ହୋମ / ଶକ୍ତି / ପରିବେଶ / ଜଳବାୟୁ ପରିବର୍ତ୍ତନ
ସେଆର କରନ୍ତୁ

ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନର କାରଣ

ପ୍ରାକୃତିକ କାରଣ

ଅନବରତ ପରିବର୍ତ୍ତନଶୀଳ ବିଶ୍ଵରେ ଅନେକ ଘଟନା ଆପେ ଆପେ ଘଟେ  । ଯାହା ବିବର୍ତ୍ତନର ଦ୍ଵାର ଖୋଲେ  । ତନ୍ମଧ୍ୟରୁ ମହାଦେଶୀୟ ଭୁସ୍ଖଳନ, ଆଗ୍ନେୟଗିରି ଉଦ୍ଗୀରଣ, ପୃଥିବୀର ଭାରସାମ୍ୟ ନଷ୍ଟ ଓ ସାମୁଦ୍ରିକ ସ୍ରୋତ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗ୍ରହଣ କରିଛି  ।

ଜଳବାୟୁ କହିଲେ ଦୀର୍ଘ ସମୟ ମଧ୍ୟରେ ହାରାହାରି ପାଣିପାଗକୁ ବୁଝାଏ  । ତେଣୁ ଉଭୟ ପାଣିପାଗ ଓ ଜଳବାୟୁ ଘନିଷ୍ଠ ଭାବରେ ସମ୍ପୃକ୍ତ  । ଜଳବାୟୁ ଦ୍ଵାରା ବିଭିନ୍ନ ରକମର ଉଦ୍ଭିଦ ଜାତ ହୁଅନ୍ତି  । ପୃଥିବୀର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରକମର ଜଳବାୟୁ ଦେଖାଯାଏ  । କେବଳ ଗୋଟିଏ ସ୍ଥାନର ବିଷୁବରେଖାଠାରୁ ଦୁରତ୍ଵ ଜଳବାୟୁ ପରିବର୍ତ୍ତନ କରେ ନାହିଁ  । ସମୁଦ୍ର ସ୍ରୋତ ମଧ୍ୟ ଜଳବାୟୁ ନିର୍ଣ୍ଣୟ କରେ  । ଉଷ୍ଣ ଓ ଶୀତଳ ସମୁଦ୍ର ସ୍ରୋତମାନ ପ୍ରବାହିତ ହେଲେ, ସେହି ଅଞ୍ଚଳମାନଙ୍କୁ ଗରମ ଓ ଥଣ୍ଡା ରଖେ  । ତାଛଡା ପୃଥିବୀର ବାୟୁ ପ୍ରବାହ ବ୍ୟବସ୍ଥା, ଜଳିଆ ବାଷ୍ପର ପରିମାଣ, ଜଳବାୟୁ ଉପରେ ପ୍ରଭାବ ପକାଏ  । କେତେ ବର୍ଷ ଅନ୍ତରରେ ପ୍ରବାହିତ ହେଉଥିବା ଏଲ୍ନିନୋ ସମୁଦ୍ର ସ୍ରୋତ ମଧ୍ୟ ଜଳବାୟୁକୁ ବଦଳାଏ  । ଅନେକ ସମୟରେ ବାଣିଜ୍ୟ ବାୟୁ ଦୁର୍ବଳ ହୁଏ ଏବଂ ତାପମାତ୍ରା ଓ ବୃଷ୍ଟିପାତ ବ୍ୟବସ୍ଥା ବଦଳେ  । ଏହାକୁ ଦକ୍ଷିଣ ଅସିଲେସନ୍ କହନ୍ତି  । ଏହା ପୃଥିବୀର ଜଳବାୟୁକୁ ବଦଳାଏ  ।

