ହୋମ / ଶକ୍ତି / ପରିବେଶ / ଫସଲ ଉତ୍ପାଦନ (ମୃତ୍ତିକା କ୍ଷୟ ଓ ସଂରକ୍ଷଣ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ମୃତ୍ତିକା କ୍ଷୟ ଓ ସଂରକ୍ଷଣ)

ମୃତ୍ତିକା କ୍ଷୟ ର କାରଣ ଓ ସଂରକ୍ଷଣ ସମ୍ବନ୍ଧିତ ସୂଚନା ।

ମୃତ୍ତିକା ସଂରକ୍ଷଣ

ଭୂପୃଷ୍ଠରେ  ଫସଲ  ଉତ୍ପାଦନ   ପାଇଁ   କର୍ଷଣ   କରାଯାଉଥିବା   ଅଂଶକୁ  ମୃତ୍ତିକା   କୁହାଯାଏ   ।  ଏହା  ଭୁପୃଷ୍ଠରେ  କୋମଳ  ସ୍ତର   । କେଉଁଠି  ଏହି  ସ୍ତର  ମୋଟା  ତ  କେଉଁଠି  ପତଳା  ।  ଏହି  ମୃତ୍ତିକା  ଯୁଗ ଯୁଗ   ଧରି  ଜଳ , ବାୟୁ, ତାପମାନ,  ଜୀବଜନ୍ତୁ ଓ  ଉଦ୍ଭିଦର   ମିଳିତ  ପ୍ରକ୍ରିୟାରେ   ସଂଘଟିତ   ହେଉଥିବା   ବିଭିନ୍ନ   ଭୌତିକ   ଓ  ରାସାୟନିକ   ପ୍ରକ୍ରିୟା  ଦ୍ଵାରା  ଗଠିତ  ହୋଇଅଛି   ।  ପୃଥିବୀ  ପୃଷ୍ଠରେ  1 ସେ.ମି.  ବହଳର   ମୃତ୍ତିକା   ସୃଷ୍ଟି   ଲାଗି  ପ୍ରକୃତିକୁ   ପ୍ରାୟ  ୫୦୦ ରୁ  ୧୦୦୦  ବର୍ଷ   ଲାଗିଥାଏ  । ଏହି  ମୃତ୍ତିକାର  ରକ୍ଷଣାବେକ୍ଷଣ  ଉପରେ  ଦେଶ  ଓ  ଜାତିର  ସଭ୍ୟତା  ଓ  ସ୍ଥିତି  ଚିରକାଳ  ନିର୍ଭରଶୀଳ  ।  ଜୀବନ  ଧାରଣ  ଆବଶ୍ୟକ  ଖାଦ୍ୟପେୟ , ବସନ  ଓ  ବାସ  ଲାଗି  ମୃତ୍ତିକା  ଅପରିହାର୍ଯ୍ୟ  ମାଧ୍ୟମ  ହୋଇଥିବାରୁ  ଏହାର  ସଂରକ୍ଷଣ ଓ  ସଦୁପଯୋଗ ଜାତି  ଓ  ସଭ୍ୟତାର   ସ୍ଥିତି  ଓ  ବିକାଶର   ମୂଳଧାର  ବୋଲି  ଗୃହୀତ   ହୋଇଛି   ।  ଭୂପୃଷ୍ଠର   ଉଚ୍ଚା  ନିଚ୍ଚା  ହେତୁ  ଏହି   ମୃତ୍ତିକାର  ସ୍ଥାନାନ୍ତରଣକୁ   ମୃତ୍ତିକା  କ୍ଷୟ  କୁହାଯାଏ   । ସାଧାରଣ  ଭାବେ   ବୁଝାଯାଉଥିବା   ମୃତ୍ତିକାକ୍ଷୟ   ପ୍ରକୃତରେ   କ୍ଷୟ  ନୁହେଁ   । ଏହା  ସ୍ଥାନାନ୍ତରଣ  ମାତ୍ର   । ଜଣଙ୍କର  କ୍ଷତିରେ   ଅନ୍ୟର   ଲାଭ   କୌଣସି   ସ୍ଥାନରୁ   ପରିବହିତ   ମୃତ୍ତିକା   ସୃଷ୍ଟିକରିଥାଏ   ।

ପୃଥିବୀ   ଆରମ୍ଭରୁ  ମୃତ୍ତିକାର  ଗଠନ – ପ୍ରକ୍ରିୟା   ଅବିରତ   ଭାବେ  ଲାଗି  ରହିଛି   । ଏହି  ପ୍ରକ୍ରିୟା   ଏତେ  ମନ୍ଥର  ଓ  ସୂକ୍ଷ୍ମ  ଯେ  ସହଜରେ   ଅନୁମାନ   କରାଯାଇପାରେ  ନାହିଁ   । ପ୍ରକୃତିର  ଏହି  ସମନ୍ଵିତ   ପ୍ରକ୍ରିୟାର  ଭାରସାମ୍ୟ   କୌଣସି  ବାହ୍ୟକାରକ   ହେତୁ  ନଷ୍ଟ   ହୋଇ   ତ୍ୱରାନ୍ୱିତ   ହେଲେ   ତାହା  ଦୃଷ୍ଟିଗୋଚର   ହୋଇଥାଏ   । ଆମ୍ଭେ   ଏହାକୁ   ମୃତ୍ତିକା  କ୍ଷୟ   ଆଖ୍ୟା   ଦେଇଥାଉ   ।

