ୍ଵାଧୀନତା ସଂଗ୍ରାମୀ, ଦକ୍ଷ କୃଷକ ନେତା ମୋହନ ଦାଶ ଓ କାକଟପୁରର ସଂଗ୍ରାମୀ ଗତିକୃଷ୍ଣ ସ୍ଵାଇଁଙ୍କୁ ସେହି ମାସରେ ଗିରଫ କରାଯାଇଥିଲା ।

ଅତୀତରେ ଘଟି ଯାଇଥିବା ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ, ୧୯୩୪ର ଚାଷୀ ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନ ଗୁଡ଼ିକ ନିମାପଡ଼ାର ସାଂଗଠନିକ ଦକ୍ଷତା ଓ ଏକତା ଭାରତଛାଡ଼ ଆନ୍ଦୋଳନକୁ ସକ୍ରୀୟ କରିବାରେ ଖୋରାକ ଯୋଗାଇଥିଲା । ଗିରଫ ଦାବୀର ପ୍ରତିବାଦ କରିବା ପାଇଁ ସ୍ଵତଃସ୍ଫୁତ ଭାବେ ନିମାପଡ଼ା ଅର୍ଥାତ୍ ବଳଙ୍ଗା, ଗୋପ, କାକଟପୁର,ଅସ୍ତରଙ୍ଗ, ନୟାହାଟ ଓ କୋଣାର୍କ ଅଞ୍ଚଳ ସମେତ ଅନ୍ୟ ଗ୍ରାମ ଗୁଡ଼ିକର ଜନସାଧାରଣ ଅଗ୍ନିଶିଖା ପରି ଆନ୍ଦୋଳନରେ ଝାସ ଦେଇଥିଲେ । ଏହାକୁ ତୀବ୍ରତର କରାଇବା ପାଇଁ ନିମାପଡ଼ା ଉଚ୍ଚବିଦ୍ୟାଳୟର । ଛାତ୍ରମାନେ ଧର୍ମଘଟରେ ସାମିଲ ହୋଇଥିଲେ । ଫଳରେ ସମଗ୍ର । ନିମାପଡ଼ାର ଜନତାଙ୍କ ମଧ୍ୟରେ ଉତ୍ତେଜନା ଦ୍ଵିଗୁଣିତ ହୋଇଥିଲା ।

ଏହି ସମୟରେ କଟକର ରେଭେନ୍ସା କଲେଜରେ ଦେଶ ସ୍ଵାଧୀନତା ପାଇଁ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା । କଲେଜ ଓ ଛାତ୍ରାବାସ ଅନିର୍ଦ୍ଦିଷ୍ଟ ଦିନ ପାଇଁ ବନ୍ଦ ହୋଇଯାଇଥିଲା । ସେହି ଛାତ୍ରମାନେ ନିଜ ନିଜ ଅଞ୍ଚଳକୁ ଯାଇ, ସେଠାରେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ସେହିପରି ନିମାପଡ଼ାର ଦୁଇ ଜଣ ଛାତ୍ର ଲୋକନାଥ ସେନାପତି (ଭିଲିଗ୍ରାମ) ଓ ଉପେନ୍ଦ୍ର ମହାନ୍ତି (ବିରିତୁଙ୍ଗ) କଟକ ଛାଡ଼ି ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେମାନେ ଭୁବନେଶ୍ୱରର ବିନ୍ଦୁସାଗର ଠାରେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ପୋଲିସ ସେମାନଙ୍କୁ ସନ୍ଦେହ କରି ଆନ୍ଦୋଳନ ସମ୍ପର୍କରେ କିଛି ପ୍ରଶ୍ନ ପଚାରି ଛାଡ଼ି ଦେଇଥିଲେ । ତତ୍‌ପରେ ସେହି ଦୁଇଜଣଙ୍କର ହଠାତ୍ ସାକ୍ଷାତ ହୋଇଥିଲା ଦୁଇଜଣ ଦେଶପ୍ରେମୀ ସୁରେନ୍ଦ୍ରନାଥ ଦ୍ଵିବେଦୀ ଓ ମାଳତୀ ଚୌଧୁରୀଙ୍କ ସହିତ । ସେମାନଙ୍କ ମଧ୍ୟରେ ଗୁପ୍ତ ସଂଗଠନ ମାଧ୍ୟମରେ ଆନ୍ଦୋଳନ କରିବା ପାଇଁ ଆଲୋଚନା ହୋଇଥିଲା । ସେହି ୪ ଜଣ ଓଡ଼ିଶାର ଲପ୍ରତିଷ୍ଠିତ ରାଜନୀତିଜ୍ଞ ଭୁବନାନନ୍ଦ ଦାସଙ୍କ ଘରେ ରାତ୍ରିଯାପନ କରି ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେଦିନ ରାତିରେ ସେହି ଦୁଇ ଜଣ ନେତାଙ୍କ ଉତ୍ସାହ ଓ ପ୍ରେରଣା ଏହି ଦୁଇ ଜଣ ଛାତ୍ରଙ୍କୁ ଜାତି ଓ ଦେଶର ସେବା କରିବା ପାଇଁ ଆଗ୍ରହ ଜନ୍ମାଇ ଥିଲା । ଦୃଢ଼ ମନୋବଳ ସହ ସେ ଦୁଇଜଣ ଛାତ୍ର ସଂଗ୍ରାମରେ ଝାସ ଦେବାପାଇଁ ପ୍ରତିଜ୍ଞା କରିଥିଲେ । ଦ୍ଵିବେଦୀଙ୍କ ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ବହ ରୂପେ କାର୍ଯ୍ୟ କରିଥିଲେ ଲୋକନାଥ । ତା’ପରଦିନ ପ୍ରତ୍ୟୁଷରୁ ଦ୍ଵିବେଦୀଙ୍କର ଗୁପ୍ତ ବାର୍ତ୍ତାକୁ ରେଳ ଲାଇନ କଡ଼େ କଡ଼େ ପାଦରେ ଚାଲି ଚାଲି ଲୋକନାଥ କଟକର ସୁରଜମଲ୍ଲ ସାହାଙ୍କୁ ଦେଇ ଫେରିଥିଲେ ନିମାପଡ଼ା ଓ ଉପେନ୍ଦ୍ର ନିଜ ଗ୍ରାମକୁ ଯାଇଥିଲେ । ସେହିପରି ମଧ୍ୟ ରେଭେନ୍‌ସା କଲେଜର ଛାତ୍ର ବ୍ରଜ ମୋହନ ମହାନ୍ତି ତାଙ୍କର ଜନ୍ମସ୍ଥାନ ଗୋପର ବରମୁଣ୍ଡାକୁ ଆସି ସ୍ଵାଧୀନତା ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ।

