ହୋମ / ଶକ୍ତି / ପରିବେଶ / ପରିବେଶର ଭବିଷ୍ୟ
ସେଆର କରନ୍ତୁ

ପରିବେଶର ଭବିଷ୍ୟ

ପରିବେଶର ଭବିଷ୍ୟ ର ସୂଚନା

ଉପକ୍ରମ

କୌଣସି  ବ୍ୟକ୍ତିବିଶେଷ  ବା  ଘଟଣାକ୍ରମ  ଉପରେ  ଭବିଷ୍ୟବାଣୀ  କେବଳ  ଏକ  ଅନୁମାନମାତ୍ର    । ଏହାର  ସତ୍ୟତା  ତଥା  ଉପଯୋଗିତା  ପରିବର୍ତ୍ତିତ  ସମୟରେ  ପ୍ରତିପାଦିତ   ହୋଇଥାଏ   । ସାଧାରଣତଃ  କେତେକ  ଜ୍ୟୋତିଷ, ଭବିଷ୍ୟବକ୍ତା  ବା  ବିଶାରଦମାନେ  ଏହାର  ପ୍ରବକ୍ତା   । ପରିବେଶ  ଭଳି  ଏକ  ବ୍ୟାପକ  ଓ  ଗୁରୁତର  ବିଷୟ  ଉପରେ  ଭବିଷ୍ୟବାଣୀ  କଷ୍ଟସାଧ୍ୟ ; ତଥାପି  ଜଣେ  ନିକଟ ଓ  ଦୂର  ଅତୀତରେ  ଘଟଣାକ୍ରମକୁ   ବୈଜ୍ଞାନିକ   ଦୃଷ୍ଟିକୋଣରୁ  ବିଶ୍ଳେଷଣ   କରି  ଏହାର  ଭବିଷ୍ୟତ  ବିଷୟରେ  ସୂଚନା  ଦେବା  ଯୁକ୍ତିଯୁକ୍ତ   ।

ଅନନ୍ତ, ବିଶାଳ ଓ  ବ୍ୟାପକ  ମହାକାଶ  ମଧ୍ୟରେ  ଆମ  ସୌରଜଗତ  ଓ  ତନ୍ମଧ୍ୟରେ  ଅବସ୍ଥାପିତ  ପୃଥିବୀର  ସ୍ଥାନ  ଅଗଣିତ  ନକ୍ଷତ୍ର, ତାରାପୁଞ୍ଜ, କୃଷ୍ଣଗର୍ତ୍ତ, ସଙ୍କୁଚିତ ଓ  ବିସ୍ତାରମୁଖ୍ୟ  ବିସ୍ଫୋରଣ  ତାରକାମାନଙ୍କ   ମଧ୍ୟରେ  ନଗଣ୍ୟ  । ପ୍ରକୃତି  ଆମକୁ  ଜୀବନଧାରଣ  ପାଇଁ  ଯଥେଷ୍ଟ  ସମ୍ପଦ  ଦେଇଛି ; କିନ୍ତୁ ତା’ର  ସୁବିନିଯୋଗ   କରିବା  ପରିବର୍ତ୍ତେ  ଆମେ  ଅପଚୟ, ଅପବ୍ୟୟ  କରି  ଚାଲିଛୁ   । ଦୁଇ  ଶତାବ୍ଦୀ  ପୂର୍ବେ   ଶିଳ୍ପ  ବିପ୍ଲବ   ମାନବ  ସଭ୍ୟତାର  ବିକାଶ  ଦିଗରେ  ଯଥେଷ୍ଟ  ସାହାଯ୍ୟ  କରିଛି ; ହେଲେ  ଏହା  ଆଜି  ବିନାଶମୁଖୀ  ସାଜିଛି   । ଖଣିଜ  ପଦାର୍ଥ, ଜଳ, ଜମି, ବନ୍ୟ  ସମ୍ପଦ  ଏବଂ  ଅପରିକି  ଜୀବଜଗତର  କୁବିନିଯୋଗ ଫଳରେ   ସବୁ  ଧ୍ଵଂସମୁଖୀ   । ପାଶ୍ଚାତ୍ୟ  ରାଷ୍ଟ୍ରମାନେ  ନିଜ  ପରିବେଶକୁ  ଦୂଷିତ  କଲା  ପରେ  ଏବେ  ସେ  ବ୍ୟାଧି  ପ୍ରାଚ୍ୟକୁ  ଗ୍ରାସ  କରିଛି   । ଏସିଆ ଓ  ଆଫ୍ରିକା  ମହାଦେଶର  ଅମାପ   ପ୍ରାକୃତିକ  ସମ୍ପଦର   ଅକୁଣ୍ଠ  ଲୁଣ୍ଠନ   ଚାଲିଛି   । ଶିଳ୍ପର   ବିକାଶ  ତଥା  ସହର   ପ୍ରତିଷ୍ଠା  ପାଇଁ  ଗାମୀଣ  କୃଷି  ଉପଯୋଗୀ  ଉର୍ବର   ଜମି  ଓ  ନଦୀ  ତଥା  ଭୂତଳ  ଜଳଭଣ୍ଡାରକୁ  କଳେ  ବଳେ  କୌଶଳେ   ଅକ୍ତିଆର  କରାଯାଉଛି   । ଏଥିରେ   କେତେକ  ନ୍ୟସ୍ତସ୍ଵାର୍ଥ  ପୁଞ୍ଜିପତି, ତାଙ୍କ  ପରିଚାଳିତ  ବାହୁବଳୀ   ସଂଗଠନ  ସହିତ   ଅନେକ  ରାଜନେତା  ଓ  ପ୍ରଶାସନିକ  ଅଧିକାରୀ  ସଂଶ୍ଳିଷ୍ଟ    । ସାମାଜିକ  ନ୍ୟାୟ  ପ୍ରଦାନ  ପରିବର୍ତ୍ତେ   ବ୍ୟକ୍ତିଗତ  ସ୍ଵାର୍ଥସାଧନ  ପାଇଁ   ବିଶାଳ  କଳକାରଖାନା, କୋଠାବାଡି  ନିର୍ମାଣ  ଚାଲିଛି   । ଏହାଫଳରେ, ଧନୀ  ଓ  ଗରିବ  ତଥା  ସବଳ  ଓ  ଦୁର୍ବଳ   ଭିତରେ  ଥିବା  ଯୁଗ  ଯୁଗର   ବିବାଦ  ଆଜି  ନୂଆ  ରୂପ  ନେଇ  ସମାଜରେ  ବିପଦ  ଓ  ଅଶାନ୍ତି  ସୃଷ୍ଟି  କରିଛି   । ଏହି  ପରିପ୍ରେକ୍ଷୀରେ  ପରିବେଶର  ଭବିଷ୍ୟତ  ବିଶେଷ  ଆଲୋଚନାଯୋଗ୍ୟ    ।

ଜଳ, ଜମି ଓ  ଜୀବିକା  ନେଇ  ଜୀବନଯୁଦ୍ଧ   ଆଜି  କେବଳ  ପ୍ରାଚ୍ୟ  ବା ବିକାଶମୁଖୀ  ରାଷ୍ଟ୍ରମାନଙ୍କରେ   ନୁହେଁ, ସାରା  ବିଶ୍ଵର  କୋଣେ  ଅନୁକୋଣେ  ଅନୁଭୂତ  ହେଉଛି   । ଏହି  ସଂଗ୍ରାମ  ଆଜିର  ନୁହେଁ, ଏହା ମାନବ  ସଭ୍ୟତାର  ଅଙ୍କୁରୋଦଗମ ଠାରୁ  ଆରମ୍ଭ  ହୋଇ  ଯେ  ଦିନେ  ଏହାର  ବିଲୋପ  ଘଟାଇବ – ଏଥିରେ  ତିଳେମାତ୍ର  ସନ୍ଦେହ  ନାହିଁ   । କ୍ରମବର୍ଦ୍ଧିଷ୍ଣୁ  ଜନସଂଖ୍ୟା  ସହିତ   ତାଳ  ଦେଇ   ପ୍ରାକୃତିକ  ସମ୍ପଦମାନଙ୍କର  ଦ୍ରୁତ  ଅବକ୍ଷୟ  ଏହାର  ପ୍ରଧାନ  କାରଣ   । ଖାଦ୍ୟ, ବସ୍ତ୍ର, ବାସଗୃହ  ପରି  ଅତ୍ୟାବଶ୍ୟକୀୟ  ବସ୍ତୁମାନଙ୍କୁ  ହାତମୁଠାରେ  ପାଇ  ମଧ୍ୟ  ମଣିଷ  ଆଜି  ଆହୁରି  ଅଧିକ  ପାଇବା   ପାଇଁ  ଆଶାୟୀ   । ନିଜର  ସୁଖସମୃଦ୍ଧି   ନିମିତ୍ତ  ଅନ୍ୟର  ସର୍ବସ୍ଵ ଲୁଣ୍ଠନ   ପାଇଁ   ପଛେଇ   ଯାଉନାହିଁ   । ମାନବସମ୍ମତ  ଦେବଦତ୍ତ  ସମ୍ପତ୍ତି  ଲୁଣ୍ଠନ  ପାଇଁ  ସଦାସର୍ବଦା  ସେ  ଆଗ୍ରହୀ   ।

ପରିବେଶ  କହିଲେ   ସାଧାରଣତଃ  ଭୂମି, ଜଳ, ବାୟୁ, ବନ୍ୟସମ୍ପଦ  ଇତ୍ୟାଦିକୁ   ବୁଝାଏ   । କିନ୍ତୁ  ଏହା  କେବଳ  ଦୃଶ୍ୟମାନ  ତଥା ଅନୁଭୂତ  ଏହିସବୁ  ଜଡ  ପଦାର୍ଥକୁ  ବୁଝାଏ  ନାହିଁ   । ଏହାର  ବ୍ୟାପ୍ତି  ଅନନ୍ତ  ମହାସାଗରଗୁଡିକର  ଗଭୀର  ଲବଣାକ୍ତ  ଜଳର  ତାପ  ଓ  ତନ୍ମଧ୍ୟରେ  ପ୍ରବାହିତ   ଅଦୃଶ୍ୟ  ଉଷ୍ମ ବା  ଶୀତଳ   ସ୍ରୋତଠାରୁ  ଆରମ୍ଭ   କରି  ସମସ୍ତ  ଶକ୍ତିର  ଉତ୍ସ  ସୌରରଶ୍ମି  ଓ  ବାୟୁମଣ୍ଡଳ  ସହିତ   ଓତପ୍ରୋତ  ଭାବେ  ଜଡିତ   । ମୌସୁମୀ  ବାୟୁର  ଅନିୟମିତତା  ଠାରୁ  ଆରମ୍ଭ  କରି  ଜଳ  ବା  ସ୍ଥଳଭାଗରେ   ସୃଷ୍ଟି   ହେଉଥିବା  ଆଗ୍ନେୟଗିରିର  ଆଗଣି  ଉଦ୍ ଗିରଣ, ସୁନାମି, ଝଡବର୍ଷା, ବାତ୍ୟା, ଘୂର୍ଣ୍ଣିବାତ୍ୟା   ପ୍ରଭୃତି   ପ୍ରାକୃତିକ   ବିପର୍ଯ୍ୟୟ  ଶ୍ରେଣୀର  ଅନ୍ତର୍ଭୁକ୍ତ  ଏହିସବୁ  ବିପର୍ଯ୍ୟୟ   ଆଜି  ନୂଆ  ନୁହେଁ   । ଏହା  ହଜାର ହଜାର  ବର୍ଷ  ଧରି  ଘଟି  ଆସିଛି   । କିନ୍ତୁ  ଏହାର  ନିୟମିତତା  ଓ  ଏଥିରେ  କ୍ଷୟକ୍ଷତିର  ପରିମାଣ  ଅନେକ   ଗୁଣରେ  ବୃଦ୍ଧି  ପାଇଛି   । ଅନେକ  ଶୀତଳ  ଯୁଗ  ଆସିଛି, ପୃଥିବୀର   କୋଣେ  ଅନୁକୋଣେ   ବରଫ  ଜମାଟ  ବାନ୍ଧିଛି ; କିନ୍ତୁ  ପରେ   ତାପମାତ୍ରା  ବୃଦ୍ଧି  ପାଇଛି, ବରଫା  ତରଳିଛି  ଏବଂ  କ୍ରମଶଃ  ସ୍ଵାଭାବିକ  ହୋଇଛି   । ମାତ୍ର  ବିଗତ   କେତେ  ବର୍ଷ ଧରି  ମାନବକୃତ  ପ୍ରଦୂଷଣ  ପ୍ରଭାବରେ  ଜଳ, ସ୍ଥଳ,  ବାୟୁ  ବିଷାକ୍ତ  ହୋଇପଡିଛି   । ପ୍ରକୃତିର  ପ୍ରଦୂଷଣ  ନିରୋଧ  ଶକ୍ତି  ଲୋପପ୍ରାୟ  । ଏହି  ପରିପ୍ରେକ୍ଷୀରେ  କ୍ରମବର୍ଦ୍ଧମାନ  ପ୍ରଦୂଷଣ  ଆମ  ପରିବେଶକୁ  ବିଷାକ୍ତ  କରି  ଚାଲିଛି  ଏବଂ  ଏଥିରୁ  ବନ୍ୟା, ବାତ୍ୟା, ଝଡ, ଘୂର୍ଣ୍ଣିବାତ୍ୟା, ଗ୍ରୀଷ୍ମପ୍ରବାହ, ମରୁଡି,  ବନାଗ୍ନି   ପ୍ରଭୃତି  ବିପର୍ଯ୍ୟୟର  ସଂଖ୍ୟା  ଓ  ମାତ୍ରା  ବୃଦ୍ଧି  ପାଉଛି