ମୃତ୍ତିକା  କ୍ଷୟ

ମୃତ୍ତିକା  ଗଠନର  କାରକଗୁଡିକ  ମଧ୍ୟ  କ୍ଷୟର   କାରକ  ଅଟନ୍ତି   । ଏମାନଙ୍କ   ମଧ୍ୟରେ   ଜଳ ଓ  ବାୟୁ  ପ୍ରଧାନ   । ଏ  ଦୁହିଁଙ୍କର   ପ୍ରଭାବ  ଖୁବ୍  ଶୀଘ୍ର   ଜଣାପଡିଥାଏ   ।

ମୃତ୍ତିକା  କ୍ଷୟର  କାରଣ

ଜଳଦ୍ଵାରା  ମୃତ୍ତିକା  କ୍ଷୟ

ମୃତ୍ତିକା କ୍ଷୟ ଓ  ସଂରକ୍ଷଣ  ଜଳ  ବର୍ଷାରୁ  ଆସେ  । ବର୍ଷାଜଳ  ଟୋପା ଟୋପା   ହୋଇ   ପଡିଲେ   ମୃତ୍ତିକା  ଆର୍ଦ୍ରହୁଏ   । କ୍ରମେ  ମୃତ୍ତିକା  ଭିତରେ   ଜଳବିନ୍ଦୁ  ଭେଦିଯାଏ   । ମୃତ୍ତିକାରେ  ଅବା   ଛିଦ୍ରରୁ  ବାୟୁ   ବାହାରିଯାଇ  ଜଳ  ତାର   ସ୍ଥାନ  ପୂରଣ   କରେ   । କ୍ରମେ  ମୃତ୍ତିକା  ଫୁଲି  ଉଠେ   । ମୃତିକାରେ   ଥିବା   ସବୁ  ଛିଦ୍ର  ପୂର୍ଣ୍ଣ  ହୋଇଗଲେ  ଜଳ  ମାଧ୍ୟାକର୍ଷଣ   ଶକ୍ତି   ହେତୁ   ତଳକୁ  ଭେଦିଯାଏ   । ତଳକୁ   ଭେଡିବା   ଶକ୍ତି  ମୃତ୍ତିକା  ବୟନ  ଅନୁସାରେ   ଭିନ୍ନ   ହୋଇଥାଏ   । ବାଲିଆ  ମୃତ୍ତିକାରେ  ଛିଦ୍ରଗୁଡିକର  ଆକାର  ବଡ   । ଏହି  ଛିଦ୍ର   ଦେଇ  ଜଳ  ଶୀଘ୍ର  ତଳକୁ   ବହିଯାଇ   ପାରେ   । କର୍ଦ୍ଦମାକ୍ତ   ମୃତ୍ତିକାରେ  ଛିଦ୍ର   ଗୁଡିକର  ଆକାର  ଛୋଟ   । କର୍ଦ୍ଦମ   କଣିକା  ପୃଷ୍ଠରେ  ବେଶି  ଜଳ   ଅଣୁ  ଆକର୍ଷିତ   ହୋଇ   ରହିପାରୁଥିବାରୁ   ଏହା  ଶୀଘ୍ର   ଫୁଲିଯାଏ   । ଏହାର  ଛିଦ୍ର   ଗୁଡିକର  ମୁହଁ   ବନ୍ଦ   ହୋଇଯାଏ   । ଏଣୁ  ଜଳ  ଶୀଘ୍ର  ନିମ୍ନ   ଦିଗକୁ  ଗତି   କରିପାରେ  ନାହିଁ   । ନିମ୍ନ  ଦିଗକୁ   ନ ହୋଇ  ପାର୍ଶ୍ଵକୁ   ହୋଇଥାଏ   ।  ଯେଉଁ  ପାର୍ଶ୍ଵର ଢାଲୁ  ପରିମାଣ   ବେଶି  ହୋଇଥାଏ , ସେହି  ପାର୍ଶ୍ଵକୁ   ଜଳ  ବୋହିଯାଏ   । ଜଳ  ବୋହିଯିବା  ସମୟରେ  ତା  ସହିତ  ମୃତ୍ତିକା  ମଧ୍ୟ  ବୋହି  ନେଇଥାଏ  । ଏହି  କ୍ରିୟା  ବୃଷ୍ଟିପାତର  ଆରମ୍ଭଠାରୁ  ଶେଷ  ପର୍ଯ୍ୟନ୍ତ  ବିଭିନ୍ନ  ଅବସ୍ଥାରେ  ସମ୍ପାଦିତ   ହୋଇଥାଏ   ।