ବ୍ରଜମୋହନ ମହାନ୍ତି, ଅଲେଖପାତ୍ର ଓ ସୋମନାଥ ପଣ୍ଡା । ପ୍ରଭୃତି କେତେଜଣ ସହକର୍ମୀଙ୍କ ସହିତ ଲୋକନାଥ ବାବୁ ମିଶି ନିମାପଡ଼ାର ରାଜନୀତି, ଗ୍ରାମ ସଂଗଠନ ଓ ଛାତ୍ର ସଂଗଠନକୁ ସୁଦୃଢ଼ କରିଥିଲେ । ସେମାନଙ୍କର ପ୍ରେରଣାର ଉତ୍ସ ଥିଲେ ସଂଗ୍ରାମୀ ମୋହନ ଦାଶ । ମୋହନ ବାବୁ ଥିଲେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ନବକୃଷ୍ଣ ।  ଚୌଧୁରୀଙ୍କ ପ୍ରେରଣା ଓ ଉତ୍ସାହରେ ଅନୁପ୍ରାଣିତ ହୋଇ ମୋହନବାବୁ ଏକ ଦକ୍ଷ ସଂଗଠକ ଭାବେ ପ୍ରାଦେଶିକ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ତେଣୁ ମୋହନ ବାବୁଙ୍କ ସାଂଗଠନିକ ଦକ୍ଷତା, ନିଭୀକତା ଓ ସାହସିକତାର ପ୍ରଭାବ ପଡ଼ିଥିଲା କେତେଜଣ ନିମାପଡ଼ାର ସଂଗ୍ରାମୀଙ୍କ ଉପରେ । ତତ୍କାଳୀନ ସମୟରେ ନିମାପଡ଼ାର ଅଗ୍ରଗାମୀ ନେତା ମୋହନ ବାବୁ ଥିଲେ କାରଗାର ଭିତରେ । ସେତେବେଳେ ଯେଉଁ କେତେଜଣ ଯୁବକର୍ମୀ ସକ୍ରୀୟ ଭାବରେ ଅଂଶଗ୍ରହଣ କରିଥିଲେ, ତନ୍ମଧ୍ୟରେ ପଦ୍ମଚରଣ ସାମନ୍ତ ସିଂହାର ଓ ଭବାନୀଚରଣ ପଟ୍ଟନାୟକ ଥିଲେ ଅଗ୍ରଗାମୀ । ଏହି କେତେଜଣ ଅଗ୍ରଗାମୀ କର୍ମୀଙ୍କ ବଳିଷ୍ଠ ନେତୃତ୍ଵ ସାହସିକତା ଓ ବୀରତ୍ଵ ଫଳରେ ନିମାପଡ଼ା ଭିଟାମାଟିରେ ଶହ ଶହ ଉତ୍ସାହୀ କର୍ମୀ ସୃଷ୍ଟି ହେବା ସଂଗେ ସଂଗେ ଆନ୍ଦୋଳନକୁ ସମଗ୍ର ଭାରତବର୍ଷର ଶୀର୍ଷସ୍ଥାନରେ ପହଞ୍ଚାଇ ପାରିଥିଲେ ।