ଆଜି  ଜଳର  ବିନିଯୋଗ   କୃଷି  ବା  ଖାଦ୍ୟ  ଉତ୍ପାଦନ  ତଥା  ପାନୀୟଜଳ  ଭାବେ  ବ୍ୟବହାର   ତୁଳନାରେ  ଶିଳ୍ପୋଦ୍ୟୋଗମାନଙ୍କରେ  ବିନିଯୋଗ  ହୋଇ  ପ୍ରଦୂଷିତ   ଅବସ୍ଥାରେ  ଛାଡି  ଦିଆଯାଉଛି   । ଏହି  ଦୂଷିତ  ଜଳର  ପୁନରୁଦ୍ଧାର  ବ୍ୟୟବହୁଳ  ତଥା  ସମୟସାପେକ୍ଷ  ହୋଇଥିବାରୁ   ବିନିଯୋଗ   କରାଯାଇପାରୁନାହିଁ   । ଫଳରେ  ଜଳଚକ୍ର  ବାଧାପ୍ରାପ୍ତ  ହୋଇ  ଜଳାଭାବ  ଦେଖାଦେଇଛି   । ଜଳ  ପାଇଁ  ରାଷ୍ଟ୍ର  ରାଷ୍ଟ୍ର  ଭିତରେ  ତଥା  ପ୍ରଦେଶ  ମଧ୍ୟରେ  କନ୍ଦଳ  ଲାଗିରହିଛି   । ବିଶୁଦ୍ଧ  ପାନୀୟଜଳ  ଆଜି   କେବଳ  ବୋତଲରେ  ଉପଲବ୍ଧ, ଯାହା  ବ୍ୟୟବହୁଳ  ଓ  ସାଧାରଣ  ଲୋକଙ୍କ  ଆର୍ଥିକ  ଦୂରବସ୍ଥା   ଯୋଗୁଁ  ସେମାନଙ୍କ  ପାଇଁ  ସ୍ଵପ୍ନ  ହୋଇପଡିଛି   । ଗ୍ରାମୀଣ  ଲୋକେ  ଦୂରଦୂରାନ୍ତରୁ  ପାନୀୟଜଳ  ସଂଗ୍ରହ   କରୁଛନ୍ତି  ।

ପ୍ରାକୃତିକ  ବିପର୍ଯ୍ୟୟ  ମଧ୍ୟରେ  ଝଡବାତ୍ୟା, ଘୂର୍ଣ୍ଣିବାତ୍ୟା  ପ୍ରଭୃତିର  ତାଣ୍ଡବ  ଅନନ୍ୟ   । ୨୦୧୨ ମସିହା  ଡିସେମ୍ବର  ମାସ  ପ୍ରଥମ  ସପ୍ତାହରେ   ଫିଲିଫାଇନସ  ଉପରେ  କେନ୍ଦ୍ରୀଭୂତ, ଘୂର୍ଣ୍ଣିବାତ୍ୟା  ‘ବୋଫା’ ରେ  ୭୭ ଜଣ  ମୃତ  ଓ  ୨.୫ ଲକ୍ଷ  ଲୋକ  ବାସଚ୍ୟୁତ  ହୋଇଛନ୍ତି   । ଆମେରିକା  ଓ  ମହାସାଗରୀୟ  ଦ୍ଵୀପପୁଞ୍ଜମାନଙ୍କରେ  ଲଘୁଚାପଜନିତ   ଝଡବର୍ଷା  ଏକ  ଚିରାଚରିତ  ଘଟଣା   । ଭାରତବର୍ଷ  ତଥା  ପୂର୍ବତଟବର୍ତ୍ତୀ  ରାଜ୍ୟ  ଯଥା – ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଓ  ପଶ୍ଚିମବଙ୍ଗରେ  ମୌସୁମୀ ପୂର୍ବ ଓ ପର ସମୟରେ  ଝଡବର୍ଷା  ଲାଗିରହିଛି   । ପ୍ରକୃତରେ  ଦେଖିଲେ, ତଟବର୍ତ୍ତୀ ରାଜ୍ୟମାନଙ୍କରେ  ଏ  ସବୁର  ମୁକାବିଲା  କରିବା  ପାଇଁ  ଓ  କ୍ଷୟକ୍ଷତି  ଆପୂର୍ତ୍ତି  ପାଇଁ  ସମ୍ବଳ  ଅଭାବ   । ଜଳ ଓ  ସ୍ଥଳଭାଗ  ମଧ୍ୟରେ  ତାପଧାରଣର  ଶକ୍ତି  ଭିନ୍ନ  ହୋଇଥିବା  ଫଳରେ   ଗଭୀର  ସମୁଦ୍ରରେ  ଲଘୁଚାପ  ସୃଷ୍ଟି  ହୋଇଥାଏ   । କ୍ରମଶଃ  ଏହା  ସ୍ଥଳଭାଗ  ଆଡକୁ  ଗତି   କରିଥାଏ   । ଏହି  ଲଘୁଚାପ  ଯେତେ  ସମୁଦ୍ର  ଉପରେ   ଗତି  କରେ, ତା’ର  ଆକାର  ଓ  ତୀବ୍ରତା  ସେତେ  ବୃଦ୍ଧି  ପାଏ   । ସ୍ଥଳଭାଗ  ସଂସ୍ପର୍ଶରେ   ଆସିଲେ  କ୍ରମେ  ଏହା  ଦୁର୍ବଳ  ହୋଇଯାଏ   । ତେଣୁ  ସମୁଦ୍ର  ଜଳର   ଉତ୍ତାପ  ଧାରଣର  ଶକ୍ତି  ଥିବାରୁ  ଲଘୁଚାପ  ସୃଷ୍ଟି  ହୋଇଥାଏ   । ବିଶ୍ଵ  ତାପମାତ୍ରାର  ବୃଦ୍ଧି  ସଙ୍ଗେ  ସଙ୍ଗେ  ଝଡବାତ୍ୟାର  ପ୍ରକୋପ  ଓ  ସଂଖ୍ୟା  ବହୁଗୁଣରେ  ବୃଦ୍ଧି  ପାଇବାରେ  ଲାଗିଛି  ।

ଏପରି  ଦୁର୍ବିପାକର  କୁପରିଣାମ  ଧନୀ ଓ  ଗରିବ  ଉଭୟ  ରାଷ୍ଟ୍ର  ଭୋଗୁଛନ୍ତି   । ୨୦୦୫ରେ ‘ କ୍ୟାଟ୍ରିନା ’ ନାମକ  ଏକ  ଝଡ  ଯୁକ୍ତରାଷ୍ଟ୍ରର  ନ୍ୟୁଓରଲିୟନ୍ସ  ରାଜ୍ୟରେ   ତାଣ୍ଡବ  ରଚନା  ଅଋ  ହଜାର  ହଜାର  ଲୋକଙ୍କୁ   ପ୍ରଭାବିତ  କରିଥିଲା   । ୧୯୫୦ ପରି  ୨୦୦୫କୁ   ମଧ୍ୟ  ଆମେରିକୀୟ  ଇତିହାସରେ  ଝଡବାତ୍ୟାର  ବର୍ଷ  ବୋଲି  କୁହାଯାଏ   । ଦକ୍ଷିଣ  ଆଟଲାଣ୍ଟିକା  ମହାସାଗର  ପ୍ରୁଷ୍ଠାକୁ   ଶୀତଳ  ଜଳସ୍ରୋତର  ଉତ୍ଥାନ  ଫଳରେ  ଜଳ  ଓ  ସ୍ଥଳଭାଗ   ମଧ୍ୟରେ  ଉତ୍ତାପର  ତାରତମ୍ୟ   ଘଟି  ଏସବୁ  ଝଡର  ସୃଷ୍ଟି  ହୋଇଥିଲା    । ଅକ୍ଟୋବର  ୨୯ ତାରିଖ  ୧୯୯୯ ମସିହା  ବିଶ୍ଵବାସୀମାନଙ୍କ  ପାଇଁ ଏକ  ଦୁଃଖଦାୟକ  ଦିନ  ଥିଲା   । ଓଡିଶାର  ପାରାଦ୍ଵୀପ  ଉପକୂଳରେ  ସୃଷ୍ଟି  ବିଶାଳ  ଲଘୁଚାପ  ଫଳରେ  ଘଣ୍ଟାକୁ  ପ୍ରାୟ  ୨୮୦ କି.ମି. ବେଗରେ   ପବନ  ବହିବା   ସଙ୍ଗେ  ସଙ୍ଗେ  ୩୦ – ୪୦ ଫୁଟ  ଉଚ୍ଚ  ସମୁଦ୍ର  ଜଳର   ଜୁଆର  ପ୍ରାୟ  ୩୦ କି.ମି. ପର୍ଯ୍ୟନ୍ତ  କେତେ  ଘଣ୍ଟା   ଭୀତରେ  ମାଡି  ଆସିଥିଲା   । ଜଗତସିଂହପୁରା  ଓ  କେନ୍ଦ୍ରାପଡା  ପରି   ତଟବର୍ତ୍ତୀ  ଜିଲ୍ଲାମାନଙ୍କୁ  ଏହା   ବିଶେଷ  ପ୍ରଭାବିତ  କରିଥିଲା  ଏବଂ  ଘରଦ୍ଵାର, ରାସ୍ତାଘାଟ   ସହିତ  ବସବାସ  କରୁଥିବା  ଲୋକ, ଜୀବଜନ୍ତୁଙ୍କୁ  ମଧ୍ୟ  ଭସାଇ  ନେଇଥିଲା   । ବାୟୁର  ତୀବ୍ରତା  ୧୫୦ କି.ମି. ଦୂରରେ   ଅବସ୍ଥିତ  ଭୁବନେଶ୍ଵରରେ  ଭଙ୍ଗାରୁଜା  ସହିତ  ବୃକ୍ଷୋତ୍ପାଟନ, ଗମନାଗମନ, ବିଜୁଳି  ସରବରାହ  ଛିନ୍ନ  କରିଥିଲା    ।

ଏଥିପୂର୍ବରୁ  ଅକ୍ଟୋବର  ୧୭ ତାରିଖ  ଦିନ  ଦକ୍ଷିଣ  ଓଡିଶା  ଉପକୂଳରେ  ଗୋପାଳପୁରାଠାରେ  ମଧ୍ୟ  ଲଘୁଚାପ  ସୃଷ୍ଟି  ହୋଇଥିଲା ; କିନ୍ତୁ  ପାରାଦ୍ଵୀପର  ଅତି  ବିଶାଳ  ଲଘୁଚାପ  ତୁଳନାରେ ଏହା  ନଗଣ୍ୟ  ।  ଦୀର୍ଘ  ଚାରିଦିନ  ଧରି ଏହି  ଲଘୁଚାପ  ବଙ୍ଗୋପସାଗର  ବକ୍ଷରେ  କ୍ରମଶଃ  ଦୃଢୀଭୂତ  ହେବାରେ  ଲାଗିଥିଲା   । ହଠାତ୍  ଏହା  ସ୍ଥଳଭାଗ  ଆଡକୁ  ମୁହାଁଇ  ଦୀର୍ଘ  ୮ ଘଣ୍ଟା  କାଳ  ତାଣ୍ଡବ  ସୃଷ୍ଟି  କରିଥିଲା   । ଏଥିରେ  ପ୍ରକୃତ  କ୍ଷୟକ୍ଷତିର  ପରିମାଣ  ସଠିକ୍  ଆକଳନ  କରିବା  ଅସମ୍ଭବ   । କୁହାଯାଏ ଯେ ୨୪ ଲକ୍ଷ  ହେକ୍ଟର  ଚାଷଜମିରେ  ଦୁଇ  ସପ୍ତାହ  ଧରି  ଲୁଣିପାଣି  ପଶି  ରହିଥିଲା   । ପ୍ରାୟ  ୭୦ ହଜାର  ବ୍ୟକ୍ତି ଓ ୪ ଲକ୍ଷ  ଗୋମହିଷାଦି  ପଶୁ  ମୃତ, ୯ ଲକ୍ଷ  ବୃକ୍ଷ  ଉତ୍ପାଟିତ, ୧୫.୭ ଲକ୍ଷ  ହେକ୍ଟର  ଧାନ ଓ  ୩୩,୦୦୦ ହେକ୍ଟର   ଅନ୍ୟାନ୍ୟ  ଫସଲହାନି, ୧୨.୫ ଲକ୍ଷ  ଘର  ନଷ୍ଟ ଏବଂ ୧.୫ କୋଟି  ଲୋକ  ପ୍ରଭାବିତ  ହୋଇଥିଲେ  ବୋଲି  ଏକ  ଆକଳନରୁ  ଜଣାଯାଏ   । ଝଡ  ପରେ  ପ୍ରଭାବିତ  ଅଞ୍ଚଳରେ  ଶବସତ୍କାର ତ  ଦୂରର  କଥା, କୂଅ  ପୋଖରୀର   ପାଣି  ଦୂଷିତ  ଜଳ  ବ୍ୟବହାର  କରି   ଝାଡାବାନ୍ତିରେ  ୧୦ ଲକ୍ଷ  ପଡିଗଲେ   । ଶସ୍ୟହାନିର  ଆକଳନ  କେବଳ  ୧,୭୫୦ କୋଟି  ଟଙ୍କା   । ପିଇବା  ପାଣି, ରନ୍ଧାଖାଦ୍ୟ  ଓ  ପଲିଥିନ  ଧରି  ସ୍ଵୟଂ  ସେବକ  ଗୋଷ୍ଠୀ  ତଥା  ସରକାର  ପ୍ରଭାବିତ   ଲୋକଙ୍କ  ପାଖରେ  ହଠାତ୍  ପହଞ୍ଚିବା  ସମ୍ଭବ  ନ ଥିଲା   । ପରିସ୍ଥିତି  ସ୍ଵାଭାବିକ  ହେବାକୁ  ବର୍ଷ  ବର୍ଷ  ଲାଗିଥିଲା   । କିନ୍ତୁ  ଅନାଥ  ଶିଶୁ  ଓ  ବଞ୍ଚି  ରହିଥିବା  ଲୋକଙ୍କ  ମନରେ  ଏହାର  ଭୟାବହତା  ଜୀବନଯାକ  ଲାଗିରହିବ   ।

ଉତ୍ତାପର  ମାତ୍ରାଧିକ  ବୃଦ୍ଧି  ଫଳରେ  ଗ୍ରୀଷ୍ମ  ପ୍ରବାହ  ଜନିତ  କ୍ଷୟକ୍ଷତିର  ପରିମାଣ  କ୍ରମଶଃ  ବୃଦ୍ଧି  ପାଇବାରେ  ଲାଗିଛି   । ପ୍ରଚଣ୍ଡ   ରୌଦ୍ରତାପରେ  ଭାରତରେ  ଭାରତରେ  ପ୍ରତିବର୍ଷ   ଅନେକ  ଲୋକ  ମୃତ୍ୟୁବରଣ  କରିଥା’ନ୍ତି  ଓ  କେତେକ  ହାସପାତାଳରେ  ଚିକିତ୍ସା  ପାଇଁ  ଭର୍ତ୍ତି  ହୁଅନ୍ତି   । ଏହାଛଡା  ବନାଗ୍ନି   ଲାଗି  ପ୍ରତିବର୍ଷ  ହଜାର  ହଜାର  ହେକ୍ଟର   ବନାଞ୍ଚଳ  ଜଳିଯାଉଛି   । ଉଦାହରଣ  ସ୍ୱରୂପ  ଆମେରିକାର  ଟେକ୍ସାସ  ରାଜ୍ୟରେ  ପ୍ରାୟ  ୩୦ ଲକ୍ଷ  ଏକର, ଆରିଜୋନରେ  ୫ ଲକ୍ଷ  ଏକର  ବନ୍ୟସମ୍ପଦ  ୨୦୧୦ ରେ  କ୍ଷତିଗ୍ରସ୍ତ   ହୋଇଛି   । ଏଥିରେ  ଗଛଲତା, ଜୀବଜନ୍ତୁଙ୍କ  ସହିତ  ଆଖପାଖରେ  ବସବାସ   କରୁଥିବା  ଘରସବୁ  ପୋଡିଯାଇଛି   । ତା’ଫଳରେ  କ୍ଷତିର  ପରିମାଣ  ଅନେକ  ଗୁଣ  ବଢିଯାଇଛି   । ଏହି  ଦାବାନଳ  ବହୁଦିନ  ଧରି  ଲାଗିରହେ  କାରଣ  ତାପବୃଦ୍ଧି   ସଙ୍ଗେ  ସଙ୍ଗେ  ପବନ  ବହି  ଏହି  ଅଗ୍ନିକୁ  ଭୟଙ୍କର   କରିଦିଏ   । ଏହାର  ନିର୍ବାପନ  ପାଇଁ  ଦମକଳ  ସାଙ୍ଗକୁ  ହେଲିକପ୍ଟରରୁ  ପାଣି  ଓ  ଅଗ୍ନି  ନିର୍ବାପକ  ରସାୟନ  ଛିଞ୍ଚାଯାଏ   । ଆମେରିକୀୟ  ମହାକାଶ  ସଂସ୍ଥା  (NASA)ର ମଡେଲ୍  ଦ୍ଵାରା  ପ୍ରସ୍ତୁତ  ଆକଳନରୁ  ଜଣାଯାଏ ଯେ  ଏହି ବନ – ଦହନ  ପ୍ରକ୍ରିୟା  ଆସନ୍ତା  ୧୦ ବର୍ଷରେ  ୩୦ ପ୍ରତିଶତ  ଓ  ଶତାବ୍ଦୀରେ  ଶେଷ  ଆଡକୁ  ୬୦ ପ୍ରତିଶତ  ବୃଦ୍ଧି  ପାଇବାର  ଆଶଙ୍କା  ରହିଛି  । ୨୦୧୦ରେ  ଆମେରିକୀୟ  ଜାତୀୟ  ବିଜ୍ଞାନ  ଏକାଡେମି  କରିଥିବା   ଅଟକଳ  ଅନୁଯାୟୀ  ବିଶ୍ଵ  ତାପମାତ୍ରା  ମାତ୍ର  ସେଲସିଅସ  ବୃଦ୍ଧି   ପାଇଲେ   ବର୍ତ୍ତମାନ   ତୁଳନାରେ  ୩ ଗୁଣରୁ  ଅଧିକ  ବନାଗ୍ନି  ଘଟିବାର  ଆଶଙ୍କା  ରହିଛି   । ଏହାର  ଫଳ  ସ୍ୱରୂପ  ବହୁତ  ଲୋକ  ବାସଚ୍ୟୁତ   ହୋଇ  ପୁନର୍ବାସ  ଓ  ଥଇଥାନ  ଖୋଜିବେ   । ଏହାଛଡା  କେତେ  ବନ୍ୟସମ୍ପତ୍ତି  କ୍ଷୟକ୍ଷତି  ହେବ, କେତେ  ବିରଳ  ପଶୁ, ପକ୍ଷୀ, ବୃକ୍ଷଲତା ଲୋପ  ପାଇବେ  - ସେ କଥା  ସହଜରେ  ଅନୁମାନ  କରାଯାଇପାରେ   ।

ଜଳବାୟୁ  ପରିବର୍ତ୍ତନର  ଅନ୍ୟ  ଏକ କୁଫଳ  ହେଲା, ଏକକାଳୀନ  ପ୍ରଚୁର  ବୃଷ୍ଟିପାତ   । ବିଶ୍ଵର  ବାର୍ଷିକ  ବୃଷ୍ଟିପାତ  ହାର ବିଗତ  ଦଶବର୍ଷ  ଭିତରେ  ସାମାନ୍ୟ  ହ୍ରାସ  ପାଇଛି   । କିନ୍ତୁ  ଆଶ୍ଚର୍ଯ୍ୟର  ବିଷୟ, ଏହି  ବୃଷ୍ଟିପାତର  ସ୍ଥାନ  ଓ  କାଳରେ  ବ୍ୟାପକ  ପରିବର୍ତ୍ତନ  ଘଟିଛି   । ଯାହା  ଦିନେ  ମରୁଭୁମି  ବା  ମରୁଅଞ୍ଚଳ  ଥିଲା, ସେସବୁରେ  ସବୁଜ  ବିପ୍ଲବ  ଆସିଛି  ଏବଂ  ସୁନାବ୍ୟା  ନଦୀ  ଉପତ୍ୟକାରେ  ଠିକ୍  ସମୟରେ  ଜଳାଭାବ  ଫଳରେ  କୃଷି  ବାଧାପ୍ରାପ୍ତ   ହୋଇଛି   । ଆବହମାନ   କାଳରୁ   ପ୍ରବାହିତ   ମୌସୁମୀବାୟୁଜନିତ  ବର୍ଷା  ଏସୀୟ  ଭୂଖଣ୍ଡରେ  ୩/୪ ମାସ  ଧରି  ଲାଗି  ରହୁଥିଲା  ଏବଂ  ଏଥିପାଇଁ  କୃଷି  ଓ  ପଶୁପାଳନ   ଏଠାକାର  ପ୍ରଧାନ  ବ୍ୟବସାୟ  ଥିଲା   । ସେହିପରି  ଅନ୍ୟାନ୍ୟ  ଦେଶମାନଙ୍କରେ   ବର୍ଷାର  ସମୟ  ପ୍ରାୟତଃ  ନିୟମିତ   ଥିଲା ; କିନ୍ତୁ  ବିଗତ  ବହୁ  ବର୍ଷ  ଧରି   ଏଥିରେ   ଅନିୟମିତତା   ଦେଖାଦେଇଛି   । କେବେ  ମାତ୍ରାଧିକ  ବର୍ଷା  ହୋଇ  ବନ୍ୟା  ତ  ପୁଣି  କେବେ  ବର୍ଷା  ଅଭାବରୁ  ମରୁଡି, ଘୂର୍ଣ୍ଣିବାତ୍ୟା  ଉଭୟ  ସହର ଓ  ଗ୍ରାମୀଣ  କ୍ଷେତ୍ରକୁ  ଧ୍ଵଂସ   କରିବାରେ  ସକ୍ଷମ  ହୋଇଛି   । ଯୁକ୍ତରାଷ୍ଟ୍ର   ଆମେରିକାରେ   ଘୂର୍ଣ୍ଣିବାତ୍ୟା  ଏକ  ନିୟମିତ  ବିପତ୍ତି  ଏପ୍ରିଲ  ୧୩ ରୁ  ୧୫ ପର୍ଯ୍ୟନ୍ତ  ୩ ଦିନ  ଧରି  ୨୦୧୧ ରେ  ଘଟିଥିବା  ୧୫୦ ଟି  ଘୂର୍ଣ୍ଣିବାତ୍ୟାରେ  ୧୬ଟି  ରାଜ୍ୟ  ପ୍ରଭାବିତ  ହୋଇଥିଲେ   । ତା’ର  ୧୦ ଦିନ  ପରେ ; ଅର୍ଥାତ୍  ଏପ୍ରିଲ  ୨୫ ରୁ  ୨୮ ଭିତରେ, ୩୦୦ଟି  ଘୂର୍ଣ୍ଣିବାତ୍ୟା  ସୃଷ୍ଟି  ହୋଇ ୧୪ ଟି  ରାଜ୍ୟରେ  କ୍ଷୟକ୍ଷତି  ଘଟାଇଥିଲା   । ଏପ୍ରିଲ  ୨୭ ତାରିଖ  ଦିନ  ଏହାର  ମାତ୍ରା   ଏତେ  ଅଧିକ  ଥିଲା  ଯେ  ଏକକାଳୀନ  ୩୩୯ ଜଣ  ମୃତ୍ୟୁମୁଖରେ   ପଡିଥିଲେ   । ଆମେରିକା  ଭଳି  ଧନୀ  ଓ  ଶକ୍ତିଶାଳୀ  ରାଷ୍ଟ୍ର  ତଥା  ବିଜ୍ଞାନ  ଓ  କାରିଗରୀ  ବିଦ୍ୟାରେ  ସର୍ବାଗ୍ରେ  ଥିବା  ଦେଶ  ଏପରି  ପ୍ରାକୃତିକ  ବିପର୍ଯ୍ୟୟ  ଆଗରେ  ହାର  ମାନିଛି   । ଏଣୁ  ଗରିବ ବା  ବିକାଶଶୀଳ  ଦେଶମାନେ  ଏଭଳି  କାଳଭୈରବୀ  ସାମନାରେ  ହାର  ମାନିବା  ସ୍ଵାଭାବିକ   । ଭାରତୀୟ  ପ୍ରାଦ୍ୟୋଗିକ  ସଂସ୍ଥା (I.I.T.) ଦିଲ୍ଲୀର  ଗବେଷଣାରୁ  ଜଣାଯାଏ  ଯେ  ମୌସୁମୀ  ପୂର୍ବରୁ  ଘଟୁଥିବା  ଘୂର୍ଣ୍ଣିବାତ୍ୟା   ଉତ୍ତରପୂର୍ବ  ଭାରତରେ  ଗତ  କେତେ  ବର୍ଷ  ଭିତରେ  ତ୍ୱରାନ୍ୱିତ   ଭାବେ  ବୃଦ୍ଧି   ପାଇଛି   । ଏଥିପାଇଁ   ତାପମାତ୍ରାରେ  ବୃଦ୍ଧି  ମୁଖ୍ୟତଃ  ଦାୟୀ   ।