ସ୍ତରକ୍ଷୟ

ବର୍ଷା   ହେତୁ   ମୃତ୍ତିକାର  ଉପରିସ୍ଥ  କଣିକାଗୁଡିକ  ଶୀଘ୍ର  ଜଳ  ଶୋଷି  ଆର୍ଦ୍ର   ହୋଇଯାଆନ୍ତି । ବୃଷ୍ଟି  ବଢିଲେ   ଏହି   କଣିକାଗୁଡିକ  ତଳ   ସ୍ତରରେ   ଥିବା  କଣିକା   ଗୁଡିକରୁ  ଅଲଗା   ହୋଇ   ପାଣିରେ  ମିଶିଯାଆନ୍ତି   ଓ  ସ୍ତର  ସ୍ତର  ହୋଇ   ବୋହିଯାଆନ୍ତି  । ପଡିଆ ଓ  ଢାଲୁ   ଜମିରେ   ଏପରି   ପ୍ରଥମେ   ମୃତ୍ତିକା   କ୍ଷୟ   ହୋଇଥାଏ  । ବର୍ଷା   ଛାଡିଗଲା ପରେ   ସେଗୁଡିକ  ସହଜରେ  ଜଣା  ପଡେନାହିଁ  । ଏଣୁ  କେତେ  ନଷ୍ଟ  ହେଲା  ଜାଣିହୁଏ  ନାହିଁ  । କିନ୍ତୁ  ବର୍ଷା  ହେଉଥିବା   ବେଳେ   ନିରୀକ୍ଷଣ   କଲେ  ପାଣି   ଗୋଳିଆ   ହୋଇ   ବହିଯାଉଥିବା ଜଣାପଡେ । ଏହାଦ୍ଵାରା  ମୃତ୍ତିକାର  ଉପର  ଅଂଶରେ  ଥିବା  ପଟୁ, କର୍ଦ୍ଦମ ଓ  ଉଦ୍ଭିଦ   ଲାଗି   ଆବଶ୍ୟକ   ବିଭିନ୍ନ  ଉପାଦାନ   ବୋହିଜାଇ   ନଷ୍ଟ  ହୋଇଥାଏ   । ଏହି  କ୍ଷୟ  ସହଜରେ   ଅନୁଭୂତ  ନ ହେଉଥିଲେ  ମଧ୍ୟ  କ୍ରମାଗତ  ଭାବେ  ଘଟିଲେ  ମୃତ୍ତିକାର  ଉତ୍ପାଦିକତା  ହ୍ରାସପାଏ   ଏବଂ  ଫସଲ  ଅମଳ  ମଧ୍ୟ  ହ୍ରାସପାଏ   ।

ଧାନ ଓ ନାଳ କ୍ଷୟ

ଏହା  ସ୍ତର  କ୍ଷୟର   ପରବର୍ତ୍ତୀ   ଅବସ୍ଥା  ଅଟେ   । ଅବିରତ  ସ୍ତରକ୍ଷୟ   ହେତୁ  ଭିଜିଯାଉଥିବା  ମୃତ୍ତିକାରେ   ପ୍ରଥମେ  ଛୋଟ  ଛୋଟ  ସରୁ   ସୂତା   ଭଳି   ଧାର  ଏବଂ   ପରେ   କେତୋଟି  ବଳିତା   ମିଶି  ସରୁ  ନାଳ  ସୃଷ୍ଟି  କରନ୍ତି   । ଆଙ୍ଗୁଠି   ଭଳି   ମୋଟା   ନଳୀ  ସୃଷ୍ଟି   ହୁଏ   । ଏହିସବୁ  ନାଳୀ   ବା  ଧାର  ଗୁଡିକୁ   ଆଙ୍ଗୁଳି  ନାଳୀ   ବୋଲି   କୁହାଯାଏ ।

ବର୍ଷାର  ପ୍ରକୋପ  ବଢିଲେ  ଏହି  ନଳୀରେ   ଗଡିଯାଉଥିବା  ପାଣିର  ବେଗ  କ୍ରମେ  ବୃଦ୍ଧିପାଏ   । ଦୁଇପଟୁ  ଓ  ତଳୁ  ବେଶୀ   ମାଟି  ଖୋଳି  ତାଡି   ବୋହି  ନେଇ  ତଳ  ମୁଣ୍ଡରେ  ଗଦା   କରିଦିଏ   । କ୍ରମେ  ନାଳୀର  ଆକାର, ଓସାର ଓ  ଗଭୀରତା   ବୃଦ୍ଧିପାଏ   । ବର୍ଷାବେଳେ  ଗାଁ  ଦାଣ୍ଡରେ  ବହିଯାଉଥିବା  ପାଣି   ଗୋଳିଆ  ହୋଇ   କେତେ   ମାଟି  ତଳ  ମୁଣ୍ଡରେ  ଗଦା   କରିଦିଏ   ଦେଖିଲେ   ଏହା   ସହଜରେ   ଅନୁମାନ   କରିହେବ   । କ୍ରମେ  ସରୁନାଳୀ   ମଧ୍ୟମ ଓ  ବଡ  ନାଳୀରେ   ପରିଣତ   ହୋଇଥାଏ  । ନାଳୀର   ଆକାର   ବୃଦ୍ଧି   ପାଇଲେ   ବେଶି   ପାଣି   ବହିଯିବା   ସାଥି ସାଥି   ବହିଯାଉଥିବା   ପାଣିର   ବେଗ   ମଧ୍ୟ  ବୃଦ୍ଧି   ପାଇଥାଏ   ।   ବିଭିନ ପ୍ରକାର  ନାଳୀର  ସୃଷ୍ଟି   ଦର୍ଶାଯାଇଛି   । ବୃଷ୍ଟିହେତୁ   ନାଳୀର   ସୃଷ୍ଟିକ୍ରମ   ଗଛର  ପତ୍ର, - ପତ୍ରର  ଡେମ୍ଫ , - ଡେମ୍ଫରୁ  ଛୋଟ  ଡାଳ, - ବଡ  ଡାଳ, - ଗଣ୍ଡି – ମୂଳ ଭଳି  କଳ୍ପନା   କରାଯାଇପାରେ   । ଧାରର   ଆକାର   ବଡ   ହେଲେ  ତାକୁ  ନାଳୀ  କୁହାଯାଏ  । ନାଳୀ  ହେତୁ   ମୃତ୍ତିକା  କ୍ଷୟକୁ  ନାଳ – ମୃତ୍ତିକା  କ୍ଷୟ  କୁହାଯାଏ   । ପାହାଡିଆ  ଅଞ୍ଚଳରେ   ପାହାଡରୁ   ଗଡି  ଆସୁଥିବା   ପାଣିର   ଗତିପଥ  ଓ  ବିଭିନ୍ନ  ପ୍ରକାର  ଝିଲ୍ଲି , ଝର, ଧାର ଓ  ନାଳକୁ ଲକ୍ଷ୍ୟକଲେ   ବିଭିନ୍ନ  ପ୍ରକାର  ମୃତ୍ତିକା   କ୍ଷୟ  ପ୍ରଣାଳୀ   ସହଜରେ  ଜଣାପଡେ   । ନଈ ଓ  ନାଳ  ଦ୍ଵାରା   ମୃତ୍ତିକା   ବହିଯାଇ  ନଈ  ସମୁଦ୍ର   ମିଶିବା  ସ୍ଥାନରେ   ତ୍ରିକୋଣ   ଭୂମି   ଗଠିତ   ହୋଇଛି   । ନଦୀ  ପଠା  ଓ  ଚଡା  ଇତ୍ୟାଦି  ମୃତ୍ତିକା  କ୍ଷୟ  ଓ  ମୃତିକା  ଗଠନର  ସହଜ  ଉଦାହରଣ   ।