ପୃଥିବୀରେ ପ୍ରଥମେ ହିମ ବା ବରଫା ଯୁଗ ଥିଲା  । ଯେତେବେଳେ ଥଣ୍ଡା ଜଳବାୟୁ ଯୋଗୁଁ ପୃଥିବୀର ଅଧିକାଂଶ ଭାଗ ବରଫ ଆଚ୍ଛାଦିତ ଥିଲା  । ତା’ପରେ ଉଷ୍ଣ ଯୁଗ ଆସିଲା  । ତା’ପରେ ପୁଣି ବରଫ ଯୁଗ ଆସିଲା  । ନିୟୁତ ନିୟୁତ ବର୍ଷ ଧରି ଏଭଳି ଭାବରେ ପୃଥିବୀର ଜଳବାୟୁ ଚାଲୁଛି  । ଲାମ୍ବା ହିମ ବା ବରଫ ଯୁଗ ଏବଂ ତାପରେ ସ୍ୱଳ୍ପ ଉଷ୍ଣ ଯୁଗ  । ବରଫ ଯୁଗ ପରେ ମଧ୍ୟ ତାପମାତ୍ରା ବଦଳେ  । ବୈଜ୍ଞାନିକମାନେ ମତପୋଷଣ କରନ୍ତି ଯେ, ପୃଥିବୀର ଜଳବାୟୁ ବରାବର ବଦଳେ  । ଯେତେବେଳେ ପୃଥିବୀଊ ସୂର୍ଯ୍ୟରୁ ଆସୁଥିବା ଉତ୍ତାପ କମିଯାଏ, ସେତେବେଳେ ହିମ ଯୁଗ ଆସେ  । ଏହାର କାରଣ ହେଲା – ପୃଥିବୀର ଅକ୍ଷ ବେଶି ଢଳିବା, ପୃଥିବୀର ଘୂର୍ଣ୍ଣନର ପରିବର୍ତ୍ତନ ହୀବା ଏବଂ ପୃଥିବୀର ପରିକ୍ରମା କକ୍ଷ ଲମ୍ବାକୃତି ହେବା  । ବର୍ତ୍ତମାନ ୨୯୦ ନିୟୁତ ବର୍ଷ ପୂର୍ବେ  ଥିବା ପୃଥିବୀର ହିମ ଯୁଗର ସନ୍ଧାନ ମିଳିଅଛି  । ଗତ ୨ ନିୟୁତ ବର୍ଷ ମଧ୍ୟରେ ଚାରୋଟି ବୃହତ ବରଫ ଯୁଗ ଅତିବାହିତ ହୋଇଛି  । ବରଫ ଯୁଗ କାଳରୁ ଉତ୍ତର ଓ ଦକ୍ଷିଣ ମେରୁରେ ବରଫମାନ ରହିଅଛି  । ବିଗତ ବରଫ ଯୁଗରେ ପୃଥିବୀରେ ବିରାଟକାୟ ଲୋମଭରା ଜନ୍ତୁମାନେ ଥିଲେ  । ହାତୀ ସେ ସମୟରେ ବିରାଟ ଲୋମକାୟ ଜନ୍ତୁ ଥିଲା  । ୬୫ ନିୟୁତ ବର୍ଷ ପୂର୍ବେ ଜଳବାୟୁ ପରିବର୍ତ୍ତନ ହେବା ଫଳରେ ବିରାଟକାୟ ଡାଇନୋସରସ୍ ଭଳି ଜନ୍ତୁମାନେ ମରିଗଲେ  । ସେହିପରି ୧୪୦ ନିୟୁତ ବର୍ଷ ପୂର୍ବେ ଥିବା ସାପ ଓ ଝିଟିପିଟି ଜାତୀୟ ବିରାଟକାୟ ଜୀବ ଲୋପ ପାଇଲେ  ।

ମନୁଷ୍ୟକୃତ କାରଣ

ପୃଥିବୀରେ ଯେତେ ସବୁ ସମସ୍ୟା ସୃଷ୍ଟି ହେଉଛି ତାର ମୂଳରେ ହିଁ ମଣିଷ  । ଏକଥା କହିବା ଅନାବଶ୍ୟକ ଯେ ମଣିଷ ହିଁ ସମସ୍ୟା ସୃଷ୍ଟି କରେ ଓ ତା’କୁ ସମାଧାନ କରିବାକୁ ଚେଷ୍ଟାକରେ ମାତ୍ର ସେ ଭାବି ପାରିନଥାଏ ଯେ ସବୁ ସମସ୍ୟାର ସମାଧାନ ତା’ହାତରେ ନାହିଁ ବୋଲି  ?

ଏଭଳି ମନୁଷ୍ୟକୃତ କାରଣ ମାନଙ୍କ ମଧ୍ୟରୁ ଜଳବାୟୁ ପରିବାର୍ତ୍ତନର ମୁଖ୍ୟଭୂମିକା ଗ୍ରହଣ କରିଥିବା କାରକ ହେଉଛି ପରିବେଶ ପ୍ରଦୂଷଣ ଓ ତତ୍ ଜନିତ ସବୁଜଗୃହ  ବାଷ୍ପ  । ଯେଉଁ ଯେଉଁ ଉତ୍ପତ୍ତିସ୍ଥଳରୁ ଏହି ଗ୍ୟାସ ସମୂହ ବାହାରୁଛି ତାହାର ମୁଖ୍ୟ ପ୍ରଯୋଜକ ହିଁ ମଣିଷ  । ମଣିଷ ମାନେ ପ୍ରତିଦିନ ଏହି ଗ୍ୟାସ ବୃଦ୍ଧିରେ ସହାୟକ ହେଉଛନ୍ତି  ।