ସମୁଦ୍ର ଗର୍ଭରେ  ଥିବା  ଆଗ୍ନେୟଗିରି  ମାନଙ୍କରୁ  ଅଗ୍ନି ଉଦ୍ ଗିରଣ ଓ ଭୂକମ୍ପ  ଫଳରେ  ଗଭୀର  ଜଳରେ ସୁନାମୀ  ସୃଷ୍ଟି  ହୁଏ  । ଏହାର  ନାଭିକେନ୍ଦ୍ର  ତଟବର୍ତ୍ତୀ  ଇଲାକାରୁ  ଦୂରରେ  ଥାଇ  ମଧ୍ୟ ସୁନାମୀ  ଜୁଆର  ପ୍ରବଳ  ବେଗରେ  ଉପକୂଳବର୍ତ୍ତୀ  ଅଞ୍ଚଳକୁ  ମାଡିଆସେ   । ଏହାର  ପରିଣାମ  ଧ୍ଵଂସ, ମୃତ୍ୟୁ  ଓ  ପ୍ରଚୁର  କ୍ଷୟକ୍ଷତି   । ଇଣ୍ଡୋନେସିଆ, ଫିଲିପାଇନ୍ସ, ଜାପାନ ଭଳି  ଦେଶମାନେ   ଏଥିରେ   ବିଶେଷ  ଭାବେ   ପ୍ରଭାବିତ  ହୋଇଥା’ନ୍ତି   । ବିଗତ  ମାର୍ଚ୍ଚ  ୧୧ ତାରିଖ  ୨୦୧୧ ଦିନ  ଜାପାନର  ଉତ୍ତର   ପଶ୍ଚିମ  ତଟବର୍ତ୍ତୀ  ଆଟଲାଣ୍ଟିକା  ମହାସାଗର  ମଧ୍ୟରେ  ସୃଷ୍ଟି  ହୋଇଥିବା  ଭୂକମ୍ପର  ତୀବ୍ରତା  ରିଚଟର  ସ୍କେଲରେ  ୭.୩୩  ଥିଲା   । ଏହା  ଉପକୂଳଠାରୁ  ୨୪୫ କି.ମି. ଦୂର, ୧୦ କି.ମି.  ଗଭୀର   ସମୁଦ୍ରରେ  ଘଟିଥିଲେ  ମଧ୍ୟ  ମାତ୍ର   କେତେ  ଘଣ୍ଟା  ଭିତରେ  ଫୁକୁସିମାସ୍ଥିତ   ତିନିଟି   ଆଣବିକ   ଶକ୍ତିକେନ୍ଦ୍ରକୁ   ଭାଙ୍ଗିରୁଜି   ଛାରଖାର   କରିଦେଇଥିଲା   । ଏଥିରେ  ଥିବା  ରିଆକ୍ଟର ଗୁଡିକ  ଗୋଟିକ  ପରେ   ଗୋଟିଏ   ବନ୍ଦ  ହୋଇ  ଏମାନଙ୍କ  ଶୀତଳୀକରଣ  ପ୍ରକ୍ରିୟା  ବନ୍ଦ  ହୋଇଯାଇଥିଲା,  ଫଳରେ  ଉଦ୍ ଜାନ   ଗ୍ୟାସ  ସୃଷ୍ଟି  ହେଲା  ଓ  ନିଆଁ  ଲାଗି   ବିସ୍ଫୋରଣ   ଘଟିଲା  । ଏଥିରୁ  ନିର୍ଗତ   ଆଣବିକ  ରଶ୍ମି  ଓ  ଆଖପାଖ  ଅଞ୍ଚଳରେ  ମାଡି  ଯାଇଥିବା  ଆଣବିକ  ପ୍ରଦୂଷଣ  ଜାପାନ  ସରକାର  ତଥା  ବିଶ୍ଵର  ଅନ୍ୟ  ରାଷ୍ଟ୍ରମାନଙ୍କ  ପ୍ରଚେଷ୍ଟା  ସତ୍ତ୍ୱେ  ଏ ପର୍ଯ୍ୟନ୍ତ  ଶୋଧ  ହୋଇପାରୁନାହିଁ   । ଦେଢଲକ୍ଷ  ଲୋକ  ଗତ  ପ୍ରାୟ  ଦୁଇ  ବର୍ଷ  ଧରି  ବିସ୍ଥାପିତ  ଭାବେ  କାଳ  କଟାଉଛନ୍ତି   । ବିଗତ  ୨୫ ବର୍ଷ  ତଳେ  ରୁଷିଆର  ଚେର୍ନୋଭିଲ  ଆଣବିକ  ଶକ୍ତି  କେନ୍ଦ୍ରରେ  ଘଟିଥିବା  ବିକିରଣ  ତୁଳନାରେ  ଫୁକୁସିମାର  ମାତ୍ରା  ଅନେକ  ଗୁଣରେ  ଅଧିକ   ।

ଏହି  ଆଣବିକ  ଶକ୍ତିକେନ୍ଦ୍ରମାନଙ୍କ  ମାଲିକ  ଟୋକିଓ  କମ୍ପାନୀ  ପାଖରେ  ସମ୍ବଳ  ଅଭାବରୁ  ଜାପାନ  ସରକାର  ଏହାକୁ  ରାଷ୍ଟ୍ରାୟତ୍ତ  କରି  ପ୍ରଚୁର  ଧନ  ଖର୍ଚ୍ଚ  କରିବାକୁ  ସକ୍ଷମ  ହୋଇଛନ୍ତି   । ତଥାପି  ଏଠାରେ  ବର୍ଷେ  ପରେ  ବିଜୁଳି  ସରବରାହ  ସମ୍ଭବ  ହେଲା   । ଏଠାରେ  ଅବସ୍ଥା  ସ୍ଵାଭାବିକ  ହେବା  ପାଇଁ  କେତେଦିନ   ଲାଗିବ, ଜଣାନାହିଁ   । ଏବେ  ଜାପାନ  ସରକାର  ଏଭଳି  ୨୧ଟି  ପୁରାତନ  ଆଣବିକ  ଶକ୍ତିକେନ୍ଦ୍ରରେ  ନିରାପତ୍ତା  ବ୍ୟବସ୍ଥାର  କଡାକଡି  ଯାଞ୍ଚ  କରୁଛନ୍ତି  । ଦରକାର  ହେଲେ  କେତେକଙ୍କୁ  ବନ୍ଦ   କରିଦିଆଯାଇପାରେ   । ଜାପାନ  ଭଳି  ପ୍ରାକୃତିକ  ସମ୍ପଦବିହୀନ  ଉନ୍ନତ  ରାଷ୍ଟ୍ର  ଦ୍ଵିତୀୟ  ବିଶ୍ଵଯୁଦ୍ଧରେ  ପରମାଣୁ  ଅସ୍ତ୍ରରେ  କ୍ଷତିଗ୍ରସ୍ତ  ହେଲା  ପରେ  ମଧ୍ୟ  ବାଧ୍ୟ  ହୋଇ  ଆଣବିକ  ଶକ୍ତି  ଉପରେ  ନିର୍ଭର  କରେ, କିନ୍ତୁ  ଏହାର  ଦ୍ଵୀପପୁଞ୍ଜ  ଆଗ୍ନେୟଶିଳା  ଓ  ବିଶ୍ଵର  ଭୂମିକମ୍ପ  ମାନଚିତ୍ରର  ସର୍ବାଗ୍ରେ  ଥିବାରୁ  ସଦାସର୍ବଦା  ସୁନାମିର  ଭୟ  ଲାଗିରହିଛି   । ବିଶ୍ଵ  ତାପମାତ୍ରାରେ  ବ୍ୟାପକ  ପରିବର୍ତ୍ତନ  ଘଟିଲେ  ଭୂମିକମ୍ପ  ଓ  ସୁନାମିର  ଭୟ  ଯେ  ବୃଦ୍ଧି  ପାଇବ,  ଏଥିରେ  ସନ୍ଦେହ  ନାହିଁ   ।

ବିଗତ  କେତେ  ବର୍ଷ  ଧରି  ପ୍ରତିବର୍ଷ  ପ୍ରାୟ  ୨୫ କୋଟି  ଲୋକ  ପାଣିପାଗ  ସମ୍ବନ୍ଧୀୟ  ବିପର୍ଯ୍ୟୟର  ଶିକାର  ହେଉଛନ୍ତି   । ଗତ  ୨୦ ବର୍ଷ  (୧୯୯୨ - ୨୦୧୨) ଭିତରେ  କ୍ଷତିପୂରଣ  ପାଇଁ  ଖର୍ଚ୍ଚ  ଅର୍ଥର  ଆକଳନ  ୧୫ ହଜାର  କୋଟି  ଟଙ୍କା  ବୋଲି  କୁହାଯାଉଛି   । ନିମ୍ନରେ  ଦିଆଯାଇଥିବା  ସାରଣୀରୁ  କେତେକ  ଆଗ  ଧାଡି  ରାଷ୍ଟ୍ରସମୂହରେ  ଅଙ୍ଗାରକାମ୍ଳ  ଗ୍ୟାସ  ନିର୍ଗମନ  ଓ ବାର୍ଷିକ  ବୃଦ୍ଧିହାର  ଦିଆଗଲା    ।

ସାରଣୀ

ସାରଣୀ – ୧ : ବିଶ୍ଵ  ଅଙ୍ଗାରକାମ୍ଳ  ବଜେଟ (୨୦୧୧)

ଦେଶ / ଦେଶସମୂହ

ମୁଣ୍ଡପିଛା  ଅଙ୍ଗାରକାମ୍ଳ  ନିର୍ଗମନ (ଟନ) – ୨୦୧୧

% ବାର୍ଷିକ  ବୃଦ୍ଧି  ହାର (୨୦୧୦ ତୁଳନାରେ)