ଜଳଧାର  ସୃଷ୍ଟି  ହେଲେ   ଏହି ଧାରର  ଆକାର   କ୍ରମେ  କ୍ରମେ   ବୃଦ୍ଧି  ପାଏ   । ମାଟି  ନରମ ଓ  ଫସଫସିଆ  ଥିଲେ  ଏବଂ  ଏହି  ମାଟିକୁ   ଜାବୁଡି  ଓ  ଟାଣ  କରି  ଧରି   ରଖିବାକୁ   କୌଣସି  ଫସଲ , ଗଛଲତା  ବା  ଘାସ  ନ ଥିଲେ   ଜଳଧାର   ଦୁଇକଡକୁ   ଓ  ତଳକୁ  ଖାଇଖାଇଯାଏ   । ଦୁଇପଟ   ମାଟି   ଅତଡା   ଖାଇ  ଖସିପଡେ  ଓ  ପାଣିରେ   ଗୋଳେଇ  ହୋଇ  ତଳକୁ   ବୋହିଯାଏ  ।  ମାଟିର  ଗୁଣ   ଅନୁସାରେ  ନାଳର  ଆକାର  ଭିନ୍ନ  ହୋଇଥାଏ   ।  ଦୁଇପଟ  ମାଟି  ଅପେକ୍ଷା  ତଳପଟ  କମ୍  ଖାଇଥାଏ   । କିନ୍ତୁ  ଦୁଇପଟ  ଅପେକ୍ଷା   ତଳମାଟି  ନରମ   ଥିଲେ  ପାଣି   ତଳପଟୁ   ଖାଇ   ନାଳୀକୁ  ବେଶି  ଗଭୀର  କରିଦିଏ   । ଏହି  ଦୃଷ୍ଟିରୁ   ନାଳୀର  ଅନୁପ୍ରସ୍ଥଚ୍ଛେଦ  ଇଂରାଜୀ   ଅକ୍ଷର   ଇଉ  ବା  ଭି  ଭଳି  ଦେଖାଯାଉଥିବାରୁ   ଏହାକୁ   ଇଉ  ଆକୃତି   ନାଳ  ବା ଭି   ଆକୃତି   ନାଳ  କୁହାଯାଏ   । କର୍ଦ୍ଦମ ଓ  ପଟୁମାଟି   ବେଶିଥିବା   ଅଞ୍ଚଳରେ   ସାଧାରଣତଃ  ଇଉ ଆକୃତି   ନାଳ  ଓ  ପାହାଡିଆ  ଅଞ୍ଚଳରେ  ଭି  ଆକୃତି  ନାଳ  ଦେଖାଯାଇଥାଏ   । ଜମିର  ଢାଲୁ  ବେଶି  ହେଲେ  ସାଧାରଣତଃ  ଭି  ଆକୃତି  ଓ  କମ୍  ହୋଇ  ଜମି   ସମତଳ   ହେଲେ  ଇଉ  ଆକୃତି  ନାଳ  ସୃଷ୍ଟି  ହୋଇଥାଏ   । କାରଣ  ଟାଣ  ଓ  ଢାଲୁ   ଜମିରେ   ଜଳର   ବେଗ   ପ୍ରଖର   ହୋଇ   ଆଗ   ତଳପଟୁ   ବେଶି  ଖାଇଯାଇ   ନାଳକୁ  ଓସାର  ତୁଳନାରେ  ବେଶି   ଗଭୀର  କରିପକାଏ  ।   ପାହାଡ  ଉପରୁ  ବହି  ଆସୁଥିବା   ଜଳଧାରକୁ   ଲକ୍ଷ୍ୟକରି   ଏହାର  ଗତିପଥ   ଅନୁସରଣ   କରି  ସବାତଳେ   ସମତଳ  ଭୂମିରେ  ପଡିଥିବା   ପର୍ଯ୍ୟନ୍ତ   ନାଳୀର   ଆକାର  ଓ  ଆକୃତିକୁ   ଲକ୍ଷ୍ୟକରି   କଥାଟି   ସହଜରେ  ଜାଣିହୁଏ   ।  ଜଳ  ପରିମାଣ, ପ୍ରବାହ ବେଗ, ଦୁଇପଟ   ଓ  ତଳ  ମାଟିର   ଗୁଣ  ଏବଂ   ଦୁଇପଟେ   ଥିବା ଗଛଲତାର  ଗୁଣ  ଓ  ପ୍ରକାର  ଅନୁସାରେ   ଧାର  କେଉଁଠି ଓସାରିଆ, କେଉଁଠି  ଅଣ ଓସାରିଆ  ଓ  ଏହି  ଜଳଧାରରେ   ଅନୁପ୍ରସ୍ଥ  ଚ୍ଛେଦ   ଭି  କିମ୍ବା  ଇଉ   ଆକାର  ହୋଇଥାଏ   ।  ଏହି  କାରଣରୁ   ମଧ୍ୟ  ନଦୀର  ଉତ୍ପତ୍ତି  ସ୍ଥଳରେ   ଏହାର  ଓସାର, କମ୍ , ଗଭୀର  ବେଶି  ଏବଂ   ମୁହାଣ  ଆଡକୁ   ଓସାର  ଖୁବ୍  ବେଶି   କିନ୍ତୁ   ଗଭୀର   କମ୍  ହୋଇଥାଏ   ।   ଛୋଟ  ନାଳ, ବଡ ନାଳ ଓ  ନଦୀ  ସବୁ   ଏହିପରି   ସୃଷ୍ଟି  ହୋଇ   ଜଳ  ପ୍ରବାହିକା   ରୂପେ   ମୃତ୍ତିକା  କ୍ଷୟ  ଓ  ପରିବହନ   କରି   ବିଭିନ୍ନ  ଜାଗାରେ   ବିଭିନ୍ନ   ରୂପ  ସୃଷ୍ଟି   କରିଛନ୍ତି   । ପଥୁରିଆ , ଗେଙ୍ଗୁଟିଆ ପାହାଡିଆ  ମାଟିରେ  ଛୋଟ, ବଡ  ଅଗଭୀର  ଓ  ସଂକୀର୍ଣ୍ଣ  ଗିରିପଥ   ସୃଷ୍ଟି   ହୋଇଥାଏ   । ଏଗୁଡିକ   ମଧ୍ୟ  ଝର, ଧାର ଓ  ନାଳ   ପ୍ରଣାଳୀ   ମୃତ୍ତିକା   କ୍ଷୟର  ପରିପ୍ରକାଶ   । ନାଳର   କ୍ରମିକ  ବୃଦ୍ଧିରେ   ମୁଖ୍ୟତଃ  ୪ଟି  ଅବସ୍ଥା   ଦେଖାଯାଇଥାଏ  -