ମଣିଜଙ୍ଗ ଗଡ଼ର ସାଆନ୍ତାଣୀ ସୁଲକ୍ଷଣା ମାଳୀ ଯେମା ନିମାପଡ଼ାର ଶହ ଶହ ଆନ୍ଦୋଳନ ପ୍ରେମୀଙ୍କର ଥିଲେ ସାହାଭରଷା । ତାଙ୍କର ସ୍ନେହ, ଶ୍ରଦ୍ଧା ଓ ସହାନୁଭୂତି ସଂଗ୍ରାମୀମାନଙ୍କୁ ଦେଇଥିଲା ଉତ୍ସାହ ଓ ପ୍ରେରଣା । ଯେଉଁକର୍ମୀ ତାଙ୍କ ଘରେ ପହଞ୍ଚନ୍ତି, ସେମାନଙ୍କୁ ଦରକାର ପଡ଼ିଲେ ପୋଲିସ ଉପଦ୍ରବ ଠାରୁ ଲୁଚାଇ ରଖନ୍ତି ଓ ଆର୍ଥିକ ସାହାଯ୍ୟ ଦିଅନ୍ତି । ତାଙ୍କରି ଉତ୍ସାହ, ପ୍ରେରଣା ଓ ଆଶୀର୍ବାଦ ବଳରେ ତାଙ୍କର ଜ୍ୟେଷ୍ଠ ପୁତ୍ର ପଦ୍ମଚରଣ ସାମନ୍ତସିଂହାର ହୋଇପାରିଥିଲେ ଏକ ସୁସଂଗଠକ, ନିଷ୍ଠାପର ଦେଶପ୍ରେମୀ ଓ ବୀର ସ୍ଵାଧୀନତା ସଂଗ୍ରାମୀ ।

ଧୀଶକ୍ତି ସମ୍ପନ୍ନ କେତେଜଣ ସକ୍ରୀୟ ସଂଗ୍ରାମୀ ଆନ୍ଦୋଳନକୁ ତୀବ୍ରତର କରାଇବା ପାଇଁ ସମସ୍ତ କର୍ମୀମାନଙ୍କ ସହିତ ଗୁପ୍ତ ଭାବରେ ଯୋଗାଯୋଗ କରି ଏକ ଗୁପ୍ତ ବୈଠକ ଡାକିବା ପାଇଁ ସ୍ଥିର କଲେ । ଏହି ବୈଠକ ୧୯୪୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ହଂସପଡ଼ା କେଉଟତୋଟା ମେଲଣ ପଡ଼ିଆ ଠାରେ ଥିବା କଂଗ୍ରେସ ଆଶ୍ରମରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ଥାନ ଥିଲା କର୍ମୀମାନଙ୍କର ଅତୀତରେ ଘଟିଯାଇଥିବା ଚାଷୀ ଆନ୍ଦୋଳନର କେନ୍ଦ୍ରସ୍ଥଳୀ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଇତ୍ୟାଦିର ଥିଲା ପୀଠ ଭୂମି । ଆଉ ମଧ୍ୟ ଅତୀତରେ କଟକର ଜମିଦାର ରାଧାପ୍ରସାଦ ଭଗତ୍‌ଙ୍କ ଅତ୍ୟାଚାରକୁ ଦମନ କରିବା ପାଇଁ ଏହି ଅଞ୍ଚଳରୁ ବହୁତ ସଂଗ୍ରାମୀ ଯୋଗ ଦେଇଥିଲେ । ଏହି ଆଶ୍ରମର ପବିତ୍ରତା ସ୍ଵତନ୍ତ୍ର ହୋଇଥିବାରୁ, ଏଠାରେ ହୋଇଥିଲା ଗୁପ୍ତ ବୈଠକ । ଏହି ବୈଠକରେ ନିମାପଡ଼ା ସମେତ ବହୁଗ୍ରାମର ପ୍ରତିନିଧୁମାନେ ଯୋଗ ଦେଇଥିଲେ । କେତେଜଣ ଯୁବକର୍ମୀ ଭାରତର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ଆନ୍ଦୋଳନକୁ ନଜିର ଦେଇ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ମତପୋଷଣ କରିଥିଲେ । ବିଭିନ୍ନ ପ୍ରକାର ଆଲୋଚନା ପରେ ସର୍ବସମ୍ମତିକ୍ରମେ ଯୁବକର୍ମୀଙ୍କ ମତ ଗୃହୀତ ହୋଇଥିଲା । ସେଥିପାଇଁ ନିମ୍ନରେ ପ୍ରଦତ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ କାର୍ଯ୍ୟସୂଚୀ ଗୃହୀତ ହୋଇଥିଲା ।