% ବିଶ୍ଵ  ବାର୍ଷିକ  ବଜେଟକୁ   ଅବଦାନ

ଚୀନ୍

୬.୬

୯.୯

୨୮

ଯୁକ୍ତରାଷ୍ଟ୍ର  ଆମେରିକା

୧୭.୨

୧.୮

୧୬

ୟୁରୋପୀୟ  ରାଷ୍ଟ୍ରଗୋଷ୍ଠୀ

୭.୩

୨.୮

୧୧

ଭାରତବର୍ଷ

୧.୮

୭.୫

ବିଶ୍ଵ  ତାପମାତ୍ରାରେ  ଆଲୌକିକ  ବୃଦ୍ଧି  ଫଳରେ  ମନୁଷ୍ୟକୃତ  ବିପର୍ଯ୍ୟୟର  ସଂଖ୍ୟା, ନିୟମିତତା  ଓ  କ୍ଷୟକ୍ଷତିର  ଆକଳନ   ନିମ୍ନଦତ୍ତ  ସାରଣୀମାନଙ୍କରୁ  ସ୍ପଷ୍ଟ  ଅନୁମେୟ   ।

ସାରଣୀ – ୨

ବିଗତ  ଦୁଇଦଶନ୍ଧିର  ପ୍ରାକୃତିକ / ମନୁଷ୍ୟକୃତ  ବିପର୍ଜୟରେ  ଘଟିଥିବା  କ୍ଷୟକ୍ଷତିର  ପରିମାଣ  (୧୯୮୦ – ୨୦୧୦)

ମୋଟ  ବିପର୍ଯ୍ୟୟର  ସଂଖ୍ୟା

୪୩୧

ମୃତ୍ୟୁ  ସଂଖ୍ୟା

୧୪୩, ୦୩୯

ବାର୍ଷିକ  ହାରାହାରି  ମୃତ୍ୟୁସଂଖ୍ୟା

୪,୬୧୪

ପ୍ରଭାବିତ  ଲୋକସଂଖ୍ୟା

୧୫.୨୨ କୋଟି

ବାର୍ଷିକ  ପ୍ରଭାବିତ  ଲୋକସଂଖ୍ୟା

୪.୯୧ କୋଟି

ଅର୍ଥହାନି

୪୮୦.୬୪

ବାର୍ଷିକ  ଅର୍ଥହାନି  ଦର

୧୫.୫ କୋଟି  ଡଲାର

ସାରଣୀ -୩ : ବିପର୍ଯ୍ୟୟର  ବାର୍ଷିକ  ବୃଦ୍ଧି ହାର (୧୯୮୦ - ୨୦୧୦)

ମରୁଡି

୦.୨୩%

ଭୂକମ୍ପ

୦.୫୨%

ରୋଗ ବ୍ୟାପି

୧.୮୧%

ଉଚ୍ଚତାପ

୧.୨୩%

ବନ୍ୟା

୫.୯୪%

ପୋକମରା

୦.୦୩%

ବାସଚ୍ୟୁତ

୧.୧୩%

ବାତ୍ୟା

୨.୯୭%

ବନାଗ୍ନି

୦.୦୬%

ସାରଣୀ – ୪ : ବିପର୍ଯ୍ୟୟରେ  କ୍ଷତିଗ୍ରସ୍ତ  ଲୋକସଂଖ୍ୟା

ବିପର୍ଯ୍ୟୟ

ମୃତ୍ୟୁ  (%)

ବିପର୍ଯ୍ୟସ୍ତ

ଭୂକମ୍ପ / ସୁନାମି

୩୪.୮

୧.୮

ରୋଗ ବ୍ୟାପି

୧୦.୮

----

ଉଚ୍ଚତାପ

----

ବନ୍ୟା

୨୮

୪୪.୮

ବାସଚ୍ୟୁତ

----

ବାତ୍ୟା

୧୬.୨

୩.୭

ମରୁଡି

----

୪୯.୪

ଉପରୋକ୍ତ  ସାରଣୀଗୁଡିକୁ  ଅନୁଧ୍ୟାନ  କଲେ  ଦେଖାଯିବ  ଯେ  ବନ୍ୟା, ବାତ୍ୟା, ରୋଗବ୍ୟାଧିର  ବ୍ୟାପିବା  ତଥା  ସୁନାମି  ପରି  ପ୍ରାକୃତିକ  କିନ୍ତୁ  ପରୋକ୍ଷ  ଭାବେ  ମନୁଷ୍ୟକୃତ  ଦୁର୍ବିପାକମାନଙ୍କରେ   ମେଉତ୍ୟୁ  ଓ  ପ୍ରଭାବିତ  ଜନସଂଖ୍ୟା  କ୍ରମଶଃ  ବୃଦ୍ଧି  ପାଉଛି   ।  ବନ୍ୟା  ଓ  ବାତ୍ୟାର  ପ୍ରାଦୁର୍ଭାବ  ସବୁଠାରୁ  ବେଶି  ମାତ୍ରାରେ  ବଢିଚାଲିଛି, ଯାହା  ପାଣିପାଗର  ପରିବର୍ତ୍ତନ ଯୋଗୁ  ହେଉଛି   । ୨୦ ବର୍ଷରେ  ଦେଢଲକ୍ଷ   ଲୋକ  ମୃତ୍ୟୁବରଣ  କରିଛନ୍ତି  ଓ  ୧୫ କୋଟିରୁ   ଉର୍ଦ୍ଧ୍ଵ   ଲୋକ  ପ୍ରଭାବିତ  ହୋଇଛନ୍ତି   । ସେମାନଙ୍କୁ  ରିଲିଫ୍ ଓ  ଅସ୍ଥାୟୀ  ଥଇଥାନ  ପାଇଁ ୨,୫୦୦ କୋଟି  ଟଙ୍କା  ଖର୍ଚ୍ଚ  କରାଯାଇଛି   । ଏହି  ସରକାରୀ  ଆକଳନ ପ୍ରକୃତ  କ୍ଷତିଗ୍ରସ୍ତଙ୍କ  ସଂଖ୍ୟା  ଓ ଖର୍ଚ୍ଚଠାରୁ ଅତ୍ୟନ୍ତ ନଗଣ୍ୟ  । ଏଣୁ ପରିବେଶରେ ଏ ଯେଉଁ  ଅକଥନୀୟ  ପରିବର୍ତ୍ତନ  ଘଟିଚାଲିଛି, ତା’ର  ଧାରଣା କେବଳ  ପ୍ରଭାବିତ  ଲୋକ ଏବଂ ତାଙ୍କ  ପରିବାରବର୍ଗ ହିଁ  ଅଙ୍ଗେ  ନିଭେଇଛନ୍ତି   ।

ସାରାଂଶ

ଅତୀତର  ଘଟଣାକୁ  ନେଇ  ଏବଂ  ବର୍ତ୍ତମାନର  ପ୍ରଗତିକୁ  ଆଖିରେ  ରଖି ଏହା  ସ୍ପଷ୍ଟ  ଯେ ଭବିଷ୍ୟତରେ  ଅଙ୍ଗାରକାମ୍ଳ  ଓ  ସେହିଭଳି  ବିଶ୍ଵ  ତାପମାତ୍ରାକୁ  ବୃଦ୍ଧି  କରୁଥିବା  ସବୁଜଗୃହ  ଗ୍ୟାସମାନଙ୍କ  ନିର୍ଗମନ ବୃଦ୍ଧି  ପାଇବ   । ମଡେଲ  ପ୍ରୟୋଗ  କରି  ବୈଜ୍ଞାନିକମାନେ  ଭବିଷ୍ୟତରେ  ଘଟିବାକୁ  ଯାଉଥିବା  ଜଳବାୟୁ  ପରିବର୍ତ୍ତନର  କଳନା  କରିଛନ୍ତି   । ଏପରି  ଅନେକ  ମଡେଲ ଅଛି  ଏବଂ  ବୈଜ୍ଞାନିକ  ବ୍ୟକ୍ତି  ବା  ଗୋଷ୍ଠୀବିଶେଷଙ୍କୁ  ନେଇ  ଏହି  ଆକଳନର  ଫଳାଫଳ  ଭିନ୍ନ   । ଏସବୁରେ   ତାରତମ୍ୟ  ରହିବା  ସ୍ଵାଭାବିକ    । କାରଣ  ତାପମାତ୍ରାର  ବୃଦ୍ଧି ଜଳ, ସ୍ଥଳ  ଓ  ବାୟୁମଣ୍ଡଳକୁ  ଏକାପରି  ପ୍ରଭାବିତ   କରିପାରେ  ନାହିଁ, ଏହା  ସେସବୁର  ତାପ  ସମ୍ବେଦନଶୀଳତା  ଓ  ଧାରଣଶକ୍ତି  ଉପରେ  ନିର୍ଭର  କରେ   । ଏହାଛଡା  ସବୁଜ  କୋଠରୀ  ଗ୍ୟାସମାନଙ୍କ  ବୃଦ୍ଧିହାର  ସଠିକ୍  ନିର୍ଣ୍ଣୟ  କରିହେବନି   । ଏକ  ଆରେକ  ମଧ୍ୟରେ  ସମ୍ପର୍କ  ଓ  ସମନ୍ଵୟ  ନିର୍ଣ୍ଣୟ  କରିବା  ମଧ୍ୟ  ଅସମ୍ଭବ  । ଏହି  ପରିପ୍ରେକ୍ଷୀରେ  କେତେକ  ଆକଳନର  ସାରାଂଶ  ନିମ୍ନରେ   ଦିଆଗଲା -

1)     ୨୧୦୦ ମସିହା  ବେଳକୁ  ତାପମାନରେ  ବୃଦ୍ଧି  ପ୍ରାୟ  ୨ରୁ  F  ଘଟିବାର  ସମ୍ଭାବନା  ରହିଛି; କିନ୍ତୁ  ଏହା   ସବୁଜଗୃହ  ଗ୍ୟାସମାନଙ୍କ  ଉତ୍ପାଦନ  ଓ  ବାୟୁମଣ୍ଡଳରେ  ଥିବା  ସୌରଶକ୍ତି   ପ୍ରତିରୋଧକ  ଶକ୍ତି  ଥିବା  ସୂକ୍ଷ୍ମ  ଧୂଳିକଣା   ଉପରେ  ନିର୍ଭର  କରେ   ।

2)     ବିଂଶ  ଶତାବ୍ଦୀ  ତୁଳନାରେ  ଚଳିତ  ଏକବିଂଶ  ଶତାବ୍ଦୀରେ  ବିଶ୍ଵ  ତାପମାତ୍ରାର  ବୃଦ୍ଧିହାର  ଦୁଇଗୁଣ  ହେବାର  ଆଶଙ୍କା  ରହିଛି   ।

3)     ସ୍ଥଳଭାଗରେ  ଉଷ୍ମତା  ଜଳଭାଗ  ତୁଳନାରେ  ଅଧିକ  ହେବ   ।

4)     ଉତ୍ତର  ଓ  ଦକ୍ଷିଣ  ମେରୁ ଓ  ତତ୍ ସଂଲଗ୍ନ   ତୁଷାର  ମଣ୍ଡିତ  ଭୂଖଣ୍ଡ  ଓ  ମହାସାଗରଗୁଡିକରେ  ଉତ୍ତାପ  ମାତ୍ରାରେ  ଅଧିକ  ବୃଦ୍ଧି  ଘଟିବ   । ସେହିପରି  ଉତ୍ତର  ମହାସାଗର  ଓ  ଉତ୍ତର  ଆମେରିକାରେ  ତାପମାତ୍ରା  ମଧ୍ୟ  ବୃଦ୍ଧି  ଘଟିବ   । ମେରୁ  ଅଞ୍ଚଳରେ  ଏହାର  ମାତ୍ରା  ଅନ୍ୟ  ଅକ୍ଷାଂଶମାନଙ୍କ  ତୁଳନାରେ  ଅଧିକ  ହେବ   ।