  1. ସଞ୍ଚରଣ   ଅବସ୍ଥା – ଏଥିରେ  ପାଣି  ଉପର  ମାଟି  କାଟି   ତଳ  ଅଂଶ   ଆଡକୁ   ଖାଇ   ଖାଇ  ଯାଏ  ।
  2. ବିକାଶ   ଅବସ୍ଥା – ନାଳରେ  ପାଣି  ଜୋରରେ  ବହିଲେ  ନାଳ ମୁହଁ   ଫାଟିଯାଏ   । ନାଳର   ଓସାର  ଓ  ଗଭୀରତା   ବୃଦ୍ଧିପାଏ   ।
  3. ଆରୋଗ୍ୟ   ଅବସ୍ଥା – ପାଣି   ଯେତିକି   ମାଟି  କାଟି   ଖାଇଯିବା   କଥା   ସେତିକି  ହୋଇଗଲା   ପରେ  ନାଳର  ଆକାର  ଓ  ପ୍ରକାର   ଆଉ   ପରିବର୍ତ୍ତନ   ହୁଏ  ନାହିଁ , ସ୍ଥିର  ହୋଇଯାଏ   । ଦୁଇ  କଡରେ  ଘାସ  ଓ  ଅନ୍ୟାନ୍ୟ  ଗଛ  ଉଠିଯାଏ   ।
  4. ସ୍ଥିରାବସ୍ଥା – ଏହି  ଅବସ୍ଥାରେ  ନାଳର   ଆକାର  ଓ  ପ୍ରକାର  ସ୍ଥିର   ରହେ   ।  ଦୁଇ  କଡରେ  ଭଲ  ଭାବେ  ଘାସ  ବିଭିନ୍ନ  ଅନାବନା  ଗଛ  ଉଠି  ବଢି  କଡକୁ   ଆବୃତ୍ତ  କରି  ରଖେ   ।