  1. ସରକାରଙ୍କୁ କର ବା ଖଜଣା ନ ଦେବା,
  2. ଥାନା ଓ ସରକାରୀ କାର୍ଯ୍ୟାଳୟ ଦଖଲ କରିବା,
  3. ପଞ୍ଚାୟତ ଶାସନ ପ୍ରଚଳିତ କରାଇବା,
  4. ଏକ ମରଣ ବାହିନୀ (ମରଣ ସେନା) ଗଠନ କରିବା,
  5. ନିମାପଡ଼ାକୁ ସବୁ ସଂଯୋଗ ରାସ୍ତା ବନ୍ଦ କରିବା ଓ
  6. ପୋଲିସ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ସାମିଲ କରାଇବା ।

ଯେଉଁଦିନ ଥାନା ଦଖଲ ଓ ଉଚ୍ଛବ ମଲ୍ଲିକ ଶହୀଦ ହୋଇଥିଲେ, ସେ ଦିନ ଥିଲା ୧୯୪୭ ମସିହା ସେପ୍ଟେମ୍ବର ୧୬ ତାରିଖ, ଷଷ୍ଠୀ ଓଷା, ସଂକ୍ରାନ୍ତି, ବୁଧବାର ଓ ନିମାପଡ଼ା ହାଟ । ଅଗଣିତ ସଂଗ୍ରାମୀ ଦେଶପ୍ରେମୀ ସମେତ ନରନାରୀ, ଯୁବକ ଯୁବତୀ ଓ ଛାତ୍ରମାନଙ୍କ ସମାବେଶରେ ଦିନ ୩ ଘଣ୍ଟିକା ସମୟରେ ନିମାପଡ଼ା ବାରବାଟୀ । ପଡ଼ିଆରେ ଏକ ଖୋଲା ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନରହରି ସାହୁ ତ୍ରିରଙ୍ଗ ପତାକା ଉତ୍ତୋଳନ କଲାପରେ ସଂଗ୍ରାମୀ ଲୋକନାଥ ସେନାପତି କିଛି ସ୍ଲୋଗାନ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଥାନା ଅଭିମୁଖେ ଯିବା ପାଇଁ । ବଳିଷ୍ଠ ସଂଗଠକ ପଦ୍ମଚରଣ ସାମନ୍ତସିଂହାରଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ବୀର ଦର୍ପରେ ଅଗ୍ରସର ହୋଇଥିଲେ ଥାନା ଅଭିମୁଖେ । ବିଭିନ୍ନ ଦଳରେ ବିଭକ୍ତ ହୋଇ ଏକ ସମୟରେ ଥାନା, କଚେରୀ, ଡାକବଙ୍ଗଳା ଓ ଡାକଘର ଦଖଲ ପାଇଁ ଜଳର ପ୍ରଖର ସ୍ରୋତ ପରି ଆଗେଇ ଯାଇଥିଲେ ଲଢୁଆ ଓ ବୀର ସଂଗ୍ରାମୀମାନେ ।