5)     ଉଚ୍ଚତାପ (୧୦ ରୁ  F ) ଜନିତ  ମୃତ୍ୟୁ  ସଂଖ୍ୟା  ତଥା  କ୍ଷୟକ୍ଷତି  ଉନ୍ନତ ରାଷ୍ଟ୍ରମାନଙ୍କ  ତୁଳନାରେ  ବିକାଶମୁଖୀ  ରାଷ୍ଟ୍ରରେ  ଅଧିକ ହେବ  । ଏଥିରେ ବୃଦ୍ଧ, ବୃଦ୍ଧା, ଶିଶୁ  ଓ କିଶୋର କିଶୋରୀମାନେ  ଅନ୍ୟମାନଙ୍କ  ତୁଳନାରେ  ଯଥେଷ୍ଟ  ଅଧିକ  ପ୍ରଭାବିତ  ହେବେ   ।

6)     ଉଚ୍ଚତାପର  ମାତ୍ରା  ୨ରୁ  F  ରହିବାର  ସମ୍ଭାବନା  ସଙ୍ଗେ  ସଙ୍ଗେ  ଆମେରିକାର  ଦକ୍ଷିଣପୂର୍ବ  ଓ  ଦକ୍ଷିଣପଶ୍ଚିମ  ଭାଗରେ  ୨୧୦୦ ବେଳକୁ  ବର୍ଷକରେ  ୬୦ ଦିନ  ପରିବର୍ତ୍ତେ  ୧୫୦  ଦିନ ; ଅର୍ଥାତ୍  ପ୍ରାୟ  ୩ ଗୁଣ  ସମୟ  ପର୍ଯ୍ୟନ୍ତ  ରହିବ   ।

7)     ବର୍ଷା  ଓ  ତୁଷାରପାତର  ପରିମାଣ  ଓ  ସଂଖ୍ୟା  ବୃଦ୍ଧି  ପାଇବା  ସହିତ  ବନ୍ୟା, ବାତ୍ୟା, ଝଡ  ଓ  ଲଘୁଚାପର  ମଧ୍ୟ  ଗୁଣାତ୍ମକ  ଓ  ସଂଖ୍ୟା  ବୃଦ୍ଧି  ଘଟିବ   । ବର୍ଷାଭାବରୁ  କେତେକ  ସ୍ଥାନରେ  ମରୁଡି  ପଡିବା  ସହିତ  ଅନ୍ୟ  କେତେକ  ସ୍ଥାନରେ  ଅଧିକ  ବର୍ଷା  ହେବାରୁ  ବନ୍ୟା, ଭୂସ୍ଖଳନ  ଘଟିବ   । ଲଘୁଚାପଜନିତ  ବର୍ଷା  ଓ ଝଡ  ବିଷୁବମଣ୍ଡଳୀୟ  ଅଞ୍ଚଳରୁ  ଘୁଞ୍ଚି  କ୍ରମଶଃ  ଉତ୍ତର  ଓ  ଦକ୍ଷିଣ  ଗୋଲାର୍ଦ୍ଧରେ   ମେରୁମଣ୍ଡଳୀୟ  ସ୍ଥଳ  ଭାଗ  ଆଡକୁ  ଗତି  କରିବ   ।

8)     ମେରୁ  ଅଞ୍ଚଳରେ  ହଜାର  ହଜାର  ବର୍ଷ  ଧରି  ଜମି  ରହିଥିବା  ବରଫଖଣ୍ଡଗୁଡିକ  ତରଲି   ଗଳିପଡ଼ୁଛନ୍ତି   । ଏହାର  ମାତ୍ରା  କ୍ରମଶଃ  ବୃଦ୍ଧି  ପାଇବ  ଏବଂ  ସମୟକ୍ରମେ  ଗ୍ରୀନଲ୍ୟାଣ୍ଡ ଓ ଆଣ୍ଟାର୍କଟିକା  ଅଞ୍ଚଳର   ସ୍ଥାୟୀ  ବରଫଖଣ୍ଡ   ଜଳରେ  ପରିଣତ   ହେବ   ।

9)     ସମୁଦ୍ରର  ଜଳସ୍ତର  ତ୍ୱରାନ୍ୱିତ  ଭାବେ  ବୃଦ୍ଧି  ପାଇ  ଲବଣାକ୍ତ  ଜଳ  ଉପକୂଳବର୍ତ୍ତୀ  ନିମ୍ନଭୂମିକୁ  ମାଡିଯିବ   । ଅନେକ  ସହର  ଓ  ଜନବସତି, ଯଥା – ବାଙ୍ଗଲାଦେଶ, ନ୍ୟୁୟର୍କ  ଭଳି  ସ୍ଥାନ  କ୍ରମଶଃ  ସମୁଦ୍ରଗର୍ଭରେ   ଲୀନ  ହୋଇଯିବ   । ଆକଳନ  ଅନୁସାରେ   ପ୍ରତ୍ୟକ   F  ତାପବୃଦ୍ଧି  ଫଳରେ  ୧୫% ସମୁଦ୍ରରେ  ଭାସମାନ  ବରଫଖଣ୍ଡ  ଓ  ୨୫% ଉତ୍ତର / ଦକ୍ଷିଣ  ମେରୁସ୍ଥିତ  ସ୍ଥାୟୀ  ବରଫରେ  ହ୍ରାସ  ଘଟିବ   ।

କ୍ଵାତାରରେ  ରାଜଧାନୀ  ଦୋହାଠାରେ  ଅଷ୍ଟାଦଶ  ହିତାଧିକାରୀମାନଙ୍କ  ସମ୍ମିଳନୀ  ଜାତିସଂଘର  ପରିବେଶ  ସମ୍ପର୍କୀୟ  କମିଟି  ଦ୍ଵାରା  ସଂଘଟିତ  ହୋଇଥିଲା  । ଏଥିରେ  ପ୍ରାୟ  ୨୦୦ଟି  ସଭ୍ୟରାଷ୍ଟ୍ରଙ୍କ  ପ୍ରତିନିଧି  ନଭେମ୍ବର ୨୬ରୁ  ଡିସେମ୍ବର  ୨୦୧୨  ପର୍ଯ୍ୟନ୍ତ  ୧୩ ଦିନ  ଧରି   ସବୁଜଗୃହ  ଗ୍ୟାସ, ମୁଖ୍ୟତଃ  ଅଙ୍ଗାରକାମ୍ଳ  ଉତ୍ପାଦନରେ  ହ୍ରାସ  ଆଣିବା  ପାଇଁ  ସ୍ଵାକ୍ଷରିତ  କ୍ୟୋଟୋ  ପ୍ରୋଟାକଲ  ବା  କ୍ୟୋଟୋ   ରାଜିନାମା  ଉପରେ  ଆଲୋଚନା କରିଥିଲେ    । ଏହି  ଚୁକ୍ତି  ବିଶ୍ଵରେ  ଏକମାତ୍ର  ଆଇନ୍  ପରିସର  ମଧ୍ୟରେ  ସ୍ଵାକ୍ଷରିତ  ଦସ୍ତାବିଜ ; ଯଦିଓ  ଏଥିରେ  ଅଧିକାଂଶ  ଶକ୍ତିଶାଳୀ  ଓ  ପ୍ରଦୂଷଣ  ସୃଷ୍ଟି  କରୁଥିବା  ରାଷ୍ଟ୍ର  ସ୍ଵାକ୍ଷର  କରି ନ ଥିଲେ   ।

ଏହାର  ସମୟସୀମା ୨୦୧୩ ଡିସେମ୍ବରରେ  ପୂର୍ଣ୍ଣ  ହେବାର  ଥିଲା   । ଏଣୁ  ସଦସ୍ୟମାନେ  ବାରମ୍ବାର  ଏହି  ଚୁକ୍ତିକୁ  ଦୃଢୀଭୁକ୍ତ  କରିବା  ପାଇଁ  ଓ ଏହାର  ସମୟସୀମା ବୃଦ୍ଧି  ପାଇଁ  ଆଲୋଚନା  କରିଆସିଛନ୍ତି ; କିନ୍ତୁ  ଏଥିରେ  ସୁଫଳ ମିଳିନାହିଁ  । ଏଥର  ମଧ୍ୟ  ଘମାଘୋଟ  ଆଲୋଚନା  ପରେ  ବିଶେଷ  କିଛି  ଆଖିଦୃଶିଆ  ଫଳାଫଳ  ମିଳିଲା  ନାହିଁ   । ତା’ର  ପ୍ରଧାନ  କାରଣ  ହେଲା  ବିକାଶଶୀଳ  ଓ  ବିକଶିତ  ରାଷ୍ଟ୍ରମାନଙ୍କ  ମଧ୍ୟରେ  ଥିବା  ତୀବ୍ର  ମତବିବାଦ   । ପ୍ରଥମତଃ  ଅନେକ  ବର୍ଷ  ଧରି  ସମୃଦ୍ଧ  ରାଷ୍ଟ୍ରମାନଙ୍କରେ  ମୁଣ୍ଡପିଛା  ଅଙ୍ଗାରକାମଳ   ନିର୍ଗମନ  ବିକାଶଶୀଳ  ରାଷ୍ଟ୍ରମାନଙ୍କଠାରୁ  ଯଥେଷ୍ଟ  ଅଧିକ  ରହିଆସିଛି  । ଏହାଫଳରେ  ବାଯୁମଣ୍ଡଳରେ  ଅଙ୍ଗାରକାମ୍ଳର  ପରିମାଣ  ଅନେକ  ଗୁଣରେ  ବୃଦ୍ଧି  ପାଇ  ସାରିଛି   । ଏବେ  ବିକାଶଶୀଳ  ରାଷ୍ଟ୍ରମାନେ  ନିଜ  ତ୍ୱରାନ୍ୱିତ  ବିକାଶ  ପାଇଁ  ଶକ୍ତି  ଉତ୍ପାଦନରେ  ହ୍ରାସ  କରିବାକୁ  ଚାହାନ୍ତି  ନାହିଁ   ।

ଦ୍ଵିତୀୟ  କାରଣ  ହେଲା – ଅଙ୍ଗାରକାମ୍ଳ   ଉତ୍ପନ୍ନରେ  ହ୍ରାସ  ପାଇଁ  ଦରକାରୀ  ବିଜ୍ଞାନ  ଓ  କାରିଗରୀ  କୌଶଳ  ତଥା  ଅର୍ଥ  କେବଳ  ବିକଶିତ  ରାଷ୍ଟ୍ରମାନଙ୍କ  ନିକଟରେ  ଉପଲବ୍ଧ, ଯାହାକି  ସେମାନେ  ଅନ୍ୟମାନଙ୍କୁ  ଦେବାକୁ  ଅନିଚ୍ଛୁକ   । ବିକାଶଶୀଳ  ରାଷ୍ଟ୍ରମାନେ  କାରିଗରୀ  କୌଶଳ  ଓ  ଯନ୍ତ୍ରପାତି  କ୍ରୟ  କରିବାକୁ  ଗୋଟିଏ ସ୍ଵତନ୍ତ୍ର  କୋଷ  ଗଠନ  ପାଇଁ  ପ୍ରସ୍ତାବ   ଦେଇଥିଲେ ;  କିନ୍ତୁ  ଏଥିସକାଶେ  ପର୍ଯ୍ୟାପ୍ତ  ଅର୍ଥର  ବ୍ୟବସ୍ଥା  କରିବା  କଠିନ   । ତୃତୀୟ  କାରଣ  ହେଲା  ଯେ  ଏବେ  ଚୀନ୍ ଓ  ଭାରତବର୍ଷ  ପରି  ଦେଶମାନଙ୍କ  ବାର୍ଷିକ  ଅଙ୍ଗାରକାମ୍ଳ  ବଜେଟ୍  ଅନ୍ୟମାନଙ୍କ  ତୁଳନାରେ  ଅଧିକ   । କିନ୍ତୁ  ଏହି  ଦୁଇ  ରାଷ୍ଟ୍ରର  ବର୍ଦ୍ଧିଷ୍ଣୁ  ଜନସଂଖ୍ୟା  ଓ  ବିକାଶହାର  ଅଧିକ  ହୋଇଥିବାରୁ  ଶକ୍ତି  ଓ  ଗମନାଗମନ   ଇତ୍ୟାଦି  ବାବଦ  ଚାହିଦା  ବର୍ଷକୁ  ବର୍ଷ  ବୃଦ୍ଧି  ପାଇବାରେ  ଲାଗିଛି   । ଏମାନେ  ନିଜ  ବିକାଶ  ପ୍ରକ୍ରିୟାରେ  ବାଧା  ସୃଷ୍ଟି  କରିବାକୁ  ଅନିଚ୍ଛୁକ   । ବିଶ୍ଵରେ  ଏବେ  ୧୦୦୦ ରୁ  ଅଧିକ  ତାପଜ  ବିଦ୍ୟୁତ୍  କେନ୍ଦ୍ର  ପ୍ରତିଷ୍ଠା  ପାଇଁ  ବୁଝାମଣା – ପତ୍ର  ସ୍ଵାକ୍ଷରିତ  ହୋଇସାରିଛି   । ଏଗୁଡିକ  କାର୍ଯ୍ୟକ୍ଷମ  ହେଲେ  ଅଙ୍ଗାରକାମ୍ଳ  ନିର୍ଗମନ  ନିଶ୍ଚିତଭାବେ  ବହୁଗୁଣା  ବୃଦ୍ଧି   ପାଇବ  । ଏଥିରୁ  ଅଧିକାଂଶ  ଚୀନ୍ ଓ  ଭାରତରେ  ପ୍ରତିଷ୍ଠା  ହେବାର  ଯୋଜନା  ରହିଛି   ।