ବେଳେ  ବେଳେ  ଗୋଟିଏ  ନାଳର  ସଞ୍ଚରଣ  ସ୍ଥଳରୁ  ମୁହାଣ  ପର୍ଯ୍ୟନ୍ତ   ଗତିପଥରେ   ନାଳର   ଆକାର   ପ୍ରକାର  ଓ  ସବୁ  ପ୍ରକାର  ଅବସ୍ଥା  ଦେଖାଯାଇଥାଏ   । ନାଳ  ଦେହରୁ  ଶାଖା ଓ  ପ୍ରଶାଖାନାଳ   ବାହାରି   କିଛି  ଦୂର   ଯାଇ   ପୁଣି  ଛନ୍ଦା  ଛନ୍ଦି   ହୋଇ  ଏକାଠି  ମିଶି  ନଦୀରେ  ବା  ମୁହାଣରେ   ପଡିଥିଲେ  ପ୍ରକୃତିର  ଗଠନ  ଓ  ଧ୍ଵଂସଲୀଳାର   ଚିତ୍ର  ସୁସ୍ପଷ୍ଟ   ହୋଇଯାଏ   ।  ଓଡିଶାର  ଭୂପ୍ରକୃତି  ଉତ୍ତର   ପୂର୍ବରୁ   ଦକ୍ଷିଣକୁ  ଓ  ଦକ୍ଷିଣ  ପଶ୍ଚିମରୁ  ପୂର୍ବକୁ  ଢାଲୁ   । ସୁବର୍ଣ୍ଣରେଖା , ବୈତରଣୀ, ବ୍ରାହ୍ମଣୀ,  କାଂଶ ବାଂଶ , ଚିତ୍ରୋତ୍ପଳା, ବିରୂପା,  ମହାନଦୀ, କାଠଯୋଡି, ନାଗାବଳୀ, ଓ  ଋଷିକୁଲ୍ୟା  ଇତ୍ୟାଦି   ନଦୀର   ଉତ୍ପତ୍ତି   ସ୍ଥଳରୁ   ବଙ୍ଗୋପସାଗରସ୍ଥ   ମୁହାଣ   ପର୍ଯ୍ୟନ୍ତ   ଗତିପଥ   ପର୍ଯ୍ୟବେକ୍ଷଣ   କଲେ   ଏହି  ପ୍ରକ୍ରିୟାର   ଏକ  ସମ୍ପୂର୍ଣ୍ଣ   ଚିତ୍ର   ମିଳିଥାଏ   ।

ଓସାର, ଗଭୀରତା ଓ  ଦୁଇ  ପଟର  ଢାଲୁ  ଅନୁସାରେ  ନାଳ  ଓ  ଗିରିଗହ୍ଵର  ଗୁଡିକୁ   -

  1. ଅତି  କ୍ଷୁଦ୍ର
  2. କ୍ଷୁଦ୍ର
  3. ମଧ୍ୟମ ଓ
  4. ଗଭୀର   ବୋଲି   ୪ଟି  ଶ୍ରେଣୀରେ   ବିଭକ୍ତ  କରାଯାଇଥାଏ   । (ସାରଣୀ -୧)