ପୂର୍ବରୁ ଏହାର ସୁରାକ୍ ପାଇ ଥାନା ଅଫିସରବାବୁ ବିଭିନ୍ନ ଗ୍ରାମର ଗ୍ରାମରକ୍ଷୀ ସମେତ ଜିଲ୍ଲାସ୍ତରରୁ କେତେକ ପୋଲିସ ବାହିନୀ ମହଜୁଦ କରି ରଖୁଥିଲେ ଥାନା ଭିତରେ । ପ୍ରଥମେ ଥାନା ଫାଟକ ପାଖରେ ବିକ୍ଷୋବକାରୀଙ୍କୁ ପୋଲିସ ବାହିନୀ ପ୍ରତିରୋଧ କରି ଭିତରକୁ ଛାଡ଼ି ନଥିଲେ । ତତ୍‌କ୍ଷଣାତ୍‌ ଥାନା ଅଫିସର ସତୀଶବାବୁ ଓ ରଘୁନାଥ ବାବୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ବୁଝାଇଥିଲେ ବିକ୍ଷୋବକାରୀଙ୍କୁ । କିଛି ସମୟ ଧରି ଆନ୍ଦୋଳନକାରୀଙ୍କ ସହ ପୋଲିସ ବାବୁଙ୍କର ଚାଲିଥିଲା। ବାକ୍ ଯୁଦ୍ଧ  ଆନ୍ଦୋଳନକାରୀ ମାନେ ଭାରତମାତାର ସନ୍ତାନ ହିସାବରେ ଗଣଆନ୍ଦୋଳନରେ ସାମିଲ୍ ହେବା ପାଇଁ ଅନୁରୋଧ କରିଥିଲେ ପୋଲିସ ବାବୁଙ୍କୁ  । ଶହ ଶହ ଉତ୍ତେଜିତ ସଂଗ୍ରାମୀ ମାନଙ୍କର ଜାତୀୟ ସ୍ଲୋଗାନ ଓ ସଂଗୀତର ସ୍ୱର ମାଧ୍ୟମରେ ଜୀବନକୁ ପାଣି ଛଡ଼ାଇ ପ୍ରଥମେ । ଲୋକନାଥ ବାବୁ, ନରହରି ସାହୁ, ଅଲେଖ ପାତ୍ର, ନିତ୍ୟାନନ୍ଦ ଓଝା, ଫକୀରଚରଣ ସ୍ଵାଇଁ, ବୈକୁଣ୍ଠନାଥ ସେନାପତି ଓ ପୂର୍ଣ୍ଣଚନ୍ଦ୍ର ସାହୁ ଥାନା ଭିତରେ ଧସେଇ ପଶିଥିଲେ । ପୋଲିସ୍‌ ବାହିନୀ ସେମାନଙ୍କୁ ଠେଙ୍ଗା ଓ ବନ୍ଧୁକ ପଛରେ ଠେଳି ଠେଲି ହାଜତ ଭିତରେ ପୁରାଇ ଦେଇଥିଲେ । ଆରମ୍ଭ ହୋଇଯାଇଥିଲା ସେମାନଙ୍କ ଉପରେ ତୁହାକୁ ତୁହା ଗୋଇଠା ଓ ଲାଠିପ୍ରହାରର ମାଡ଼ । ଆଉ ମଧ୍ୟ ଫାଙ୍କା ଗୁଳି କରି ଭୟଭୀତ କରାଇ ଦେଇଥିଲେ ସଂଗ୍ରାମୀ ମାନଙ୍କୁ । ତତ୍ପରେ ଭବାନୀଚରଣ ପଟ୍ଟନାୟକ, ଚକ୍ରଧରପାତ୍ର ଇତ୍ୟାଦି ବିପ୍ଳବୀ ଯୋଦ୍ଧା ସଂଗ୍ରାମୀ ମାନଙ୍କୁ ଏକାଠି କରାଇ ଥାନା ଆଡ଼କୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂଗ୍ରାମୀ ମାନଙ୍କ ଭିତରେ ଉତ୍ତେଜନାର ବାତାବରଣ ସୃଷ୍ଟି କରିଥିଲେ । ପୁନରାୟ ଭବାନୀବାବୁ ଓ ପଦ୍ମଚରଣ ବାବୁଙ୍କ ନେତୃତ୍ଵରେ ପୋଲିସ ଅଫିସରଙ୍କୁ ଘେରାଉ କରିଥିଲେ । କିଛି ସମୟ ପାଇଁ ସେଠାରେ ଚାଲିଥିଲା ଠେଲାଠେଲି ଓ ପେଲାପେଲି ଉଭୟଙ୍କ ମଧ୍ୟରେ । ଆଉମଧ୍ୟ ଥାନା ପ୍ରାଙ୍ଗଣଟି ହୋଇଯାଇଥିଲା ଏକ ରଣାଙ୍ଗନର କ୍ଷେତ୍ର ଓ ବିପଜନକ ପରିବେଶ ।