ଏକାଧିକ୍ରମେ  ୩୬ ଘଣ୍ଟା  ଧରି  ଆଲୋଚନା  ପରେ   ଦୋହା  ସମ୍ମିଳନୀର  ଚୁଡାନ୍ତ   ବୁଝାମଣାପତ୍ର   ପ୍ରକାଶ  ପାଇଲା   । ଏଥିରେ  ବିଶେଷ  କିଛି  କଠିନ  ପଦକ୍ଷେପ  ନାହିଁ   । ଦୁର୍ଭାଗ୍ୟର  କଥା  ଯେ, ଆମେରିକା  ଓ  ଋଷ  ଭଳି  ଦୁଇ  ଶକ୍ତିଶାଳୀ  ରାଷ୍ଟ୍ର  ଏଥିରେ  ସ୍ଵାକ୍ଷର  କରିବାକୁ ଏବେ  ମଧ୍ୟ  ନାରାଜ  । ତା’ ସହିତ  ବ୍ରାଜିଲ, ଚୀନ୍, ଭାରତ  ଭଳି  ରାଷ୍ଟ୍ରମାନେ  ଅଙ୍ଗାରକାମ୍ଳ  ହ୍ରାସ  ପାଇଁ  କୌଣସି  ପଦକ୍ଷେପ  ନେବାକୁ  ନାରାଜ   । ଏସବୁ  ଦ୍ଵିଧା  ଓ ଦ୍ଵନ୍ଦ  ଭିତରେ  କେତେକ  ରାଷ୍ଟ୍ର  ଓ  ରାଷ୍ଟ୍ରଗୋଷ୍ଠୀ, ଯଥା – ଅଷ୍ଟ୍ରେଲିଆ ଓ  ୟୁରୋପୀୟ  ରାଷ୍ଟ୍ରଗୋଷ୍ଠୀ  ସ୍ଵେଚ୍ଛାକୃତ  ଭାବେ  ନିଜ  ଅଙ୍ଗାରକାମ୍ଳ  ବଜେଟ  ହ୍ରାସ  କରିବାକୁ  ରାଜି  ହେଲେ   । ଆସନ୍ତା  ତିନିବର୍ଷ  ଭିତରେ  ସଦସ୍ୟ  ରାଷ୍ଟ୍ରମାନେ   ବିଚାରବିମର୍ଶ  କରି  ୨୦୧୫ ଡିସେମ୍ବରରେ  ପ୍ୟାରିସଠାରେ  ଅନୁଷ୍ଠିତ  ହେବାକୁ  ଥିବା  ସମ୍ମିଳନୀରେ  ବିଶ୍ଵ  ପରିବେଶ  ଚୁକ୍ତିରେ   ସ୍ଵାକ୍ଷର  କରିବାକୁ  ସ୍ଥିର  କରାଗଲା   । ଏହି ଚୁକ୍ତିର  ସର୍ତ୍ତାବଳୀ  ୨୦୨୦ ରେ ; ଅର୍ଥାତ୍  ପର  ୫ ବର୍ଷ  ଭିତରେ  ସଦସ୍ୟ  ରାଷ୍ଟ୍ରମାନେ  ପାଳନ  କରିବାକୁ  ପ୍ରତିଜ୍ଞାବଦ୍ଧ   । ଏହା  ଏକ  ସ୍ଵାଗତଯୋଗ୍ୟ  ପଦକ୍ଷେପ   ।

ଏଠାରେ  ଉଲ୍ଲେଖ  କରାଯାଇପାରେ  ଯେ  ତ୍ରୟୋଦଶ  ସମ୍ମିଳନୀର  ଆୟୋଜନ  କରିଥିବା  ଓ  ଚେୟାରମ୍ୟାନ   ଦାୟିତ୍ଵ  କ୍ଵାତାରର  ମୁଣ୍ଡପିଛା  ବାର୍ଷିକ  ଅଙ୍ଗାରକାମ୍ଳ  ବଜେଟ  ୭୦ ଟନ, ଯାହାକି  ବିଶ୍ଵର  ସର୍ବାଧିକ   । ଏହି  ରାଷ୍ଟ୍ର  ପ୍ରତିବର୍ଷ  ଅପର୍ଯ୍ୟାପ୍ତ  ପରିମାଣର  ପ୍ରାକୃତିକ  ଗ୍ୟାସ  ନିର୍ଯ୍ୟାତ  କରେ   । ବିଶ୍ଵରେ  ଏହାର  ସ୍ଥାନ  ତୃତୀୟ   । ଏଭଳି  କେତେକ  ମଧ୍ୟପ୍ରାଚ୍ୟ  ରାଷ୍ଟ୍ରଙ୍କ  ପାଖରେ  କଞ୍ଚାତେଲ  ଓ  ପ୍ରାକୃତିକ  ବାଷ୍ପ  ପ୍ରଚୁର  ପରିମାଣରେ  ଗଚ୍ଛିତ   ଥିବାରୁ  ଏବଂ  ସାରାବିଶ୍ଵ  ଏହି  ପେଟ୍ରୋଲ  ଓ  ପେଟ୍ରୋଲଜାତ  ଇନ୍ଧନ  ଉପରେ  ସମ୍ପୂର୍ଣ୍ଣ  ଭାବେ  ନିର୍ଭରଶୀଳ   ହୋଇଥିବାରୁ  ଏମାନଙ୍କର  ଜୀବନଧାରଣ   ଶୈଳୀ  ଚାକଚକ୍ୟ ଓ  ଆଡମ୍ବରପୂର୍ଣ୍ଣ   । ତେଣୁ  ଏସବୁ  ଦେଶର  ପ୍ରତିନିଧି  ମାନେ  ପରିବେଶ  ଉପରେ  ବିଶେଷ  ଗୁରୁତ୍ଵ   ଦିଅନ୍ତି  ନାହିଁ  ।

୧୯୬୪  ମସିହାରେ  ଭାରତୀୟ  ବିଜ୍ଞାନ  ଓ  ଔଦ୍ୟୋଗିକ  ଅନୁସନ୍ଧାନ  ପରିଷଦ  ଅଧୀନରେ  ଭୁବନେଶ୍ୱରଠାରେ  ତତ୍ କାଳୀନ  ଆଞ୍ଚଳିକ  ଗବେଷଣାଗାର   ପ୍ରତିଷ୍ଠା  କରଯାଇଥିଲା, ଯାହା  ଏବେ  ଖଣିଜ  ଓ  ବସ୍ତୁ  ପ୍ରଯୁକ୍ତି  ଅନୁଷ୍ଠାନ  ଭାବେ  ନାମିତ  ହୋଇଅଛି   । ୧୯୯୧ ମସିହାଠାରୁ  ଆରମ୍ଭ  କରି  ବିଗତ  ଦୁଇ  ଦଶନ୍ଧି  ଧରି  ପରିବେଶ  ପ୍ରଦୂଷଣ  ଆକଳନ  ଓ  ନିରାକରଣ  କ୍ଷେତ୍ରରେ  ଏହି  ଗବେଷଣାଗାର  ନିରନ୍ତର  ପ୍ରୟାସ  ଜାରି  ରଖିଛି   । ଜାତିସଂଘର  ପରିବେଶ  ପ୍ରଦୂଷଣ  ନିୟନ୍ତ୍ରଣ  ଚୁକ୍ତିରେ  ଭାରତବର୍ଷର  ଭୂମିକା  ଗୁରୁତ୍ଵପୂର୍ଣ୍ଣ   । ୧୯୯୧ ମସିହାରେ  କୃଷି  ଓ  ଶିଳ୍ପ  କ୍ଷେତ୍ରରୁ   ଉପୁଜିଥିବା  ଅଙ୍ଗାରକାମ୍ଳଠାରୁ  ୨୫ ଗୁଣ  ଅଧିକ  ଉତ୍ତାପ  ବର୍ଦ୍ଧନକାରୀ  ମିଥେନ୍  ଗ୍ୟାସର  ଆକଳନରୁ  ଆମ  ପ୍ରୟାସ  ଆରମ୍ଭ  ହେଲା   । ପରେ  ଏହି  ଅନୁସନ୍ଧାନ  ବାୟୁରେ  ଭାସମାନ  ସୂକ୍ଷ୍ମ  ଧୂଳିକଣା, ଅଙ୍ଗାରକଣା  ଓ  ଅତି  ନଗଣ୍ୟ  ପରିମାଣରେ  ଉପଲବ୍ଧ  ଗ୍ୟାସମାନ  (ଯଥା – ଓଜନ, ସଲଫର  ଡାଇଆକ୍ସାଇଡ, ନାଇଟ୍ରିକ  ଆକ୍ସାଇଡ, ନାଇଟ୍ରୋଜେନ  ଡାଇଆକ୍ସାଇଡ, ନାଇଟ୍ରସ  ଆକ୍ସାଇଡ, କାରବନ୍  ମନୋକ୍ସାଇଡ), ଯାହା  ବିଶ୍ଵ  ପରିବେଶ  ପରିବର୍ତ୍ତନରେ   ଗୁରୁତର  ଭୂମିକା  ଗ୍ରହଣ  କରିଅଛି , ସେସବୁ  କ୍ଷେତ୍ରକୁ  ପରିବ୍ୟାପ୍ତ   ହେଲା   । ଏଥିରେ  କାର୍ଯ୍ୟରତ  ବୈଜ୍ଞାନିକମାନେ  ଭାରତୀୟ  ମହାକାଶ  ଗବେଷଣା  ସଂସ୍ଥା, ଭାରତୀୟ  ଭୌତିକ  ବିଜ୍ଞାନ  ଗବେଷଣା  ସଂସ୍ଥା, ଟାଟା  ମୌଳିକ  ବିଜ୍ଞାନ  ଗବେଷଣାର  ପ୍ରଭୃତି  ସଂସ୍ଥା  ଗୁଡିକ  ସହିତ  ଓତପ୍ରୋତ ଭାବେ  ଜଡିତ   । ଏହା  ପରିବେଶ  ବିଜ୍ଞାନ  କ୍ଷେତ୍ରରେ  କାର୍ଯ୍ୟରତ  ଅନେକ  ବିଦେଶୀ  ବିଶ୍ଵବିଦ୍ୟାଳୟ  ଓ  ଗବେଷଣା  ସଂସ୍ଥା  ଯଥା – ଷ୍ଟକହୋମ୍  ବିଶ୍ୱବିଦ୍ୟାଳୟ, ଏସୀୟ  ଔଦ୍ୟୋଗିକ  ସଂସ୍ଥା, ଦକ୍ଷିଣକୋରିଆ,  ବ୍ରିଟେନ୍ ଓ  ଜାପାନ୍ ର  କେତେକ  ସୁନାମୀ  ସଂସ୍ଥାମାନଙ୍କ  ସହିତ  କାର୍ଯ୍ୟ  କରି  ଆସିଛି   ।