ସାରଣୀ – ୧ ନାଳ  ଗିରିଗହ୍ଵର ର   ଶ୍ରେଣୀ   ବିଭାଗ   ।

ବିବରଣୀ

ଶ୍ରେଣୀ

ଅତିକ୍ଷୁଦ୍ର

କ୍ଷୁଦ୍ର

ମଧ୍ୟମ

ଗଭୀର

ଗଭୀରତା

୧-୩

୩-୯

୯ ରୁ ବେଶି

ନାଳ  ଶଯ୍ୟାର  ଓସାର

୦-୧୮

୧୮ ରୁ  ବେଶି

୧୮ ରୁ  ବେଶି

୧୮ ରୁ  ବେଶି

ଦୁଇପଟର  ଢାଲୁ %

ବଦଳୁଥାଏ

ବଦଳୁଥାଏ

୬-୧୨ ଦୁଇପଟ  ଢାଲୁ  ପରିମାଣ  ପ୍ରାୟସମାନ

୧୨ରୁ  ବେଶି  ତୀଖ, ଉତ୍ତୁଙ୍ଗ

ତୀର ଓ  ବେଳାଭୂମି  ମୃତ୍ତିକା  କ୍ଷୟ

ସମୁଦ୍ର   ଢେଉ   ବାଲି  ବା  ମାଟି   ବହିଆଣି   କୁଳରେ  ଆଉଯାଇ  ଦିଏ   ଏବଂ  ସମୁଦ୍ର  ଭିତରକୁ  ନେଇଯାଏ   । ସମୁଦ୍ର   କୂଳିଆ   ଗାଁମାନ   ବେଳେ  ବେଳେ   ସମୁଦ୍ର   ଢେଉରେ   ଆସ୍ତେ  ଆସ୍ତେ   ଧୋଇ   ହୋଇ   ସଂପୂର୍ଣ୍ଣ   ଭାବେ   ସମୁଦ୍ର   ଗର୍ଭରେ   ଲୀନ  ହୋଇଯାଏ   । ସମୁଦ୍ର  ଜୁଆରିଆ   ହେଲେ   ଜୁଆର  ପାଣି   ନାଳ ଭିତରେ   ଆସି  ଖାଲ  ଜମି  ଲୁଣିଆ  କରିଦିଏ   । ଜୁଆର   ଛାଡିଗଲା  ବେଳେ   ନାଳରୁ   ଚିକିଟା  ଓ  ପଟୁମାଟି   ଧୋଇ  ନେଇଯାଏ   । ହୁଗୁଳିଠାରୁ   ବଙ୍ଗୋପସାଗର   କୂଳେ  କୂଳେ   ଚାନ୍ଦିପୁର , ଧାମରା  ହୁକିଟୋଲା,  ପାରାଦ୍ଵୀପ, ଗୋପାଳପୁର, ଚିଲିକା ରମ୍ଭା  ଦେଇ   ବିଶାଖାପାଟଣା   ପର୍ଯ୍ୟନ୍ତ   ଗଲେ   ସମୁଦ୍ର  ହେତୁ   ମୃତ୍ତିକା  କ୍ଷୟ   ପ୍ରକ୍ରିୟା  ଖୁବ୍  ଭଲ  ଭାବେ  ଜଣାପଡେ   । ସମୁଦ୍ର  ହେତୁ  ତୀରବର୍ତ୍ତି  ଜମିରେ   ବିଶେଷତଃ   ଖରାଦିନେ   ଲୁଣି  ସମସ୍ୟା   ସୃଷ୍ଟି   ହୋଇଥାଏ   ।

ନାଳ  ଓ  ନଈକୁଳ  ମୃତ୍ତିକା  କ୍ଷୟ

ବର୍ଷା  ହେଲେ  ମୃତ୍ତିକା  ଆର୍ଦ୍ରହୁଏ   । ମୃତ୍ତିକା  ଧରି ପାରୁନଥିବା  ଉଦବୃତ୍ତ   ଜଳ  ତଳକୁ  ବହିଯାଏ  । ଏହି  ଜଳ  କ୍ରମେ  ଛୋଟ  ନାଳରୁ  ବଡ  ନାଳ  ଓ  ବଡ  ନାଳରୁ   ନଦୀକୁ   ପ୍ରବାହିତ   ହୁଏ  । ନାଳ ଓ  ନଈ  ପୂରିଯାଏ  ଏବଂ  ସୁଅ  ପଡେ   । ଘନ ଘନ   ବର୍ଷା  ହେତୁ  ନାଳ  ଓ  ନଦୀରେ  ସୁଅର  ବେଗ  ପ୍ରଖର   ହେଲେ  ଦୁଇପଟରୁ  ମାଟି  ତାଡି   ଖାଇଯାଏ   । ଦୁଇକଡରୁ   ବଡ  ବଡ  ଅତଡା   ଖସେ   । ବେଳେବେଳେ  ଏ  ସମସ୍ୟା   ଏତେ  ଉତ୍କଟ   ହୁଏ   ଯେ   ଗୋଟିଏ  ଗୋଟିଏ   ନଈକୂଳିଆ   ଗାଁ  ମଧ୍ୟ   ନଦୀ   ଗର୍ଭରେ   ଲୀନ  ହୋଇଯାଏ   । ନଦୀ  ବନ୍ଧରେ  ଥିବା  ବଡ  ବଡ  ଗଛ  ମଧ୍ୟ  ଉପୁଡି   ପଡି  ନଦୀ  ଗର୍ଭରେ  ଲୀନ   ହୁଏ   । ଏପରି   ମୃତ୍ତିକା   କ୍ଷୟକୁ  ନାଳ ଓ  ନଈ  କୁଳ   ମୃତ୍ତିକା  କ୍ଷ   କୁହାଯାଏ  । ଏହାଦ୍ଵାରା   କେଉଁ  କେଉଁ  ନଦୀର   ଗତିପଥ   ମଧ୍ୟ   ବଦଳିଯାଏ   । କେଉଁପଟ   ନଈ  ଖାଇଯାଏ  ତ  କେଉଁ ପଟେମାଟି  ଭର୍ତ୍ତିକରି   ଜମି  ଗଢିଦିଏ   । ନଦୀ   ମଧ୍ୟଭାଗରେ   ମଧ୍ୟ  ମାଟି   ଗଦା   ହୋଇଯାଇ  କ୍ରମେ   ଟାପୁ  ବା  ଚଡା   ସୃଷ୍ଟି   ହୋଇଯାଏ   ।

ଠାଏ ଠାଏ   ନଦୀ ବନ୍ଧ   ଭାଙ୍ଗିଯାଏ   । ବଡ  ବଡ   ଘାଇ   ସୃଷ୍ଟିହୁଏ   । ବନ୍ଧ  ଡେଇଁ   ପାଣି  ପାଖ  ଗାଁ  ଓ  ଜମିକୁ   ପ୍ଲାବିତ  କରି  ଧନ   ଜୀବନ   ବିପନ୍ନ   କରେ   । ଏହାଦ୍ଵାରା   କେତେ   ଜମିରେ   ବାଲି  ଚଢିଯାଇ   ବାଲିଚର   ହୋଇଯାଏ   । ଜମି  ସମ୍ପୂର୍ଣ୍ଣ  ଉତ୍ପାଦନ  ଅକ୍ଷମ   ହୋଇଯାଏ   । ୧୯୫୫ ଓ  ୧୯୮୨  ମସିହାରେ   ହୋଇଥିବା  ପ୍ରଳୟଙ୍କରୀ   ବନ୍ୟାରେ   ଅଦ୍ଭୁତପୂର୍ବ   କ୍ଷତି   ହୋଇଥିଲା   ।  ହଜାର  ହଜାର  ହେକ୍ଟର   ଜମିରେ   ବାଲିଚର   ସୃଷ୍ଟି   ହୋଇଥିଲା    । ସେ  ସବୁ  ଜମି   ଏପର୍ଯ୍ୟନ୍ତ  ବି  ସମ୍ପୂର୍ଣ୍ଣ  ଭାବେ   ଅବାଦି   ହୋଇନାହିଁ   ।