ଶହ ଶହ ଉଦ୍ଧକ୍ତ ବିକ୍ଷୋବକାରୀଙ୍କ ବିକ୍ଷୋବକୁ ଆୟତ୍ତ କରିବା ପାଇଁ ପୋଲିସ ୧୨ ରାଉଣ୍ଡ ଗୁଳି ଚଳାଇ ଥିଲେ । ଚାହୁଁ ଚାହୁଁ କ୍ଷଣକମଧ୍ୟରେ ସମ୍ମୁଖରେ ଥିବା ସଂଗ୍ରାମୀ ଉଚ୍ଛବ ମଲ୍ଲିକ ୫୨ ବର୍ଷ ବୟସରେ (ଗ୍ରାମ: ଡିହବାରୀ) ଗୁଳିର ଆଘାତରେ ସେଠାରେ ଟଳି ପଡ଼ିଥିଲେ ଚିରଦିନ ପାଇଁ । ନିଜର ସ୍ୱାର୍ଥରୁ ଊଦ୍ଧରେ ରହି ଦେଶ ଓ ଜାତି ପାଇଁ ପ୍ରାଣବଳୀ ଦେଇ ଚିରଦିନ ଅମର ହୋଇ ରହିଗଲେ ଶହୀଦ ଉଚ୍ଛବ ମଲ୍ଲିକ । ଆଉ ମଧ୍ୟ ନିମାପଡ଼ାର ସ୍ଵାଧୀନତା ଆନ୍ଦୋଳନ ଭାରତ ଇତିହାସରେ ଏକ ସ୍ଵତନ୍ତ୍ର ଭାବେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା । ଏହି ଗୁଳିମାଡ଼ରେ ପ୍ରାୟ ୨୭ ଜଣ ଆହତ ହୋଇଥିଲେ । ସନ୍ଧ୍ୟା ହୋଇ ଆସୁଥିବାରୁ କ୍ରମଶଃ ଲୋକସଂଖ୍ୟା କମିଗଲେ । ଶହୀଦ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର ମଲ୍ଲିକ ସମେତ ୪୩ ଜଣ ବିଭିନ୍ନ ଦଫାରେ ଓ ବିଭିନ୍ନ ସମୟରେ ଗିରଫ ହୋଇ ପୁରୀ ଜେଲ୍‌ରେ ରହିଥିଲେ ।

ଏହାପରେ ନିମାପଡ଼ା, ମଣିଜଙ୍ଗ, ହଂସପଡ଼ା, ଚଅଁରପଦା, ରଟିଲୋ ଇତ୍ୟାଦି ଗ୍ରାମ ଉପରେ ପୋଲିସ୍‌ ଚାଲିଲା ଦମନଲୀଳା ଓ ଅମାନୁଷିକ ଅତ୍ୟାଚାର । ବିଭିନ୍ନ ଆଳ ମାଧ୍ୟମରେ ଆର୍ଥିକ ଦଣ୍ଡ ସହିତ । ମାନସିକ, ସାମାଜିକ ଦଣ୍ଡ ଗ୍ରାମବାସୀଙ୍କୁ ଦେଉଥିଲେ । ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ କେସ୍ ରୁଜୁ ହୋଇଥିଲା । ଏହି ୪୩ ଜଣ ବନ୍ଦୀ ଜେଲ ଭିତରେ ଥିବାବେଳେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧର ଡାକରା ଦେଉଥିଲେ । ଜେଲ୍ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଅସହଯୋଗ କରୁଥିଲେ । ଏପରିକି ଜେଲ୍‌ରୁ ବିଚାର ପାଇଁ କଚେରୀକୁ ଆସିବା ବାଟରେ ଓ ନ୍ୟାୟାଳୟରେ ହାକିମଙ୍କ ପାଖରେ ଉପସ୍ଥିତ ଥିବା ସମୟରେ ହାକିମଙ୍କ ପ୍ରଶ୍ନର ଉତ୍ତର ନଦେଇ ଏକସ୍ଵରରେ ଦେଶାତ୍ମକ ଗୀତ ଓ ସ୍ଲୋଗାନ ମାନ ଦେଇ ବିଚାରରେ ବାଧା ସୃଷ୍ଟି କରାଉଥିଲେ । ଫଳରେ ଉପସ୍ଥିତ ଥିବା ଜନତା ଉତ୍ତେଜିତ ହୋଇ ବନ୍ଦୀମାନଙ୍କୁ ସମର୍ଥନ କରୁଥିଲେ । ଶେଷରେ ଗଣ୍ଡଗୋଳ ଦଫାରେ ପାଞ୍ଚ ମାସ ଓ ଅନ୍ୟାନ୍ୟ ଦଫାରେ ଏକ ବର୍ଷରୁ ତିନି ବର୍ଷ ମଧ୍ୟରେ ଜେଲ ଦଣ୍ଡ ଭୋଗି ଖଲାସ ହୋଇଥିଲେ ।