ଭାରତବର୍ଷର  ପ୍ରଥମ  ଓ  ଦ୍ଵିତୀୟ  ପରିବେଶ  ସମ୍ପର୍କୀୟ  ରିପୋର୍ଟ  ପ୍ରସ୍ତୁତି  ପାଇଁ  ଆବଶ୍ୟକୀୟ  ତଥ୍ୟ  ସଂଗ୍ରହ  ନିମିତ୍ତ  ଏଠାକାର  ବୈଜ୍ଞାନିକମାନେ  କାର୍ଯ୍ୟ  କରିଛନ୍ତି   । ଏବେ  ତୃତୀୟ  ରିପୋର୍ଟ  ପ୍ରସ୍ତୁତି  ପାଇଁ  ଉଦ୍ୟମ  ଆରମ୍ଭ  ହୋଇଛି   । ବଙ୍ଗୋପ ସାଗର, ଆରବ  ସାଗର ଓ  ଭାରତ  ମହାସାଗରରେ  ଭାରତୀୟ  ଭୂଖଣ୍ଡଜନିତ  ପ୍ରଦୂଷଣର  ପ୍ରଭାବ  ଆକଳନ   କରିବା  ପାଇଁ  ଏହାର  ବୈଜ୍ଞାନିକମାନେ  ମହାସାଗରୀୟ  ଗବେଷଣା – ଜାହାଜ  ‘ସାଗରକନ୍ୟା’ ରେ  ଯାତ୍ରା  କରି  ଦୁଇମାସ  ଧରି  ତଥ୍ୟ  ସଂଗ୍ରହ  କରିଥିଲେ   । ବିଗତ  ୨୦ ବର୍ଷ  ଧରି  ଓଡିଶା  ତଥା  ପଶ୍ଚିମବଙ୍ଗ  ଉପକୂଳ ଓ  ପାରାଦ୍ଵୀପ, ଧାମରା  ପ୍ରଭୃତି  ବନ୍ଦରସମୂହର  ସାମୁଦ୍ରିକ  ପରିବେଶର  ସ୍ୱାସ୍ଥ୍ୟ  ଉପରେ   ଅନୁସନ୍ଧାନ  କରିଆସିଛି   । ଏତଦ୍ ବ୍ୟତୀତ  ବ୍ରାହ୍ମଣୀ – ବୈତରଣୀ  ନଦୀ  ଆବବାହିକାସ୍ଥିତ  ବିସ୍ତୀର୍ଣ୍ଣ  ହେନ୍ତାଳ ବନ  ଓ  ଏଠାକୁ  ଲକ୍ଷ  ଲକ୍ଷ  ସଂଖ୍ୟାରେ  ଅଣ୍ଡା  ଦେବାକୁ  ଆସୁଥିବା  ବିରଳ  ଅଲିଭ୍ ରିଡେଲ୍  ସାମୁଦ୍ରିକ  କଚ୍ଛପମାନଙ୍କ  ଆଡିବନ୍ଧ  ପ୍ରକ୍ରିୟା  ଉପରେ  ମଧ୍ୟ  ଏହା  ଗବେଷଣାରତ   । ବାୟୁ   ପ୍ରଦୂଷଣ  ଯୋଗୁଁ  ବର୍ଷାଜଳର  ଅମ୍ଳିକରଣ, ଏହାର  ଜମି  ଉର୍ବରତା  ଓ  ଉପୁଜାଇବା  କ୍ଷମତା  ଉପରେ   ଏହି  ସଂସ୍ଥାର  ଯୋଗଦାନ  ୧୯୯୬  ମସିହାରୁ  ଜାରି  ରହିଛି   । ଏସବୁ  ଗବେଷଣାରୁ   ଜଣାଯାଏ  ଯେ  ଭାରତୀୟ  ତଥା  ଓଡିଶାର  ପରିବେଶ  ଅନ୍ୟାନ୍ୟ  ଦେଶ  ବା  ରାଜ୍ୟମାନଙ୍କ  ତୁଳନାରେ  ଅଧିକ  ଦୂଷିତ   । ଏଠାକାର  ବାୟୁ  ପ୍ରଦୂଷଣ  ଏସୀୟ – ଆଫ୍ରିକା  ପ୍ରଦୂଷଣ   ତୁଳନାରେ  ବହୁ  ଗୁଣରେ   ବେଶି  । ଏଥିପାଇଁ  ଖଣିଜ  ପଦାର୍ଥଗୁଡିକର  ତ୍ୱରାନ୍ୱିତ  ଉତ୍ତୋଳନ  ଓ  କୋଇଲା  ବ୍ୟବହାର  କରି  ତାପଜ  ବିଦ୍ୟୁତ  କେନ୍ଦ୍ର  ପ୍ରତିଷ୍ଠା   ଦାୟୀ   । ଏସବୁରୁ   ନିର୍ଗତ   ଧୂଳିକଣା, ଅଙ୍ଗାରକଣା ଓ  ସବୁଜଗୃହ  ଗ୍ୟାସମାନ  ଏ  ଅଞ୍ଚଳରେ  ବ୍ୟାପକ  କ୍ଷତି  କରିଚାଲିଛି   । ବିଗତ  ୨୦ ବର୍ଷର  ଅନବରତ  ଅନୁସନ୍ଧାନରୁ  ଏହି  କ୍ଷୟକ୍ଷତିର  ପରିମାଣ  ସମ୍ପର୍କରେ  ଅନୁଧ୍ୟାନ  କରିବା  ସଙ୍ଗେ  ସଙ୍ଗେ  ଏହାର  ନିରାକରଣ  ପାଇଁ  ଆବଶ୍ୟକ  ପଦକ୍ଷେପ   ନେବାକୁ  ପ୍ରାଦେଶିକ   ତଥା  ଜାତୀୟ  ସରକାରଙ୍କୁ  ଅବଗତ   କରାଯାଇଛି   ।

ଉପସଂହାର : ଆଜି  ଯାହା  ଅତୀତ, ତାହା  ଦିନେ  ବର୍ତ୍ତମାନ ଥିଲା  ଏବଂ  ଆସନ୍ତାକାଲିର  ଭବିଷ୍ୟତ  ବର୍ତ୍ତମାନ ଦେଇ  ପୁଣି  ଦିନେ   ଅତୀତ  ହୋଇଯିବ  । ସମୟ  ଏହିପରି  ତା’ ନିଜ  ଗତିପଥରେ   ଚାଲିଛି   । ଭବିଷ୍ୟର  କଳ୍ପନା  କେଆଲ  ଅତୀତକୁ   ନେଇ  କରିହୁଏ  ନାହିଁ   । ତା’ପାଇଁ   ବର୍ତ୍ତମାନର  କାର୍ଯ୍ୟକଳାପ  ଅନେକ  ମାତ୍ରାରେ  ଦାୟୀ   । ଏଣୁ  ପରିବେଶ  ବା  ସମଗ୍ର  ମାନବସମାଜର   ଭବିଷ୍ୟତ  ଆଜି  ବର୍ତ୍ତମାନର  ହାତରେ   । ଅତୀତରେ  ଆମେ   ନିଜର  ସ୍ଵାର୍ଥସାଧନ  ପାଇଁ  ପ୍ରାକୃତିକ  ବରଦାନମାନଙ୍କରେ  ଅପବ୍ୟୟ  କରି  ପରିବେଶକୁ  ଦୂଷିତ  କରିସାରିଛେ   । ତା;ର  କୁପରିଣାମ  ମଧ୍ୟ  ଭୋଗ  କରୁଛେ   । କେଉଁଠି  ଅତି  ବୃଷ୍ଟିରେ  ଧନଜୀବନ  ହାନି  ଘଟୁଛି  ତ  ପୁଣି  ଅନ୍ୟଠାରେ  ମରୁଡିର  କରାଳ କବଳରେ  ଲୋକେ  ପିଇବା  ପାଣି  ପାଇଁ  ହାହାକାର  କରୁଛନ୍ତି   । ନଦୀଜଳ  ନେଇ  ପ୍ରଦେଶ  ପ୍ରଦେଶ  ମଧ୍ୟରେ   ବିବାଦ ଓ  ଦେଶର  ରାଜଧାନୀ  ତଥା  ଅନ୍ୟ  ସମସ୍ତ  ମେଗାସହରମାନଙ୍କରେ  ପାନୀୟ  ଜଳର   ଘୋର  ଅଭାବ   । ଅନ୍ୟଦିଗରେ  ବର୍ଷା  ସମୟର  ଯଥେଷ୍ଟ  ଜଳ  ନଦୀମାନଙ୍କ   ଦେଇ  ସମୁଦ୍ରକୁ  ବହିଯାଉଛି   ଏବଂ  ବରସକେ  ୯ – ୧୦ ମାସ  ଲୋକେ  ପାଣି  ପାଉନାହାନ୍ତି   । ଭୂକମ୍ପ, ସୁନାମି, ଝଡ  ଓ  ଘୂର୍ଣ୍ଣିବାତ୍ୟା   ସାଙ୍ଗକୁ  ଉଚ୍ଚତାପଜନିତ  ମୃତ୍ୟୁସଂଖ୍ୟା   କ୍ରମାଗତ  ଭାବେ ବୃଦ୍ଧି  ପାଉଛି   ।

ମାନବ  ସଭ୍ୟତା  ଆଜି  ଦ୍ଵନ୍ଦ୍ଵର  ଚାରିଛକ  ଉପରେ  ଠିଆ  ହୋଇ  ଅତୀତର  ରୋମାନ୍ଥନ  କରିବା  ଅପେକ୍ଷା  ପରିବେଶ  ସୁରକ୍ଷା  ପାଇଁ  କିଛି  ଦୃଢ  ଓ  ଶକ୍ତିଶାଳୀ  ବ୍ୟବସ୍ଥା  କରିବା  ଦରକାର   । ବିକାଶର  ଦ୍ଵାହି  ଦେଇ  ବିକାଶକୁ  ତ୍ୱରାନ୍ୱିତ  କରିବା  ପରିବର୍ତ୍ତେ  ବିକାଶମୁଖୀ  ରାଷ୍ଟ୍ରମାନେ  ନିଜ  ଜନସଂଖ୍ୟା  ନିୟନ୍ତ୍ରଣ  କରି  ଲୋକଙ୍କୁ  ସର୍ବନିମ୍ନ  ସୁବିଧା  ଯୋଗାଇଦେବା  ଉଚିତ   । ପ୍ରଥମ  ଦୃଢ  ପଦକ୍ଷେପ  ହେଲା – ନିଜର  ନିତ୍ୟ  ବ୍ୟବହାର୍ଯ୍ୟ  ପଦାର୍ଥ  ପାଇଁ  ଅଙ୍ଗାର  ପଦାଙ୍କ କୁ  ବିଶ୍ଳେଷଣ  କରିବା  ଆମେ  ସମସ୍ତେ  ଗୋଟିଏ  ପୃଥିବୀ  ଉପରେ  ଗୋଟିଏ  ଆକାଶ  ତଳେ  ବାସ  କରୁ  । ପରିବେଶ  ରାଷ୍ଟ୍ର  ରାଷ୍ଟ୍ର  ମଧ୍ୟରେ  ଅଙ୍କିତ  ସୀମାରେଖା  ବା  ସ୍ଵାର୍ଥ  ଦେଖେନି । ଆଜି  କ୍ରମବର୍ଦ୍ଧିଷ୍ଣୁ  ପ୍ରଦୂଷଣ  ଫଳରେ   ସମସ୍ତ   ପ୍ରାକୃତିକ  ଚକ୍ର  ମାନଙ୍କରେ  ସନ୍ତୁଳନ  ନଷ୍ଟପ୍ରାୟ   । ଏଣୁ  ସୀମିତ  ରାଷ୍ଟ୍ରୀୟ  ବା  ଆଞ୍ଚଳିକ  ସ୍ଵାର୍ଥର  ଉର୍ଦ୍ଧ୍ଵକୁ  ଉଠି  ସମଗ୍ର  ମାନବ  ସଭ୍ୟତାର  ବିକାଶ  ପାଇଁ  ବିହିତ  ପଦକ୍ଷେପ  ନେବା   ନିତାନ୍ତ  ଆବଶ୍ୟକ   ।

ସଂଗୃହୀତ – ଡକ୍ଟର ସୁରେନ୍ଦ୍ର ନାଥ ଦାସ, IMMT

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top