ଅନ୍ୟାନ୍ୟ  ପ୍ରଣାଳୀ  ଦ୍ଵାରା   ମୃତ୍ତିକା   କ୍ଷୟ   ତୁଳନାରେ  ଜଳଦ୍ଵାରା   ମୃତ୍ତିକା   କ୍ଷୟ   ଅତି   ବ୍ୟାପକ, ବହୁରୂପୀ  ଓ  ଭୟଙ୍କର   ।

ଜଳଦ୍ଵାରା  ମୃତ୍ତିକା   କ୍ଷୟ  ହୁଏ  କିପରି ?

ଟପ୍ ଟପ୍ ହୋଇ   ପଡୁଥିବା  ଜଳ  ବିନ୍ଦୁର   ଶକ୍ତି  ଓ  ମାଟି  ଉପରେ  ବହିଯାଉଥିବା   ଜଳବିନ୍ଦୁର   ଶକ୍ତି  ସଂଯୋଗରେ   ମୃତ୍ତିକା   କ୍ଷୟ   ପ୍ରକ୍ରିୟା  ସଂଗଠିତ   ହୋଇଥାଏ   ।  ଉପରୁ   ପଡୁଥିବା  ଜଳବିନ୍ଦୁର   ଶକ୍ତି   ମୃତ୍ତିକା  ଉପରେ   କୌଣସି   ଭାବେ   ଅଥବା  ଲମ୍ବଭାବେ   ପଡେ   ।  ବହିଯାଉଥିବା  ଜଳର   ଶକ୍ତି   ଭୂମି  ସହିତ  ସମାନ୍ତରାଳ   ହୋଇପଡେ   ।  ଉପରୁ  ପଡୁଥିବା   ଜଳ   ବିନ୍ଦୁର  ଶକ୍ତି   ହେତୁ  ମୃତ୍ତିକା  କଣିକା  ଅନ୍ୟ   କଣିକା   ଗୁଡିକଠାରୁ   ବିଚ୍ଛିନ୍ନ   ହୋଇଯାଏ  ।  ଭୂମି  ସହିତ   ସମାନ୍ତରାଳ   ଭାବେ   ବହିଯାଉଥିବା   ଜଳଶକ୍ତି  ଏ  ବିଚ୍ଛିନ୍ନ  କଣିକାକୁ   ବୋହିନିଏ   ।  ଜମିରେ  ବିଶେଷତଃ   କୌଣସି  ଫସଲ  ବା  ଆବରଣ  ନଥିଲେ  ଏବଂ  ଜମି  ଢାଲୁ   ହୋଇଥିଲେ  କଚଡା  ଓ  ଛେଚା   ବର୍ଷା   ହେତୁ   ମାଟି   କାଦୁଅ  ହୋଇଯାଏ   ।  ଏବଂ  ଚାରିଆଡକୁ  ଛିଟିକିଯାଏ   । ଚବଚବ  ଓ  ସୁ ସୁ  ଶବ୍ଦ  କରି  ତଳକୁ  ବୋହିଯାଏ   ।  ଏହି  ପ୍ରକ୍ରିୟା   ଗୋଳିଆ   ପାଣିର  ପରିବହନ  ଶକ୍ତି  ବୃଦ୍ଧି  କରାଇଥାଏ   । ଅତି  ଫସଫସିଆ  ନରମ  ଓ  ଅନାବରିତ  ମାଟିରେ   ଛେଚା  ବର୍ଷା  ହେତୁ   ହେକ୍ଟର   ପ୍ରତି   ପ୍ରାୟ  ୨୫ ଟନରୁ  ଅଧିକ  ମାଟି  ଛିଟିକି   କରି   ବର୍ଷାକୁ   କ୍ଷୟ   ହୋଇଥାଏ   ।  ବହିଯାଉଥିବା   ପାଣିର  କାଟିବା   ଶକ୍ତି   ଏବଂ   ଏହାକୁ   ବହିନେବା   ଶକ୍ତି  ପାଣିର   ବେଗ   ଉପରେ   ନିର୍ଭର  କରେ   । ବହିଯାଉଥିବା   ପାଣିର   ମାଟି   କାଟିବା  ବା  ଖାଇଯିବା  ଶକ୍ତି  ପ୍ରବାହ   ବେଗର   ବର୍ଗାନୁପାତୀ, ଏବଂ   ବିଭିନ୍ନ  ପ୍ରକାର  ପଦାର୍ଥ   ବହିନେବା   ଶକ୍ତି   ପ୍ରବାହ   ବେଗର   ଷଷ୍ଠ  ଘାଟାଣୁପାତୀ   ।  ଏଣୁ   ନାଳରେ   ପାଣି  ବହିଲେ   ମାଟି   କାଟି   ହୋଇଯାଏ  ଏବଂ   ବୋହିଯାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top