ନବ କୃଷ୍ଣ ଚୌଧୁରୀଙ୍କ ଇଙ୍ଗିତ ରେ ଓ ପଦ୍ମ ଚରଣ ସାମନ୍ତସିଂହାର, ଭଗବାନ ପ୍ରତିହାରୀଙ୍କ ସାହାଯ୍ୟରେ ୧୯୪୩ ମସିହା ଜାନୁଆରୀ ୨୫ ତାରିଖରେ ବନ୍ଦୀ ଲୋକନାଥ ସେନାପତି ଓ ଅଲେଖ ପାତ୍ର ଜେଲ ପ୍ରାଚୀର ଡେଇଁ ଖସି ପଳାଇ ଯାଇଥିଲେ । ଲୋକନାଥ ବାବୁ ଛଦ୍ମ ବେଶରେ ଉତ୍ତର ବାଲେଶ୍ଵରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଅଞ୍ଚଳରେ ସ୍ଵାଧୀନତା ସଂଗ୍ରାମରେ ନେତୃତ୍ଵ ନେଇଥିଲେ । ପୁନରାୟ ୨୮.୮.୧୯୪୩ରେ ଗିରଫ ହୋଇଥିଲେ ଓ ତା.୨୫.୪.୧୯୪୬ରେ ଖଲାସ ହୋଇଥିଲେ । ସେହିପରି ଅଲେଖ ବାବୁ ୧୯୪୩ରେ ଗାନ୍ଧିଜୀଙ୍କ ଆମରଣ ଅନଶନରେ ଗୁପ୍ତ ଭାବରେ ଯୋଗଦେବା ପାଇଁ ପୁରୀ ଜେଲ୍‌ରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପରାମର୍ଶ ନେବା ପାଇଁ ଆସି ଧରା ପଡ଼ିଥିଲେ ଓ ୧୯୪୬ ମସିହା ଫେବୃଆରୀ ମାସରେ ଖଲାସ ହୋଇଥିଲେ ।

କେତେକ ସ୍ଵାଧୀନତା ସଂଗ୍ରାମୀ ନିମାପଡ଼ାରେ ଆନ୍ଦୋଳନରେ ଅଂଶ ଗ୍ରହଣ

ଏହି ମହାନ ଐତିହାସିକ ଓ ବୈପ୍ଳବିକ ଘଟଣାକୁ ସ୍ମରଣ କରିବା । ଅବସରରେ ଯେଉଁ କେତେ ଜଣ ତ୍ୟାଗପୂତ୍ର ସଂଗ୍ରାମୀ ମାନେ ନିମାପଡ଼ାରେ ବିଭିନ୍ନ ପର୍ଯ୍ୟାୟରେ ସ୍ଵାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣକରି କାରାବରଣ କରିଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ନାମ ନିମ୍ନରେ ପ୍ରଦତ୍ତ ହୋଇଅଛି । ଶହୀଦ ଉଚ୍ଛବ ମଲ୍ଲିକ, ମୋହନ ଦାଶ, ଲୋକନାଥ ସେନାପତି, ଭବାନୀଚରଣ ପଟ୍ଟନାୟକ, ପଦ୍ମଚରଣ ସାମନ୍ତ ସିଂହାର, ବୈକୁଣ୍ଠନାଥ ସେନାପତି, ପୂର୍ଣ୍ଣଚନ୍ଦ୍ର ସାହୁ, ଘନ ଦାଶ, ଚକ୍ରଧର ପାତ୍ର, ନରହରି ସାହୁ, କୃଷ୍ଣ ବେହେରା, ଲକ୍ଷ୍ମଣ ବାରିକ, ମହେଶ୍ଵର ମହାନ୍ତି, ପ୍ରହଲ୍ଲାଦ ସାହୁ, ବାଞ୍ଛାନିଧ ସି, ଯଦୁମଣି ପରିଡ଼ା, ଯାଦବ ବିଶ୍ବାଳ, ଦୀନବନ୍ଧୁ ଭୁତି, କୁଞ୍ଜ ସେନାପତି, ଅଲେଖ ପାତ୍ର, ଯଦୁମଣି ମିଶ୍ର, ସୋମନାଥ ପଣ୍ଡା, ଗଜେନ୍ଦ୍ର ମଲ୍ଲିକ, ଫକୀର ଚରଣ ସ୍ଵାଇଁ, ଫକୀର ଚରଣ ସାହୁ, ଭଜନି ବେହେରା, ନିତ୍ୟାନନ୍ଦ ଓଝା, ପିତବାସ ସାହୁ, ଧନେଶ୍ଵର ସାହୁ, ଭୁବନାନନ୍ଦ ମହାନ୍ତି, ଚୈତନ୍ୟ ରାଉତ, ଲକ୍ଷ୍ମଣ ସ୍ୱାଇଁ, ସନମଲ୍ଲିକ, ସଦେଇ ମହାନ୍ତି, ପରମାନନ୍ଦ ସ୍ୱାଇଁ, ନରୋତ୍ତମ ସେଠି, ଲକ୍ଷ୍ମୀଧର ମହାପାତ୍ର, କେଶବ ଭୋଇ, କୃଷ୍ଣନାୟକ, ଅଭିରାମ ମହାନ୍ତି, ନୀଳମଣି ଦାସ, ଗୋପୀନାଥ ମୁଦୁଲି, କେଶବ ଭୋଇ, କୁଞ୍ଜବିହାରି ସାହୁ, ଭୋଳି ମିଶ୍ର, ମୁଳି ବେହେରା, ନରସିଂହ ତ୍ରିପାଠୀ, ଗଙ୍ଗାଧର ମହାନ୍ତି ଇତ୍ୟାଦି ଅନ୍ୟତମ ।