ପ୍ରଦୂଷଣ

ଏସିଆ ମହାଦେଶର ଅନେକ ସହରରେ ଏବେ ପ୍ରଦୂଷଣର ମାତ୍ରା ବ୍ୟାପକ ବୃଦ୍ଧି ପାଇଛି  । ଭାରତର ଦିଲ୍ଲୀଠାରୁ ଚୀନର ବେଜିଂ ପର୍ଯ୍ୟନ୍ତ ଆକାଶକୁ ଏବେ ପ୍ରଦୂଷଣର କଳାବାଦଲ ଢାଙ୍କି ରହିଥିବାବେଳେ, ତାହାର ପ୍ରଭାବରେ ହିମାଳୟର ବରଫଗଦାଦ୍ରୁତ  ଗତିରେ ତରଳିବା ଆରମ୍ଭ କରିଛି  । ଏଥିସହିତ ଜଳବାୟୁରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟୁଥିବା ଲକ୍ଷ୍ୟ  କରାଯାଇଛି ବୋଲି ଜାତିସଂଘ ଦ୍ଵାରା କରାଯାଇଥିବା ଏକ ଅନୁଧ୍ୟାନରୁ ପ୍ରକାଶ  । ଏହି ରିପୋର୍ଟ ଆସିବା ପରେ ଜାତିସଂଘ କର୍ତ୍ତୃପକ୍ଷ ଏବେ ଅଧିକ ଉଦବେଗ ପ୍ରକାଶ କରିଛନ୍ତି  । ଏହି ପ୍ରଦୂଷଣ ରାକ୍ଷସ ଏବେ ତାହାର ପରିସୀମାକୁ ମୁମ୍ବଇ, କଳାକାତା, ବ୍ୟାଙ୍କକ୍, ତେହେରାନ୍, କାଇରୋ, ସିଓଲ, କରାଚୀ, ଢାକା, ଏବଂ ସାଘାଂଇ ଭଳି ଅନ୍ୟାନ୍ୟ ସହରକୁ ମଧ୍ୟ ପରିବ୍ୟାପ୍ତ କରିଛି  । ଏହାଫଳରେ ଋତୁ ଆଗମନରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି  । ଏହି ସବୁ ସହରର ଏବେ ଶୀତ ସତେ ଯେମିତି ଦୂରେଇ ଯାଇଥିବା ଅନୁଭବ କରାଯାଇଛି  । ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି  । ଜୀବାଶ୍ମ ଇନ୍ଧନ ଓ ବାଓମାସ୍ ଜଳିବା ଦ୍ଵାରା ସୃଷ୍ଟି ହେଉଥିବା ଜଳାଗୁଣ୍ଡ ଓ ଅନ୍ୟାନ୍ୟ ପଦାର୍ଥରୁ ବାୟୁମଣ୍ଡଳର ଧୂସର ବାଦଲ ପ୍ରସ୍ତୁତ ହେଉଛି । ଏହା ତିନି କିଲୋମିଟରର ବ୍ୟାପି ଏକ ମୋଟା ଆସ୍ତରଣ ସୃଷ୍ଟି କରୁଥିବା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ଵାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି  । ନୂଆଦିଲ୍ଲୀ, କରାଚୀ, ବେଜିଂ, ସଘାଂଇ ଭଳି ଭଳି ସହରରେ ପ୍ରଦୂଷଣ ମାତ୍ର ୧୦-୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି  । ଏହାର ଆକାଶ ସର୍ବଦା ମେଘାଚ୍ଛନ୍ନ ଭଳି ଦିଶିବାର କାରଣ ଏହି ଧୂମକୁଣ୍ଡଳୀ ବୋଲି କୁହାଯାଇଛି  । ଚୀନର ଗୁଆଙ୍ଗଝାଉ ପ୍ରଦେଶରେ ଏବେ ଅସ୍ପଷ୍ଟ ହୋଇପଡୁଥିବା କୁହାଯାଇଛି  । ୧୯୭୦ ଦଶକରେ ଅବସ୍ଥା ଓ ସାଂପ୍ରତିକ ବାୟୁମଣ୍ଡଳ ମଧ୍ୟରେ ୨୦ ପ୍ରତିଶତ ପରିବର୍ତ୍ତନ ଘଟିଥିବା କୁହାଯାଇଛି  । ୧୯୬୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତି ଦଶ ବର୍ଷରେ ବାୟୁମଣ୍ଡଳର କଳାଧୂଆଁ ୨ ପ୍ରତିଶତ ହାରରେ ବଢି ଚାଲିଥିବାବେଳେ ସଂପ୍ରତି ଦଶବର୍ଷ ମଧ୍ୟରେ ଏହା ପୂର୍ବାପେକ୍ଷା ଦୁଇଗୁଣ ବୃଦ୍ଧି ପାଇଛି  । ସେହିଭଳି ଚୀନ୍ ଆକାଶରେ ୧୯୫୦ରୁ ୧୯୯୦ ଦଶକ ପର୍ଯ୍ୟନ୍ତ ୩ ରୁ ୪ ପ୍ରତିଶତ ହାରରେ ପ୍ରତି ଦଶବର୍ଷରେ ବଢୁଥିବାବେଳେ ଏବେ ଏହା ୬ରୁ ୭ ପ୍ରତିଶତକୁ ବୃଦ୍ଧି ଘଟିଛି  । ଏହାଦ୍ଵାରା ଆରବସାଗରୀୟ ଉପଦ୍ଵୀପଠାରୁ ଚୀନ୍ ଓ ପଶ୍ଚିମ ପ୍ରଶାନ୍ତମହାସାଗରୀୟ ଭୂଖଣ୍ଡର କେତେକ ଅଞ୍ଚଳର ଆକାଶ କ୍ରମଶଃ ଧୂଆଁ ଆସ୍ତରଣରେ ଜମି ଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି  । ଫଳରେ ଜଳବାୟୁ  ପରିବର୍ତ୍ତନ ନେଇ ସବୁଜଘର ପ୍ରଭାବ ବୃଦ୍ଧି ଘଟୁଛି  । ଏସିଆର ଦୁଇ ବୃହତ୍ ରାଷ୍ଟ୍ର ଭାବେ ଭାରତ ଓ ଚୀନ୍, ଇଉରୋପ ଏବଂ ଆମେରିକାର ବୈଜ୍ଞାନିକଙ୍କ ଦ୍ଵାରା ଏହି ଅନୁସନ୍ଧାନ କରାଯାଇଛି  । ମାତ୍ରାଧିକ ଇନ୍ଧନର ଜ୍ଵଳନ ଯୋଗୁଁ ବାୟୁମଣ୍ଡଳରେ ଘୁରିବୁଲୁଥିବା  କାର୍ବନ ଓ ଗୁଣ୍ଡ ସୂର୍ଯ୍ୟ କିରଣରୁ ଅଧିକ ଶୋଷଣ କରିଥାଏ  । ଫଳରେ ବାୟୁମଣ୍ଡଳର ତାପମାତ୍ରା ବଢିଥାଏ  । ବାୟୁମଣ୍ଡଳରେ କଳାଧୂଆଁର ଆସ୍ତରଣ ବଢିବା ଦ୍ଵାରା ତାପମାତ୍ରା ବଢି ଜଳବାୟୁ ପରିବର୍ତ୍ତନ ଭଳି ଭୟଙ୍କର ସମସ୍ୟା ଆଗକୁ ସୃଷ୍ଟିହେବାକୁ ଯାଉଛି ବୋଲି ୟୁଏନଇପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜାତିସଂଘ ଅନୁସଚିବ ଆକିମ ଷ୍ଟେନର ସତର୍କ କରାଇ ଦେଇଛନ୍ତି  ।

ସବୁଜଗୃହ ପ୍ରଭାବ

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ ଆଦି ସବୁଜଗୃହ ପ୍ରଭାବ ସୃଷ୍ଟିକାରୀ ଗ୍ୟାସର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି   । ଶିଳ୍ପ ବିପ୍ଲବ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୦ ପ୍ରତିଶତ ବୃଦ୍ଧି ପାଇଛି  । ଆମେରିକା, ଋଷ, ଚୀନ, ଜାପାନ ଓ ଭାରତ ବିଶ୍ଵରେ ସବୁଠାରୁ ଅଧିକଗୃହ  ଗ୍ୟାସ ସୃଷ୍ଟି କରୁଛନ୍ତି  । ଏହି ଗ୍ୟାସ ଯୋଗୁଁ  ବାୟୁମଣ୍ଡଳୀୟ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାରିବାରେ ଲାଗିଛି  । ଏହାର ପ୍ରଭାବ ଯୋଗୁଁ ଶୀତଦିନେ ମଧ୍ୟ ତାପମାତ୍ରା ଯଥେଷ୍ଟ ଉଚ୍ଚରେ ରହୁଛି  ।

ସଂଗୃହୀତ – ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ୍

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top