ସମଗ୍ର ଭାରତର କୋଣ ଅନୁକୋଣରେ ଘଟି ଯାଇଥିବା ସ୍ଵାଧୀନତା ଆନ୍ଦୋଳନର ଐତିହାସିକ ଘଟଣାବଳୀ ମଧ୍ୟରେ ନିମାପଡ଼ାର ବିଭିନ୍ନ ପର୍ଯ୍ୟାୟ ଆନ୍ଦୋଳନର ପଟ୍ଟାନ୍ତର ନାହିଁ । ୧୯୪୨ ମସିହା ସେପ୍ଟେମ୍ବର ୧୬ ତାରିଖରେ ଏକ ସାମ୍ରାଜ୍ୟବାଦୀ ସରକାରର ବନ୍ଧୁକ ମୁନରେ ଶହୀଦ ହୋଇଥିଲେ ୫୨ ବର୍ଷ ବୟସର ବୃଦ୍ଧ ଉଚ୍ଛବ ମଲ୍ଲିକ ଥାନା ସନ୍ନିକଟ ନିମାପଡ଼ା ଭିଟାମାଟି ଉପରେ । ତେଣୁ ଶହୀଦ ଉଚ୍ଛବ ମଲ୍ଲିକ ଏକ ଯୁଗ ସୃଷ୍ଟିକରି ଗଲେ ନିମାପଡ଼ା ତଥା ଭାରତ ଇତିହାସରେ । ତାଙ୍କରି ସେହି ଅମ୍ମାନ ସ୍ମତି ଚିରଦିନ ପାଇଁ ଅମର ହୋଇ ରହିଗଲା ଭାରତ ବକ୍ଷରେ । ଯେଉଁ ମହାନ ଦେଶପ୍ରେମୀ ତଥା ବୀର ଓ ଲଢୁଆ ସଂଗ୍ରାମୀମାନେ ତାଙ୍କର ବହୁମୂଲ୍ୟ ସମୟ ଉତ୍ସର୍ଗ କରିଥିଲେ ଓ ଜୀବନକୁ ପାଣି ଛଡ଼ାଇ ଦେଶ ମାତୃକାର ସେବା କାର୍ଯ୍ୟ କରି ଦେଶ ସ୍ଵାଧୀନ କରିପାରିଥିଲେ, ସେମାନଙ୍କ ପାଖରେ ଆଜିର ଜନସମାଜ ଚିର ଋଣୀ । ସେମାନଙ୍କର ଆଶା ଓ ଆକାଂକ୍ଷାକୁ ସାକାର କରିବା ଅର୍ଥାତ୍ ଗାନ୍ଧିଜୀଙ୍କ ରାମରାଜ୍ୟ ପ୍ରତିଷ୍ଠା କରିବା ହେଉଛି ଆଜିର ଯୁବସମାଜ ଓ ଭବିଷ୍ୟତ ନାଗରିକ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

ସମ୍ପାଦନ - ଶ୍ରୀନିବାସ ଆଚାର୍ଯ୍ୟ, ଆଠ ନମ୍ବର, ଭୁବନେଶ୍ଵର

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top